Unknown

 

 

 

 

 

 

 

 

 

 

 

ଅନ୍ଧକାରର ସୀମା

ରମେଶ ଧଳ

 

ସୂଚନା

 

ପୁସ୍ତକରେ ଥିବା ଗଳ୍ପଗୁଡ଼ିକ ସମସାମୟିକ ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଇ ସାରିଛି । କେତେଗୋଟି ଗଳ୍ପ ଆକାଶବାଣୀ ଆନୁକୂଲ୍ୟରେ ପ୍ରଚାରିତ ହୋଇଛି । ‘ଫ୍ରେଣ୍ଡସ୍ ପବ୍ଳିଶର୍ସ’ର ସତ୍ତ୍ୱାଧିକାରୀ ବନ୍ଧୁ ଶ୍ରୀ ସହଦେବ ପ୍ରଧାନଙ୍କର ସହଯୋଗ ଯୋଗୁ ମୋର ସେହି ଗଳ୍ପଗୁଡ଼ିକ ଆଜି ପୁସ୍ତକାକାରରେ ପ୍ରକାଶିତ ହୋଇପାରିଛି । ତାଙ୍କୁ ମୁଁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

ପରୀକ୍ଷାମୂଳକ ଭାବେ ନୂତନ କିଛି ରଚନା କରିବା ସମୟରେ ଆନ୍ତରିକ ମତାମତ ଦେଇ, ଅଧ୍ୟାପିକା ଶାନ୍ତି ଧଳ ମୋତେ ସୃଷ୍ଟିସାମ୍ରାଜ୍ୟରେ ଆଗେଇ ଯିବା ନିମନ୍ତେ ଉତ୍ସାହିତ କରିଛନ୍ତି ।

 

ସାହିତ୍ୟିକ ବନ୍ଧୁ ଶ୍ରୀ ଭାଗିରଥୀ ନେପାକ, ଅଧ୍ୟାପକ ବନ୍ଧୁ ଶ୍ରୀ ରାଜକିଶୋର ମିଶ୍ରଙ୍କ ଆନ୍ତରିକ ସହଯୋଗ ତଥା ବନ୍ଧୁ ଆଡ଼ଭୋକେଟ୍ ଶ୍ରୀ ହାଡ଼ିବନ୍ଧୁ ହାଲିଙ୍କର ରଚନାତ୍ମକ ସମାଲୋଚନା ମୋର ସବୁଦିନେ ମନେ ରହିବ । ସେମାନଙ୍କୁ ଧନ୍ୟବାଦ ନ ଜଣାଇ ରହି ପାରୁ ନାହିଁ ।

 

‘ସୁମୁଦ୍ରଣୀ’ର କର୍ମଚାରୀ ବନ୍ଧୁମାନଙ୍କ ସହଯୋଗ ପାଇଁ ପୁସ୍ତକଟି ଯଥା ସମୟରେ ପ୍ରକାଶ ପାଇ ପାରିଛି । ସେମାନେ ମଧ୍ୟ ଧନ୍ୟବାଦାର୍ହ ।

 

ଏମାନଙ୍କ ବ୍ୟତୀତ ଦୂର ଓ ନିକଟରେ ଥିବା ମୋର ପ୍ରିୟ ପାଠକମାନେ, ଯେଉଁମାନେ କି ବିଭିନ୍ନ ସମୟରେ ମୋର ଲେଖା ଉପରେ ସେମାନଙ୍କର ମୂଲ୍ୟବାନ୍ ମତାମତ ଦେଇ ମୋତେ ଅନୁଗୃହୀତ କରିଛନ୍ତି ସେମାନଙ୍କ ନିକଟରେ ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି ।

 

ଗଞ୍ଜେଇଡ଼ିହ

ରମେଶ ଧଳ

ଶ୍ରୀଗୁଣ୍ଡିଚା, ନବକଳେବର

 

ତା ୧୮ । ୭ । ୭୭ରିଖ

 

񤦬񤦬񤦬

 

ଶ୍ରୀ ଧଳଙ୍କର ଅନ୍ୟାନ୍ୟ ଅବଦାନ

 

ଗଳ୍ପ ଉପନ୍ୟାସ—‘ରବିବାରର ଗଳ୍ପ’, ‘ମୁଠାଏ ନାଲିଚୁଡ଼ି’, ‘ଝରଣା ଝରି ଝରି ଯାଏ’, ‘ଚମ୍ପକ ବନର ଏଲିଜି’, ‘ଅନ୍ଧକାରର ସୀମା’, ‘ଆକାଶର ମୁହଁ’, ‘ଛିନ୍ନ ପତ୍ର’, ।

 

କବିତା—ପ୍ରତୀକ୍ଷାରେ, ରାତିର ଅଞ୍ଚଳରୁ ଖିଏ, ନୀଳ ଢେଉ, କ୍ରୁଶବିଦ୍ଧ ଓ ଅନ୍ୟାନ୍ୟ କବିତା (ସହଯୋଗୀ-ଅଧ୍ୟାପିକା ଶାନ୍ତି ଧଳ)

 

ଜୀବନୀ—‘ଯୁଗମାନବ’ (ସରକାରଙ୍କଦ୍ୱାରା ପୁରସ୍କୃତ) ‘ବା ଓ ବାପୁ’ ‘ସେମାନେ ସ୍ମରଣୀୟ’ ‘ମାର୍ଟିନ୍‌ ଲୁଥର କିଙ୍ଗ୍‌’ ।

 

ଶିଶୁ ସାହିତ୍ୟ—‘ମାଛଙ୍କ ମହାସଭା’ (ସରକାରଙ୍କଦ୍ୱାରା ପୁରସ୍କୃତ) ‘ବେଲୁନ୍‌ବାଲା’ ।

 

ଅନୁବାଦ—‘ଫୁଲ ଓ ସ୍ଫୁଲିଙ୍ଗ’, ‘ସଭ୍ୟତାର କାହାଣୀ’ ।

 

ସଂପାଦନା ଓ ସଂକଳନ—‘ବଡ଼ଜେନା ପରିକ୍ରମା’, ‘ମାନସିଂହ ସ୍ମରଣିକା’, ‘ଓଡ଼ିଆ ସାହିତ୍ୟରେ ପ୍ରଫେସର ଗୋଲକ ବିହାରୀ ଧଳ’, ‘ଆଗ୍ନେୟ ଶପଥ’, ‘ହେ ମରଣ ଜୟୀ’ ଓ ଅନ୍ୟାନ୍ୟ ।

񤦬񤦬񤦬

 

ଶ୍ରୀ ଧଳ ଓଡ଼ିଆ ସାହିତ୍ୟରେ ଗଳ୍ପ, ଉପନ୍ୟାସ, କବିତା, ଜୀବନୀ, ଶିଶୁ-ସାହିତ୍ୟର ସ୍ରଷ୍ଟା ଭାବେ ସୁପରିଚିତ । ଶିଶୁ-ସାହିତ୍ୟ ନିମନ୍ତେ ସେ ଏକାଧିକବାର ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ । ୧୯୬୦ରେ କବିତା ପାଇଁ ସେ ବିଷୁବ ମିଳନରେ ସମ୍ମାନିତ । ଏକାଧିକ ପୁସ୍ତକ ଅନୁବାଦ କରି ଅନୁବାଦ କ୍ଷେତ୍ରରେ ସେ ନିଜର ମୌଳିକତା ପ୍ରତିପାଦନ କରିପାରିଛନ୍ତି ।

 

କଥୋପକଥନର ସରସତା, ମୌଳିକ କଥାବସ୍ତୁର ଚିତ୍ରଣ, ବୈପ୍ଳବିକ ଦୃଷ୍ଟିକୋଣ, ସମାଜରେ ଅବହେଳିତ ପ୍ରତି ସମବେଦନା ପ୍ରକାଶ, ପ୍ରଚଳିତ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ, ବ୍ୟଙ୍ଗ ବିଦ୍ରୂପ ତାଙ୍କର ପ୍ରତି ଗଳ୍ପ ଉପନ୍ୟାସରେ ପାଠକର ଦୃଷ୍ଟି ଆକର୍ଷଣ କରିଥାଏ ।

 

ଶ୍ରୀ ଧଳ ଦୈନିକ ‘କଳିଙ୍ଗ’ରେ ଜଣେ ସାମ୍ବାଦିକ ରୂପେ ଜୀବନ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଭୁବନେଶ୍ୱରରେ ଆଇନ୍‌ ବ୍ୟବସାୟ କରୁଛନ୍ତି । ୧୯୬୦-୭୦ ପର୍ଯ୍ୟନ୍ତ ସେ ମୁଖ୍ୟତଃ ସାମ୍ୱାଦିକ ଭାବେ ଜୀବନ କାଟିଥିଲେ । ଭୁବନେଶ୍ୱରରେ ‘ପ୍ରଜାତନ୍ତ୍ର’ ଓ ‘Eastern Times’ର ପ୍ରତିନିଧି ଥିଲେ । ବିଭିନ୍ନ ସମୟରେ ସେ ‘ଝଙ୍କାର’, ‘ରଶ୍ମୀ’, ‘କିଶଳୟ’ ସମ୍ପାଦନା କରିଛନ୍ତି । ବର୍ତ୍ତମାନ ସେ ‘ଜନପଥ’ ତ୍ରୈମାସିକ ସାହିତ୍ୟ ପତ୍ରିକାର ସମ୍ପାଦକ ।

 

ରାଜ୍ୟ ଭିତରେ ଓ ବାହାରର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ସଂପୃକ୍ତ । ୧୯୭୨ ମସିହାରେ ସେ କେନ୍ଦ୍ର ସରକାରଙ୍କର ଫିଲ୍ମ ଆଓ୍ୱାର୍ଡ କମିଟିର ସଭ୍ୟ ଥିଲେ । ବର୍ତ୍ତମାନ ଅଖିଳ ଭାରତ ଶିଶୁ ସାହିତ୍ୟ ସମ୍ମିଳନୀ ପରିଚାଳନା ବୋର୍ଡ଼ର ଅନ୍ୟତମ ନିର୍ବାଚିତ ସଭ୍ୟ-। ରାଜଧାନୀ ବଡ଼ଜେନା ସଂସଦର ସେ ସଭାପତି । ବିଭିନ୍ନ ପତ୍ରିକାମାନଙ୍କର ସେ ଧାରାବାହିକ ଲେଖକ ।

 

ଢେଙ୍କାନାଳର ଗଞ୍ଜେଇଡ଼ିହ ଗ୍ରାମରେ ଶ୍ରୀ ଧଳଙ୍କର ଜନ୍ମ ।

񤦬񤦬񤦬

 

 

 

 

 

 

 

 

 

 

 

 

 

ଅନ୍ଧକାରର ସୀମା

 

ସୂଚୀପତ୍ର

 

୧.

ଅନ୍ଧକାରର ସୀମା

୨.

ଛକ : ପାପ ଓ ପୁଣ୍ୟର

୩.

ବହ୍ନିବଳୟ

୪.

ଅବାଂଛିତ

୫.

ଇନ୍‌ଭେଣ୍ଟ୍ରି

୬.

ଜଣେ କେବଳ ଫେରିଲା ନାହିଁ

୭.

ବିସ୍ଫୋରଣ

୮.

ଡାହୁକ

୯.

ବିଲୁଆ ଘାଇ

୧୦.

ପ୍ରବାହ

୧୧.

ବେଲର୍‌

୧୨.

ରିଆକ୍‌ସନାରୀ

୧୩.

ଅକ୍‌ଟୋପସ୍‌

୧୪.

ମୋହିନୀକକା:

୧୫.

ପତଙ୍ଗ ନୃତ୍ୟ

୧୬.

ଅଙ୍ଗାର

୧୭.

ଦୂର ପାହାଡ଼

୧୮.

ତଳ ପାହାଡ଼

୧୯.

ଏଇ ଦେଶ ଏଇ ମାଟି

୨୦.

ପୋଲିଂ ବୁଥ୍‌

୨୧.

ପ୍ରାର୍ଥନା ଚାରିଗୋଟି ସନ୍ତାନ ପାଇଁ

୨୨.

ମେହନତି ମଣିଷର ଛବି

୨୩.

ବସ୍‌ଷ୍ଟପ୍‌

୨୪.

ସେ

୨୫.

ମହାରାଜା

୨୬.

ଶିଳାତୀର୍ଥର ଶିକାର

୨୭.

ଅରଣ୍ୟ

୨୮.

ମାଣିକପଡ଼ାର ନୀଳ ତାରା

୨୯.

ନୈବେଦ୍ୟ

୩୦.

ମାନଚିତ୍ର

୩୧.

ରୁକ୍ଷ ଦିଗନ୍ତ

୩୨.

ମଧ୍ୟାହ୍ନ ଆସର

୩୩.

ଖଜୁରୀ ଗଛ

୩୪.

ସଂକେତ

୩୫.

ଯନ୍ତ୍ରଣାର ସ୍ୱର

񤦬񤦬񤦬

 

ଅଂଧକାରର ସୀମା

 

ଛାତରେ ସିଲିଂଫ୍ୟାନ୍‌ ଘୂରି ଚାଲିଛି । ସତେଅବା ଫ୍ୟାନ୍‌ର ବ୍ଲେଡ଼ ସବୁ ମାନସର ଚିନ୍ତା ରାଜ୍ୟରେ ଅଚାନକ ଭଟ୍ଟା ସୃଷ୍ଟି କରୁଛନ୍ତି । ତା ପାଇଁ ଯେଉଁ ଦିଗ୍‌ବଳୟ ଏତେ ସ୍ପଷ୍ଟ, ଲୋଭନୀୟ ମନେ ହେଉଥିଲା ତାହା ସତେ ଯେପରି ମେଘାଚ୍ଛନ୍ନ ହୋଇ ଉଠିଛି । ନିଜକୁ ସକ୍ରୀୟ କରିବା ନିମନ୍ତେ ଆଉ ଖଣ୍ଡିଏ ସିଗାରେଟରେ ସେ ନିଆଁ ଧରାଇଲା । ତଥାପି କୌଣସି ମାନସିକ ପରିବର୍ତ୍ତନ ନାହିଁ । ଉଦାସ ନୟନରେ ବାହାରକୁ ଚାହିଁ ମନେ ମନେ ସେ ଭାବୁଛି ବନ୍ଧୁମାନଙ୍କ ନିଷ୍ପତ୍ତିରେ ସେ ଏକମତ ହେବାକୁ ବାଧ୍ୟ । ଅନ୍ୟ ଉପାୟ ନାହିଁ ।

 

ମାନସ ବିଶ୍ୱବିଦ୍ୟାଳୟର କୃତି ଛାତ୍ର । ଅନେକ ସ୍ୱପ୍ନ ମନରେ । ପ୍ରତିଟି ସ୍ୱପ୍ନକୁ ବାସ୍ତବରେ ରୂପ ଦେବା ନିମନ୍ତେ ନିଜ ଉପରେ ଅସମ୍ଭବ ଆତ୍ମବିଶ୍ୱାସ । କିନ୍ତୁ ତାର ସେ ରାସ୍ତାରେ ଅନେକ ପ୍ରତିବନ୍ଧକ । ଦୀର୍ଘ ସମୟ ଧରି ନୀରବ ରହିବା ପରେ ସେ ଗୋଟିଏ ମାତ୍ର ପ୍ରଶ୍ନ କରିଥିଲା–‘‘ଦେଖ ଭାଇମାନେ, ତମ ଆହ୍ୱାନରେ ପରୀକ୍ଷା ନ ଦେଇ ହଲରୁ ବାହାରି ଆସିବି ସତ-। କିନ୍ତୁ ରଶ୍ମୀ । ସେ ତ ଆସିବ ନାହିଁ । ରଶ୍ମୀ, ଇଂରେଜୀ ଅଧ୍ୟାପକଙ୍କ କନ୍ୟା ଏବଂ ବିଶ୍ୱବିଦ୍ୟାଳୟର କୃତି ଛାତ୍ରୀ ମଧ୍ୟ । ସେ ତ ପରୀକ୍ଷାରେ ନିଶ୍ଚୟ ଷ୍ଟାଣ୍ଡ କରିବ । ଅନ୍ୟମାନେ ବି ଅଛନ୍ତି, ସୁରେଶ, ଦିନେଶ, ବରେନ୍ । ସେମାନେ ଡେ ସ୍କଲ୍‌ର । ସେମାନଙ୍କ ମତାମତ ନେଇଛି ତ ? ପୁଣି ପାଠ ପଢ଼ିବା ମୋର ବିଳାସ ନୁହେଁ । ଜୀବନଯାତ୍ରା ନିମନ୍ତେ ଏହା ମୋର ଏକାନ୍ତ ପ୍ରୟୋଜନ’’-

 

ସୌମେନ୍ଦ୍ର କହିଲା ‘‘ମାନସ ତୁ ବ୍ୟସ୍ତ ହ’ ନି । ଆମେ ସେକଥା ବୁଝିବୁ । ମାନସ ଦାସ ଯେଉଁଠାରେ ପରୀକ୍ଷା ହଲ ଛାଡ଼ି ଆସିବ ବୋଲି ରାଜି, ସେଠାରେ.... । କେହି କେହି ନୁହେଁ । ଆମେ ସମସ୍ତଙ୍କୁ ଅଟକାଇ ନେଇ ପାରିବୁ । ରଶ୍ମୀ ବାୟେଁ ହାତ୍‌ କା ଖେଲ୍‌ । ସେ ଯଦି ଆମ କଥା ଶୁଣି ପରୀକ୍ଷାହଲ ଛାଡ଼ି ଚାଲି ନ ଆସିଛି ତା’ ଲାଲଦୁପଟ୍ଟା ତାର ବ୍ଲାଉଜ ଯଦି ମୁଁ ଛଡ଼ାଇ ନ ଆଣିଛି ତେବେ କହିବୁ । ବାକି ନରେଶ ଫଡ଼୍‌ ଫଡ଼୍‌ ହେଉଛି । ଗୋଡ଼ାଏ ଚାପଡ଼ା ଦେବି ଯେ... ।’’ ମାନସ କୌଣସି ମନ୍ତବ୍ୟ ନ କରି ନିର୍ବାକ୍‌ରେ ସବୁ ଶୁଣି ଚାଲିଥାଏ ।

 

ମାନସର ନୀରବତା ଦେଖି ସୌମେନ୍ଦ୍ର କହିଲା—‘‘କ’ଣ ଭାବୁଛୁ.....ଭୟ କରୁଛୁ, ସେମାନେ କେସ୍‌ କରିବେ ? ପୋଲିସର ସାହାଯ୍ୟ ନେବେ ? ତୋତେ ନିର୍ଭର ପ୍ରତିଶ୍ରୁତି ଦେଉଛି... କିଛି ହେବନାହିଁ । ପୁଲିସବାଲାଙ୍କର ମଧ୍ୟ ପିଲା ଅଛନ୍ତି । ଯେଉଁଠାରେ ଲେକଚର୍‌ର ନାହାନ୍ତି, ଲାଇବ୍ରେରୀ ନାହିଁ, ବିଜ୍ଞାନାଗାର ଅଛି କିନ୍ତୁ ବିଜ୍ଞାନୋପକରଣ ନାହିଁ, ସେଠାରେ ଫେୟାର ଏକ୍‌ଜାମିନେସନ ପ୍ରଶ୍ନ ଉଠୁଛି କାହିଁକି ? ସବୁ କଲେଜରେ ଯଦି ଛାତ୍ରମାନେ କପି କରି ପାସ୍‌ କରିପାରିଲେ....ତେବେ ଆମେ ଏଠାରେ.... । ଯଦି ବିଶେଷ କିଛି ହୁଏ ତେବେ ବେହେରା ବାବୁ ଅଛନ୍ତି ।

 

‘‘ସେ କିଏ’’ ? ମାନସ ପ୍ରଶ୍ନ କଲା ।

 

ସେ କିଏ । ସୌମେନ୍ଦ୍ର ହସିଲା ଆଉ କହିଲା ‘‘ମାନସ ତୁ ସତରେ ଗୋଟାଏ ଇଣ୍ଟେଲେକ୍‌ଚୁଆଲଫୁଲ୍‌ । ତୁ ଜାଣିନାହୁଁ, ସେ ଆମର ଏମ୍‌.ଏଲ୍‌.ଏ. । ଏହି ଏମ୍‌.ଏଲ୍‌.ଏ.ମାନେ ହେଲେ ଏ ଯୁଗର ‘ହ୍ୱାଟ୍‌ ନଟ୍‌’ । ତୁ ଜାଣୁ ବେହେରାବାବୁଙ୍କ ସରକାରୀ କଳ ଉପରେ କି ଅଖଣ୍ଡ କ୍ଷମତା । ସେ ନିକଟରେ ମନ୍ତ୍ରୀ ହେବାର ଅଛି ।

 

‘‘ମାତ୍ର ବେହେରାବାବୁ ଆମକୁ ସମର୍ଥନ କରିବେ କାହିଁକି’’ ? ପୁଣି କିଏ ପ୍ରଶ୍ନ କଲା ।

 

ସୌମେନ୍ଦ୍ର ହସ୍ତ ଉତ୍ତୋଳନ କରି ବିଧା ଚାପଡ଼ର ସଂକେତ ଦେଖାଇ କହିଲା ‘‘କ’ଣ ଗୋପାଳି ଉଠିଗଲାଣି କି ? ଆମକୁ ସମର୍ଥନ ନ କଲେ ବିଚ୍‌ ରାସ୍ତା ଉପରେ କଛା ଫିଟାଇଦେବି । ଦୁଇ ଦୁଇଟା ନିର୍ବାଚନରେ ତାଙ୍କପାଇଁ ଯାହାସବୁ କଲୁ ସେସବୁ କ’ଣ ଏମିତି ମୋଫତ୍‌ ବାୟେଁ ବାୟେଁ ଉଡ଼ିଯିବ ?

 

ମାନସ ତାର ଆଉ ଅଧିକ ସମୟ ନଷ୍ଟ ନ କରିବା ନିମନ୍ତେ ସ୍ଥିର କରି କହିଲା ‘‘ସୌମେନ୍ଦ୍ର ତୁ ଯା’’ । ତୁମ କଥାରୁ ମୁଁ ବାହାରି ଯିବି ନାହିଁ । ଅନ୍ୟମାନଙ୍କୁ ବୁଝାଅ’’ ।

 

ସଦଳବଳେ ଛାତ୍ରନେତା ସୌମେନ୍ଦ୍ର ଆଗେଇଲା । ମାନସ ମୁଣ୍ଡରେ ହାତଦେଇ ମନେ ମନେ କହିଲା ଯେଉଁଠାରେ ‘ଜଙ୍ଗଲର ନିୟମ’ ଜୀବନ ନିୟନ୍ତ୍ରଣ କରେ ସେଠାରେ ଜନ୍‌ସାଇନ୍‌ସର ପ୍ରଶ୍ନ ଉଠୁଛି କେଉଁଠୁ ? ମାନସ ପୁଣି ବହିଖୋଲି ପଢ଼ିବାକୁ ଚେଷ୍ଟା କଲା । ରାତି ପାହିଲେ ପରୀକ୍ଷା-। ସାଧନା ଆବଶ୍ୟକ । ସାଧନା ବିନା କ’ଣ କିଛି ସମ୍ଭବ ?

 

ପରୀକ୍ଷା ଘଣ୍ଟା ବାଜି ଉଠିଲା । ମାନସ ସିଗାରେଟ୍‍ ଫିଙ୍ଗିଦେଇ ହଲ୍ ଭିତରେ ପ୍ରବେଶ କଲା । ହଲ୍‌ ଭିତରେ ବି କୋଳାହଳ । ପରିଚିତ ମୁହଁ ଯେତିକି ଅପରିଚିତ ମୁହଁ ସେତିକି । ମାନସ ତାର ସ୍ଥାନ ଖୋଜିବାକୁ ଲାଗିଲା । ପଛରୁ କେହିଜଣେ ପାଟି କଲା ‘‘ମାନସ, ଯେଉଁଠାରେ ଇଚ୍ଛା ବସ’’ । ସିଟ୍‌ ନମ୍ବର ସବୁ କେହି ଉଠାଇ ନେଇଛି । ଯାହାକୁ ଯେପରି ସୁବିଧା ସେ ସେପରି ସ୍ଥାନ ଅଧିକାର କରି ନେଇଛନ୍ତି । ଯେଉଁମାନଙ୍କର ବର୍ଷସାରା ବହି ସଙ୍ଗେ ସାକ୍ଷାତ ନାହିଁ ସେମାନେ ଝରକା କିମ୍ବା କବାଟ ନିକଟରେ ସ୍ଥାନ ବାଛି ନେଇଛନ୍ତି । ଯେପରି ବାହାରୁ ସାହାଯ୍ୟ ସହଜରେ ମିଳିପାରିବ । ତେଣୁ ମାନସ ବାଧ୍ୟହେଲା କୌଣସି ଏକ ଖାଲିଥିବା ସିଟ୍‌ରେ ବସିବାକୁ ।

 

ମାନସ ଉତ୍ତର ଲେଖିବା ଆରମ୍ଭ କଲା । ତା ପାଇଁ ଭଲ ପ୍ରଶ୍ନ ଆସିଛି । ସେଥିପାଇଁ ତା ମନରେ ଆତ୍ମସନ୍ତୋଷ । ମାତ୍ର ଅନେକ ଆଶଙ୍କା । ନିର୍ବିଘ୍ନରେ ପରୀକ୍ଷା ଶେଷ ହେବ ତ ।

 

ସର୍ବେଶ୍ୱର ଠାରରେ ଆପଣାର ବନ୍ଧୁକୁ ଜଣାଇଦେଲା ପ୍ରଶ୍ନପତ୍ର ବାହାରକୁ ଚାଲିଗଲାଣି-। ଘଣ୍ଟାକ ମଧ୍ୟରେ ଉତ୍ତର ଆସିଯିବ । ପାଖରେ ଯାହାଅଛି ସେଥିରୁ କିଛି ବାଛି ଲେଖିବା ନିମନ୍ତେ ସଂକେତ ଦେଲା । ସମସ୍ତ ବାରଣସତ୍ତ୍ୱେ ଯେଉଁମାନେ ବହି ନେଇଥିଲେ ସେମାନେ ପୃଷ୍ଠାପରେ ପୃଷ୍ଠା ଲେଉଟାଇବାକୁ ଆରମ୍ଭ କଲେ ।

 

ଇନ୍‌ଭିଜିଲେଟର୍‌ ହଲ୍‌ ମଧ୍ୟରେ ପଦଚାରଣ କରି ଚାଲିଥାନ୍ତି । ମଝିରେ ମଝିରେ ଯାହା କେବଳ କହୁଥାନ୍ତି ‘‘ଦୟାକରି ପାଟି ବନ୍ଦକର, ବହି ରଖିଦିଅ । ନୋ କପି” । ଇନ୍‌ଭିଜିଲେଟର୍‌ ଶୈଳେନ୍ଦ୍ର ବାବୁ ସବୁ ଜାଣି ନ ଜାଣିଲା ଭଳି ହଲ୍‌ ମଧ୍ୟରେ ପଦାଚାରଣ କରୁଥାନ୍ତି । ସେ କାହିଁକି ପାଟି ଫିଟାଇବେ ? ଜାଣି ଜାଣି ବିପଦ ବରଣ କରିବେ ? ସେ’ତ ଆଡ଼ହକ୍‌ରେ ଅଛନ୍ତି । ଛ’ମାସ ପରେ ସେ ହୁଏତ ମୋଟେ କଲେଜରେ ନଥାଇ ପାରନ୍ତି । କପି ଧରି ଭୟାବହ ପରିଣତି ସୃଷ୍ଟି କରିବେ କାହିଁକି ? ଜୀବନ ଶଙ୍କାକୁଳ ହୋଇପାରେ । ହାଡ଼ କି ଗୋଡ଼ ହରାଇ ପାରନ୍ତି । ଚକ୍ଷୁ ନଷ୍ଟ ହୋଇପାରେ । ତେଣୁ ଯାହାହେଲେ ବି ସେ କିଛି କହିବେ ନାହିଁ । ଏ ଜାତି ଯେଉଁଆଡ଼େ ଇଚ୍ଛା ସେଇଆଡ଼େ ଯାଉ । ନିର୍ବାଚନ ବିଜୟ ଏବଂ ମନ୍ତ୍ରୀତ୍ୱ ଲାଭ ଯେଉଁଠାରେ ବ୍ୟକ୍ତିଗତ ସାଫଲ୍ୟର ପରିମାପକ; ସମାଜର ଯେଉଁଠାରେ କେବଳ ଦୁର୍ନୀତି କଳାବଜାରର ଗୌରବଗାନ, ସେଠାରେ ଯୁବସମାଜକୁ ଉପଦେଶ ଦେବା ନିରର୍ଥକ । ଶିକ୍ଷା ବିଭାଗରେ ହା ହୋଲା କମ୍‌, ମାରପେଞ୍ଚ କମ୍‌ ସେଥିପାଇଁ ତାଙ୍କର ସହପାଠୀ ବିଜନବାବୁ ଶେଷରେ ବାଛି ନେଇଥିଲେ ଅଧ୍ୟାପକ ଜୀବନ । କିନ୍ତୁ ହେଲା କ’ଣ । ପରୀକ୍ଷାହଲରେ ବୋମାମାଡ଼ ହେତୁ ତାଙ୍କୁ ଏକ ଚକ୍ଷୁ ହରାଇବାକୁ ପଡ଼ିଲା । ସତରେ କି ଭୟଙ୍କର କଥା ।

 

‘ସାର୍‌ ଟିକିଏ ପଦାକୁ ଯିବି ?’ କେହି ଜଣେ ଛାତ୍ର ତାଙ୍କୁ ଡାକି ସଚେତ କରାଇ ଦେଲା, ଯେ ସେ ଇନ୍‌ଭିଜିଲେସନ୍‌ କରୁଛନ୍ତି ।

 

ଶୈଳେନ୍ଦ୍ର ବାବୁଙ୍କ ଦେହରେ କିଛି ଗୋଟାଏ ଆଘାତ ବାଜିବାର ସେ ଅନୁଭବ କଲେ । ପଛକୁ ଦୃଷ୍ଟି ଫେରାଇ ଦେଖିଲେ କାଗଜର ଏକ ଛୋଟ ପେଣ୍ଡୁ । ସେହି କାଗଜ ପିଣ୍ଡୁଳାକୁ ଫିଟାଇ ସେ ଦେଖିଲେ କପି ସୋସାଇଟିର ସଭ୍ୟ ବନ୍ଧୁମାନଙ୍କ ନିମନ୍ତେ ସେଥିରେ ରିଲିଫ୍‌ ଆସିଛି ।

 

କେହିଜଣେ ଛାତ୍ର ଅନୁନୟ କଣ୍ଠରେ କହିଲା ‘‘ସାର୍‌ ଦେଇ ଦିଅନ୍ତୁ ମରିଯିବୁ । କୋଶ୍ଚିନ୍‌ କୋର୍ସ ବାହାରୁ ଆସିଛି ସାର୍‌;...

 

ଶୈଳେନ୍ଦ୍ର ବାବୁ କେଉଁ ଛାତ୍ରର ଏ ନିବେଦନ ଜାଣିବାପାଇଁ ଉଦ୍ୟମ ନ କରି କେବଳ ଚୁମ୍ବକରେ କହିଲେ ‘‘ଯାହା ମନକୁ ଆସୁଛି ଲେଖ’’ ।

 

ଶୈଳେନ୍ଦ୍ର ବାବୁ ନୟନକୁ ଲକ୍ଷ୍ୟକରି କହିଲେ ଯାହାକଲେ ବି ତୁମେ ପାରିବନି । ପାଠ ପଢ଼ିଥିଲେ ସିନା ଉତ୍ତର ଖୋଜି ପାଆନ୍ତ । ସମସ୍ତେ ହସି ଉଠିଲେ । ନୟନ କହିଲା...‘‘ନା ସାର୍‌ ଆମ୍ଭର ଯାହାସବୁ ପଢ଼ା ହୋଇନାହିଁ ସେହିଥିରୁ ହିଁ କେବଳ ଅଧିକାଂଶ ପ୍ରଶ୍ନ ଆସିଛି । ନୋହିଲେ ମୁଁ କ’ଣ ନୂଆ ପରୀକ୍ଷା ଦେଉଛି । ଏଥରକୁ ମିଶାଇ ହେଲା ପାଞ୍ଚଥର ।

 

ପୁଣି ସମସ୍ତେ ହସି ଉଠିଲେ ।

 

ମାନସ ଆଉ ସମ୍ଭାଳି ପାରିଲା ନାହିଁ । ତା ନିକଟବର୍ତ୍ତୀ ଝରକା ପାଖରୁ କେହିଜଣେ ବଡ଼ ପାଟିରେ ଉତ୍ତର ଡାକୁଥାଏ । ସେ ବାଧ୍ୟହୋଇ ଠିଆହେଲା ଏବଂ ଅନ୍ୟତ୍ର ଆସି ବସି ଲେଖିବା ନିମନ୍ତେ ଇନ୍‌ଭିଜିଲେଟର୍‌ଙ୍କ ଦୃଷ୍ଟି ଆକର୍ଷଣ କଲା । ତାର ଶୋଚନା ଯେ ସେ ଯାହା ଲେଖିବାକୁ ଚାହୁଁଛି ଏହି ଗୋଳମାଳରେ ଲେଖି ପାରୁନାହିଁ । ‘ହାଟ ବଜାର’ରେ ଆଗେଇବା ପାଇଁ ଯେଉଁ ଅନ୍ଧାରୀ—ପରୀକ୍ଷା ସେଥିରେ ମାନସ ବା କିପରି ଯୋଗ୍ୟତା ଦେଖାଇ ପାରନ୍ତା ।

 

ଇନ୍‌ଭିଜିଲେଟର୍‌ମାନେ ପ୍ରଶ୍ନ ଦେଇଯାଇ ବାରଣ୍ଡାରେ ବହି ସୁଖାଳାପରେ ରତ । ସେମାନଙ୍କ ଭିତରୁ କିଏ କହୁଛି କପି କିପରି ହୁଏ ସେ ଜାଣି ନଥିଲେ । ତାଙ୍କ ସମୟରେ ଏପରି କଥା ଚିନ୍ତା କରିବା ଛାତ୍ର ପକ୍ଷରେ ସମମ୍ଭପର ନଥିଲା । ତାଙ୍କୁ ବ୍ୟଙ୍ଗକରି ନିମେଁଇବାବୁ କହୁଥିଲେ ଆପଣଙ୍କ ସମୟରେ ଡାଲଡ଼ା ଥିଲା ? କେହି ଚନ୍ଦ୍ରକୁ ଯାଇଥିଲେ ? ନିରୋଧ କ’ଣ ଜାଣିଥିଲେ ? ସେହିପରି ପରୀକ୍ଷା ସମୁଦ୍ର ପାରିହେବା ନିମନ୍ତେ ଏ ହେଲା ନୂଆ ପଦ୍ଧତି । ସବୁ ଦେଖିବାକୁ ହେବ ।

 

କେତେକ ରୁମ୍‌ରେ ଅଧ୍ୟାପକମାନେ ପ୍ରଶ୍ନ କାଗଜ ନ ବାଣ୍ଟି ଛାତ୍ରମାନେ ନିଜେ ପ୍ରଶ୍ନ କାଗଜ ଉଠାଇ ନେବାକୁ କହିଲେଣି । ମାଡ଼ ଭୟ କାହାର ବା ନାହିଁ ?

 

ମାନସ ଠିଆ ହୋଇ କହିଲା ‘‘ସାର୍‌ ପେପର’’ । କାଗଜ ବଢ଼ାଇ ଦେଉ ଦେଉ ଅଧ୍ୟାପକ ପ୍ରଶ୍ନ କଲେ ‘‘କଣ ମାନସ କିପରି ହୋଇଛି । ଫାଷ୍ଟ ହେବ ତ ।’’

 

‘‘ସାର୍ ସବୁ ତ ଦେଖୁଛନ୍ତି । କ’ଣ କହିବି । ତେବେ ‘କି’ ବହିରେ ଯାହା ଲେଖାଯାଇଛି ତା ଠାରୁ ମୋ ଉତ୍ତର ଯେ ସଂପୂର୍ଣ୍ଣ ଭିନ୍ନ, ଏତିକି ଯଦି ପରୀକ୍ଷକ ଧରି ପାରିବେ; ତେବେ ମୋର ଚାନ୍‌ସ ଅଛି ।’’

 

‘ଅନଫରଚୁନେଟ୍‌’ କହି ଅଧ୍ୟାପକ ଚାଲିଗଲେ । ମାନସ ପୁଣି ଲେଖି ଚାଲିଲା । ପରୀକ୍ଷା ହଲ କିଛି ସମୟ ପାଇଁ ଶାନ୍ତ ନୀରବ । ପରୀକ୍ଷା ହଲ ବାରଣ୍ଡାରେ ଧାଁ ଧପଡ଼ ନାହିଁ । ଶେଷ ଆଡ଼କୁ ପରୀକ୍ଷାର ଧର୍ମ ହୋଇ ଯାଇଛି, ‘ଡୁ ଆଜ୍‌ ୟୁ ପ୍ଳିଜ୍‌ ’

 

ପରୀକ୍ଷା ଶେଷ ହେବାପରେ ବର୍ଷର ଗୋଟାଏ ମହାନ୍‌ ପର୍ବର ପରିସମାପ୍ତି ହେବ । ଶିକ୍ଷକମାନେ ରକ୍ଷା ପାଇବେ । ଅଭିଭାବକଙ୍କ ମୁଣ୍ଡରୁ ବୋଝ ଓହ୍ଲାଇ ପଡ଼ିବ । ପୋଲିସ୍‌ ନିଶ୍ଚିନ୍ତ ହେବେ । ଛାତ୍ର ଜୀବନର ଶେଷ ପରେ ଏକ ବାସ୍ତବ ଜୀବନରେ ପଦାର୍ପଣ କରିବେ, ଏହି ବିଦ୍ୟାର୍ଥୀମାନେ । ଏମାନେ ହେବେ ଜାତିର ଆଲୋକ ଶିକ୍ଷା ।

 

ପରୀକ୍ଷାର ଶେଷ ଘଣ୍ଟା ବାଜିଲା । ମାନସ ଉତ୍ତର ଖାତା ସବ୍‌ମିଟ୍‌ କରି ବାହାରକୁ ଆସି ଦେଖିଲା କଲେଜ ଗେଟ୍‌ ସମ୍ମୁଖରେ ଶାନ୍ତିରକ୍ଷାକାରୀ ପୋଲିସ୍‌ । ମାନସର ମାନସ ରାଜ୍ୟରେ ଆଲୋଡ଼ନ । ଶିକ୍ଷାନୁଷ୍ଠାନରେ ଆଉ ଶିକ୍ଷକ ରହିବେ କାହିଁକି ?

 

ପ୍ରିନ୍‌ସପାଲ ପଛରୁ ଡାକିଲେ ‘‘ମାନସ ପରୀକ୍ଷା ସରିଲା ?’’

 

‘‘ସାର୍‌ ।’’

 

‘‘କ’ଣ ଦେଖୁଛ ?’’

 

କିଛି ନାଇଁ । ମାନସର ସଂଭ୍ରମ ଉତ୍ତର ।

 

କିଛି ଦେଖୁପାରୁ ନାହିଁ ? ନଟ୍‌ ଦିସ୍‌ ହ୍ୱାଇଟ୍‌ ଟେଣ୍ଟ୍‌ ?

 

‘‘ହଁ ଦେଖୁଛି ସାର୍‌ ।’’

 

ହଁ ସେଇକଥା କହୁଛି । ‘ଆଇ ହେଟ୍‌ ଦିସ୍‌ । ଦିସ୍ ଇଜ୍ ଏ ଡିସ୍‌ଗ୍ରେସ୍‌ ଟୁ ଅଲ୍‌ ଅଫ୍‌ ୟୁ ।’

 

ନୀରବ ରହିଲା ମାନସ । ଆଦର୍ଶବାଦୀ ଅଧ୍ୟକ୍ଷ ଡଃ ରାୟଗୁରୁ କଲେଜ ଆଡ଼କୁ ଆଗେଇଲେ ।

 

ମାନସ ହଷ୍ଟେଲରେ ପହଞ୍ଚି ଯାହା ଦେଖିଲା ସେଥିରେ ଆଶ୍ଚର୍ଯ୍ୟ ହେଲାନାହିଁ । ସମସ୍ତେ ଉତ୍ତର ଲେଖି ଚାଲିଛନ୍ତି । ମାତ୍ର ସେ ମନେ ମନେ କାହିଁକି କେଜାଣି ଧରିନେଲା ଅଧ୍ୟକ୍ଷ ରାୟଗୁରୁ ଆଜି ଏସବୁ ସହିବେ ନାହିଁ । ସେ ଜାଣନ୍ତି କେଉଁଠାରେ କାହାକୁ କିପରି ଅଟକେଇବାକୁ ହେବ ।

 

ଅଧ୍ୟାପକମାନେ ଆସି ରିପୋର୍ଟ କଲେ...ସାର୍‌ ପିଲାମାନେ ଏ ପର୍ଯ୍ୟନ୍ତ ଆନ୍‌ସର ପେପର ଫେରାଇଲେ ନାହିଁ ।

 

ଠିକ୍‌ ଅଛି । ଯେଉଁମାନେ ପେପର ଫେରାଇଛନ୍ତି ତାହା ସବ୍‌ମିଟ୍‌ କରି ଦେଇଯାନ୍ତୁ । ମୁଁ ଅନ୍ୟକଥା ବୁଝିବି । ଅଧ୍ୟକ୍ଷ ମହାଶୟ ଦୃପ୍ତ କଣ୍ଠରେ ଆଶ୍ୱାସନା ଦେଲେ ।

 

ଅଫିସ ଘଣ୍ଟାରେ ଛ’ ବାଜିଲା । ଆଲୁଅ ଜଳି ଉଠିଲା । ପରୀକ୍ଷାର୍ଥୀମାନେ ତାଙ୍କର ପରୀକ୍ଷା ଖାତା ଫେରାଇବାକୁ ଆସି ଜମା ହେଲେ । ଅଧ୍ୟକ୍ଷଙ୍କୁ ପେପର ରଖିବାପାଇଁ ଦାବୀ କଲେ-

 

ଚଷମା କାଚ ସଫାକରି ରାୟଗୁରୁ ବାବୁ ଛାତ୍ରମାନଙ୍କୁ ଚାହିଁ ପ୍ରଶ୍ନ କଲେ, କି ପେପର ?

 

‘‘ପରୀକ୍ଷା ଖାତା ସାର୍‌ ।’’ ଫାଷ୍ଟ୍‌ ପେପର୍‌ ।

 

‘‘ଖାତା ଫେରାଇବା ସମୟ ଓଭର ହୋଇଯାଇଛି ।’’

 

‘‘ସାର୍‌ ତେବେ ଆମ ଖାତା ରଖିବେ ନାହିଁ । ଆମ୍ଭେ ସମସ୍ତେ ଫେଲ୍‌ ହେବୁ । ଏହି ବର୍ଷର ପରିଶ୍ରମ ବ୍ୟର୍ଥ ହୋଇଯିବ ।’’

 

‘‘ମୁଁ ନିୟମ ବହିର୍ଭୂତ କୌଣସି କାମ କରି ପାରିବି ନାହିଁ । ଦୀର୍ଘଦିନ ଶିକ୍ଷକ ଜୀବନରେ କେବେ ମୁ୍ଁ ବିଶୃଙ୍ଖଳାକୁ ପ୍ରଶ୍ରୟ ଦେଇନାହିଁ, ଦେଇ ପାରିବି ନାହିଁ ।’’

 

ପଛରୁ ବହୁ ଅଶ୍ଳୀଳ ବ୍ୟଙ୍ଗୋକ୍ତି ଶୁଣା ଯାଉଥାଏ । ଛାତ୍ରନେତା ଉତ୍‌କ୍ଷିପ୍ତ ହୋଇ ପ୍ରଶ୍ନ କଲେ, ‘‘ଶେଷଥର ପାଇଁ ପଚାରୁଛି ପେପର ରଖିବ କି ନାହିଁ ?’’

 

‘‘ଥରେ ନାହିଁ କଲି । ତୁମ୍ଭେମାନେ ସବୁ ଏଠାରୁ ଚାଲିଯାଅ ।’’

 

‘‘ଚାଲିଯିବୁ ।’’ ଶଳା କ’ଣ ଭାବିଲାଣି କହି ଜଣେ ହଠାତ୍‌ ତାଙ୍କ ଚଷମା ଉଠାଇ ଆଣି ଫିଙ୍ଗିଦେଲା । ଆଉ ଜଣେ କେହି ତାଙ୍କର କଲର୍‌ ଭିଡ଼ିଦେବା ଫଳରେ ସେ ତଳେ ପଡ଼ିଗଲେ । ପଛରୁ ଶୁଭିଲା ‘ବଜା ଶଳାକୁ ବଜା ।’ ଡିସିପ୍ଳିନ୍‌ ଦେଖାଉଛି । ଆମକୁ ସିଏ ଚିହ୍ନିନାହିଁ ।’

 

ଛାତ୍ର ଭିଡ଼ ଭେଦ କରି ଅନ୍ୟାନ୍ୟ ଅଧ୍ୟାପକମାନେ ଯାଇ ରାୟଗୁରୁ ବାବୁଙ୍କୁ ତଳୁ ଉଠାଇଲେ । ସେ ଉଠି ପୁଣି ଚୌକିରେ ବସି ଗମ୍ଭୀର ଭାବେ କହିଲେ ‘ବନ୍ଧୁମାନେ, ମୁଣ୍ଡରେ ମୋର ଆଘାତ ଦେଖି ବିବ୍ରତ ହୋଇପଡ଼ ନାହିଁ । ସେମାନେ ମୋତେ ମାଡ଼ ଦେଇଛନ୍ତି, ମୋର ଚଷମା ନଷ୍ଟ କରି ଦେଇଛନ୍ତି, ମୁଁ ଯଥାର୍ଥରେ ଆଜି ଅନ୍ଧ, ସେମାନଙ୍କୁ ଛାଡ଼ିଦିଅ । ତାଙ୍କ ମନ ଖୁସି ହେବା ପର୍ଯ୍ୟନ୍ତ ମୋତେ ମାଡ଼ ମାରନ୍ତୁ । ଦୀର୍ଘଦିନ ଧରି ଶିକ୍ଷକରୂପେ ମୁଁ ଏ ଜାତିର ସେବା କରି ଆସିଛି । ଏହାହିଁ ମୋର ପ୍ରାପ୍ୟ । ତେବେ ଗୋଟିଏ କଥା ମନେ ରଖନ୍ତୁ....ମୁଁ ବିଶୃଙ୍ଖଳାକୁ ଉତ୍ସାହିତ କରି ପାରିବି ନାହିଁ । ଏମ୍‌. ଏଲ୍‌. ଏ. ପରେ ମନ୍ତ୍ରୀ, ମନ୍ତ୍ରୀ ପରେ ରାଜ୍ୟପାଳ ହେବାର ଲୋଭ ମୋର ନାହିଁ । ଏପରି ଜନ-ସମର୍ଥନ ଶସ୍ତା ଲୋକପ୍ରିୟତା ମୋର ଲୋଡ଼ା ନାହିଁ । ମୁଁ ଆଦର୍ଶ ଶିକ୍ଷକରୂପେ ଏ ଜାତିକୁ ଶୃଙ୍ଖଳିତ ଶିକ୍ଷିତ କରିବାକୁ ଶପଥ ନେଇଛି । ତାହାହିଁ ଶେଷ ପର୍ଯ୍ୟନ୍ତ କରିଯିବି ।

 

ମୋର ଦାୟିତ୍ୱ ମୁଁ ସମାପନ କରିଛି । ଗୋଟିଏ ବୋଲି ପୁଅ ତାକୁ ମଣିଷ କରି ସାରିଛି-। ଏ ପରିଣତ ବୟସରେ ମୋର ଆଉ କିଛି ଆବଶ୍ୟକ ନାହିଁ । ଅବସର ନେବା ପରେ ମୁଁ ଏଇ ଘରୋଇ କଲେଜକୁ ଅଧ୍ୟକ୍ଷ ହୋଇ ଆସି ନ ଥିଲି ପଇସା ପାଇଁ । ଆସିଥିଲି ଏହି ବୟସରେ ଯେତିକି ପାରେ ଏହି ଯୁବକମାନଙ୍କ ଭିତରେ ଜ୍ଞାନ ବିତରଣ କରିଦେବା ପାଇଁ । ମାତ୍ର ଦୁର୍ଭାଗ୍ୟ ମୋର । ଦୁର୍ଭାଗ୍ୟ ଏ ଦେଶର ।’’

 

ରାୟଗୁରୁ ବାବୁଙ୍କୁ ଅଫିସରେ ସହକର୍ମୀବୃନ୍ଦ ଘେରି ଠିଆ ହୋଇଥାନ୍ତି । ସମସ୍ତେ ମୂକ । କକ୍ଷ ମଧ୍ୟରେ ଝଡ଼ ଅବସାନ ପରେ ଶାନ୍ତ ପରିବେଶ । କିଛି ସମୟ ପରେ ନରହରି ବାବୁ ନାରାୟଣ ବାବୁଙ୍କୁ ହଲାଇ କହିଲେ, ‘‘ବସିଛ କ’ଣ । ପୋଲିସ୍‌ ଷ୍ଟେସନକୁ ଫୋନ କର ।’’

 

‘‘ପୋଲିସ୍‌ ଷ୍ଟେସନକୁ ଫୋନ୍‌ କରିବାର ଆବଶ୍ୟକତା ନାହିଁ । ମୁଁ ମାମଲା କରିବାକୁ ଏଠାକୁ ଆସି ନ ଥିଲି । ଷ୍ଟେନୋ ବାବୁଙ୍କୁ କୁହ ଖାତା ପେନ୍‌ସିଲ୍ ଧରି ଆସିବେ ।’’

 

ସମସ୍ତେ ସ୍ତମ୍ଭୀଭୂତ ହେଲେ । ଅଜବ ମଣିଷ ରାୟଗୁରୁ ବାବୁ କି ଡିକ୍‌ଟେସନ ଦେବେ ଶୁଣିବା ପାଇଁ ସମସ୍ତେ ବ୍ୟଗ୍ର ହୋଇ ଉଠିଲେ । ରାୟଗୁରୁ ବାବୁ ପୂର୍ବପରି ସ୍ପଷ୍ଟ ଉଚ୍ଚାରଣ କରି ଡିକ୍‌ଟେସନ ଦେଇ କହିଲେ ସଙ୍ଗେ ସଙ୍ଗେ ଟାଇପ୍‌ କରି ଆଣ । ମୁଁ ଅଫିସ ଛାଡ଼ିବା ପୂର୍ବରୁ ଏ ସବୁ କାମ ଶେଷ କରି ଦେଇ ଚାଲିଯିବି । କେଇଟି ମୁହୂର୍ତ୍ତ ମଧ୍ୟରେ ଘଟଣାଟି ଚାରିଆଡ଼େ ପ୍ରଚାରିତ ହୋଇଗଲା । ସମସ୍ତେ ଦୁଃଖିତ ହେଲେ ।

 

ଗୁରୁଗମ୍ଭୀର ଭାବେ ରାୟଗୁରୁ ବାବୁ ଠିଆ ହୋଇ ବନ୍ଧୁ ସହକର୍ମୀ ଷ୍ଟାଫ୍‌ ମେମ୍ବରମାନଙ୍କ ଉଦ୍ଦେଶ୍ୟରେ ଯୋଡ଼ ହସ୍ତରେ ନମସ୍କାର ଜଣାଇ କହିଲେ ‘‘କଲେଜରେ ଏ ମୋର ଶେଷ ଦିନ । ସମୂହ ସ୍ୱାର୍ଥ ପାଇଁ ମୁଁ କାହା ପ୍ରତି ହୁଏତ କେତେବେଳେ ରୁକ୍ଷ ହୋଇଥିବି, ଏଥିପାଇଁ ମୋତେ ଯେପରି କେହି ଭୁଲ ନ ବୁଝନ୍ତି ।’’

 

କକ୍ଷ ମଧ୍ୟରୁ ବାହାରି ଆସି ପ୍ରଥମେ ଯେଉଁ କେତେଜଣ ବାରଣ୍ଡାରେ ଦଣ୍ଡାୟମାନ ଥିଲେ ସେମାନଙ୍କ ମଧ୍ୟରୁ ଡଃ ରାୟଗୁରୁଙ୍କ ଦୃଷ୍ଟି ଆକର୍ଷଣ କଲା ମାନସ । ସେ ମାନସ ଉଦ୍ଦେଶ୍ୟରେ ପ୍ରଶ୍ନ କଲେ, ‘‘ହାଭ୍‌ ୟୁ ସବ୍‌ମିଟେଡ୍ ୟୋର ଆନସାର୍‌ ପେପର ଇନ୍‌ ରାଇଟ୍‌ ଟାଇମ୍‌ ?’’

 

‘ଇଏସ୍‌ ସାର୍‌’ । ନମ୍ରକଣ୍ଠରେ ଉତ୍ତର ଦେଲା ମାନସ । ‘‘ଦାଟସ୍‌ ଲାଇକ୍‌ ଏ ଗୁଡ଼୍‌ ବଏ’’ କହି ସେ ହାତ ରଖିଲେ ମାନସର କାନ୍ଧ ଉପରେ । ‘‘ମାନସ ମୁଁ ଯେଉଁ ଦିନ ପ୍ରଥମେ ଏ କଲେଜକୁ ଆସିଥିଲି ତୁମେ ଅନ୍ୟମାନଙ୍କ ସାଙ୍ଗରେ ମୋତେ ପାଛୋଟି ଆଣିବାକୁ ଯାଇଥିଲ । ଆଜି ମୁଁ କଲେଜ ଛାଡ଼ୁଛି । ଚାଲ ମୋତେ ପୋର୍ଟିକୋ ପର୍ଯ୍ୟନ୍ତ ବଳେଇ ଦେଇ ଆସିବ । ଆସ୍ତେ, ଧୀରେ ଚାଲ । ମୁଁ ତୁମକୁ ଧରି ଏ ପାହାଚ ଓହ୍ଲାଇବି । ମୋ ଚଷମା ତୁମ ବନ୍ଧୁମାନେ ଭାଙ୍ଗି ଦେଇଛନ୍ତି, ମୁଁ ଅନ୍ଧ ହୋଇଯାଇଛି ।’’

 

ରାୟଗୁରୁ ବାବୁ ଗାଡ଼ିରେ ବସିଲେ । ପାଖରେ ବସିଲେ କଲେଜ ୟୁନିୟନ ଆଡ୍‍ଭାଇଜର ମହାନ୍ତି ବାବୁ । ତାଙ୍କ ପାଖକୁ ହେଡ୍‍କ୍ଲର୍କ । ଅନ୍ୟମାନେ ସମସ୍ତେ ଅଶ୍ରୁଳ ନୟନରେ ଚାହିଁ ରହିଲେ । ଗାଡ଼ି ଷ୍ଟାଟ ଦେଲା ରାୟଗୁରୁ ବାବୁ ଯୋଡ଼ ହସ୍ତରେ ସମସ୍ତଙ୍କ ଠାରୁ ବିଦାୟ ନେଲେ । କଲେଜ ହତା ଛାଡ଼ିବା ପୂର୍ବରୁ କଲେଜ କୋଠାକୁ ଚାହିଁ ରାୟଗୁରୁ ବାବୁ ହେଡ୍ କ୍ଳର୍କଙ୍କୁ କହିଲେ ‘‘ବ୍ରଜବାବୁ । ଏହି ବର୍ଷ କେବଳ ଇଷ୍ଟ ବ୍ଳକ ହ୍ୱାଇଟ୍‌ ଓ୍ୟାସ୍‌ ହୋଇ ପାରିଲା ନାହିଁ ।

񤦬񤦬񤦬

 

ଛକ : ପାପ ଓ ପୁଣ୍ୟର

 

‘ବ୍ଳୁବାର୍ଡ଼’ ରେସ୍ତୋରାଂରେ କାବେରା ଡାନ୍‌ସ ଚାଲିଛି । ତେଣୁ ଅନ୍ୟଦିନ ତୁଳନାରେ ଆଜି ଏଠାରେ ସାମାନ୍ୟ ଭିଡ଼ । ପ୍ରତିଦିନ ଏ ରେସ୍ତେରାଂରେ କିଛି ନା କିଛି ଆମୋଦ ପ୍ରମୋଦର ବ୍ୟବସ୍ଥା ରହିଥାଏ । ଏ ବ୍ଳୁବାର୍ଡ଼ ସୁରା ଆଉ ସାକୀ ପାଇଁ ପ୍ରସିଦ୍ଧ । ଏଠାରେ ରହିବା ପାଇଁ ନିର୍ଦ୍ଦିଷ୍ଟ ଟେଷ୍ଟ ଓ ଆଭିଜାତ୍ୟର ପ୍ରୟୋଜନ । କମନ୍‌ମ୍ୟାନର ସ୍ଥାନ ଏଠାରେ ନାହିଁ । ବ୍ଳୁବାର୍ଡ଼ ହେଲା ଆରିଷ୍ଟ୍ରୋକ୍ରାଟମାନଙ୍କ ପାଇଁ । ମୋତେ ଏ ଡାନ୍‌ସ ପସନ୍ଦ ହେଲା ନାହିଁ । ମୁଁ ହଲ୍‌ ବାହାରେ ଠିଆହୋଇ ମ୍ୟୁଜିକ ଓ ଅତ୍ୟଧିକ ପାନ କରିଥିବା ବ୍ୟକ୍ତିମାନଙ୍କ ଗତିବିଧିକୁ ଉପଭୋଗ କରୁଥିଲି । ସ୍ୱର୍ଗକୁ କିମ୍ବା ନର୍କକୁ ଯିବା ପାଇଁ ବ୍ଳୁବାର୍ଡ଼ ପାଥେୟ ଯୋଗାଇ ଦିଏ ମୁଁ ଠିକ୍‌ କରି ପାରୁ ନ ଥିଲି ।

 

ଲିଫ୍‌ଟରେ ନ ଉଠି ଟପ୍‌ ଫ୍ଲୋରଙ୍କୁ ମୁଁ ଷ୍ଟେୟାର କେଶ୍‌ରେ ଉଠି ଉଠି ମୋ ରୁମ୍‌କୁ ଯାଉଛି, ହଠାତ୍‌ ଥାର୍ଡ଼ ଫ୍ଳୋଲ୍‌ର ଶେଷ ରୁମ୍‌ର କଲିଂବେଲ ବାଜି ଉଠିଲା । ପ୍ରତୀକ୍ଷମାଣ ବଏ’ କୋଠରୀ ମଧ୍ୟରେ ପ୍ରବେଶ କରି କିଛି ଗୋଟାଏ ଅର୍ଡର ଧରି ବାହାରି ଆସୁଥିଲା । ପରିଚିତ କଣ୍ଠପରି ମନେହେଲା । ମୁଁ ବ’ଏକୁ ପ୍ରଶ୍ନ କଲି—ଏ ଘରେ କିଏ ?

 

‘ମେମ୍‌ ସାହେବ ?’’

 

‘‘ ଆଉ କିଏ? ସାହେବ ?’’

 

‘‘ନା ସାହେବ ନାହାନ୍ତି । ସେ ହୁଏତ ଆଜି ଆସିବେ । ତାଙ୍କ ଫେରିବାର ନିର୍ଦ୍ଦିଷ୍ଟ ସମୟ ନ ଥାଏ । ମେମ୍‌ ସାହେବ ଭାରି ଭଲଲୋକ । ଅନେକ ଟିପ୍‌ସ ଦିଅନ୍ତି । ବିନା ହସରେ କଥା କହନ୍ତି ନାହିଁ । ମନରେ ଅଚାନକ କୌତୁହଳ ସୃଷ୍ଟି ହେଲା । ମୁଁ କଲିଂବେଲ୍‌ ପ୍ରେସ୍‌ କଲି । ‘‘କମ୍‌ଇନ୍‌ ପ୍ଳିଜ୍‌’’ ନାରୀ କଣ୍ଠରେ ସ୍ୱାଗତ ସମ୍ଭାଷଣ । କୋଠରୀ ମଧ୍ୟରେ ପ୍ରବେଶ କରି ମୁଁ ନିଜକୁ ବିଶ୍ୱାସ କରି ପାରିଲି ନାହିଁ ମୁଁ ଦେଖୁଛି କ’ଣ? ଚିତ୍ରଲେଖା ପୁଣି ବ୍ଳୁ ବାର୍ଡ଼ ରେସ୍ତୋରାଂରେ, ଷ୍ଠ୍ରେଂଜ୍‌ ।

 

‘‘ତୁମେ ଏଠି ?’’

 

‘‘ବିସ୍ମିତ ହେବାର କିଛି ନାହିଁ, ମୁଁ ପୁଣି ଏ ରେସ୍ତେରାଂରେ ।’’ ମୁଁ ଆଉ ଥରେ ଚାହିଁଲି ଚିତ୍ରଲେଖାଙ୍କୁ । ରିଅଲି ଲଭଲି । ମେକ୍‌ଅପ ବେଶ୍‌ ଚମତ୍‌କାର । ଶୀତ ସକାଳର ଶିଶିରବୋଳା ଅନେକ ଗଙ୍ଗଶିଉଳିରେ ଏକ ମଣିଷ । ଓଠରେ ସେହି ମଧୁବୋଳା ହସ । ଚାହାଣିରେ ସେହି ପରିଚିତ ଅସୁମାରି ଆକାଙ୍‌କ୍ଷାର ସୀମାହରା ଦିଗନ୍ତ । ମୋତେ ଠିଆହୋଇ ରହିବାର ଦେଖି ସେ କହିଲା—ଠିଆହେଲେ କାହିଁକି? ବସିପାର, ତୁମେ ଦୁଇଟା ପର୍ଯ୍ୟନ୍ତ ଏଠାରେ ନିର୍ବଘ୍ନରେ ବସିପାର-। ସୁସଜ୍ଜିତ ବିଭିନ୍ନ ପ୍ରକାର ପାନୀୟ ଉଦ୍ଦେଶ୍ୟରେ ଅଙ୍ଗୁଳି ନିର୍ଦ୍ଦେଶ କରି ଚିତ୍ରଲେଖା କହିଲା ମନଇଚ୍ଛା ପିଇପାର । ଏନି ଥିଙ୍ଗ୍‌ ୟୁ ଲାଇକ୍‌ । ଯାହା ଇଚ୍ଛା, ଯାହା ଭଲ ଲାଗୁଛି ତୁମେ ପରା ଏବେ ଅନେକ ପିଉଛ । ବ୍ଳୁ ବାର୍ଡ଼ରେ ଗୋଟିଏ ରାତିରେ ତୁମେ କେତେ ପିଉଛ ?’’

 

‘ବିଶେଷ ନୁହେଁ’—ମୁଁ ଉତ୍ତର କଲି । ‘‘ତୁମେ ପରା ଏବେ ସିଟିର ନାମକରା ଆଡ୍‍ଭୋକେଟ୍‌; ଆଉ ପରା କବିତା ଲେଖୁନାହଁ । ତୁମେ ଜାଣ, ତୁମ କବିତା ମୋତେ ଭାରି ଭଲଲାଗେ । ଟଙ୍କାପାଇଁ ସବୁ ଛାଡ଼ିଦେଲ । ତୁମ ଗୋଲାପ ସଉକ ଆଜି ଅଛି ନା ନାହିଁ ଜାଣେନି । ଶୁଣୁଥିଲି, ତୁମେ ଦେଇଥିବା ପାର୍ଟିମାନଙ୍କର ଫ୍ଲାଓ୍ୱାର ଡେକୋରେସନ ଏକ ରେଗୁଲାର ଫିଚର । କେତେଦୂର ସତ୍ୟ କେଜାଣି । ଅଧ୍ୟାପକ ସାମନ୍ତରାୟ ସର୍ବହରା ପାର୍ଟିରେ ଯୋଗ ଦେବାପରେ କୋଇଲି ବୋବାଇବା ବେଳେ କୁଆଡ଼େ ଆପଣାର ଘରର ଝରକା ବନ୍ଦ କରି ଦେଉଛନ୍ତି । ତାଙ୍କ ମତରେ କୋଇଲି ପରା କୁଆଡ଼େ ଫିଉଡାଲମାନଙ୍କ ପ୍ରତିନିଧି ।’’

 

‘‘ହଁ, ସେଠୁ ହେଲା କ’ଣ ? ମୁଁ କବିତା ଲେଖା ଛାଡ଼ିଲି । ଏହା ମାନସିକ ତୃପ୍ତି ଯୋଗାଇ ଦେଇ ପାରେ; ମାତ୍ର ରୁଟି କ୍ରୟ କରିବାର ସାମର୍ଥ୍ୟ ଦେଇପାରେ ନାହିଁ । ଏ ହେଲା–ଏ କାଇଣ୍ଡ ଅଫ୍‌ ମ୍ୟାଡନେସ । ପାଗଳାମୀ ଛଡ଼ା ଅନ୍ୟ କିଛି ନୁହେଁ’’ ।

 

‘ଏ ପାଗଳାମୀରେ ସ୍ୱପ୍ନ ଅଛି । ବଞ୍ଚିବାର ସ୍ୱାଦୁ ଅଛି । ହୁଏତ ଆଭିଜାତ୍ୟ ପାଇଁ ଅଭିମାନ ପାଇଁ ଖୋରାକ ଯୋଗାଇ ନ ପାରେ । ମାତ୍ର ତୁମକୁ କବିତା ସମାଜରେ ଯେଉଁ ପ୍ରତିଷ୍ଠା ଯୋଗାଇ ଦିଏ ତାହା ଏ ବ୍ୟବସାୟରେ ମିଳିବ ନାହିଁ । ତୁମେ ଏ ନେଇ ଚିନ୍ତା କରିଥିବ ନିଶ୍ଚୟ’ ।

 

‘‘ସେ ନେଇ ଚିନ୍ତା କରିନାହିଁ । ମୁଁ ଭୁଲି ଯାଇଛି ।ସବୁ ଏକ ନଷ୍ଟ–ନୀଡ଼ର ବ୍ୟର୍ଥ ସ୍ୱପ୍ନ ପରି । ଏକ ମଉଳା ଗୋଲାପ କଳିକା ପରି’’ ।

 

ସତରେ ମୁଁ ଚିତ୍ରଲେଖା ପ୍ରତି ଘୃଣା କରି ଉଠିଲି । ଦେହ ବିକିବା ପାଇଁ ବ୍ଳୁବାର୍ଡ଼କୁ ଆସିବାକୁ ସେ ସାମାନ୍ୟ ସଙ୍କୋଚ ସୁଦ୍ଧା କରୁନାହିଁ । ମୁଁ କହିଲି, ‘‘ଏଠାରେ ତୁମକୁ ଦେଖି ମୁଁ ପ୍ରଥମେ ବିଶ୍ୱାସ କରିପାରି ନ ଥିଲି’’ ।

 

ଏବେ ଅବିଶ୍ୱାସ ଦୂର ହେଲା ତ ? ଦିନେ ଦୁଇଦିନ ନୁହେଁ, ରତ କେତେ ଦିନ ହେଲା ମୁଁ ଏଠାକୁ ବରାବର ଆସୁଛି । ସପ୍ତାହରେ ତିନି ଚାରି ଦିନ ମୁଁ ଏହିଠାରେ କଟାଉଛି । ମନ ଭରି ପିଉଛି-। ବିଶ୍ୱାସ କର । ପିଇ ପିଇ ନିଜକୁ ହଜାଇ ଦେବାକୁ ଚାହେଁ । ଆପଣାର ଅସ୍ତିତ୍ୱ ଭୁଲି ଯିବାଲାଗି କେତେ ପେଗ୍‌ ସୁରା ସତରେ କେତେ ପ୍ରୟୋଜନ । ସେହି ମୋର ତୃପ୍ତି । ଏହା ବ୍ୟତୀତ ମୋର ଅନେକ ଅର୍ଥ ହସ୍ତଗତ ହେଉଛି; ଯାହାକି ମୋର ଏକାନ୍ତ ପ୍ରୟୋଜନ ।

 

‘‘ତେବେ ତୁମେ ଅର୍ଥ ପାଇଁ... ?’’

 

ହସି ଉଠିଲା ଚିତ୍ରଲେଖା । ‘‘କାହିଁକି, ଯଦି ଜଣେ ଟଙ୍କା ପାଇଁ କବିତା ଲେଖା ଛାଡ଼ିଲା, ଯାହା ସୁନ୍ଦର ତାହା ଭୁଲି ପାରିଲା, ଆଡ଼୍‌ଭୋକେଟ୍‌ ସାଜି ଡାକୁ, ଚୋର, ସମାଜର ଯେତେ ଅସାମାଜିକ ଯୌନ-ଜୀବ—ସେମାନଙ୍କୁ ସମର୍ଥନ କରି ପାରିଲା, ତେବେ ଟଙ୍କା ପାଇଁ ମୁଁ ଏଠାକୁ ଆସିବା ଜାଣି ବିସ୍ମିତ ହେବାର କ’ଣ ଅଛି ?’’

 

ମୁଁ ବିସ୍ମିତ ହେଲି, ବ୍ଳୁବାର୍ଡ଼ରେ ଚିତ୍ରଲେଖାକୁ ଦେଖି । ମୋତେ ଆଘାତ ଲାଗିଲା । ଚିତ୍ରଲେଖା ପୁଣି କାହା ସାଙ୍ଗେ ରାତି କଟାଇଛି । ମୁଁ ସହ୍ୟ କରି ପାରିଲି ନାହିଁ । ମୁଁ ଯଦି ତାକୁ ଟଙ୍କା ଦିଏ, ତା’ର ପ୍ରୟୋଜନଠାରୁ ଅନେକ ବେଶୀ; ତେବେ ? ମୁଁ କିଛି ଗୋଟାଏ ପଚାରିବା ପାଇଁ ଉଦ୍ୟତ ହେଉଛି, ସେ ମୋତେ ପ୍ରଶ୍ନ କଲା—ଲଳିତା କିପରି ?

 

‘‘ଡାଇଭର୍ସ ପରେ ମୁଁ ତା ସମ୍ବାଦ ଆଉ ରଖି ନାହିଁ । ପୁରାତନ ପାଠପରି ଲଳିତା ମୋ ମନରୁ ଧୀରେ ଧୀରେ ପାସୋରି ଯାଉଛି । ମୁଁ ତାକୁ ମନେ ରଖିବାକୁ ଚେଷ୍ଟା କରୁନାହିଁ । ଯିଏ ଯିବାକୁ ଚାହୁଁଛି ସେ ଯାଉ । ଯାହାର ଯେଉଁଥିରେ ଆନନ୍ଦ ସେ ସେଥିରେ ମଜ୍ଜି ରହୁ । ମୁଁ ଜାଣେ, ଲଳିତାକୁ ମୁଁ ଡାଇଭର୍ସ କରେ ତୁମେ ଚାହୁ ନ ଥିଲ, ମାତ୍ର ମୁଁ ନାଚାର । ସେ ଯାହା ଚାହୁଥିଲା ତା କରିବା ମୋ ପକ୍ଷେ ସମ୍ଭବ ନୁହେଁ ।’’

 

ମୁଁ କହିଲି ‘‘ଚିତ୍ରଲେଖା, ତୁମେ ଏବେ ଆସ । ମୋ ଘରର ଯତ୍ନ ନିଅ ।’’

 

‘‘ଦେଖୁଛ ତ ଏ ଟ୍ରେରେ କ’ଣ ସବୁ ରହିଛି’’ ?

 

‘‘ହଁ ଦେଖୁଛି–ଓ୍ୱାଇନ୍‌’’

 

“ତୁମେ ଏସବୁ ପାନ କରିପାର । ଏଠାରେ ଅନେକ ରାତି କଟାଇଛ । କିଛି ଯାଏ ଆସେ ନାହିଁ । ତୁମେ କ’ଣ କରିଛ ନ କରିଛ ବା କରିବ ନ କରିବ, ସେ ନେଇ ମୁଁ ଚିନ୍ତିତ ନୁହେଁ । ତୁମେ ଏବେ ଆସ ।’’

 

‘‘ମୋର ଆଉ ଫେରିବାର ପ୍ରଶ୍ନ ଉଠୁନାହିଁ । ମୁଁ ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ଚାହେଁ-। କଣ୍ଟକାକୀର୍ଣ୍ଣ ପଥରେ ଯିବାରେ ମୋର ଆନନ୍ଦ । କେହି ମୋ ପଥରେ ଠିଆ ହେଉ ମୁଁ ଚାହେ ନାହିଁ’’ ।

 

ମୁଁ ବିସ୍ମିତ ହେଲି । ଚିତ୍ରଲେଖା ଆଜି ମୋର ଅନୁରୋଧ ଏପରି ନିର୍ମମ ଭାବରେ ଏଡ଼ି ଦେଇ ପାରୁଛି । ମୁଁ ଦିନେ ଚିତ୍ରଲେଖାର ଅନୁରୋଧ ପ୍ରତ୍ୟାଖ୍ୟାନ କରିଥିଲି, ସେ ଆଜି ତା’ର ପ୍ରତିଶୋଧ ନେଲା । ମୁଁ ଖୁସି ହେଲି । ଚିତ୍ରଲେଖା ଠିକ୍‌ କରିଛି । ମଣିଷ ପ୍ରତିଶୋଧପରାୟଣ ହେବା ଉଚିତ । ସେଥିରେ ବଞ୍ଚିବାର ଯେ ଗୌରବ ତାହା ସେ ପଳେ ପଳେ ଅନୁଭବ କରେ । ମୁଁ ମୋର ଘଡ଼ିକୁ ଚାହୁଁଥିବାର ଦେଖି ଚିତ୍ରଲେଖା କହିଲା–‘‘ବିଳମ୍ବ ହୋଇ ଯାଉଛି । ତୁମେ ଯିବ, ଯାଅ-। ରୁମ୍‌ରେ ତୁମର ଗାର୍ଲ ଅପେକ୍ଷା କରିଥିବ । ସେ ବ୍ୟସ୍ତ ହେବଣି । ସେହି ଆଇରିସ୍‌ ଝିଅଟି ତ, ବୁଲ୍‌ବୁଲ୍‌ ଭାରି ମନ ଭୁଲାଣିଆ ଗପ କହିପାରେ । ଗପ କହି ଅପରିଚିତକୁ ଆପଣାର କରିବାରେ ତା’ର ନାଁ ଅଛି’’ ।

 

‘ମୋ ପୂର୍ବରୁ ସେ’....

 

‘ମାନେ ପଟଓ୍ୱାରୀଙ୍କ କଲ୍‌ରେ ସେ ଆସୁଥିଲା ।

 

‘ତୁମେ, ତେବେ ବ୍ଲୁବାର୍ଡ଼କୁ ଯେତେ କଲ୍‌ଗାର୍ଲ ଆସନ୍ତି ସମସ୍ତଙ୍କୁ ଜାଣ ?

 

‘ସମସ୍ତଙ୍କୁ ନୁହେଁ, ଅନେକଙ୍କୁ.....’

 

ମୁଁ ଆଶ୍ଚର୍ଯ୍ୟ ହେଲି । ଚିତ୍ରଲେଖା ମୋ ନିକଟରେ ଧୀରେ ଧୀରେ ଦୁର୍ବୋଧ ହୋଇ ଉଠୁଥିଲା । ମୁଁ ପଚାରିଲି-‘ତୁମେ କ’ଣ ସେହି ପୋଷ୍ଟରେ ଅଛ ନା ପ୍ରମୋସନ ହେଲାଣି ?

 

‘ଦୁଇମାସ ହେଲା ଚାକିରି ନାହିଁ । ମୁଁ ବେକାର...’

 

‘ଚାକିରୀ ଛାଡ଼ିଦେଲ ?’

 

‘ନା ଛାଡ଼ିନାହିଁ । ମୋତେ ଛାଡ଼ିବାକୁ ବାଧ୍ୟ କରାଗଲା । କାରଣ ଅଫିସରଙ୍କ ସଙ୍ଗରେ ଟୁର୍‌ରେ ଯିବା ପାଇଁ ମୁଁ ମନାକଲି, କାରଣ...’’

 

ସେ କହିଲେ ‘‘ସତୀମାନଙ୍କ ପାଇଁ ଏଠାରେ ଏ ଅଫିସ୍‌ରେ ସ୍ଥାନ ନାହିଁ ।’’

 

‘‘ମୁଁ କହିଲି—ମୋ ସତୀତ୍ୱ ନିଲାମ କରିବା ପାଇଁ ମୁଁ ଏଠିକି ଆସିନାହିଁ ।’’ ମୁ ଇସ୍ତାଫା ଦେଲି । ମନେ ମନେ ଭାବିଲି ଜଣଙ୍କ ନିକଟରେ ସମର୍ପଣ କରିଦେବା ପରେ ପୁଣି ଅନ୍ୟର ଉପଭୋଗ ପାଇଁ ଆପାଣାକୁ ବଳିଦେବାଟା ସୁନ୍ଦର ନୁହେଁ ।

 

କୁହୁଡ଼ିଘେରା ଦିଗ୍‌ବଳୟ ପରି ଚିତ୍ରଲେଖା ମୋ ନିକଟରେ ଅଧିକରୁ ଅଧିକ ଅସ୍ପଷ୍ଟ ହୋଇ ଉଠୁଥିଲା । ମୁଁ ପଚାରିଲି ‘‘ତେବେ ତୁମେ ମୋ ପାଇଁ ଚାକିରୀ ଛାଡ଼ିଲ; ମାତ୍ର ମୋ ନିକଟକୁ ଆସିବା ପାଇଁ ମୋର ନିମନ୍ତ୍ରଣକୁ ଏପରି ଏଡ଼ି ଦେଉଛ କାହିଁକି ?’’

 

ମୁଁ ବିରକ୍ତ ହେଲି ...ମନକୁ ମନ କହିଲି..ଯିଏ ଥରେ ପାଞ୍ଚତୁଠ ହେଲାଣି ସେ ଗୋଟିଏ ସ୍ଥାନରେ ସ୍ଥିରହୋଇ ରହିବ ବା କିପରି ?

 

‘‘ତୁମେ ଏବେ ଚଳୁଛ କିପରି ?’’

 

‘‘ପଟଓ୍ୱାରି ଅନେକ ଟଙ୍କା ଦେଉଛି, ମୋର ପ୍ରୟୋଜନଠାରୁ ଅନେକ ଅଧିକ । କୌଣସି ଅସୁବିଧା ହେଉନାହିଁ । ଭାଇ ଦୁହେଁ ନିକଟରେ କାମ ପାଇଗଲେ । ମୁଁ ଏଣିକି ମୁକ୍ତ । ମୋର ଏଣିକି ଛୁଟି । ମୁଁ ଏବେ ଅର୍ଥ ସଂଗ୍ରହ କରୁଛି, ଗୋଟିଏ ମହିଳାଶ୍ରମ ସ୍ଥାପନ ପାଇଁ । ଯେଉଁ ହତଭାଗିନୀମାନେ ସବୁଥିରୁ ବଞ୍ଚିତ, ସମାଜରେ ଲାଞ୍ଛିତ, ଅବହେଳିତ-ସେହିମାନେ ମୋର ଏହି ଆଶ୍ରମରେ ଆଶ୍ରୟ ନେବେ । ଏକ ସମ୍ମାନାସ୍ପଦ ଜୀବନ କାଟିବା ପାଇଁ ସୁଯୋଗ ପାଇବେ ।’’

 

‘ମୁଁ ପଚାରିଲି—‘ମୋର ଭାଗ କେତେ ? କୁହ ମୁଁ କେତେ ଦେବି ।’

 

ଚିତ୍ରଲେଖା କହିଲା ‘ଥାଉ, ଆଜି ନୁହେଁ । ପ୍ରୟୋଜନ ହେଲେ ମୁଁ ତୁମ ଦ୍ୱାରସ୍ଥ ହେବି । ଆଜି ନୁହେଁ, ଥାଉ ।’

 

ଚିତ୍ରଲେଖା ଆଉ ସମ୍ଭାଳି ପାରିଲା ନାହିଁ । କହିଲା—ମୁଁ ଧୀରେ ଧୀରେ ତୁମ ନିକଟରେ ଏକ ମ୍ୟାଜିକ୍‌ ଗାର୍ଲ ହୋଇ ଉଠୁଛି । ହୋଇ ଉଠୁଛି ଦୁର୍ବୋଧ୍ୟ, ନୁହେଁ ? ଆଉ ଅଧିକ ତୁମକୁ ସନ୍ଦେହରେ ରଖିବି ନାହିଁ । ଏହା କହି ସେ ମୋତେ ଗୋଟାଏ ଏକ୍‌ସରେ ଫଟୋ ଦେଖାଇଲା । ମୁଁ ଫଟୋ ଉପରେ ଆଖିବୁଲାଇ ଆଣିଛି, ସେ କହିଲା ମୋର କ୍ୟାନେସର ପ୍ରିଲିମିନାରି ଷ୍ଟେଜ୍‌ ଅତିକ୍ରମ କରିଗଲାଣି, ମୋ ପାଇଁ ଦିନଗୁଡ଼ିକ ନମ୍ବରର୍ଡ । ଏତେବେଳେ ତୁମ ନିମନ୍ତ୍ରଣ ରକ୍ଷା କରିବି କ’ଣ ? ତୁମେ ଜାଣ, ତୁମ ପ୍ରତି ମୁଁ ଅନ୍ୟାୟ କରି ପାରିବି ନାହିଁ । ଏ ରୁଗ୍‌ଣ ଦେହ ନେଇ ତୁମକୁ ଉପହାର ଦେବି କ’ଣ ? ମୁଁ କିଛି କହି ପାରିଲି ନାହିଁ । ଚିତ୍ରଲେଖାକୁ କେବଳ ଅନାଇଁ ରହିଲି । ଚିତ୍ରଲେଖା କ’ଣ କହୁଛି ବିଶ୍ୱାସ କରିପାରିଲି ନାହିଁ ।

 

ଘଣ୍ଟାରେ ଦୁଇଟା ବାଜିଲା । ଚିତ୍ରଲେଖା ଚଞ୍ଚଳ ହୋଇ ଉଠିଲା । କହିଲା, ‘ଟାଇମ୍‌ ହୋଇଗଲା । ଭଦ୍ରଲୋକ ହୁଏତ ଫେରିବେ । ସମୟ ହୋଇଗଲା ।’

 

ମୁଁ ପ୍ରଶ୍ନକଲି ‘ଚାଲିଯିବା ପାଇଁ କହୁଛ ତେବେ ?’ ‘କେବେ କହି ପାରିନି, ଆଜି ବି କହୁନି, ମାତ୍ର ମୁଁ କଣ୍ଟ୍ରାକ୍‌ଟ ବ୍ରେକ୍‌ କରିବାକୁ ଚାହେଁ ନାହିଁ; ଟଙ୍କା ଆଗରୁ ନେଇ ଯାଇଛି ।’

 

‘ଟଙ୍କା ପାଇଁ ବ୍ୟସ୍ତ ହୁଅନାହିଁ ।’

 

‘ମୁଁ କଣ୍ଟ୍ରାକ୍‌ଟ ପାଇଁ ବ୍ୟସ୍ତ । କଲଗାର୍ଲର କଥାରେ ଯେ ମୂଲ୍ୟ ନାହିଁ ଏପରି ଏକ ଧାରଣା ମୁଁ ସାଧାରଣରେ ସୃଷ୍ଟି କରିବାକୁ ଚାହେଁ ନାହିଁ । ତା’ର ବି ଆତ୍ମସମ୍ମାନ ଅଛି ।

 

ଅଧିକ ନ କହି ମୁଁ ଚିତ୍ରଲେଖାଠୁ ବିଦାୟ ନେବା ପାଇଁ ଠିଆହେଲି । କହିଲି, ‘‘ଟିକେ ମୋ ପାଖକୁ ଆସ । ଅନେକଦିନୁ ତୁମକୁ ପାଖରେ ପାଇନାହିଁ । ଟିକେ ପାଖକୁ ଆସ ।’’

 

‘ଆଜି ପାଇଁ କ୍ଷମାକର । ମେକାପ ନେବାପାଇଁ ଆଉ ସମୟ ନାହିଁ । ତୁମେ ସବୁ ବୁଝିବ-। ପରଓ୍ୱାରି ନିକଟରେ ମୁଁ ଧରା ପଡ଼େ—ଏହା ମୁଁ ଚାହେଁ ନାହିଁ ।’’ ଅଧିକ କିଛି ନ କହି ଚିତ୍ରଲେଖାର ପାପୁଲି ଉପରେ ଏକ ଚୁମ୍ବନ ଆଙ୍କିଲି । କହିଲି ‘‘ଚିତ୍ରଲେଖା । ଜୀବନ ଉପଭୋଗ ପାଇଁ ପଟଓ୍ୱାରିକୁ ଶେଷରେ ବାଛିଲ । ହତାଶ ହେବ ।’’

 

ଜୀବନ ଉପଭୋଗ ପାଇଁ ନୁହେଁ । ଟଙ୍କାପାଇଁ ଆଜି ମୁଁ ତାଙ୍କ ରୁମ୍‌ରେ । ମୁଁ ଜାଣେ ତୁମେ ଯାହା କହୁଛ । ସେ ଶିକାର କରିବାକୁ ଅକ୍ଷମ, ମାତ୍ର ଦକ୍ଷଶିକାରୀ ବୋଲି ଆପଣାକୁ ସମାଜରେ ପରିଚିତ କରାଇବାକୁ ଚାହେଁ । ସେଥିପାଇଁ ଧନସମ୍ପତ୍ତି କଥା ଥାଉ, ସେ ଶହୀଦ ହେବାପାଇଁ ପ୍ରସ୍ତୁତ । ସେଥିପାଇଁ ମୁଁ ତାଙ୍କୁ ବାଛିଚି । ଜୀବନ ଉପଭୋଗର ବାସନା ଥିଲେ ତୁମ ପାଖେ ପାଖେ ଥାଆନ୍ତି । ବ୍ଳୁବାର୍ଡ଼ରେ ନୁହେଁ । ମାତ୍ର ମୁଁ ଚାହେ ନି-ଆପଣାର ଦେହର ଜୀବାଣୁ ନିଜର ମଣିଷ ଦେହରେ ବିଞ୍ଚିହେବା ପାଇଁ ।’’

 

ଆଉ ଅଧିକ କିଛି ନ କହି ମୁଁ ଚିତ୍ରଲେଖାକୁ ଶୁଭରାତ୍ରି ଜଣାଇ ରୁମ୍‌ ଭିତରୁ ପାଦ କାଢ଼ିଲି । ଦର-ମୁକୁଳା ଦରଜା ଚିତ୍ରଲେଖା ବନ୍ଦ କଲା, ମୁଁ ଲକ୍ଷ୍ୟ କରିଛି—ବିଦାୟ ବେଳାରେ ଚିତ୍ରଲେଖାର ଦୁଇ ନୟନ ପ୍ରାନ୍ତରେ ଦୁଇ ବିନ୍ଦୁ ଲୁହ ଛଳ ଛଳ ହୋଇ ଉଠୁଥିଲା ।

 

ଯନ୍ତ୍ରଚାଳିତ ରବର କଣ୍ଢେଇ ପରି ମୋ ରୁମ୍‌ ଉଦ୍ଦେଶ୍ୟରେ ମୁଁ ଆଗେଇଲି । ଦ୍ୱାର ଖୋଲି ଦେଖିଲି-ଧବଳ ବିଛଣା ଚଦର ଉପରେ ନିଅନ ଆଲୋକର ଢେଉ ବିଛୁଡ଼ି ହୋଇ ପଡ଼ିଛି । ଟି-ପଏ ଉପରେ ଡ୍ରିକିଂଙ୍ଗ୍‌ ଗ୍ଲାସ ଓ ଗୋଟିଏ ବୋତଲ ହ୍ୱାଇଟ୍‌ ହର୍ସ ରଖାଯାଇଛି, ବିଛଣା ଉପରେ ଆଇରିସ୍‌ ଝିଅଟି ଶୋଇଯାଇଛି । କେତେ ସୁନ୍ଦର ସତେ ଏ ଯୁବତୀର ଅଙ୍ଗଲତା । ମୁଁ ଲାଇଟ୍‌ ଅଫ କଲି, ଗାଢ଼ନିଦରୁ ବୁଲ୍‌ବୁଲ୍‌କୁ ଉଠାଇବାକୁ ଇଚ୍ଛା ହେଲାନାହିଁ । ମୁଁ ଶୋଇବା ପୂର୍ବରୁ ଘୋଡ଼ିହେଲା ଚଦରରେ ଆମ ଦୁହିଙ୍କର ଦେହକୁ ଢାଙ୍କି ନେଲି । ବୁଲ୍‌ ବୁଲ୍‌ ମୋ ନିକଟକୁ ଲାଗି ଆସିଲା, ସେ ଦେହରେ ଥିଲା ଉଷ୍ଣତା ଆଉ ଆକର୍ଷଣ । ବୁଲ୍‌ବୁଲ୍‌ର ଧବଳ ଅଙ୍ଗଲତାରେ ମୁଁ ଚିତ୍ରଲେଖାକୁ ଅନୁଭବ କରୁଥିଲି । ସମ୍ମୁଖରେ ମୋର ଚିତ୍ରଲେଖାର ନୟନ ପ୍ରାନ୍ତର ଅଶ୍ରୁ ଦୁଇବିନ୍ଦୁ ସେହିପରି ଝଲସି ଉଠୁଥିଲା ।

 

ମହାନଗରୀରେ ରାତି ଗଭୀରରୁ ଗଭୀରତର ହୋଇ ଆସୁଥିଲା ।

񤦬񤦬񤦬

 

ବହ୍ନିବଳୟ

 

ଜତୁଗୃହର ଯନ୍ତ୍ରଣା

 

‘‘ଡାକ୍ତର ଭିତରେ ଅଛନ୍ତି, ଅପେକ୍ଷା କରନ୍ତୁ’ କାଗଜପଟାର ବୋର୍ଡ ଧୀର ମନ୍ଥର ଗତିରେ ଫ୍ୟାନ୍‌ ହାଓ୍ୟାରେ ଦୋଦୁଲ୍ୟମାନ । ଧୀର ସଞ୍ଜତ ପଦଚାଳି ପ୍ରବେଶ କଲେ ଆଗନ୍ତୁକ । ନମସ୍କାର ଜଣାଇଲେ, ଡାକ୍ତରଙ୍କୁ । ପ୍ରତିନମସ୍କାର ଜଣାଉ ଜଣାଉ ସେ ପ୍ରଶ୍ନ କଲେ, ଆପଣ କୁଆଡ଼େ ଗଲେ ? ଗତକାଲି ଆସିବେ ବୋଲି କହିଥିଲେ । ପେସେଣ୍ଟ୍ କିପରି ଅଛନ୍ତି । ଆଣିଲେ ନାହିଁ ତାଙ୍କୁ ସାଙ୍ଗରେ ?’’

 

‘‘କାଲି ସାମାନ୍ୟ ଅସୁବିଧା ହେତୁ ଆସି ପାରିଲି ନାହିଁ ।’’

 

‘ଏଇତ ଘଣ୍ଟାରେ ଆସି ସାଢ଼େ ଏଗାର ବାଜିବ । ଆପଣ ବିଳମ୍ବ କରି ଆସିଲେ । କ୍ଲିନିକ୍‌ ବନ୍ଦ ହେବା ଉପରେ । ମୋର ସହକାରୀମାନେ ଚାଲିଗଲେଣି । ଆଚ୍ଛା, ଆଣନ୍ତୁ ପେସେଣ୍ଟ୍‌କୁ-। ମୁଁ ପ୍ରଥମେ ଦେଖି ନିଏ ।’

 

ଡାକ୍ତର ପେସେଣ୍ଟ୍‌କୁ ଅପେକ୍ଷା କରି ରହିଲେ । ଡାକ୍ତର ଶିବକୁମାର । ନୂଆହୋଇ ପ୍ରାକ୍‌ଟିସ୍‌ ଆରମ୍ଭ କରିଛନ୍ତି । ତେବେ ଏଇ ଅଳ୍ପଦିନ ଭିତରେ ବେଶ୍‌ ନାମ କରି ପାରିଛନ୍ତି ଏଇ କେତେ ଦିନରେ । ବାଥ୍‌ରୁମ୍‌ରୁ ବାହାରି ଆସି ଦେଖିଲି, ଆଗନ୍ତୁକ ଓ ତାଙ୍କ ସଙ୍ଗରେ ଆଉ ଜଣେ ସୁରୁଚି-ସମ୍ପନ୍ନ ପୋଷାକପରିଚ୍ଛେଦରେ ଆଚ୍ଛାଦିତ ଭଦ୍ରଲୋକ । ସେ ଦୁହିଁଙ୍କ ସଙ୍ଗରେ ଜଣେ ସୁନ୍ଦରୀ ତନୁପାତଳୀ ଯୁବତୀ ପରିଧେୟ ନୀଳ ରଙ୍ଗର ଶାଢ଼ୀ ଓ ତାକୁ ମ୍ୟାଚ୍‌ କଲାଭଳି, ବ୍ଲାଉଜ୍‌, ଚପଲ । କପାଳରେ କୁଙ୍କୁମର ଗାର, ଆଖିରେ କଜଳର କମନୀୟ ଧାର ।

 

‘ପେସେଣ୍ଟ୍‌ କିଏ ? ଆପଣ । କ’ଣ ହୋଇଛି କହନ୍ତୁ ?

 

ବୟସ୍କ ବ୍ୟକ୍ତିଜଣକ ପେସେଣ୍ଟ୍‌ ନୁହନ୍ତି, ସେ ଯୁବତୀଙ୍କ ଆଡ଼କୁ ଇଙ୍ଗିତ କଲେ ।

 

‘ପେସେଣ୍ଟ୍‌ ତେବେ ସିଏ । ଅନ୍ୟ ଭଦ୍ରଲୋକଙ୍କୁ ଚାହିଁ ଡାକ୍ତର କହିଲେ...ଆପଣ ତ ୟାଙ୍କ କଥା ମୋଟେ କହୁ ନ ଥିଲେ । ଆସନ୍ତୁ–ଏ ଚେୟାରକୁ ଆସନ୍ତୁ’’

 

ଯୁବତୀ ଜଣକ ବେଞ୍ଚଉପରୁ ଉଠିଲେ ଚୌକି ଉପରକୁ । ଅତି ଧୀର ସମ୍ଭ୍ରମରେ-ମୁହଁ ଉପରେ ସ୍ୱେଦବିନ୍ଦୁଗୁଡ଼ିକୁ ପୋଛି ପୋଛି । ଚାହାଣିରେ ନିରୀହତାର ପ୍ରଲେପ ।

 

‘‘କ’ଣ ହୋଇଛି ତମର ? କହ ।’’ ଶିବକୁମାର ପ୍ରଶ୍ନ କଲେ ଯୁବତୀଙ୍କୁ—

 

ସେ ମୁହଁତଳକୁ କରି ରହିଲେ । ଡାକ୍ତର କହିଲେ କହ, ଲଜ୍ଜା କରିବାର କୌଣସି କାରଣ ନାହିଁ । ତୁମେ ଡାକ୍ତରଙ୍କ ନିକଟରେ କୌଣସି କଥା ଲୁଚାଇବା ଉଚିତ ନୁହେଁ, ୟୁ ମଷ୍ଟ୍‌ ବି ଫ୍ରାଙ୍କ୍‌, ଭେରିଫ୍ରାଙ୍କ୍‌-କହ ।’’ ଯୁବତୀ ତଥାପି ନିରୁତ୍ତର ରହିଲେ ।

 

‘‘ଓଃ ଆପଣ ଏମାନଙ୍କ ଆଗରେ କହିବାକୁ ଚାହୁଁନାହାନ୍ତି । ଆଚ୍ଛା, ଇନ୍‌ର ଚାମ୍ବରକୁ ଚାଲନ୍ତୁ ।” ପେସେଣ୍ଟ୍‌ ଆଗେଇଲେ, ପଛେ ପଛେ ଡକ୍‌ଟର । ଇନ୍‌ର ଚାମ୍ବରରେ ଗୋଟାଏ ଲମ୍ବା ଟେବୁଲଉପରେ ଗୋଟାଏ ଅଏଲ କ୍ଳଥ୍ । କାନ୍ଥରେ ଝୁଲୁଛି ଏକ ମାକ୍‌ସିମ୍‌—ଡାକ୍ତରମାନଙ୍କ ଉଦ୍ଦେଶ୍ୟରେ । ମଣିଷର ସେବା କଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ।’ ପେସେଣ୍ଟ୍ ଥରେ ଡାକ୍ତରଙ୍କ ମୁହଁକୁ ଓ ଆଉଥରେ କୋଠରୀର ଚତୁର୍ଦ୍ଦିଗକୁ ନିରୀକ୍ଷଣ କରି ମୁହଁ ତଳକୁ କରି ଠିଆହୋଇ ରହିଲେ । ମୁହଁ ଉପରେ ଛୋଟ ଛୋଟ ସ୍ୱେଦବିନ୍ଦୁ । ମନ ଉପରେ ଏକ ଝଡ଼ । କ’ଣ କହିବେ ? କହିବେ ବୋଲି ଅନେକ ସାହସ ବାନ୍ଧି ସେ ଆସିଥିଲେ । ମାତ୍ର ସବୁ ସାହସ ତ ବରଫ ଖଣ୍ଡପରି ତରଳି ଯାଉଛି । ତୋଟି ଶୁଖି ଶୁଖି ଯାଉଛି । ସେ କ’ଣ କରିବେ ?

 

‘‘—କହ....କ’ଣ ହୋଇଛି ?’’ ଆଉ ଥରେ ପ୍ରଶ୍ନ କଲେ ଡକ୍‌ଟର ।

 

‘‘ନ କହିଲେ ମୁଁ କୌଣସି ଚିକିତ୍ସା କରିବା ସମ୍ଭବ ନୁହେଁ ।’’

 

‘‘—ମୁଁ ତଳିପେଟରେ ଯତ୍ରଣା ଅନୁଭବ କରୁଛି ।’’

 

‘‘—କ’ଣ ଇନ୍‌ଡାଇଜେସନ ହେଲା ? ଏଣୁ ତେଣୁ ଖାଇଲେ । ଠିକ୍‌ ଭାବେ ହଜମ ହେଉଛି ତ ?’’

 

—‘‘ହଁ, ତେବେ ଆପଣ ଟିକିଏ ଶୁଅନ୍ତୁ, ମୁଁ ଦେଖେ କ’ଣ ହୋଇଛି ।’’ ପଡ଼ିଥିବା ଟେବୁଲ୍‌ ଉପରେ ଶୋଇ ଯୁବତୀ ତଳିପେଟ ଉପରୁ ଲୁଗା ଫିଟାଇଲେ । ଷ୍ଟେଥ୍‌ସକୋପ୍‌ ଦେଇ ପରୀକ୍ଷା କରୁଥିବାବେଳେ ଡକ୍‌ଟର ପ୍ରଶ୍ନ କଲେ, ଆପଣଙ୍କର ନାମ ? ବୟସ କେତେ ?’’

 

—‘‘ସ୍ନିଗ୍‌ଧା ମହାପାତ୍ର । ବୟସ ସତର ପୂରି ଅଠର ଚାଲିଛି ।’’

 

—‘‘କ’ଣ ପଢ଼ୁଛନ୍ତି— ?’’

 

—‘‘ପ୍ରଥମ ବର୍ଷ ବିଜ୍ଞାନ ।’’

 

—‘‘ଏହି ମହିଳା କଲେଜରେ ?’’

 

—‘‘ହଁ’’

 

—‘‘ଘର ?’’

 

‘‘ଜଗତସିଂହପୁରରେ ।’’

 

—‘‘ସେଠି ତ କଲେଜ ଅଛି...ଏଠିକୁ ଆସିବାର କାରଣ ?’’

 

—‘‘ବାପା ଏଠି କାମ କରୁଥିଲେ । ଅବସର ନେଇଛନ୍ତି ଅଳ୍ପଦିନ ହେଲା ।’’

 

—‘‘ସେ ଭଦ୍ରଲୋକ ଆପଣଙ୍କ ବାପା ? ସେ କ’ଣ କରୁଥିଲେ ?’’

 

—‘‘ସେ ସ୍କୁଲରେ କ୍ଲର୍କ ଥିଲେ ।’’

 

—‘‘ତାଙ୍କ ସଙ୍ଗରେ ଯିଏ ଅଛନ୍ତି ସେ କ’ଣ କରନ୍ତି ?’’

 

—‘‘ମଉସା । ସେ ସେକ୍ରେଟାରିଏଟ୍‌ରେ କାମ କରନ୍ତି ।’’

 

ଡକ୍‌ଟର ପରୀକ୍ଷା ବନ୍ଦ କରି ଚାହିଁଲେ ସ୍ନିଗ୍‌ଧା ମହାପାତ୍ରଙ୍କୁ...ଆପଣଙ୍କର ବିବାହ ହେବା କେତେଦିନ ହେଲା ? ସ୍ୱାମୀ କ’ଣ କରନ୍ତି ?

 

ସ୍ନିଗ୍‌ଧା ସାମାନ୍ୟ ଦବିଯାଇ ନରମ ଗଳାରେ କହିଲେ, ‘‘ନାଁ ମୋର ବିବାହ ହୋଇ ନାହିଁ-?’’

 

ଶିବକୁମାର ବୁଝିଲେ ପେସେଣ୍ଟ୍‌ର ରୋଗ କ’ଣ ? ଦୀର୍ଘ ଗୌର ଚନ୍ଦ୍ରିକାର ଅଭିପ୍ରାୟ କ’ଣ ଥିଲା ? ଅଭିନୟ କାହିଁକି ? ସେ କହିଲେ ସ୍ନିଗ୍‌ଧାଦେବୀ ଉଠି ବସ । କୌତୁହଳୀ ମନ ଡାକ୍ତରଙ୍କର ସ୍ନିଗ୍‌ଧାଙ୍କ ସଙ୍ଗେ ଟିକେ ଖେଳିବାକୁ ଆଗ୍ରହୀ ହେଲା ।

 

‘‘ଆପଣଙ୍କର କନ୍‌ସେପ୍‌ସନ ହେବାର କେତେଦିନ ହେଲା ?’’

 

‘‘ସାତମାସ ପୂରି ଆଠମାସ ଚାଲିଲା ।’’

 

—‘‘ଆପଣ କେବେ ଜାଣିଲେ ?’’

 

—‘‘ଏଇ ଗଲା ଛୁଟିରେ ଗାଁକୁ ଯାଇଥିଲି । ଆଈ ପେଟ ଦେଖି କହିଲେ, କିଛି ହୋଇଛି-। ମୋତେ ଭାରି ଭୟ ଲାଗିଲା ।’’

 

—‘‘ତା’ ପୂର୍ବରୁ କିଛି ଜାଣି ନ ଥିଲେ ?’’

 

—ନାଁ, ମୋଟେ ଜାଣି ନ ଥିଲି ।’’

 

ଡକ୍‌ଟର ସାମାନ୍ୟ ହସିଲେ ଓ କହିଲେ, ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ତମେ ଯାଅ । ମୁଁ ଔଷଧ ଲେଖି ଦେବି ସେଫ୍‌ ଡେଲିଭରି ହେବ । ପ୍ରୟୋଜନ ହେଲେ ମୁଁ ଜଣେ ଡାକ୍ତରାଣୀଙ୍କ ପାଖକୁ ବି ଲେଖିଦେବି । ସେ ସ୍ତ୍ରୀରୋଗ-ବିଶେଷଜ୍ଞ । ତେବେ ଭୟର କୌଣସି କାରଣ ନାହିଁ । ଚାଲ...ବାହାରକୁ ଚାଲ ।

 

ସ୍ନିଗ୍‌ଧା ଧରିଲେ ଡାକ୍ତରଙ୍କ ହାତ । ମିନତି କରି କହିଲେ, ଆପଣ ମୋତେ ରକ୍ଷା କରନ୍ତୁ-। ମୁଁ ଆପଣଙ୍କର ନାମ ଶୁଣି ଆସିଛି । ମୋତେ ହତାଶ କରନ୍ତୁ ନାହିଁ ।

 

—‘‘କ’ଣ ଆପଣ ଚାହାନ୍ତି... ? ଥରେ କହିଲି, ସେଫ୍‌ ଡେଲିଭରି ହେବାର ସବୁ ବ୍ୟବସ୍ଥା ମୁଁ କରିଦେବି ।’’

 

—‘‘ମୋତେ ସାହାଯ୍ୟ ନ କଲେ ସମାଜରେ ମୁଁ ମୁହଁ ଟେକି ପାରିବି ନାହିଁ । ଆପଣ ମୋତେ ସାହାଯ୍ୟ ନ କରିବେ କାହିଁକି ? ଆପଣ ଯାହା ଚାହିଁବେ ମୁଁ ଦେବି । ମୁଁ ଆପଣଙ୍କ ନିକଟରେ ମୋର ସର୍ବସ୍ୱ ଦାନ କରୁଛି । ଆପଣ ଯୁବକ ମୋ ଅବସ୍ଥା ବୁଝି ନ ବୁଝିଲା ପରି ହେଉଛନ୍ତି, ତାହାହିଁ ମୋତେ ବିଶେଷ ଯନ୍ତ୍ରଣା ଦେଉଛି ।’’

 

ଶିବକୁମାର ସାମାନ୍ୟ ହସି ପେସେଣ୍ଟ୍‌ଙ୍କ କାନ୍ଧରେ ହାତ ଥାପୁଡ଼େଇ କହିଲେ...ବୁଝିଲ ସ୍ନିଗ୍‌ଧା ଦେବୀ, ତମେ ହୁଏତ ଜାଣ ନାହିଁ, ଡାକ୍ତରମାନେ ଉଚ୍ଛିଷ୍ଠ ଗ୍ରହଣ କରନ୍ତି ନାହିଁ । ସମୁଦ୍ରର ଆଦ୍ୱାନ ଯେ ପ୍ରତ୍ୟାଖ୍ୟାନ କରି ଆସିଛି, ତାକୁ ଗିରୀ ନଦୀ ଝରଣା ବାନ୍ଧି ରଖି ପାରେ ନାଁ । ତମେ ଜାଣିଛ ଯେ ଏଇ ଅଳ୍ପଦିନ ହେଲା ମୁଁ ପାଶ୍‌ କରି ଆସିଛି । ମେଡ଼ିକାଲରେ ତୁମଠାରୁ ଅନେକ ଅଧିକ ସୁନ୍ଦରୀ କୁମାରୀଙ୍କର ସଙ୍ଗଲାଭର ସୁଯୋଗ ମୋତେ ମିଳିଛି । ମାତ୍ର ମୋତେ କେହି ବାନ୍ଧିରଖି ପାରିନାହିଁ ।

 

ସ୍ନିଗ୍‌ଧା ଛଳଛଳ ନୟନରେ କହିଲା, ତେବେ ଆପଣ ମୋତେ ରକ୍ଷା କରିବେ ନାହିଁ ?

 

—‘‘କ’ଣ ଚାହୁଛନ୍ତି—ସିଧା କହନ୍ତୁ । ପ୍ରେମିକକୁ ପ୍ରତାରଣା କରନ୍ତୁ ନାହିଁ ।’’

 

—‘‘ମୁଁ କାହାକୁ ପ୍ରତାରଣା କରିବାକୁ ଚାହୁ ନାହିଁ । ଚାହୁଛି ମୁକ୍ତି । ସୁନାର ସ୍ୱପ୍ନନେଇ ନୀଡ଼ ରଚନା କରିବାପାଇଁ ମୋର ଏ ଆବେଦନ, ସେଥିପାଇଁ ଆବୋରସନ୍‌ ଲାଗି ଆଗେଇ ଆସିଛି— ? ଶିବକୁମାର କହିଲେ, ‘‘ମୁଁ ପାରିବି । ତେବେ ସତକରି କହ—ଲୋକଟି କିଏ ? ମୁଁ ଚେଷ୍ଟା କରିବି ତାକୁ ବୁଝାଇବାକୁ । ମୁଁ ଯେତେଦୂର ପାରେ ଏ ଦିଗରେ ସାହାଯ୍ୟ କରିବି । କହ, ଲୋକଟି କିଏ ? କେହି ସହପାଠୀ, ଅଧ୍ୟାପକ ବା ଅନ୍ୟ କେହି ?’’

 

—‘‘ଅନ୍ୟ କେହି ନୁହେଁ, ମଉସା ।’’

 

—‘‘ସେ କିଏ ?’’ —‘‘ଯିଏ ବାପାଙ୍କ ପାଖରେ ବସିଛନ୍ତି ।’’

 

—‘‘କ’ଣ ସୁନାଦାନ୍ତ ଥିବା ଚିତା ଲଗାଇଥିବା ସେଇ ଭଦ୍ରବ୍ୟକ୍ତି ଯିଏ ଆପଣଙ୍କ ବାପାଙ୍କ ପାଖରେ ବସିଛନ୍ତି ।’’

 

—‘‘ହଁ, ସେହି ଭଦ୍ରଲୋକ ମୋ ମଉସା ।’’

 

—‘‘ତୁମେ ଅପେକ୍ଷା କର ମୁଁ ଆସୁଛି ।’’

 

ବହ୍ନି ବଳୟରେ ବାପା

 

ଡାକ୍ତର ଉତ୍‌କ୍ଷିପ୍ତ ହୋଇ ପ୍ରଶ୍ନ କଲେ; ଆପଣ କ’ଣ ସବୁ ଜାଣନ୍ତି ? ମୁଁ ପୁଲିସରେ ଦେବି । ବୃଦ୍ଧ ହାତ ଧରିଲେ । କହିଲେ, ‘‘ଝିଅ ତା’ର ରହିଲା ମଉସା ଘରେ । ବଢ଼ିଲା ଝିଅ । ଅନ୍ୟତ୍ର ରହିଲେ ଆଶଂକା ଥିଲା—ତେଣୁ ନିରାପଦ ହେବା ଦୃଷ୍ଟିରୁ ମଉସା ଘରେ ଛାଡ଼ିଲି । ତାଙ୍କ ପିଲାମାନେ ଛୁଟିଲେ ଗଲେ ଘରକୁ । ସ୍ନିଗ୍‌ଧା ରହିଲା ମଉସାଙ୍କ ଘରେ ଏକାକିନୀ । ଫଳ ଏଇୟା ହେଲା, ଏବେ ନେଇ ଆଣି ଥୋଇ ପାରୁନି ।’’

 

—‘‘ସେ କିପରି ମଉସା ହୁଅନ୍ତି ? ଲେଖାଜୋଖାରେ ?’’

 

—‘‘ଶୁଣିଲି ଗର୍ଭପାତ ହେଉଛି । ଗର୍ଭପାତ ଆଉ ଆଇନରେ ମନା ନାହିଁ । ମୁଁ ସ୍ଥିର କଲି ଏ ଆଇନର ସୁଯୋଗ ନେବି ନାହିଁ କାହିଁକି ? ଅପବାଦରୁ ରକ୍ଷା ପାଇବି ନାହିଁ କାହିଁକି ? ସେଇଥିପାଇଁ ଆପଣଙ୍କର ଦ୍ୱାରସ୍ଥ ହୋଇଛି । ଏବେ ଆପଣଙ୍କର ଇଚ୍ଛା, ଯାହା କରିବେ । ମୁଁ ଚାହେ ମୁକ୍ତି ଶାନ୍ତି । ମୋତେ ହେଲା ୫୬ । ଏସବୁ କଥା ମୁଁ ପସନ୍ଦ କରେ ନାହିଁ । ତେବେ ସମୟ ବଦଳୁଛି-। ମୁଁ ସମୟ ସଙ୍ଗେ ତାଳ ଦେଇ ନାଚିବାକୁ ଚାହେ । ଆପଣାର କର୍ମାନୁଯାୟୀ ଫଳ । ସେଥିପାଇଁ ମୁଁ ଦାୟୀ ହେବି କାହିଁକି ? ମାତ୍ର ଯେତେବେଳେ ଜନ୍ମ ଦେଇଛି ସେତେବେଳେ ମୋର କତ୍ତବ୍ୟ ମୁଁ କରୁଛି । ସ୍ୱଳ୍ପଭୋଗୀ କର୍ମଚାରୀର ଦୁର୍ଦ୍ଦଶା କହିଲେ ନ ସରେ ତା’ ସଙ୍ଗକୁ ଏ ହେଲା ବୋଝ ଉପରେ ନଳିତା ବିଡ଼ା ।’’ ତେବେ ଡାକ୍ତରଙ୍କ ଇଚ୍ଛା ସେ ଯାହା କରିବେ କରନ୍ତୁ । ସେ ଚାହିଁଲେ ଡାକ୍ତରଙ୍କୁ ।

 

ସ୍ନିଗ୍‌ଧାର ସ୍ୱଗତୋକ୍ତି

 

ବସନ୍ତ ଆସିଲା ଏ ଧରାତଳେ । ଜୀବଜଗତ୍‌, ବନରାଜି ସତେଜ ହୋଇ ଉଠିଲେ । ଚଞ୍ଚଳ ହୋଇ ଉଠିଲା ହିଲ୍ଲୋଳ । ମଉସା ବୁଝାଇଲେ, ଏ ଦୁନିଆ ମିଛ, ଏ ସମ୍ପର୍କ ପାର୍ଥିବ । ପ୍ରେମ କେବଳ ସର୍ବସ୍ୱ । ଏକମାତ୍ର ସତ୍ୟ, ଯୁଗେ ଯୁଗେ ପ୍ରଣୟର କାହାଣି ମଣିଷକୁ ପାଗଳ କରିଛି । ସେ ମୋତେ ପାଖକୁ ଡାକିଲେ । ବାହୁ ମଧ୍ୟରେ ବାନ୍ଧିନେଲେ । କହିଲେ ଭୟ କରିବାର କାରଣ ନାହିଁ । ଭୟ କରେ ଭୀରୁ କାପୁରୁଷ, ସମାଜର ସମାଲୋଚନା ନିରର୍ଥକ । ଦୁର୍ବଳ ସମାଲୋଚନା କରେ । ସେ ମୋତେ ଉଲଗ୍ନ କଲେ । ଦେହେ ଦେହେ ମୋର ବିଦ୍ୟୁତ ଖେଳିଗଲା । ତାଙ୍କ ଦେହ ଓ ମୋ ଦେହର ମିଳିତ ସ୍ପର୍ଶରେ ଯେଉଁ ସମ୍ଭ୍ରମ, ଲଜ୍ଜା, ସରମ ଥିଲା ତାହା ଦୂରେଇ ଗଲା । ମୁଁ ଏବେ ହେଲି ଆସନ୍ନପ୍ରସବା । ମାତ୍ର ମୁଁ ମା’ ହେବାକୁ ଚାହେ ନାହିଁ । ମୁଁ ଏ ଅପବାଦ ବରଣ କରିବାକୁ ଚାହେ ନାହିଁ । କୁଳବଧୂ ହୋଇ ମୁଁ ଘର ସଂସାର କରିବାକୁ ଚାହେ । ମୋ’ କୁମାରୀ ଜୀବନର ଏ ଅପବାଦ କଥା ଯିଏ ଶୁଣିବ ସେ କ’ଣ ମୋତେ ଜୀବନସାଥିରୂପେ ବରଣ କରି ପାରିବ ?’’

 

ରୂପା, ଲୀନା, ନିରୁତ ପୁଣି ମୋରିପରି ଭୁଲ କରିଥିଲେ । ଯଦି ଏହାକୁ ଆପଣ ନିଶ୍ଚିତଭାବେ ଭୁଲ ବୋଲି କହୁଛନ୍ତି । ସେମାନେ ତ ପୁଣି ଗର୍ଭପାତ କରିପାରିଲେ । ସେମାନେ କ’ଣ ସମାଜରେ ଉଚ୍ଚ ସ୍ତରରେ ଅଛନ୍ତି ବୋଲି ? ସେମାନଙ୍କର ବାପଭାଇ କ’ଣ ଉଚ୍ଚ କର୍ମରେ ନିଯୁକ୍ତ ଅଛନ୍ତି ବୋଲି ? ସେମାନେ ତ ପୁଣି କଲେଜ ଛାଡ଼ି ପଳାଇ ଆସନ୍ତି ପ୍ରେମିକଙ୍କ ସାଙ୍ଗରେ ଦିନ ଦ୍ୱିପ୍ରହରଟାରେ । ସେମାନଙ୍କର ବ’ଏ ଫ୍ରେଣ୍ଡର କାର୍‌ ଅଛି, ସେମାନେ ଯେଉଁମାନଙ୍କ ନିକଟକୁ ଆସନ୍ତି ସେମାନେ ବିଡ଼ା ବିଡ଼ା ନୋଟ୍‌ ଫିଙ୍ଗି ପାରନ୍ତି, କିଏ କହିବ ସେମାନେ ସମସ୍ତେ ଆଜୀବନ ବ୍ୟାଚେଲର ? ବିବାହିତ ନୁହଁନ୍ତି । ମାତ୍ର ସେମାନେ ସବୁ କରିପାରନ୍ତି । ସେମାନଙ୍କୁ ସାତଖୁଣ ମାଫ୍‌-। ତେବେ ମୋତେ ଭୁଲ ବୁଝୁଛନ୍ତି କାହିଁକି ? ମୁଁ ଯାହା, କରିଛି ସେଥିପାଇଁ ମୋଟେ ଅନୁତପ୍ତ ନୁହେଁ । ମୁଁ ଆପଣଙ୍କ ସାହାଯ୍ୟ ଚାହୁଛି ପେସେଣ୍ଟ ଯେତିକିଟା ଡାକ୍ତରଙ୍କଠାରୁ ଆଶା କରିବା କଥା, ସେତିକି । ଗର୍ଭପାତ ତ ଆଜି ଆଇନସମ୍ମତ । ଆପଣ ଆଉଥରେ ବିଚାର କରନ୍ତୁ । ମୋତେ ଅବହେଳା କରୁଛନ୍ତି କାହିଁକି ? ଏହା ଆପଣଙ୍କ ଧର୍ମର ବିରୁଦ୍ଧାଚରଣ କରୁଛି ।

 

ମୁଁ ଶୁଣୁଥିଲି ଏଥିପାଇଁ ଖୁବ୍‌ କମ୍‌ ସମୟ ଲାଗୁଛି । ଆପଣ ଆଉ ବିଳମ୍ବ କରନ୍ତୁ ନାହିଁ । ମୁଁ ଧୀରେ ଧୀରେ ଦୁର୍ବଳ ହୋଇ ଯାଉଛି । ସମସ୍ତ ମାନସିକ ଶକ୍ତି ହରାଇବା ପୂର୍ବରୁ ମୋତେ ଆପଣ ରକ୍ଷା କରନ୍ତୁ । ନଚେତ୍‌ ମୁଁ ଅନ୍ୟତ୍ର ଚେଷ୍ଟା କରିବି । ଆଜି ଯୁଗରେ ନାରୀକୁ କ୍ରୀଡ଼ନକ କରି ଖେଳିବାକୁ ଦେବାକୁ ମୁଁ ଚାହେଁ ନାହିଁ । ପୁରୁଷ ପରି ତା’ର ମଧ୍ୟ ସମ୍ଭୋଗର ସ୍ୱାଧୀନତା ଅଛି । ମୁଁ ଏକଥା ବିଶ୍ୱାସ କରେ । ଆଉ ବିଳମ୍ବ କରନ୍ତୁ ନାହିଁ । ବହୁତ ବାଧୁଛି । କ’ଣ କହୁଛନ୍ତି ? ହଁ କି ନାହିଁ ଗୋଟାଏ କଥା କୁହନ୍ତୁ । ଡକ୍‌ଟର–ଡକ୍‌ଟର–ଡକ୍‌ଟର ।

 

ମଉସାଙ୍କ ମନକଥା

 

ମଉସା ମନେ ମନେ ହସୁଥିଲେ । ସୁନାପାତିଆ ଦାନ୍ତ ପାନବୋରରେ ମାଟିଆ ଦିଶୁଥିଲା । ଭୁଲ୍‌ କଲି କ’ଣ ? ଯେ ଆସି ଜୀବନ ଯୌବନ ବାଜିବସିଲା ହୁ ହୁ ହତାଶ କରିବାରେ ଗୌରବଟା କେଉଁଠାରେ ରହିଥାନ୍ତା ? ମୁଁ ତ ଭୁଲ କରି ନାହିଁ । ମୁଁ ହୁଏତ ନାହିଁ କରିଥାଆନ୍ତି । ମାତ୍ର ସ୍ନିଗ୍‌ଧା ଯେ ଅନ୍ୟତ୍ର ଯାଇ ନ ଥାନ୍ତା କିଏ କହିବ ? ତା’ରି ସାଙ୍ଗମାନେ ତ ପୁଣି ଅନ୍ୟତ୍ର ଯାଉଛନ୍ତି । କିଏ ଚିଫ୍‌ ସେକ୍ରେଟାରୀର ଝିଅ ତ କିଏ ନେତାଙ୍କ ନାତୁଣୀ । ସେମାନେ ପଇସାପାଇଁ ଯାଉଛନ୍ତି । ସେମାନେ ବି ଦେହ ବିକୁଛନ୍ତି । ସେମାନଙ୍କ ମଧ୍ୟରେ ଆଉ ସାଧାରଣ ରୂପଜୀବୀ ମଧ୍ୟରେ ପାର୍ଥକ୍ୟ କେଉଁଠି । ମାତ୍ର ସ୍ନିଗ୍‌ଧା ? ତା’ର ସ୍ଥାନ ଉଚ୍ଚରେ । ସେ ଯଥାର୍ଥରେ ହୃଦୟର ରାଣୀ । ସେ ପଇସାପାଇଁ ଦେହ ବିକେ ନାହିଁ ।

ମୁଁ ଲମ୍ପଟ ନୁହେଁ । ପ୍ରତାରକ ନୁହେଁ । ସ୍ନିଗ୍‌ଧା ମୋତେ ଜାଣେ, ମୁଁ ବିବାହିତ । ତାକୁ ଆଉଥରେ ବିବାହ କରିବାର ସମ୍ଭାବନା ମୋର, ମୋଟେ ନାହିଁ । ମାତ୍ର ମୋର ଯୌବନ ଅଛି । ମୁଁ ବସନ୍ତର, ଫୁଲର ଓ ନାରୀର ଅପମାନ କରିପାରେ ନାହିଁ । ସମାଜ ଆଖିରେ ମୁଁ ଦୋଷୀ ହୋଇପାରେ; ମାତ୍ର ମୁଁ ଆପଣାକୁ ଦୋଷ ଦେଇପାରୁ ନାହିଁ । ସ୍ନିଗ୍‌ଧା ମୋତେ ଭଲଭାବେ ଜାଣେ-। କିଏ କହେ ଥରେ ବିବାହ କରିଗଲେ ସବୁ ଉପଭୋଗର ସମାଧାନ ହୋଇଗଲା ।

ଏ ଡାକ୍ତର ସ୍ନିଗ୍‌ଧାକୁ ନାହିଁ କଲେ ମୁଁ ଅନ୍ୟତ୍ର ନେବି । ତାଙ୍କର କାମପାଇଁ ପାଉଣା ପ୍ରୟୋଜନ । ପାଞ୍ଚ ସ୍ଥାନରେ ଆମେ ଦ’ଶ ଦେବୁ । ଭଲ ମନ୍ଦ, ପାପ ପୁଣ୍ୟ, ପ୍ରଶଂସା ଅପବାଦ ତୁମେ ବିଚାର କରିବାକୁ କିଏ ?

ମୁଁ ଜାଣେ ତୁମେ ମୋତେ ଘୃଣା କରୁଛ ଡକ୍‌ଟର, କାରଣ ମୁଁ ଯାହା କରିଛି ତୁମେ ଜାଣି ପାରିଛ । ମୁଁ ମଧ୍ୟ ସ୍ୱୀକାର କରିଛି ସ୍ନିଗ୍‌ଧାର ବାପ ନିକଟରେ । ଆପଣଙ୍କ ନିକଟରେ । ମାତ୍ର ଆପଣଙ୍କ ପାଖକୁ ଯେଉଁ ଶହ ଶହ ରୋଗୀ ଆସୁଛନ୍ତି ସେମାନଙ୍କ ଭିତରେ ଯେ ମୋ’ଠାରୁ କେହି ଅଧିକ ଭୟଙ୍କର, ଅଧିକ ଅପରାଧୀ (ଆପଣଙ୍କ ଆଖିରେ) ନାହାନ୍ତି ତାହା କ’ଣ ଆପଣ ଜୋର ଦେଇ କହି ପାରିବେ ? ତେବେ ଆପଣ ମୋ ବେଳକୁ ଏତେ ନିର୍ଦ୍ଦୟ କାହିଁକି ହେଉଛନ୍ତି । ଏପରି ଘୃଣାର ସହିତ ମୋତେ ଚାହୁଁଛନ୍ତି କାହିଁକି ?

ସଂଦିଗ୍‌ଧମନା ଡାକ୍ତର

ତୁମେ ଗର୍ଭପାତପାଇଁ ମୋତେ ଅନୁରୋଧ କରୁଛ । କାରଣ ମୁଁ ଡାକ୍ତର । ତୁମେ ଭୁଲି ଯାଉଛ ମୁଁ ପ୍ରଥମେ ମଣିଷ । ମୋର ମଧ୍ୟ ନିର୍ଦ୍ଦଷ୍ଟ କର୍ତ୍ତବ୍ୟ ଅଛି । ମୁଁ ପେଟପାଇଁ ମେଣ୍ଢା କିମ୍ବା ଛେଳି କାଟି ମାଂସ ବିକ୍ରୀ କରୁନାହିଁ । ତୁମେ ଆଗରୁ ଆସିଥାଆନ୍ତ କଥା ଅଲଗା ଥିଲା । ମାତ୍ର ଏତେ ବିଳମ୍ବରେ ଆସିଲ । ମୁଁ ନିରୁପାୟ । ପିଲା ଯାହାର ହେଉ, ସମାଜ ଯାହା କୁହ, ଦାୟୀ ଯିଏ ହେଉନା କାହିଁକି, ମା’ର ପେଟ ଭିତରେ ଯେ ଗୋଟିଏ ସୁସ୍ଥ ଶିଶୁ ଘୂରି ବୁଲୁଛି ଓ ଦିନ କେଇଟା ପରେ ମା’ର ଅନ୍ତଫାଡ଼ି ଏ ମାଟିର ଉଭା ହେବ—ଏହା ମୁଁ ଅନ୍ତତଃ ନାହିଁ କରି ପାରିବି ନାହିଁ । ଟଙ୍କା ପାଇଁ ମଣିଷ ଶିକାର କରିବା ଭଳି ଡାକ୍ତର ମୁଁ ଅନ୍ତତଃ ନୁହେଁ ।

ତୁମେମାନେ ପୂର୍ବରୁ ଆସି ପାରିଲ ନାହିଁ । କାରଣ କେଉଁ ପନ୍ଥା ବାଛିବ, କିଏ ତୁମର ସହାୟକ ହେବ ତାହା ତୁମେ ସ୍ଥିର କରି ପାରିଲ ନାହିଁ । ସେଥିପାଇଁ ଏ ବିଳମ୍ବ । ମାତ୍ର ମୁଁ ନା’ଚାର-। ମୋର ନାଁ ଯାହାହେଉ, ଗର୍ଭପାତ କରିବାରେ ମୁଁ ସିଦ୍ଧହସ୍ତ ଡାକ୍ତର । ମୋ କ୍ଲିନିକ୍‌ରେ କୁଆଁରୀକନ୍ୟାଙ୍କ କ୍ୟୁ ଲମ୍ବି ରହୁ ମୁଁ ଏହା ଚାହେ ନାହିଁ । ମୁଁ ନାହିଁ କରି ଦେବାଟା ଏକମାତ୍ର ପନ୍ଥା । ମାତ୍ର ବିଚାରୀ କେତେ ଆଶାନେଇ ଆସିଥିଲା । ହୁଏତ ଗୋଟାଏ ଭବିଷ୍ୟତ ନଷ୍ଟ ହୋଇଯିବ । ମଣିଷ ଭୁଲ୍‍ କରି ବସେ । ସେ କରିଛି । ମୁଁ ତେବେ ତାକୁ ସାହାଯ୍ୟ କଲି ଆଉ କ’ଣ ? ମାତ୍ର ଜାଣି ଜାଣି ଯିଏ ଗରଳ ପିଇବ, ସେ ବରଂ ବାଛି ନେଉ ମୃତ୍ୟୁ । ମୃତ୍ୟୁ ସବୁ କଳଙ୍କ ଧୋଇନେବ । ସବୁ ସମସ୍ୟାକୁ କବର ଦେଇଦେବ ।

 

ଏକ ଉଦାର ପ୍ରସ୍ତାବ

 

ଡକ୍‌ଟର ଅତି ନମ୍ରତାର ସହିତ କହିଲେ, ମୁଁ ପାରିବି ନାହିଁ । କ୍ଷମା କରିବେ ।

 

‘ପାରିବି ନାହିଁ’ର ପ୍ରତିଧ୍ୱନି ବିନାମେଘରେ ବଜ୍ରପାତର ଯନ୍ତ୍ରଣା ଦେଲା ସେମାନଙ୍କୁ । ଛ’ ଗୋଟି ଆଖି କେବଳ ଚାହିଁ ରହିଲେ ଡାକ୍ତରଙ୍କୁ ।

 

—‘‘ଡାକ୍ତର ଆଉଥରେ ଭାବନ୍ତୁ ଆମର... ।’’

 

ମୋର ଗୋଟିଏ ପ୍ରସ୍ତାବ, ଯଦି ପସନ୍ଦ ହେଉଛି, ଗ୍ରହଣ କରନ୍ତୁ । ଛ’ଗୋଟି କାନ ସକ୍ରୀୟ ହୋଇ ଉଠିଲେ । ସ୍ନିଗ୍‌ଧା ଗର୍ଭନଷ୍ଟ ନ କରି ବରଂ ମୋ ଯତ୍ନରେ ରହନ୍ତୁ । ମୁଁ ଏହି କ୍ଳିନିକ୍‌ରେ ଡେଲିଭରି କରାଇବି । ଆଉ ବା ଦିନ କେଇଟା ? ଯେଉଁ ପିଲାଟି ହେବ ସେ ମୋର ନିକଟରେ ରହିବ । ତାକୁ ମୁଁ ପାଳିବି । ତାକୁ ମଣିଷ କରିବା ଦାୟିତ୍ୱ ମୋର । ମୋ ଉପରେ ଆସ୍ଥା ରଖନ୍ତୁ । ଏକଥା ଦୁନିଆରେ କେହି ଜାଣିବେ ନାହିଁ । କଣ କହୁଛନ୍ତି, କହନ୍ତୁ । ସ୍ନିଗ୍‌ଧା ତୁମେ କହ ? ମୋ ପ୍ରସ୍ତାବରେ ରାଜି ତ ? ଆପଣ ବି କହନ୍ତୁ ?

 

‘‘ସ୍ନିଗ୍‌ଧା ଉପରେ ସବୁ ନିର୍ଭର କରେ ।’’ ବୃଦ୍ଧ ପିତା କହି ଉଠିଲେ । ମଉସା ମଧ୍ୟ ମୁଣ୍ଡ ହଲାଇଲେ ପିତାଙ୍କ କଥାକୁ ସମର୍ଥନ ଜଣାଇ । ମାତ୍ର ସ୍ନିଗ୍‌ଧା କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇପାରୁ ନ ଥିଲା । ଓଠ ଦୁଇଟି କେବଳ ଥରି ଉଠୁଥିଲା ତା’ର ।

 

ଡକ୍‌ଟର କହିଲେ, ବିବ୍ରତ ହେବାର କାରଣ ନାହିଁ ସ୍ନିଗ୍‌ଧା । ତୁମେ ଭାବିଚିନ୍ତି କହ । ଭାବିବାପାଇଁ ସମୟ ନିଅ । ମାତ୍ର ଯେତେ ଶୀଘ୍ର ନିଷ୍ଣତ୍ତି ନେବ ସେତେ ମଙ୍ଗଳକର । ମନେରଖ ବିନାଶ କରିବା ଅପେକ୍ଷା ସୃଷ୍ଟିକୁ ବଞ୍ଚାଇ ରଖିବାରେ ଗୌରବ ଅଧିକ । ଅନେକ ବିଳମ୍ବ ହେଲାଣି । ଆଜି ଆପଣମାନେ ଯାଆନ୍ତୁ ।

 

ନମସ୍କାର ଜଣାଇ ସେମାନେ କ୍ଲିନିକ୍‌ରୁ ବାହାରି ଆସିଲେ । ସ୍ନିଗ୍‌ଧାର ମୁଣ୍ଡ ଘୂରି ଯାଉଥିଲା । ସମ୍ମୁଖରେ ପଥତ ଅନେକ । ମାତ୍ର କେଉଁ ପଥରେ ଆଗେଇବ ସେ କିଛି ସ୍ଥିର କରି ପାରୁ ନ ଥିଲା । ଡକ୍‌ଟର କ୍ଲିନିକ୍‌ ମଧ୍ୟରେ ସେହିପରି ଅନ୍ୟମନସ୍କ ଭାବେ ବସି ରହିଥିଲେ । ବାହାରେ ଫ୍ୟାନ୍‌ ପବନରେ ଝୁଲୁଥିଲା କାଗଜ ପଟାର ବୋର୍ଡ଼ । ତା’ ଉପରେ ଲେଖାଥିଲା ‘‘ଡାକ୍ତର ଭିତରେ ଅଛନ୍ତି, ଅପେକ୍ଷା କରନ୍ତୁ ।’’

񤦬񤦬񤦬

 

ଅବାଂଛିତ

 

ବସ୍‌ଷ୍ଟାଣ୍ଡ୍‌ ପୂର୍ବରୁ ତାହାହି ଲାଷ୍ଟ ଷ୍ଟପେଜ । ସେକ୍ରେଟାରୀଏଟ୍‌ ସମ୍ମୁଖରେ ବସ୍‌ ଠିଆ ହେଲା । କର୍ମଚାରୀମାନେ ଓହ୍ଲାଇଗଲେ । ଖଦଡ଼ପିନ୍ଧା ଯୁବକ ଜଣକ ମଧ୍ୟ ବସ୍‌ରୁ ଓହ୍ଲାଇ ସେକ୍ରେଟାରୀଏଟ୍‌ ଅଭିମୁଖେ ଆଗେଇଲେ । ରାସ୍ତାସାରା ସେ ବଡ଼ ପାଟିରେ କଥା କହି କହି ଆସୁଥାନ୍ତି । ସେ ବସ୍‌ର ଯାତ୍ରୀମାନଙ୍କୁ ଗୋଟାଏ ଧାରଣା ଦେବାକୁ ଚେଷ୍ଟା କରୁଥିଲେ ଯେ ସେ ସାଧାରଣତଃ ବସ୍‌ରେ ଆସନ୍ତି ନାହିଁ । କେତେକ ଜରୁରୀ ବିଷୟ ସମ୍ପର୍କରେ ଆଲୋଚନା କରିବାପାଇଁ ଶିକ୍ଷାମନ୍ତ୍ରୀଙ୍କ ଜରୁରୀ ଡାକରା ପାଇ ଆସିଛନ୍ତି । ସେ ଯେଉଁ କାର୍‌ରେ ଆସିବା କଥା ସେ ଚାଲି ଆସିଲା । ସେ ବାଧ୍ୟ ହୋଇ ବସ୍‌ ଧରିଲେ ।

 

ସେ କୌଣସି ଦଳର ଜଣେ ରାଜନୈତିକ କର୍ମୀ । କୌଣସି ରାଜନୈତିକ ଦଳର ଗୋଟିଏ ସାଧାରଣ କର୍ମୀ ହୋଇଯିବା କେତେ ଭଲ ସତେ । ଲାଭପ୍ରଦ । କାମ ଭିତରେ ତଣ୍ଟି ଫଟାଇ ସ୍ଲୋଗାନ ଦେବ । ସୁବିଧା ଅସୁବିଧାରେ ସଭା ସମିତିରେ ଆପଣା ଦଳର ନେତାମାନଙ୍କୁ ଫୁଲମାଳ ଦେବ । ସେମାନଙ୍କ ଭାଷଣ ଶେଷରେ ତାଳି ପିଟିବ । ସେମାନେ ଥିବା ସମୟତକ ସଭାର ଏପଟ ସେପଟ ହେଉଥିବ । ଏଇତ ଯଥେଷ୍ଟ । ତା ପରେ ତମେ ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ଦଳର ବା ନେତାଙ୍କ ଲୋକ ବୋଲି ଅନ୍ୟମାନଙ୍କୁ ସଫଳଭାବେ ଜଣାଇ ଦେଇ ପାରିବ, ସେତେବେଳେ ତୁମେ ନକରି ପାରିବ କ’ଣ ? ଯେ କୌଣସି ଦୋକାନରେ ପଶି ଖାଇ ପିଇ ପଇସା ନଦେଇ ଚାଲିଯାଇ ପାରିବ । ମନ୍ତ୍ରୀଙ୍କ ଫୋନ୍‌ରୁ ଫୋନ୍‌ କରି ଚାନ୍ଦାଭେଦା ଉଠାଇ ପାରିବ । ସହଜରେ କଣ୍ଟ୍ରୋଲ ଜିନିଷ ପାଇ ପାରିବ । ମନ୍ତ୍ରୀଙ୍କ ଅଧୀନରେ ଥିବା ଆଇ.ଏ.ଏସ୍‌. ଓ ସେକ୍ରେଟାରୀଏଟ୍‌ର ବଡ଼ବାବୁମାନେ ତାପରେ ତୁମ ପିଛା ଧରିବେ । ସେମାନଙ୍କର ମନ୍ତ୍ରୀମାନଙ୍କ ନିକଟରେ କାମ । ତୁମକୁ କିଛି ପଚାରିଲେ ତୁମକୁ ସୁହାଇଲା ପରି ଉତ୍ତର ତୁମେ ଦେବ—ମନ୍ତ୍ରୀ ବ୍ୟସ୍ତ ଅଛନ୍ତି—ବାଥ୍‌ ରୁମ୍‌ରେ ଅଛନ୍ତି ପରେ ଆସନ୍ତୁ—ଅପେକ୍ଷା କରନ୍ତୁ । ତା ପରେ ତୁମ ଭାଉ ବୃଦ୍ଧି ପାଇଲା । ତୁମକୁ ନ ଧରିଲେ କାମ ଅଚଳ । ସତରେ କେତେ ସହଜରେ ଏମାନଙ୍କ ପାଇଁ ସବୁ ସମ୍ଭବ ହୋଇ ପାରୁଛି । ଜୀବନଯାତ୍ରା ଲାଗି ସଂଗ୍ରାମ ନାହିଁ, ଅଥଚ ଲୋଭନୀୟ ଜୀବନ ଯାପନ କରି ହେଉଛି । କ୍ଷମତାରେ ଥିବା ବ୍ୟକ୍ତିମାନଙ୍କର ପାଖଲୋକ ବୋଲି ଏମାନେ ନ କରୁଛନ୍ତି କ’ଣ ? ଏହି କାର୍ଯ୍ୟରେ ସାମାନ୍ୟ ଦକ୍ଷତା ହାସଲ କରି ପାରିଲେ ବୁଝିବାକୁ ହେବ ଯେ ପ୍ରାଥମିକ ସ୍ତରରେ ତୁମେ ଯୋଗ୍ୟତା ହାସଲ କରି ପାରିଛ । ତୁମ ରାଜନୈତିକ ଭବିଷ୍ୟତ ଓ ବୈଷୟିକ ଜୀବନ ଉଜ୍ଜ୍ୱଳମୟ ।

 

ମୁଁ ତାଙ୍କର ପ୍ରତିଟି କଥା ପ୍ରତି ଧ୍ୟାନ ରଖିଥାଏ । ସତରେ କେତେ ଚାଲାକ୍‌ ଏମାନେ । ମୁଁ ମୋର ସାନଭାଇ ଦି’ଜଣଙ୍କୁ କମ୍ପିଟିସନ ପରୀକ୍ଷା ଦେଇ ଭଲ ଚାକିରୀଟିଏ ପାଇବା ପାଇଁ ଚରମ ଉଦ୍ୟମ କରିବାଲାଗି ବରାବର ଲଗାଇଛି । ଧରନ୍ତୁ ଚାକିରୀ ମିଳିଗଲା । କେତେ ଟଙ୍କା ବା ପାଇବେ ? ସେଥିରେ କ’ଣ ମଟର କିଣି ହେବ ? ସେଥିରେ କ’ଣ ମଦ କିଣି ପିଇ ଆଜିର ସଭ୍ୟ ସମାଜ ସଙ୍ଗେ ତାଳଦେଇ ସେମାନେ ଚାଲି ପାରିବେ ? ମୋ ଆଖି ଖୋସି ହୋଇଗଲା । ମୁଁ ଭାବିଲି ଏସବୁ ମୋର ଭାବିବା ଉଚିତ ନୁହେଁ ।

 

ମୁଁ ପୁଣି ଚାହିଁଲି ଏହି ଯୁବକ କର୍ମୀଙ୍କୁ...ତାଙ୍କର ବନ୍ଧୁଙ୍କୁ । ବସ୍‌ରୁ ଓହ୍ଲାଇବା ପୂର୍ବରୁ ତାଙ୍କର ଶେଷ ଆଲୋଚ୍ୟ ବିଷୟ ଥିଲା ବନ୍ୟା ମରୁଡ଼ି ସମ୍ପର୍କରେ । ମୁଁ ଭାବିଲି ଯାହାହେଉ ଶୁଭ ଲକ୍ଷଣ । ଦେଶର ଯାହା ପ୍ରକୃତ ସମସ୍ୟା ସେ ନେଇ ଯୁବଶକ୍ତି ଚିନ୍ତିତ । ମାତ୍ର ମୋର ଆଶାର ହାବେଳି ବେଶି ଉଚ୍ଚକୁ ନଉଠି ଏତେଶୀଘ୍ର ତଳକୁ ପଡ଼ିଯିବ ବୋଲି ମୁଁ ଭାବି ନଥିଲି । ଯୁବକ ଜଣକ କହିଲେ ଦେଶରେ ଏବର୍ଷ ମରୁଡ଼ି ହେଲା ନାହିଁ, ବନ୍ୟା ହେଲା ନାହିଁ, ଆମେ କରିବୁ କ’ଣ ? ଚଳିବୁ କିପରି ? ମୁଁ ଯୁବକ ଦେଶସେବୀଙ୍କର ଅଭିପ୍ରାୟ ବୁଝିଲି । କ’ଣ କହିବି ବୋଲି ପାଟି ଫିଟାଇ ଆଣୁଥିଲି କିନ୍ତୁ ନୀରବ ରହିଲି । ଭାରି ଦୁଃଖ ଲାଗିଲା । ନିଜକୁ ପଚାରୁଥିଲି ଏମାନେତ ଆଜହୁଁ ଏଡ଼େ । ସତରେ ଯଦି ଏମାନେ କିଛି ହୁଅନ୍ତି ଦେଶକୁ ରଖିବେ ତ ? ହେ’ ପ୍ରଭୁ ଜଗନ୍ନାଥ । ସତରେ ଯଦି ତୁମେ ଥାଅ, ଏଇମାନଙ୍କ ହାତରୁ ଆମକୁ ରକ୍ଷାକର ।

 

ଯୁବକ କର୍ମୀ ଚାଲିଗଲେ । ତାଙ୍କର ବନ୍ଧୁଙ୍କୁ ସାହସ କରି ପଚାରିଲି, କିଛି ଭାବିବେ ନାହିଁ–ଏ ବାବୁ କିଏ ?

 

ଯୁବକ କର୍ମୀଙ୍କ ଉଦ୍ଦେଶ୍ୟରେ ହାତ ଦେଖାଇ ସେ କହିଲେ...ସୁବୋଧ ଭାଇ—କ’ଣ ହେଲା । ପକା ଟାଉଟରଟେ କ’ଣ କାମ ଅଛି, କହନ୍ତୁ । ତାକୁ କିଛି ଦିଅନ୍ତୁ ସେ କରାଇଦେବ । ବେଳେ ବେଳେ ମନ୍ତ୍ରୀ ତାଙ୍କ କଥା ଶୁଣନ୍ତି । ଏବେ ଜଣକୁ ଗୋଟାଏ କଣ୍ଟ୍ରାକ୍‌ଟ୍ରି କରିବାପାଇଁ କାମଟିଏ ଯୋଗାଡ଼ କରାଇ ଦେଇଛି । ତାକୁ ମନାଇ ପାରିଲେ ହେଲା । ଆପଣଙ୍କର କାମ କ’ଣ ?

 

ମୁଁ ଗୋଟିଏ ହଲାର ବସାଇବାକୁ ଚାହୁଛି । ପରମିସନ ଦରକାର ।

 

ମୁଁ ପୁଣି ପଚାରିଲି, ସେ ଚାଲିଗଲେଣି । ତାଙ୍କୁ କେଉଁଠାରେ ପାଇବି ?

 

ସୁବୋଧଭାଇଙ୍କ ବନ୍ଧୁ ହସିଲେ । କହିଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ତାଙ୍କୁ ପାଇବା ମୋଟେ ଅସୁବିଧା ନୁହେଁ । ପ୍ରତିଦିନ ସେକ୍ରେଟାରିଏଟ୍‌ରେ ତାଙ୍କୁ ଭେଟିବେ । ଯେଉଁସ୍ଥାନରେ ମନ୍ତ୍ରୀମାନେ ବସନ୍ତି ସେହି ସ୍ଥାନରେ ସେ ଏପାଖ ସେପାଖ ହେଉଥାନ୍ତି, ନଚେତ ପାର୍ଟି ଅଫିସ୍‌ରେ । ନା ଯଦି କେଉଁଠାରେ ନପାଇବେ ତେବେ କଟକର ଦୋଳମୁଣ୍ଡାଇ ଛକରେ ଦିନ ଏଗାରଟାରୁ ବାରଟା ସାଢ଼େ ବାରଟା ମଧ୍ୟରେ ତାଙ୍କୁ ପାଇ ପାରିବେ । ସେ ରାଜଧାନୀକୁ ଆସିବା ପାଇଁ କାର୍‌କୁ ଅପେକ୍ଷା କରି ରହିଥିବେ । ତାଙ୍କୁ ସେଠାରେ ପାଇବେ ।

 

ତାଙ୍କ କାର୍‌ର ରଙ୍ଗ ?

 

ସବୁ ରଙ୍ଗର କାର୍‌ ତାଙ୍କର ଅଛି—ସାମାନ୍ୟ ହସି ସୁବୋଧ ବାବୁଙ୍କ ବନ୍ଧୁ କହିଲେ ।

 

‘‘ମାନେ ?’’

 

‘ମାନେ—ଯେ କୌଣସି କାର୍‌ ଅଟକାଇ ସେ ଆସି ପାରନ୍ତି । ଗାଡ଼ି ଅଟକାଇବା ପରେ ନମ୍ରଭାବେ ତାଙ୍କର ରାଜଧାନୀ ଆଗମନର ଉଦ୍ଦେଶ୍ୟ ବର୍ଣ୍ଣନା ଶୁଣିଲେ ଯେ କେହି ଭଦ୍ରଲୋକ ସମ୍ଭ୍ରମି ଯିବେ—ନୃସିଂହ ଭାଇ (ଶିକ୍ଷା ମନ୍ତ୍ରୀ) ମଦନ ବାବୁ (ଘରୋଇ ମନ୍ତ୍ରୀ) ବା ଅନ୍ୟ କେହି ବିଶିଷ୍ଟ ବ୍ୟକ୍ତିଙ୍କ କଲ୍ ପାଇଁ ସେ ରାଜଧାନୀରୁ ଆସୁଛନ୍ତି । ଗାଡ଼ି ଚାଲିଗଲା । ବାଧ୍ୟ ହୋଇ ଆପଣଙ୍କୁ ଲିଫଟ୍‌ ମାଗିଲି । କ୍ଷମା କରିବେ ।’

 

ମୁଁ ଆଉ ହସ ସମ୍ଭାଳି ପାରିଲି ନାହିଁ । କହିଲି ଛାଡ଼ନ୍ତୁ । ଯିଏ ଏବର୍ଷ ମରୁଡ଼ି ବନ୍ୟା ନାହିଁ ବୋଲି ବ୍ୟସ୍ତ ତାଙ୍କଠାରୁ ଆଉ ଅଧିକ କ’ଣ ଆଶା କରିବା ? ସେ ଯାହା ହୁଅନ୍ତୁ, ମୁଁ ଚାହେଁ ମୋ କାମ ହୋଇଯାଉ । ମୁଁ ନମସ୍କାର କରି ସୁବୋଧ ଭାଇଙ୍କ ବନ୍ଧୁଙ୍କଠାରୁ ବିଦାୟ ନେଲି ।

 

ମୁଁ ଏକଲକ୍ଷ୍ୟରେ ଚାହିଁ ରହିଲି ଆମର ସେକ୍ରେଟାରିଏଟ୍‌ର ବିଶାଳ କୋଠାକୁ । ବଞ୍ଚିବା ପାଇଁ କୌଣସି ନା କୌଣସି କାମରେ ଏଠିକୁ ଆସିବାକୁ ପଡ଼ିଥାଏ । ପବିତ୍ର ଲିଙ୍ଗରାଜଙ୍କ ତୀର୍ଥରେ ଏହା ତୀର୍ଥଶ୍ରେଷ୍ଠ । ଏଠାରେ ଯେଉଁ ଦେବ ଦେବୀ ଅଛନ୍ତି, ସେମାନେ ଅନ୍ୟମାନଙ୍କ ଠାରୁ ଭିନ୍ନ । ଅନ୍ୟମାନଙ୍କୁ ଫୁଲ ଚନ୍ଦନ, ନାରିକେଳ, କଦଳୀ ଦେଲେ ବଳିଯାଏ, ମାତ୍ର ଏଠି ସେସବୁ ଚଳେ ନାହିଁ-। ଏଠାରେ ବରାଦି ଭୋଗ ହେଲା, ପର୍‌ସେଣ୍ଟ ବଣ୍ଟାବଣ୍ଟି, ଧଳାଚକି, ବୋତଲ, ସୋଫାସେଟ୍‌; ଶାଢ଼ୀ, ଟେରେଲିନ୍‌ ସୁଟିଂ ଆହୁରି ଅନେକ କିଛି । ସାମାନ୍ୟ ଶ୍ୱେତଚମଡ଼ା ଥିବା ଯୁବତୀ ହେଲେ ପଥ ଆହୁରି ସୁଗମ । କାର୍ଯ୍ୟ ଆହୁରି ତୁରନ୍ତ ହାସଲ ହୋଇଯିବ । ଧନ୍ୟ ମୋର ଦେଶ । ଏଠାକୁ ଥରଟିଏ ଆସି କାମ ହୁଏ ନାହିଁ ।

 

ମୁଁ ନମସ୍କାର ଜଣାଇଲି ସୁବୋଧ ଭାଇଙ୍କ ଉଦ୍ଦେଶ୍ୟରେ । ଆଉ ଆମ ସେକ୍ରେଟାରୀଏଟ୍‌ ଉଦ୍ଦେଶ୍ୟରେ । ମୁଁ ଦେଶର ସ୍ୱାଧୀନ ନାଗରିକ । ମେହନତିକରା ମଣିଷ । ଗୁଡ଼ାଏ ଟାଉଟରଙ୍କ ଅସମ୍ଭବ ଭିଡ଼ ଏବଂ ନାଲି ଫିତାର ଜାଲ କାଟି ଆଗକୁ ଯିବାର ଭରସା ମୁଁ ଧୀରେ ଧୀରେ ହରାଇ ବସୁଛି ।

 

(୨)

 

ମନରେ ଆଶା ବାନ୍ଧି ଆସିଲି । ଏଥର କାମ ହୋଇଯିବ । ସୁବୋଧଭାଇ ଅପରିଚିତ ନୁହଁନ୍ତି । ନିର୍ବାଚନବେଳେ କହିଥିଲେ, ମନ୍ତ୍ରୀମଣ୍ଡଳ ଗଢ଼ା ହେଉ ସବୁ କରିବା । ତୁମର ଏ’ଟା କି କାମ ଯେ ଫୋନ୍‌ ଉଠାଇଲେ ହେଲା ।

 

ଏବେତ ମନ୍ତ୍ରୀମଣ୍ଡଳ ଗଢ଼ାହେଲା । ଆଉ ଅସୁବିଧା କ’ଣ ?

 

ମନ୍ତ୍ରୀଙ୍କ କ୍ୱାର୍ଟରସ୍‌ ଆଗରେ ତାଙ୍କ ନାମଫଳକ ଝୁଲୁଛି । ମୁଁ ସିଧାଚାଲିଲି ଭିତରକୁ । ଭିତରେ ଅନେକ ଲୋକ । ସମସ୍ତେ ମନ୍ତ୍ରୀଙ୍କ ଦର୍ଶନାଭିଳାଷୀ । ଅନେକ ଛୋଟ ଛୋଟ ଦଳ ହୋଇ ବୁଲୁଛନ୍ତି । ଡ୍ରଇଂରୁମ୍‌ରେ କେଇଜଣ ବସିଛନ୍ତି । ସୁବୋଧଭାଇଙ୍କୁ ଦେଖି ସାହସକରି ପଶିଗଲି । ମୋତେ ଦେଖି ଭଲମନ୍ଦ କିଛି ନ ପଚାରି କହିଲେ, ଯାଇ ଲାଇନରେ ଠିଆ ହୁଅନ୍ତୁ । ମନ୍ତ୍ରୀ ଆସିବେ-। କେତେ ଲୋକଙ୍କୁ ଭେଟିବେ । ଦିନ ନାହିଁ ରାତି ନାହିଁ । ଏମିତି ହେଲେ ଦେହ ଆଉ ଭଲ ରହିବ ନା ? କିହୋ ଦେଶ କାମ କରିବ ବୋଲି ନିଜରତ ପୁଣି ଦେହପାଆ ଅଛି । ଅନୁ କ’ଣ କାହାକଥା ଶୁଣୁଛି କି ?

 

ବୁଝିଲି ଅନୁ ହେଉଛି ମନ୍ତ୍ରୀ ଅଦ୍ୱୈତବାବୁଙ୍କ ଡାକ ନାମ । ଡାକ ନାମରେ ମନ୍ତ୍ରୀଙ୍କୁ ଡାକୁଛନ୍ତି । ତାଙ୍କ ସଙ୍ଗରେ ଆପଣାର ଆତ୍ମୀୟତା ଦେଖାଇବା ପାଇଁ ମଝିରେ ମଝିରେ ସେ ସମସ୍ତଙ୍କୁ ଶୁଭିଲା ପରି ପିଅନମାନଙ୍କୁ ପଚାରୁଛନ୍ତି, ଅନୁ ଗାଧୋଇ ସାରିଲାଣି ? ପାଉଁରୁଟି ଅଛି କି-? ମାଂସ ଆସିଲା କି ନାହିଁ ? ବଜାର କିଏ ଗଲା ? କହିବ ଖାଲି କଲିଜା କିଛି ଆଣିବ । ଅନୁ କଲିଜାକୁ ଭଲପାଏ ।

 

ମନ ଭାରି ଦୁଃଖ ହେଲା । ସୁବୋଧଭାଇ ବି ଚିହ୍ନିଲେ ନାହିଁ । ଦିନ ଦିନ ରାତି ରାତି ଏତେ ଦିନ ସାଙ୍ଗ ହୋଇ ନିର୍ବାଚନ ପ୍ରଚାରରେ ବୁଲିଲୁ । ଆଉ ମନ୍ତ୍ରୀ ଅଦ୍ୱୈତବାବୁ ଯଦି ନ ଚିହନ୍ତି, କିଛି ନ କରନ୍ତି ତେବେ ଭାବିବାର କ’ଣ ଅଛି ? ଦୁଃଖରେ ଡ୍ରଇଁ ରୁମ୍‌ରେ ଗୋଟିଏ କୋଣରେ ଠିଆ ହୋଇ ଚୁପ୍‌ ଚାପ୍ ସବୁ ଦେଖୁଥାଏ ।

 

ସୁବୋଧ ଭାଇ ମଝିରେ ମଝିରେ ମନ୍ତ୍ରୀଙ୍କ ଘରେ ପଶି ଯାଉଥାଆନ୍ତି ଏବଂ ବାହାରି ଆସୁଥାଆନ୍ତି । ଫୋନ୍‌ ବାଜି ଉଠିଲେ ନିଜେ ଧରି କହୁ ଥାଆନ୍ତି ମନ୍ତ୍ରୀ ଉଠି ନାହାନ୍ତି, ଷ୍ଟାଫ୍‌ ଏପର୍ଯ୍ୟନ୍ତ ଆସିନାହାନ୍ତି । କାହାକୁ କହୁ ଥାଆନ୍ତି, ଅଦ୍ୱୈତ ବାବୁ କାଲି ରାତି ଦୁଇଟାରେ ଫେରିଲେ-। କାହାକୁ କହୁଥିଲେ ଅନୁ ସମସ୍ତକୁ ବଳିଗଲା । ନବଚୌଧୁରୀ ମହତାବଙ୍କ କଥା କ’ଣ କହୁଥିଲ-? କେତେ କାମ କରୁଛି । କେତେ ଲୋକଙ୍କୁ ଶିକ୍ଷା ନଦେଇଛି । କିଏ ଜଣେ ଦେଖା ନ କରି ଫେରିଯିବ, ଏକଥା ହେଇ ପାରିବ ନାହିଁ । କହିବାର ସ୍ୱର ଏବଂ କହିବାର ଭଙ୍ଗୀରୁ ଜଣେ ସହଜରେ ଅନୁମାନ କରି ପାରିବ ସୁବୋଧ ଭାଇ ଫୋନ୍‌ରେ ଯାହାଙ୍କ ସଙ୍ଗେ କଥା ହେଉଛନ୍ତି ସେ କିଏ ? ପାର୍ଟିଲୋକ, ମନ୍ତ୍ରୀ, ସେକ୍ରେଟାରୀ, ସାମ୍ବାଦିକ ସାଧାରଣ କର୍ମୀ ବ୍ୟବସାୟୀ କିମ୍ବା ଅନ୍ୟ କେହି ।

 

ମନ୍ତ୍ରୀ ସାଢ଼େ ନଅଟା ପର୍ଯ୍ୟନ୍ତ ଶୋଇଛନ୍ତି । ନଚେତ ବାଥ୍‌ ରୁମ୍‌ରେ ବୋଲି ଅପେକ୍ଷାରେ ଥିବା ଲୋକମାନଙ୍କୁ ମଝିରେ ମଝିରେ କୁହାଯାଏ । ମୁଁ ଆଗ୍ରହୀ ହୋଇ ଉଠେ ଥରେ ହେଲେ ମନ୍ତ୍ରୀଙ୍କ ବାଥ୍‌ରୁମ୍‌ ଦେଖିବାର ସୁଯୋଗ ମୋତେ ମିଳନ୍ତା । କେତେ ସୁନ୍ଦର ହୋଇ ନ ଥିବ ସେ ଘର, ଥରେ ପଶିଲେ ସେ ଘରୁ ସହଜେ ମନ୍ତ୍ରୀ ବାହାରନ୍ତି ନାହିଁ, ସକାଳ ସାଢ଼େ ସାତରୁ ନଅଟା ପର୍ଯ୍ୟନ୍ତ ରହି ଯାଆନ୍ତି ସେହି ବାଥ୍‌ରେ । ତାପରେ ବାକି ଯାହା ସମୟ ରହିଲା ସେଥିରେ ଗଣତନ୍ତ୍ରର ଚକ ଚଳାଇବା ପାଇଁ ଉଦ୍ୟମ । ଗାଡ଼ି ଯେତେଦୂର ଗଲା, ସେ ନା-ଚାର । ଅଧିକ କିଛି କରି ପାରିବେ ନାହିଁ ।

 

ମଝିରେ ମଝିରେ କେତେକ ଲୋକ କାହାରି ଅନୁମତି ନନେଇ, ସିଧା ମନ୍ତ୍ରୀଙ୍କ ଘର ଭିତରକୁ ପଶିଯାଆନ୍ତି ଆଉ ଆପଣା କାମ ସାରି ବାହାରି ଆସନ୍ତି । ଘର ଭିତରୁ ମନ୍ତ୍ରୀ ଫୋନ କରନ୍ତି । ପ୍ରୟୋଜନୀୟ ବ୍ୟକ୍ତି ଅଛନ୍ତି କିମ୍ବା ନାହାନ୍ତି ବୁଝି ପି. ଏ. ତାଙ୍କୁ ମନ୍ତ୍ରୀଙ୍କ ସଙ୍ଗେ କନେକ୍‌ଟ କରି ଦିଅନ୍ତି । ଏମାନେ ହେଲେ ପାର୍ଟି ଲୋକ । ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଏମାନଙ୍କର ଫାଷ୍ଟ ପ୍ରିଫରେନ୍‌ସ, ତା ପରେ କର୍ମଚାରୀ, ଚିପା ପେଣ୍ଟ ଓ ଲମ୍ବାକଲି ଥିଲେ ବେଳେ ବେଳେ ବ୍ୟତିକ୍ରମ ଘଟେ । ନଚେତ ସବୁ ସେହିପରି ଚାଲେ । ସାଧାରଣ ବ୍ୟକ୍ତିଟି ସେହିପରି ଠିଆ ହୋଇଥାଏ । ବେଳେ ବେଳେ ମନ୍ତ୍ରୀ ଜରୁରୀ କାମରେ ଚାଲି ଯାଆନ୍ତି । ଅନେକ ସାକ୍ଷାତ ନପାଇ ଫେରନ୍ତି ।

 

ସୁବୋଧଭାଇ ମଝିରେ ମଝିରେ ଡ୍ରଇଂ ରୁମ୍‌ରୁ ବାହାରକୁ ଆସନ୍ତି । ବ୍ୟବସାୟୀ କଣ୍ଟ୍ରାକ୍‌ଟରି କାମଥିବା ବ୍ୟକ୍ତିମାନେ ତାଙ୍କୁ ଘେରି ଯାଆନ୍ତି । ସେ ସମସ୍ତଙ୍କୁ ଆଶ୍ୱସନା ଦିଅନ୍ତି, କାମ ହେଇଯିବ, ମାତ୍ର ଆପଣ ମନ୍ତ୍ରୀଙ୍କ କଥା ବୁଝିବା ଉଚିତ । ଚୁପ୍‌ରେ କହନ୍ତି, ମନ୍ତ୍ରୀଙ୍କୁ କିଛି ଚାନ୍ଦା ଦେବାକୁ ହେବ । ଦେଖୁଛନ୍ତି ଏମାନଙ୍କୁ.... । ହେ’ ନରେନ୍ଦ୍ର ପାଟି ବନ୍ଦ କର । ମନ୍ତ୍ରୀ କ’ଣ ତମ ଗାଁର ବୋଲି ଏଠାରେ ପାଟି କରିବ ? ସେ ସମସ୍ତଙ୍କ ମନ୍ତ୍ରୀ । ଏମାନଙ୍କ ଖାଇବା ପିଇବା, ଯିବା ଆସିବା ଖର୍ଚ୍ଚ ସବୁ ଅନୁ ଦେବ । କର୍ମୀମାନେ ଅଛନ୍ତି । ତା ବ୍ୟତୀତ ପାର୍ଟି ତ ଅଛି ।

 

ମୋତେ ସତରେ ବାଧିଲା, ଠକା ଠକି ପ୍ରତାରଣା ମଧ୍ୟରେ ଏ ରାଜନୀତି କିପରି ଚାଲିଛି-। ନିର୍ବାଚନ ବେଳେ ଯାହାକୁ ନ ଦେଖିଲେ ସୁବୋଧ ଭାଇଙ୍କ ଭୋକ ଶୋଷ ବନ୍ଦ ହେଇ ଯାଉଥିଲା ସେ ନିର୍ବାଚନ ପରେ ତାକୁ ଚିହ୍ନି ପାରୁ ନାହାନ୍ତି । କ୍ୟୁ’ରେ ଠିଆହେବା ଲାଗି ବିନା ଦ୍ୱିଧାରେ ତାକୁ କହିଦେଇ ପାରିଲେ ।

 

ଆଉ ଉପାୟ ନାହିଁ । ନିଜେ ନ ମଲେ ସ୍ୱର୍ଗ ଦର୍ଶନ ମିଳିବ ନାହିଁ । ମନେ ମନେ ସ୍ଥିର କଲି ଏ ସୁବୋଧଭାଇଙ୍କୁ ଛାଡ଼ିବାକୁ ହେବ । ସିଧା ପାର୍ଟିର ସଭ୍ୟଟିଏ ହୋଇଗଲେ ବିନା ପଣ୍ଡାରେ ମନ୍ତ୍ରୀ ଦର୍ଶନ ଓ ଯାତ୍ରାଦେଖା ଦୁଇଟିଯାକ ହୋଇପାରିବ ।

 

ସୁବୋଧ ଭାଇ ପଦାରେ ଗୋଟାଏ ଗଛମୂଳେ ଠିଆ ହୋଇ ପଞ୍ଜାବୀ ଉଠାଇ କାହା ସଙ୍ଗେ ବାଜି ଲଗାଉଥିଲେ । ସେ ଯଦି ଠିକ୍‌ ସୁବୋଧ ଦାସ ହୋଇଥିବେ ତେବେ ବେଲପଡ଼ା ଗାଁ ଗୋଟାଏ ସୁଦ୍ଧା ପଇସା ପାଇବ ନାହିଁ । ସ୍କୁଲପାଇଁ ସ୍ପେସାଲ ଗ୍ରାଣ୍ଟ କଥା ଥାଉ । ସେ ଗାଁବାଲା ଜଣକେ ଜାତିଏଁ ଖଣ୍ଡେ ହେଲେ ଭୋଟ୍ ଦେଇ ଥାଆନ୍ତେ ଆମ ଅନୁକୁ ।

 

ମୁଁ ଭାବି ଚାଲିଥାଏ, ଜାଣି ଘୋଡ଼ାର ସିଙ୍ଗ ନାହିଁ । ମୋତେ ଚାଲି ଆସୁଥିବାର ଦେଖି ସୁବୋଧ ଭାଇ କହିଲେ କ’ଣ ଅନୁ ସଙ୍ଗେ ଦେଖା ହୋଇଗଲା ? ଯାଅ ଏଥର ସବୁ ହୋଇଯିବ । ଆଉ ଅସୁବିଧା କ’ଣ ?

 

ଆଉ ଦେଖା ହେଲା କାହିଁ ?

 

ଓଃ ସେ ଚାଲି ଯାଇଥିବ ମିଟିଂ ଥିଲା । ତମ ହଲାର ପରମିଟ୍‌ କଥା ମୁଁ ମନେ ରଖିଛି । ଗୋଟିଏ ପରମିଟ୍‌ ପାଇଁ ଡିଲିଂ କ୍ଲର୍କ ତିନିଶହ ଟଙ୍କା ନେଉଛି । ଏଥିରେ ଲୁଚାଛପା କିଛି ନାହିଁ । ଯାହା ଉଚିତ ମନେ କରିବ ।’’

 

ମୁଁ କହିଲି, ମୁଁ ହଲାର କଥା କହୁନାହିଁ । ମୋତେ ଖଣ୍ଡିଏ ସଭ୍ୟ ସଂଗ୍ରହ ବହି ଦିଅନ୍ତୁ । ମୁଁ ନିଜେ ଦଳର ସଭ୍ୟ ହେବା ସଙ୍ଗେ ଅନ୍ୟ କେତେ ଜଣଙ୍କୁ ସଭ୍ୟ କରାଇବି ।

 

ସୁବୋଧ ଭାଇ କହିଲେ, ବର୍ତ୍ତମାନ ପାଇଁ ସଭ୍ୟ ସଂଗ୍ରହ ହେଉନାହିଁ । ପରେ ହେବ । ତୁମେ ଆଜି ଯାଅ । ସମୟ ହେଲେ ମୁଁ ସମ୍ବାଦ ଦେବି ।

 

ମୁଁ ମନ୍ତ୍ରୀଙ୍କ ଘରୁ ବାହାରି ଆସୁଥିଲି । ଜଣେ ନିର୍ଦ୍ଦଳୀୟ ସାଧାରଣ ନାଗରିକ, ଯିଏ ଗୋଟିଏ ହଲର ବସାଇ ଦୁଇ ପଇସା ରୋଜଗାର କରି ପେଟ ପୋଷିବାକୁ ଚାହୁଁଥିଲା ।

 

(୩)

 

ଜୟପୁର ଡାକ ବଙ୍ଗଳା.....

 

ଭୋର ସକାଳ । ନିଦ ଛାଡ଼ିନି ଭଲଭାବେ ଆଖିରୁ । ମାତ୍ର ଡାକ ବଙ୍ଗଳାର ପିଅନର ଅନୁମାନ ଭୁଲ୍‍ ହୋଇ ନାହିଁ । ସେହି ପରିଚିତ କାର୍‌ । ମନ୍ତ୍ରୀଙ୍କ କଳାରଙ୍ଗର କାର୍‌ । ମନ୍ତ୍ରୀ ହୋଇଥିବେ ଭାବି ସେ ସଲାମ ଠୁକିଲା । ମାତ୍ର କାର୍‌ରେ ମନ୍ତ୍ରୀ ନ ଥିଲେ, ଥିଲେ ସୁବୋଧ ଭାଇ । ଚାହାଣିରେ ଅସମ୍ଭବ ବ୍ୟାକୁଳତା । ଗତିବିଧିରେ ଏକାନ୍ତ ଅନ୍ୟମନସ୍କ ରହୁଥିବାର ସୂଚନା । ମୋତେ ଦେଖି କହିଲେ, ତୁମେ ତେବେ ଆସି ଯାଇଛ । ମୁଁ ତୁମ କଥା ଭାବି ଭାବି ଆସୁଥିଲି । କେଉଁ ରୁମ୍‌ ରିଜର୍ଭ ହୋଇଛି ? ଡି. ଏମ. ନାହାନ୍ତି । ଏ. ଡି. ଏମ. ଙ୍କୁ କହିଲି । ସେ ନାହିଁ କଲେ । ସନ୍ଧ୍ୟାବେଳେ କିଏ ସବୁ ଆସିବେ ଘର ଦିଆଯାଇ ପାରିବ ନାହିଁ । ଠିକ୍‌ ଅଛି ମୋର ତିନି ଚାରି ଘଣ୍ଟା ପାଇଁ ରହିବା ଦରକାର । ମୁଁ ସଙ୍ଗେ ସଙ୍ଗେ ଚାଲିଯିବି । ତୁମେ ଟିକେ ଡାକ...ଗଲାଥର ଯେଉଁମାନେ ମଦ ଲାଇସେନ୍‌ସ ନେବା ପାଇଁ ଆସିଥିଲେ । ଚୁପ୍‌ଚାପ୍‌, ଯେପରି କେହି ନ ଜାଣନ୍ତି ।

 

ମୁଁ ପଚାରିଲି ସୁବୋଧ ଭାଇ, କ’ଣ ଭାରି ଚିନ୍ତିତ ଜଣାପଡ଼ୁଛ । କଥା କ’ଣ ? କ’ଣ ହେଇଛି ?

 

‘‘ମନ୍ତ୍ରୀମଣ୍ଡଳ ଭାଙ୍ଗିବା ଉପରେ । ସଙ୍ଗେ ସଙ୍ଗେ ଚାରି ପାଞ୍ଚଜଣ ଏମ.ଏଲ.ଏ.ଙ୍କୁ ଏ ଦଳକୁ ନ ଆଣିଲେ ନ ଚଳେ । ସେମାନଙ୍କ ପାଇଁ ଟଙ୍କା ଦରକାର ।’’

 

ମୁଁ ମନେ ମନେ ହସିଲି, ମାନେ ଏମ୍‌. ଏଲ. ଏ. ଯିଏ ଲକ୍ଷେ ଲୋକଙ୍କର ପ୍ରତିନିଧି, ସେ କିଣା ହୋଇ ଏ ଦଳକୁ ଆସିବେ । ମନ୍ତ୍ରୀ ହେବେ । ତାଙ୍କ ପାଇଁ ଟଙ୍କା ଲୋଡ଼ା । ମଦ ବ୍ୟବସାୟୀ ଟଙ୍କା ଦେବେ । ତାଙ୍କରି ଟଙ୍କାରେ ଗଣତନ୍ତ୍ର ଏ ଦେଶରେ ବଞ୍ଚିବ । ତାକୁ ବଞ୍ଚାଇବା ପାଇଁ ସୁବୋଧ ଭାଇଙ୍କ ଉଦ୍ୟମ ।

 

ଏହି ଅବସରରେ ମୁଁ ପଚାରିଲି.....‘‘ସୁବୋଧ ଭାଇ ମୋ କଥା କ’ଣ ବୁଝିଲ ? ହଲର ଲାଇସେନସ୍‌ କଥା ।’’

 

କିବା ଛାର କଥା ଏ । ଫୋନ ଉଠାଇଲେ କାମ ହେଲା । ପ୍ରଥମେ ମନ୍ତ୍ରିମଣ୍ଡଳ ରହିଯାଉ । ତା’ପରେ ଦେଖିବା ।

 

ମଦ ବ୍ୟବସାୟୀ, ସାର ବ୍ୟବସାୟୀଙ୍କ ସଙ୍ଗେ କଥା ହୋଇସାରି ସୁବୋଧ ଭାଇ ସଙ୍ଗେ ସଙ୍ଗେ ଫେରିଗଲେ । ବିଦାୟ ସମ୍ଭାଷଣ ଅତି ଚୁମ୍ବକ...ତୁମେ ଆସ । ଭୁବନେଶ୍ୱରରେ ଦେଖା ହେବ ।

 

କାର୍‌ ଧୂଳି ଉଡ଼ାଇ ଚାଲିଗଲା । ମୁଁ କେବଳ ଭାବୁଥାଏ ଏ ପଚିଶ ହଜାର ଟଙ୍କା କାହା ପକେଟକୁ ଯାଉଛି । ସତରେ କେତେଶୀଘ୍ର ଏ ଟଙ୍କା ହାତକୁ ଆସି ପାରିଲା । ସବୁ ସିନା ଏ କ୍ଷମତା ପାଇଁ ସମ୍ଭବ ହେଉଛି ।

 

(୪)

 

ମନ୍ତ୍ରିମଣ୍ଡଳ ଭାଙ୍ଗିଯିବ ଶୁଣି ମଦ ବ୍ୟବସାୟୀମାନେ ସବୁ ଧନ୍ଦା ଛାଡ଼ି ଆସି ପହଞ୍ଚିଲେ । ମନ୍ତ୍ରୀଙ୍କ ଘର ଫାଙ୍କା, ଲୋକ ଗହଳି ନାହିଁ । ତିନି ଚାରିଜଣ କିଏ ଟହଲ ମାରୁଛନ୍ତି । ଡ୍ରଇଁରୁମ୍‌ରେ ମନ୍ତ୍ରୀ ଭଦ୍ରଲୋକଙ୍କ ପରି କାହା ସଙ୍ଗେ କଥା ହେଉଛନ୍ତି । ଆଜି ଆଉ ବାଥ୍‌ରୁମ୍‌ରେ ନାହାନ୍ତି । ବ୍ୟବସାୟ ସେନାପତିଙ୍କୁ ଦେଖି କହିଲେ, କୁଆଡ଼େ ଆସିଲେ ବସନ୍ତୁ । ସେନାପତି ପଚାରିଲେ ଆମ ଲାଇସେନ୍‌ସ କଥା କ’ଣ ହେଲାଟି ? ସୁବୋଧବାବୁଙ୍କ କହିବାମତେ ପଚିଶ ହଜାର ଟଙ୍କା ପଠାଇଥିଲି । ଆଉ ସାଙ୍ଗରେ ପାଞ୍ଚହଜାର ଆଣିଛି । ନିଅନ୍ତୁ ।

ପଚିଶ ହଜାର ଶୁଣି ମନ୍ତ୍ରୀ ବିସ୍ମିତ ହେଲେ । ପଚାରିଲେ, ସୁବୋଧବାବୁ କିଏ ? ମୁଁ’ ତ କାହାକୁ ପଠାଇ ନାହିଁ ।

ସୁବୋଧବାବୁ, ସୁବୋଧ ଦାସ ମାନେ ସୁବୋଧ ଭାଇ ଆପଣଙ୍କୁ ଯିଏ ନାଁ ଧରି ଡାକନ୍ତି-। ଆପଣଙ୍କ ବସାରେ ରହନ୍ତି । ଟୁର୍‌ରେ ଗଲାବେଳେ ସେ ଆପଣଙ୍କ ସଙ୍ଗରେ ଥାଆନ୍ତି । ଆପଣଙ୍କ ପାଇଁ ଆମେ ତାଙ୍କୁ ଚାନ୍ଦା ଦେଉ । ସେ କହନ୍ତି, ତାଙ୍କୁ ନ ପଚାରିଲେ ଆପଣ କିଛି କରନ୍ତି ନାହିଁ-। ଦେଖିବାକୁ ଶ୍ୟାମଳ ବର୍ଣ୍ଣ । ଆପଣ ମନ୍ତ୍ରୀ ହେବା ପୂର୍ବରୁ ସେ ପଞ୍ଜାବୀ ପିନ୍ଧୁଥିଲେ । ମନ୍ତ୍ରୀ ହେବା ପରେ ବେଳେବେଳେ ପଞ୍ଜାବୀ ଉପରେ ଚାଦର ପକାଉଛନ୍ତି ।

ମନ୍ତ୍ରୀ ଉପରକୁ ଚାହିଁ ରହିଲେ । କ୍ଷଣକ ପରେ କହିଲେ, ସୁବୋଧ ଗୋଟାଏ ପାଢ଼ି । ପକ୍‌କା ଟାଉଟର । ଏ କଥା କ’ଣ ତୁମେ ଜାଣିନାହଁ । ମୁଁ କାହାକୁ ଟଙ୍କା ପାଇଁ ପଠାଇ ନ ଥିଲି । ଆପଣ ଆପଣଙ୍କ ଟଙ୍କା ଉଠାନ୍ତୁ । ଆପଣଙ୍କ ପାଇଁ ବର୍ତ୍ତମାନ କିଛି କରିବା ସମ୍ଭବ ନୁହେଁ ।

 

ସେନାପତି ଗମ୍ଭୀର ହୋଇଉଠିଲେ । ପଚିଶ ହଜାର ଟଙ୍କା ତାଙ୍କର ତେବେ ବାଏଁ ବାଏଁ ଉଡ଼ିଗଲା ? ମୁଁ ମନ୍ତ୍ରୀ ଓ ମଦ ବ୍ୟବସାୟୀଙ୍କୁ କେବଳ ଚାହିଁ ରହିଥିଲି । ସେହି ନିସ୍ତବ୍‌ଧତା ମଧ୍ୟରେ ମୁଁ କେବଳ ଶୁଣି ପାରୁଥିଲି ଟାଉଟର ସୁବୋଧ ଦାସଙ୍କ ପାଟି-ଅନୁ କ’ଣ ଉଠିଲାଣି ? ବାଥ୍‌ରୁମ୍ ଗଲାଣି ? ମାଂସ ପାଇଁ କିଏ ଗଲା ? ହଁ କହିବ କଲିଜା ଆଣିବ । ଅନୁ କଲିଜା ଖାଇବାକୁ ଭଲ ପାଏ । କି କାମ ଏ ଅନୁ କରୁଛି ? ସମସ୍ତଙ୍କୁ ଏ ଟପିଗଲା । ଧନ୍ୟ ହେ ସୁବୋଧ ଭାଇ । ୟଙ୍ଗ ବ୍ଲଡ଼-। ତୁମମାନଙ୍କୁ ନେଇ ଏ ଦେଶର ରାଜନୀତି ଚାଲିବ । ଦୁର୍ଭାଗ୍ୟ ।

񤦬񤦬񤦬

 

ଇନ୍‌ଭେଂଟ୍ରି

 

କୋର୍ଟ ହୁଦା ପକାଇ କମଳଲୋଚନ ଆଗେଇଲା, କବାଟ ପାଖରେ ଠିଆହୋଇ ଠକ୍‌ ଠକ୍‌ କଲା । ଜନୈକ ବୃଦ୍ଧ କବାଟ ଖୋଲି ପ୍ରଶ୍ନ କଲେ, କାହାକୁ ଖୋଜୁଛନ୍ତି ?

 

‘‘ଏ ଘର ବିନୋଦ ବଳିୟାର ସିଂ ଙ୍କର’’ ?

 

‘‘ହଁ ।’’

 

‘‘ମୁଁ ହେଉଛି କୋର୍ଟ ପିଅନ । ସବ୍‌ଜଜ୍‌ଙ୍କ କୋର୍ଟରୁ ଆସିଛି । କମିଶନର ଠିଆ ହୋଇଛନ୍ତି । ବଳିୟାର ସିଂହଙ୍କ ନାମରେ ନରେନ୍ଦ୍ର ବଳିୟାର ସିଂହ ମକବ୍ଦମା କରିଛନ୍ତି । ଏ ଘର ଇନ୍‌ଭେଣ୍ଟ୍ରୀ ହେବ । ବଳିୟାର ସିଂହ ଅସୁସ୍ଥ । ଦୀର୍ଘଦିନ ହେଲା ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଆଜି ଏଇ ଡାକ୍ତରଖାନାରୁ ଆସି ପହଞ୍ଚିଛନ୍ତି, ତାଙ୍କୁ ଡାକନ୍ତୁ ।’’

 

‘‘ସେ ଉଠିକରି ଆସିବା ସମ୍ଭବ ନୁହେଁ ।’’

 

‘‘ତେବେ ଚାଲନ୍ତୁ । ସେ କେଉଁଠାରେ ଅଛନ୍ତି ମୋତେ ସେଠାକୁ ନେଇ ଚାଲନ୍ତୁ ।’’

 

ପିଅନ ଧୀରେ ଧୀରେ ଭଦ୍ରଲୋକଙ୍କ ପଛେ ପଛେ ଚାଲିଲେ ।

 

ବଳିୟାର ସିଂହ ବାରଣ୍ଡାରେ ଶୋଇଛନ୍ତି । ତାଙ୍କୁ କେଇଜଣ ଘେରି ଠିଆ ହୋଇଛନ୍ତି । ଜଣେ ସ୍ତ୍ରୀଲୋକ ପଙ୍ଖା କରୁଛନ୍ତି । ଅନ୍ୟ ଜଣେ ତାଙ୍କ ମୁହଁ ପୋଛିଦେଉଛନ୍ତି ।

 

ବଳିୟାର ସିଂହ ମୁହଁ ବୁଲାଇଲେ । ଆସ୍ତେ ଧୀର ସ୍ୱରରେ ପଚାରିଲେ—‘କ’ଣ ବାପା, ତୁମେ କିଏ ? କ’ଣ କହୁଛ ?

 

ମୁଁ ସବ୍‌ଜଜ୍‌ଙ୍କ ପିଅନ । ଆପଣଙ୍କ ଘର ଇନ୍‌ଭେଣ୍ଟ୍ରୀ ହେବ । କମିଶନର ଆସିଛନ୍ତି, ବାବୁ ଠିଆ ହୋଇଛନ୍ତି । ମୁଁ ନୋଟିସ ଦେଉଛି । ଆପଣ ଦସ୍ତଖତ କରନ୍ତୁ । ଆପଣଙ୍କ ନାମରେ ନରେନ୍ଦ୍ର ବଳିୟାର ସିଂହ ମକଦ୍ଦମା କରିଛନ୍ତି । ଏହା କହି କମଳ ନୋଟିସ୍‌ ପଢ଼ି ଶୁଣାଇ ଦେଲେ । ପରିବେଶରେ ସାମାନ୍ୟ ଉତ୍ତେଜନ ଓ ଆତଙ୍କ ।

 

ନୋଟିସ

 

କୋର୍ଟ ଅଫ୍‌ ସବ୍‌ଜଜ୍‌, କଟକ

ଓ. ଏସ୍‌. ନଂ ୧୪/୭୪

ନରେନ୍ଦ୍ର ବଳିୟାର ସିଂହ-ମୁଦେଇ

ବନାମ

ବିନୋଦ ବଳିୟାର ସିଂହ-ମୁଦାଲା

 

ଉପରୋକ୍ତ ମକବ୍ଦମାରେ କୋର୍ଟ, ଆମ୍ଭେ ଶ୍ରୀ ଏନ୍‌. ସି. ମହାଖୁଡ଼ ଆଡଭୋକେଟ୍‍ଙ୍କୁ କମିଶନର ରୂପେ ନିଯୁକ୍ତ କରିଅଛନ୍ତି । କୋର୍ଟଙ୍କ ନିର୍ବ୍ଦେଶ ମତେ ମୁଁ ଆପଣଙ୍କ ଘର ଇନ୍‌ଭେଣ୍ଟ୍ରୀ କରିବି । ଏହି ଇନ୍‌ଭେଣ୍ଟ୍ରୀ କାର୍ଯ୍ୟ ଦିନ ୯ ଘଣ୍ଟାରୁ ଚାଲିବ । ଉଭୟ ପକ୍ଷ ଉପସ୍ଥିତ ରହି ଆମର ଏହି କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ମୁଁ ଏହି ନୋଟିସ ଦେଉଅଛି ।

 

କମିଶନର

ତା ୧ । ୧ । ୭୪

 

ବିନୋଦ ବଳିୟାର ସିଂହ ଦୀର୍ଘ ନିଶ୍ୱାସ ତ୍ୟାଗ କରି ବହୁ କଷ୍ଟରେ ନୋଟିସରେ ଦସ୍ତଖତ କଲେ । ଦୀର୍ଘ ଅସୁସ୍ଥତା ହେତୁ ସେ ଅତି ଶୀର୍ଣ୍ଣ ହୋଇ ଯାଇଥିଲେ । ଜୋର୍‌ରେ କଥା ମଧ୍ୟ କହିପାରୁ ନ ଥିଲେ । ତାଙ୍କ ଆଖିରୁ ଦୁଇଧାର ଲୁହ ବୋହି ଆସିଲା । ସେ ଆଉଥରେ ନିଶ୍ୱାସ ଛାଡ଼ିଲେ । ରୁଦ୍ଧ କଣ୍ଠରେ କହିଲେ ‘‘ନରି ମକବ୍ଦମା କରିଛି ? ହଉ ତା’ ଇଚ୍ଛା । ପୁଅତ ମକବ୍ଦମା କରିଛି ? ଆଉ କହିବି କାହାକୁ ?’’ ସେ—ବାରତା ବୃଦ୍ଧା ସହଧର୍ମିଣୀ ଆପଣାର ଗୃହ ମଧ୍ୟରେ ଏ କାଣ୍ଡ ଦେଖି ହତବାକ୍‌ ହୋଇ ପଡ଼ିଥାନ୍ତି ।

 

କମିଶନର ଇନ୍‌ଭେଣ୍ଟ୍ରୀ କରିବାକୁ ଯିବା ପୂର୍ବରୁ କହିଲେ—ବଳିୟାର ସିଂହ ବାବୁ ଆସନ୍ତୁ । ଇନ୍‌ଭେଣ୍ଟ୍ରୀ ଆରମ୍ଭ କରିବା । ଆପଣଙ୍କ ଉପସ୍ଥିତି ଏକାନ୍ତ ଲୋଡ଼ା ।

 

‘‘ଆଜ୍ଞା, ମୁଁ ମଲିଣି ବୋଲି ଧରିନିଅନ୍ତୁ । ଗତ ଛ’ମାସ ହେବ ମୁଁ ଡାକ୍ତରଖାନାରେ ମୃତ୍ୟୁକୁ ଅପେକ୍ଷା କରି ରହିଛି । ଦୀର୍ଘଦିନର ରୋଗ । ଚିକିତ୍ସା ପରେ ଆଶା ଥିଲା ଅନେକ ସୁସ୍ଥ ହୋଇଯିବି । ମାତ୍ର ଡାକ୍ତରମାନେ ଆାଶା ଛାଡ଼ିଲେ । ଏବେ ତ ଖାଇ ପାରୁନାହିଁ । ଖାଲି ପାଣିରେ ଆଉ କେତେଦିନ ବଞ୍ଚିବି ? ଭାବିଲି ଡାକ୍ତରଖାନାରେ ମରିବି କାହିଁକି, ନିଜ ଘରେ ମରିବା ବରଂ ଭଲ । ସେଥିପାଇଁ ଆସିଲି ଘରକୁ । ଏଇ ତ ମୋ ଶାନ୍ତି ଦେଖୁଛନ୍ତି । ଏଥିରେ ମୁଁ ଆପଣଙ୍କ ସଙ୍ଗରେ ଯିବି କୁଆଡ଼େ ? ବିନା ସାହାଯ୍ୟରେ ଏକାକୀ ଠିଆହେବା ମୋ ପକ୍ଷରେ କଷ୍ଟ । ତାକୁଇ ସଙ୍ଗରେ ନିଅନ୍ତୁ (ପୁଅ ନରେନ୍ଦ୍ର ଉବ୍ଦେଶ୍ୟରେ ହାତ ଦେଖାଇ) ଯିଏ ସବୁ ଦେଖିଛି । ଏ ଧନ ସମ୍ପତ୍ତି ତା’ର । ମୋର କିଛି ନୁହେଁ । ମୋର ଲୋଡ଼ା କେଇଖଣ୍ଡ କାଠ— ।’’

 

ଉପସ୍ଥିତ ଭଦ୍ରବ୍ୟକ୍ତିଗଣ ଏ ଦୃଶ୍ୟ ଦେଖି ବିବ୍ରତ ତଥା ବୃଦ୍ଧଙ୍କ ପ୍ରତି ଅନେକଟା ସମ୍ବେଦନଶୀଳ ହୋଇ ଉଠୁଥିଲେ । ତାଙ୍କର ବକ୍ତବ୍ୟ ଶୁଣି କମିଶନର କହିଲେ, ଆପଣ ଶୋଇ ରୁହନ୍ତୁ । ମାତ୍ର ଆପଣଙ୍କ ପକ୍ଷରୁ ଯିଏ ରହିଲେ ଚଳିବ, ତାକୁ ପଠାନ୍ତୁ । ପାଖରେ ଭଣଜା ବସି ତାଙ୍କର ପାଦ ଚିପୁଥିଲେ । ତାକୁ ବଳିୟାର ସିଂହ କହିଲେ ‘‘ଯା ତୁ ଯାଆ ବାବୁ କହୁଛନ୍ତି । ହରି, ହରି, ରକ୍ଷାକର ।’’

 

ମୁଁ ଚାଲି ଆସୁଥିଲି । ମାତ୍ର କମିଶନର କହିଲେ ଆପଣ ଚାଲିଗଲେ କିପରି ହେବ ? ଭଦ୍ରଲୋକ, ସାକ୍ଷୀ ଆଉ ଆପଣମାନେ ସହଯୋଗ ନ କଲେ ଏ କାମ ହେବ କିପରି ? ବାପ ପୁଅ କଳିରେ ନ ପଶି ଚୁପ୍‌ଚାପ୍‌ ଚାଲିଆସିବି ବୋଲି ଭାବୁଥିଲି । ମାତ୍ର ଅଟକିଗଲି । ଅମିନ, ଜାମିନ୍‌, ମଧ୍ୟସ୍ଥି, ମନା କରିଛନ୍ତି ଅଗସ୍ତି । ପୁଣି ଭାବିଲି ଦେଖାଯାଉ । ଦେଖେ କମିଶନର କ’ଣ କରୁଛନ୍ତି ।

 

କମିଶନର ପଚାରିଲେ ‘ଏ କ’ଣ ଗୁହାଳ ଘର ?’

 

‘ଆଜ୍ଞା ହଁ ।’

 

କମିଶନର ଲେଖିଲେ—ଗୁହାଳଘର

 

ବଳଦ ୧ ହଳ—ଟ୧୦୦୦ଙ୍କା

 

ପଣ୍ଡା ୧ ହଳ—ଟ୧୧୦୦ଙ୍କା

 

ଦାମୁଡ଼ି ଗୋଟାଏ—ଟ୧୨୫ଙ୍କା

 

ଶଗଡ଼ ଦଣ୍ଡା ଗୋଟାଏ—ଟ୫୦ଙ୍କା

 

ନାଲ ନ ଥାଇ ଶଗଡ଼ ଚକା—ଟ୪୦ଙ୍କା

 

ବୋତି ୧ ଗାଡ଼ି—ଟ୧୫ଙ୍କା ଇତ୍ୟାଦି.....ଇତ୍ୟାଦି

 

ଗୁହାଳଘରୁ ସେମାନେ ଆସିଲେ ଚଳନ୍ତିଘର ଦେଖିବା ପାଇଁ ।

 

(୧)

ଠାକୁର ଘର—

ପିତଳ ଥାଳି

ଟ ୧୫ ଙ୍କା

 

 

ପିତଳ ଘଣ୍ଟି

ଟ ୩ ଙ୍କା

 

 

ପିତଳ ଦୀପ

ଟ ୪ ଙ୍କା

(୨)

ରୋଷେଇଘର—

୨ଟା କଂସାର ବେଲା

ଟ ୨୪ ଙ୍କା

 

 

୧ଟା କଂସାର ଗରା

ଟ ୨୫ ଙ୍କା

 

 

ଛୋଟ ପିତଳ ହଣ୍ଡା

ଟ ୫୫ ଙ୍କା

 

 

ପୁରୁଣା ବାଲ୍‌ଟି ୧ଟା

ଟ ୧୦ ଙ୍କା

 

(୩) କୋଠିଘର—ଧାନ ୧ ବସ୍ତା ଟ୬୦ଙ୍କା ଡୋଲିରେ ଧାନ ୨ କୁଇଣ୍ଟାଲ । କୋଠି ଘର ବାରଣ୍ଡାରେ ୪ ଫୁଟିଆ ଲୁହାଛଡ଼ ୨୦ ଖଣ୍ଡ । ମୂଲ୍ୟ ଟ୧୨୫ଙ୍କା ।

 

(୪) ଠାକୁର ଘରକୁ ଲାଗି ଶୋଇବା ଘରେ—ବମ୍ବେ ପାଟର୍ନ ଖଟ ଗୋଟାଏ ଟ୨୫୦ଙ୍କା, ଡ୍ରେସିଂ ଟେବୁଲ ଟ୧୮୦ଙ୍କା, ପୁରୁଣା ଲଣ୍ଠନ ୩ ଟା ୧୫ ଟଙ୍କା । ସେ ଘର ଛାଡ଼ିବା ପୂର୍ବରୁ କମିଶନର କହିଲେ, ଖଟ ତଳେ କ’ଣ ଅଛି ଦେଖ । ତା’ପରେ ଦେଖାଗଲା । ୧୨ଟି ବଳଦବନ୍ଧା ପଘା ବାହାରିଲା, କମିଶନର ଲେଖିଲେ ୧୫ଟି ପଘାର ଦାମ୍‌ ଟ୧୨ଙ୍କା । ଅନ୍ୟାନ୍ୟ ଛୋଟ ଛୋଟ ଜିନିଷ ଦେଖି କହିଲେ ସେ ସବୁ ଛାଡ଼ ।

 

କମିଶନରଙ୍କ ନିର୍ଦ୍ଦେଶ ପାଇ ଦାଣ୍ଡପାଖ କୋଠିଘର ଖୋଲାଗଲା । ଦେଖାଗଲା ସେ ଘରେ କିଛି ନାହିଁ । ନରେନ୍ଦ୍ର କହିଲେ ‘ଆଉ ଆଜ୍ଞା କିଛି ନାହିଁ । ସବୁ ବିକ୍ରୀ ସରିଛି ।

 

କେହି ଜଣେ କହିଲେ ଆପଣ ବାପପୁଅଙ୍କ ଝଗଡ଼ା । ଆପଣ ତ ସହଜେ ଘରୁ ଚାଲିଗଲେ । ବୁଢ଼ା ଡାକ୍ତରଖାନାରେ, ଘର ବୁଝନ୍ତା କିଏ ? ପର ପାଇଁ କିଏ ଘର କରିଦେଲାଣି, କେବେ କେଉଁଠି ଦେଖିଛନ୍ତି ? ବରଂ ଆପଣା ପାଇଁ ଲୋକେ ପରଘର ଭାଙ୍ଗିଛନ୍ତି । ଯେଉଁଠାରେ ଯିଏ ଯାହା ସାମାନ୍ୟ କରିଛି ତାହା କେବଳ ଆପଣା ସ୍ୱାର୍ଥ ପାଇଁ । ସ୍ୱାର୍ଥକୁ କେନ୍ଦ୍ରକରି ଏ ପୃଥିବୀ ଘୁରୁଛି । ତୁମ ଦାଦା ଯେ ଏପରି ଭାଇ ଭାଇ ହେଉଛନ୍ତି, ତା’ ପଛରେ କ’ଣ କିଛି ନାହିଁ ?

 

କେହି ଜଣେ କହିଲେ ଭୀଷଣ ଧୃର୍ତ୍ତ । ମାଛ ତେଲରେ ବେଶ୍‌ ମାଛ ଭାଜିପାରନ୍ତି । ବାପ ପୁଅକୁ ଲଗାଇ ଦେଇ ଏବେ ମଜା ଦେଖୁଛନ୍ତି । ଦିନେ ବାପା ବୁଝିବେ । ଅବଶ୍ୟ ସେତେବେଳକୁ ନେଡ଼ିଗୁଡ଼ କହୁଣିକି ବୋହି ଯାଇଥିବ । କାହିଁ ଯେଉଁ ଗୁଡ଼ସବୁ ଅମଳ ହୋଇଥିଲା ସେସବୁ ଗଲା କୁଆଡ଼େ ?

 

‘‘ସେସବୁ ଚାଲାଣ ସରିଛି । ଆଉ କ’ଣ ରଖିଛନ୍ତି । ଯାହା ପାଇଲେ ନେଲେ ।’’

 

କମିଶନର ଘଡ଼ିକୁ ଚାହିଁ କହିଲେ—‘‘ଆସି ଘ୧୨।୧୫ ମିନିଟ୍‌ ହେଲା । ଆଉ କେତେଟା ବଖରା ରହିଲା ?’’

 

‘‘ଆଉ ମୋଟେ ଦୁଇଟା ଘର ।’’ ଉପର ମହଲାରେ ଗୋଟାଏ ଶୋଇବା ଘର । ଯେଉଁଠାରେ ବୁଢ଼ା ଶୋଇଛନ୍ତି, ପାଖ ଘରେ କିଛି ନାହିଁ । ଗୋଟାଏ ଖାଲି ବେଞ୍ଚ ପଡ଼ିଛି । ଗାଁରେ ଦୋଳ ବେଳକୁ ଯେଉଁ ଯାତ୍ରା ହୁଏ ସେଥିରେ ବ୍ୟବହୃତ ଦୁଇଟି ପୁରୁଣା ସିନ୍‌ ପଡ଼ିଛି । ‘ସେସବୁ ଆମର ନୁହେଁ’—ଉତ୍ତର କଲା ନରେନ୍ଦ୍ର । ପଛରୁ କେହି ଜଣେ କହିଲେ—‘ସେ ବେଡ଼ରୁମ୍‌ଟା ଅସଲ । ଆଇରନ୍‌ ଚେଷ୍ଟ୍‌ ସେଇ ଘରେ ଅଛି । ଯଦି କିଛି ମିଳିବ ସେହି ଘରୁ ମିଳିବ ।’

 

ମୁଁ ମୁହଁ ପୋଛିଲି । ମୋତେ ଭୀଷଣ ବ୍ୟସ୍ତ ଲାଗିଲା; ମଣିଷର ସମ୍ପର୍କ କଥା ଭାବି । ବାପ ପୁଅ, ଭାଇ ଭାଇ ଓ ଭାଇ ଭଉଣୀ ସମ୍ପର୍କ କଥା ନେଇ । ଯେଉଁ ବାପ ପୁଅ ପାଇଁ, ଭାଇ ଭାଇ ପାଇଁ, ଭାଇ ଭଉଣୀ ପାଇଁ ପ୍ରାଣ ଦେଇଦେଉଛି; ସେ ପୁଣି ଆପଣାର ସ୍ୱାର୍ଥ ପାଇଁ ସବୁ ମାୟାମମତା କ୍ଷଣକେ ତୁଚ୍ଛ କରି ନିର୍ମମ ହୋଇ ଉଠୁଛି । ସତରେ ରକ୍ତରେ ବାଡ଼ ପଡ଼ିଗଲେ ସବୁ ଏପାଖ ସେପାଖ ହୋଇଯାଏ । ସେହି ବାଡ଼ ଉପରେ ସଇତାନ ଚଢ଼ି ତା’ର ଖେଳ ଆରମ୍ଭ କରିଦିଏ-। ମଣିଷ ତା’ର ଶିକାର ହୁଏ । ସେ ଆପଣାର ଭଲମନ୍ଦ ବୁଝି ପାରେନାହିଁ । ଏଠାରେ ବି ସେଇୟା ହୋଇଛି ।

 

ମୁଁ ଏ ଖଞ୍ଜା ଭିତରକୁ କେତେବାର ଆସିଛି । ଆଭିଜାତ୍ୟ ଥିବା ପରିବାର ଏ । ଉତ୍ସବ ଅନୁଷ୍ଠାନମାନଙ୍କରେ ନିମନ୍ତ୍ରଣ ପାଇ ଆସିଛି । ଯେଉଁ କେତେଗୋଟି ଉତ୍ସବ କଥା ସ୍ମରଣ ହେଉଛି, ସେ ଭିତରେ ଗୋଟିଏ ହେଲା ନରେନ୍ଦ୍ରର ଏକୋଇଶା ଏବଂ ଆଉ ଗୋଟିଏ ହେଲା ତା’ର ବିଭାଘର । ଗୋଟିଏ ବୋଲି ପୁଅ ନରେନ୍ଦ୍ର । ଏ ଉତ୍ସବ ଦିନମାନଙ୍କରେ ବୃଦ୍ଧ ବଳିୟାର ସିଂହଙ୍କର ଆନନ୍ଦ କହିଲେ ନ ସରେ । ମୋର ମନେଅଛି ବିଭାଘର ବେଳକୁ ଅନେକ ଭଦ୍ରଲୋକ ଜମିଥାଆନ୍ତି-। ମୋତେ ଦୂରରୁ ଦେଖି ଆସି ପାଛୋଟି ନେଇଥିଲେ । ପଚାରିଥିଲେ, ଆପଣ ଏପର୍ଯ୍ୟନ୍ତ କୁଆଡ଼େ ଯାଇଥିଲେ ? ନରି କ’ଣ ଆପଣଙ୍କର ପୁଅ ନୁହେଁ ? ଆପଣମାନେ ସମସ୍ତେ ସହଯୋଗ ନ କଲେ ମୁଁ କ’ଣ ଏକା ଏ ବିଭାଘର ଉଠାଇ ପାରିବି ? ଏକୋଇଶା କଥା ଛାଡ଼ନ୍ତୁ । ସେଦିନ ପରି ଉତ୍ସାହ ଉନ୍ମାଦନା ମୁଁ କମ୍‌ ଦେଖିଛି । ଆଉ ଆଜି ? ଇଏ ସଇତାନର ଖେଳ ନୁହେଁ ତ ଆଉ କ’ଣ-? ମାତ୍ର ମୁଁ ନିରୁପାୟ । ଏ ଦୀର୍ଘ ନାଟକର ସାକ୍ଷୀ ରୂପେ କେଇଟି ଦସ୍ତଖତ ଦେବା ବ୍ୟତୀତ ମୁଁ ବା ଆଉ ଅଧିକ କ’ଣ କରିପାରନ୍ତି ?

 

ଉପର ମହଲାରେ ପହଞ୍ଚି ଦେଖନ୍ତି ତ ଶୋଇବାଘର ପଲଙ୍କ ଉପରେ ବୃଦ୍ଧ ବଳିୟାରସିଂହ ଶୋଇ ଯାଇଛନ୍ତି । ପାଟିତୁଣ୍ଡ ଶୁଣି ସେ ଆଖି ଖୋଲିଲେ । ମନେ ହେଉଥିଲା, ସେ ଚାହାଣୀରେ ତାଙ୍କର ଲାଖି ରହିଥିଲା କ୍ଲାନ୍ତି, ବେଦନା, ଘୃଣା ଆଉ ପୁଞ୍ଜୀଭୂତ ଅଭିଯୋଗ ।

 

କମିଶନର କହିଲେ—‘‘ବିନୋଦ ବାବୁଙ୍କୁ ଅନ୍ୟତ୍ର ନିଅନ୍ତୁ । ଏଠାରେ ଗୋଳମାଳରେ ସିଏ ଶୋଇବେ କିପରି ?’’

 

‘‘ତାଙ୍କୁ ଆଉ ଅନ୍ୟତ୍ର ନେବା ସମ୍ଭବ ନୁହେଁ ।’’ ବହୁ କଷ୍ଠରେ ତାଙ୍କୁ ତଳୁ ଉପରକୁ ଅଣାଯାଇଛି ।’’

 

‘ନା ଆଜ୍ଞା, ଆପଣ କାମ କରନ୍ତୁ । ମୁଁ ଚୁପ୍‌ଚାପ୍‌ ଶୋଇଛି । ବୁଢ଼ାଟାକୁ ଆଉ ହଇରାଣ କରନ୍ତୁ ନାହିଁ । ଭାରି ହଇରାଣ ହୋଇ ମତେ ତଳୁ ଏଠିକୁ ଆଣିଛନ୍ତି ।’

 

‘ଆଜ୍ଞା, ଆପଣ ଶୁଅନ୍ତୁ, କହିଲେ କମିଶନର ।

 

କାନ୍ଥଆଲମିରା ଦେଖାଗଲା । ସେଥିରେ ଥିଲା ଏଣୁତେଣୁ କେତେକ ବହି, କାଗଜପତ୍ର ଆଉ—

 

ରୂପା ପାନବଟା୧ଟା

ଟ ୨୨ ଙ୍କା

ପିତଳ ପିକଦାନୀ୧ ଟା

ଟ ୧୮ ଙ୍କା

ପିତଳ ପାନ-ଥାଳିଆ୧ ଟା

ଟ ୮ ଙ୍କା

ନଗଦ

ଟ ୮୦ଙ୍କା

 

ତା’ପରେ ସିନ୍ଦୁକ ଭିତରୁ ବାହାରିଲା—

 

ଗୋଟାଏ ବଡ଼ ପିତଳ ଥାଳି

ଟ ୬୫ ଙ୍କା

ଲୁହାର ଡାଲିଚଟୁ ତିନିଟା

ଟ ୭ ଙ୍କା

 

ସମସ୍ତେ ଚାହିଁଥାନ୍ତି ଉଦ୍‌ବେଗର ସହିତ ଆଇରନ୍‌ ଚେଷ୍ଟ୍‌ ଫିଟାଯିବ । କମିଶନର କହିଲେ, ‘ଚାବିଟା ଦେଇ ଦିଅନ୍ତୁ । ଦାମିକା ଚେଷ୍ଟଟା, ଭାଙ୍ଗିବା କାହିଁକି ? ଆପଣଙ୍କ ଜିନିଷ ଅଯଥା ନଷ୍ଟ ହେବ ।’

 

ଚାବି ରଖି ମୁଁ କ’ଣ ଆଉ ଠକୁଛି ? ଆପଣ ଭାଙ୍ଗନ୍ତୁ । ଯାହା ଇଛା କରନ୍ତୁ । ଯାହାର ସେ ଚେଷ୍ଟ୍‌ ସିଏ ଭଙ୍ଗାଉଛି । ମୁଁ କ’ଣ କରିବି ? ମୋର ଆଉ କେତେଦିନ ? ମୁଁ କ’ଣ ସଙ୍ଗରେ ନେଇଯିବି ?

 

କମିଶନର ପଚାରିଲେ—ମିସ୍ତ୍ରୀ ଆସିଲେ ?

 

କନେଷ୍ଟବଳ ଅଛନ୍ତି ?

 

‘ହଜୁର୍‌’ ।

 

ନିର୍ଦ୍ଦେଶ ପାଇ, ମିସ୍ତ୍ରୀ ନିହଣ ଦେଇ, ତାଲା ଯେଉଁଠି ପକାଯାଏ ସେଠାରୁ ଫିଟାଇବାକୁ ଆଘାତ କଲା ।

 

ପ୍ରଥମ ପାହାରର ଶବ୍ଦ ଶୁଣି ବୃଦ୍ଧ ଆଖି ବୁଜିଲେ । ଆଖିର ଦୁଇ କୋଣରୁ ଦୁଇ ଧାର ଲୁହ ଗଡ଼ିଆସିଲା । ଏ ଲୁହ ଅନେକ ଯନ୍ତ୍ରଣାର ବହିଃପ୍ରକାଶ । ସେ ତାହା ଲୁଚାଇବା ପାଇଁ ଉଦ୍ୟମ କରି ସଫଳ ହୋଇପାରୁ ନ ଥିଲେ । ସେ ଏକାନ୍ତ ଅସହାୟ—ସବୁ ଥାଇ ମଧ୍ୟ ନିଃସ୍ୱ ବୋଧ କରୁଥିଲେ । ଦ୍ୱିତୀୟବାର ନିହଣ ଉପରେ ଆଘାତ ବସିଲା । ବୃଦ୍ଧ କହିଲେ—‘ହରି, ହରି, ଏତେ କଷ୍ଟ କାହିଁକି ଦେଉଛ’ ?

 

ଯେଉଁ କେତେଜଣ ଉପସ୍ଥିତ ଥିଲେ ସମସ୍ତେ ଚାହିଁ ରହିଥାନ୍ତି ବୃଦ୍ଧଙ୍କ ଉବ୍ଦେଶ୍ୟରେ । ତାଙ୍କର ପ୍ରତିକ୍ରିୟା କ’ଣ ହେଉଛି ତାହା ଲକ୍ଷ୍ୟ କରୁଥାନ୍ତି । ମାନସିକ ଅବସ୍ଥା ନେଇ ବିଭିନ୍ନ ପ୍ରକାରର ଅନୁମାନ କରୁଛନ୍ତି ।

 

ଥର ଥର ହୋଇ ସାତ ଥର ଆଘାତ ହେବା ପରେ ଆଇରନ୍‌ ଟ୍ରେଜେରୀଟା ଫିଟିଲା । ବୃଦ୍ଧ ସତେ ଯେପରି ମନେ ମନେ ପୁତ୍ର ଉଦ୍ଦେଶ୍ୟରେ ଅଭିଶାପ ଓ ଅଭିଯୋଗ ଆରୋପ କରି ଚାଲିଥିଲେ । ଦୀର୍ଘନିଶ୍ୱାସ ତ୍ୟାଗ କରି ସେ କହିଲେ—‘ପୁଅ ପାଇଁ ନ କରିଛି କ’ଣ ? ଚାରି ତୀର୍ଥ ଯାଇଛି । କପିଳାସଙ୍କଠାରେ ଲକ୍ଷେ ବେଲପତ୍ର ବଢ଼ାଇଥିଲି । ମା’ ତା’ର ଲିଙ୍ଗରାଜଙ୍କ ପାଖରେ ଶହେ ଏକ ନଡ଼ିଆ ଭାଙ୍ଗିଥିଲା । ତା’ର ପୁରସ୍କାର ସେଇ ପୁଅ ଆମକୁ ଦେଉଛି’ । ବୃଦ୍ଧ ଲଲାଟ କୁଞ୍ଚିତ କଲେ, ମୁଖମଣ୍ଡଳରେ ଘୃଣାର ଏକ ପ୍ରଲେପ ।

 

ଦେଖାଯାଉ, ଆଉ କି ଶାସ୍ତି ମୋତେ ଶେଷ ଅବସ୍ଥାରେ ପୁଅ ଦେବ ।

 

ଶାସ୍ତି ଦେଉଛି କିଏ ? ତୁମେ ଧନ ସମ୍ପତ୍ତି ଟାଉଟରଙ୍କୁ ସମର୍ପି ଦେଉଛ । ମୁଁ ମନାକଲି, ତୁମେ ଶୁଣିଲ ନାହିଁ । ମୁଁ ଆଉ କ’ଣ କରିଥା’ନ୍ତି ? ତୁମେ କୁହ, ଶାସ୍ତି କିଏ କାହାକୁ ଦେଉଛି ?’’

 

‘—ଥାଉ, ଥାଉ, ଢେର ହୋଇଛି—’

 

ବ୍ୟଙ୍ଗ କରି ବୃଦ୍ଧ କହିଲେ । ସେଇ କଥା କଟାକଟି ମଧ୍ୟରେ ମୁଁ ଲକ୍ଷ୍ୟ କରୁଥାଏ କମିଶନରଙ୍କୁ । ସେ ବିଶେଷ ଭାବେ ପରିସ୍ଥିତିକୁ ଅନୁଭବ କରୁଥିଲେ ମଧ୍ୟ ଚୁପ୍‌ଚାପ୍‌ କେବଳ କାମ କରି ଯାଉଥିଲେ । ସତେ ଯେପରି ଆଇନର ଲାଇନ ବାହାରକୁ ସେ ଯାଇପାରିବେ ନାହିଁ । ଆଶ୍ଚର୍ଯ୍ୟ ହେଲି, ମଣିଷ ସତରେ ଆପଣାକୁ ଶାସନ କରିବା ଲାଗି ଯେଉଁ ନୀତି-ନିୟମ ରଚନା କରେ, ସେଇ ନୀତି ନିୟମର ଗଡ଼ ମଧ୍ୟରେ ସେ କିପରି ଅସହାୟ ହୋଇଉଠେ । ଆପଣାର ସ୍ୱାଧୀନତା ହରାଏ ।

 

ଯେଉଁ ଭଦ୍ରଲୋକଙ୍କୁ ଟଙ୍କା ଗଣିବାକୁ ଦେଇଥିଲେ ସେ କହିଲେ—ଠିକ୍‌ ଅଛି । ଏ ଅଛି ମୋଟ ଟ ୨୮୦ଙ୍କା । କମିଶନର ଲେଖିଲେ ଟ ୨୮୦ ଙ୍କା । ତା’ପରେ ଟ୍ରେଜେରୀରୁ ବାହାରିଲା ଦୁଇପଟ ସୁନା ଚୁଡ଼ି, ମୂଲ୍ୟ ଟ ୩୦୦ଙ୍କା ବୃଦ୍ଧା କହିଲେ ସେ ଦୁଇଟା ତାଙ୍କର । ସେ ନେବାକୁ ଚାହାନ୍ତି । କମିଶନର କହିଲେ ‘ମା’ ଏ ଚୁଡ଼ି ମୁଁ ନେଉ ନାହିଁ । ଆପଣଙ୍କର ସମସ୍ତ ଜିନିଷ ଆପଣ ରଖିବେ । ଊଲ୍ଲେଖଯୋଗ୍ୟ ଆଉ କୌଣସି ଜିନିଷ ବାହାରିଲା ନାହିଁ । ନରେନ୍ଦ୍ର କହିଲା—‘ସବୁ ତ ଚାଲାଣ ହୋଇ ଯାଇଛି । ଆଉ କ’ଣ ମିଳନ୍ତା ?’

 

ବୃଦ୍ଧ ବଳିୟାର ସିଂ କହିଲେ—ତୁ କଷ୍ଟକରି ଏ ମକଦ୍ଦମା କାହିଁକି କରୁଥିଲୁ ? କାଠ କେଇଖଣ୍ଡ ଆଣି, ନିଆଁ ଜାଳି ଏ ବୁଢ଼ାଟାକୁ ନିଆଁ ଲଗାଇ ଦେଲୁନାହିଁ ? ତୁ ମନେରଖ, ଟ୍ରେଜେରୀ ଖୋଲିବା ପାଇଁ ଯେତିକି ଥର ସେ ହାତୁଡ଼ି ପିଟିଲା, ସେତିକି ଥର ଏ ଛାତିରେ ଆଘାତ ଲାଗିଲା । ମନେ ହେଉଛି ଛାତିରେ ପ୍ରତିଖଣ୍ଡ ହାଡ଼ରେ ସତେ ଯେପରି କେହି ଅନେକ ଲୁହାର କଣ୍ଟା ପିଟି ଦେଉଛି । ତାକୁ ଟାଣି କାଢ଼ି ହେବ ନାହିଁ । ତୁ ବୁଝି ପାରିବୁ ନାହିଁ, ଏ ଛାତି ଉପରେ ପକାଇ ତତେ କେଉଁ ତାର୍ଥକୁ ନ ନେଇଛି ।’

 

‘ତୁମେ ଯାହା କୁହ, ମୁଁ ପୈତୃକ ସମ୍ପତ୍ତି ବରବାଦ୍‌ ହେବାକୁ ଦେବି ନାହିଁ । ତୁମେ ଗୁଡ଼ାଏ ଟାଉଟରଙ୍କୁ ଧରି ସବୁ ସାରିଲ ।

 

କମିଶନର ସବୁ ଲେଖିସାରି ଆମୂଳଚୂଳ ପଢ଼ିଗଲେ ଓ ବଳିୟାର ସିଂଙ୍କୁ କହିଲେ, ଆପଣଙ୍କ ମାର୍ଫତରେ ଏସବୁ ଜିନିଷ ରହିଲା’ । ପ୍ରଥମେ ପ୍ରଥମେ ଅନିଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ବଳିୟାର ସିଂ କର ଲେଉଟାଇ କାଗଜ ଉପରେ ଦସ୍ତଖତ କଲେ । ଉଭୟପକ୍ଷ ଦସ୍ତଖତ କରି ସାରିବା ପରେ ଆମେ ଭଦ୍ରଲୋକ ହିସାବରେ ସାକ୍ଷୀ ପଡ଼ିଲୁ । କମିଶନର ବୃଦ୍ଧଙ୍କ ଊବ୍ଦେଶ୍ୟରେ କହିଲେ—‘ମୁଁ ଯାଉଛି । ଆପଣ ସମ୍ପୂର୍ଣ୍ଣ ବିଶ୍ରାମ ନିଅନ୍ତୁ । ଆପଣ ହଇରାଣ ହେଲେ, ମାତ୍ର ମୁଁ ନିରୂପାୟ । ଆପଣଙ୍କର ଅସୁବିଧା ହେଲା । କୋର୍ଟର ନିର୍ବ୍ଦେଶ ଅବମାନନା କରିବା ମୋ ଶକ୍ତିର ବାହାରେ । ନମସ୍କାର ।’

 

—‘ନା ଆଜ୍ଞା, ଆପଣଙ୍କର ଆଉ ଦୋଷ କ’ଣ ?

 

ମୁଁ ବୃଦ୍ଧଙ୍କ ଶୋଇବା ଘରୁ ଚାଲି ଆସିବା ପୂର୍ବରୁ ଶେଷ ଥର ଲାଗି ତାଙ୍କୁ ଲକ୍ଷ୍ୟ କଲି । ସତେ ଯେପରି ସେ ଆପଣାକୁ ଅନେକ ପ୍ରସ୍ତୁତ କରି ନେଇଛନ୍ତି, ସମସ୍ତ ଦୁଃଖର ସମ୍ମୁଖୀନ ହେବା ନିମନ୍ତେ । ଜୀବନ-ଯୁଦ୍ଧରେ ସେ ପରାଜୟ ମାନି ନେବେ ନାହିଁ । ଜୀବନ ପ୍ରଦୀପ ନିର୍ବାପିତ ହୋଇ ଆସୁଥିବା ବେଳେ ବୃଦ୍ଧ ବଳିୟାର ସିଂଙ୍କ ମନୋବଳ ମତେ ବିସ୍ମିତ କରୁଥିଲା ।

񤦬񤦬񤦬

 

ଜଣେ କେବଳ ଫେରିଲା ନାହିଁ

 

ତା’ର ଛୋଟ ଛୋଟ ଆଖି ଦୁଇଟି ଉଜ୍ଜ୍ୱଳ ହୋଇଉଠେ । ଏକ ଉତ୍ସବ ଅନୁଷ୍ଠାନର ଆନନ୍ଦ କୋଳାହଳମୁଖର ବାତାବରଣ ତା’ ସମ୍ମୁଖରେ ଉଦ୍‌ଭାସିତ ହୋଇଯାଏ । ଆଜି ହେଲା ଏକ୍‌ସ-ମାସ । ନୂଆ ବର୍ଷ ଆଉ ଦିନ କେଇଟା ରହିଲା । ବାପା ଏକ୍‌ସମାସ ଛୁଟିରେ ଫେରିବେ । ସନତ ଚାହିଁ ବସିଛି ବାପାଙ୍କ ଫେରିବା ବାଟକୁ । ସନତ କହେ, ବାପା କହି ଯାଇଛନ୍ତି, ଏଥର ନୂଆ ବର୍ଷରେ ଆଣିବେ ତା’ଲାଗି ଗରମ କୋଟ୍‌ । ମା’ ତା’ଲାଗି ଆଉ ସୁଇଟର ବୁଣିବା ପ୍ରୟୋଜନ ନାହିଁ-

ଶିଶିରବୋଳା ସଂଧ୍ୟା ନଇଁ ଆସିବା ସଙ୍ଗେ ସଙ୍ଗେ ସନତ ବାଟଘର ଝରକା ନିକଟରେ ବସି ଗଣେ, ଘରକୁ ସମସ୍ତେ ଠିକ୍‌ ସମୟରେ ଫେରିଲେ କି ନାହିଁ । ସେ ବାପାଙ୍କୁ ଆସିଲେ କହିବ ଘରକୁ କେଉଁମାନେ ଠିକ୍‌ ସମୟରେ ଆସୁଛନ୍ତି । ଆଉ କେଉଁମାନେ ବିଳମ୍ବରେ ଫେରୁଛନ୍ତି । ତା’ ହିସାବରେ ତାଙ୍କ ଘରେ ଅଛନ୍ତି ଆଠ ଜଣ ।

ଏକ ସାନଦାଦା, ଅଶୋକ

ଦୁଇ ବଡ଼ ଭଉଣୀ, ରୁନୁ

ତିନି ସାନ କୁକୁର, ମିଟୁ

ଚାରି ବଉାଳ ଗାଈ

ପାଞ୍ଚ ମିଆଁଉ ମିଆଁଉ ସାନ ବିଲେଇ

ଛ’ ହଳିଆ-ଫକୀର, ରାତିରେ ଶୋଇବା ପାଇଁ ଆସେ ।

ସାତ ବାରି ଖଞ୍ଜାରୁ ଆସନ୍ତି ବୁଢ଼ୀ ଜେଜିମା’ ଜାହ୍ନବୀ ଦେଈ ।

ଆଠ ନାଥନନା, ଦୂରସଂପର୍କୀୟ । ବେଳେ ବେଳେ ଆସି ଘରକାମ ବୁଝି ଥାଆନ୍ତି ।

ସନତ ହିସାବରେ ଧୂଳି ମଳି ନ ଥାଏ । ଫାଟକ ଖୋଲିବା ଶବ୍ଦ ଶୁଣିଲେ ସେ ଗଣିଚାଲେ—ଏକ, ଦୁଇ, ତିନି.....

ତା’ ଆଖିରେ ସାନ ଦାଦା ଅଶୋକ ଯେମିତି ଗୋଟିଏ ନମ୍ବର ପାଇଁ ଯୋଗ୍ୟ, ବଉଳା ଗାଈ ଗୋଟିଏ ଓ ବଡ଼ ଭଉଣୀ ରୁନୁ ମଧ୍ୟ ଗୋଟିଏ ନମ୍ବର ପାଇଁ ଯୋଗ୍ୟ । ସମସ୍ତେ ସମାନ । ସମସ୍ତେ ଘରର ମଣିଷ । ବାପାଙ୍କ ପାଖରେ ବସି ସନତ ଏକ, ଦୁଇ କରି ଆଠ ଜଣଙ୍କର ନାଁ ଯେପରି କହିଯାଏ ତାହା ଦେଖିବାର କଥା । ସେ ଗଣନାରେ ସାମାନ୍ୟ ତ୍ରୁଟି ବିଚ୍ୟୁତି ରହିଯାଏ ନାହିଁ । କେବଳ ବାପା ଥିଲାବେଳେ ଏହି ଆଠ, ନଅ ହୋଇଯାଏ ।

ସନତ ଦିନ ଗଣି ଚାଲିଥାଏ । ବାପା ଆସିବେ । ନିର୍ମଳର ବାପା ଆସିଲେଣି, ରୂପର ବାପା ଆସିଲେଣି । ତା’ ବାପା ବିଳମ୍ବରେ ଆସିବେ । ହଁ, କହିଥିଲେ ତା’ ପାଇଁ କୋଟ ଧରି ଆସିବାକୁ । କୋଟ୍‌ବାଲା କୋଟ୍‌ କରିଦେଲେ ସିନା ଆସିବେ । ନହେଲେ, କିପରି ଆସିବେ । —କୋଟ ନ ଆଣିଲେ ବାପା ଆସିବେ ନାହିଁ । ନୁହେଁ ? ମା, କ’ଣ କହୁଚୁ ? ସେ ବ୍ୟସ୍ତହୋଇ ପ୍ରଶ୍ନକରେ ତା’ ମା’କୁ ।

ଶେଫାଳୀ ବିବ୍ରତ ହୋଇ ଉଠନ୍ତି । ଏ ପ୍ରଶ୍ନର ସେ କି ଉତ୍ତର ଦେବେ ? ସେ କେବଳ ଚାହିଁ ରହନ୍ତି ଆକାଶକୁ, ଉନ୍ମୁକ୍ତ ନୀଳ ଆକାଶକୁ । ଯେଉଁ ଆକାଶକୁ ମଣିଷ ବେଳେବେଳେ ଅସହାୟ ଅବସ୍ଥାରେ ଚାହିଁରହେ ।

ଯେଉଁମାନେ ସଂଖୋଳିବା ପାଇଁ ଆସିଥିଲେ ସେମାନେ ଚାଲିଗଲେଣି । ସାନ ଭାଇ ଆସିଥିଲା ସେ ବି ଚାଲିଗଲା । ସେ ଆଉ କେତେଦିନ ବା ରହିପାରନ୍ତା ? କମ୍ପାନୀରେ କାମକରେ-। ଛୁଟି ନେଇ ଆସିଥିଲା । ଛୁଟି ପୂରିଲା । ସେ ଫେରିବା କଥା । ଫେରିଗଲା । ଏବେ ବି ବନ୍ଧୁ, ବାନ୍ଧବ ଚିହ୍ନାପରିଚିତମାନେ ସାନ୍ତ୍ୱନା ଦେଇ ଲେଖୁଛନ୍ତି । ସେମାନେ ଆଉ ଅଧିକା କ’ଣ କରନ୍ତେ-? ସହାନୁଭୂତିପୂର୍ଣ୍ଣ ଚିଠି ଖଣ୍ଡେ ଲେଖାଏଁ ଦେଉଛନ୍ତି । ସେଇ ଯଥେଷ୍ଟ । ଶେଫାଳୀ କେବଳ ଦୀର୍ଘ ନିଶ୍ୱାସ ମାରନ୍ତି । କାନ୍ଦିବା ଲାଗି ଆଖିରେ ତାଙ୍କର ଆଉ ଲୁହ ନାହିଁ, ଚୁପ୍‌ଚାପ୍‌ ହୋଇ ବସି ରହିବାର ମଧ୍ୟ ଆଉ ଯୁ’ ନାହିଁ । ତାଙ୍କୁ କେନ୍ଦ୍ର କରି ଛୋଟ ପରିବାରଟି ବଂଚି ରହିଚି । ସେ କାମ ଛାଡ଼ି ବସି ରହିବେ କିପରି ?

ସନତ ଛୋଟ ପିଲା, ସେ ବା କ’ଣ ବୁଝିବ ? ସମସ୍ତେ କାନ୍ଦନ୍ତି । ବ୍ୟସ୍ତ ହୁଅନ୍ତି । ସେ ହିସାବ କରେ । ଏକ, ଦୁଇ, ତିନି....ଆଠ । ସମସ୍ତେ ଆସିଲେ । ବାପା କେବଳ ଆସିବେ । ନୂଆ ବର୍ଷ ଆସିବ । ଘର ସଜା ହେବ । ଆଲୁଅ ଜଳା ହେବ । ଭୋଜି ହେବ, ମଜା ହେବ । ସବୁଥର କରି ଶନିବାର ଆସି ବାପା ଏଥର ସୋମବାର ସକାଳ ଗାଡ଼ିରେ ଫେରିଯିବେ ନାହିଁ । ରୁଲୁଦେଈ କହୁଥିଲା ବାପା ଏଥର ସାତ ଆଠଦିନ ରହିବେ । ସେମାନେ ବୁଲିଯିବେ ନନ୍ଦନକାନନ । ସେଠାରେ ନୂଆ ବର୍ଷରେ ଭୋଜି କରାଯିବ । ତା’ କୋଟ୍‌ ତ ନିଶ୍ଚୟ ଆସିବ । ସେ ପିନ୍ଧିବ ।

 

ରୁନୁଦେଈ ଫେରେ ସ୍କୁଲରୁ । ସନତ କହେ-ଦେଈ ତୁ ଆଜି ପାଞ୍ଚ ହେଲୁ । ତୋ ଆଗରୁ ସାନ ଦାଦା ବଉଳା ଗାଈ ଆଉ ମିଆଁଉ ମିଆଁଉ ଆସି ଗଲେଣି । ରୁଲୁ କିଛି ନ କହି ଚୁପ୍‌ଚାପ୍‌ ଯାଇ ମା ପାଖରେ ଠିଆହୁଏ । ଶେଫାଳୀ ଲୁହ ଚାପି କହନ୍ତି—‘‘ଯା, ପରୀକ୍ଷା ଅଛି ? ସାହିତ୍ୟ ? ପଢ଼ିବୁ ଯାଆ ।’’

 

ରୁନୁକୁ ବୁଝାଇ ସୁଝାଇ ସ୍କୁଲକୁ ପଠାଇଛନ୍ତି । ସେ ସ୍କୁଲ ଯାଉଚି । ତେବେ ସେ ବୁଝୁଚି କ’ଣ ହେଲା । ସମସ୍ତଙ୍କ ବାପା ଆସୁଛନ୍ତି ଆଉ ଯାଉଛନ୍ତି । କିନ୍ତୁ ତା’ ବାପା ଆଉ ଫେରିବେ ନାହିଁ । ଯେଉଁମାନଙ୍କୁ କଫିନ୍‌ ଭିତରେ ରଖି, ଫୁଲ ତୋଡ଼ା, ଫୁଲମାଳ ଦେଇ ଖବର ଦିଆଯାଏ, ସେ ଆଉ ଫେରନ୍ତି ନାହିଁ । ମାଟି ତଳେ ସେମାନେ ସବୁଦିନ ଲାଗି ରହି ଯାଆନ୍ତି । ସେମାନଙ୍କର ହୁଏ ମୃତ୍ୟୁ । ମୃତ୍ୟୁ ତା’ ପାଇଁ କେଡ଼େ ଭୟଙ୍କର ସେ କେବଳ ବୁଝେ । ତା’ ବାପା ଆଉ ନାହାନ୍ତି । ସେ ବହି ଉପରେ ମୁହଁରଖି ସେଇ କଥା ଭାବି ଭାବି ଚୁପ୍‌ ହୋଇ ରହେ । ଧାର ଧାର ହୋଇ ଛୁଟି ଚାଲେ ଲୁହ । ସେ ଲୁହର ସ୍ରୋତ ସାମାନ୍ୟ ମନ୍ଥର ହୋଇଯିବା ବେଳକୁ ସେ ଶୁଣେ ପାଖଘରେ ସନତ ଗଣୁଚି—ଏକ ଦୁଇ ତିନି.....ଆଠ । ଘରେ ଆଠ ଜଣ । ଆଉ ଜଣେ କେବଳ ବାପା ଆସିଲେ ନଅ ହେବ । ଏ ଘରେ ନଅ ଜଣ ରହିବେ ।

 

ରୁନୁ କାନେ କାନେ ଶୁଭିଯାଏ ବାପାଙ୍କର ସେଇ ସ୍ନେହବୋଳା କଥା—ତୁ ମୋ’ ସୁନା ଝିଅ । ପାଠ ପଢ଼ିବୁ । ବଡ଼ହେଲେ ଡାକ୍ତରାଣୀ ହେବୁ । ମଟରଗାଡ଼ି କିଣିବୁ । ତୁ ମୋ’ ଝିଅ ନୁହେଁ, ପୁଅ । ତୁ ମୋ ପାଖେ ପାଖେ ରହିବୁ ।

 

ଅପାକୁ କାନ୍ଦୁଥିବାର ଦେଖି ସନତ ପାଟିକରି ଉଠେ । ମା’ ରୁନୁ—ପାଠ ପଢ଼ୁନାହିଁ । ଆ’ ଦେଖିବୁ, ସେ ବସି କାନ୍ଦୁଚି । ବାପା ଆସିଲେ ମୁଁ କହିଦେବି ।

 

ଶେଫାଳୀ କିଛି କହନ୍ତି ନାହିଁ । ଆଖି ଦୁଇଟି ତାଙ୍କର ଛଳଛଳ ହୋଇଉଠେ । ସେ କିଛି ଭାବି ପାରନ୍ତି ନାହିଁ । କ’ଣ କହି ସେ ରୁନୁକୁ ସାନ୍ତ୍ୱନା ଦେବେ ? ରୁନୁ ତା’ର ବାପା ପାଇଁ କାନ୍ଦୁଚି । ସେ ଜାଣେ ତା’ର ବାପା ଫେରିବେ ନାହିଁ ।

 

ଆଖି ପୋଛି ସେ ଷ୍ଟୋରରୁମ୍‌ରେ ପଶନ୍ତି । ବଜାରରେ ସୁଜି ଚିନିର ଅଭାବ । ମିଳିବ, ନ ମିଳିବ; ସେଥିପାଇଁ ସେ ସବୁ ସଂଗ୍ରହ କରି ଆଣି ରଖିଥିଲେ । ସୋରିଷ ତେଲ ଟିଣ ସେଇପରି ରହିଚି; ଅନ୍ୟ ସବୁ ସରିବା ଉପରେ । ସେ ଚୁପ୍‌ଚାପ୍‌ ଚାରି ଦିଗକୁ ଚାହାନ୍ତି । କେମିତି ଏ ଛୋଟ ପିଲାମାନଙ୍କୁ ନେଇ ସେ ବଞ୍ଚିବେ ଓ ଅନ୍ୟମାନଙ୍କୁ ବଞ୍ଚାଇବେ । ସ୍ୱାମୀ ସବୁବେଳେ ତାଙ୍କୁ ଗୋଟିଏ କଥା କହନ୍ତି—‘ପିଲାମାନେ ଯେତେବେଳେ ଯାହା ଚାହିଁବେ ତାଙ୍କୁ ଆଣିଦେବ । ସେମାନଙ୍କ ମନରେ ଗୋଟାଏ ଅଭାବବୋଧ ସୃଷ୍ଟି କରାଇବା ଠିକ୍‌ ନୁହେଁ । ଏହି ଅଭାବବୋଧର ସମାଧାନ ସେମାନେ ତ କରିପାରନ୍ତି ନାହିଁ; ବରଂ ଅସହାୟତା ଅନୁଭବ କରନ୍ତି । ଏଇ ଅଭାବବୋଧର ଛାପ ସବୁଦିନ ପାଇଁ ତାଙ୍କ ମନରେ ରହିଯାଏ ।’’

 

ତାଙ୍କର ସ୍ୱାମୀଙ୍କର ଆନନ୍ଦ ଭଲ ଜିନିଷ କରି ଅନ୍ୟମାନଙ୍କୁ ଖୁଆଇବାରେ । ତାଙ୍କର ଦୁଃଖ ରହିଗଲା । ସେ ଚାହୁଁଥିଲେ ଦିନେ ରସାବଳୀ କରି ପିଲାମାନଙ୍କୁ ଖୁଆଇବାକୁ, ମାତ୍ର କରିବେ କରିବେ ହୋଇ ରହିଗଲେ । ଏବେ ରସାବଳୀ କରିବାର ଆଗ୍ରହ ସେ ସବୁଦିନ ପାଇଁ ହରାଇ ବସିଲେ ।

 

ବ୍ୟାଙ୍କରେ ଆଠ ଶହ ଟଙ୍କା ଥିଲା । ଡାକ୍ତରଖାନାରେ ସବୁ ଖର୍ଚ୍ଚ ହୋଇଗଲା । ଆଉ ଅଳ୍ପ କିଛି ଟଙ୍କା ପଡ଼ିଚି । ଅଶୋକ ପରୀକ୍ଷା ଦେବ । ତା’ର ପରୀକ୍ଷାଫିସ୍‌ ପାଇଁ ଟଙ୍କା ଦରକାର । ଭାଇ ସଙ୍ଗେ ବେଟ୍‌ ଦେଇଥିଲା, ନିଶ୍ଚୟ ଫାଷ୍ଟ୍‌ ଡିଭିଜନ ପାଇବ । ତାକୁ ଗୋଟାଏ ରିଷ୍ଟୱାଚ୍‌ ନିଶ୍ଚୟ ଦେବେ । ଭାରି ସ୍ମାର୍ଟ ପିଲା; ମାତ୍ର ଦିନ କେଇଟାରେ କ’ଣ ହେଲାଣି । ସେ ଆଉ କିଛି କହେ ନାହିଁ-। ଚୁପ୍‌ଚାପ୍‌ କେବଳ ଆସି ଭାଉଜଙ୍କ ପାଖରେ ଠିଆ ହୁଏ । ତାଙ୍କ ମୁହଁକୁ ଚାହେଁ । ସନତକୁ ଗେଲ କରେ । କୋଳକୁ ନିଏ । ସନତ ତାକୁ ପଚାରେ—‘ଦାଦା, ତୁ ଏଥର ଫୁଲ କାଟିବୁ ନାହିଁ ? ସମସ୍ତଙ୍କ ଘରେ ଫୁଲ ଲଗେଇଲେଣି । ବାପା ଆସିଲେ ଫୁଲ କାଟିବୁ ।’’ ଅଶୋକ ଆଖି ପୋଛେ ତା’ ଅଜାଣତରେ । ଶେଫାଳୀ ଠିକ୍‌ ଦେଖି ପାରନ୍ତି ଅଶୋକ ଆଖିର ଲୁହ । ସେ ଆସନ୍ତି ଅଶୋକ ପାଖକୁ । ପଚାରନ୍ତି-‘‘ସନତ ତୁ’ ଯା ଶୋଇବୁ । ଦାଦା ପଢ଼ନ୍ତୁ ଏଠାରେ । ତୁ ଗୋଳମାଳ କରନାହିଁ-।’’ ମୋଟା ବହିଟାକୁ ଚାହିଁ ଶେଫାଳୀ ପ୍ରଶ୍ନ କରନ୍ତି-କ’ଣ ଟେଷ୍ଟ୍‌ ପେପର ଆଣିଲ ? କେତେ ଦାମ୍‌ ପଡ଼ିଲା ?’’

 

ଚଉଦ ଟଙ୍କା । ବହୁତ ଦାମ ଏଥର ହୋଇଚି । କାଗଜ ଦର ବଢ଼ିଯାଇଛି ଅନେକ । ମୁଁ କିଣୁ ନ ଥିଲି । ନୃସିଂହର ସାତ ଟଙ୍କା ଓ ମୋର ସାତ ଟଙ୍କା ଦେଇ ମିଶି କିଣିବୁ । ଦଶ ଟଙ୍କା ଦେଇଥିଲ । ଆଉ ତିନି ଟଙ୍କା ନେଇଯାଅ ଭାଉଜ । —ଥାଉ, ରଖିଥାଅ; କହି ଚାଲିଗଲେ ଶେଫାଳୀ ।

 

ଅଶୋକ ଭୀଷଣ ଜିଦ୍‌ଖୋର । ନୂଆ ବହି ନୂଆ ଖାତା ନ ହେଲେ ପାଠ ପଢ଼େନାହିଁ । ସେ କହେ, ‘‘ପୁରୁଣା ବହି ପଢ଼ି ଫାଷ୍ଟ ହେବା ସମ୍ଭବ ନୁହେଁ ।’’ ପିଲାଟା ଭଲ ପଢ଼ୁଚି । ତା’ର ସମସ୍ତ ଦାବୀ ତା’ର ଭାଇ ପୂରଣ କରନ୍ତି । ସେ ଚାଲିଗଲେ । ଏବେ ପିଲାଙ୍କ ସଙ୍ଗେ ଅଂଶୀଦାର ହୋଇ ସେ ବହି କିଣୁଚି । ଶେଫାଳୀ ବ୍ୟସ୍ତ ହୁଅନ୍ତି । ବିବ୍ରତ ହୁଅନ୍ତି । ଆଖିରୁ ଲୁହ ପୋଛନ୍ତି, ମାତ୍ର ଉପାୟହୀନା ସେ । ମନକୁ ମନ କହିଲେ-ପ୍ରଭୁ । ଅଶୋକକୁ ଅନ୍ତତଃ ଭଲରେ ଭଲରେ ପାଶ୍‌ କରାଇ ଦିଅନ୍ତୁ । ଛୋଟ ଚାକିରୀଟିଏ ଦେଖି ଅନ୍ତତଃ କେଉଁଠି ଢୁକିଯିବ । ସେ ଚାହିଁଥିଲେ ଅଶୋକ ଇଂଜିନିୟର ହେବ । ବିଚରା....

 

ଶେଫାଳୀ ସନତକୁ ଶୁଆଇବା ପାଇଁ ଶୋଇବାଘର ଭିତରକୁ ନେଇଯାଆନ୍ତି । ବାଣ୍ଡା ପାଖ ଝରକାରେ ପଦାକୁ ଚାହାନ୍ତି । ଖଳାରେ ବେଙ୍ଗଳା ପଡ଼ିଚି । ଫକୀର ବଳଦ ବୁଲାଇ ବେଙ୍ଗଳା କରୁଚି । ଏ ଦୁର୍ଦ୍ଦିନରେ ଏଇ ପରିବାରର ଏକମାତ୍ର ହିତାକାଂକ୍ଷୀ ବିଶ୍ୱସ୍ତ ସହାୟକାରୀ । ସାହୁଙ୍କ କଥା କହି ସେ ବେଳେ ବେଳେ ଭୋ ଭୋ ହୋଇ କାନ୍ଦେ । ଏବର୍ଷ ସାହୁଘର କିପରି ଚଳିବେ ସେ ନେଇ ସେ ଚିନ୍ତିତ । ଧାନ ଯାହା ଅମଳ ହେବା କଥା; ହେଲା ନାହିଁ । ସେ ଶେଫାଳୀକୁ ସାନ୍ତ୍ୱନା ଦେଇ କହେ—‘ବ୍ୟସ୍ତ ହୁଅନ୍ତୁ ନାହିଁ, ସବୁ ଠିକ୍‌ ହୋଇଯିବ । ଦେଖିବା ଯାହା ହେବ । ମୁଁ ଥାଉ ଥାଉ ତୋର କିଛି ଅସୁବିଧା ହେବ ନାହିଁ ।

 

ବୁଢ଼ା ସାହୁ ଥିଲାବେଳେ ଥରେ ଏହିପରି ଅସୁବିଧା ହୋଇଥିଲା । କ୍ଷେତ ଉଠି ଯାଇଥିଲା । ସରକାରୀ ଚାଉଳ ଲୋକଙ୍କୁ କଣ୍ଟ୍ରୋଲରେ ବିକ୍ରୀ କରାଯାଉଥିଲା । ଅନେକ ଲୋକ ଗାଁ ଛାଡ଼ି ଚାଲିଗଲେ । ବହୁତ ଦିନ ତଳର କଥା ଇଏ ।

 

ଶାଶୁବୁଢ଼ୀ ପୁଅର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରନ୍ତି । କହନ୍ତି-ପ୍ରଭୁ ଯେତେବେଳେ ନିର୍ଦ୍ଦୟ, ତାଙ୍କୁ ନ ନେଇ ତାଙ୍କ ପୁଅ ପୂର୍ଣ୍ଣେନ୍ଦୁକୁ ତାଙ୍କଠାରୁ ଛଡ଼ାଇ ନେଇଗଲେ । ସେ ନିଜକୁ ସାନ୍ତ୍ୱନା ଦେବା ପାଇଁ ଅନେକ କଥା ଅନେକ ଯୁକ୍ତିକରି ବସିବା ସମୟକୁ ସନତ ପଚାରେ—ଜେଜିମା, ବାପା ଆଜି ଗାଡ଼ିରେ ଆସିଲାବେଳେ ମୋତେ ଉଠାଇବ । ମୋ ପାଇଁ କୋର୍ଟ ଆଣିଥିବେ । ମୁଁ ନୂଆ ବର୍ଷରେ ପିନ୍ଧି ଚର୍ଚ୍ଚ ଯିବି ।

 

ଶେଫାଳୀ ଯାଇ ଦେଖନ୍ତି ରୁନୁ ପଢ଼ୁଛି । ସେ କହନ୍ତି–ମୋ ସୁନା ଝିଅ, ଯାଆ, ଶୋଇପଡ଼ିବୁ । ଦୁଇଟି ପିଲାଙ୍କୁ ଦୁଇ ପାଖରେ ଶୁଆଇ ଶେଫାଳୀ ରେଜେଇଟିକୁ ଦେହ ଉପରକୁ ଉଠାଇ ଆଣନ୍ତି । ଲାଇଟ୍‌ ଅଫ୍‌ କରନ୍ତି । ସେଇ ଅନ୍ଧକାର ଭିତରେ ପୂର୍ଣ୍ଣେନ୍ଦୁଙ୍କ ମୁହଁ ନାଚି ଉଠେ । ସେ ପୂର୍ଣ୍ଣେନ୍ଦୁ ପାଖରେ ଥିବା ପରି ଅନୁଭବ କରନ୍ତି, ମାତ୍ର ସ୍ପର୍ଶ କରିପାରନ୍ତି ନାହିଁ । ପ୍ରଶ୍ନ ପଚାରନ୍ତି, ମାତ୍ର ଉତ୍ତର ପାଆନ୍ତି ନାହିଁ । ସେ ବୁଝନ୍ତି ଜୀବନ କ’ଣ, ମୃତ୍ୟୁ କ’ଣ । ସେ ମୃତ୍ୟୁର ବ୍ୟାଖ୍ୟା କରିବାକୁ ଉଦ୍ୟମ କରନ୍ତି ନାହିଁ । ଶେଫାଳୀ ମୃତ୍ୟୁକୁ ଯେପରି ଭାବେ ବୁଝୁଛନ୍ତି ତା’ ଠାରୁ ଅଧିକ ସ୍ପଷ୍ଟ ଭାବରେ କିଏ ବୁଝାଇ ପାରିବ, ସେ ବିଶ୍ୱାସ କରିପାରନ୍ତି ନାହିଁ । ଧୀରେ ଧୀରେ ଅସହାୟ ବୋଧ କରନ୍ତି । ଦୁର୍ବଳ ହୋଇ ଉଠନ୍ତି । ସନତ ଗଣିବାକୁ ଚେଷ୍ଟାକରେ–

 

ଏକ-ରୁନୁ ଦେଈ

 

ଦୁଇ-ଫକୀର

 

ତିନି-ସାନ ଦାଦା

 

ଚାରି ...... ..... ....

 

ପାଞ୍ଚ..... .... .......

 

ଛଅ .... ........ ....

 

ସାତ ..... .... .....

 

ଆଠ .... .... ....

 

ସମସ୍ତେ ଆସିଲେ, କେବଳ ଜଣେ ଆସିଲେ ନାହିଁ । —ମା, ବାପା ? ନନି ବାପା ଆସିଲେ । ଆମ ବାପା କାହାନ୍ତି, ଆସିବେ ନାହିଁ ? ଆମର କ’ଣ ଭୋଜି ହେବ ନାହିଁ ? ବାପା ଆସିଲେ ହେବ ନ’ । କ’ଣ କିଛି କହୁନାହୁଁ ଯେ ।

 

ଶେଫାଳୀ ସନତକୁ ଥାପୁଡ଼ାଇ ଦେଇ କହନ୍ତି ଶୋଇପଡ଼ । ଅନେକ ରାତି ହେଲାଣି । ଆଖିରୁ ତାଙ୍କର ଧାର ଧାର ହୋଇ ଲୁହ ବୋହିଯାଏ ।

 

ରୁନୁ ଆଉ ସମ୍ଭାଳି ପାରେ ନାହିଁ, ସେ କଇଁ କଇଁ ହୋଇ କାନ୍ଦି ଉଠେ । ବାପା ତା’ର ଆଉ ଫେରିବେ ନାହିଁ । ସେ ସବୁଦିନ ପାଇଁ ତେବେ ସେମାନଙ୍କୁ ଛାଡ଼ି ଚାଲିଗଲେ । ଜେଜିମା’ ବିକଳ ହୋଇ କେତେ ଡାକିଲେ ବାବା ଆଉ ଆଖି ଖୋଲିଲେ ନାହିଁ । ମା’ତ ସହଜେ ପାଗଳିନୀ ପରି ହୋଇଗଲା । ତେବେ ସତରେ କେବଳ ଜଣେ ଫେରିବ ନାହିଁ । ସାନ ଭାଇ ସନତର ହିସାବ ଆଠରେ ରହିଯିବ । ନ’ଅ କେବେ ହେବ ନାହିଁ । ସବୁଦିନ କେବଳ ସେହି ଆଠ । ସନତ ତେବେ ନୂଆ ବର୍ଷରେ କୋର୍ଟ ପିନ୍ଧି ପାରିବ ନାହିଁ । ଶେଫାଳୀ ରୁନୁକୁ ପାଖକୁ ଡାକିଆଣି କହିଲେ—ତୁ କାନ୍ଦୁଛୁ କାହିଁକି ? ମା’ର ସ୍ୱର ଚାପାଚାପା ଶୁଭୁଥିଲା । ସେ ମା’ର ମୁହଁ ଉପରେ ହାତ ବୁଲାଇ ଆଣି କହିଲା—ତୁ ବି ତ କାନ୍ଦୁଛୁ । ତୁ ସତ କଥା କହୁନାହୁଁ କାହିଁକି ? ସନତକୁ ଭୁଲାଉଛୁ କାହିଁକି ?

 

ଝିଅ ରୁନୁର ଏ ପ୍ରଶ୍ନର ଉତ୍ତର ଦେବା ଶେଫାଳୀଙ୍କ ପକ୍ଷରେ ଏବେ ସହଜ ନ ଥିଲା । ସେ ଅଧିକ ଅସହାୟ ହୋଇ କାନ୍ଦି ଉଠିଲେ । ରୁନୁକୁ ଛାତି ଉପରକୁ ଉଠାଇ ଆଣି ଅଧିକ ଜୋର୍‌ରେ ଚାପି ଧରିଲେ । ବକ୍ଷଦେଶ ତାଙ୍କର ରୁନୁର ଉଷୁମ ଲୁହରେ ଶିହରି ଉଠୁଥିଲା । ସେ ଘୋଡ଼ିହେଲା ରେଜେଇଟିକୁ ଦେହ ଉପରକୁ ଉଠାଇ ସମସ୍ତଙ୍କୁ ଢାଙ୍କି ଦେଲେ । ଶେଯ ତଳେ ଥିବା ଛ’ଗୋଟି ଆଖିପତା ମଧ୍ୟରୁ ସନତର ଦୁଇ ଆଖିପତାରେ ନୂଆ ବର୍ଷର ନିଦ ଘନେଇ ଆସୁଥିଲା । ସେ ହୁଏତ ସ୍ୱପ୍ନ ଦେଖିବା ଲାଗି ପ୍ରସ୍ତୁତ ହେଉଥିଲା । ତା’ର ବାପାଙ୍କୁ । ଆଉ ଚାରିଟି ନୟନପତା ଅଶ୍ରୁ ସଜଳ ହୋଇ ଉଠୁଥିଲା । ସେହି ଅନ୍ଧକାର ମଧ୍ୟରେ ଜଣେ ଖୋଜୁଥିଲା ତା’ର ସ୍ୱାମୀଙ୍କୁ । ଆଉ ଜଣେ ତା’ର ବାପାଙ୍କୁ । ଯଦିଓ ସେମାନେ ବୁଝିଥିଲେ ତାଙ୍କ ଆଶା କେବଳ ଆଶାରେ ସୀମାବଦ୍ଧ ହୋଇ ରହିବ । ଏ ଆଶାରେ ଫୁଲ ଫୁଟିବ ନାହିଁ । ଫଳ ଧରିବ ନାହିଁ । ପୂର୍ଣ୍ଣେନ୍ଦୁ ଆଉ ଫେରିବେ ନାହିଁ ।

 

ଶେଫାଳୀ ସେହି ଘୋଡ଼ିହେଲା ଶେଯ ଦେହରୁ ସ୍ୱାମୀଙ୍କ ଦେହର ସ୍ପର୍ଶ ଅନୁଭବ କରିବାକୁ ଏବଂ ସ୍ୱାମୀଙ୍କ ଦେହର ଗନ୍ଧ ଆଘ୍ରାଣ କରିବାକୁ ଉଦ୍ୟମ କରୁଥିଲେ ।

 

ସମୟ ଅର୍ଦ୍ଧରାତ୍ର । ଅଦୂରରେ ବାଜି ଉଠୁଥିଲା ଚର୍ଚ୍ଚର ବେଲ୍‌ । ପୁରାତନ ବର୍ଷର ଶବାଧାର କ୍ରମେ କ୍ଷୀଣରୁ କ୍ଷୀଣତର ହୋଇ ଉଠୁଥିଲା । ନୂତନ ବର୍ଷ ତା’ର ଆଗମନର ଇସ୍ତାହାର ଘୋଷଣା କରି ଚାଲିଥିଲା । ଶେଫାଳୀ ସେହି ମହାନ୍‌ ଶକ୍ତି ପ୍ରଭୁ ଯୀଶୁ, ଯାହାଙ୍କ ଆଶୀର୍ବାଦରୁ ଅସହାୟ ଶକ୍ତିଲାଭ କରେ, ଅନାଥ ଆଶ୍ରା ଲାଭ କରେ, ତାଙ୍କରି ଉଦ୍ଦେଶ୍ୟରେ ହସ୍ତ ଉତ୍ତୋଳନ କରି ପ୍ରଣତି ଜଣାଇଲେ । ସେହି ଅନ୍ଧକାର ମଧ୍ୟରେ ପୂର୍ଣ୍ଣେନ୍ଦୁଙ୍କ ମୁହଁ ଝଲସି ଉଠୁଥିଲା । ସେ ସେହି ମୁହଁକୁ ସ୍ପର୍ଶ କରିବାକୁ ଉଦ୍ୟମ କରି ବାରମ୍ବାର ବ୍ୟର୍ଥ ହେଉଥିଲେ । ସେ ବୁଝି ପାରୁଥିଲେ ଜୀବନ ଆଉ ମୃତ୍ୟୁ ମଧ୍ୟରେ ବ୍ୟବଧାନ କେତେ ? ମୃତ୍ୟୁର ସ୍ପର୍ଶ କେତେ ଶୀତଳ, ନିର୍ମମ ଆଉ ନିଷ୍ଠୁର ।

񤦬񤦬񤦬

 

ବିସ୍ଫୋରଣ

 

ବୁଟ୍‌ ପାଲିସ ସାରି ସେ ଆଉ ଥରେ ଆଖି ବୁଲାଇ ଆଣିଲା । ବେଲଟ୍‌ ସଫା ସରିଛି । ପଗଡ଼ି ସଫା ହୋଇ ଯାଇଛି । ପ୍ୟାଣ୍ଟ ସାର୍ଟ ମୋଜା ମଧ୍ୟ ସଫା ହୋଇ ରଖା ଯାଇଛି । ସାର୍ଟ କଲାରରେ ପ୍ରୟୋଜନୀୟ ଇସ୍ତ୍ରୀ ଦିଆ ଯାଇଛି । ବ୍ୟାଜ ଦୁଇଟିରେ ଯାହା ସାମାନ୍ୟ ବ୍ରାସୋ ଦିଆଯିବ । ବ୍ୟାଜ୍‌ ଦୁଇଟି ସାମାନ୍ୟ ଅଧିକ ଚିକ୍‌ ଚିକ୍‌ ହେବା ଦରକାର ।

 

ରାତି ପାହିଲେ ଆସିବେ ଏସ୍. ପି. ପରିଦର୍ଶନ ନିମନ୍ତେ । ନରେନ୍ଦ୍ରର ଆସି ଚାକିରୀ ସରିବା ଉପରେ । କେବେ କୌଣସି ଅଫିସର ତା’ର ଭୁଲ ଦେଖାଇ ପାରି ନାହାନ୍ତି । ତେବେ ଦାସ ବାବୁ ତାକୁ ଯେଉଁ ଶିକ୍ଷା ଦେଇଛନ୍ତି ସେ ଜୀବନରେ କେବେ ଭୁଲିବ ନାହିଁ । ସେ କଥା ମନେ ପଡ଼ିଗଲେ ତା ମୁଣ୍ଡ ଗରମ ଗରମ ହୋଇଯାଏ । ଛାତି ତଳେ ନିଆଁ ହୁତୁ ହୁତୁ ହୋଇ ଜଳି ଉଠୁଥିବାର ଯନ୍ତ୍ରଣା ସେ ଅନୁଭବ କରେ । ମାତ୍ର ଏ କଥା କେହି ଜାଣିପାରନ୍ତି ନାହିଁ । ଏହା ତ କିଛି ବଣପୋଡ଼ି ନାହିଁ ।

 

ନରେନ୍ଦ୍ରର ଭୁଲ୍‌ ସେ ଇନ୍‌ସ୍‌ପେକ୍‌ଟର ବାବୁଙ୍କ କୁଣ୍ଡା ବସ୍ତା ନିଜେ ମୁଣ୍ଡରେ ବୋହି ନ ଆଣି ରିକ୍‌ସାରେ ଆଣିଲା । ଆଣିଲା ତ ଆଣିଲା ମାତ୍ର ଭଡ଼ା ବାବଦକୁ ସେ ବାବୁଙ୍କୁ ଗୋଟିଏ ଟଙ୍କା ମାଗିଲା । ଦାସବାବୁ ପ୍ରଶ୍ନ କଲେ ଭଡ଼ା କ’ଣ ? ଏ ଜିନିଷ ସବୁ ବଜାରରୁ ଆଣିଲି ରିକ୍‌ସାରେ ।

 

ଦାସବାବୁ କେବଳ ନରେନ୍ଦ୍ର ମୁହଁକୁ ଟିକିଏ ଚାହିଁଥିଲେ । ସେ ଚାହାଁଣିରେ ଅର୍ଥ ଥିଲା । ମାତ୍ର ନରେନ୍ଦ୍ର ପକ୍ଷେ ଏତେ ଶୀଘ୍ର ଏ ଅର୍ଥ ବୁଝିବା ସମ୍ଭବପର ନ ଥିଲା । ସେ ସେଦିନ ବୁଝି ପାରି ନ ଥିଲା କି ଭ୍ରମ ସେ କରି ଦେଇଛି । କି ପ୍ରାୟଶ୍ଚିତ୍ତ ଏହି ଭ୍ରମ ପାଇଁ ସେ କରିପାରିବ । କ’ଣ କରି ସେ ବାବୁଙ୍କ ମିଞ୍ଜାସ ଖୁସ୍‌ କରିପାରିବ ।

 

ଇନ୍‌ସପେକ୍‌ଟର ଦାସବାବୁ ସାମାନ୍ୟ ବିରକ୍ତ ହୋଇ ଭାବିଲେ ଲୁହା କଅଁଳ ଦେଖି ବିଲେଇ କାମୁଡ଼େ । ଯାହାକୁ ଅଙ୍ଗୁଳି ଦେଖାଇବ ସେ ବାହା ଗିଳିଦେବ । ନରେନ୍ଦ୍ରକୁ ମୁଁ ଭଲଲୋକ ବୋଲି ଭାବିଥିଲି । ମାତ୍ର ଏବେ ଦେଖୁଛି ମହାନ୍‌ ହାରାମ୍‌ । ‘ଆଚ୍ଛା ହେଉ’ କହି ଦାସବାବୁ ଗୋଟିଏ ଟଙ୍କା ବଢ଼ାଇ ଦେଲେ ନରେନ୍ଦ୍ର ହାତକୁ ରିକ୍‌ସାବାଲାକୁ ଦେବା ପାଇଁ ।

 

ଘରେ ଗାଈକୁ କୁଣ୍ଡା ଦେଇ ଗୁହାଳ ସଫା କରି, ପରିବା କାଟି ସାନ ବାବୁଙ୍କ ପାଇଁ ଟିଫିନ୍‌ ଧରି ସେ ଯେତେବେଳେ ଯିବା ଲାଗି ବାହାରେ ଦାସବାବୁ କହିଲେ, ନରେନ୍ଦ୍ର ତୁମେ ପ୍ରସ୍ତୁତ ଥିବ । ଗୋଟିଏ ଜରୁରୀ ଡାକ ନେଇ ନୟନପୁର ଥାନାକୁ ଯିବ ଏବଂ କାଲି ବି ଫେରିବାକୁ ପଡ଼ିବ ।

 

ନରେନ୍ଦ୍ର ହଁ କରି ଟିଫିନ୍‌ ଧରି ସାନ ବାବୁ ପାଖକୁ ଯେତେବେଳେ ବାହାରେ ପଛରୁ ମା’ ଡାକି କହିଲେ, ନରେନ୍ଦ୍ର ଫେରିବା ବେଳେ କାଠ ନେଇ ଆସିବ । ଦୁଧବାଲା କାହିଁକି ଆସୁନାହିଁ ବୁଝି ଆସିବ । ଯଦି ତା’ ପାଖରେ ଦୁଧ ଥାଏ ତେବେ ଗୋଟାଏ ଲିଟର ଦୁଧ ନେଇ ଆସିବ, ହଁ ନିଅ ନିଅ । ଗହମ ନେଇଯାଅ, ପେସେଇ ଆଣିବ । ଅଟା ନ ଥିବାରୁ ରାତିରେ ପରଟା କି ରୁଟି କିଛି ହୋଇ ପାରୁନାହିଁ । ପିଲାମାନେ ଭାତ ଖାଉ ନାହାଁନ୍ତି । କି ଦେଶ ହେଲା ? ଖଣ୍ଡେ ରୁଟି ଖାଇବା ପାଇଁ ମଣିଷ ପାଉନାହିଁ ।

 

ଘର ଓଳେଇବା, ଚା’ ଜଳଖିଆ କରିବା, କାଠହାଣିବା, ଗାଈଙ୍କୁ କୁଣ୍ଡା ଦେବା, ପିଲାମାନଙ୍କୁ ସ୍କୁଲକୁ ନେବା ଆଣିବା କରିବା, ବଜାର ସଉଦା କରିବା, ମା’ଙ୍କ ହୁକୁମ କାର୍ଯ୍ୟକାରୀ କରିବାରେ ତା ଜୀବନ ଗଲା । ଏଇତ ଦେଖୁ ଦେଖୁ ଆସି ଅବସର ନେବ । ତା’ର ହେଲା କ’ଣ ? ସିଏ ଯେଉଁ କନେଷ୍ଟବଳ ଥିଲା ସେହି କନେଷ୍ଟବଳ ଅଛି । ତା ଜୀବନରେ କ’ଣ ହେଲା ? କିଛି ତ ହେଲା ନାହିଁ । ମୁଠାଏ ଦାନା ପାଇଁ ସେ ନ କରିଛି କ’ଣ ? ସେ ମଣିଷ ଥିଲା ପଶୁ ହୋଇଛି । ଗାଈଙ୍କୁ ତୋରାଣି ଦେବା, ଘର ଓଳାଇବା, ପିଲା କାଖେଇବା କ’ଣ କନେଷ୍ଟବଳର କାମ ?

 

ନରେନ୍ଦ୍ର ବ୍ୟସ୍ତ ହୋଇ ଉଠିଲା, ଉପାୟ ନାହିଁ । ସେ କ’ଣ କରିପାରେ ? ଘୋଡ଼ାଗାଡ଼ିର ଘୋଡ଼ା ସିଧା ଆଗକୁ ଚାଲିବା ବ୍ୟତୀତ ସେ ଆଉ କ’ଣ କରିପାରେ ? ହୁକୁମର ଚାକର ସେ । ବାବୁଙ୍କର ନିର୍ଦ୍ଦେଶ ପାଳନ ତା’ର ଏକମାତ୍ର କାମ୍ୟ । ତାଙ୍କର ସାମାନ୍ୟ ସୁପାରିଶ, ଟିକିଏ ହସ ତା’ର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯଥେଷ୍ଟ । ଯେଉଁଠି କୌଣସି କାରଣରୁ ବାବୁ ଖୁସି ହୋଇ ପାରିଲେ ନାହିଁ ସେଠାରେ ସବୁ ଶେଷ ତା ପାଇଁ, ସବୁ ପଥ ଅବରୋଧ । ହାୟରେ ହତଭାଗ୍ୟ ମଣିଷ । ତା ଲଲାଟରେ କ’ଣ ଏକଥା ଲେଖା ଯାଇଛି । ସେ କ’ଣ ଏହା ବଦଳାଇ ଦେଇପାରିବ ନାହିଁ ?

 

ଅନ୍ୟମନସ୍କ ଭାବେ ସେ ହାତ ମାରିଲା । ଦେବ ପାଇଁ ସେ ସବୁ ସହିଯିବ । ଦେବ କୌଣସିମତେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାଟା ସାରିଦେଲେ ତା’ର ଛୁଟି । ସେ ମୁକ୍ତ । ତାରି ପାଇଁ ସିନା ସେ ଗୋଲାମୀର ଶିକୁଳୀ ଛିଣ୍ଡାଇ ପାରୁନାହିଁ । ନ ହେଲେ ଏ ଶିକୁଳୀର ଶକ୍ତି କେତେ-?

 

ଆସନ୍ତା କାଲି ପୁଅ ଦେବର ଜନ୍ମଦିନ । ସେ ଯିବ ଡାକ ନେଇ । ତାକୁ ଯିବାକୁ ପଡ଼ିବ । ନ ଯିବାର ଉପାୟ ନାହିଁ । ସେ ହୁକୁମର ଯେତିକି ନୁହେଁ ତାଠୁ ଅଧିକ ହୁଇମର ଚାକର ।

 

ନରେନ୍ଦ୍ରକୁ ଚାଲି ଚାଲି ଯିବାକୁ ପଡ଼ିବ । ଜୁନ୍‌ ସୂର୍ଯ୍ୟ ଦେଖୁ ଦେଖୁ ନିର୍ମମ ହୋଇ ଉଠିବ-। ସେଥିଲାଗି ରାତି ଥାଉ ଥାଉ ସେ କାମ ସାରି ଆସି ଥାନାରେ ପହଞ୍ଚିଛି । ମାତ୍ର ଯାଇ ପାରୁଛି କେତେକେ ? ଦାସବାବୁ ସିନା ଆସିଲେ ଡାକ ଦେବେ । ସେ ଝୁଲି ଝୁଲି ଆସିଲେ ସାଢ଼େ ନଅଟାରେ । ସବୁ କାମ ସରୁ ସରୁ ବାଜିଲା ଦଶ । ଖରା, ଅସମ୍ଭବ ଖରା । ସତେ ଅବା ମଣିଷକୁ ଜାଳି ପୋଡ଼ି କ୍ଷଣିକେ ପାଉଁଶ କରିଦେବ । ମାତ୍ର ନରେନ୍ଦ୍ରର ନ ଯିବାକୁ କହିବାର ଯୁ ନାହିଁ-

 

ଗୋଟିଏ ଛୋଟ ଢବଲ ସେ ମୁଣ୍ଡରେ ଧରି ଆଗେଇଲା । ଦାସବାବୁଙ୍କ ଚିଠି ପକେଟରେ ରଖିଲା । ଯେଉଁ କନେଷ୍ଟବଳ ବନ୍ଧୁମାନେ ଠିଆ ହୋଇଥିଲେ ସମସ୍ତେ ନୀରବ । ପ୍ରତିବାଦ କରିବାକୁ ସାହସ କାହାର ନ ଥିଲା । ମାତ୍ର ବିଦ୍ରୋହୀର ମନ ସେମାନଙ୍କର ଚିହିଁକି ଉଠୁଥିଲା । ସେମାନଙ୍କ ପାଇଁ ମଧ୍ୟ ଏହି ଶାସ୍ତି ପ୍ରୟୋଗ ହୋଇପାରେ । ସମସ୍ତଙ୍କର ଦୁଃଖ । ଅନ୍ୟ କେହି ନୁହେଁ, ଏ ଶାସ୍ତି ଭୋଗିବାକୁ ହେଲା ନରେନ୍ଦ୍ରକୁ । ମଣିଷକୁ ମଣିଷ ସିନା ଏହିପରି ପଶୁ ପରି ବ୍ୟବହାର କରି ଆନନ୍ଦ ପାଏ । ତା ଉପରେ ଆଧିପତ୍ୟ ବିସ୍ତାର କରେ ।

 

ସମସ୍ତେ ଭାବିଲେ ନରେନ୍ଦ୍ର ଯେତେବେଳେ ଫେରିବ ଏବଂ ଜାଣି ପାରିବ ଯେ ତିନି ଖଣ୍ଡ ଇଟା ସେ ବୋହି ନେଇ ଯାଇଥିଲା ଏବଂ ପୁଣି ମୁଣ୍ଡରେ ସେହି ଇଟାକୁ ବୋହି ଫେରି ଆସିଛି ସେ ନିଶ୍ଚୟ ଇସ୍ତଫା ଦେଇ ଦେବ । ପ୍ରତିବାଦ କରିବ ।

 

ନରେନ୍ଦ୍ର ଫେରି ଆସିଲା ନେଇଥିବା ଇଟାର ଢବଲଟିକୁ ମୁଣ୍ଡରେ ବୋହି । ସମସ୍ତେ ଜାଣିଲେ । ଦୁଃଖ କଲେ, ସେ ବି ଜାଣିଲା । ମାତ୍ର ପ୍ରତିବାଦ କଲା ନାହିଁ । କେବଳ ନୀରବ ରହିଲା-। ତା’ର ଏକମାତ୍ର ଆଶଂକା ଚାକିରୀ ଛାଡ଼ିଦେଲେ ଦେବକୁ ପଢ଼ାଇବା ହୁଏତ ଆଉ ସମ୍ଭବ ହେବ ନାହିଁ । ସେ ବେଶ୍‌ ବୁଝି ପାରିଥିଲା ଧନୀ ପାଇଁ ଅଧିକ ଧନ ସଂଗ୍ରହ କରିବା ଯେତିକି ସହଜ ନିର୍ଦ୍ଧନରୁ ଧନୀ ହେବା ତାଠୁ ଅଧିକ କଠିନ । ହୁଏତ ସମ୍ଭବ ନୁହେଁ । ଏକରେ ଏକ ମିଶିଲେ ଦୁଇ । ଯାହାର ଏକ ଅଛି ସେ ଦୁଇରେ ପହଞ୍ଚିବା ଯେତେ ସହଜ, ଯାହାର କିଛି ନାହିଁ ତା ପାଇଁ ଏକରେ ପହଞ୍ଚିବା ଆହୁରି ଅଧିକ କଷ୍ଟକର । ତେଣୁ ସେ ସବୁ ସହିନେବା ଲାଗି ସ୍ଥିର କରିଦେଲା ।

 

ପରିଦର୍ଶନ ପରେ ଏସ୍‌. ପି. ବହୁତ ଖୁସି ହୋଇ ଡାକି କହିଲେ, କ’ଣ ନରେନ୍ଦ୍ର ଭଲ ଅଛ । ସଂଧ୍ୟାରେ ଆସି ମୋତେ ଦେଖା କରିବ । ମୁଁ ଭାବିଥିଲି ତୁମେ ଅବସର ନେଇ ନେଲଣି ବୋଲି । ଆଉ କେତେ ଦିନ ରହିଲା ?

 

‘‘ଆଉ ବର୍ଷେ ଚାରି ମାସ ମୋଟେ ଆଜ୍ଞା ।’’

 

ଆଚ୍ଛା, ଆଚ୍ଛା, ତୁମେ ଆସି ସଂଧ୍ୟାରେ ଦେଖା କରିବ ।

 

ଦେବୁ ପୋଲିସ୍‌ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବରେ ଚାମ୍ପିୟାନ ହୋଇଛି । ସିଲ୍‌ଡ଼ ଧରି ଘରକୁ ଫେରିଛି । ଏସ୍‌. ପି. ଙ୍କ ସଙ୍ଗେ ହାତ ମିଳାଇଛି । ଏଇ ଯଥେଷ୍ଟ । ସବୁ ଅଭାବ, ଅନାଟନ, ମାନ ଅପମାନ ମଧ୍ୟରେ ଆତ୍ମସନ୍ତୋଷ ଲାଭ କରିବା ନିମନ୍ତେ ଏଇ ଯଥେଷ୍ଟ । ସାରା ଜୀବନ ମାନ ଅପମାନ ସହି ସେ ଯେ ପଡ଼ି ରହିଥିଲା ଏଇ କନେଷ୍ଟବଳ କାମରେ, ତା’ର ପୁରସ୍କାର ଆଜି ତାକୁ ମିଳିଛି ।

 

ନରେନ୍ଦ୍ର ନମ୍ର ଓ ହସହସ ହୋଇ ସନ୍ଧ୍ୟାରେ ଯାଇ ଏସ୍‌.ପି ଙ୍କ ନିକଟରେ ପହଞ୍ଚିଲା । ପାଖରେ ମେମ୍‌ ସାହେବ । ପିଆଲା ଛାଡ଼ି ନରେନ୍ଦ୍ର ଉଦ୍ଦେଶ୍ୟରେ ସେ କହିଲେ, ନରେନ୍ଦ୍ର ଆସିଲାଣି ଭଲ ହେଲା । ମନେ ମନେ ଖୋଜୁଥିଲି । ନରେନ୍ଦ୍ର ଯାଉ । ଭଲ ଶୁଖୁଆ ଦୁଇ କିଲୋ ଦେଖି ନେଇ ଆସିବ । ଆସିବା ବେଳେ ଶୁଖୁଆ ନେବା ଲାଗି ଦେଈ କହିଥିଲା ।

 

ମୁଁ ବରାଦ କରି ଦେଇ ଆସିଛି । ଗଲା ଥର ଯିଏ ଶୁଖୁଆ ଦେଇଥିଲା ସିଏ ଧରି ଏଇନେ ଆସିବ ମା ।’’

 

‘‘ହଁ, ଗଲା ଥର ଭଲ ଶୁଖୁଆ ଦେଇଥିଲା ।

 

ଏସ୍‌.ପି. କହିଲେ ତୁମେ ଜାଣନା ? ନରେନ୍ଦ୍ରର ପୁଅ ଦେବୁ ତାଙ୍କ ସ୍କୁଲରେ ସ୍ପୋର୍ଟସରେ ଚାମ୍ପିୟାନ ହୋଇଛି ? ଶୁଣିଲି ଭଲ ବି ପଢ଼ୁଛି । ତାକୁ ଦେଖି ଖୁସି ଲାଗିଲା । ଆଜି କାଲିକା ପିଲାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତା’ର ଚିପା ପେଣ୍ଟ ନାହିଁ । ହିପି ହେୟାରକଟ୍‌ ନାହିଁ ।

 

‘‘ଗରିବ ଲୋକ ଆମେ । ଏସବୁ କରିବାକୁ ପଇସା ପାଇବୁ କେଉଁଠୁ ?’’

 

‘ସେ ସବୁ ବାଜେ କଥା । କେତେ ପିଲା ଛତରା ବଜାରୀଙ୍କ ପରି ବୁଲୁ ନାହାନ୍ତି । ସମସ୍ତଙ୍କର କ’ଣ ପଇସା ଅଛି? ତୁମର କେତୋଟି ପିଲା ।’’

 

‘‘ଏଇ ଗୋଟିଏ ପୁଅ ଦେବୁ ?’’

 

‘‘କଲେଜରେ ପଢ଼ାଇବ ?’’

 

‘‘ଟଙ୍କା ପଇସା ନାହିଁ ଆଜ୍ଞା ।’’

 

‘‘ପୁଲିସରେ ପୂରାଇ ଦିଅ । ଭଲ ଖେଳୁଛି ।

 

ମୁଁ ବ୍ୟବସ୍ଥା କରାଇ ଦେବି । କଣ କହୁଛ ?

 

ଚୁପ୍‍ ରହିଲ ଯେ ।’’

 

‘ପୁଲିସରେ ପୁଅକୁ ପୂରାଇବାକୁ ମନ ଡାକୁ ନାହିଁ ।’’

 

‘‘କାହିଁକି, କ’ଣ ହେଲା କି ?’’

 

‘‘ମୁଁ ମୋ ପୁଅକୁ ମଣିଷ କରିବାକୁ ଚାହେଁ ।

 

ଜୀବନ ସାରା ପଶୁ ପରି ଖଟିଛି ପୁଅକୁ ମଣିଷ କରିବାକୁ । ପୁଣି ତାକୁ ପୋଲିସ କରାଇବି ।’’

 

ଏସ୍‌. ପି. ସାମାନ୍ୟ ଗମ୍ଭୀର ହୋଇ ପଚାରିଲେ ‘‘ନରେନ୍ଦ୍ର, ମଣିଷ ପୋଲିସ ହେଲେ କ’ଣ ପଶୁ ହୋଇ ଯିବ ?’’

 

‘‘ପଶୁ ନ ହେଲେ ମଧ୍ୟ ମଣିଷ ପଥର ହୋଇଯାଏ ।’’

 

କିପରି ?’’

 

‘‘ମୋ କଥା ଶୁଣନ୍ତୁ । ଚାକିରୀ ଆସି ସରିବ । ମୋ କାମହେଲା ରୋଷେଇ କରିବା, ପିଲା ଧରିବା, ପରିବା କାଟିବା, ଘର ଝାଡ଼ୁ କରିବା, ଗାଈକୁ କୁଳୁଚି ଦେବା; ସାହେବଙ୍କ ପିଲାମାନଙ୍କୁ ସ୍କୁଲ ନେବା, ଏ ସବୁ କ’ଣ କନେଷ୍ଟବଳର କାମ ? ଜୀବନ ସାରା ଏ ସବୁ କରି ମୋର ହୋଇଛି କ’ଣ ? ଦେଶର ଲାଭ ହୋଇଛି କ’ଣ ?

 

ସାହେବ ଚାହିଁ ରହିଲେ ନରେନ୍ଦ୍ରକୁ । ସତେ ଯେପରି ତା ଆଖି ଦୁଇଟା ଢଳି ଉଠୁଛି । ତା’ ମୁଣ୍ଡରେ କିଏ ଭୂତ ପୂରାଇଛି । ତା ମୁହଁରେ ବାଡ଼ବତା ନାହିଁ । ସେ ଆଜି କହି ଚାଲିଛି ନିତିଦିନିଆ ଜୀବନରେ କନେଷ୍ଟବଳର ଅଙ୍ଗେନିଭା ନିର୍ମମ କାହାଣୀ ।

 

ନରେନ୍ଦ୍ର କହିଲା, ‘‘ଆଜ୍ଞା, ଦାସବାବୁଙ୍କର ଦିନେ କୁଣ୍ଡା ବସ୍ତାଏ ଆଣିବା ଲାଗି ରିକ୍‌ସା ଭଡ଼ା କଲି । ଭଡ଼ା ମାତ୍ର ଟଙ୍କାଟିଏ । କାହିଁକି ପିଠିରେ କୁଣ୍ଡା ବୋହି ନ ଆଣିଲି, ଯଦିବା ଆଣିଲି ଭଡ଼ା ମାଗିଲି କାହିଁକି, ଏହି ରାଗରେ ମୋତେ ଗୋଟିଏ ଢବଲରେ ଇଟା ପୂରାଇ ନୟନପୁର ଥାନାକୁ ଏଠାରୁ ବାର ମାଇଲ୍‌ ରାସ୍ତା ଖରାଦିନେ ମୁଣ୍ଡରେ ବୋହି ନେଇ ପୁଣି ତାକୁ ବୋହି ଏଠାକୁ ଆଣିବାକୁ କହିଥିଲେ । ଆମେ ସିନା ତଳ ପାହାଚର ଲୋକ ବୋଲି ଉପରବାଲା ଆମକୁ ପଶୁ ବୋଲି ବିଚାରନ୍ତି । ସେ ଦିନ କଥା କେବେ ଭୁଲିବି ନାହିଁ । ସେହିଦିନ ଆଜ୍ଞା ନିୟମ କରିଛି କିଛି ନ ହେଲେ ଦେବୁ ପଛେ ମୋର ଭିକ ମାଗିବ କିନ୍ତୁ ମୁଁ ତାକୁ ପୋଲିସରେ ଦେବି ନାହିଁ । ପଶୁ ଯେ ମଣିଷ ଗଢ଼ିପାରେ ମୁଁ ତାହା ହିଁ ଦେଖାଇବାକୁ ଚାହେଁ । ମୁଁ ଦେବୁକୁ ମଣିଷ କରିବାକୁ ଚାହେଁ । ଭଗବାନଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା, ଦେବୁକୁ ସେ ମଣିଷ କରନ୍ତୁ । ମଣିଷକୁ ସେ ମଣିଷର ସମ୍ମାନ ଦେଇ ଶିଖୁ । ଆପଣ ତାକୁ ଆଶୀର୍ବାଦ କରନ୍ତୁ । ଆପଣ ଆମକୁ ଭଲରେ ମନ୍ଦରେ ପଚାରନ୍ତି, ହସ ଖୁସିରେ କଥା କୁହନ୍ତି, ସେହି ଯଥେଷ୍ଟ । ସେହି ଆମର ଭାଗ୍ୟ ।’’

 

ଏସ୍‌. ପି. ଠିକ୍‌ ବୁଝିଲେ ନରେନ୍ଦ୍ରର କେଉଁ ତନ୍ତ୍ରୀରେ ଆଘାତ ଲାଗିଛି । ସିଏ ପ୍ରତିବାଦ କରୁଛି । ଯାହାକୁ ପାଞ୍ଚ ପଦ ପଚାରିଲେ ପାଟିରୁ ବଚନ ବାହାରୁ ନ ଥିଲା ସେ ବାଚାଳଙ୍କ ପରି ବକି ଚାଲିଛି ।

 

ଯେଉଁ ମଣିଷ ଥରେ ଶୋଷଣ କରିବାର ସୁଆଦ ଚାଖିଲାଣି ସେ ତା’ର ଏ ଘୃଣା ଅଭ୍ୟାସ ସହଜରେ ଛାଡ଼ିବ ନାହିଁ । ଲୁଣ୍ଠନ, ଶୋଷଣ ଯୁଗଯୁଗର । ଏହାର ଅବସାନ ଘଟାଇବା ନିମନ୍ତେ ତ୍ୟାଗ ପ୍ରୟୋଜନ । ତୁ ପାରିବୁ, ତୁ ଆଗେଇ ଆ ନରେନ୍ଦ୍ର । ତୁ ମଣିଷ । ପଶୁ ନୁହେଁ, ତୁ ମଣିଷ ।

 

ହଠାତ୍‌ ନରେନ୍ଦ୍ରକୁ କେହି ଡାକିଲା । ଶୁଖୁଆବାଲା ଆସିଲାଣି ମା’ । ଆସୁଛି କହି ନରେନ୍ଦ୍ର ଚୁପ୍‌ଚାପ୍‌ ଚାଲି ଆସିଲା । ଘରୁ ବାହାରି ଆସିବାବେଳେ ସେ ଭାରି ଫୁର୍ତ୍ତି ଥିଲା । ତା’ର ଯାହା କହିବାର ଥିଲା ସେ କହିଦେଇ ପାରିଛି । ତା’ର ଆଜି ଭୟ ନାହିଁ । ସେ ହୋଇଛି ନିର୍ଭୟ । ଯାଉ ତା’ର ଚାକିରୀ । ଯାଉ । ସେ ମାଟି ହାଣି ମେହନତ କରି ବଞ୍ଚିବ । ଦେବୁ ପାଇଁ ଆଉ ଚିନ୍ତା ନାହିଁ । ସେ ତା’ ଗୋଡ଼ରେ ଠିଆ ହେବ । ସେ ଏଣିକି ପ୍ରତିବାଦର ସ୍ୱର ଉତ୍ତୋଳନ କରିବ । ଉଚ୍ଚ ସ୍ୱରରେ ସେ ପ୍ରତିବାଦ କରିବ । ସାବଧାନ, ଆମେ ମଣିଷ, ଆମକୁ ମଣିଷର ସମ୍ମାନ ଦିଅ । ନଚେତ୍‌ ପଶୁ ପରି ଆମେ ଆକ୍ରମଣ କରିବୁ । ତୁମେ ପଳାଇ ଯିବାକୁ ବାଟ ପାଇବ ନାହିଁ । ଅନେକ ଦିନ ଆମକୁ ଶୋଷଣ କଲ । ଏବେ ସାବଧାନ ହୁଅ ।

 

ଏସ୍‌. ପି. ତାଙ୍କ ସହଧର୍ମିଣୀଙ୍କୁ ଚାହିଁଲେ । ମେମ୍‌ସାହେବ କହିଲେ, ତୁମ ଦାସବାବୁ । ତୁମ ଦାସବାବୁ । ଭାରି ପ୍ରଶଂସା କର ତାଙ୍କର । ଏବେ ଶୁଣିଲ ତ । ନରେନ୍ଦ୍ର ତ ଆଉ ମିଛ କହିବ ନାହିଁ । ସମୟ ବଦଳୁଛି । ଲୋକେ ଆଉ ବରଦାସ୍ତ କରିବେ ନାହିଁ ।

 

ଲାଇଟ୍‌ର ମାରି ଏସ୍‌. ପି. ଚୁରୁଟରେ ନିଆଁ ଧରାଉଥିଲେ । ଥାନାର ପିଟା ଘଣ୍ଟାରେ ଥର ଥର ହୋଇ ବାଜିଲା ଦଶ । ଇନ୍‌ସପେକ୍‌ସନ୍‌ ବଙ୍ଗଳାର ବାରଣ୍ଡାରେ ଏସ୍‌. ପି. ପଦଚାରଣ କରି ଚାଲିଥାନ୍ତି । ବାହାରର ଅନ୍ଧକାର ପରିବେଶ ମଧ୍ୟରେ ସେ ସ୍ପଷ୍ଟ ଦେଖି ପାରୁଥାଆନ୍ତି ନରେନ୍ଦ୍ରର ଆଖି ଦୁଇଟା କିପରି ରଡ଼ନିଆଁ ପରି ଡହ ଡହ ଜଳି ଉଠୁଛି । ସତେ ଅବା ଏହି ନିଆଁରେ ସେ ଧ୍ୱଂସ ପାଇଯିବେ । ତାଙ୍କ ରାଙ୍କ୍ ଆଉ ଫାଇଲ୍‌ ସବୁ ଏହି ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯିବ । ସେ ଆତଙ୍କିତ ହୋଇ ଉଠୁଥିଲେ ।

 

ଏସ୍‌. ପି. କେବଳ ଚାହିଁ ରହିଥିଲେ ନରେନ୍ଦ୍ର ଆଡ଼କୁ । ସେ ସ୍ପଷ୍ଟ ଶୁଣିପାରୁଥିଲେ କୌଣସି ଜଣେ ଆଗନ୍ତୁକର ପଦଧ୍ୱନୀ । ସେ କହିବାର ଶୁଣିପାରୁଥିଲେ, ନରେନ୍ଦ୍ର ତୁ ଆଗେଇ ଆସ୍‌ । ପ୍ରତିବାଦ କର । ପ୍ରାଣ ଦେଇ, ରକ୍ତ ଦେଇ ପ୍ରତିବାଦ କର ନଚେତ୍‌ ପ୍ରାଣନେଇ, ରକ୍ତନେଇ ପ୍ରତିଶୋଧ ନେ । କଥାରେ କଥାରେ କେବଳ ସମସ୍ୟାର ସମାଧାନ ହୋଇପାରିବ ନାହିଁ ।

񤦬񤦬񤦬

 

Unknown

ଡାହୁକ

 

‘‘ରେସ୍ତରାଁ ରେଡ୍‍ରୋଜ୍‌’’ ସମ୍ମୁଖରେ ଜିପ୍‌ଟି ସେମାନେ ରଖିଦେଲେ । ଜିପ୍‌ ଜଗି ରହିଲା ଡ୍ରାଇଭର । ରେସ୍ତରାଁ ମଧ୍ୟରେ ପ୍ରବେଶ କଲେ ପ୍ରଥମେ ନବୀନଚନ୍ଦ୍ର । ତାପରେ ଦିଲୀପ, ସନ୍ତୋଷ, ଶୁଭଙ୍କର ଆଉ ନୃସିଂହ । ରାଜଧାନୀରେ ବିଭିନ୍ନ ନେତାଙ୍କୁ ସାକ୍ଷାତ କରି ସେମାନେ କ୍ଲାନ୍ତ-। ସାମାନ୍ୟ ରିଫ୍ରେସ୍‌ ହେବା ଏବଂ ସେମାନଙ୍କ ସମ୍ପର୍କରେ ପ୍ରେସକୁ ଦେବା ସଂବାଦ ପ୍ରସ୍ତୁତ କରିବା ହେଲା ରେସ୍ତରାଁକୁ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ।

 

ଏହିମାନେ ହେଲେ ରାଜନୈତିକ ଦଳର ଯୁବକର୍ମୀ । ନେତୃତ୍ୱ ପାଇଁ ଏମାନେ ଲୋକ ସଂର୍ପକ ଅପେକ୍ଷା ନେତୃ-ସଂପର୍କ ଅଧିକ ଗୁରୁତ୍ୱ ଆରୋପ କରନ୍ତି । ସେମାନେ ‘ସକଳ ତୀର୍ଥ ତୋ ଚରଣେ’ କଥାରେ ଅଧିକ ବିଶ୍ୱାସ କରନ୍ତି । ଗାଁଏ ଗାଁଏ ଯାଇ ଦଳୀୟବାର୍ତ୍ତା ପ୍ରଚାର କରିବା, ଜନତାର ସେବା କରିବା ଅପେକ୍ଷା ନେତାଙ୍କୁ ଦୁଇବେଳା ଭେଟି ଭଲେଇ ହେବାରେ ଅଧିକ ଫଳ ପାଇହେବ ବୋଲି ବେଶ୍‌ ବୁଝି ପାରିଛନ୍ତି । ଏହାଦ୍ୱାରା ସେମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ଟିକେଟ ପାଇପାରିବେ । ଚିନି, ମଇଦା, ଲୁହା ପର୍‌ମିଟ ପାଇ ଅଧିକ ଦରରେ ବିକି ଦୁଇ ପଇସା କମାଇ ପାରିବେ । ଟ୍ରାନ୍‌ସଫର କରାଇବା ଏବଂ ବନ୍ଦ କରାଇବାରେ ତ ନିଶ୍ଚୟ କିଛି ମିଳିବ । ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍‌ସ ଏପରିକି ଦିଲ୍ଲୀ ଉଡ଼ିଯିବା ଲାଗି ପାଥେୟରେ ଅଭାବ ହେବ ନାହିଁ । ପାର୍ଟି ଜିପ୍‌ଧରି ଫୁର୍ତ୍ତି କରିବାଟା ତ ଏକ ମାମୁଲି କଥା । ଏଣେତେଣେ ବୁଲିବା ଅପେକ୍ଷା ଏଠାରେ ସାମ୍ୱାଦିକମାନଙ୍କୁ ଧରି ବିବୃତି ପ୍ରକାଶ କରାଇ ପାରିଲେ ସବୁ ସମ୍ଭବ ହେବ । ବଞ୍ଚିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ବୃତ୍ତି ନ ବାଛି ରାଜନୀତି କଲେ ବଞ୍ଚିବାର ପଥ ଅଧିକ ସୁଗମ ହେବ ବୋଲି ସେମାନେ ରାଜନୀତି କରିବା ନିମନ୍ତେ ସ୍ଥିର କରିଛନ୍ତି ।

 

ନବୀନଚନ୍ଦ୍ରଙ୍କ ପରିଧେୟ ଚିପାପେଣ୍ଟ, ଦେହରେ ହାପ୍‌ ହାଓଆନି ଓ ତା ଉପରେ ଜବାହର ଜାକେଟ୍‌ । ଦିଲୀପଙ୍କ ପରିଧେୟ ଖଦଡ଼ ପାଇଜାମା ଓ ପଞ୍ଜାବି, ଆଖିରେ ମୋଟା ଗ୍ଲାସ-। ସନ୍ତୋଷର ହିପ୍‌ପିକଟ୍‌ କେଶରାଜି । ନୃସିଂହର ଗ୍ରାସ ହେୟାର୍‌କଟ୍‌ । ଅଶ୍ୱିନୀର ଉଚ୍ଚ ପାର୍ଟିରେ କଥାହେବାର ଢଙ୍ଗ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ।

 

‘ରେଡ଼ରୋଜ୍‌’ ରେ ସେମାନେ ଯେଉଁ ସମ୍ବାଦ ଦୈନିକ କାଗଜମାନଙ୍କୁ ଦେବାପାଇଁ ଡ୍ରାଫ୍‌ଟ କଲେ ତାର ସାରମର୍ମ ହେଲା ‘‘ଯୁବ ନେତାମାନେ କଲିକତା ଯାତ୍ରା କରିଛନ୍ତି । ସେଠାରେ ସେମାନେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ବିଶିଷ୍ଟ ନେତାମାନଙ୍କୁ ସାକ୍ଷାତ କରି ଓଡ଼ିଶାର ସମସ୍ୟା ସମ୍ପର୍କରେ ବିଶେଷତଃ ଆଗାମୀ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି । ଦିନେ ଦୁଇଦିନ ମଧ୍ୟରେ ସେଠାରୁ ଦିଲ୍ଲୀ ଯାତ୍ରା କରିବେ ।

 

ଏହି ସମ୍ବାଦ ଯେପରି ସମସ୍ତ କାଗଜରେ ସଂଧ୍ୟା ସୁଦ୍ଧା ବାହାରେ ସେ ଦାୟିତ୍ୱ ଅଶ୍ୱନୀ ନେଲେ । ସେ କଲିକତା ଯିବେ ନାହିଁ ।

 

ନୃସିଂହ ଏପରି ଏକ ସମ୍ବାଦ ନ ଦେବା ସପକ୍ଷରେ ଯୁକ୍ତି ଦର୍ଶାଇ କହିଲା, ଏପରି ସମ୍ବାଦ କାଗଜକୁ ଦିଅ ନାହିଁ । ଯଦି କୌଣସି କାରଣରୁ ଯାଇ ନ ହୁଏ ଅଯଥା ସମାଲୋଚନାର ଶିକାର ହେବାକୁ ହେବ । ମନୁବାବୁ ଏହିପରି ଅନେକ ସମ୍ବାଦ ତାଙ୍କ ସମ୍ପର୍କରେ ଦେଇ ଏବେ ଧରା ପଡ଼ିଛନ୍ତି । ସମସ୍ତଙ୍କୁ ସବୁଦିନ ପାଇଁ ଅନ୍ଧକାରରେ ରଖାଯାଇ ପାରିବ ନାହିଁ । ତେଣୁ ଅଯଥା ସମାଲୋଚନାକୁ ନିମନ୍ତ୍ରଣ କରି ଆଣିବା ଉଚିତ ନୁହେଁ ।

 

ନବୀନଚନ୍ଦ୍ର ଏକଥା ଶୁଣି କହିଲେ, ଏସବୁ ବାଜେ କଥା । ଭଲ ହେଉ ମନ୍ଦ ହେଉ ଆଲୋଚନା ସମାଲୋଚନା ତୁମ ଉପରେ ନ ହେଲେ ତୁମେ ଲୋକନେତା ହୋଇପାରିବ ନାହିଁ । ଆଉ ଯାହା ହୁଅ ପଛେ । ଆମେ କଲିକତା ଯାଉ ନଯାଉ ଏକଥା ତ ତୁମ ଗାଁ ଲୋକେ ଜାଣୁ ନାହାଁନ୍ତି । ସେ କାଗଜ ପଢ଼ିବେ । ସେତିକି ଆମର ପ୍ରୟୋଜନ ।

 

‘‘କିନ୍ତୁ ସାମ୍ବାଦିକମାନଙ୍କର ଦୃଷ୍ଟି ତୁମେ ଏଡ଼ାଇ ପାରିବ କିପରି ? ଏହା ଏତେ ସହଜ ନୁହେଁ ।’’

 

ଖୁବ୍‌ କମ୍‌ରେ ଦୁଇଟା ସିଙ୍ଗଡ଼ା ଅତି ବେଶୀ ହେଲେ ଗୋଟିଏ ଦୁଇଟି ବୋତଲ । ସବୁ ଠିକ୍‌ ହୋଇଯିବ । ସେମାନଙ୍କର ଦୃଷ୍ଟିକୋଣ ବଦଳି ଯିବ । ସେମାନେ କଟକରେ ବସି କଲିକତା ମହାନଗରୀ ଦେଖି ପାରିବେ । ଭୁବନେଶ୍ୱର ରେଲୱେ ଓଭରବ୍ରିଜ୍‌ ଉପରେ ଠିଆ ହୋଇ ହାୱାଡ଼ାବ୍ରିଜ ଉପରେ ଚାଲୁଥିବା ପରି ଅନୁଭବ କରିପାରିବେ । ମୋଟେ ବ୍ୟସ୍ତ ହୁଅ ନାହିଁ । ସେ କଥା ମୁଁ ବୁଝିବି ।

 

‘‘ସୟତାନର ରଙ୍ଗ ଯେଉଁ ପରିମାଣରେ କଳା ବୋଲି ବର୍ଣ୍ଣନା କରାଯାଏ ସେ ସେହି ପରିମାଣରେ କଳା ନୁହେଁ’’ ବୁଝିଲ ତ ?’’

 

‘‘ତାହା ବୁଝିଛି ମାତ୍ର ବିନା କଣ୍ଟାରେ ପାହାଡ଼ ନାହିଁ ଜାଣିଥିବ । ଆପଣାର ଲକ୍ଷ୍ୟ ସାଧନ ପାଇଁ ଯେଉଁ କଣ୍ଟାତକ ମିଳିବ ସେତକ କାମରେ ଲଗାଇବାରେ କାର୍ପଣ୍ୟ କାହିଁକି ? ମୁଁ ବୁଝିଛି ନୃସିଂହ ତୁମ କଥା ମୋ ମନକୁ ପାଇବ ନାହିଁ । ଜାଣେ, ମାତ୍ର ମୋ କଥା ମନେରଖ । ଗାନ୍ଧୀ ଅନେକଦିନୁ ମଲେଣି । ତୁମେ ଯଦି ଗାନ୍ଧୀ ଗାନ୍ଧୀହେବ ତେବେ ଯାଅ କେଉଁଠାରେ ଶିକ୍ଷକତା କରିବ । ଉତ୍ତମ ଶିକ୍ଷକଟିଏ ହୋଇ ପାରିବ । ଏ ବେଶରେ ହୁଏତ ଦିନେ ଶିକ୍ଷକର ପ୍ରୟୋଜନ ପଡ଼ିପାରେ । ମୁଁ ଏ ନେଇ ମୁଣ୍ଡ ଘୂରାଏ ନାହିଁ । ତୁମେ, ଦେଖିଛି ତ ଆଜି ଯେଉଁମାନେ ଆମର ନେତା ସେମାନଙ୍କର ମଧ୍ୟରୁ ଅଧିକାଂଶ ରାଜଧାନୀରେ ଘର, ଜମିଜମା, ବ୍ୟବସାୟ କରି କାର୍‌ଧରି ଘୂରି ବୁଲୁଛନ୍ତି । ସେମାନେ କ’ଣ ଥିଲେ ? ମାତ୍ର ଆଜି କି ଦମ୍ଭରେ କଥା କହୁଛନ୍ତି ? ରାଜନୀତିର ଗତିପଥ ସେମାନେ ନିର୍ଣ୍ଣୟ କରୁଛନ୍ତି । କହିପାର ଜନତାଜନାର୍ଦ୍ଦନଙ୍କ ପ୍ରତି ଏହା ଏକାନ୍ତ ପ୍ରତାରଣା-। ମାତ୍ର ଯେଉଁଠାରେ ଗଣ-ଦେବତା ଅଫିମ ନିଦରେ ଚେତନାଶୂନ୍ୟ ସେଠାରେ ଦାୟିତ୍ୱସଚେତନ ହେବାପାଇଁ କହିବା କାହାକୁ ?

 

ନୃସିଂହ ନୀରବ ହେଲା । ମନେ ମନେ ଭାବିଲା ଯେଉଁଠାରେ ସାରା ସମାଜର ଗତି ନିମ୍ନମୁଖୀ ସେଠାରେ ଭଲ କଥା କହିବାଟା ଭାଲୁକୁ ଭାଗବତ ପଢ଼ାଇବା ସଙ୍ଗେ ସମାନ ।

 

ଏହି ଆଳାପ ଆଲୋଚନାରେ ଉଷ୍ମତାରେ ହଠାତ୍‌ ଆସିଲା ବିରାମ । ଦିଲ୍ଲୀପ କହିଲା, ନବୀନ କ’ଣ କେବଳ ଏତିକିରେ ରହିଯିବ । ତୁ ପିଇବାକୁ ଦେବା ପାଇଁ ପ୍ରମିଜ୍‌ କରିଥିଲୁ ।

 

‘ଯାଆ ନେଇ ଆସ ଜିପ୍‌ରୁ’ ।

 

‘‘ସୁନ୍ଦର ସବୁ ଶେଷ କରି ଦେଇଛି ରାସ୍ତାରେ’’ ।

 

‘ଏଁ ସବୁ ସାରି ଦେଇଛି ? କେତେ ପିଉଛି ? ଦିନେ ପିଇପିଇ ଶେଷ ପାଇଯିବ । ଆରେ, ଯେଉଁ ଟୋକି ସମ୍ମିଳନୀରେ ଯୋଗ ଦେବାପାଇଁ ଆସିଛି ତା’ ସଙ୍ଗେ କ’ଣ ବେଶ ତ ଜମାଇଛି । ପକ୍‌କା ବିଲେଇ ଅଛି ।’

 

ଦିଲ୍ଲୀପ କହିଲା ମୁଁ କ’ଣ କହୁଛି ? ତୁ କ’ଣ କହୁଛୁ ।

 

‘ମୁଁ କିଛି କହୁନାହିଁ । ତୁ ଯାହା କହୁଛୁ ମୁଁ ସେଇଆ କହୁଛି । ଛାନିଆ କାହିଁକି ହେଉଛୁ ? ମଗାଉଛି ।’

 

ଡ୍ରିଙ୍କ୍ ସବୁ କ’ଣ ଅଛି ପ୍ରଶ୍ନ କରିବାରେ ବୟ୍‌ କହିଗଲା, ଶ୍ରୀବାସ ରିଗାଲ, ବ୍ଲାକ୍‌ଡ଼ଗ୍, ପିଟର ସ୍କଟ, ଓଲଡ଼୍‌ମଙ୍କ, ଡିପ୍ଲୋମାଟ୍, ବ୍ଲାକନାଇଟ୍ ଇତ୍ୟାଦି ଇତ୍ୟାଦି.... ।

 

ଉଚିତ୍‌ ଇସାରା ପାଇ ବୟ୍ ଆଣି ଥୋଇଲା ଚାରିଗୋଟି ହ୍ୱାଇଟ୍‌ ହର୍ସ । ଚୁପ୍‌ଚାପ୍‌ ଯୁବକର୍ମୀମାନେ ଗ୍ଲାସରେ ଓଠ ଲଗାଇଲେ ।

 

ଶୁଭଙ୍କର କହିଲା, ରାଜନୈତିକ କର୍ମୀଗଣ ବିଶେଷତଃ ଫିଲ୍‌ଡ଼୍‌ ଓ୍ୟାର୍କରମାନେ ଆପଣାଙ୍କୁ ଫିଟ୍ ରଖିବା ପାଇଁ ଅଳ୍ପ ଅଧିକେ ପିଇବା ଉଚିତ । ନବୀନ ଚନ୍ଦ୍ର କଥା ଛଡ଼ାଇ ନେଇ କହିଲେ, ବୁଝିଲ ଦେଶ ସ୍ୱାଧୀନ ହେବାରେ ଯେଉଁ ବିଳମ୍ବ ହେଲା ସେଥିପାଇଁ ଗାନ୍ଧୀ ଦାୟୀ ।

 

‘କାହିଁକି’ ?

 

ଏଇ ପିଇବା ନେଇ ସେ ଯଦି ବାରଣ କରି ନ ଥାନ୍ତେ ତେବେ କର୍ମୀମାନେ ଅଧିକ ତତ୍ପର ହୋଇ ଉଠି ଥାଆନ୍ତେ । ସ୍ୱାଧୀନତା ଅନେକ ଆଗରୁ ଆସି ପାରି ଥାଆନ୍ତା । ସୁଖର କଥା, ଅନେକ ନେତା ଏବେ ଏ ଭ୍ରମ ବୁଝି ପାରିଛନ୍ତି ।’

 

କୋର୍ସ ପରେ କୋର୍ସ ପିଇ ଚାଲିଥାନ୍ତି ବନ୍ଧୁମାନେ । ସନ୍ତୋଷ ପଚାରିଲା ଆଜି ‘ମୁଣାଳରେ’ କି ଛବି ଚାଲିଛି ?

 

‘ଯାହା ଚାଲିଥାଉ ଚାଲ ଦେଖି ଆସିବା ।’

 

‘ଦଶଟା ଦଶ ହେଲାଣି । ଛବି ଅଧାଅଧି ହୋଇଯିବଣି ।’

 

‘ଆଜି ଅଧାରୁ ଦେଖିବା ଆଉ ଦିନେ ଯାଇ ପ୍ରଥମ ଅଧାଟା ଦେଖି ଆସିବା ।’

 

‘ଏତେଦୂର ଅଯଥାରେ କାହିଁକି ଯିବା । ଅନେକ ବିଳମ୍ବ ହେଲାଣି ।’

 

‘ଛବି ଦେଖା ନ ହେଲା ନାହିଁ । କଲିକତା ଯିବା ପାଇଁ କିଛି ଚାନ୍ଦା ଅନ୍ତତଃ ନେଇ ଆସିବା । ସେହି ରାସ୍ତାରେ ସାହୁ ବ୍ରଦର୍ସ, ଆଇରନ୍‌ ଟ୍ରେଡ଼ରସ୍‌ଙ୍କୁ ମଧ୍ୟ ସାକ୍ଷାତ କରି ଆସିବା ।’

 

‘‘ସେମାନେ ଦେଲେ ହେଲା ।’’

 

‘‘ନ ଦେବା କଥା ମୋଟେ ଉଠୁନାହିଁ । ତାଙ୍କ କଥା ଥାଉ । ତାଙ୍କ ବାପମାନେ ମଧ୍ୟ ଚାନ୍ଦା ନ ଦେଇ ରହିପାରିବେ ନାହିଁ । ତାଙ୍କର କାମ ଅଛି । ହାକିମବାବୁ ଦଳର ସେକ୍ରେଟାରୀ) ଫୋନ୍‌ କରିଥିଲେ ଆଜି ।’

 

‘‘ସେ ପରା ବମ୍ବେ ଯାଇଛନ୍ତି । କେତେବେଳେ ଫେରିଲେ ? ଫୋନ୍‌ କଲେ କେତେବେଳେ ? ଆଜି ଫେରିଲେ କି ?’’

 

‘‘ଅଶ୍ୱିନୀ ସାମାନ୍ୟ ହସିଲା । ସେ କହିଲା ପାର୍ଟି ଅଫିସରୁ ଫୋନ୍‌ କରି ଦେଇଥିଲି ମୁଁ ତାଙ୍କ ତରଫରୁ ।’’

 

ନବୀନଚନ୍ଦ୍ର କହିଲେ ତୁ ବି....

 

‘‘ଆଉ ତୁ ଯେତେବେଳେ ଗତ ଥର ଫୋନ୍‌ କରି ଦେଢ଼ ହଜାର ଆଣିଲୁ କୋଉ ହୋମ୍‌ ମିନିଷ୍ଟର ଫୋନ୍‌ କରିଥିଲା ।’

 

‘‘ତୋତେ କାହିଁକି କାଟୁଛି ? ଏ ଟଙ୍କା କ’ଣ ତା ବାପର ।’’

 

ଏ ଟଙ୍କାଟା ବି ତା ବାପର ନୁହେଁ ।’

 

‘‘ଟଙ୍କା ଯାହାର ହେଉ । ଯେଉଁଠାରୁ ଆସୁ । ଆସିବ, ପୁଅମାନଙ୍କର ଦରକାର ।’’

 

ବୟ୍‌ ଟ୍ରେ ଉପରେ ବିଲ୍‌ ଧରି ଆସି ଠିଆ ହେଲା । ମୋଟରେ ଟ ୬୮.୭୫ ପଇସା । ସେ ନୃସିଂହକୁ ପ୍ରଶ୍ନକଲା ଟଙ୍କା ଅଛି, ଷାଠିଏ ଟଙ୍କା ଦେଇଦିଅ । ନୃସିଂହ ଚାହିଁଲା ଅଶ୍ୱିନୀକୁ । ଅଶ୍ୱିନୀ ଶୁଭଙ୍କରଙ୍କୁ । ନବୀନ ସାମାନ୍ୟ ହସିଲା । କହିଲା କାହା ନିକଟରେ ଗୋଟିଏ ପଇସା ନାହିଁ ମାତ୍ର ବେଶ୍‌ ତ ଚରିଗଲ ।

 

ନବୀନଚନ୍ଦ୍ର ପକେଟରେ ହାତ ପୂରାଇ ନୋଟ୍‌ କାଢ଼ି ଗଣିଲା ଆଉ କହିଲା ୧୫ ଟଙ୍କା କମୁଛି । କଣ କରିବା । କଣ କରିବା ?

 

‘‘ପରେ ଦେବା ଚାଲ । ମ୍ୟାନେଜରକୁ କହିଦିଅ ।’’

 

‘‘ମୁଁ ରେଡ଼୍‌ରୋଜରୁ ବାକି ଖାଏ ନାହିଁ । ତା ବ୍ୟତୀତ ଘରୁ ଖାଇ ପାର୍ଟି ପାଇଁ ବେଠି କରିବା ଲୋକ ମୁଁ ନୁହେଁ ବା ମୋ ସାଙ୍ଗସାଥୀ ମାନେ ଏହା କରନ୍ତୁ, ମୁଁ ଏକଥା ଚାହେଁ ନାହିଁ । ମ୍ୟାନେଜର ନିକଟରେ ମୋର ଆର୍ଥିକ ଦୈନ୍ୟ ଦେଖାଇବାକୁ ମୁଁ ଚାହେଁ ନାହିଁ । ଡାକ୍‌ ବଂଶୀଧରକୁ ଡାକ୍ ।

 

ଡ୍ରାଇଭର ଉଦ୍ଦେଶ୍ୟରେ ନବୀନଚନ୍ଦ୍ର କହିଲେ । କେତେ ପେଟ୍ରୋଲ ଗାଡ଼ିରେ ଅଛି ?

 

‘‘୧୫।୨୦ ଲିଟର ହେବ ।’’

 

ଏଠାରେ କିଏ ଗାଡ଼ିବାଲା ଅଛି ? ଯିଏ ପେଟ୍ରୋଲ ନେଇ ସଙ୍ଗେ ସଙ୍ଗେ ଟଙ୍କା ଦେବ-? ଯା ଦେଖ । ବଂଶୀଧର ଏପରି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା କିଛି ନୂଆ ନୁହେଁ ।

 

ଆଦର୍ଶବାଦୀ ନୃସିଂହ ପକ୍ଷେ ଏହା ଅସହ୍ୟ ହୋଇ ଉଠିଲା । ସେ ପ୍ରତିବାଦ କରି କହିଲା, ନବୀନ ଏହା କରି ତୁମେ କି ଆଦର୍ଶ ସୃଷ୍ଟି କରୁଛ ?

 

‘‘ତୁ ନ ପିଇଲୁ ନାହିଁ କିଛି ନ କହି ନ ଥିଲି । ମାତ୍ର ଏବେ ଚୁପ୍‌ ହୋଇ ରହି ପାରୁ ନାହିଁ । ଅତି ଗୁଡ଼ାଏ ହେବା ଖରାପ । ତୁ ଯଦି ଏପରି ଆଦର୍ଶ ଆଦର୍ଶ ହେଉଛୁ ତେବେ ମୋ ନିର୍ଦ୍ଦିଷ୍ଟ ଆଦର୍ଶକୁ ତଳକୁ ଚାଲି ଆସିବାକୁ ମୋତେ କାହିଁକି କହୁଛୁ ? ସମସ୍ତଙ୍କର ନିର୍ଦ୍ଦିଷ୍ଟ ଆଦର୍ଶ ଅଛି । ଅନ୍ୟର ଆଦର୍ଶ ନେଇ ସେ ବଞ୍ଚିବାରେ ବାଧା ଦେବା ଅନ୍ୟାୟ ।’’

 

ଶୁଭଙ୍କର ପ୍ରଶ୍ନକଲା ନବୀନ ତୋର ପୁଣି ଆଦର୍ଶ ? ‘‘ହଁ, ମୋର ବି ଆଦର୍ଶ । ଯେମିତି ମୁଁ ବ୍ୟକ୍ତିଗତ ସଂପର୍କ ନଷ୍ଟ କରିବାକୁ ଚାହେଁ ନାହିଁ । ମୁଁ ରେଡ଼୍‌ରୋଜ୍‌ରେ ବରାବର ଖାଇ ଆସୁଛି । ମ୍ୟାନେଜର ଜାଣେ ମୁଁ ସଚ୍ଚୋଟ, ଅସମ୍ଭବଭାବେ ସଚ୍ଚୋଟ । ତା’ର ଏହି ଧାରଣାରେ ମୁଁ ଭ୍ରମ ସୃଷ୍ଟି କରିବାକୁ ଚାହେଁ ନାହିଁ । ଏ ଧାରଣାର ସୁରକ୍ଷା ପାଇଁ ପେଟ୍ରୋଲ କ’ଣ ପ୍ରୟୋଜନ ହେଲେ ପାର୍ଟି ଜିପ୍‌ଟି ବିକିବା ପାଇଁ ମୁଁ ସଂକୋଚ ବୋଧ କରିବି ନାହିଁ । ଏହାକରି ମୁଁ ଅନ୍ୟାୟ କରୁନାହିଁ, ଦଳପ୍ରତି ଅବିଚାର କରୁନାହିଁ । କାରଣ ଏ ଦଳର ଯେ ଦଳପ୍ରତି ସେ ଆପଣାର ସହକର୍ମୀଙ୍କୁ ବିଟ୍ରେ କରୁଛି । ଲୋକପ୍ରତିନିଧି ଅବଲୀଳାକ୍ରମେ ଜନତାକୁ ଚିତା କାଟୁଛି । ଏହି ସ୍ୱାର୍ଥ ସାଧନ ପାଇଁ ଆମ ଦଳ ଆଜି ଫାଳ ଫାଳ । ସେହି ଦିଗରେ ଦକ୍ଷତା ହାସଲ ପାଇଁ ପେଟ୍ରୋଲ ବିକ୍ରୀ ମୋର ସାମାନ୍ୟତମ ଉଦ୍ୟମ । ପ୍ରୟୋଜନ ହେଲେ ଗୋଟିଏ ନୁହେଁ କୋଟିଏକୁ ମୁଁ ଗୁଳି ଚଳାଇବା ପାଇଁ ପଛାଇବି ନାହିଁ-। ମୁଁ ନେତା ହେବାକୁ ଚାହେଁ । ଯେଉଁମାନେ ଏସବୁ ପାଇଁ ଅପାରଗ ସେମାନେ ଅନ୍ୟ ପନ୍ଥା ବାଛି ନିଅନ୍ତୁ, ରାଜନୀତି ନୁହେଁ । ଆଦର୍ଶ ଆଦର୍ଶ ହୋଇ ମୁଁ ଆପଣାକୁ ପଳେ ପଳେ ହତ୍ୟା କରିବାକୁ ଚାହେଁ ନାହିଁ । ମୋର ବଞ୍ଚିବାର ଅର୍ଥ ଅଛି ।

 

ନୃସିଂହ ଚାହିଁ ରହିଥିଲା ନବୀନଚନ୍ଦ୍ର ଓ ଅନ୍ୟାନ୍ୟ ବନ୍ଧୁମାନଙ୍କର ମୁହଁକୁ । ‘‘ରେଡ଼୍‌ ରୋଜ୍‌ର’ ପରିବେଶରେ ସେ କେବଳ ଶୁଣି ପାରୁଥିଲା ବଂଶମରା ଡାହୁକରେ ଡାକ ।

 

ରେସ୍ତରାଁରେ ବାଜି ଚାଲିଥାଏ ରକ୍ ଆଣ୍ଡ୍ ରୋଜ୍ ମ୍ୟୂଜିକ । ଧଳା ବଗମାନେ ହିଡ଼ ଉପରେ ଏପଟ ସେପଟ ହେବା ପରି ବବୁର୍ଚ୍ଚିମାନେ ଏପଟ ସେପଟ ହେଉଥାନ୍ତି । ଯୁବନେତାମାନେ ‘ରେଡ଼୍‌ରୋଜ୍‌’ରୁ ବାହାରି ଆସୁଥାଆନ୍ତି, ମନରେ ଅସୁମାରି ସ୍ୱପ୍ନ ନେଇ । ସେମାନେ ଦଳର ତାଜା ରକ୍ତ । ମେରୁଦଣ୍ଡ । ଜାତିର ଭବିଷ୍ୟତ । ଜାତିକୁ ସେହିମାନେ ହିଁ ଗଢ଼ିବେ ।

񤦬񤦬񤦬

 

ବିଲୁଆ ଘାଇ

 

ଡ୍ରଇଁ ରୁମ୍‌ର ଆଲୋକ ଜଳି ଉଠିବାର ଦେଖାଗଲା । ଅନେକ ସମୟରେ ସେ ସିଧା ଅଫିସରୁ ଫେରି ଘର ଭିତରକୁ ପ୍ରବେଶ ନ କରି ଡ୍ରଇଁ ରୁମ୍‌ରେ କିଛି ସମୟ ଅଟକି ଯାଆନ୍ତି । ତାଙ୍କ ନାମରେ ଆସିଥିବା ଚିଠିପତ୍ର ଉପରେ ଆଖି ବୁଲେଇ ଆଣନ୍ତି । ଡ୍ରଇଁ ରୁମ୍‌ରେ ବେଶୀ ସମୟ ଅଟକି ଗଲେ ପରିବାର ଲୋକ ବୁଝନ୍ତି, ନିଶ୍ଚୟ କିଛି ଜରୁରୀ କାମ ଅଛି ।

 

ବେଳେ ବେଳେ ସସ୍ମିତା ଯାଇ କହନ୍ତି, ମଲା ଧୋଇଧାଇ ହୋଇ ଚାହା ଟିକିଏ ଖାଇ ତମ ଫାଇଲ କାମ ସାରିଥିଲେ ହୋଇ ନ’ଥାନ୍ତା ? ଅଫିସରୁ ଝାଳନାଳ ହୋଇ ଆସି ଏଠାରେ ବସିଗଲ ।

 

ରଜନୀ ସହଧର୍ମିଣୀଙ୍କ କଥା ଶୁଣି ନ’ଶୁଣିଲା ପରି ଅନ୍ୟମନସ୍କ ଭାବେ ଉତ୍ତର କରନ୍ତି, ହଁ ଚାଲ ଯାଉଛି । ସସ୍ମିତା ଆଉ ଅଧିକ କିଛି ନ’କହି ଉତ୍ତର ଦିଅନ୍ତି, ହଁ ଚାଲ ଯାଉଛି । ସେ ଆଉ ଅଧିକ କିଛି ନ କହି ଘରଆଡ଼କୁ ଚାଲିଯାଆନ୍ତି । କେବେ କେବେ ସେହିଠାରେ ଠିଆହୋଇ ଯାବତୀୟ ଅଭିଯୋଗ ଢେଙ୍କାନାଳରୁ ଢିଙ୍କିଶାଳ ଯାଏ କରନ୍ତି । ମୋହନ ମାଛ ପାଇଁ ଗଲା ଯେ ଫେରିଲା ଦିନ ଗୋଟାଏ ବେଳେ । ମୁଁ ବିଳମ୍ବର କାରଣ ପଚାରିବାରୁ ସେ ମୋ ମୁହଁ ଉପରେ ଜବାବ ଦେଲା, ସେ କ’ଣ ପାଣିରେ ବୁଡ଼ି ଆଉ ମାଛ ଧରିଥାନ୍ତା ? ଘିଅ ଆଣିବା କଥା ତା’ର ମୂଳରୁ ମନେ ନାହିଁ । କୁଣ୍ଡା ନାହିଁ ଗାଈର କୁଳୁଚି ଖାଇବା ବନ୍ଦ । ନା, ସେ ଏତେ କଥା ବୁଝିପାରିବେ ନାହିଁ । ଏ ଘର ଚୁଲିକି ଯାଉ, ତାଙ୍କର କ’ଣ ଯାଉଛି ? ସସ୍ମିତା ଉତ୍ତର ଦାବୀ କରନ୍ତି ସେ ଏପରି କ’ଣ କରୁଛନ୍ତି ଯେ ଡାକଘରକୁ ନିଜେ ଯାଇ ମିନତୀ ପାଇଁ ଟଙ୍କା ପଠାଇବାକୁ ସମୟ ହେଲା ନାହିଁ-। ଆସି ଦଶ ତାରିଖ ହେଲା । ପିଲାଟା ଦୂର ଜାଗାରେ କିପରି ଚଳୁଥିବ—ଏହିପରି ଅନେକ ପ୍ରଶ୍ନ ।

 

ରଜନୀଙ୍କ ମନ ଭଲ ଥିଲେ ସବୁ ଚୁପ୍‌ଚାପ୍‌ ଶୁଣି ଯାଆନ୍ତି । ସ୍ତ୍ରୀଙ୍କୁ ବୁଝାନ୍ତି ବ୍ୟସ୍ତ ନ ହେବାକୁ । ନଚେତ୍‌ ସ୍ୱଳ୍ପ ସମୟ ପାଇଁ ବାତାବରଣ ଉତ୍ତେଜନାପୂର୍ଣ୍ଣ ହୋଇଉଠେ । ସ୍ୱାମୀଙ୍କର ପଦେକୁ ସ୍ତ୍ରୀଙ୍କର ପଦେ ପ୍ରତ୍ୟୁତ୍ତର ଚାଲେ । ସେ ବିରକ୍ତ ହୋଇ ଡ୍ରଇଁ ରୁମ୍‌ରୁ ସିଧା ଉଠି ପଦାକୁ ଚାଲିଯାଆନ୍ତି । ଘରକୁ ପୁଣି ଫେରୁ ଫେରୁ ରାତି ନଅ’ ଦଶ ବାଜିଯାଏ ।

 

ରଜନୀ ଚାଲିଯିବା ପରେ ସସ୍ମିତା କହନ୍ତି ତମେ ଯାଆ ଯୁଆଡ଼େ ତମ ଇଚ୍ଛା । ମୋତେ ବି ଯାଇଆସେ । ମୁଁ ଏଇ ଚାଲିଲି । ସାନ ଝିଅ ବାପାଙ୍କ ଚାଲିଯିବା ଦେଖି ମାକୁ କହେ ମା’ ତୁ ସବୁବେଳେ ବାପାଙ୍କ ସାଙ୍ଗରେ କାହିଁକି ଲଗାଉଛୁ ? ସେ ଅଫିସରୁ ଫେରୁ ଫେରୁ ତୁ କଳି ଆରମ୍ଭ କରିଦେଲୁ । ଟିକିଏ ସମ୍ଭାଳି ପାରିଲୁ ନାହିଁ ।

 

ସସ୍ମିତା ରେଣୁ ଉଦ୍ଦେଶ୍ୟରେ ପାଟି କରି କହନ୍ତି, ବାପ ପୁଅ ଝିଅ ମିଶି ଦଳ ବାନ୍ଧିଛନ୍ତି । ମୁଁ କାହାକୁ କିଛି କହିବି ନାହିଁ । ଯାଉ ଏ ଘର ଜଳି ପୋଡ଼ି ଯାଉ । ଏତେ ବାପା ବାପା ହେଉଛୁ, ଦି ଦିନ ହେଲା ଗାଈଟା କୁଳୁଚି ଖାଇ ନାହିଁ, କୁଣ୍ଡା କିପରି ଆସିବ ସେ କଥା’ତ କହୁନୁ ।

 

ରେଣୁ ମା’କୁ କୌଣସି ଉତ୍ତର ନ’ଦେଇ ଚୁପ୍‌ଚାପ୍‌ ଚାହିଁ ରହି ସୂର୍ଯ୍ୟମୁଖୀ ଫୁଲ ଧୀରେ ଧୀରେ କିପରି ମଉଳି ପଡ଼ିଛି ତାହା ଲକ୍ଷ୍ୟ କରେ ।

 

ଅଫିସରେ ନିଜ ଅଫିସରଙ୍କ ସଙ୍ଗେ ସାମାନ୍ୟ ଉଚ୍ଚବାଚ ହୋଇଥିଲା । ସେ ଚିଡ଼ି ଚିଡ଼ି ହୋଇ ଫେରିଲେ । କଣ କରିବେ ମନ ଯାହା ହେଉଛି, ଯୋତା କାଢ଼ି ସେକି ଦେବାକୁ । ଭୁଲ କରିବେ, ମନ୍ତ୍ରୀଙ୍କଠୁ ଗାଳି ଖାଇବେ । ଆଉ ଆସି ରାଗ ସୁଝାଇବେ ଆମ ଉପରେ । ଗରିବ ମାଇପ ସମସ୍ତଙ୍କ ଶାଳୀ । କି ଚାକିରୀ କଲେ, ପେଟ ପୂରିଲା ନାହିଁ କେବଳ ଜାତି ଗଲା ।

 

ଇଚ୍ଛା ହୁଏ ମୁହଁ ଉପରେ ଇସ୍ତଫା ଲେଖି ଫିଙ୍ଗି ଦେବା ପାଇଁ । କିନ୍ତୁ ତାଙ୍କର ସାତ ସାତଟା ପିଲା ପ୍ରତିବନ୍ଧକ ହୋଇ ଠିଆ ହୁଅନ୍ତି । କୁହୁଳା ନିଆଁ ପରି ମନର ରାଗ ମନରେ ଲିଭେ-। ସେ ନିଆଁରେ ନିଜର କଲିଜା ଜଳପୋଡ଼ି ଅନ୍ଧାର ହୁଏ ସିନା ଆଉ ତ କାହାର କିଛି କ୍ଷତି ହୁଏ ନାହିଁ-

 

ଅଫିସରେ ଗୋଳମାଳ ହୋଇଛି, ଏହି କଥାଟା ଘରେ ଆଲୋଚନା ନ’ କରିବା ପାଇଁ ମନେ ମନେ ସ୍ଥିର କରି ଫେରିଲେ । ତାଙ୍କ ଅଫିସରେ କେଉଁଦିନ କ’ଣ ହେଲା ସେ ସବୁ ରଜନୀଙ୍କର ଯେତେ ମନେ ନ ଥାଏ ତାହା ସସ୍ମିତାଙ୍କ ମନରେ ଅଧିକ ଜୀବନ୍ତ ହୋଇ ରହିଥାଏ । ଝରି ବାଣ ନିଆଁକୁ ଦେଖାଇଲେ ତାହା ଯେପରି ଝରି ଝରି ହୋଇଉଠେ, ଠିକ୍‌ ସେହିପରି ଅଫିସ ପ୍ରସଙ୍ଗ କିଛି ଉଠାଇଲେ ଅନାୟାସରେ ଘଣ୍ଟା ଘଣ୍ଟା ଧରି ସସ୍ମିତା ସେ ସବୁ ଗପିଯାଆନ୍ତି । ସସ୍ମିତାଙ୍କର ଏହି ମହତ୍‌ ଗୁଣର ଅନେକ ପ୍ରଶଂସା କରନ୍ତି । କେତେକ ପଛରେ କହନ୍ତି ରକ୍ଷା ହୋଇଛି ଏ ସ୍ତ୍ରୀ ଲୋକ ଚାକିରୀ କରିନାହିଁ, ନ’ହେଲେ ଅନେକଙ୍କ ଚାକିରୀ ଯାଆନ୍ତାଣୀ । ଜାଣି ଘୋଡ଼ାର ଶିଙ୍ଘ ନାହିଁ ।

 

ମନରେ ଆହତ ଅଭିମାନ । ପରିଣତି ଯାହା ହେଉନା କାହିଁକି ସେ ଏ ଗୋଲାମି ଛାଡ଼ିବେ । ତରତର ହୋଇ ଅଫିସରେ ଯେଉଁ ଇସ୍ତଫାପତ୍ରଟି ସେ ଡ୍ରାଫ୍‌ଟ କରିଥିଲେ ସେଟାକୁ ଠିକ୍‌ ଭାବେ ଲେଖି ସାରିଲା ପରେ ଯାଇ ଅନ୍ୟ ଯେଉଁ କାମରେ ହାତ ଦେବେ ବୋଲି ସଂକଳ୍ପ କରି ଫେରିଥିଲେ । ପରଦିନ ସକାଳ ଅଫିସରେ ତାଙ୍କୁ ନ ଦେଖି ଦେଖିବେ ସେ ହାତ କାଟି ଲେଖି ଦେଇଥିବା ଇସ୍ତଫାପତ୍ର । ସେ ବୁଝିବ.....ହୁଏତ ଅନୁଭବ କରିବ କ୍ରୀତଦାସ କଲୋନିରେ ଯେଉଁମାନେ ଥାଆନ୍ତି ସମସ୍ତେ ତାରି ପରି ନୁହଁନ୍ତି । ସେଠାରେ ଅନ୍ତତଃ ଜଣେ ସ୍ୱାଧୀନଚେତା ମଣିଷ ଥିଲା । ସେ ହେଉଛି ରଜନୀକାନ୍ତ ଦାସ ।

 

ଡ୍ରଇଁ ରୁମ୍‌ରେ ଇସ୍ତଫାପତ୍ର କଥା ଭାବିବା ପୂର୍ବରୁ ଟେବୁଲ ଉପରେ ଥିବା ଚିଠି ଥାକ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ସେ ଚିଠିଗୁଡ଼ିକ ଟାଣି ଆଣି ଖଣ୍ଡକୁ ଖଣ୍ଡ ଦେଖିଗଲେ ।

 

ମିନତୀ ଚିଠି ଲେଖିଛି...ସାର ମର୍ମ ହେଲା ଟଙ୍କା ନ ପାଇ ସେ ଅସୁବିଧାରେ ଅଛି । ଆଗାମୀ ପୂଜାଛୁଟିରେ ତାଙ୍କ କଲେଜ ପିଲାମାନେ ଏକ୍‌ସକରସନ୍‌ରେ ଯାଉଛନ୍ତି । ସେ ଯିବବୋଲି ଭାବିଛି । ଏ ସୁଯୋଗ ହୁଏତ ଆଉ ଆସିବ ନାହିଁ । ସେଥିପାଇଁ ଆଉ ଅଧିକ ଶହେ ଟଙ୍କା ପଠାଇବାକୁ ଲେଖିଛି । ପ୍ରତ୍ୟେକ ପିଲାକୁ ୫୦ ଟଙ୍କା ଡିପୋଜିଟ୍‌ କରିବାକୁ ହେବ । ପନ୍ଦର ତାରିଖ ପୂର୍ବରୁ ଟଙ୍କା ଯେପରି ତା ପାଖରେ ପହଞ୍ଚେ । ତାହା ହିଁ ଟଙ୍କା ଡିପୋଜିଟ୍‌ କରିବାର ଶେଷ ଦିନ । ସେ ଭଲ ଅଛି । ଘରେ ସମସ୍ତେ ଭଲ ଥିବେ ।

 

ମିନତୀ ରଜନୀଙ୍କର ଦ୍ୱିତୀୟା କନ୍ୟା । କଲେଜରେ ପଢ଼ୁଛି । ବି.ଏ.ଶେଷ ବର୍ଷ । କେବେ କିଛି ଲେଖେ ନାହିଁ । ଏଇ ପ୍ରଥମ ଥର ଟଙ୍କା ପାଇଁ ଲେଖିଛି । ସୁନା ଝିଅ ତାଙ୍କର... ଭାରି ଅଲିଅଳ । ବିବାହ ହେବା ନିମନ୍ତେ ବହୁ ଭଲ ପ୍ରସ୍ତାବ ସେ ପ୍ରତ୍ୟାଖାନ କରିଛନ୍ତି କେବଳ ମିନତୀକୁ ଚାହିଁ । ତା’ର ଏକା ଜିଦ୍‌ ସେ ପଢ଼ିବ । ବାପା ଝିଅ କଥା ଏଡ଼ି ଦେଇ ପାରିନାହାନ୍ତି ।

 

ଦ୍ୱିତୀୟ ଚିଠିଟି ଲେଖିଛି....ଟିଟୁ —ଝିଅର ପୁଅ, ନାତି । ବର୍ଷରେ ଦଶ ମାସ ତାଙ୍କ ପାଖରେ ଥାଏ । ଅଳ୍ପ ଦିନ ହେଲା ନାତି ତା ନିଜ ଘରକୁ ଚାଲିଯାଇଛି । ବହୁ ଅନିଚ୍ଛାରେ ନାତିକୁ ସାଙ୍ଗରେ ନେଇଯିବା ନିମନ୍ତେ ଜୋଇଁଙ୍କ କଥାରେ ସେ ରାଜି ହେଲେ । ଏଠାରେ ରହିଲେ ସେ ପଢ଼ାପଢ଼ି କରିପାରିବ ନାହିଁ ।

 

ସେ ଲେଖିଛି... ତା’ର ଗୋଟିଏ ନାଲି ଛୋଟ ସାଇକେଲ ଦରକାର । ଶୀଘ୍ର ନେଇ ଯିବାକୁ । ପିଲାଟା ପାଇଁ ଛୋଟ ସାଇକେଲଟେ କିଣିଦେବାକୁ ଦୋକାନକୁ ଯାଇ ଅନେକ ଥର ଫେରିଲେଣି । ଗତ ଚାରି ମାସ ମଧ୍ୟରେ ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । କିଣିବେ କିଣିବେ ହୋଇ କିଣି ପାରି ନାହାନ୍ତି । କେଇଟି ମୁହୂର୍ତ୍ତ ପାଇଁ ଟୁଟୁ ମୁହଁ ତାଙ୍କ ଆଖି ସମ୍ମୁଖରେ ନାଚିଉଠିଲା । ତା’ର ଦରୋଟି କଣ୍ଠର ଭାଷା ପ୍ରତିଧ୍ୱନିତ ହୋଇଉଠିଲା ।

 

ଟୁଟୁର ଚିଠିଟି ପଢ଼ି ସାରି ସେ ତୃତୀୟ ଚିଠିଟି ଖୋଲିଲେ । ଯାହା ଆଶଂକା କରୁଥିଲେ ଠିକ୍‌ ସେଇୟା । ଘର ବାବଦ ଲୋନ୍‌ ପରିଶୋଧ କରିବା ନିମନ୍ତେ ଏ ରିମାଏଣ୍ଡର । ଋଣ ଯେତିକି କରିଥିଲେ ଏବେ ସୁଧ ତା’ଠାରୁ ବଳି ପଡ଼ିଲା । ନାହେଲା ଘର ନା’ଏବେ ରହିବ ଜମି । ମନେ ମନେ ବିରକ୍ତ ହେଲେ । ଏ କୌରବ ବଂଶ ସବୁ ଗ୍ରାସ କରିଯିବେ । ଶେଷ ପଇସାଟି ପର୍ଯ୍ୟନ୍ତ ଯାହା ରୋଜଗାର କଲେ ସବୁ କେବଳ ଖାଇବାରେ ଗଲା ।

 

ତା’ପରେ ବିଦ୍ୟୁତ ବିଭାଗର ଷ୍ଟାମ୍ପ୍‌ ଦିଆ କାର୍ଡ଼ ଖଣ୍ଡିକ । ଏରିଅର ବାବଦକୁ ୪୦ ଟଙ୍କା ଛବିଶ ପଇସା ତିନି ମାସ ହେଲା ଦିଆଯାଇ ପାରିନାହିଁ । ଏ ପିଲାଗୁଡ଼ା କିଛି ବୁଝିବେ ନାହିଁ । କେତେ କଷ୍ଟରେ ପଇସା ଆସୁଛି । ନ’ପଢ଼ିବତ ଲାଇଟ୍‌ ଲିଭା । ପଢ଼ନ୍ତୁ ନ’ପଢ଼ନ୍ତୁ ଏମାନଙ୍କର ଚବିଶ ଘଣ୍ଟା ଲାଇଟ୍‌, ଫ୍ୟାନ୍‌ ଚାଲିଛି । ଧନ୍ୟରେ ମଣିଷ ।

 

ଗୋଟିଏ ଦୀର୍ଘ ନିଃଶ୍ୱାସ ମାରିଲେ । ଖସିଗଲା ପାଦ ଯେପରି ତଳକୁ ତଳକୁ । ପାଦ ଆଉ ଟାଣ ମାଟିରେ ଲାଗିବ ନାହିଁ । ଶେଷ ଚିଠିଟି ସନତ୍‌ ଲେଖିଛି । ଦ୍ୱିତୀୟ ସନ୍ତାନ । ଅଳ୍ପଦିନ ହେଲା ସବ୍‌ ଡେପୁଟି ଭାବେ ନିଯୁକ୍ତି ପାଇଛି । ବାପା, ଆଗାମୀ ତିନି ମାସ ମଧ୍ୟରେ ଦରମା ମିଳିବା ଆଶା ନାହିଁ । ହୋଟେଲରୁ ବାକିରେ ଖାଉଛି । ପାଖରେ ନ’ଥିଲେ ମଧ୍ୟ କିଛି ଟଙ୍କା ଯୋଗାଡ଼ କରି ପଠାନ୍ତୁ । ନ’ହେଲେ ଭାରି ହଇରାଣ ହେବି । ଆସିବା ବେଳେ ମାମୁଁ ଘର ବାଟରେ ଆସିଲି । ଆଈଙ୍କ ଆଣ୍ଠୁ ଧରିଛି । ମାଲସ ପାଇଁ କଡ଼୍‌ଲିଭର ଅଏଲ ଗୋଟାଏ ସଙ୍ଗେ ସଙ୍ଗେ ପଠାଇବ । ଅଜା କହିଛନ୍ତି, ଗଲା ଚାରିମାସ ହେଲା ସେ ପେନ୍‌ସନ୍‌ ପାଇନାହାନ୍ତି । ଟିକିଏ ବୁଝିବେ ଅଫିସକୁ ଯାଇ ।

 

ରଜନୀ କିଛି ଚିନ୍ତା କରି ପାରିଲେ ନାହିଁ । କେବଳ ଉପରକୁ ଅନ୍ୟମନସ୍କ ଭାବେ ଚାହିଁ ରହିଲେ । ଏତିକିବେଳେ ମୋହନ ଆସି ପହଞ୍ଚିଗଲା । ରଜନୀ ପଚାରିଲେ ମା ନାହାନ୍ତି କି ? କୁଆଡ଼େ ଗଲେ ? ମୋହନ ଉତ୍ତର ଦେଲା..... ଡାକ୍ତରାଣୀ ମା’ ଆସିଥିଲେ । ତାଙ୍କ ସାଙ୍ଗରେ ଯାଇଛନ୍ତି । ସେ ମୁଣ୍ଡରେ ହାତ ରଖିଲେ । ସସ୍ମିତା ପୁଣି ମା ହେବେ । ଜୀବନ-ସଂଗ୍ରାମ ତାଙ୍କ ପାଇଁ ନିର୍ମମ ଉତ୍କଟ ବୈଶାଖୀ ଖରାଠାରୁ ଅଧିକ ଜ୍ୱାଳାମୟ ବୋଧ ହେଲା । ସେ ଅନ୍ଧକାରର ବୃତ୍ତ ମଧ୍ୟରେ ଆଲୋକର ସାମାନ୍ୟ ସଂକେତ ମଧ୍ୟ ପାଇପାରିଲେ ନାହିଁ ।

 

ହାତରୁ ତାଙ୍କର ଇସ୍ତଫାପତ୍ରଟି କେତେବେଳେ ଖସିପଡ଼ି ପବନରେ ଉଡ଼ି ଉଡ଼ି ଯାଇ କବାଟ ସେପଟକୁ ଚାଲିଗଲାଣି । ଯାଉ ଉଡ଼ି ଯାଉ ସେଟା । ତାକୁ ଗୋଟାଇ ଆଣିବାର ପ୍ରୟୋଜନ ନାହିଁ । ଥାଉ, ରୋଜଗାର କରିବାକୁ ଯେଉଁଠି କେବଳ ଦୁଇଟି ହାତ ସକ୍ରିୟ ମାତ୍ର ଖାଇବା ଲାଗି ପେଟର ସଂଖ୍ୟା ବୃଦ୍ଧି ପାଇ ଚାଲିଛି, ସେଠାରେ ସ୍ୱାଧୀନତାର ସ୍ୱପ୍ନ ଦେଖି, ଚାକିରୀକୁ ଗୋଇଠା ମାରି ଚାଲି ଆସିବା ପାଗଳାମି ବ୍ୟତୀତ ଆଉ କ’ଣ ହୋଇପାରେ ? ତେବେ ସେ କ’ଣ ପାଗଳ ? ହଁ ହଁ ସେ ପାଗଳ ହେବେ । ପାଗଳାମୀର ପ୍ରଳାପ ମଧ୍ୟରେ ସେ ସ୍ୱାଧୀନତାର ମଧୁ ସ୍ପର୍ଶ ପାଇବେ-। ତାହା ହିଁ ହେବ ତାଙ୍କ ମୁକ୍ତିର କାକତୀର୍ଥ ।

 

କିଛି ନ’କହି ନିଜ କାନିରେ ବାନ୍ଧିଥିବା ମୋଡ଼ାମୋଡ଼ି ହୋଇ ମଇଳା କାଗଜର ଚିଠିଟି ମୋହନ ବାବୁଙ୍କ ଆଗରେ ରଖିଦେଲା । ରଜନୀ ପଚାରିଲେ ଏ ଚିଠି କଣ ? ଏ ଚିଠି କିଏ ଆଣିଛି-?

 

“ଆପଣଙ୍କ ଗାଁ’ରୁ କେହି ଜଣେ ଆସିଥିଲା । ଚିଠିଟି ଦେଇ ଚାଲିଗଲା । କହିଛି ପଛକୁ ଆସିବ ।

 

ରଜନୀ ଚିଠିଟି ପଢ଼ି କିଛି ଭାବି ପାରିଲେ ନାହିଁ । ସାନ ଭାଇ ଗଙ୍ଗାଧର ଲେଖିଛି....ଭାଇ, ତୁମେ ବିଲୁଆ ଘାଇ ଭାଙ୍ଗିଥିବା ଖବର ପାଇ ସାରିଥିବ । ଆମ ଗାଁ’ର ଅଧେ ଘର ଭାସିଯାଇଛି । ଲୋକମାନେ ଆସି ଦଶ ମାଣ ପାଟରେ ଅଛନ୍ତି । ମଣିଆ ମଳିକ ବଢ଼ିରେ ଭାସିଯାଇଛି । ଆମ ଘରର ବିଶେଷ କ୍ଷତି ନ ହୋଇଥିଲେ ମଧ୍ୟ ‘‘ଚଡ଼େଇଖିଆ’’ ପୂରା ବାଲିଚର ହୋଇଯାଇଛି । ଆମେ ସର୍ବସ୍ୱ ହରାଇଲେ । ଦୁଇ ଦିନ ତଳେ ଗଙ୍ଗାଧର ଲେଖିଥିଲା—ଭାଇ, କ୍ଷେତ ଏଥର ଖୁବ୍‌ ଭଲ ହୋଇଛି । ଭଲ ପାତ୍ରଟିଏ ଆମ ମିନତୀ ପାଇଁ ଠିକ୍‌ କର । ଏବର୍ଷ ବିଭାଘର କରିଦେବା । ଟଙ୍କା ପାଇଁ ଚିନ୍ତା କରିବ ନାହିଁ । ସେ ଭାର ମୋର ।

 

ରଜନୀ ଆଉ ଥରେ ଚିଠିଟି ପଢ଼ିଲେ । ବିଶ୍ୱାସ କରି ପାରିଲେ ନାହିଁ । ଗଙ୍ଗାଧର ଯାହା ଲେଖିଛି ଏଇ କ’ଣ ତା’ର ହାତଲେଖା । ବିଲୁଆ ଘାଇ ଭାଙ୍ଗିବା ଫଳରେ ସେମାନେ ସର୍ବସ୍ୱାନ୍ତ ହୋଇ ପଡ଼ିଛନ୍ତି ।

 

ସେ ଗୋଟିଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ସମ୍ମୁଖରେ ତାଙ୍କର ଅସୁମାରି ବନ୍ୟାଜଳର ଭୈରବୀ ଡାକ-ସବୁଜ କ୍ଷେତ ଉପରେ ବାଲିଚଡ଼ାର ସୁବିଶାଳ ବିସ୍ତୀର୍ଣ୍ଣ କବର । ଆକାଶରେ କେତେଗୋଟି ଅଚିହ୍ନା ପକ୍ଷୀଙ୍କର ଦମ କମିଯାଇଥିବା ସିଲିଂ ଫ୍ୟାନର ଗତି ପରି ଅସ୍ଥିର ମନ୍ଥର ଗତି । ଆଉ ସୁଦୂରରେ ଗୁଡ଼ାଏ ପଶୁଙ୍କର କୁତ୍ସିତ ବିକଳାଙ୍ଗ ପଚା ଶବ— ।

񤦬񤦬񤦬

 

ପ୍ରବାହ

 

ଆପଣଙ୍କ ଭୁଲ୍‌ ପାଇଁ ସେ କେବଳ ନିଜେ ଦାୟୀ । ଫିଲ୍‌ଡ଼କୁ ଯିବାଲାଗି ଡାଇରେକ୍‌ଟର ଫୋନ୍‌ କରି କହିବା ପର୍ଯ୍ୟନ୍ତ ଗଲାଣି । ମାତ୍ର ସେ ଯାଇ ପାରୁଛନ୍ତି କେତେକେ ?

 

ଶଙ୍କର ମାଇନିଂ ଅଫିସର । ବର୍ଷର ଛ’ମାସ ଅଫିସରେ, ଅବିଶଷ୍ଟ ସମୟ ଖଣି ଅଞ୍ଚଳରେ ଫିଲ୍‌ଡ଼୍‌ଓ୍ୟାର୍କ । ଫିଲ୍‌ଡ଼୍‌ଓ୍ୟାର୍କ ଅନେକ ସମୟରେ ଉପଭୋଗ୍ୟ ମାତ୍ର ବେଳେବେଳେ ବ୍ୟଥାଦାୟକ । ଭୀଷଣ ଭାବେ ଲେନ୍‌ଲି । ମାଟି ତଳେ ମହାର୍ଘ ବସ୍ତୁର ସନ୍ଧାନ ମିଳିବ । ମଣିଷର ସ୍ୱପ୍ନକୁ ସଫଳ କରିବାକୁ ପାଥେୟ ଯୋଗାଇବ, ସେତିକିମାତ୍ର ସାନ୍ତ୍ୱନା । ତାହା ହିଁ ତାକୁ କର୍ମ ସଚେତନ କରାଇ ରଖିଥାଏ ।

 

ଶଙ୍କର ଯେତିକି କର୍ମପ୍ରବଣ ସେତିକି ସ୍ୱପ୍ନବିଳାସୀ । ସେ ଖଣି ଖନନ ସମୟରେ ସ୍ୱେଦସିକ୍ତ ଶ୍ରମିକର ଚଞ୍ଚଳ ହସ୍ତ ଯୁଗଳକୁ ନିରୀକ୍ଷଣ କରେ । ଧନ୍ୟ ଏହି ମଣିଷର ହାତ । ଏହି ହାତ ଧରଣୀକୁ, ବଞ୍ଚିବା ଲାଗି ଲୋଭନୀୟ, ସୁନ୍ଦର ଓ ରୁଚିରତର କରି ପାରିଛି । କୌଣସି ନୂତନ ଦ୍ରବ୍ୟ ମାଟିରୁ ପାଇଲେ ସେ ଘଣ୍ଟା ଘଣ୍ଟା ଧରି ତାହା ନିରୀକ୍ଷଣ କରେ ।

 

କାମ ଶେଷ ହୋଇଗଲେ ସେ ଫିଲ୍‌ଡ଼ରୁ ଫେରେ ଟେଣ୍ଟ୍‌କୁ । ସେହି ଟେଣ୍ଟ୍‌ତଳୁ ସେ ଉପଭୋଗ କରେ ଘନ ବନାନୀର ସବୁଜିମା । ନିବିଷ୍ଟ ଚିତ୍ତରେ ଶୁଣେ ବନ ବିହଙ୍ଗୀର କାକଳି । ଆକାଶରେ ଅସୀମ ନୀଳିମା-ଅନନ୍ତ ସୀମାହୀନ । ଇଚ୍ଛାହୁଏ ସେହି ଶାନ୍ତ ନୀଳ ଝରଣାରେ ଝାସ ଦେବାକୁ । ନିକଟବର୍ତ୍ତୀ ପଲ୍ଲୀର କୋଳାହଳ କେବେ କେବେ ବଣମାଳତୀ, କାଠଚମ୍ପା, ରକ୍ତପଲାଶର ସ୍ତବକ ସ୍ପର୍ଶକରି ଆସି ଟେଣ୍ଟ୍‌ ଦେହରେ ଲହଡ଼ା ମାରେ । ଶଙ୍କର ଭୁଲିଯାଏ କ୍ଲାନ୍ତି । ଦୈହିକ ଅବସାଦ ।

 

ଏସବୁ ଶୁଣି ସ୍ମିତା ପ୍ରଶ୍ନ କରେ ବେଳେବେଳେ ତୁମର ଅଫିସ ସହର ଗାଁ ଘରଦ୍ୱାର ବନ୍ଧୁବାନ୍ଧବ କିଛି ମନେ ପଡ଼େ ନାହିଁ ?

 

‘‘ନା, କିଛି ମନକୁ ଆସେନି । ଅଫିସ, ସିମ୍ପଲି ଆଇ ହେଟ୍‌ । ଅଫିସ କହିଲେ ବୁଝେ ମୃତ୍ୟୁଶୀତଳ ଫାଇଲ୍‌ର ପୃଷ୍ଠାରାଜି । କଲିଙ୍ଗବେଲ୍, ଫୋନ୍‌, ଫ୍ୟାନ୍‌ ଏଇ ତ । ସ୍ପନ୍ଦନହୀନ ଏକ ରୁଦ୍ଧ କକ୍ଷ । ଆଉ ତା ମଧ୍ୟରେ ମୁଁ ସ୍ୱେଚ୍ଛାକୃତ ଭାବେ ବନ୍ଦୀ । ଏହି ଫାଇଲ ପୃଷ୍ଠାରେ ମୁଁ ପାଏନି ସ୍ତରସ୍ତର ଗନ୍ଧଭରା କୃଷ୍ଣମାଟିର ସନ୍ଧାନ କିମ୍ବା ଆବିଷ୍କାର କରି ପାରେ ନାହିଁ ଲୋଭନୀୟ ରଙ୍ଗଭରା ପ୍ରସ୍ତର ଖଣ୍ଡ ଯାହାକୁ ନେଇ ପ୍ରାଣ ମୋର ସ୍ପନ୍ଦିତ ହୁଏ ସତେ ଅବା ଶ୍ରାବଣ ଆକାଶରେ ଝୁଲି ରହିଥିବା ନବ ରୋମାଞ୍ଚିତ କଦମ୍ବର ପୁଷ୍ପ ସମ୍ଭାର ।

 

‘‘ମୁଁ ତୁମ ସଙ୍ଗରେ ଗଲେ କିପରି ହୁଅନ୍ତା?’’ ଠିକ୍‌ ଭାବେ ନାଚି ଉଠୁଛି ଶଙ୍କରଙ୍କର ମନରେ ସ୍ମିତାର ଏଇ ପ୍ରଶ୍ନ । ଅବିକଳ ଯେମିତି କଳାମେଘ ଖଣ୍ଡ କାଟି ସୁନାରଙ୍ଗ ବିଦ୍ୟୁତ୍‌ ଝକମକ କରି ଝଲସି ଉଠେ । ପାଞ୍ଚଟି ବର୍ଷ ତଳର ସ୍ମୃତି ବିବାହର ଦ୍ୱିତୀୟ ବର୍ଷ । ମନରେ ସ୍ୱପ୍ନ । ଶିରରେ ଶିରାରେ ଉତ୍ତେଜନାର ଉତ୍ତାପ । ଜୀବନକୁ ଉପଭୋଗ କରିବାକୁ ଅସମ୍ଭବ ଆଗ୍ରହ । ନବ ବିବାହିତା ସ୍ତ୍ରୀଙ୍କ ଅନୁରୋଧ ଏଡ଼ି ଦେଇ ନ ପାରି ଶଙ୍କର ତାଙ୍କୁ ସଙ୍ଗରେ ନେଇଥିଲେ । ସେ ସ୍ମୃତି ଆଜି ମଳିନ ପଡ଼ି ଆସୁଛି । ଅବିକଳ ଗୋଟାଏ ରଡ଼ ନିଆଁ ଖଣ୍ଡ ଉପରେ ଯେମିତି ପାଉଁଶ ଜମି ଉଠିଥାଏ ।

 

ସହରୀ ଜୀବନର ଏକ ବ୍ୟତିକ୍ରମ । ସ୍ମିତାଙ୍କୁ ଭଲ ଲାଗେ ଏହି ନୂଆ ପରିବେଶ । ଶଙ୍କର ଏକ ମାମୁଲି ବ୍ରେକ୍‌ଫାଷ୍ଟ ଶେଷ କରି ଫିଲଡ଼୍‌କୁ ବାହାରି ଗଲେ । ସ୍ମିତା ସଙ୍ଗରେ ନେଇଥିବା କେଇଖଣ୍ଡ ଉପନ୍ୟାସ ଉପରେ ଆଖି ବୁଲାଇ ଆଣେ । ବିବାହ ଅବସରରେ ବନ୍ଧୁମାନଙ୍କ ପକ୍ଷରୁ ମିଳିଥିବା ଉପହାରରୁ କେତେଖଣ୍ଡ । ସ୍ମିତା କେବେ ଶୋଇ ପଡ଼ିଥାଏ । ବନ କୁକୁଡ଼ା ଡାକରେ ତାର ନିଦ ଭାଙ୍ଗେ । ତନ୍ଦ୍ରାବୋଳା ନୟନ ଯୁଗଳ ବିସ୍ଫାରିତ ହୋଇଉଠେ ।

 

ସେ ଦେଖିପାରେ ଷ୍ଟୋଭ୍‌ ଲିଭି ଯାଇଛି । ଅଣ୍ଡା ସିଝିବା ଲାଗି ଦିଆଯାଇଥିବା ପାଣି ଶୀତଳ ହୋଇ ଯାଇଛି । ଶଙ୍କର କେବେ କେବେ ଫେରି ଆସି ସ୍ମିତାକୁ ଉଠାଇ କହେ, ଚାହାଁ ଏଇ ଫୁଲଗୁଡ଼ିକୁ । କେତେ ଛୋଟ ସୁବାସଭରା ଓ ଲୋଭନୀୟ । ତୁମ ଉପରେ ପଡ଼ି ତୁମ ରୂପକାନ୍ତିକୁ ସୁନ୍ଦରତର କରି ପାରୁଛି ।

 

ସ୍ମିତା ପଚାରେ, ଏତେ ବିଳମ୍ବ ହେଲା କାହିଁକି ? ମୁଁ କେତେବେଳେ ଶୋଇ ପଡ଼ିଛି । ମୁଁ ବେଶ୍‌ ମନେ କରିପାରୁଛି ତୁମେ ମୋତେ ଲେଖୁଥିବା ଚିଠିଗୁଡ଼ିକର ପ୍ରତିଟି ଅକ୍ଷରରେ ତୁମ ଲଘୁ-ମନର ପରିପ୍ରକାଶ କିପରି ହୋଇ ପାରିଥିଲା । ମାତ୍ର ଆଜି ମୁଁ ତୁମ ପାଖରେ ଅଛି । କିନ୍ତୁ ଚିଠିଗୁଡ଼ିକ ନାହିଁ ମାତ୍ର ପ୍ରତିଟି ଅକ୍ଷର ମୋର ଜିଭ ଅଗରେ ।

 

ମୁଁ କିନ୍ତୁ ବ୍ୟଗ୍ରତା ମଧ୍ୟରେ ତୁମ ପତ୍ର ପ୍ରତୀକ୍ଷାରେ କିପରି ଥାଏ ବୁଝୁଛ ତ ? ମାସ ମାସ ଧରି ଏହି ଟେଣ୍ଟ ତଳେ କଟିଛି । ଏକମାତ୍ର ସାଥୀ ଏହି ଖଟିଆଟି । ଚାଇନାକେ ମଗଟି ଆଉ ସମ୍ମୁଖରେ ଚାହାଁ ଏକ ଗଙ୍ଗଶିଉଳୀ ଓ ସପ୍ତଫଣିର ଜଙ୍ଗଲ ।

 

ତୁମ ମନର ବ୍ୟଗ୍ରତା ମୁଁ ବୁଝି ପାରୁଛି କହି ସ୍ମିତା ହସି ଉଠନ୍ତି । କାହିଁକି କେଜାଣି ସେହି ସ୍ମୃତି ଆଜି ଉଦ୍‌ଭାସିତ ହୋଇ ଉଠୁଛି । ତା ପରେ ସ୍ମିତା ସ୍ୱାମୀଙ୍କ ସଙ୍ଗରେ ଆଉ ଫିଲ୍‌ଡ଼୍‌କୁ ଯାଇ ନାହାନ୍ତି । ଯିବାର ସୁଯୋଗ ତାଙ୍କ ପାଇଁ ଆଉ ଆସିନାହିଁ ।

 

ଅନ୍ୟମନସ୍କ ଭାବେ ଫାଇଲି ଖେଳାଉଛନ୍ତି, କିଶୋର ପ୍ରବେଶ କରି ପଚାରିଲେ, କିରେ ଶଙ୍କର କଣ ହୋଇଛି ତୋର, ଭୀଷଣ ଚିନ୍ତିତ ଜଣା ପଡ଼ୁଛୁ । କିଶୋର ଶଙ୍କରଙ୍କ ବନ୍ଧୁ । ବେଳ ଅବେଳରେ ସେ ଏମିତି ପଶି ଆସନ୍ତି ବନ୍ଧୁକୁ ଭେଟିବେ ବୋଲି ।

 

ସ୍ମିତାର ଦେହ ଭଲ ନାହିଁ । ତା ସାଙ୍ଗକୁ ଛୋଟ ପିଲାଟିକୁ ଜ୍ୱର । ଔଷଧ ଦେବା ପାଇଁ କହି ଆସିବା ଲାଗି ଭୁଲି ଯାଇଛି । ସବୁ ପିଲାଙ୍କ ଦେହ ଅବଶ୍ୟ ଖରାପ ରହୁଛି । ନୂଆ ବର୍ଷ ପଡ଼ିଛି ନା.... । କେହି ପିଅନ ନାହାନ୍ତି । ଏଣେ ଡିରେକ୍‌ଟର ଆସିପାରନ୍ତି ବୋଲି ଫୋନ୍‌ କରିଛନ୍ତି । ତେଣୁ ମୁଁ ଯାଇ ପାରୁନି ।

 

‘‘କାହିଁକି ତୋର କେତେଗୋଟି ପିଲା ହେଲେ କି ?

 

‘‘ପ୍ରାୟ ଚାରଟି ହେଲେ— ।’’

 

‘‘ମାନେ...... ପ୍ରାୟ କଣ ?’’

 

‘‘ଆଉ ନିକଟରେ ଗୋଟିଏ ହେବ ବୋଲି ସ୍ମିତା କହେ ।’’

 

‘ତମେ ପରା ଜନ୍ମ ନିୟନ୍ତ୍ରଣ କରିଥିଲ ?’

 

‘ହଁ କରିଥିଲୁ । ଜନ୍ମ ନିୟନ୍ତ୍ରଣ କରିବାକୁ ବୁଝାଇବା ଓ ସ୍ମିତାକୁ ଲୁପ୍‌ ନେବା ପାଇଁ ପ୍ରବର୍ତ୍ତାଇବାରେ ସେ ତନୁପାତଳୀ ଡାକ୍ତରାଣୀଟି ପ୍ରଶଂସନୀୟ । ମାତ୍ର ବାସ୍ତବ କ୍ଷେତ୍ରରେ ଫଳ କିଛି ହେଲାନି । ପ୍ରଥମେ ମୁଁ ଏସବୁ ଜାଣି ବିଶେଷ ଖୁସି ହୋଇଥିଲି । ହୁଏତ ମୋ କେଶ୍‌ରେ ଡାକ୍ତରାଣୀ ଫେଲ୍‌ କଲେ । କେବେ ବସାକୁ ଆସିଲେ ଏ ସମ୍ପର୍କରେ କଳିକୁ ଲେଖିଥିବା ପତ୍ରଟି ପଢ଼ି ପାରିବୁ ।

 

‘ସେ ଆଜିକାଲି କେଉଁଠି ? ବିଭାହେଲାଣି ? ବେଶ୍‌ ଭଲ ଝିଅଟିଏ ।

 

‘ବି. ଇଡ଼ି. ପରେ ଗୋଟିଏ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ହେବା ଅପେକ୍ଷାରେ ଅଛି । ଇଣ୍ଟରଭ୍ୟୁ ଦେଇଛି । କୁମାରୀ ରହିବାର ତୀବ୍ର ଉତ୍କଟ ବାସନା ତାର ରହିଛି । ପ୍ରେମରେ ପଡ଼ି ବିବାହ ହେବାକୁ ବାଧ୍ୟ ନ ହେଲେ ବିବାହ ହୋଇ ଜନ୍ମ ନିୟନ୍ତ୍ରଣ କରିବା ସପକ୍ଷରେ ସେ ମୋଟେ ନୁହେଁ ।

 

‘ସେ ତ ଆସି ସ୍ମିତାଙ୍କୁ ସାହାଯ୍ୟ କରି ପାରନ୍ତା । ତୁ ଲେଖୁନୁ ତାକୁ ଆସିବାକୁ ।

 

‘ଶୁଣ, ସେହି କଥା କହୁଛି । ମାର୍ଜିନାଲ ୟ୍ୟୁଟିଲିଟି ଥିଓରି କିପରି ମୋ କେଶ୍‌ରେ କାମ କରିଛି ।

 

ସ୍ମିତା ପ୍ରଥମ ସନ୍ତାନସମ୍ଭବା ହେଲା ଅର୍ଥାତ୍‌ ବାପୁ ଜନ୍ମ ହେବ, ତାଙ୍କ ପିତୃଦେବ ଡାକ୍ତର, ତୁ ବୋଧେ ଜାଣି ନ ଥିବୁ । କେତେକ ଔଷଧପତ୍ର ପଠାଇଲେ ସ୍ମିତାକୁ ବରାବର ଖାଇବାକୁ ଦେବାଲାଗି । ତା ସଙ୍ଗେ ସଙ୍ଗେ ଡାଇରେକ୍‌ସନ ଆସିଲା ସଞ୍ଜ ସକାଳେ ସ୍ମିତାକୁ ଅଳ୍ପ ଚଲାବୁଲା କରିବାକୁ । ସଙ୍ଗରେ ନେବାକୁ । ସେ ସେପରି ପ୍ରତିଦିନ ଅଣ୍ଡାଖାଏ ଦେଖିବାକୁ । ଲୋକଟିଏ ପଠାଇଲେ ଘରକାମରେ ସାହାଯ୍ୟ କରିବାକୁ । ଝିଅ ତାଙ୍କର ସାମାନ୍ୟ ବିଶ୍ରାମ ପାଇବ ।

 

କଳି ଲେଖିଲା ନନା ତୁମେ କ’ଣ ଭାବୁଛ । ମୁଁ ଭାବୁଛି ଅପାର ଗୋଟିଏ ପୁଅ ହେବ । ବୋଉ କହୁଛି ଅପା ଘରକୁ ଆସିବ ତାର ସମୟ ହୋଇଗଲେ ତା ଡେଲିଭରି ଏଠି ଡାକ୍ତରଖାନାରେ ହେବ ।

 

ସମୟ ହୋଇଗଲା । ସ୍ମିତା ବାପଘରକୁ ଗଲା । ମୁଁ ଉତ୍କଣ୍ଠିତ ଅବସ୍ଥାରେ ଥାଏ । ଅଫିସରୁ ଫେରି ଟେଲିଗ୍ରାମ ପାଇଲି । କଙ୍ଗ୍ରାଚୁଲେସନ୍‌ କଲି; ପୁଅଟିଏ ହୋଇଛି ଜାଣି ମୁଁ ଆନନ୍ଦରେ ନାଚି ଉଠିଲି ।

 

ଦୁଇ ମାସ ରହି ପିତୃଗୃହରୁ ସ୍ମିତା ଫେରିଲା । ପୁତୁରାପ୍ରାଣା କଳିର ଶିଶୁଟି ପ୍ରତି ଆଦର ଯତ୍ନ ଦେଖିଲେ ଯେ କେହି ପ୍ରଶଂସା କରିବ । ବିସ୍ମିତ ହେବ ।

 

ବାପୁ ଗୁରୁଣ୍ଡିଲା । ତାକୁ କେନ୍ଦ୍ରକରି କେତେ ସ୍ୱପ୍ନର ତରଙ୍ଗ ଆମ ମନର ତୀରେ ତୀରେ ସ୍ପନ୍ଦନ ସୃଷ୍ଟି କରୁଥିଲା । କ୍ୱାଟର ସମ୍ମୁଖରେ ମୋର ସ୍କୁଲକୁ ଯିବାର ରାସ୍ତା । କାନ୍ଧରେ ସ୍କୁଲ୍‌ବ୍ୟାଗ୍‌, ଦେହରେ କନ୍‌ଭେଣ୍ଟ୍‌ ସ୍କୁଲ୍‌ ଡ୍ରେସ୍‌ । ଶତ ଉଦୟଭାନୁର ସଜଫୁଟା ହସ । ବେପରୁଆ ଧୀର ମନ୍ଥର ପଦଚାଳନା; ସ୍ମିତା ଆଦରରେ କହେ....ବାପୁ ଆଉ ଟିକେ ବଡ଼ ହେଲେ ସ୍କୁଲ ଯିବ ।

 

ସ୍ମିତା ଯେଉଁ ମନିପ୍ଲାଣ୍ଟ ଲଗାଇଥିଲେ ସେଥିରେ ନୂଆ ପତ୍ର ଧରି ନ ଥାଏ । ବାପୁ ଭଲ ଭାବେ ଚାଲିପାରି ନ ଥାଏ । ସ୍ମିତାଙ୍କୁ ପୁଣି ଡାକ୍ତରଖାନା ଯିବାକୁ ହେଲା । ସେ କନ୍ୟାସନ୍ତାନର ମା ହେଲା । ବାପୁ ଜନ୍ମ ସମୟର ଉନ୍ମାଦନା ନାହିଁ । ଶଶୁରଙ୍କ ଘରୁ ଗୋଟାଏ ମାମୁଲି ଟେଲିଗ୍ରାମ । କଳିର ଶରଧାବୋଳା ତାଚ୍ଛଲ୍ୟ ମିଶ୍ରିତ ଉପଦେଶ.....ନନା, ଏତିକିରେ ତୁମ ସୁଖୀ ପରିବାର ସୀମିତ ହେଉ । ବାପା କହୁଥିଲେ ‘ବାପା’କୁ ଯାଇ ନେଇ ଆସିବାକୁ । ମାତ୍ର ଏତେ ଛୋଟ ପିଲାଟା ଅପାକୁ ଛାଡ଼ି ରହି ପାରିବ ନାହିଁ ।

 

‘ଆଉ ତୃତୀୟଟି ।’

 

‘ନ କହିବା ବରଂ ଭଲ । ମୋର ସୁଖୀ ହେବାର କିଛି ନ ଥିଲା । ମୁଁ ଏ ଶିଶୁଟିକୁ ସ୍ୱାଗତ କରିପାରୁ ନ ଥିଲି । ତେବେ ମଣିଷ ଯେଉଁଠି ଅସହାୟ ଯାହାକୁ ନିଜର ଶକ୍ତି ସାମର୍ଥ୍ୟ ହେତୁ ପ୍ରତିରୋଧ କରିହୁଏ ନାହିଁ ତାକୁ ମାନିନେବା ବ୍ୟତୀତ ଆଉ ଉପାୟ କ’ଣ ଥାଇପାରେ ।

 

ଡିସେମ୍ବର ଶୀତ ରାତିରେ ସହର ଏକାନ୍ତ ସ୍ୱପ୍ନ । ରାତିର ମୃତ୍ୟୁଶୀତଳ ନିର୍ମମ ନିରବତା ବିଦୀର୍ଣ୍ଣ କରି ଡାକ୍ତରଖାନା ଆମ୍ବୁଲାନ୍‌ସ ହର୍ନ ଦେଇ ଆସି ଲାଗିଲା ଡାକ୍ତରଖାନା ଲେବର ରୁମ୍‌ ନିକଟରେ । ହର୍ନ ଶୁଣି ବେହେରା ଆଖି ମଳି ମଳି ଉଠି ଠିଆ ହେଲା ।

 

ମୁଁ କିଛି ଶୁଣିପାରୁ ନ ଥାଏ । କର୍ଣ୍ଣ ଗହ୍ୱରରେ କେବଳ ପ୍ରତିଧ୍ୱନିତ ହୋଇ ଉଠୁଥାଏ । ‘ବାପୁ’ର ଆର୍ତ୍ତ ଚିତ୍କାର । ବାପା ମୋତେ ଟିକିଏ ଧର । ନିଅ ମୋତେ ଟିକିଏ ନିଅ । କୌଣସିମତେ ମୋ କାଖରୁ ବାପୁକୁ ଟାଣିନେଇ ମୋ ପଡ଼ୋଶୀ କହିଲେ, ଠିଆ ହେଇ କଣ, ଯାଅ । ସମୟ ହୋଇ ଯାଉଛି । ହୁଏତ ରାସ୍ତାରେ ପିଲାଟି ହୋଇ ଯାଇ ପାରେ ।

 

ବେହେରା କ’ଣ କହିଲା ମୁଁ ଶୁଣି ନ ପାରି ପଚାରିଲି କ’ଣ କହୁଛ ?

 

ସମସ୍ତେ ଶୋଇ ପଡ଼ିଛନ୍ତି । ଯାଅ, ଦେଖ ଡିଉଟି ରୁମ୍‌ରେ କିଏ ସବୁ ଅଛନ୍ତି । ଦ୍ରୁତପଦରେ ଯାଇ ଡିଉଟି ରୁମ୍‌ ପରଦା ଉଠାଇ ଲକ୍ଷ୍ୟ କଲି । ବୋଧହୁଏ ହେଡ଼ ନର୍ସ... ସାମାନ୍ୟ ପୃଥଳକାୟା... କଷ୍ଣାଙ୍ଗୀ । ଗଭୀର ନିଦ୍ରାରେ ଶାୟିତା । ରାତ୍ରିର ନିର୍ମମ ଶୀତରୁ ରକ୍ଷା ପାଇବା ଲାଗି ଆର୍ମଚେୟାର ଉପରେ ଶୋଇ ଯାଇଛି । ସୁଚିତ୍ର ସୁନ୍ଦର ମୂଲ୍ୟବାନ ଶାଲ ଉପରେ ଅଣ୍ଟା ପର୍ଯ୍ୟନ୍ତ ପଡ଼ିଥିବା ଡାକ୍ତରଖାନାର ଶସ୍ତା କମ୍ବଳ । ହୁଏତ ସ୍ୱପ୍ନ ଦେଖୁଥିଲା । ଆଦ୍ୟ ଯୌବନର ଯେଉଁ ପ୍ରଥମ ପ୍ରେମିକ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି ହୁଏତ ତାକୁ । ସେଥିପାଇଁ ବିବାହ ଲାଗି ଏକ ନିର୍ମମ ତାଚ୍ଛଲ୍ୟ, ପୁରୁଷ ସମାଜପ୍ରତି ଏକ ଅହେତୁକ ଅବିଶ୍ୱାସ, ପ୍ରେମନଦୀର କୂଳେ କୂଳେ ପରବର୍ତ୍ତୀ ଜୀବନରେ ସେ ଯେଉଁ ପ୍ରେମିକମାନଙ୍କୁ ଭେଟିଛି ସେମାନଙ୍କ ଉପରେ ସେ ଆଉ ଭରସା କରି ପାରିନାହିଁ । ଆଜି ହୁଏତ ନୟନ ସୀମାରେଖାରେ ତନ୍ଦ୍ରା ସ୍ପର୍ଶ କରିବା ପୂର୍ବରୁ ସେହିପରି ଏକ ଅଯାଚିତ ପୁରୁଷର ଛାୟାଛବି ଉଭା ହୋଇ ଉଠୁଥିଲା ।

 

ମୁଁ ବାଧା ସୃଷ୍ଟି କଲି । ସେ ହାଣିଲେ ରୁକ୍ଷ କଟାକ୍ଷପାତ ମୋ ଉଦ୍ଦେଶ୍ୟରେ । କୋଠରୀରେ ଗୋଟିଏ କୋଣରେ ଛୋଟ ଟେବୁଲ ଉପରେ ନର୍ସଟିଏ ବସିଥିଲା । ତାଙ୍କ ଭାବଭଙ୍ଗିରୁ ମୁଁ ବୁଝି ପାରୁଥିଲି ସେ ଟ୍ରେନିଂରେ ଅଛନ୍ତି । ହେଡ଼ ନର୍ସଙ୍କ ସଙ୍ଗେ ଆତ୍ମୀୟତା ଥିବାର ପ୍ରତାରଣା କରି କହିଲି... କି ବିନି ଦିଦି... ଆଉ ଚିନ୍ତା ନାହିଁ । ମୁଁ ଭୟ କରୁଥିଲି । ଆଉ କିଏ ଥିବ ବୋଲି । ତୁମେ ଅଛ । ମୁଁ ଏବେ ନିଶ୍ଚିନ୍ତ । ସ୍ମିତା ଆସିଛି....... ଡେଲିଭରି ପାଇଁ ।

 

ପୃଥଳକାୟା ତନୁ ଥରାଇ, ଦୀର୍ଘନିଶ୍ୱାସ ତ୍ୟାଗ କରି ଊର୍ଦ୍ଧ୍ୱକୁ ବାହୁ ଉତ୍ତୋଳନ କରି ବେପରୁଆ ଭାବେ ହେଡ଼ନର୍ସ କହିଲେ ଆଜି ସଂଧ୍ୟାରୁ ଏପର୍ଯ୍ୟନ୍ତ ଆଠଟା କେଶ୍‌ ଆସିଲାଣି । ଲେବର ରୁମ୍‌ରୁ ଏଇ ଆସି ଆଖି ବୁଜିଛିକି ନାହିଁ, ଆସି ଆପଣ ଡାକିଲେ । କାହାନ୍ତି ଆପଣଙ୍କ ସ୍ତ୍ରୀ ‘ଆମ୍ବୁଲାନ୍‌ସ ଭ୍ୟାନ୍‌ରେ’ ?

 

‘ଆଣନ୍ତୁ ଲେବର ରୁମ୍‌କୁ । ମୋ ସଙ୍ଗରେ ସହକର୍ମୀଣି ନର୍ସକୁ ଯିବାକୁ ଇଙ୍ଗିତ ଦେଇ ହାଇ ମାରୁ ମାରୁ କହିବାର ଶୁଣାଯାଉଥିଲା (ମୁଁ ଡିଉଟି ରୁମ୍‌ ପରଦା ଡେଇଁ ଯାଇଛି କି ଯାଇ ନାହିଁ) ପ୍ରତି ବର୍ଷ କୁକୁର ବିଲେଇଙ୍କ ପରି ପିଲା ଜନ୍ମ କରିବେ । ଆମେ ଓଭର୍‌ ଡିଉଟି କରି କରି ମଲୁଣି । ସେଥିରେ ସି. ଏଲ୍‌. ନାହିଁ । କାଜୁଏଲ୍‌ ଲିଭ୍‌ କଥା ଉଠାଇଲେ ସୁପରିନ୍‌ଟେଡ଼େଣ୍ଟଙ୍କ ନାଲି ଆଖି ।

 

ମୋର ସେତେବେଳେ ଉତ୍ତର ଦେବା ପରି କୌଣସି କଥା ମୁଣ୍ଡକୁ ଆସୁ ନ ଥିଲା ।

 

ଆମ୍ବୁଲାନ୍‌ସ ଡ୍ରାଇଭର, ବେହେରା ଓ ନର୍ସ ମିଶି ସ୍ମିତାଙ୍କୁ କୌଣସି ମତେ ଷ୍ଟ୍ରେଚରରେ ଲେବର ରୁମ୍‌କୁ ନେଲୁ, ଲେବର ରୁମ୍‌ ଦ୍ୱାର ଖୋଲି ଦିଏ ତ ଗୋଟିଏ ଶ୍ୱାନ ଜାଗ୍ରତ ହୋଇ କାନଟେକି ଆମକୁ ଅଭିବାଦନ ଜଣାଇଲା । ବିଶେଷ ବିସ୍ମିତ ହେଲି ନାହିଁ । ସମାଜବାଦ ରାଷ୍ଟ୍ରରେ ସମସ୍ତଙ୍କର ସମାନ ଅଧିକାର । ଶ୍ୱାନଟି ତ ସହଜେ ସମ୍ମାନନୀୟ ପ୍ରାଣୀ । ପୌରାଣିକ ଯୁଗର ପଞ୍ଚୁ ପାଣ୍ଡବଙ୍କର ସ୍ୱର୍ଗଯାତ୍ରାର ସାଥି ଜୀବନ୍ତ ସାକ୍ଷୀ । ଆଧୁନିକ ଯୁଗର ଲାଇକା, ନଭୋମଣ୍ଡଳର ମନୋରମ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସର୍ବ ପ୍ରଥମ ଭାଗ୍ୟବାନ ପ୍ରାଣୀ, ରାଜଦ୍ୱାର, ଶ୍ମଶାନ, ଲେବର ରୁମ୍‌ ସବୁଠାରେ ତୁମର ଅବାଧ ପ୍ରବେଶ, ଧନ୍ୟ ତୁମେ ।

 

‘ତା ପରେ...’

 

‘ବିଶେଷ କିଛି ନୁହେଁ । ତା ପରେ ମେଡ଼ିକାଲ ୱାର୍ଡ଼ର ରଙ୍ଗ ଭାସି ଯାଇଥିବା ସ୍ପାଇ ଲାଇଟ୍‌ କାଚରେ ନୂତନ ସୂର୍ଯ୍ୟର ସୁନୀଳ ରଶ୍ମି ରାଜି ମୋର ନବଜାତ କନ୍ୟାକୁ ହୁଏତ ଅଭିନନ୍ଦନ ଜଣାଉଥିଲେ । ମାତ୍ର ମୁଁ ଏ ଉଦୟଭାନୁକୁ ଅଭିନନ୍ଦନ ଜଣାଇ ପାରୁ ନଥିଲି । କାରଣ ମୁଁ ମୋର ଗୁରୁଦାୟିତ୍ୱ ସମ୍ପର୍କରେ ସଚେତନ ଥିଲି । ଦୁଇଟି ହାତ ଯେଉଁଠି କର୍ମରତ ସେଠାରେ ଖାଇବାକୁ କମ୍‌ରେ ପାଞ୍ଚଟି ପେଟ । କାହାକୁ ଅବହେଳା କରିବା ପ୍ରଶ୍ନ ଉଠୁନି । ମୁଁ କହିଲି ସ୍ମିତା, ଝିଅଟି ଅବିକଳ ତୁମରି ପରି ହୋଇଛି । ମୁଁ ଯାଉଛି ବସାରୁ କିଛି ଦୁଧ ନେଇ ଫେରିବି କହି ୱାର୍ଡ଼ରୁ ପଦାକୁ ପାଦ ବଢ଼ାଇଲି ।

 

‘‘ସେଲଫରେ ଗ୍ଲାକ୍‌ସୋ ଅଛି । ହର୍ଲିକ୍‌ସ ଅଛି । ବାପୁ, ନନି ଚାହିଁଲେ ଖାଇବାକୁ ଦେବ-।’’

 

ଶଙ୍କର କହି ଚାଲିଥାଏ ତାର ଛୋଟ ଜୀବନର ଅନୁଭୂତି । କିଶୋର ଧାର ସ୍ଥିର ଭାବରେ ଶଙ୍କରକୁ ଚାହିଁ କେବଳ ସବୁ ଶୁଣି ଯାଉଥାନ୍ତି । ସତେ ଯେପରି ତାଙ୍କର କହିବାର କିଛି ନାହିଁ ।

 

କିଶୋରଙ୍କ ହାତରେ ଥିବା ଅଧାଜଳା ସିଗାରେଟ୍‌ରୁ ଧୂଆଁ ବାହାରି କକ୍ଷ ମଧ୍ୟରେ କୁଣ୍ଡଳି ସୃଷ୍ଟି କରୁଥିଲା ।

񤦬񤦬񤦬

 

ବେଲର୍‌

 

ମୋର ନାମ ବିନୋଦ ମାହାର, ବୟସ ୫୫, ପିତା ଶମ୍ଭୁ ମାହାର, ଥାନା ପୁରୁଣା ଭୁବନେଶ୍ୱର । ଘର ଭୁବନେଶ୍ୱର, ଶପଥ କରି କହୁଛି କି ଶପଥପତ୍ରରେ ଯାହାସବୁ ଲେଖାଯାଇଛି ସତ୍ୟ ଅଟେ ।

 

ସତ୍ୟପାଠ ପରେ ମାଜିଷ୍ଟ୍ରେଟ୍‌ ମାହାରକୁ ଚାହିଁ କହିଲେ ଓଃ । ତୁମେ ବେଲ୍‌ରେ ନେବ ।

 

‘ହଁ ଆଜ୍ଞା ।’

 

‘କାଗଜପତ୍ର ଆଣିଛ ।’ ଜମିବାଡ଼ି କେତେ ଅଛି ? କୋର୍ଟବାବୁଙ୍କୁ କହି ଚେକ୍‌ କରି ଆଣ, ସବୁ ଠିକ୍‌ ଅଛି ତ ? ଓକିଲ ଉତ୍ତର ଦେଲେ ସବୁ ଠିକ୍ ଅଛି ଆଜ୍ଞା । ଫାଇଲ୍‌ ପଢ଼ି ଚାଲିଥାନ୍ତି, ମାଜିଷ୍ଟ୍ରେଟ୍‌ ଅନ୍ୟମନସ୍କ ଭାବେ ପ୍ରଶ୍ନ କଲେ, କ’ଣ କେଶ୍‌ଟା କ’ଣ ?

 

‘ସେହି ରଏଟ୍‌ କେଶ୍‌, ଓଡ଼ିଆବଙ୍ଗାଳି ଗୋଳମାଳ ସମୟର, ଭାରି ଗରିବ ପିଲା । ଆଜ୍ଞା, ହୋଟେଲ୍‌ରେ କାମ କରେ । ଟିଉସନ୍‌ କରି ପାଠପଢ଼େ, ଗୋଳମାଳ ଦିନ ଶୋଇଥିଲା—ଗୋଳମାଳ ହୋଇଥିବା ଅଞ୍ଚଳର ଗୋଟିଏ ଛୋଟ ଘରେ ଦରଜା ବନ୍ଦ କରି, ପୁଲିସ୍‌ ଘରଭାଙ୍ଗି ଅନ୍ୟମନସ୍କ ସହିତ ତାକୁ ଗିରଫ କରି ନେଇ ଆସିଛନ୍ତି ସାର୍‌ । ଦୁଇ ମାସ ହେବ ସେ ଜେଲ୍‌ରେ ରହିଲାଣି । କ’ଣ ମାହାର, ତୁମେ ବେଲ୍‌ରେ ନେଉଛ, ପୁଣି ପ୍ରଶ୍ନ କଲେ ମାଜିଷ୍ଟ୍ରେଟ୍‌ ।

 

‘ହଜୁର ।’

 

ସ୍ଥାନୀୟ ବେଲ୍‌ର ପ୍ରୟୋଜନ—ସେଥିପାଇଁ ମାହାରକୁ ଦେଇଛୁ ।

 

ଏ ବେଲ୍ ନେବା ପାଇଁ ଚୁକ୍ତି ୮୦ ଟଙ୍କା, ମାହାରକୁ ଚାହିଁଲେ ଓକିଲ, ରକ୍ତରଙ୍ଗ ନେତ୍ରମଣ୍ଡଳ । ଶାଣିତ ଚାହାଣି, କେଉଁ କେଉଁ ଦଫାରେ ଆସାମୀ ଅଭିଯୁକ୍ତ ତା’ର ମୁଖସ୍ତ ହୋଇ ସାରିଲାଣି, ସେ ନଗଦ ୫ ଟଙ୍କା ନେଇଛି । ବାକି ଟଙ୍କା ପରେ ନେବା ପାଇଁ ସ୍ଥିର ହେଲା । କୋର୍ଟ ଅଫିସର୍‌ ମାଜିଷ୍ଟ୍ରେଟଙ୍କ ଅର୍ଡ଼ର ପାଠକରି କହିଲେ ହଁ ହୋଇଯିବ; ଫାଇଲ୍‌ ରେଡ଼ି କରୁଛି, ଆପଣ ଯାଆନ୍ତୁ ‘ଏ ନିମାଇଁ ଶୁଣ’ ତୁ ବାବୁଙ୍କ ସଙ୍ଗେ ଯାଉଛୁ କୁଆଡ଼େ ? ଆପଣ ଯାଆନ୍ତୁ । ନୂଆ କରି ବ୍ୟବସାୟ ଆରମ୍ଭ କରିଛନ୍ତି, ଧୀର ପଦରେ ଧୀରେନ୍‌ ଓ ନରେନ୍‌ ବାହାରି ଆସିଲେ ପୁଲିସ୍‌ କୋର୍ଟରୁ । ନିମାଇଁ ପୁଲିସ୍‌ କୋର୍ଟରେ ରହିଲେ । ନିମାଇଁ ପୁରୁଣା ନ ହେଲେ ବି ମାମଲା ପାଇଁ କି ମସଲା, କି ହାୱାରେ କ’ଣ ପ୍ରୟୋଜନ ଜାଣିଗଲାଣି । ମୋହରିର ସେ । ସାମାନ୍ୟ ପରେ ପୁଲିସ୍‌ କୋର୍ଟରୁ ଆସି କହିଲା ପାଞ୍ଚ ଟଙ୍କା ନ ହେଲେ କାମ ହେବ ନାହିଁ, ବେଲ୍‌ ପାଇଁ ଜଣକଠାରୁ ପାଞ୍ଚ ଟଙ୍କା ଲେଖାଏଁ ପୁଲିସ୍‌ ଅଫିସରଙ୍କୁ ଦେବାକୁ ପଡ଼ୁଛି ଆଜିକାଲି । ତା’ ବ୍ୟତୀତ ମାହର ପ୍ରଫେସନାଲ୍‌ ବେଲ୍‌ର । ତା’ ନାମରେ ମଧ୍ୟ ବିଭିନ୍ନ କେଶ୍‌ ଅଛି, ତାକୁ ବେଲ୍‌ର ହେବାକୁ ହେଲେ କୋର୍ଟ ଅଫିସର ରାଜି ହେବାକୁ ପଡ଼ିବ । ନଚେତ୍‌ ନାହିଁ ।

 

ନରେନ୍‌ ମନେ ମନେ ହସିଲେ, ଧନ୍ୟ ଏ ଦେଶ । ଧନ୍ୟ ଏଠାରେ ବାଛବିଚାର ନ୍ୟାୟବଣ୍ଟନ ପଦ୍ଧତି, ଗତ ଛ’ ମାସ ହେଲା ସେ ମାଜିଷ୍ଟ୍ରେଟ କୋର୍ଟରେ ଶୁଣୁଛନ୍ତି ମାହାର ପ୍ରଫେସନାଲ ବେଲ୍‌ର, ତାକୁ ବେଲ୍‌ର ରୂପେ ଗ୍ରହଣ କରାଯିବ ନାହିଁ । ମାତ୍ର ଛ’ମାସର ରେକର୍ଡ଼ ଦେଖିଲେ ବିଭିନ୍ନ ଦଫାରେ ଅଭିଯୁକ୍ତ ଅଧିକାଂଶ ଆସାମୀକୁ ମାହାର କେବଳ ବେଲ୍‌ର ରୂପେ ନେବା ଦେଖାଯାଉଛି ପୁଲିସ୍‌ ଅଫିସର ରାଜି ହେଉଛନ୍ତି ମାଜିଷ୍ଟ୍ରେଟ୍‌ ତାଙ୍କ କଥାରେ ମଈ ଦେଉଛନ୍ତି, ସବୁ ସମ୍ଭବ ହେଉଛି ଏହି ଧଳା ଚକି ପାଇଁ । ଅର୍ଥ ଅଧିକ ଯା’ର, ନ୍ୟାୟ ସେ ଅଧିକ କ୍ରୟ କରି ପାରୁଛି । ସମାଜର ସର୍ବଶ୍ରେଷ୍ଠ ଦୋଷୀ ମଧ୍ୟ ଦେଶର ଆଇନ୍‌କୁ ଆଖିମିଟିକା ମାରି ଖସିଯାଇ ପାରୁଛି । ନରେନ୍‌ ଅନ୍ୟ ଉପାୟ ନ ଦେଖି କହିଲେ, ଆଚ୍ଛା ହେଉ, ନିମାଇଁ ଟଙ୍କା ନେଇ ଦେଇ ଆସ । ମାତ୍ର ଦେଖ ପୁଲିସ ଟଙ୍କାନେଇ ଯେପରି କାମ କରନ୍ତି; ଗଲା ଥର ପରି ଟଙ୍କାଟା ଯେପରି କେବଳ ପକେଟସ୍ଥ ନ ହୁଏ । ନିମାଇଁ ଯିବା ପରେ... ନରେନ୍‌ ମନକୁ ମନ ହିସାବ କଲେ ବେଲ୍‌ ମୁଭ୍‌ କରିବା ପାଇଁ ପାଞ୍ଚ ଟଙ୍କା-ରେଫ୍‌ରେନ୍‌ସ ଦେଖିବା ପାଇଁ ଏକ ଟଙ୍କା ଏବଂ ଜେଲ୍‌ରୁ ମୁକ୍ତ କରିବାପାଇଁ ଯେଉଁ କନେଷ୍ଟବଲ୍ ହାକିମଙ୍କ ନିର୍ଦ୍ଦେଶନାମା ନେଇ ଯିବ ତା’ର ଜଣପିଛା ଦୁଇ ଟଙ୍କା, ତା’ପରେ ଜେଲ୍‌ରେ ପୁଣି ବିଭିନ୍ନ ଦେବତା ଉପଦେବତାଙ୍କ ପୂଜା ଅର୍ଚ୍ଚନା ଅଛି, ଦୋଷ କାହାକୁ ଦିଆଯାଇ ପାରିବ ନାହିଁ । ସମସ୍ତଙ୍କର ପେଟପାଟଣା ଅଛି । ସ୍ୱାଧୀନତାର ପଚିଶ ବର୍ଷ ପରେ ପ୍ରତ୍ୟେକ ନାଗରିକ ଯେ ଯେଉଁ କର୍ମରେ ନିଯୁକ୍ତ ରହିଛି ସେ ଅବହେଳିତ ବୋଲି ଆପଣାକୁ ମନେ କରୁଛି । ଦୋଷ କାହାର ? ଦୋଷୀ କିଏ ସେଥିପାଇଁ । ଏ ସମସ୍ୟାର ସମାଧାନ କ’ଣ କେବଳ ବିପ୍ଳବରେ ? ରକ୍ତାକ୍ତ ବିପ୍ଳବରେ ?

 

କୋର୍ଟ ବାରଣ୍ଡାରୁ ଲୋକଗହଳି କମି ଆସିଲାଣି, ଜେଲ୍‌ଭ୍ୟାନ୍‌ କନ୍‌ଭିକ୍‌ଟମାନଙ୍କୁ ନେଇ ଏଇ କୋର୍ଟହତା ଛାଡ଼ିବ ଜେଲ୍‌ ଉଦ୍ଦେଶ୍ୟରେ, ରିଲିଜ୍‌ ଅର୍ଡ଼ର ନେଇ କନେଷ୍ଟେବଳ୍‍ ଡ୍ରାଇଭରକୁ ଅପେକ୍ଷା କରି ଠିଆ ହୋଇଛି ।

 

ନରେନ୍‌ ସ୍ୱସ୍ତିର ନିଃଶ୍ୱାସ ମାରିଲେ, ଦିନେଶ୍‌ ତାହାହେଲେ ଜେଲ୍‌ରୁ ମୁକୁଳିବ । ଘର କେନ୍ଦୁଝରର କେଉଁ ଅଜ୍ଞାତପଲ୍ଲୀ କୋଣରେ, ବାପା ଅଶିକ୍ଷିତ ସରଳ ଚାଷୀ, ଦିନେଶ—ଜେଲ୍‌ରୁ ମୁକୁଳି ଆସିବ । ବାପ ପୁଅଙ୍କର ଭେଟ ହେବ, ସତରେ କେତେ ମଧୁମୟ ନ ହେବ ଏ ମିଳନ, ଏ ଲଗ୍ନ ଜୀବନରେ ତାଙ୍କର ଏକ ଅଲିଭା ସ୍ମାରକୀ ହୋଇ ରହିବ । ସେହି ଯଥେଷ୍ଟ । ଏ ଜୁନ୍‌ ଖରାରେ ଦିନେଶକୁ ମୁକୁଳାଇବା ପାଇଁ ନରେନ୍‌ ଓ ଧୀରେନ୍‌ ଦୁଇ ଓକିଲ ବନ୍ଧୁଙ୍କର ଯେଉଁ ଉଦ୍ୟମ ସେମାନେ ଜାଣିଲେ ନିଶ୍ଚୟ କୃତଜ୍ଞ ରହିବେ । ଏହି ତ ଆଡଭୋକେଟ୍‍ ଜୀବନର ସାର୍ଥକତା । ବାର୍‌ ରୁମ୍‌ରୁ ଫାଇଲପତ୍ର ଧରି ଧୀରେନ ଘରକୁ ଯିବା ପାଇଁ ବାହାରି ଆସୁଛନ୍ତି । ରିକ୍‌ସାକୁ ଡାକିଡାକି, ହୋ ରିକ୍‌ସା... ହୋ ରିକ୍‌ସା, ବନ୍ଧୁ ନରେନ୍‌ ଅନେକ ଆଗରୁ ଯାଇ ସାରିଲେଣି—ରିକ୍‌ସାରେ ଉଠିବା ପାଇଁ ପାଦ ଦେଇଛନ୍ତି ଧୀରେନ୍‌; ପଛରୁ ଡାକିଲେ ମାହାର, ସାର୍‌ ଆଉ ପାଞ୍ଚଟା ଟଙ୍କା ସାର୍‌ । ନ ଦେଲେ ଚଳିବ ନାହିଁ । ଭାରି ଅସୁବିଧା, ଦେଖିଲେ ତ କେଉଁ କେଉଁ ଦଫା ସବୁ ଲାଗିଛି । କେବଳ ଆପଣଙ୍କ ମୁହଁକୁ ଚାହିଁ ମୁଁ ବେଲ୍‌ର ହେଲି । ‘ମାତ୍ର ତୁମେ ଜାଣ, ଏ କେଶ୍‌ ନେଇ ଆମେ ପଇସାଟିଏ ପାଇନାହୁଁ । ସେ ଲୋକର ବାପ ଆସିବ କେନ୍ଦୁଝରରୁ, ସେ ଆସିଲେ ତୁମ ପୂରା ଟଙ୍କା ତୁମେ ପାଇବ । କଥା ତ ସେୟା ଥିଲା ପୁଣି ଏ କ’ଣ ।

 

ସାର୍‌ ଯଦି କହିବେ ବସା ପର୍ଯ୍ୟନ୍ତ ଯିବି, ମୋର କିନ୍ତୁ ଆଉ ପାଞ୍ଚଟା ଟଙ୍କା ନିହାତି ଦରକାର । ଦେଖ ମାହାର ମୋତେ ବିରକ୍ତ କର ନାହିଁ । ତୁମ ଇଚ୍ଛା ଯାହା ହେଉଛି କର । ମାତ୍ର ପଇସାଟିଏ ମୁଁ ଦେଇ ପାରିବି ନାହିଁ । ତୁମେ ନରେନ୍‌ ବାବୁଙ୍କୁ କହିବ ଟଙ୍କା ପଇସା କଥା ।

 

ରିକ୍‌ସା ଆଗେଇଲା । ପଛେ ପଛେ ଚାଲିଥାଏ ମାହର । ତଥାକଥିତ ମାଜିଷ୍ଟ୍ରେଟଙ୍କ ଆଗରେ ପ୍ରଫେସନାଲ୍‌ ବେଲର । ଧୀରେନ୍‌ଙ୍କର ମନେ ହେଉଥାଏ କୋର୍ଟରେ ଥିବା କାଠର ଡକ୍‌ଟାକୁ ଗୋଟିଏ ଶଗଡ଼ରେ ରଖି ତାଙ୍କୁ ସତେ ଯେପରି ତାହା ଟାଣି ଟାଣି ନେବାକୁ କେହି ବାଧ୍ୟ କରୁଛି । ଅସମ୍ଭବ ଗାମ୍ଭୀର୍ଯ୍ୟ ରକ୍ଷାକରି ସେ ରିକ୍‌ସାରେ ବସିଥାନ୍ତି । ସେ ବେଶ୍‌ ବୁଝିଲେ ମାହାର ଲୋକଟିକୁ, ମାତ୍ର ଚିନ୍ତିତ ହେଲେ ନାହିଁ । ନାଟକରେ ଏ’ତ ଅୟମାରମ୍ଭ ମାତ୍ର । ସେ ଆଇନ୍‌ ବ୍ୟବସାୟ କରୁଛନ୍ତି । ସେ ଜାଣନ୍ତି,ଏହିପରି ବହୁ କ୍ରିମିନାଲ୍‌ଙ୍କର ସେ ସମ୍ମୁଖୀନ ହେବେ ।

 

(ଦୁଇ)

 

ବାର୍‌ ରୁମ୍‌ରେ ଏ ପର୍ଯ୍ୟନ୍ତ ଭିଡ଼ ଜମି ନାହିଁ । ଆଡଭୋକେଟ୍‍ମାନେ ଆସୁଛନ୍ତି । ଧୀରେନ୍‌ ରିକ୍‌ସାରୁ ଓହ୍ଲାଇ ମୁହଁ ପୋଛି ପୋଛି ଚୌକିରେ ବସିଛନ୍ତି କି ନାହିଁ ସମ୍ମୁଖରେ ସେ ପରିଚିତ ବ୍ୟକ୍ତିଟି ଉଭାହୋଇ କହିଲା, ସାର୍‌ ପାଞ୍ଚ ଟଙ୍କା ନ ହେଲେ ନ ଚଳେ । କାଲି ରାତି ଆଠଟା ପର୍ଯ୍ୟନ୍ତ ନରେନ୍‌ ବାବୁଙ୍କୁ ଅପେକ୍ଷା କଲି, ମାତ୍ର ସେ ଫେରିଲେ ନାହିଁ । ଆଜି କିନ୍ତୁ ନ ହେଲେ ନ ଚଳେ । ସବୁ ଡକୁମେଣ୍ଟ୍‌ ଗଲା କାଲି ଆଣି ମାଜିଷ୍ଟ୍ରେଟଙ୍କୁ ଦେଖାଇ ଦେଇଛି ସାର୍‌ । ଆପଣ ମୋଟେ ବୁଝୁ ନାହାଁନ୍ତି, କେଉଁ କେଉଁ ଦଫାରେ ସେ ଗିରଫ୍‌ ହୋଇଛି । ଆପଣଙ୍କ ମୁହଁକୁ ଚାହିଁ ତାକୁ ବେଲ୍‌ରେ ନେବା କଥା ।

 

ଧୀରେନ୍‌ ଅତିମାତ୍ରାରେ ବିରକ୍ତ ହୋଇ ପଡ଼ିଥିଲେ ମଧ୍ୟ ସଂଯତ ହୋଇ କହିଲେ, ଟଙ୍କା ଧରି ମୁଁ ତ ବୁଲୁ ନାହିଁ । କୋର୍ଟ ତ ଆଜି ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ । ତୁମେ ଗଲ, ଯା’ଏଠୁ । ସେ ନରେନ୍‌ ବାବୁଙ୍କୁ କହିବ । ‘ଦୁହେଁ ତ ମକଦ୍ଦମାରେ ଅଛନ୍ତି ସାର୍‌’ । ବହୁ ଅସନ୍ତୋଷର ଚାହାଣି ଚାହିଁ ବାର୍‌ରୁମ୍‌ରୁ ମାହାର ଚାଲିଗଲା । ବାହାର ବାରଣ୍ଡାରୁ ରୁମ୍‌ ଭିତରକୁ ଚାହିଁ ରହିଲା । ସେ ଚାହାଣିରେ ଥିଲା ଅକ୍‌ଟୋପାସ୍‌ର ଆକ୍ରମଣର ଯନ୍ତ୍ରଣା । ବନ୍ଧୁ ଆଡଭୋକେଟ୍‍, ଦେବେନ୍ଦ୍ର ସାମାନ୍ୟ ଅନୁମାନ କଲେ । ପଚାରିଲେ, ଧୀରେନ୍‌ ବାବୁ ଘଟଣା କ’ଣ ? ଆପଣ ଏ କ୍ରିମିନାଲକୁ ଜାଣନ୍ତି ନାହିଁ ? ଭଦ୍ରଲୋକ ପରି ବ୍ୟବହାର ତାକୁ କରିପାରିବେ ନାହିଁ । ତା’ର କେଉଁଥିକୁ ଖାତିର ନାହିଁ । ଆପଣ ତାକୁ କିଛି କହନ୍ତୁ ନାହିଁ । ତା’ଠୁ ଦୂରେଇ ରହନ୍ତୁ । ଚୁମ୍ବକରେ ଧୀରେନ୍‌ଙ୍କଠାରୁ ସବୁ ଶୁଣିସାରିବା ପରେ କହିଲେ ବୁଝିଲେନା...ଏବେ ଘରକୁ ମୁଖଶାଳା ବଡ଼ ହୋଇଗଲା । ଦୋଷୀକୁ ରିଲିଜ୍‌ କରିବା ପାଇଁ ଧାଁ-ଦଉଡ଼ ଯେତିକି ବାଧି ନ ଥିଲା, ଏ ତାଠୁ ବଳିଗଲାଣି । କାଲି କଥା ତ ଶୁଣିଲେ; ଆଜି ସକାଳେ ମାର୍କେଟରେ ମୁଁ ପରିବା କିଣିଲାବେଳେ ସେ ଯାଇ ହାଜର । କ’ଣ ସେଠାରେ କହନ୍ତି ? କହିଥିଲି କୋର୍ଟକୁ ଆସ । ଏଇ ତ ଦେଖୁଛନ୍ତି । ଘଣ୍ଟାରେ ୧୦ଟା ୩୦, ଏଠାରେ ମଧ୍ୟ ମାହାର । ପାଟିର କଥା ସରିନାହିଁ ନରେନ୍‌ ବାବୁ ଆସି ପହଞ୍ଚିଲେ । ସେ ଧୀରେନ୍‌ଙ୍କର ତିକ୍ତ ଅଭିଜ୍ଞତା ଚୁମ୍ବକରେ ଶୁଣି ଆଉ ସମ୍ଭାଳି ନ ପାରି ହସି କହିଲେ ଆଚ୍ଛା, ଆପଣ ତାକୁ ମୋତେ ଛାଡ଼ି ଦିଅନ୍ତୁ । ଆଇ ସାଲ୍‌ ଟାକଲ୍‌ ହିମ୍‌ । ଯାହା କହନା କାହିଁକି ଲୋକଟା ମହାନ୍‌ ହାରାମି । ପକା ମଦୁଆ । ହେଇ ଆସୁଛି । ଧୀରେନ୍‌ ମୁହଁକୁ ତଳକୁ କରି କେସ୍‌ର ହାଜିରା ଦେବାଲାଗି ଲେଖି ଚାଲିଥାନ୍ତି ।

 

ନରେନ୍‌ ପ୍ରଶ୍ନ କଲେ କ’ଣ ମାହର ଏ କ’ଣ ? କଥା ହେଲା, ତା’ ବାପା ଆସିଲେ ସବୁ ଟଙ୍କା ଦେବ । ପୁଣି ଏ କ’ଣ କହି ପାନ ପାଇଁ ସେ ଚାଲିଲେ ବାରରୁମ୍‌ ବାରଣ୍ଡାରେ ବସିଥିବା ପାନବିକାଳି ବୁଢ଼ା ପାଖକୁ । ପଛେ ପଛେ ଚାଲିଲା ମାହାର, ଧୀରେନ୍‌ ବୀରେନ୍ଦ୍ର ବାବୁଙ୍କୁ କହିଲେ ନରେନ୍‌ ବାବୁ ଆସିଲେ ନାହିଁ ଯେ ମୁଁ ରକ୍ଷା ପାଇଗଲି ।

 

‘ଯେତେ ନିରାପଦ ମନେ କରୁଛନ୍ତି ତେତେ ନୁହେଁ । ଦୁହିଁଙ୍କୁ ସେ ଆଜି କ’ଣ କରୁଛି ଦେଖନ୍ତୁ । ତେବେ ସାବଧାନ । ହୁଡ଼ି କରି କିଛି କହିବେ ନାହିଁ । ଭୀଷଣ ଅସାମାଜିକ ଲୋକ ଏମାନେ । ଆତ୍ମସମ୍ମାନ ବୋଲି ତାଙ୍କର କିଛି ନାହିଁ । କ’ଣ କହିଦେଇ ପାରେ ।

 

ଧୀରେନ୍‌ ବାବୁ ବାରଣ୍ଡାରେ ବସିଥିବା ଟାଇପିଷ୍ଟ୍‌କୁ ଡିକ୍‌ଟେସନ୍‌ ଦେଉଛନ୍ତି । ହଠାତ୍‌ ପଛରୁ ମାହର କହିଲା, ଆଜ୍ଞା ନରେନ୍‌ ବାବୁଙ୍କୁ ଆପଣ କହନ୍ତୁ ସେ କହୁଛନ୍ତି ସେ କିଛି ଜାଣନ୍ତି ନାହିଁ-। ଧୀରେନ୍‌ ବ୍ୟସ୍ତ ତଥା ସାମାନ୍ୟ ବିବ୍ରତ ହୋଇ କହିଲେ–ଟଙ୍କା କଥା ସେ ବୁଝିବେ । ମୁଁ ତୁମକୁ ଟଙ୍କା କଥା କହି ନ ଥିଲି । ତୁମକୁ ବେଲର୍‌ ହେବା ପାଇଁ ସେ କହିଥିଲେ । ସେ ତୁମ ଦେବାନେବା କଥା ବୁଝିବେ ଥରେ କହିଲି । ନରେନ୍‌ ବାବୁ କହୁଛନ୍ତି ଆପଣ ବୁଝିବେ । ଆପଣ କହୁଛନ୍ତି ସେ ବୁଝିବେ । ତେବେ ମୁଁ ଟଙ୍କା ପାଇବି କେଉଁଠୁ ? ‘ଚାଲ, ମୁଁ ଟିକେ କାମ ସାରେ, ବୁଝିବା । ତୁମେ ଆସ ମୁଁ ମୁକାବିଲା କରିଦିଏ ତୁମକୁ ନରେନ୍‌ ବାବୁଙ୍କ ସାଙ୍ଗରେ’ ।

 

ଆଜ୍ଞା କ୍ୟାଣ୍ଟିନ୍‌ରେ ଚା’ ପିଉଥିଲେ । ମୁଁ ଟଙ୍କା କଥା କହିବାରୁ ମୋତେ ଗାଳିଦେଲେ ଓ ପଳା ପଳା କହିଲେ । ହେଇ ଆସୁଛନ୍ତି । କହନ୍ତୁ ଆଜ୍ଞା... ‘ତୁମେ କହ...’ । କ’ଣ ନରେନ୍‌ ବାବୁ...... ମାହର କ’ଣ କହୁଛନ୍ତି ? ଉତ୍‌କ୍ଷିପ୍ତ ହୋଇ ଉଠିଲେ ନରେନ୍‌......ତୁମ ଭଳି ଅସଭ୍ୟ ଲୋକ ମୁଁ ତ କେଉଁଠି ଦେଖି ନାହିଁ । ହଇହୋ ଏ କି କଥା । ସକାଳ ଦ’ଶଟାରୁ ଆସି ଦିନ ଦି’ଟା ବାଜିବ ତମେ ଆମ ପଛେ ପଛେ ହେଉଛ । କ’ଣନା ଟଙ୍କା ଟଙ୍କା ଟଙ୍କା । ଟଙ୍କା ଧରି ବୁଲୁଛି । ଆମର ଆଉ କିଛି ଯେମିରି କାମଦାମ ନାହିଁ । କୋର୍ଟ ଭିତରେ ପାଟି କରୁଥିଲ କାହିଁକି ? ଆମର ଅନ୍ୟ କ୍ଲାଏଣ୍ଟ ଅଛନ୍ତି ନା ତମେ ଏକା । ମୁଁ ତୁମକୁ ଗୋଟିଏ ପଇସା ଦେଇ ପାରିବି ନାହିଁ । ଯାଆ, ଯାହା ପାରୁଛ କର ।

 

ନାଲି ଆଖି ଦେଖାଉଛନ୍ତି କ’ଣ ? ହକ୍‌ ବେଲ୍‌ରେ ନେଇଛି । କ’ଣ ବୁଝିଲେ ଆଜ୍ଞା, ଦଫା ସବୁ କ’ଣ ? ଦଫା ହେଲା... ।

 

ଲୋକର ଘର ହେଲା କେନ୍ଦୁଝର । ପାଞ୍ଚଟା ଟଙ୍କା ଦିଅନ୍ତା ନାହିଁ । ବିନା ଟଙ୍କାରେ ଏମିତି କାମ କଲାବାଲା । ବାରଣ୍ଡାରେ ବାକ୍‌ବିତଣ୍ଡା ଶୁଣି ଲୋକଭିଡ଼ ବୃଦ୍ଧି ପାଉଛି । ନରେନ୍‌ ଆଉ ସମ୍ଭାଳି ପାରିଲେ ନାହିଁ । କହିଲେ ମାହାର ମୋ ଘର ବି ଏଇଠି । ମୁଁ ଏ ଅଞ୍ଚଳର ଲୋକ । ସାବଧାନ ହୋଇ କଥା କହ ।

 

ବହୁତ ଓକିଲ ଦେଖିଛି । ତମେ ନ ଦେଲେ ନାହିଁ ହୋ, ମୋ ଟଙ୍କା ଖାଇ ତମେ ବଡ଼ଲୋକ ହୋଇଯିବ, ଯା । ମୁଁ ଗରିବ ହୋଇ ଯିବିନି । କେତେ ଓକିଲ ଦେଖିଛି— ।

 

ମୁହଁ ସମ୍ଭାଳି କଥା କହ । ବହୁତ ଓକିଲ ଦେଖିଛୁ ମାତ୍ର ମୋତେ..... ଚିହିଁକି ପଡ଼ୁଥିଲେ ନରେନ୍‌ । ଦିନମଣି ନରେନ୍‌ଙ୍କୁ ଟାଣିଆଣି କହିଲେ, ମାହାର ତୁମେ ଯାଆ ଯାଆ । କାହିଁକି ଏପରି ହେଉଛ । ସେ ଲୋକ ଆସିଲେ ତୁମେ ପୂରା ଟଙ୍କା ପାଇବ ।

 

‘ମୁଁ ପାଞ୍ଚ ଟଙ୍କା ମୋଟେ ମାଗୁଛି... ।’’

 

‘‘କ’ଣ ମୋଟେ ପାଇ ନାହଁ ?’’

 

‘ପଚିଶ ଟଙ୍କା ନେଇ ସାରିଛି । ଏମିତି ଲୋକ ନାଁ... ।’

 

ଓକିଲ, ମହକିଲ ମୋହରିରଙ୍କ ଭିଡ଼ ଦେଖି ମାହର ସେଠାରୁ ଚାଲିଗଲା । ନରେନ୍‌ ବାବୁ ଧୀରେନ୍‌ ବାବୁ ବରେନ୍ଦ୍ର ବାବୁଙ୍କ ମୁହଁରୁ ଏକ ସମୟରେ ବାହାରି ପଡ଼ିଲା, ପାଜିଟାଏ ମହାନ୍‌ ହାରାମି । ଧୀରେନ୍‌ ବାବୁ କହିଲେ କୋର୍ଟଟାରେ ଯାହା କହିଲା ନା... ମୁନସଫ୍‌ ଅବଶ୍ୟ ନ ଥିଲା । ନରେନ୍‌ ବାବୁ ସାମାନ୍ୟ ସ୍ମିତ ହସି କହିଲେ...ଏ ଏକ ବିଚିତ୍ର ସ୍ଥାନ.....ଏଠି କ୍ରିମିନାଲ୍‌, ଡାକୁ ସଇତାନ ମର୍ଡ଼ରରଙ୍କ ସହିତ ଆମକୁ ସମ୍ମୁଖୀନ ହେବାକୁ ହେବ । ପ୍ରତାରଣା, ଧପାବାଜ୍‌, ଜୁଆଚୋରି, ଡକାଏତି, ଦାରିନାରୀଙ୍କର ଏ ହେଲା ପୁଣ୍ୟ ତୀର୍ଥସ୍ଥଳୀ । ଏ ହେଲା ନ୍ୟାୟାଳୟ । ଏଠି ମଣିଷ ଖୋଜି ବସିଲେ ଭୁଲ ହେବ । ଏଇମାନଙ୍କୁ ନେଇ ଆମର ଜୀବନସଂଗ୍ରାମ । ଏହିମାନଙ୍କଠାରୁ ଆମର ବଞ୍ଚିବାର ପାଥେୟ ସଂଗ୍ରହ କରିବାକୁ ହେବ । ସବୁ କଳଙ୍କକୁ କଳାକୋଟ୍‌ କଳାଗାଉନ୍‌ ତଳେ ଲୁକ୍‌କାୟିତ ରଖିବାକୁ ପଡ଼ିବ । ନରେନ୍‌ ଧୀରେନ୍‌ ଦେବେନ୍ଦ୍ର ସିଗାରେଟ୍‌ରେ ନିଆଁ ଧରାଇଲେ । ସମସ୍ତେ ହସି ଉଠୁଥିଲେ । ସମସ୍ତେ ଆପଣଙ୍କୁ ପ୍ରତାରଣା କରିବାକୁ ଚାହୁଥିଲେ-। ଏ ତିକ୍ତ ଅନୁଭୂତି ସେମାନଙ୍କୁ ଦବାଇ ଦେଇପାରିବ ନାହିଁ । ସେମାନେ ସମସ୍ତେ ଆଡ୍‍ଭୋକେଟ୍‌-। କଳାକୁ ଧଳା ଧଳାକୁ କଳା—ସୟତାନକୁ ସାଧୁ—ସାଧୁକୁ ସୟତାନ୍‌ରେ ସେମାନେ ପରିଣତ କରି ପାରନ୍ତି ।

 

ଚା ପାନ କରି ସାରି ସମସ୍ତେ ବାହାରିଲେ କୋର୍ଟକୁ, ସମୟ ଦୁଇଟା ତିରିଶ । ସେକେଣ୍ଡ ରାଉଣ୍ଡ କୋର୍ଟ ଆରମ୍ଭ ହେବ ।

 

(ତିନି)

 

ମାଜିଷ୍ଟ୍ରେଟ ପ୍ରଶ୍ନ କଲେ । ଏ ପୁଣି କିଏ । ‘ସାର୍‌ କହିଥିଲି । ଏ ହେଉଛି ଦିନେଶର ବାପା । ଏ ବେଲ୍‌ରେ ନେବ । ଆମେ ମାହାରକୁ କ୍ୟାନ୍‌ସେଲ୍‌ କରିବାକୁ ଚାହୁ... ।

 

‘ଓ’ ସେ ପ୍ରଫେସନାଲ୍‌ ବେଲର ମାହର । ଭୀଷଣ ଡିଜନେଷ୍ଟ ଲୋକଟାଏ । ମୁଁ ସେ ଫାଇଲ୍‌ ପୁଟ୍‌ଅପ୍‌ କରିବାକୁ ସି. ଏସ. ଆଇଙ୍କୁ ଅର୍ଡ଼ର ଦେଉଛି । ବେଲ୍‌ ବଣ୍ଡ, ବେଲ୍‌ର ମେମୋ ରେଡ଼ି କରି ଦେଇଛନ୍ତି ତ । ସତ୍ୟପାଠ ‘(ଅଫିଡେଭିଟ୍‌) ସରିଛି ।’ ‘ଏଇ ସାର୍‌ ସତ୍ୟପାଠ କରି ଦେଉଛି ।’’ ସତ୍ୟପାଠ କାଗଜ ଉପରେ ଆପଣାର ଦସ୍ତଖତ ସରିବା ପରେ ବୃଦ୍ଧଙ୍କୁ ଡକ୍‌ ଭିତରକୁ ଆସିବାକୁ ଧୀରେନ୍‌ ନିର୍ଦ୍ଦେଶ ଦେଲେ ଏବଂ କହିଲେ, ମୁଁ ଯାହା କହୁଛି କହ ଓ ଯାହା ପଚାରୁଛି କହ, କହ ‘‘ମୁଁ ନିୟମ କରି କହୁଛି, ଯାହା କହୁଛି ସତ କହୁଛି । ମିଛ କହୁ ନାହିଁ କିଛି ଲୁଚାଉନାହିଁ । ‘‘ମୁଁ ନିୟମ କରି କହୁଛି, ଯାହା କହୁଛି ସତ କହୁଛି । ମିଛ କହୁ ନାହିଁ, କିଛି ଲୁଚାଉ ନାହିଁ । ତମ ନାଁ କ’ଣ ?’’ ବୟସ କେତେ ?

 

ନିର୍ମଳ ମହନ୍ତ । ବୟସ ୫୮ ।

 

ଘର...

 

ବେଉସା କ’ଣ ?

 

‘ଚାଷ ।’

 

‘କ’ଣ ପୁଅକୁ ପ୍ରତି ତାରିଖରେ ହାଜର କରାଇବ ।’’

 

‘‘ହଜୁର’’ ‘ଆସ, ତଳକୁ ଆସ ।’’ ‘ଡକ୍‌ରୁ ଓହ୍ଲାଇଲେ ବୁଦ୍ଧ । ଜମିଜମା କେତେ ? ଆଉ ସବୁ କ’ଣ ଅଛି । ଡକୁମେଣ୍ଟ ଅଛି ତ ?

 

ଜମି ୪ ଏକର । ୪ ବଖରା ପକା ଓ ସାଧାଘର ୫ ବଖରା ଅଛି—ଉତ୍ତର ଦେଲେ ଆଡ଼ଭୋକେଟ୍‌ । କୋର୍ଟ ରୁମ୍‌ରୁ ବାହାରି ଆସିଲାବେଳେ ଶାନ୍ତିର ଏକ ନିଶ୍ୱାସ ମାରିଲେ ଧୀରେନ୍‌-। ଶନି କବଳରୁ ରକ୍ଷା ପାଇଲେ ସେ । ମଦ୍ୟପ, ଧୃତ ମାହରାର ଲାଲ ଆଖି ଦୁଇଟି ଝଲସି ଉଠୁଥିଲା ତାଙ୍କ ସମ୍ମୁଖରେ । କି ଭୟଙ୍କର ସେ ମଣିଷ, କି ଭୟପ୍ରଦ ତା’ର ଚାହାଣି । ଧୀରେନ୍‌ କହିଲେ ସତନେ ମଣିଷ କେତେ ରଜାତ୍‌ ହୋଇପାରେ ମୋର ଧାରଣା ନ ଥିଲା । ନରେନ୍‌ ସାମାନ୍ୟ ପରିହାସ କରି କହିଲେ ବ୍ୟସ୍ତ ହେଇ ପଡ଼ନାହିଁ । ସବୁ ମଣିଷ ଗାନ୍ଧି ହୋଇଥିଲେ ଏ କୋର୍ଟ କଚେରୀ ନ ଥାନ୍ତା... ଆମର ବି ପ୍ରୟୋଜନ ନ ଥାନ୍ତା । ଧୀରେନ୍‌ଙ୍କର ମନେ ପଡ଼ୁଥିଲା–ତାଙ୍କ ସିନିୟର୍‌ଙ୍କ ଅନ୍ୟତମ ଉପଦେଶ । କୋର୍ଟ ହତାରେ ତୁମ ନିକଟତମ ବ୍ୟକ୍ତିକୁ ପୃଥିବୀର ସବୁଠାରୁ ବଡ଼ କ୍ରିମିନାଲ୍‌ ରୂପେ ଧରିନେଇ ତା ସଙ୍ଗେ ସମ୍ପର୍କ ପ୍ରତିଷ୍ଠା କର । ତାହା ହେଲେ ତୁମର ଠକିଯିବାର ସମ୍ଭାବନା କମ୍ ।

 

କୋର୍ଟ ବାରଣ୍ଡାର ଭିଡ଼ ଠେଲି ଦୁଇ ବନ୍ଧୁ ଧୀରେନ୍ ଓ ନରେନ୍ ଆଗରେ ଆସୁଥିଲେ ବାରରୁମ୍ ଅଭିମୁଖେ । କୋର୍ଟ ହତାରେ ବୃଦ୍ଧ ବରଗଛ ଛାଇରେ କେଇଜଣ ଓକିଲ ଓ କ୍ଳାଏଣ୍ଟ୍ ଠିଆ ହୋଇ ରହିଥିଲେ । ଏସ୍.ଡ଼ି.ଏମ୍,ଙ୍କ ଚପରାସି ପାଟିର ଧ୍ଵନି କୋର୍ଟର ବାତାବରଣରେ ଆଲୋଡ଼ନ ସୃଷ୍ଟି କରି ବରଓହଳ ଦେହରେ ପିଟି ହେଉଥିଲା ।

 

ମାଳତୀ ବେୱା ହାଜର ହେଏ.... ।

 

ମାଳତୀ ବେୱା ହାଜର ହେଏ.... ।

 

ମାଳତୀ ବେୱା ହାଜର ହେଏ.... ।

񤦬񤦬񤦬

 

ରିଆକ୍‌ସନାରି

 

ସେ ଆଉ ଗୋଟିଏ ହାଇ ମାରିଲା । ଏ ହାଇ ଅସନ୍ତୋଷର; ମାନସିକ ଦ୍ୱନ୍ଦର । ବ୍ୟର୍ଥକାମନାର । କେଉଁ କୁଳରେ ହେବା ପାଇଁ ସିଦ୍ଧାନ୍ତରେ ଉପନୀତ ହୋଇ ନ ପାରିବାର ବ୍ୟଥାର-। ଚରମ ଅସହାୟତାର । ନିର୍ମଳ ଚୁପଚାପ୍ ଯାଇ ବସଷ୍ଟାଣ୍ଡ୍ ପଡ଼ିଆରେ ଠିଆ ହେଲା-। ରିକ୍‌ସାଷ୍ଟାଣ୍ଡ୍ ଆଡ଼କୁ ଚାହିଁଲା । ନାଁ, କେହି ନାହିଁ । ରିକ୍‌ସାମାନେ ବି ଆସି ନାହାଁନ୍ତି-। ସକାଳ ଶୀତରେ ସମାନ୍ୟ ଆରାମ ପାଇଁ ଜଣେ କେହି ନିଆଁ ପାଖରେ ବସି ବିଡ଼ି ଟାଣୁଛି ।

 

ନିର୍ମଳ ଆଉ ଥରେ ନିରୀକ୍ଷଣ କଲା । ଛକମୋଡ଼ରୁ କୌଣସି ରିକ୍‌ସା ହୁଏତ ଆସୁଥିବ-। ନାଁ କେହି ନାହିଁ । ମନେ ମନେ ବିରକ୍ତ ହେଲା । ଏବେ ଯିବ କିପରି ? ତେବେ ଏଥିପାଇଁ ସେ କାହାକୁ ଦାୟୀ କରିବ । ନିଜେ ଓ ତାଙ୍କ ସମର୍ଥକମାନେ ଏଥିଲାଗି ନିଷ୍ପତ୍ତି ନେଇଛନ୍ତି । ସେମାନେ ଏ ଦଳର ଆହ୍ୱାନ ଦେଇଛନ୍ତି । ଦୋକାନବଜାର ଖୋଲିବ ନାହିଁ । କଳଘରେ ଅଖ ଘୂରିବ ନାହିଁ; ରାସ୍ତାରେ ଚକା ଚାଲିବ ନାହିଁ । ଏ ହେବ ରାଜ୍ୟବ୍ୟାପି ଏକ ସଂପୂର୍ଣ୍ଣ ହରତାଳ । ମାତ୍ର ନିର୍ମଳ ପୁଣି ଆପଣାକୁ ପ୍ରଶ୍ନକଲା...ତୁମେ ବିଧାନସଭା ସମ୍ମୁଖରେ ୧୪୪ ଭାଙ୍ଗି ଲାଠି ଖାଇଲ....ଆଇନ୍ ଲଘଂନ କଲ । କେହି କେହି ଏ ଆନ୍ଦୋଳନକୁ ଜୀଆଇ ରଖିବା ନିମନ୍ତେ ପିକେଟିଂ କରି ଗିରଫ୍ ହେଲ । ନେତା ହେବା ପାଇଁ, ନିର୍ବାଚନରେ ଟିକେଟ୍ ପାଇବା ପାଇଁ ଏ ହୁଏତ କେଇ ଜଣଙ୍କର ପାଶ୍‌ପୋର୍ଟ ପରି କାମଦେବ, ମାତ୍ର ଏଥିରେ ଖଟିଖିଆା, ଦିନମଜୁରିଆମାନେ କ୍ଷତି ସହିବେ କାହିଁକି ? ସେମାନେ ତ ଆଉ ନେତା ହେବେ ନାହିଁ । ଦଳୀୟ ପ୍ରାର୍ଥୀ ପାଇଁ ଟିକେଟ୍ ପାଇବେ ନାହିଁ । ଖୁବ୍ ବେଶୀ ହେଲେ ଶୋଭାଯାତ୍ରାରେ ଯିବା ପାଇଁ ଦଳ ପକ୍ଷରୁ ତାଙ୍କୁ ତିନି ଟଙ୍କାରୁ ପାଞ୍ଚ ଟଙ୍କା ପର୍ଯ୍ୟନ୍ତ ମିଳିପାରେ । ରାତିରେ ମଶାଲ ଶୋଭାଯାତ୍ରା ହେଲେ ଶୋଭାଯାତ୍ରା ବାହାରିବା ପୂର୍ବରୁ ସେମାନଙ୍କୁ କପେ କପେ ଚା ଓ ଖଣ୍ଡେ ଖଣ୍ଡେ ରୁଟି ମିଳିପାରେ । ମାତ୍ର ସେମାନଙ୍କ ଉପରେ ଯଦି କୌଣସି କାରଣରୁ ଲାଠିଲାର୍ଯ ହେଲା...ତେବେ ଦୁଃଖ କହିଲେ ନ ସରେ । ତା’ପରେ ସୋମାନଙ୍କ କଥା ଆଉ କାହାର ସ୍ମରଣ ରହିବ ନାହିଁ । ନା ଏ ପ୍ରହସନ ଚଳିବ ନାହିଁ ଆଉ । ନିର୍ମଳ ମୁହଁରେ ଆଉ ଖଣ୍ଡିଏ ସିଗାରେଟ୍ ଧରାଇଲା । ପାଦ ସମ୍ମୁଖରେ କାକରଧୁଆ ପିଚୁଦିଆ ରାସ୍ତା ଅନେକ ଦୂରକୁ ଲମ୍ବି ରହିଛି ।

 

ମନ୍ଦର ଗୋଟିଏ ନୂଆ ଚକଚକିଆ ସାଇକେଲରେ ଚଢ଼ି ଯାଉଥିଲା । ନିର୍ମଳ ଦେଖି ପଚାରିଲା କ’ଣ, ମନ୍ଦରବାବୁ ସକାଳୁ ସକାଳୁ କୁଆଡ଼େ ? ଆଉ କୁଆଡ଼େ ? ବାବୁଙ୍କ ପାଖକୁ ଟିକିଏ ଯାଉଛି । ବାବୁ କହିଲେ ସେମାନେ ବୁଝନ୍ତି ସେମାନଙ୍କ ନେତାଙ୍କୁ । ନିର୍ମଳ ମନ୍ଦରକୁ ପରିହାସ କରି କହିଲା, ମନ୍ଦରବାବୁ ବୁଢ଼ାଟା ପ୍ରତି ଟିକିଏ ଦୟାକର । ତାକୁ ଆଉ ଦୁହଁ ନାହିଁ । ମନ୍ଦର ସାମାନ୍ୟ ହସି ଚାଲିଗଲା । ସେ ଯିବା ପରେ ନିର୍ମଳ ଟିକେ ଠିଆ ହୋଇ ଗୋଟିଏ ଦୀର୍ଘନିଶ୍ୱାସ ମାରିଲା ଏବଂ ତା’ ଆଡ଼େ ଚାହିଁ ରହିଲା । କହିଲା, ତମେ ସମସ୍ତଙ୍କୁ ଜିତିଗଲ । ଚିତାକାଟି ପାରିଲ । ପଛରେ ଆସି ତୀର ମାର୍ଗେ ଆଗକୁ ଖେପିଗଲ । ହଁ, ସେହି କଙ୍କଣ ଅଫିସରେ ଦୁହିଁଙ୍କର ପରିଚୟ । ଚେହେରା ଅନେକ ବଦଳି ଗଲାଣି । ସେଦିନ ଆଉ ଆଜିର ମନ୍ଦର ମଧ୍ୟରେ ବହୁ ପ୍ରଭେଦ । ଏମାନେ ସମସ୍ତେ ମିଶି ଟୋକା ଯୋଗାଡ଼ କରୁଥିଲେ ଦଳ ପାଇଁ । ଟୋକା କହିଲେ ସୁସ୍ଥ-ସବଳ ଯୁବକ । ଶୋଭାଯାତ୍ରା ହେବ, ଅନ୍ୟ ଦଳ କର୍ମୀଙ୍କ ସମ୍ମୁଖୀନ ହେବାକୁ ପଡ଼ିବ-ଏଇମାନେ ହିଁ କରିବେ । ତେବେ ନିର୍ମଳର ମନ୍ଦର ପ୍ରତି ଶ୍ରଦ୍ଧା ସେଦିନ ପରି ଆଜି ଆଉ ନାହିଁ । ମନ୍ଦର ବାବୁଙ୍କ ପାଖେ ଚଳପ୍ରଚଳ ହୋଇ ମଣିଷ ହୋଇଗଲା । ସେ ବେଶ୍ ଜାଣେ ମାଛତେଲରେ ମାଛ କିପରି ଭାଜିବାକୁ ହେବ । ନିର୍ମଳ ସେମିତି ବୁଲୁଛି । କୌଣସି କାମ ନାହିଁ, ନିଜ ହାତରୁ ଦି’ପଇସା ଫିଙ୍ଗି ଦେବା ପରି ଶକ୍ତି ତା’ର ନାହିଁ । ଲୁଟି କରିବାର କଳା ମନ୍ଦର ସତରେ ଯେପରି ଶିଖିପାରିଲା ଆଉ କେହି ପାରିଲେ ନାହିଁ । ତା’ର ଯେଉଁଦିନ ପକେଟ୍ ଖାଲି ସେ ଆସି ପହଁଞ୍ଚେ ବାବୁଙ୍କ ପାଖରେ । ଚୁପ୍‌ଚାପ୍ ତାଙ୍କ ପାଖରେ ଠିଆହୋଇ ରହେ ତାଙ୍କ ସମ୍ମୁଖରେ । ସେ ପଚାରନ୍ତି କ’ଣ ଖବର ? ମନ୍ଦର କହେ ଏ ଅଞ୍ଚଳର (କୌଣସି ନିର୍ଦ୍ଦିଷ୍ଟ ଗ୍ରାମ କିମ୍ୱା ଅଞ୍ଚଳର ନାମ କହି) ସେଠାରେ ଗୋଟିଏ ସଭା ହେବା ପାଇଁ ସ୍ଥିର ହୋଇଛି । ଆପଣଙ୍କୁ ଏକ ମାନପତ୍ର ଦେବା ପାଇଁ, ସମ୍ୱର୍ଦ୍ଧନା ଜଣାଇବା ପାଇଁ, ସେ ଅଞ୍ଚଳରେ ବିଭିନ୍ନ ଦାବୀ ଉପରେ କହିବା ପାଇଁ କିମ୍ୱା କିଛି ଉଦ୍‌ଘାଟନ କରିବା ପାଇଁ ସ୍ଥିର କରିଛନ୍ତି । ଆପଣ ଯିବେ ବୋଲି ମୁଁ କହି ଆସିଛି । ଏହା ଶୁଣି ବାବୁ ବିରକ୍ତ ହୋଇ ଉଠନ୍ତି, କହନ୍ତି ନା ନା, ମୋର ସମୟ ନାହିଁ । ମୁଁ ଯାଇ ପାରିବି ନାହିଁ । ମନ୍ଦର ସାମାନ୍ୟ ଗମ୍ଭୀର ହୋଇ କହେ ମୁଁ କହି ଆସିଥିଲି... ସେମାନେ ସବୁ ଏକାଠି ହେବେ । ପାଞ୍ଚଟା ପଞ୍ଚାୟତର ଲୋକ ଏକଜୁଟ୍ ହେବେ । ତେବେ କ’ଣ ମନା କରିଦେଇ ଆସିବି ? ବାବୁ ସମାନ୍ୟ ଚୁପ୍ ହୋଇ କହନ୍ତି, ତୁମେ ଯାଅ, ସେମାନେ କ’ଣ କହୁଛନ୍ତି ବୁଝି ଆସିବ । ମୁଁ ପରେ ଯିବି । ବାବୁ ନିଜର ପି.ଏ.ଙ୍କୁ ଡାକି କହନ୍ତି ମନ୍ଦରକୁ ଶହେ ଦୁଇ ଶହ ଟଙ୍କା ଯାହା ଅଛି ଦିଅ । ଟଙ୍କାତକ ପକେଟରେ ପୂରାଇ ମନ୍ଦର ନିଶ୍ଚିନ୍ତରେ ଫେରନ୍ତି । ସତେ ଯେପରି ଉଦ୍ଦେଶ୍ୟ ତାଙ୍କର ଚରିତାର୍ଥ ହୋଇଛି । ସେଠାରୁ ଯାଇ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପହଞ୍ଚନ୍ତି ଏବଂ ସେଠାରେ ଉପସ୍ଥିତ କର୍ମୀମାନଙ୍କୁ ଦଶ ପନ୍ଦର ଟଙ୍କା ଦେଇ କହନ୍ତି ବାବୁ ଆସି ପାରିବେ ନାହିଁ । ତୁମେ ଖାଇବାର ବ୍ୟବସ୍ଥା କର । ସଅଳ ସଅଳ ସଭା ସାରି ମୁଁ ଫେରିଯିବି । ନିର୍ମଳ ମନେ ମନେ ଅଭିଶାପ ଦିଏ ବାବୁଙ୍କୁ ଆଉ ‘ମନ୍ଦର’ ପରି ଧୂର୍ତ୍ତମାନଙ୍କୁ; ଯେଉଁମାନଙ୍କୁ ସେ କହେ ବାବୁଙ୍କ ଚାମଚା । କେବଳ ଏଇଠାରେ ନୁହେଁ ସବୁବେଳେ ସବୁଠାରେ ଏଇ ଚାମଚାମାନେ ଲାଭବାନ୍ ହୁଅନ୍ତି । ପୁଣି କହେ, କ୍ଷତି କ’ଣ କଲା ମନ୍ଦର । ଯେଉଁମାନେ ଅନ୍ୟମାନଙ୍କୁ ସିଡ଼ିପରି ବ୍ୟବହାର କରି ଉପରକୁ ଉଠିବାରେ ବ୍ୟବହାର କରନ୍ତି ଏବଂ ଥରେ ଉପରକୁ ଉଠିଗଲେ ସେ ଯେ ସିଡ଼ିରେ ଉଠିଥିଲେ ତାହା ସମ୍ପୂର୍ଣ୍ଣ ଭୁଲି ଯାଆନ୍ତି । ନିର୍ମଳର ନିଜ ଉପରେ ଅଭିମାନ ହେଲା । କେବଳ ସେ ନିଜ ପାଇଁ କିଛି କରିପାରିଲା ନାହିଁ । ଅନ୍ୟମାନେ ତାକୁ ଏକ୍‌ସପ୍ଳଏଟ୍ କଲେ । ଛାଡ଼, ସେ ସାବଧାନ ହେବ ଏଣିକି ।

 

ରଥ ମୋଡ଼ ପାର ହୋଇ ସେ ଆଗକୁ ଚାଲିଲା । ଆଜି ଚାଲିରେ ତା’ର ଶୀଥିଳତା । ସତେ ଯେପରି ତାକୁ କେହି ପଛରୁ ଟାଣୁଛି । ସମ୍ମୁଖରେ ବିରାଟ ବିଭ୍ରାଟ । ନାଁ ଅଛି ନେତୃତ୍ୱ ନା ଅଛନ୍ତି ନେତା କିମ୍ୱା ବଳିଷ୍ଠ ଆଦର୍ଶ । ସବୁ ଯେପରି ଖାଲି ଧୂଆଁ ବାଣ । ପ୍ରମୋଦ, ପ୍ରଣବ, ମନୋରଞ୍ଜନ, ନୀତା ସମସ୍ତେ ଆଜି ଜେଲ୍‌ରେ । ସେଠାରୁ ଫେରି ବଡ଼ ବଡ଼ କଥା ଶୁଣାଇବେ । କ’ଣ ନା ଦେଶ ପାଇଁ ଜେଲ ବରଣ କରିଛନ୍ତି । ସେମାନେ ଆଉ ସାଧାରଣ କର୍ମୀ ନୁହନ୍ତି । ସେମାନଙ୍କର ପ୍ରମୋଶନ ଆଉ ଗୋଟିଏ ପାହାଚ ଉପରକୁ । ନିର୍ବାଚନରେ ଏ ସବୁର ବିଚାର ନିଶ୍ଚୟ କରିବାକୁ ହେବ । କ’ଣ ପ୍ରୟୋଜନ ଥିଲା ଜେଲ୍ ଯିବା ? ପ୍ରମୋଦ....ଇଡ଼ିଅଟ୍ ଗୋଟିଏ ବିରାଟ ବପୁ ବନେଇଛି...ଯେଉଁଠି ସମ୍ୱର୍ଦ୍ଧନା, ଶୋଭାଯାତ୍ରା, ଅଭ୍ୟର୍ଥନା ସେଠାରେ ପ୍ରଥମ ଧାଡ଼ିରେ ପ୍ରମୋଦ । କାରଣ ଫଟୋ ଉଠିବା ଉଚିତ । ଲୋକେ ଯଦି ତୁମ ଫଟୋ ନ ଦେଖିଲେ ତମ ବିବୃତି ନ ପଢ଼ିଲେ ତୁମେ କେଉଁ ନେତାରେ ନେତା । ସମାନ୍ୟ ସାମାନ୍ୟ କଥାରେ ବିବୃତି ଆଉ ଆପଣାର ଫଟୋ ଯେପରି ବାହାରେ, ସେଥିପାଇଁ ସବୁ ବ୍ୟବସ୍ଥା । ଠିକ୍ ଅଛି, ବିନା ପବ୍ଲିସିଟିରେ କିଏ ନେତା ହେଲାଣି ? ଆପଣା ଢୋଲ ଆପେ ନ ପିଟିଲେ କିଏ କାହିଁକି ପିଟିବ । ସବୁଥିରେ ପବ୍ଲିସିଟି ପ୍ରୟୋଜନ । ମାତ୍ର ହିପୋକ୍ରାସିର ଡିଣ୍ଡିମ ଚକ୍ରବୃଦ୍ଧି ପରି ଯେଉଁଠି ବୃଦ୍ଧି ପାଇ ଚାଲିଛି ସେଠାରେ ଜାତି ବଞ୍ଚିବ କିପରି ? ଆଗେଇବ କିପରି ? ପିକେଟିଂ ବେଳେ ପ୍ରମୋଦ ଯେପରି ଗିରଫ୍ ହେବାକୁ ବ୍ୟାକୁଳ ହୋଇ ଉଠିଲା ତାହା ଲକ୍ଷ୍ୟ କରିବାର କଥା । ହଁ, ଏତେ ଝିନ୍‌ଝଟ୍‌କୁ କିଏ ଯାଏ ? ଗିରଫ ହୋଇଗଲେ କଥା ଶେଷ । ଜେଲ୍‌ରୁ ଫେରି ପୁଣି ବିବୃତି । କର୍ତ୍ତୃପକ୍ଷଙ୍କର ରାଜନୈତିକ ବନ୍ଦୀମାନଙ୍କ ପ୍ରତି ଚରମ ଅବହେଳା ।

 

ପ୍ରଣବ ଷ୍ଟୁପିଡ୍‍ ପାଞ୍ଚ ଥର ବି.ଏ. ଫେଲ୍ କଲାଣି ତଥାପି ଚେତା ପଶୁ ନାହିଁ । ପିଅନ ଚାକିରୀ ପାଇଁ ମାଟ୍ରିକ୍ୟୁଲେଟ୍ ହେବା ଦରକାର । ନେତା ବା ମନ୍ତ୍ରୀ ହେବା ପାଇଁ ଡିଗ୍ରୀ ତ ଲୋଡ଼ା ନାହିଁ । ଲୋଡ଼ା ଟାଉଟରି । ଏସବୁ ନାଟ ପଛରେ କେବଳ ‘ନୀତା’ । ମାତ୍ର ନୀତା ଯେ ଧରା ଦେବା ଚିଡ଼ିଆ ନୁହେଁ, ସେ କେମିତି ବୁଝୁନି ? କେଜାଣି ? କେତେ ତୁଠରେ ସେ ପାଣି ପିଇ ଉଡ଼ିଲାଣି । ଏ ଟୋକି ପକ୍‌କା ଘୁ ଘୁ ଅଛି । କାହାର କ’ଣ ଯାଉଛି, ଯିଏ ଯାହା କରିବ ସିଏ ତା’ର ଫଳ ପାଇବ । ସିଏ କ’ଣ କରିଛି ଯେ ଅନ୍ୟକୁ ତାରିଫ କରିବ । ନିଜେତ ‘ଟୋକା’ ଯୋଗାଡ଼ କରି କରି ଆପଣା ଟୋକାବୟସ ବିତାଇ ଦେବା ଉପରେ । ଗତ ପାଞ୍ଚ ବର୍ଷ ଧରି ସେ ବିଭିନ୍ନ ବିକ୍ଷୋଭର ନେତୃତ୍ୱ ନେଇଛି । ଶୋଭାଯାତ୍ରାରେ ପୋଷ୍ଟର ଧରି ଆଗେ ଆଗେ ଚାଲିଛି । ସ୍ଲୋଗାନ ଦେଇଛି । ସଭା ପୂର୍ବରୁ ସଭାସ୍ଥଳରେ ଟେବୁଲ୍ ଚେୟାର ଫୁଲମାଳର ବ୍ୟବସ୍ଥା କରିଛି । ପୋଲିସ୍‌ର ଲାଠି ଖାଇଛି । ସଭା ହେବ ବୋଲି ମାଇକ୍ ଧରି ପ୍ରଚାର କରିଛି । ଲାଭ ପାଇଛି କ’ଣ ? ଛାତ୍ର ଥିଲାବେଳେ ନେତାମାନଙ୍କଠାରୁ ସାମାନ୍ୟ ସଦିଚ୍ଛା, ଉତ୍ତମ ବ୍ୟବହାର ଅବଶ୍ୟ ପାଇଛି । ମାତ୍ର ଏଥିରେ ସେମାନଙ୍କର ସ୍ଵାର୍ଥ୍ୟ ନିହିତ । କିଛିଦିନ ପରେ ପୁଣି ନୂଆ ଛାତ୍ରନେତା ଆସିବେ । ସେମାନେ ହେବେ ‘ତାଢ଼ାଚକ୍ତ’ । ଦଳ ପାଇଁ ସେମାନଙ୍କର ଏକାନ୍ତ ପ୍ରୟୋଜନ । ନିର୍ମଳ ପ୍ରତି ବାବୁଙ୍କର ଆଉ ସେ ପୂର୍ବ ଶ୍ରଦ୍ଧା ନାହିଁ । ସତେ ଯେପରି ସେ ପ୍ରେମିକା ସ୍ତରରୁ ପ୍ରିୟତମ ସ୍ତରକୁ ଆସି ପହଞ୍ଚିଛି । ତେବେ ଅନ୍ୟମାନଙ୍କ ପରି ନିର୍ମଳଙ୍କୁ ଅବହେଳା କରିବାକୁ କେହି ସାହସ କରିପାରନ୍ତି ନାହିଁ । କାରଣ ନିର୍ମଳ କ’ଣ ସମସ୍ତେ ଜାଣନ୍ତି । ସେ ପୁରୁଣା ମୂଷା । ସକଳ ତୀର୍ଥ ତା’ ଚରଣେ । ଦଳର ନେତା ନିର୍ବାଚନ ପାଣ୍ଠିରୁ କେତେ ଆତ୍ମସାତ୍ କଲେ, ମିନତିଦେବୀଙ୍କ ସହ ସମ୍ପାଦକଙ୍କ ସମ୍ପର୍କ କ’ଣ, କେଉଁ ମନ୍ତ୍ରୀ କେତେ ପିଅନ୍ତି, ନିଅନ୍ତି, ଦିଏ କିଏ ନିଏ କିଏ । କେଉଁ ମନ୍ତ୍ରୀ ଏ ଗ୍ରାମ ସେବିକାଙ୍କଠୁ ଚପଲ ଖାଇଲେ ସବୁ ନିର୍ମଳଙ୍କ ହାତ ନଖରେ ।

 

କେଉଁ ଚିପ୍ ଇଞ୍ଜିନିୟର କଣ୍ଟ୍ରାକ୍‌ଟରଙ୍କଠାରୁ କେତେ ନେଲେ ଓ ସେ କେତେ ରଖି ଦଳୀୟ ପାଣ୍ଠିକୁ କେତେ ଦେଲେ ତାହା କେବଳ ନିର୍ମଳ କହିପାରିବ । ସେଥିପାଇଁ ସମସ୍ତଙ୍କର ନିର୍ମଳଙ୍କ ଛାଇକୁ ଡର । ତା’ ବ୍ୟତୀତ ସେ’ତ ନିଜେ କାହାର ସହାନୁଭୂତି ଲୋଡ଼ିନାହିଁ । ତେବେ ସେ ଯେଉଁ ଆଦର୍ଶ ପାଇଁ ‘କଙ୍କଣ’ ଦଳରେ ମିଶିଥିଲା ତାହା ମରୀଚିକା ପରି କେବଳ ଦୂରେଇ ଯାଉଛି । ସତେ ଯେପରି ନିଜର ଛାଇ ନିଜଠାରୁ ଭିନ୍ନ ହୋଇ ଯାଉଛି । ତା’ ସଙ୍ଗେ ଲୁଚକାଳି ଖେଳୁଛି । ଆଦର୍ଶ ଆଉ ବାସ୍ତବତା ଭିତରେ କେତେ ଫରକ୍ । ଏଇ ଛକାପଂଝା ଛାଇ ନୃତ୍ୟ ଭିତରେ ସତେ ଯେପରି ଗାନ୍ଧୀ, ନେହେରୁଙ୍କ ଛାୟାଛବି ବେଳେ ବେଳେ ଉବୁକା ଢେଉର ଧକା ଖାଇ କ୍ଷଣେ ମିଶି ହଜିଯାଉଛି । ତାଙ୍କ ନାଁ ବିକି ଆଉ ବେଶୀଦିନ ନୁହେଁ । ଲୋକେ ଏଣିକି ବେକରେ ଗାମୁଛା ପକାଇଦେବେ । ନିର୍ମଳ ଆଶ୍ଚର୍ଯ୍ୟ ହେଲା । ଲୋକେ ଏସବୁ ଏପର୍ଯ୍ୟନ୍ତ ବରଦାସ୍ତ କରିଛନ୍ତି କିପରି ? ପୁରୁଣା ଲୋକେ କିଛି ତ୍ୟାଗ କରିଥିଲେ । ଦିନ କାଳ ସରି ଆସୁଛି ତାଙ୍କ ପାଇଁ ଆଲୋକ ନିଭି ନିଭି ଆସୁଛି । ସେମାନେ କ’ଣ କଲେ ନକଲେ ବିଚାରିବା କଥା । ମାତ୍ର ଏ ଯେଉଁମାନେ ନୂଆ ନୂଆ ପ୍ରବେଶ କରୁଛନ୍ତି....ବାପରେ ବାପ । ତାଙ୍କ କଥା ଛାଡ଼ ।

 

ନିର୍ମଳ ରିକ୍‌ସା ପାଇଁ ଅପେକ୍ଷା ନ କରି ଚାଲିବାରେ ଲାଗିଲା । ସତରେ ଯଦି ରିକ୍‌ସା ପାଇଁ ଅପେକ୍ଷା ନ କରି ସେ ଚାଲିଥାଆନ୍ତା ତେବେ ଅନେକ ଦୂର ଆଗେଇ ଯାଆନ୍ତାଣି । ଅଯଥା ବିଳମ୍ବ କଲା । ରଥ ମୋଡ଼ ଛାଡ଼ି ଅନେକ ଦୂର ପ୍ରଧାନ ରାସ୍ତାରେ ଯିବା ପରେ ହଠାତ୍ ପରିଚିତ କଣ୍ଠର ଆହ୍ୱାନରେ ଠିଆହୋଇ ପଛକୁ ଦୃଷ୍ଟି ଫେରାଇଲା । ‘ନିର୍ମଳ ବାବୁ’ ।

 

‘ମନମୋହନ ବାବୁ’ ନମସ୍କାର । ଆପଣ ସକାଳୁ ସକାଳୁ କୁଆଡ଼େ ଯାଉଛନ୍ତି ? ମନମୋହନ ପୁରାତନ କଙ୍କଣ ଦଳର କର୍ମୀ । ଗାନ୍ଧୀବାଦୀ, ବିଭାହୋଇ ନାହାନ୍ତି । ଦେଶ ପାଇଁ ସର୍ବସ୍ୱ ଦେଇଛନ୍ତି । ମନ୍ତ୍ରୀ ହେବୀର ଅଭିଳାଷ ନାହିଁ । ନେତା ହୋଇ ଆପଣାର ଫଟୋ ଛାପିବା ଲାଗି, ସମ୍ୱାଦିକଙ୍କୁ ଭୋଜିଭାତ ଦେବା ନିମନ୍ତେ ପରୋକ୍ଷରେ ବ୍ୟବସ୍ଥା କରିବାକୁ ବ୍ୟାକୁଳତା ନାହିଁ-। କେବଳ ଗୋଟିଏ ସ୍ୱପ୍ନ ଗାନ୍ଧୀ ଯେଉଁ ଦଳ ଗଢ଼ି ଯାଇଛନ୍ତି ତାକୁ ବଞ୍ଚାଇ ରଖିବା । ଏଥିପାଇଁ ଜେଲ ଯାଇଛନ୍ତି । ପୁଲିସ ଲାଠି ସହିଛନ୍ତି । ଶୋଚନା ନାହିଁ । ଲୁହାର ମନ । ଲୁହାର ମଣିଷ ।

 

ମନମୋହନବାବୁ କହିଲେ, ଶୁଣିଲି ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି ସତ୍ୟାଗ୍ରହୀମାନଙ୍କୁ ଆସି ପିକେଟିଂ କରିବାକୁ । ଆସିଲି ପିକେଟିଂରେ ଯୋଗ ଦେବାକୁ । ମାତ୍ର ଶୁଣିଲି ପିକେଟିଂ ବନ୍ଦ ହେଲାଣି । ଆଜି କେବଳ ବନ୍ଦ ପାଇଁ ଆହ୍ୱାନ । ନୁହେଁ । ଆଉ ସବୁ ଖବର କ’ଣ ? ଯେଉଁ ନେତାମାନେ ମାଡ଼ଖାଇ ଡାକ୍ତରଖାନା ଆସିଲେ ସେମାନେ କିପରି ଅଛନ୍ତି ? ତୁମେ ଯାଉଛ କୁଆଡ଼େ ?

 

ନିର୍ମଳ କହିଲା କଷ୍ଟକରି ଏତେଦୂର ଆସିଲେ । ଆଚ୍ଛା ଠିକ୍ ଅଛି, ଆପଣ ଯାଆନ୍ତୁ ଶାନ୍ତନୁବାବୁଙ୍କୁ ଭେଟିକରି ଯିବେ । ସେ ପାର୍ଟି ଅଫିସରେ ଅଛନ୍ତି । ମୁଁ ଯାଉଛି ଡାକ୍ତରଖାନା । ଶରତବାବୁ ଡକାଇଛନ୍ତି ।

 

ଆଚ୍ଛା ଠିକ୍ ଅଛି, ଆପଣ ଯାଆନ୍ତୁ । ଦୂରରେ ଯାଉଥିବା ରିକ୍‌ସାକୁ ଦେଖି ନିର୍ମଳ ପାଟିକରି ଡାକିଲା ହେ’ ରିକ୍‌ସା... । ରିକ୍‌ସା ଆସିଲାରୁ ଡାକ୍ତରଖାନା ନେଇ ଚାଲ୍ ବୋଲି ନିର୍ଦ୍ଦେଶ ଦେଇ ସେ ମନମୋହନ ବାବୁଙ୍କୁ ନମସ୍କାର କଲା । ମନେ ମନେ ତାଙ୍କ ନିଷ୍ଠା ତ୍ୟାଗ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲା । ସତରେ ଏଇମାନଙ୍କୁ ଗାନ୍ଧୀ ଗଢ଼ି ଯାଇଛନ୍ତି । ସବୁ ଠକାମି ଭଣ୍ଡାମି ପ୍ରତାରଣା ଭିତରେ ଏଇମାନଙ୍କର ପୁଣ୍ୟ ବଳରେ ଦେଶ ବଞ୍ଚି ରହିଛି । ସିନେମା ଛବି ପରି ତାଙ୍କ ସମ୍ମୁଖରେ ତାଙ୍କର ଅଙ୍ଗଲିଭା ଅନେକ ସ୍ମୃତି ଝଲସି ଉଠିଲା । ସତରେ କେତେ ଲୟାଲ୍ ଏମାନେ ପାର୍ଟି ପାଇଁ ।

 

ଗତ ଥର ମିଳିତ ମନ୍ତ୍ରିମଣ୍ଡଳ ବିରୋଧରେ ବିରୋଧୀ ଦଳ ପକ୍ଷରୁ ବନ୍ଦ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଗଲା । ସବୁଥର ପରି ସେଥର ମଧ୍ୟ ଟୋକା ଦରକାର ହେଲେ । ନିର୍ମଳ ପାର୍ଟି ଜିପ୍ ଧରି ଯିଏ ଯେଉଁଠି ଥିଲେ ଗୋଟାଇ ସେମାନଙ୍କୁ ଏକାଠି କଲା । ସ୍ଥିର ହେଲା ଯେଉଁ ମାନେ ଆସିଲେ ଆଗାମୀ କାଲି ବସ୍ ଷ୍ଟାଣ୍ଡ୍‌ରେ ପିକେଟିଂ କରିବେ । ପାର୍ଟି ଅଫିସରେ ନେତା ଆଉ କର୍ମୀଙ୍କ ଭିତରେ ଆଜି ଫରକ୍ କମି ଆସିଛି । ଆଜି ସମସ୍ତେ ଦୋସ୍ତ, ସାଥୀ । ନେତାଙ୍କ ସାକ୍ଷାତ ପାଇଁ ପ୍ରତୀକ୍ଷାରେ ରହିବାର ଆବଶ୍ୟକତା ନାହିଁ । ଯେଉଁ ପୂର୍ବତନ ମନ୍ତ୍ରୀମାନେ କର୍ମୀମାନଙ୍କଠାରୁ ଦୂରେଇ ଯାଉଥିଲେ ସେମାନେ ଆଜି ଆସିଲେ ପାର୍ଟି ଅଫିସକୁ ରାତ୍ରିଭୋଜନ କରିବାକୁ । ଭୋଜନ ସରୁ ଚାଉଳର ଅନ୍ନ, ଘିଅ, ହରଡ଼ ଡାଲି, ସମାନ୍ୟ ମାଂସ, ଯିଏ ଚାହିଁବ ମାଛ, ଦହି, ମିଠା ଓ ଅନ୍ୟାନ୍ୟ । ପରିବେଷଣକାରୀ ମନ୍ତ୍ରୀଙ୍କୁ ଘିଅ ଦେବା ବେଳେ ନିର୍ମଳ କହିଲା, ହଁ ଢାଳ ସେଇଠାରେ ଢାଳ, କାମରେ ଆସିବ । ମନ୍ତ୍ରୀ କଥାଟାକୁ ହଜମ କରିଦେଇ କହିଲେ ନିର୍ମଳକୁ ଦିଅ-ସେମାନଙ୍କୁ ଦିଅ....ନିର୍ମଳ ତମେ ଆଉ ଦୁଷ୍ଟାମି ଛାଡ଼ିବ ନାହିଁ । ଖାଇବା ପରେ ସମସ୍ତେ ଶପଥ କଲେ ସମସ୍ତେ ଗୋଟିଏ ଆଦର୍ଶ... ଗୋଟିଏ ପତାକା ତଳେ ଠିଆ ହେବେ । ନରେନ୍ଦ୍ର ବାବୁ ତାଙ୍କର ନେତା । ସକାଳୁ ସଅଳ ପ୍ରସ୍ତୁତ ହେବା ପାଇଁ କହି ବିରୋଧୀଦଳ ନେତା ଆପଣା କ୍ୱାଟରକୁ ଫେରିଗଲେ । ପାର୍ଟି ଅଫିସ ହଲ୍‌ରେ ସମସ୍ତେ ଶୋଇଲେ । ଜଣେ କେହି ଆରମ୍ଭ କଲା—ଅନେକ ଫୋର୍ସ ଆସିଛନ୍ତି । ଏଥର ଖୁବ୍ ଗୋପାଳି ହେବ । ତା ପରେ ଦେଶପ୍ରେମ ଆରମ୍ଭ ହେଲା । ଏ ତ କିଛି ସାଧାରଣ ଲୋକ ନୁହେଁ । ରାଜାପିଲା ରାଜନୀତି ଜାଣେ, ମନ୍ତ୍ରୀ ହେଇଛି । ଆଖିବୁଜା ଚଢ଼ାଉ କରିବ । ଯେଝା ସଜରେ ଯେଝା ବାଟ କାଟିଲେ, ତାହାର ହଠାତ୍ ଘରେ କାମ ପଡ଼ିଲା । ମନେ ନାହିଁ କାହାର କହି ଆସିବାକୁ ସି’ଏ ଯିବ । କାହାର ହାଟ, କାହାର ଅବା ଘାଟ ଅଛି । ପୁଅ ଦେହ ତ କାହାର ଭଲ ନାହିଁ ସ୍ତ୍ରୀ କାହାର ବେମାର । ନିର୍ମଳ ଚୁପ୍ ଚାପ୍ ସବୁ ଶୁଣଥାଏ । କେହି କେହି କଥାହେଲେ ଏମାନେ କେଉଁ ଭଲ କି । ଏମାନେ ଦଶ କୋଟି ମାରିଲେ ସେମାନେ ଅବା ବାର କୋଟି ମାରିଲେ, ଆମର କେଉଁ ପେଟକୁ ଆସିଲା । ଆମେ ଅଯଥା ମାଡ଼ ଖାଇବୁ କାହିଁକି ? କେତେ ମନ୍ତ୍ରୀ ଗଲେ । ଆମ ଗାଁ ରାସ୍ତା ସେମିତି ପଡ଼ିଛି, ଧୂଳି ମୁଠାଏ ଆସି କେହି ପକାଇ ଦେଲେ ନାହିଁ । କିଛି କହିବାର ଉପାୟ ନାହିଁ । ନିର୍ମଳ ମନେ ମନେ ବିରକ୍ତ ହେଉଥାଏ । ନିଜର ତ ସଙ୍ଗଠନ ନାହିଁ । ଗହ୍ମା ପୁନେଇଁ କି ମାଇଁ କଲେ କୁଆଡ଼କୁ ପାଇବ ? ଭଡ଼ାଦିଆ କର୍ମୀ କେତେ ଲୟାଲ୍ ହେବ ? ହଁ, ମାଗଣାରେ ଏବେ ମଟରରେ ଆସିଲେ । ଦିନକୁ ପାଞ୍ଚ ଟଙ୍କା ଖୁବ୍ ବେଶୀ ହେଲେ ଆଠ ଟଙ୍କା । ସତରେ ଏଥିରେ ପୁଲିସର ନିର୍ମମ ଲାଠିର ସମ୍ମୁଖୀନ ହେବ କିଏ ? କାହିଁକି ବା ? ସେଥିରେ ଯଦି ଜଖମ ହୋଇ ଡାକ୍ତରଖାନା ଗଲେ ପରିସ୍ଥିତି ଆହୁରି କରୁଣ । ସେମାନେ ଯେଉଁ ନେତାଙ୍କ ଆହ୍ୱାନରେ ଆସିଲେ ଫେରିଲାବେଳେ ହୁଏତ ସେମାନେ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ମିଶିଲେଣି । ତାଙ୍କ କଥା ବୁଝିବ କିଏ ? ସତରେ ସେମାନେ ଭୁଲ କରୁଛନ୍ତି କ’ଣ ? ନିର୍ମଳ ସମସ୍ତଙ୍କ ଗତିବିଧି ବୁଝି ମନମୋହନବାବୁଙ୍କୁ ପଚାରିଥିଲା...ଆଉ ଆପଣ ଏକା ରହିବେ କାହିଁକି ? ସମସ୍ତେ ଚାଲି ଯାଉଛନ୍ତି । ଆପଣ ଚାଲିଯାଇ ପାରନ୍ତି । ଅଯଥା ହଇରାଣ ହେବେ କାହିଁକି ? ମନମୋହନ ଦୃଢ଼ କଣ୍ଠରେ ଓଲଟି ପଚାରିଥିଲେ, ନିର୍ମଳବାବୁ କ’ଣ କହିଲେ ? ଛାଡ଼ି ଚାଲିଯିବି... ମୋ ଦେହକରେ ସେକଥା ହୋଇ ପାରିବ ନାହିଁ । ମୁଁ ଗାନ୍ଧୀ ମହାରାଜାଙ୍କ ଚେଲା । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଗଠିତ କଂକଣ ଦଳ ପାଇଁ ଏମୁଣ୍ଡ ଚାଲିଗଲେ ଚିନ୍ତା ନାହିଁ । ‘କଂକଣ’ ଅନୁଷ୍ଠାନ–ଭାଗ ଭାଗ ହୋଇଯାଇ ପାରେ । ନେତାମାନେ ପ୍ରତାରଣା କରି ପାରନ୍ତି । ମାତ୍ର ମୁଁ କର୍ମୀ । ମୋର ଆଦର୍ଶରୁ ମୁଁ ଟଳିବି ନାହିଁ । ଯେତେଦିନ କଂକଣ ଅଛି ସେତେଦିନ ପର୍ଯ୍ୟନ୍ତ ମନମୋହନ ଅଛି । ଆଉ ମନୋମୋହନ ଯେତେଦିନ ପର୍ଯ୍ୟନ୍ତ ପ୍ରାଣରେ ଅଛି କଂକଣ ସେତେଦିନ ପର୍ଯ୍ୟନ୍ତ ବଞ୍ଚି ରହିଛି । ସତରେ ପର ଦିନ ଲାଠି ଖାଇ ଏହି ମନମୋହନ ଗିରଫ୍ ହୋଇଥିଲେ, ବସ୍ ବନ୍ଦ ଆନ୍ଦୋଳନରେ ଅଂଶ ନେଇ । ସବୁ ଚହଲି ଉଠିଲା । ନିର୍ମଳଙ୍କ ମନର ପ୍ରତିଧ୍ୱନି କାନରେ ବାଡ଼େଇ ହୋଇ ଉଠିଲା । ସତେ ଅବା ମନର ଲୋଟଣି ପାରା ଲୋଟଣି ଭାଙ୍ଗୁଛି । ସେ ସାମାନ୍ୟ ଅନ୍ୟମନସ୍କ ଭାବେ ଏଣେ ତେଣେ ଦୃଷ୍ଟି ଫେରାଉଥିଲେ । ରିକ୍‌ସାବାଲା ଚାଲିଥାଏ ଆଗକୁ ଡାକ୍ତରଖାନା ଅଭିମୁଖେ ମୋଡ଼ ପରେ ମୋଡ଼ ଭାଙ୍ଗି ।

 

ରାସ୍ତା ପାର୍ଶ୍ୱରେ ମାର୍କେଟ ବିଲ୍‌ଡ଼ିଂ ପଡ଼ିଲା । ଗୋଟିଏ ଦୋକାନ ସମ୍ମୁଖରେ ଲୋକଙ୍କ ଗହଳି । ଗୋଟିଏ ଦଳ ପାଟି କରୁଛନ୍ତି ଦୋକାନ ବନ୍ଦ କର । ଆଉ କେତେଜଣ କହୁଛନ୍ତି କାହିଁକି ? ବିଚରା ଦୋକାନ ହତବୁଦ୍ଧି ହୋଇ ଚାହିଁ ରହିଛି । ପରିଚିତ କର୍ମୀମାନଙ୍କ ମଧ୍ୟରୁ କେହି କେହି ନିର୍ମଳକୁ ଯିବା ପାଇଁ ଇଙ୍ଗିତ ଦେଲେ । ମାତ୍ର ଜରୁରୀ କାମରେ ଯାଉଛି ବୋଲି ସଂକେତ ଦେଇ ସେ ଆଗେଇଲା । ରାସ୍ତା ପାର୍ଶ୍ୱରେ ମରାଯାଇଥିବା ବିଭିନ୍ନ ପୋଷ୍ଟର ଉପରେ ଆଖି ବୁଲାଇ ନେଉଥାଏ...ପ୍ରତିକ୍ରିୟାଶୀଳ ମିଳିତ ମନ୍ତ୍ରିମଣ୍ଡଳ ମୁର୍ଦ୍ଦାବାଦ । ଦେଶର ଜନତା କରେ ପୁକାର୍ । ଶାସକଗୋଷ୍ଟୀ ହୋ ହୁସିଆର୍’’ । ଆମକୁ ରୁଟି ଭାତ ଦେ’ ନ ହେଲେ ଗାଦି ଛାଡ଼ି ଦେ । ପୁଲିସ ଜୁଲମ ବନ୍ଦକର । କଂକଣ, କଂଗ୍ରେସ ସୋସିଆଲିଷ୍ଟ, କମ୍ୟୁନିଷ୍ଟ ଦଳର ନିବେଦନ । ଓଡ଼ିଶା ବନ୍ଦ ସଫଳ କରାନ୍ତୁ । ନିର୍ମଳ ମନେ ମନେ କହିଲା, ‘କଂକଣ’ ଆଉ କେଉଁ କଳଙ୍କରୁ ବାଦ ପଡ଼ିଛି ?

 

କଂକଣ, କଂକଣରୁ ‘ଗଣକଂକଣ’ ତାପରେ କଂକ ତାପରେ ପ୍ରଗତିଶୀଳ କଂକଣ ପୁଣି ପ୍ରତ୍ୟେକ ଦଳ ମଧ୍ୟରେ ପ୍ରତିକ୍ରିୟାଶୀଳ ଦୃଷ୍ଟିକୋଣ ଓ ଗୋଷ୍ଠୀ ବିବାଦ ତ ଅଛି ।

 

ହଠାତ୍ ନିର୍ମଳ ପାଟିକରି ଉଠିଲ... ଏ ରିକ୍‌ସା ଇଆଡ଼େ କୁଆଡ଼େ ଯାଉଛୁ । ଡାକ୍ତରଖାନା ଚାଲ । ରିକ୍‌ସା ପୁଣି ଚାଲିଲା । ଡାକ୍ତରଖାନାର ନୂଆ ୱାର୍ଡ଼ ପାଖରେ ଓହ୍ଲାଇ ଶରତବାବୁଙ୍କୁ ଭେଟିବା ପୂର୍ବରୁ ସେ ଅନେକ ପରିଚିତଙ୍କୁ ଭେଟିଲା । ସେମାନଙ୍କଠାରୁ ବୁଝିଲା ଶରତବାବୁ ଡାକ୍ତରଖାନାରୁ ଡିସ୍‌ଚାର୍ଚ୍ଚ ହୋଇଯିବେ ପୁଲିସ କଷ୍ଟୋଡ଼ିକୁ ଓ ସେଠୁ ଜେଲକୁ । ପୁଲିସ ସେମାନଙ୍କୁ ଗିରଫ କରିଛି । ନିର୍ମଳ ଚାହିଁଲା ପୋର୍ଟିକ ପାଖରେ, ପୁଲିସ ଭ୍ୟାନ୍ ଠିଆ ହୋଇଛି । ଶୋଭାଯାତ୍ରାରେ ଲାଠି ଖାଇ ଜଖମ ହେବା ପରେ ସେ ଆସିଥିଲେ ଡାକ୍ତରଖାନାକୁ । ୱ୍ୟାର୍ଡ଼ ଭିତରେ ଥିବା ରୁମ୍ ମଧ୍ୟକୁ ପ୍ରବେଶ କରି ନିର୍ମଳ ଦେଖିଲେ ଶରତବାବୁ କାହାର କାନରେ ଚୁପ ଚୁପ କ’ଣ କହୁଛନ୍ତି । ନିର୍ମଳକୁ ଦେଖି କହିଲେ-ଆସ ନିର୍ମଳ, ମୁଁ ତୁମକୁ ଅପେକ୍ଷା କରିଥିଲି । ନିର୍ମଳ ଶରତବାବୁଙ୍କ ବିଛଣା ପାଖକୁ ଯିବା ପୂର୍ବରୁ ସେ ତାକୁ ଶୁଣାଇ ଶୁଣାଇ କହିଲେ, ବୁଝିଲ ନିର୍ମଳ ମୁଁ ସେସବୁ ଚାହେଁ ନାହିଁ । ସେ ଫଟୋ ଉଠାଇବା ସପକ୍ଷରେ ମୁଁ ନୁହେଁ । ଅନେକ ବିଳମ୍ୱ ହେଲାଣି । ତୁମେ ଯାହା କରୁଛ ଶୀଘ୍ର କର । ନିର୍ମଳ ସବୁ ବୁଝିଲା । ସମସ୍ତଙ୍କୁ ଶୁଣାଇ ଶୁଣାଇ କହିଲା, ମଲା, ଆପଣଙ୍କର ଦରକାର ନ ଥାଇ ପାରେ ମାତ୍ର ଅନ୍ୟମାନଙ୍କର ପ୍ରୟୋଜନ, କଂକଣ କର୍ମୀମାନଙ୍କର ପ୍ରୟୋଜନ । କେଉଁ ଅବସ୍ଥାରେ ଆପଣଙ୍କୁ ପୁଲିସ ଡାକ୍ତରଖାନାରୁ ନେଉଛି ତାହା ସମସ୍ତେ ଦେଖିବା ଉଚିତ । ସେ ଫଟୋ କାଗଜପତ୍ରରେ ଛପା ହେବା ଉଚିତ ।

 

ନିର୍ମଳ ରୁମ୍ ମଧ୍ୟରୁ ବାହାରି ଆସି ବାରଣ୍ଡାରେ ଏମୁଣ୍ଡ ସେମୁଣ୍ଡ ଚାହିଁଲା । ହଠାତ୍ ଯାହାକୁ ଖୋଜୁଥିଲା ତାକୁ ପାଇଗଲା । ଶ୍ରୀକାନ୍ତ ଏକାନ୍ତ ବିଶ୍ଵାସୀ ବନ୍ଧୁ କର୍ମୀ । ତାକୁ ଚୁପ୍‌ଚାପ୍‌ କହିଲା, ବୁଝିଲୁ ଭାଇ ଶ୍ରୀକାନ୍ତ, କ’ଣ କରିବା କହିଲୁ....ଶରତବାବୁ ଚାହିଁ ବସିଛି ଫଟୋ ଉଠା ସରିଲେ ସେ ପୁଲିସ୍ ଭ୍ୟାନ୍‌କୁ ଯିବ । ତୁ ଯା’ କେଉଁଠୁ ଗୋଟେ ଫଟୋଗ୍ରାଫ୍‌ର ଧରି ଆସିବୁ ।

 

ମାତ୍ର ଆଜି ପରା ବନ୍ଦ । କାଲି ଦିନସାରା ବୁଲି ବୁଲି ବନ୍ଦ କରିବାକୁ ଦୋକାନ ବଜାର କହି ଆସିଲି । ଆଜି କେଉଁ ମୁହଁରେ ଯିବି ଫଟୋ ଉଠାଇବାକୁ ଫଟୋବାଲା ଡାକି । ଯାହାକୁ ଡାକିଲେ ସେ ଗୋଡ଼ ଲମ୍ୱାଇବ । ‘ଯା ଭାଇ, କୌଣସି ମତେ କାହାକୁ ଧରି ଆସ । କାହାକୁ ନ ପାଇଲେ ନାରଣକୁ ଧରି ଆସିବୁ । ମୋ ନାଁ କହିବୁ ।

 

‘ଶରତବାବୁ ଯେଉଁ ନେତାଟା ନାଁ ତା ଫଟୋ ନ ଉଠାଇଲେ କ’ଣ.... ?

 

‘ଦେଖ, ଆମକୁ ଭଲ ଲାଗିବା ନ ଲାଗିବା ପ୍ରଶ୍ନ ମୋଟେ ଉଠୁନାହିଁ । ସେ ଯେତେବେଳେ ନେତା ତାଙ୍କୁ ବଡ଼ ବୋଲି ଦେଖାଇବାକୁ ହେବ । କେଉଁ ଦଳରେ ଆଉ ଗାନ୍ଧୀ ବୁଢ଼ା ରହିଗଲେ ଯେ ଆମର ଏଟା... । ଅନିଚ୍ଛା ସତ୍ଵେ ନିର୍ମଳ ସାଇକେଲ ଧରିଲା । ପଛରୁ ନିର୍ମଳ ଡାକିଲା ଶ୍ରୀକାନ୍ତ, ହଁ ଦି ତିନିଟଙ୍କିଆ ଫୁଲମାଳଟାଏ ଆଣିଥିବୁ । ସେ ଫେରିଆସି ହାତ ପତାଇଲା । ନିର୍ମଳ ପାଞ୍ଚଟି ଟଙ୍କା ବଢ଼ାଇ ଦେଉ ଦେଉ କହିଲା, ଏତିକି କ’ଣ ଦେଉଛୁ ଏଥିରେ କ’ଣ ହେବ ?

 

ତୁ ଆଗେ ଯା’ ନା ପରେ ଯୋଗାଡ଼ କରି କେଉଁଠୁ ଦେବି । ଆରେ ମାଲ ଉପରେ ଉପରେ ଉଡ଼ୁଛି । ମୁଁ କିଏ ମାଲ କିଏ ? ମୋତେ ଏପରି ଅନାଉଛୁ କାହିଁକି ? ମୁଁ ଯେଉଁ ନିର୍ମଳକୁ ସେଇ ନିର୍ମଳ । ବୁଝିଲୁ ମୋର ଏଇ ଶେଷ । ଆଉ ଏ ଅଭିନୟ କରିପାରିବି ନାହିଁ । ନିଜ ପେଟପାଟଣା ପାଇ ଚିନ୍ତା ନ କଲେ... ।

 

ଫଟୋ ଉଠିଲା ପରେ ଶରତବାବୁ ଷ୍ଟ୍ରେଚରରେ ବୁହାହୋଇ ପୁଲିସି ଭ୍ୟାନ୍‌କୁ ଆସିଲେ-। ଜେଲ୍ ଭ୍ୟାନ୍‌ରେ ବସି ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ କହିଲେ ଏ ବିପ୍ଳବ ଚାଲିଛି...ଆଉ ଚାଲୁ ରହିବ-। ଏହାର ଗତି କେହି ପ୍ରତିରୋଧ କରି ପାରିବେ ନାହିଁ ।

 

ନିର୍ମଳ ଏହା ଶୁଣି ମନକୁ ମନ ସାମାନ୍ୟ ହସିଲା । କହିଲା, ଧନ୍ୟରେ ହିପୋକ୍ରାଟସ୍‌ । ତୁମ ପରି ପ୍ରତାରକଙ୍କୁ ଦେଶବାସୀ ଯାହା ଗୁଳିକରି ମାରୁ ନାହନ୍ତି । ନକଲି ଗାନ୍ଧୀ ହେବା ଲାଗି ସବୁ ଚାଲ ଶିଖିଲ, ଖାଲି ଯାହା ଶିଖିଲ ନାହିଁ ଅସଲ ଗାନ୍ଧୀର ନିଷ୍ଠା, ସାଧୁତା ଆଉ ଦେଶପ୍ରେମ । ଗାନ୍ଧୀ ଦେଶକୁ ସ୍ୱାଧୀନ କରିଥିଲା ତୁମରିମାନଙ୍କ ପାଇଁ । ତୁମେ ଏବେ ଦେଶଟାକୁ ଦୁହିଁ ଦୁହିଁ ନିଜର ସେବାରେ ଲଗାଇଛ । ତୁମ ପାଇଁ ଆଉ ମୁହଁ ଟେକି ହେବ ନାହିଁ ।

 

ତା ପରେ ପୁଲିସ ଭ୍ୟାନ୍‌ ଛାଡ଼ିଲା । ଯିଏ ଯେପରି ଆସିଥିଲେ ସି’ଏ ସେପରି ଚୁପ୍‍ଚାପ୍‍ ଫେରିଲେ । କେହି କେହି କହିଲେ ଏମାନଙ୍କୁ ଠିକ୍‌ ହୋଇଛି ।

 

ଘୁମାଇଁ ପଡ଼ିଥିବା ରିକ୍‌ସାବାଲାକୁ ଉଠାଇ ନିର୍ମଳ ନିଜ ବସାକୁ ଫେରିବା ପାଇଁ ରିକ୍‌ସାରେ ଉଠିଲା । ପଛରେ ରହିଗଲା ହସ୍‌ପିଟାଲର ଧଳାକୋଠା... ମେନ୍‌ ରୋଡ଼ର ଦୁଇପାର୍ଶ୍ଵରେ ଠିଆ ହୋଇଥିବା ଦେବଦାରୁ ବୃକ୍ଷରାଜି ଏବଂ ଏମର୍‌ଜେନସି ନିକଟରେ ଆମ୍ୱୁଲାନ୍‌ସ ଗାଡ଼ି । ସିଗାରେଟ୍ ଧୂଆଁ ଛାଡ଼ି ନିର୍ମଳ ଭାବୁଥିଲା...ସେ ଯାହା ଭାବୁଛି ତାହା ଖୋଲାଖୋଲି ଏଣିକି ସଭାପତିଙ୍କୁ ଜଣାଇ ଦେବ । ପାଟିରୁ ବିଦାୟ ନେଇ ନିଜ ଧନ୍ଦାରେ ଲାଗିବ । ନଚେତ୍‌ ଦଳରେ ରହି ଏମାନଙ୍କୁ ରିତିମତ ଏକ୍‌ସପୋଜ୍‌ କରିବ । ପ୍ରତାରଣା କରି ଫାର୍ମ କରାଯାଇପାରେ ମାତ୍ର ଦେଶମାଟିର ସେବା କରିବା ସମ୍ଭବ ନୁହେଁ । ହୁଏତ ତାକୁ ଅନ୍ୟମାନେ ରିଆକ୍‌ସନାରୀ (ପ୍ରତିକ୍ରିୟାଶୀଳ) କହି ପାରନ୍ତି, ମାତ୍ର ସେଥିରେ ତା’ର କିଛି ଯାଏ ଆସେ ନାହିଁ । ଦୁଃଖ ବା ଶୋଚନାର କରଣ ନାହିଁ ।

񤦬񤦬񤦬

 

Unknown

ଅକ୍‌ଟୋପସ୍‌

 

ଶଙ୍କିତ ପଦରେ ଯାଇ ସେ ପରଦା ସାମନାରେ ଦଣ୍ଡାୟମାନ ହେଲେ, ପରଦା ଉଠାଇବା ପୂର୍ବରୁ ଆଉ ଥରେ ଚତୁର୍ଦ୍ଦିଗକୁ ନିରୀକ୍ଷଣ କରି ଗୋଟାଏ ଦୀର୍ଘନିଶ୍ୱାସ ମାରିଲେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଯେଉଁ ନିଶ୍ୱାସ ମରାଯାଏ । ନାସିକାର ପୁଡ଼ା ଦୁଇଟି ସାମାନ୍ୟ ଫୁଲି ଉଠିଲା । ସେ କକ୍ଷ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ପଶ୍ଚାତ୍‌ରୁ ପରିଚିତ କଣ୍ଠର ସମ୍ୱୋଧନ ଶୁଣି ଥମିଗଲେ ‘‘ଆପଣ ଯେ ଏଠି ?’’

 

‘‘ହଁ ମୁଁ ଆସିଛି...ମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ।’’

 

‘‘ଆପଣ ଭିତରକୁ ପଶି ନ ଆସି ଏଠାରେ ଅପେକ୍ଷା କରୁଥିଲେ କାହିଁକି? ସେ ପରା ଆପଣଙ୍କର ଅଞ୍ଚଳର ଲୋକ । ଏଇ ତ ବାଥ୍ ରୁମ୍‌କୁ ଗଲେ । ଆପଣଙ୍କୁ ଅନ୍ତତଃ ଅଧଘଣ୍ଟାଏ ଅପେକ୍ଷା କରିବାକୁ ପଡ଼ିବ । ବ୍ରେକ୍‌ଫାଷ୍ଟବେଳେ କଥା ହୋଇ ଯିବେ । ନଚେତ୍‌ ଆଉ ସୁବିଧା ମିଳିବ ନାହିଁ । ସେ ସଙ୍ଗେ ସଙ୍ଗେ ସଭାକୁ ବାହାରି ଯିବେ । ସଭା ଆରମ୍ଭ ପୂର୍ବରୁ ମହିଳା ସମିତିର ବାର୍ଷିକ ଉତ୍ସବ ଉଦ୍‌ଘାଟନ କରିବେ । ତାପରେ ସମବାୟ ସମିତି ଅଫିସର ନୂତନ ଗୃହ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି । ତାପରେ....ତାପରେ ରାତି ବାରଟା ପୂର୍ବରୁ ଆଉ ଫ୍ରି ହେବାର ସମ୍ଭାବନା ନାହିଁ ।

 

‘‘ନା, ମୋର ସେପରି କୌଣସି ବିଶେଷ କାମ ନାହିଁ । ପଦେ ଦୁଇ ପଦ କଥା ।’’

 

‘‘ଆଉ କ’ଣ କହନ୍ତୁ । ଆପଣଙ୍କର ସବୁ ଭଲ ତ ?’’

 

‘‘ହେ, ଚାଲିଛି । ରଙ୍ଗହୀନ ରୁଟିନ୍‌ ବନ୍ଧା ଜୀବନ । ମୋର ଅବସର ଆସନ୍ନ ପ୍ରାୟ । ମୋଟେ ଦୁଇଟି ବର୍ଷ ଆଉ ଚାକିରୀ ରହିଲା । ସେଇକଥା କହିବା ଲାଗି ଆସିଥିଲି ।’’

 

‘‘କ’ଣ ଏକ୍‌ସଟେନ୍‌ସନ୍‌ ଚାହାନ୍ତି ?’’

 

‘‘ନା, ମୋଟେ ନୁହେଁ । ମୋର ଏକ୍‌ସଟେନ୍‌ସନ୍‌ ଦରକାର ନାହିଁ । ଅବସର ପରେ ଯାଇ ଗାଁରେ ରହିବି । ନିଜ ଘରବାଡ଼ି ଦେଖିବି । ବାପାଙ୍କୁ ମୋର ବୟସ ହୋଇଗଲାଣି । କେଉଁ ମୁହୂର୍ତ୍ତରେ ଆଖି ବୁଜିବେ, କିଛି ଠିକ୍‌ ନାହିଁ । ଦୀର୍ଘ ଦିନ ଶିକ୍ଷକତା କରି ମୋତେ କ୍ଲାନ୍ତ ଲାଗିଲାଣି । ମନ ଚାହୁଛି ବିଶ୍ରାମ, ଦେହ ଚାହୁଛି ଆରାମ୍‌ ।’’

 

‘‘ତେବେ କ’ଣ କେବଳ ଘରକାମରେ ଅବସର ଜୀବନ ଅତିବାହିତ କରିବେ ?’’

 

‘‘ନା, ବହିପତ୍ର ବି ଲେଖା ଲେଖି କରିବି ।’’

 

‘‘ତେବେ ଆପଣ ଏଠାରୁ ବଦଳି ଚାହୁଁଛନ୍ତି । ଏଠାରେ କେତେଦିନ ହେଲା ?’’

 

‘‘ଦଶବର୍ଷ ପୁରି ଏଗାରବର୍ଷ ଚାଲିଛି । ମୋ ବଡ଼ଝିଅ ରେବାକୁ ମୁଁ ଏଇଠି ବିବାହ ଦେଇଛି । ପିଲାମାନେ ମୋର ସମ୍ୱଲପୁରୀ ଭାଷା କହନ୍ତି । ମୁଁ ଖୁବ୍ କମ୍‌ ଗାଁକୁ ଯାଏ । ମୁଁ ଯଦି ସବୁ ଛୁଟିରେ ଘରକୁ ଯାଉଥାନ୍ତି, ତେବେ ମତେ ଖାଇବାକୁ ପଇସା ମିଳନ୍ତା ନାହିଁ । ସବୁପଇସା ମୋର ଗାଡ଼ି ଖର୍ଚ୍ଚରେ ଚାଲିଯାନ୍ତା । ଏତେ ଗୁଡ଼ିଏ ପିଲା । କୋଣାର୍କ ନିକଟବର୍ତ୍ତୀ ଅସ୍ତରଙ୍ଗରୁ ମୋ ଗାଁ ଆହୁରି ଦୁଇମାଇଲ ଦୂର ।’’

 

‘‘ବଦଳି ତେବେ ତ ଆପଣଙ୍କର ଓଭର-ଡ଼ିଉ ହୋଇ ଗଲାଣି । ଏତ ଅଟୋମେଟିକାଲି ହେବ । ଅନୁରୋଧର ପ୍ରଶ୍ନ ଉଠୁଛି କାହିଁକି ?

 

ରାଜକିଶୋର ସ୍ମିତ ହସି କହିଲେ—‘‘ଜୀବନରେ ଅନେକ ଜିନିଷ ଓଭରଡ଼ିଉ ହୋଇଗଲାଣି, ବୁଝିଲେ ? ତା’ର ସମୀକ୍ଷା କରୁଛି କିଏ ? ହିସାବ ରଖୁଛି କିଏ ? ଆମର ପରା ଇଏ ହେଲା ଗଣତାନ୍ତ୍ରିକ ରାଷ୍ଟ୍ର । ଦାବୀ, ଆନ୍ଦୋଳନ, ଆବେଦନ ନିବେଦନ ବ୍ୟତୀତ ଛାଏଁ ଛାଏଁ,ଏଠାରେ କିଛି ଆଶା କରିବା ବୃଥା ବୋଲି ମୁଁ ମୋ ଅଭିଜ୍ଞତାରୁ ବୁଝୁଛି ।’’ ସେ ଆଉ କ’ଣ କହି ଆସୁଥିଲେ, ଜଣେ ପିଅନ ଆସି କହିଲା—‘ରାଜବାବୁ କିଏ ଆସନ୍ତୁ । ମନ୍ତ୍ରୀ ଡାକୁଛନ୍ତି ।’

 

‘ମନ୍ତ୍ରୀ ବାଥ୍‌ରୁମ୍‌ରୁ ଆସିଲେଣି ? ବହୁତ ଶୀଘ୍ର ଆସିଲେ ତ । ତେବେ ନିତ୍ୟକର୍ମ ସବୁ ଶେଷ ?’

 

‘ନା, ବାଥ୍‌ରୁମ୍‌ ଯିବେ । କ୍ଷିଅର ହେଉଛନ୍ତି ।’

 

‘ଆଚ୍ଛା ଚାଲ’ କହି ରାଜକିଶୋର ମଂତ୍ରୀଙ୍କ କକ୍ଷ ଉଦ୍ଦେଶ୍ୟରେ ଆଗେଇଲେ ।

 

ପରଦା ଟେକି ମନ୍ତ୍ରୀଙ୍କ କକ୍ଷକୁ ରାଜକିଶୋର ପ୍ରବେଶ କଲେ । ଖାନ୍‌ସମା ସଙ୍ଗେ ସଙ୍ଗେ ଆଉ କପେ ଚା ନେଇ ସେଠାକୁ ଦଉଡ଼ିଲା । ସେଠାରେ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି, ସ୍ଥାନୀୟ କର୍ମୀ, ଉଚ୍ଚପଦସ୍ଥ କର୍ମଚାରୀ ଓ ବ୍ୟବସାୟୀ ବୃନ୍ଦ ପରସ୍ପରକୁ ଚାହିଁଲେ । ଶିକ୍ଷକ ରାଜକିଶୋର ତେବେ ମନ୍ତ୍ରୀଙ୍କୁ ଜାଣନ୍ତି । ନିରିହ ଶାନ୍ତ ନିରାମିଷାଶୀ ଠେକୁଆ ଶ୍ରେଣୀର ଏହି ଜୀବଟିକୁ କ’ଣ କୌଣସି ଜାତୀୟ କାର୍ଯ୍ୟରେ ବିନିଯୋଗ କରାଯାଇପାରନ୍ତା ନାହିଁ ? ସହରର ସୁପରିଚିତ କେନ୍ଦୁପତ୍ର ବ୍ୟବସାୟୀଙ୍କ ମନରେ ଆଶାର ସଂଚାର ହେଲା । ମନ୍ତ୍ରୀଙ୍କୁ ନ ହେଲେ ମଧ୍ୟ ତାଙ୍କ ପାର୍ଶ୍ୱବର୍ତ୍ତୀ ନିଷିଦ୍ଧ ଅଞ୍ଚଳକୁ ରାଜକିଶୋରଙ୍କୁ ରକେଟ୍‌ ରୂପେ ପ୍ରେରଣ କରାଯାଇ ପାରିବ ।

 

(ଦୁଇ)

 

ମିନତୀ ଦେବୀ ପ୍ରଶ୍ନ କଲେ-କ’ଣ ଦେଖା ମିଳିଲା ?’

 

“ଜିନିଷପତ୍ର ବନ୍ଧା ବନ୍ଧି କର । ସାତ ଦିନ ଭିତରେ ବଦଳି ଅର୍ଡ଼ର ଆସିଯିବ । ଖୁବ୍‌ ଡେରି ହେଲେ ପନ୍ଦର ଦିନ । ନିଜେ ମନ୍ତ୍ରୀଙ୍କ ପି.ଏ. ମୋ କେଶ୍‌କୁ ନୋଟ୍‌ କରି ନେଇଛନ୍ତି ।’’

 

‘‘କ’ଣ ଚିହ୍ନି ପାରିଲେ ?’’

 

‘‘ଚିହ୍ନି ପାରିବେ ନାହିଁ ? କାହିଁକି କ’ଣ ହୋଇଛି କି ? ସେତ ଅନ୍ୟ ମନ୍ତ୍ରୀଙ୍କ ପରି ଉପର ମୁହାଁ ନୁହଁନ୍ତି । ସମସ୍ତଙ୍କ ଭିତରୁ ମତେ ଆଗେ ଡକାଇଲେ । ଚା ଖାଇବାକୁ ଦେଲେ । ତାଙ୍କ ଗାଡ଼ିରେ ତାଙ୍କ ପି:ଏ ମତେ ଆଣି ଘର ପାଖରେ ଛାଡ଼ି ଦେଇ ଗଲେ । ଭାବିଥିଲି ଭୁଲି ଯାଇଥିବେ ବୋଲି । ସବୁ ମନେ ରଖିଛନ୍ତି ।

 

ତାଙ୍କର ନିର୍ବାଚନ ପ୍ରଚାର କରିବାକୁ ମୁଁ ସ୍କୁଲର ବଡ଼ ବଡ଼ ପିଲାମାନଙ୍କୁ ଛାଡ଼ି ଦେଇଥିଲି-। ମୋଟେ ପାଞ୍ଚଟି ଭୋଟରେ ସେ ଜିତିଲେ । କେବଳ ଏଇ ପିଲାମାନଙ୍କ କଷ୍ଟରୁ । ମୋତେ ଆଜିବି ମୋହନ କଥା ପଚାରୁଥିଲେ । ଭାରୀ ଦୁଃସାହସୀ, ବିରୋଧୀ ପ୍ରାର୍ଥୀଙ୍କ ପକ୍ଷର ଗୋଟାଏ ଟାଉଟରକୁ ସେ ଖୁବ୍‌ ପିଟିଥିଲା । ମୁଁ କହିଲି ହଁ ଭାରୀ ଦୁଷ୍ଟ ଥିଲା । ଏବେ ‘ଲ’ ପଢ଼ୁଛି-। ଅନେକ ବଦଳି ଯାଇଛି ।

 

ତାଙ୍କ କଥାରେ ବାଧା ଦେଇ ମିନତୀ ପଚାରିଲେ ‘‘କେଉଁଠିକୁ ବଦଳି ପାଇଁ କହିଲ ?’’

 

‘‘ପୁରୀ ଜିଲ୍ଲାର ଯେକୌଣସି ସ୍କୁଲକୁ । କୌଣସି କାରଣରୁ ପୁରୀ ଜିଲ୍ଲାରେ ନହୋଇ ପାରିଲେ କଟକର ଯେକୌଣସି ସ୍କୁଲକୁ ।’’

 

‘‘ମଲା ଆଉ ଦୁଇ ଚାରିଟା ସ୍କୁଲ ନାମ କହିଲ ନାହିଁ ।’’

 

‘‘ପୁରୀ ଜିଲ୍ଲାର ଯେକୌଣସି ସ୍କୁଲକୁ ବଦଳି ହେଲେ ତ ସୁବିଧାରେ ଗାଁକୁ ଯାଇହେବ । ଏଠାରୁ ଗାଁକୁ ଯିବାଲାଗି ଯେପରି ଉଧାର ଲାଗି ପରଲୋକଙ୍କ ଦ୍ୱାରସ୍ଥ ହେବାକୁ ପଡ଼ୁ ଛି ଆଉ ସେପରି ତ ହେବାକୁ ପଡ଼ିବ ନାହିଁ । ଯଦି ପୁରୀ ନହେଲା କଟକ । ସେଠାରେ ଟିଉସନରୁ ବେଶ୍ ଦୁଇପଇସା ମିଳିବ । ବୋର୍ଡ଼ ଅଫିସରେ ଚିହ୍ନା ପରିଚୟ ହେଲେ ପରୀକ୍ଷକ ହେବା, ପ୍ରଶ୍ନକର୍ତ୍ତା ହେବାରେ ଅସୁବିଧା ହେବ ନାହିଁ । ପ୍ରକାଶକମାନଙ୍କ ସଙ୍ଗେ ସଭାବ ହେଲେ ବର୍ଷକୁ ଖଣ୍ଡିଏ ଦୁଇଖଣ୍ଡ ବହି ଅନ୍ତତଃ ପ୍ରକଶିତ ହୋଇ ପାରିବ । ମନ୍ତ୍ରୀ, ସେକ୍ରେଟାରୀ ବିଭାଗୀୟ କର୍ମ କର୍ତ୍ତାମାନଙ୍କ ସମ୍ପର୍କରେ ଆସି ହେବ । ମୁଁ ବହୁତ ଭାବିଚିନ୍ତି କହିଛି । ତମେ ମୋତେ ଏତେ ନିର୍ବୋଧ ବୋଲି କାହିଁକି ଭାବୁଛି ?’’

 

‘‘ମଲା ମୁଁ ତୁମକୁ ସେପରି ଭାବିବି କାହିଁକି । ସେଦିନ କାମ ବିଳମ୍ୱ ହେବାରୁ ସିନା ମୋତେ ବିରକ୍ତ ଲାଗିଲା । ରେବା ବିଭାଘରକୁ ତମେ ସ୍କୁଲ ପିଲାମନଙ୍କୁ କାମରେ ସାହାଯ୍ୟ କରିବା ପାଇଁ ମନା କରିଦେଲ । ଶୁଣିଲ ତ ସେଦିନ ଅଶୋକ କହୁଥିଲା...ସେକ୍ରେଟାରିଙ୍କ ପୁଅ ବିଭାଘର ହେଲା । କିପରି ବଡ଼ ବଡ଼ ପ୍ରିନ୍‌ସପାଲ୍ ଅଧ୍ୟାପକମାନେ ଆସି କାମ କରୁଥିଲେ । କିଏ ପତର ପକାଉ ପକାଉ ତାଙ୍କ ଚଦର ଖସି ପଡ଼ିଲାଣି ତ କାହାର ଟାଇ ଆସି ଝୋଳରେ ଲାଗି ରଙ୍ଗ ହୋଇଗଲାଣି । ସେଥିପାଇଁ ଭ୍ରୂକ୍ଷେପ ନାହିଁ । ଯେଉଁମାନେ କିଛି କାମ କରୁ ନଥିଲେ ସେମାନେ ତାଙ୍କ ପଛେ ପଛେ ଗୋଡ଼ାଉଥିଲେ । ଠିକ୍ ଯେମିତି ରାଣୀ ମହୁମାଛି ପଛରେ ଅନ୍ୟ ମହୁମାଛିମାନେ ଭିଡ଼ବାନ୍ଧି ଗହଳି କରନ୍ତି’’ ।

 

‘‘ଅଧ୍ୟାପକମାନେ କାମ କରୁଥିଲେ ଦାନର ପ୍ରତିଦାନ ଆଶାରେ । ଅଧ୍ୟକ୍ଷ ଡି.ପି.ଆଇ. ହେବେ । ଡି.ପି.ଆଇ କୁଳପତି ହେବେ । ତାଙ୍କର ଯଦି ଆଉ ସାମାନ୍ୟ ବ୍ୟବସାୟ ବୁଦ୍ଧିଥାଏ ତେବେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ ହେବେ କୁଳପତି ରୂପେ ଅବସର ଗ୍ରହଣ କରିବା ପରେ ।

 

ତା’ପରେ...ତା’ପରେ...ଯେଉଁ ଅଧ୍ୟାପକମାନେ ଅକ୍ଳାନ୍ତ ପରିଶ୍ରମ କରି କାମ କରିଛନ୍ତି ସେମାନଙ୍କୁ ସାହାଯ୍ୟ କରିବେ; କିନ୍ତୁ ମୁଁ କ’ଣ କରିପାରିବି । ରେବା ବିଭାଘର ଲାଗି ଯେଉଁ ଋଣ କରିଥିଲେ ତାହା ଆଜି ପର୍ଯ୍ୟନ୍ତ ପରିଶୋଧ ହୋଇପାରିଲା ନାହିଁ ।’’

 

‘‘ହଁ ମୁଁ ତ ସେଇଥିପାଇଁ ପଚାରୁଛି, କେଉଁଠିକୁ କେଉଁଠିକୁ ବଦଳି ହୋଇ ଯିବାଲାଗି କହିଛ । ପୁରୀ କିମ୍ୱା କଟକ ଯିବା ଯଦି କୌଣସି କାରଣରୁ ସମ୍ଭବ ନ ହୋଇପାରିଲା ତେବେ ଏଇଠି ପୁଣି ବୁଢ଼ା ଶୁଆ କେଁକଟର କେଁକଟର କରିବଟି । ନୁହେଁ ?’’

 

‘‘ସାମାନ୍ୟ ବିରକ୍ତିଭାବ ପ୍ରକାଶ କରି ରାଜକିଶୋର କହିଲେ ‘‘କ’ଣ କହୁଛି’’ ?

 

‘‘ମଲା ଏତେ କଥା କହିଲ...ମନ୍ତ୍ରୀ ଭାରୀ ଭଲ ଲୋକ । ଏତେ ଆଦର କଲେ । ଆଉ ଗୋଟିଏ ଦୁଇଟା ସ୍ଥାନ ନାମ କହି ଦେଇଥିଲେ କ’ଣ ପ୍ରଳୟ ହୋଇ ଯାଇଥାଆନ୍ତା ?’’

 

ପୁରୀ, କଟକ ସାଙ୍ଗକୁ କେନ୍ଦ୍ରାପଡ଼ା କହିଲ ନାହିଁ । ସେଠାକୁ ବଦଳି ହୋଇ ଯାଇଥିଲେ କେତେ ଆରାମରେ ଆମ ଘରେ ଯାଇ ରହନ୍ତେ । କିଛି ନ ହେଲେ ତ ଅନ୍ତତଃ ଘରଭଡ଼ା ଷାଠିଏ ଟଙ୍କା ଦେବାରୁ ରକ୍ଷା ପାଆନ୍ତେ ।’’

 

‘‘ବୁଝିଲ ମିନତୀ ଦେବୀ, ସବୁର ଗୋଟାଏ ସୀମା ଅଛି । ଚିହ୍ନା ପରିଚୟ ଅଛି ହଁ ତେବେ ମୋର ଗୋଟିଏ ସଂକୋଚ ତ ପୁଣି ରହିବା ଦରକାର । ସେମାନେ ତ ଶାସନରେ ଅଛନ୍ତି । ନ୍ୟାୟ ନିର୍ମଳ ସବୁ ପ୍ରତି ଦୃଷ୍ଟି ଦେଇ କାମ କରିବେ । ତମେ ବୁଝିପାରିବ ନାହିଁ ଜଣେ ଶିକ୍ଷକଙ୍କୁ ବଦଳି କରିବାକୁ ହେଲେ ତାଙ୍କ ଚେନ୍‌ରେ ଆହୁରି କେତେକଙ୍କୁ କିପରି ବଦଳି କରିବାକୁ ପଡ଼ିଥାଏ ।

 

‘‘ମୁଁ ବୁଝୁନି...ଶିକ୍ଷକ ଜଣଙ୍କୁ ବଦଳି କରିବାକୁ ହେଲେ ଏ ପୃଥିବୀ ଥରି ଉଠିବ । କେଉଁଠି ବନ୍ୟା ବିପତ୍ତି, କେଉଁଠି ମରୁଡ଼ି, କେଉଁଠାରେ ଅବା ମହାମାରୀ ଦୃଷ୍ଟିଗୋଚର ହେବ । ମନ୍ତ୍ରୀ କିପରି ଏଡ଼େ ଅନିର୍ମଳ କାମ ଆମ ପାଇଁ କରିବେ ? ବଦଳିଟାଏ କରିଦେବା ବେଳକୁ ଅନିର୍ମଳ ହୋଇଯିବ ଆଉ ଏ ସବୁ କେଉଁ ନିର୍ମଳରେ ଯାଏ ? ସେଦିନ ପରା ସିଏ କିଏ ଆମ ଘରକୁ ଆସିଥିଲେ । କହୁଥିଲେ-ମୋର ନାଁ ମନେ ପଡ଼ୁନାହିଁ । ଜଣେ କିଏ ମନ୍ତ୍ରୀ ନିଜେ ଜଣେ ମାଷ୍ଟ୍ରଙ୍କର ଘରକୁ ଆସି ତାଙ୍କ ଭଉଣୀକୁ ଦଶ ନମ୍ୱର ଦେବାପାଇଁ କହିଥିଲେ । ସବୁଦିନ ପାଇଁ ଫାଷ୍ଟ ପିଲା ସେକେଣ୍ଡ ହେଲା । ଯିଏ ପିଲା ମୋଟେ ପାଶ୍ କରିପାରୁ ନ ଥିଲା ସେ ରେକର୍ଡ଼ ଭାଙ୍ଗିଲା ତାଙ୍କ ଭାଇ ମନ୍ତ୍ରୀ ହେଉ ନ ହେଉଣୁ । ଏସବୁ କେଉଁ ନିର୍ମଳରେ ଯାଏ ? ବଡ଼ ନେତାମାନଙ୍କ ନାମ ସଙ୍ଗରେ ନିଜ ନାମ ଯୋଡ଼ି ବ୍ୟାଙ୍କ୍ ଗଠନ କରି ଗରିବ ଲୋକଙ୍କୁ ଭୁଲାଇ ଅର୍ଥ ଆତ୍ମସାତ୍ କରିବାଟା କେଉଁ ସାଧୁତାରେ ଯାଏ ? ସେହି ପରମାନନ୍ଦ ବାବୁ ଏମ୍‌. ଏଲ୍. ଏ. ପରା ମନ୍ତ୍ରୀଙ୍କ ଭାଇ । ମନ୍ତ୍ରୀ ହେବା ପୂର୍ବରୁ ତ ସେ ଆମମାନଙ୍କ ପରି ସାଧାରଣ ଭାବେ ଭଲଲୋକ ଥିଲେ । ଆଜି ଏପରି କ’ଣ ହୋଇଗଲେ କି ? ତମେ ଆଉ ଗୋଟାଏ ଦୁଇଟା ସ୍ଥାନ କହି ଦେଇଥିଲେ ଖାଇଯାଇ ଥାଆନ୍ତେ ?’’

 

‘‘ସାର୍ ।’’ ଶରତ୍‌ର ପାଟି ଶୁଣି ରାଜକିଶୋର ଘର ଭିତରେ କହିଲେ—‘‘ତମେ ସବୁ ପଢ଼ୁଥାଅ । ମୁଁ ଯାଉଛି । ଆଲ୍‌ଜେବ୍ରା କର ।’’

 

‘‘ସାର୍‌, ଆମେ ଆଜି ଟିଉସନ ହେବୁନାହିଁ ।’’

 

‘‘କାହିଁକି କୁଆଡ଼େ ଯିବ କି ?’’

 

‘‘ସଭା ଅଛି । ସମସ୍ତ ଛାତ୍ର...ସ୍କୁଲ କଲେଜରେ ଯେତେ ଛାତ୍ର ପଢ଼ୁଛନ୍ତି ତାଙ୍କର ଗୋଟାଏ ସଭା ହେବ । ଜରୁରୀ ସଭା । ସହରରେ ଚିନି ଦର ବଢ଼ି ଯାଉଛି । ସେ ସମ୍ପର୍କରେ କ’ଣ କରାଯିବ ନିଷ୍ପତ୍ତି ନିଆଯିବ ।’’

 

ରାଜକିଶୋର ମନେ ମନେ ବିରକ୍ତି ହେଲେ; କିନ୍ତୁ କିଛି କହିଲେ ନାହିଁ । ଚିନି ଦର ବଢ଼ିଯିବ । ପ୍ରତିକାର ସ୍ଥିର କରିବେ ପଢ଼ାପିଲା । ଡାକ୍ତରଙ୍କ ବଦଳି ବନ୍ଦ ହେବ, ଛାତ୍ରମାନେ ଧର୍ମଘଟ କରିବେ । ଅନଶନ କରିବେ । ପିକେଟିଂ କରିବେ । ଧନ୍ୟ ଗାନ୍ଧୀ, ତମେ ପିକେଟିଂ ଶିଖାଇଲ, ଅନଶନ ଶିଖାଇଲ । ମାଙ୍କଡ଼ ହାତରେ ଶାଳଗ୍ରାମ । ଆଜି ହେଲେ ତମେ ଶତବାର୍ଷିକୀରେ ଫେରି ଆସି ଆଉ ଥରେ ଏ ବଂଶଧରଙ୍କୁ କହି ଯାଆନ୍ତ ତମେ ଯେଉଁ ପଥ ଧରିଛ ସେ ଭୁଲ୍ ପଥ । ସାବଧାନ ହୁଅ । ଦେଶ ରକ୍ଷା ପାଇଯାଆନ୍ତା ।

 

ଶରତ୍ ଓ ଅନ୍ୟ ତିନିଟି ଛାତ୍ର ଯିବାପାଇଁ ଉଦ୍ୟତ । ହଠାତ୍ ସନାତନ ବାବୁ ଆସି ପହଞ୍ଚିଲେ । ସ୍କୁଲର ଇଂରେଜୀ ଶିକ୍ଷକ । ରାଜକିଶୋରଙ୍କ ଏକାନ୍ତ ବିଶ୍ୱସ୍ତ । ପିଲାମାନେ ଅଟକି ଗଲେ । ସନାତନ ବାବୁ ପଚାରିଲେ ‘‘କ’ଣ କିଛି ହେଲା ?’’

 

‘‘ପନ୍ଦର ଦିନ ମଧ୍ୟରେ କରିଦେବେ ବୋଲି କହିଛନ୍ତି ।’’

 

କୌଣସି ଅପ୍ରତ୍ୟାଶିତ ପଦାର୍ଥ ଲାଭ କଲା ପରି ଉଦ୍‌ବେଳିତ ହୋଇ ସନାତନ ବାବୁ କହିଲେ ମୁଁ କହୁ ନ ଥିଲି । ଆପଣ ନିଜେ ଯାଇ ସାକ୍ଷାତ୍ କରି କହନ୍ତୁ । ସେ ନିଶ୍ଚୟ କିଛି କରିବେ ।

 

ରାଜକିଶୋରବାବୁ ଓ ସନାତନ ବାବୁଙ୍କ ସାଂକେତିକ ଆଲୋଚନାରୁ ଗୋଟାଏ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଚାଲିଛି ବୋଲି ଅନୁମାନ କରି ଶରତ ପଚାରିଲା ‘‘ସାର୍ କ’ଣ ହୋଇଛି ?’’

 

ରାଜୋକିଶୋର ବାବୁ ମନା କରୁ କରୁ ସନାତନ ବାବୁ କହି ପକାଇଲେ-‘‘କିରେ ତମେ ସବୁ ଜାଣିନାହଁ । ତମ ସାର୍‌ଙ୍କର ବଦଳି ହୋଇଯାଉଛି । ସେ ଏଠାରୁ ଚାଲି ଯାଉଛନ୍ତି ।’’

 

ସତେ ଯେପରି ଗୋଟାଏ ବିରାଟ ଦୁଃସ୍ୱପ୍ନ ବାସ୍ତବରେ ପରିଣତ ହେବାକୁ ଯାଉଛି । ବଳଦ ପରି ଡିମା ଡିମା ଆଖି ଦୁଇଟିକୁ ବିସ୍ତାରିତ କରି ଶରତ୍ ଚାହିଁ ରହିଲା ସନାତନ ବାବୁଙ୍କ ମୁହଁକୁ...‘‘ ସାର୍‌ ଆମେ କ’ଣ କରିବୁ?’’

 

‘‘ସେ କଥା ମୁଁ କହିବି । ତମ ସାର୍ ଯିବେ । ତମେ କିପରି ବିଦାୟ ଦେବ ସେ କଥା ତମେ ସ୍ଥିର କରିବ ।’’ ରାଜକିଶୋରବାବୁ ଟିକିଏ ବସ କହି ଘର ଆଡ଼କୁ ଗଲେ । ସଭାକୁ ଯିବା କଥା ପିଲାମାନେ ଭୁଲିଗଲେ । ଶରତ୍‌ କୌଣସି ଗୋଟାଏ କାମରେ ଗଲା । ବାକି ରହିଲେ ନରେନ୍...ଶ୍ୟାମଳ...ରୂପ...ସମସ୍ତେ ସନାତନ ବାବୁଙ୍କ ପେଟ୍‌ । ଶରତ୍ ଯିବା ପରେ ସନାତନ ବାବୁ ଅଧିକ ନିର୍ଭୟଭାବେ କହିଲେ—‘‘ମୋତେ ପଚାରୁଛ ମୁଁ କ’ଣ କହିବି ? ଏଗୁଡ଼ା କ’ଣ ଆମର କହିବା କଥା ?’’

 

‘‘ଗତଥର ସ୍କୁଲରେ କିପରି ଗୁରୁଦିବସ ପାଳନ କରାଯିବ ହେଡ଼ସାର୍ ବତାଇଥିଲେ । ପ୍ରତ୍ୟେକ ସାର୍‌ଙ୍କ ହାତକୁ ଗୋଟିଏ ଗୋଟିଏ ନଡ଼ିଆ ଦେବ । ବେକରେ ଗୋଟିଏ ଲେଖାଏଁ ଫୁଲହାର ପିନ୍ଧାଇ ଦେବ । ଝିଅପିଲାମାନେ ନୂତନ ବସ୍ତ୍ର ଓ ଉତ୍ତରୀୟ ପ୍ରଦାନ କରିବେ । କପାଳରେ ଚନ୍ଦନ ଲେପନ କରିବେ । ଏସବୁ ପରେ ଦୀପ ଜଳି ଉଠିବ । ସମସ୍ତେ ମିଳିତକଣ୍ଠରେ ଗାଇ ଉଠିବେ । ‘‘ଗୁରୁଂଜ୍ୟୋତିଂ ପରମବ୍ରହ୍ମ ।’’ ତା’ପରେ ଛାତ୍ରମାନଙ୍କ ପକ୍ଷରୁ ଜଣେ ଭାଷଣ ଦେବେ । ତା’ପରେ ତା’ପରେ...। ସେ କଥାତ ପୁଣି ସାର୍ ବତାଇଥିଲେ ? କହିଲା....‘‘କେବଳ ସ୍କୁଲ ସାର୍ ନୁହେ କଲେଜ ସାର୍‌ମାନେ ମଧ୍ୟ କ’ଣ କରିବାକୁ ହେବ ପିଲାଙ୍କୁ ବତାଉଛନ୍ତି ।’’ ସନାତନବାବୁଙ୍କ ଦୃଷ୍ଟି ଆକର୍ଷଣ କରି କହିଲା, ସାର୍‌, ଜାଣନ୍ତି ନାହିଁ ନା ଆମ କଲେଜ ପିଲାମାନେ ନିକଟରେ ମନ୍ତ୍ରୀଙ୍କଘର ସମ୍ମୁଖରେ ଧାରଣା ଦେଇଥିଲେ । ସେ ନଥିବାବେଳେ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଅଶ୍ଳୀଳଭାବେ ଭର୍ତ୍ସନା କରିଥିଲେ । କାହିଁକି ? ତାଙ୍କ ସାର୍‌ଙ୍କ ବଦଳି ରଦ୍ଦ କରିବାକୁ । ସବୁତ କଲେଜ ସାର୍‌ମାନେ ବତାଇଥିଲେ । ତେବେ ଏଠି ସାର୍‌ ବଦଳି ହେଇଯିବେ । ଏହା କାର ସ୍ୱାର୍ଥରେ ଆଞ୍ଚ ଆଣୁନାହିଁ । ଆମେ କ’ଣ କରିବୁ ନ କରିବୁ ଆପଣ ବତାଇବେ ନାହିଁ କାହିଁକି ?

 

ସନାତନବାବୁ ଭୀଷଣ ଅନ୍ୟମନସ୍କ ଭାବେ କହିଲେ...‘‘ଗୋଟିଏ ବଡ଼ ଧରଣର ଫେୟାରୱେଲ ମିଟିଂ କର । ଯଦି କିଛି ଉପହାର ଦେବା କଥା ଭାବୁଥାଅ ତେବେ ଗୋଟାଏ ଉଲ୍‌ସୁଟ୍‌ ଦିଅ । ସେ ପାନଖାଆନ୍ତି । ରୂପାର ପାନବଟା ଗୋଟିଏ ଦେଇପାର । ଛତାଦେଲେ ପ୍ଲାଷ୍ଟିକବେଣ୍ଟ ଥିବା ଭଲ କନାର ଖଣ୍ଡେ ଛତା ଦେଇପାର ।’’

 

ରାଜକିଶୋରଙ୍କ କାନରେ ପଡ଼ିଗଲା । ସେ କହିଲେ—ସନାତନବାବୁ ଏସବୁ ପ୍ରହସନ କରିବାକୁ ମନାକର । ମୁଁ ଚାହେଁ ଏଠାରୁ ଚୁପ୍‌ଚାପ୍‌ ବିଦାୟ ନେଇ ଚାଲିଯିବାକୁ ।

 

ଛୋଟ ଝିଅ ମିତା ପାଟି ଶୁଭୁଥାଏ । ସେ ମିନତୀଦେବୀଙ୍କୁ ତାଗିଦା କରୁଛି, ‘‘ମୋ’ ଭାଇ କହୁଛି କୁକୁଡ଼ାଗୁଡ଼ା ଖାଇ ଦେବା; କିନ୍ତୁ ଦେଖ ଛୋଟ କୁକୁଡ଼ା ଚିଆଁ ଯାହା ମୁଣ୍ଡରେ ଟିପା ରହିଛି ତାକୁ ଯେପରି ମରା ନଯାଏ ସାବଧାନ । ମୁଁ ତାକୁ ସାଙ୍ଗରେ ନେବି । ସେ ମୋତେ ଭାରି ଭଲପାଉଛି । ସେ ମୋ ସାଙ୍ଗରେ ସ୍କୁଲ ଯିବ ।’’ ଏକଥା ଶୁଣି ସନାତନବାବୁ ହସିଲେ—କ’ଣ ମିତା ଯିବାପାଇଁ ପ୍ରସ୍ତୁତ ହୋଇଗଲାଣି ।

 

ସନାତନବାବୁଙ୍କୁ ରାଜକିଶୋର ଇଙ୍ଗିତ ଦେଲେ ପଛ କବାଟ ଦେଇ ଚାଲି ଯାଉଥିବା ଭଦ୍ରମହିଳାକୁ ଲକ୍ଷ୍ୟ କରିବାକୁ । ‘‘ସେ କିଏ’’ ପ୍ରଶ୍ନକଲେ ସନାତନବାବୁ ତାଙ୍କୁ ଚାହିଁ ନ ଚାହିଁଲା ପରି ଭଙ୍ଗୀକରି ।

 

ଆମର ପଡ଼ୋଶୀ ବି.ଡ଼ି.ଓ.ଙ୍କ ସ୍ତ୍ରୀ । ଦୁଇଦିନ ତଳେ ଆମ ଗଉଡ଼ ତାଙ୍କର ଢାଳି ଦେଉଥିବା ତୋରାଣି ଆଣି ଗାଈକୁ ପିଇବାକୁ ଦେଇଥିଲା । ଏଇଟା ହେଲା ଆମର ଦୋଷ ।

 

ସେଥିପାଇଁ ଆମ ସଙ୍ଗରେ ଭୀଷଣ କଳି କଲେ । କେବଳ ଗଉଡ଼କୁ ନୁହେଁ ତା’ର ମାଲିକଙ୍କୁ ମଧ୍ୟ ଜେଲ୍ ପର୍ଯ୍ୟନ୍ତ ଦେବେ ବୋଲି ଧମକାଇଲେ । ଭାଗ୍ୟକୁ ତାଙ୍କ ବାବୁ ନଥିଲେ । ନଚେତ...।

 

‘‘ଆଜି ପୁଣି ଏଠାରେ ?’’

 

‘‘ମିନତୀ ଦେବୀଙ୍କୁ ମୋ ବଦଳି କଥା କହୁଥିଲାବେଳେ ଆମ ଚଞ୍ଚଳା ଶୁଣିଥିଲା । ମୁଁ ଏପଟକୁ ଆସିବା ପରେ ସେ ମିନତୀଦେବୀଙ୍କଠାରୁ କେତେକ କଥା ବୁଝିନେଇଛି । ସେଥିରୁ ଗୋଟିଏ ହେଲା ମୋ କସରାଗାଈ ‘ମାଳତୀ’ର ବିକ୍ରି ସମାଚାର, ଏତେଦୂର ତ ନେଇହେବ ନାହିଁ । ବିକ୍ରିକରି ଦେଇଯିବୁ ।

 

ବି.ଡ଼ି.ଓ.ଙ୍କ ସ୍ତ୍ରୀ ଏ ସମ୍ୱାଦ ପାଇ ସଙ୍ଗେ ସଙ୍ଗେ ଚାଲି ଆସିଛନ୍ତି । ସେହି ମଣିଷ ସେହି ପାଟି । ମିନତୀ ସଙ୍ଗେ କେତେ ସୁଖଦୁଃଖ । ଆମେ ବଦଳି ହୋଇ ଯାଉଛୁ । ଆମପରି ପଡ଼ୋଶୀ ହରାଇ ସେମାନେ ମର୍ମାହତ । ଆଗମନର ସାରମର୍ମ ହେଲା ମାଳତୀକୁ ଯଦି ବିକ୍ରୀ କରାଯାଏ ତେବେ ତାଙ୍କୁ ଦେବୁ । ତାଙ୍କ ତୋରାଣୀଗୁଡ଼ା ନଷ୍ଠ ହୋଇ ଯାଉଛି । ସେ ସବୁ ଆଣିଲେ ଗାଈଟା ପିଅନ୍ତା । ଆମେ କାହିଁକି ଆଣୁ ନାହୁଁ । ସେଥିଲାଗି ଅଭିମାନପୂର୍ଣ୍ଣ ମୃଦୁଭର୍ତ୍ସନା । ଯିବାଦିନ ତାଙ୍କ ଘରେ ଯେପରି ଖାଇଯାଉ । ସେଥିପାଇଁ ଆଜିଠାରୁ ନିମନ୍ତ୍ରଣ ।

 

ବେଶ୍ ଭଲକଥା । ମନ୍ଦ କ’ଣ ହେଲା ? କେତେ ଆପଣାର କରୁଛନ୍ତି ।

 

ରାଜକିଶୋର ସାମାନ୍ୟ ବ୍ୟଙ୍ଗକରି କହିଲେ, ଗରିବ ଶିକ୍ଷକପରିବାର କେଉଁଠି ? ଆଉ ମାଟିର ଚଳନ୍ତି ପ୍ରତିମା ବି.ଡ଼ି.ଓଙ୍କ ଘରଣୀ କେଉଁଠି ? ସବୁ ସ୍ନେହ ମାୟାମମତା ସିନା ମାଳତୀ ପାଇଁ । ଏଇ ମାସକ ଭିତରେ ଛୁଆ ହେବ କି ନା ।

 

ସନାତନବାବୁ ହସିଲେ । କହିଲେ ଛାଡ଼ନ୍ତୁ ସେ କଥା । ଆଜି ଦୁନିଆରେ ସ୍ୱାର୍ଥ ନ ଥିଲେ କିଏ କାହା ମୁହଁକୁ ଚାହୁଁଛି ? ମୁଁ ଯାଉଛି ବଜାର ସାରି ଘରକୁ ଫେରିବି । କାଲି ସ୍କୁଲରେ ଦେଖାହେବ । ମନେକରି ଯାଇ ହେଡ଼ମାଷ୍ଟ୍ରଙ୍କୁ ସାକ୍ଷାତ୍‌ କରି ମନ୍ତ୍ରୀ ଯାହା କହିଲେ ଜଣାଇଦେବେ । ମନ୍ତ୍ରୀ ଆମର ବିଭାଗୀୟ ମୁଖ୍ୟ ହୋଇ ପାରନ୍ତି, ମାତ୍ର ହେଡ଼ମାଷ୍ଟ୍ରେ ଆମର ଇମିଡ଼ିଏଟ୍‌ ବସ୍‌ । ସେସବୁ କଥା ଜାଣିବା ଉଚିତ ।

 

ପାନଖିଲକ ସନାତନ ବାବୁ ହାତକୁ ବଢ଼ାଇ ଦେଉ ଦେଉ ରାଜକିଶୋର କହିଲେ, ‘‘ନା ମୁଁ ସେ କଥା ମୋଟେ ଭୁଲି ଯାଇ ନାହିଁ ।’’

 

(ତିନି)

 

ସ୍କୁଲ ସମୟ ହୋଇଗଲା । ରାଜକିଶୋର ଦ୍ରୁତପଦରେ ଯାଉ ଯାଉ ରାସ୍ତା ପାର୍ଶ୍ୱରେ ଥିବା ପାନଦୋକାନୀକୁ ଡାକିଲେ, ‘‘ମକରା, ମୋ ପାନଭଙ୍ଗା ସରିଛି ତ ? କିରେ, କିମାମ ଦେବାକୁ ଭୁଲି ଯାଉଛୁ । ଟିକିଏ ବେଶୀ କିମାମ ଦେବୁ । କାଲି ଟାବ୍‌ଲେଟ୍‌ ଦେଇ ନଥିଲୁ ।’’ ମକରା ନଥିଲା । ତା’ ଭାଇ ରାମ ସେଦିନ ଦୋକାନରେ ବସେ । ବଡ଼ଭାଇ ନଥିଲା ବେଳେ ସେ ଦୋକାନରେ ବସେ-। ରାଜକିଶୋରଙ୍କୁ ସେ ଜାଣେ । ଆଜି ତାଙ୍କ କଥାବାର୍ତ୍ତା, ତାଙ୍କ ଚାଲିଲେ କେତେକ ପରିବର୍ତ୍ତନ ଲକ୍ଷ୍ୟକରି ପାରିଲା । ଅନେକଟା ଉତ୍ସାହ ଓ ଆନନ୍ଦର ଏକ ମଧୁର ସମନ୍ୱୟ । ସେ କହିଲା—ନା ଆଜ୍ଞା, ଟିକେ ଠିଆ ହୁଅନ୍ତୁ, ଭାଙ୍ଗି ଦେଉଛି ।

 

‘‘କ’ଣ ଭାଇ ନାହିଁକି ?’’

 

‘‘ନା, ଆଜ୍ଞା ।’’

 

‘‘ଆଚ୍ଛା, ଆଚ୍ଛା, ଟିକେ ଶୀଘ୍ର ଦେ, ବେଳ ହୋଇଗଲା । ହଁ, ରାମ ମନେକରି ମୋର କେତେ ବାକୀ ଅଛି ଟିକିଏ ହିସାବ କରି ମତେ କାଲି କହିବୁ । ତୋ ପଇସାଟା ଦେଇଦେବି । ଆଗରୁ ଛିଣ୍ଡାଇବା କଥା । ଯିବା ଆସିବା ବେଳ, ସମୟ ହେବ ନ ହେବ—’’

 

‘‘ଆଜ୍ଞା କୁଆଡ଼େ ଯିବେ କି ?’’

 

‘‘ଅନ୍ୟଆଡ଼େ ଯିବି । ବଦଳି ହୋଇଯାଉଛି ।’’

 

ସାମାନ୍ୟ ବେଦନା ପ୍ରକାଶ କରି ରାମ କହିଲା—‘ଆଜ୍ଞା, ହଉ ।

 

‘‘ଚାକିରୀ କରି ବଦଳିକୁ ଡରିଲେ ଆଉ ହେବ ? ତା’ ବ୍ୟତୀତ ମୋର ଏଠି ଅନେକ ଦିନ ହୋଇଗଲା ।’’

 

ପାନ ଖିଲଟିଏ ପାଟିରେ ପୁରାଇ, ବାକୀ କେତେଖଣ୍ଡ ପକେଟରେ ରଖି ରାଜକିଶୋର ଆଗକୁ ପାଦ ବଢ଼ାଇଲେ । ସେ ଟିକିଏ ଆଗକୁ ଯିବାପରେ ରାମ ଠାକୁରଙ୍କୁ ମୁଣ୍ଡିଆ ମାରି କହିଲା–‘ମା ସମଲେଶ୍ୱରୀ, ତୁଇ ଏକା ସାହା...’

 

‘ଏ କ’ଣ କରୁଛ ?’

 

‘‘କ’ଣ କରୁଛି ? ରାଜବାବୁ ତାଙ୍କଆଡ଼ୁ ପଇସାଟା ଦେଇଦେବେ ବୋଲି କହିଛନ୍ତି । ନ ଦିଅନ୍ତୁ । ସେ ଯେ ଦେବା ନାଁ ଧରିଛନ୍ତି ସେଇ ଢେର । ଲୋକଟା ମନ୍ଦ ନୁହେମ; କିନ୍ତୁ କ’ଣ କରିବି-? ସବୁବେଳେ ଅଭାବ । ପାଞ୍ଚ ପାଞ୍ଚଟା ପିଲା । ବିଚରା... ।’’

 

ରାଜକିଶୋର କିଛି ବାଟ ଆଗେଇଲା ପରେ ଦୁଧବାଲା ଅକସ୍ମାତ୍ ଦେଖା ହେଲା । ଡାକିଲେ—‘ଏ ପୁଅ ଶୁଣ ଶୁଣ । କାଲି ହେଉ ବା ଦିନ ଦୁଇଦିନ ମଧ୍ୟରେ ହେଉ, ତୋର କେତେ ପଇସା ହେଲା ମୋତେ କହିବୁ । ତୋ ପଇସାଟା ମନେକରି ନେଇଯିବୁ । ବୁଝିଲୁ ? ଆମର ବଦଳି ହୋଇଯାଇଛି । ଆମେ ଏଇ ସାତ ଆଠଦିନ ଭିତରେ ଚାଲିଯିବୁ ।’’

 

ଗଲା ତିନିମାସ ହେଲା ଦେଇନାହାନ୍ତି...’’

 

‘‘ଯାହା ହେଲା ସବୁ ହିସାବ କରିଥିବୁ । ମୁଁ ଦେଇଦେବି । ତମଭଳି ଗରିବଲୋକଙ୍କ ପଇସା ଖାଇ ମୁଁ ଚାଲିଯିବି ନାହିଁ ମ । ମୁଁ କ’ଣ ତମ ପୁଲିସ୍ ଇନ୍‌ସ୍‌ପେକ୍‌ଟର ହୋଇଛି କିରେ ? ହଁ ଭୁଲି ଯାଇଥିଲି....ଆରେ ଘରେ ଗୋରସ ଥିଲା ? ଥିଲେ ସଙ୍ଗେ ସଙ୍ଗେ ଅଧଲିଟର ଗୋରସ ନେଇ ମା’କୁ ଦେଇଆସିବୁ । ଆଜିର ପଇସାଟା ମା’ଙ୍କଠାରୁ ମାଗି ନେଇଆସିବୁ । ଘରକୁ କୁଣିଆ ଆସିଛନ୍ତି । ତୁ ଗୋରସ ନେଲେ ସେମାନେ ଚା’ ଖାଇବେ ।’’

 

‘ଯାଉଛି ଦେଖେ ଥିଲେ ଗୋରସ ନେଇ ଦେଇ ଆସିବି ।’’

 

ରାଜକିଶୋରଙ୍କ ପାଦରେ ଗତି ବୃଦ୍ଧି ପାଇଲା । ସେ ଗୁଣୁଗଣୁ ହୋଇ ମନକୁ ମନ କହିଲେ ଚାଉଳବାଲାର ସେହି ଦୁଇ ତିନିମାସର ବୋଧହୁଏ ବାକି ରହିଛି । ପରୀକ୍ଷା ଖାତା ଦେଖା ବାବଦ୍‌ ଟଙ୍କାଟା ହେଲେ ବୋର୍ଡ଼ ପଠାଇଦିଅନ୍ତା । ଦି ବର୍ଷ ଆସି ହେଲା । ଚିଠି ଦେଲେ ଉତ୍ତର ନାହିଁ-। ଏସବୁ ଧାର କିପରି ପରିଶୋଧ କରାଯିବ ଭାବି ହେଉ ନାହିଁ । ହେଉ ଦେଖାଯାଉ ।

 

ରାଜପଥର ଉଭୟ ପାର୍ଶ୍ୱରେ ବ୍ୟବସାୟୀମାନଙ୍କ ଦୋକାନ । ଦୋକାନୀମାନଙ୍କର ପ୍ରଲୁବ୍‌ଧ ଆଖି ଆଜି ରାଜକିଶୋରବାବୁଙ୍କ ଉପରେ । କାଲି ଏହି ଶିକ୍ଷକ ଜଣେ ମନ୍ତ୍ରୀଙ୍କ ଗାଡ଼ିରେ ଯାଉଥିଲେ । କେତେବାର ରାଜକିଶୋର ଏହି ରାଜପଥ ଉପରେ ଯାଇନାହାନ୍ତି । ମାତ୍ର କାହାର ଦୃଷ୍ଟି ଆକର୍ଷଣ କରିନାହାନ୍ତି; କିନ୍ତୁ ଆଜି ତାଙ୍କ ବିଷୟରେ ସମସ୍ତ ସଚେତନ । ସତେ ଯେପରି ତାଙ୍କର ନବକଳେବର ହୋଇଯାଇଛି । ମନ୍ତ୍ରୀ ମଟରର ରଙ୍ଗ ରାଜକିଶୋରଙ୍କ ମୂଲ୍ୟ ବୃଦ୍ଧି କରିଛି ।

 

ଦୋକାନ ଭିତରୁ ଜଣେ ବ୍ୟବସାୟୀ କହିଲେ ‘‘ଏହି ସେହି ରାଜକିଶୋର ବାବୁ ମନ୍ତ୍ରୀଙ୍କ ଦୋସ୍ତ । କାଲି.... ।’’

 

‘‘ଟିଚରସ୍‌ କମନ୍‌ରୁମ୍‌ରେ ରାଜକିଶୋର ପାଦ ଦେଲେ । ସମସ୍ତେ ବିସ୍ମିତ ନୟନରେ ଚାହିଁ ରହିଲେ । ସତେ ଅବା ଚିଡ଼ିଆଖାନାର ପିଞ୍ଜରା ଭିତରକୁ ଏକ ନୂତନ ଧରଣର ଜୀବ ପ୍ରବେଶ କଲା । କିଛି ସମୟପାଇଁ କମନ୍‌ରୁମ୍‌ ଗୁମରି ଉଠିଲା । ରାଜକିଶୋରବାବୁଙ୍କ ବଦଳି ଖବର ଶୁଣି ଶୁଭେଚ୍ଛୁ ବନ୍ଧୁମାନେ ଖୁସି ହେଲେ । ଯେଉଁମାନେ ସତରେ ତାଙ୍କ ବଦଳି ଚାହାନ୍ତି ନାହିଁ ସେମାନେ ମଧ୍ୟ ଦାନ୍ତ ଦେଖାଇଲେ କହିଲେ, ‘‘ଢିଙ୍କି ଯେଉଁଠିକି ଯିବ ସେହି ଧାନ କୁଟିବ । ଆମେ ଯେଉଁଠିକୁ ଯିବା ସେହି ଗଧଖାଟେଣି । ତେବେ ଆପଣଙ୍କର ଟିକିଏ ସୁବିଧା ହେବ । ଗାଁ ପାଖ । ଘରଦ୍ୱାର ଦେଖାଦେଖି କରିବେ । ଭଲ କଥା ଭଲ ହେଲା ।’’

 

ସନାତନବାବୁ କମନ୍‌ରୁମ୍‌ରେ ପ୍ରବେଶ କରି କହିଲେ ‘‘ହେଡ୍‍ମାଷ୍ଠ୍ର ଆସିଲେଣି ଯାଆନ୍ତୁ ଡାକୁଛନ୍ତି ।’’ ହେଡ଼ମାଷ୍ଟ୍ରଙ୍କ ନାମ ଶୁଣି ସଙ୍ଗେ ସଙ୍ଗେ ସେ ଉଠିଗଲେ । ଶିକ୍ଷକମାନଙ୍କ ମଧ୍ୟରେ ସ୍ୱଳ୍ପ ଆଲୋଚନା ପରେ ସ୍ଥିର ହେଲା ସେମାନଙ୍କ ପକ୍ଷରୁ ଟି ପାର୍ଟି ଦିଆଯିବ । ଛାତ୍ରମାନେ ଯେଉଁଦିନ ଫେୟାରୱେଲ ଦେବେ ସେହିଦିନ ଟି ପାର୍ଟି ଦିଆଯିବ । ଟି ପାର୍ଟିରେ ଯୋଗ ଦେଇ ସେ ସିଧା ଘରକୁ ଫେରିବେ ।

 

ହେଡ୍‍ମାଷ୍ଠ୍ରଙ୍କ ସଙ୍ଗେ କଥା ହୋଇ ଫେରିବା ପରେ ଉପସ୍ଥାନ ବହି ପାଇଁ ସେ ବିପ୍ରଚରଣଙ୍କ ପାଖକୁ ଗଲେ । ହେଡ଼୍‌କ୍ଲର୍କ । ସ୍କୁଲର ପରମାନେଣ୍ଟ୍‌ ଫିଚର୍‌ । କେବେ କାମରେ ନିଯୁକ୍ତ ହୋଇଥିଲେ ଓ କେବେ ଅବସର ନେବେ ସେ କେବଳ ଜାଣନ୍ତି । ସ୍କୁଲ ହତା ମଧ୍ୟରେ ଭୀଷଣ ପାୱାରଫୁଲ୍ । ତାଙ୍କୁ ବିରକ୍ତ କରିବା ଲାଗି ତାକତ ଦରକାର ।

 

ରାଜକିଶୋର ବିପ୍ରଚରଣଙ୍କ ହାତରେ ପାନ ଖଣ୍ଡିଏ ଚୁପ୍‌ଚାପ୍‌ ବଢ଼ାଇ ଦେଇ କହିଲେ ଚିଠିଟା ଆସିବା ସଙ୍ଗେ ସଙ୍ଗେ ଯେପରି ମୁଁ ସମ୍ୱାଦ ପାଏ ।

 

ହେଡ୍‍ମାଷ୍ଠ୍ରଙ୍କ ଅଫିସରୁ ରାଜକିଶୋର ଯେପରି ସହାସ୍ୟ ବଦନରେ ବାହାରି ଆସିଲେ ତାହା ବିପ୍ରଚରଣ ଲକ୍ଷ୍ୟ କରିଛନ୍ତି । ବିଗତ କେତେବର୍ଷ ମଧ୍ୟରେ ରାଜକିଶୋରଙ୍କୁ ଏପରି ଦେଖିବା ହୁଏତ ଏହି ପ୍ରଥମ ।

 

‘‘ହେଡ଼୍‌ମାଷ୍ଟ୍ରେ ଆଉ ସବୁ କ’ଣ କହିଲେ ?’’

 

‘‘ଆଉ କ’ଣ କହିବେ । ବଦଳି କଥା ଶୁଣି ଖୁସି ହେଲେ । ବାପା ମୋର ପକ୍ଷାଘାତ ରୋଗରେ ଆକ୍ରାନ୍ତ । ଘରକାମ ଆଉ କରିପାରୁ ନାହାଁନ୍ତି ଜାଣି ବ୍ୟସ୍ତ ହେଲେ । ହେଡ଼୍‌ମାଷ୍ଟ୍ରେ ଦେବପ୍ରତିମ ଲୋକ... । କହିଛନ୍ତି... ।

 

‘‘ପୂର୍ବ ହେଡ଼ମାଷ୍ଟ୍ରେ ଥିଲେ ? ପ୍ରଶ୍ନ କଲେ ବିପ୍ରଚରଣ ବାବୁ ।’’

 

‘‘ଛାଡ଼ନ୍ତୁ ଛାଡ଼ନ୍ତୁ ତାଙ୍କ ନାମ କହନ୍ତୁ ନାହିଁ । ସେ ମୋ ବଦଳି କଥା ଶୁଣି ଏହା କିପରି ନ ହୋଇ ପାରିବ ଚେଷ୍ଟା ଆରମ୍ଭ କରି ଦିଅନ୍ତେଣି । ଛାଡ଼ନ୍ତୁ ତାହା କଥା ।’’ ଉପସ୍ଥାନ ବହି ଧରି ସେ କ୍ଲାସ ଆଡ଼କୁ ବାହାରିବା ପୂର୍ବରୁ ଆଉ ଥରେ ସ୍ମରଣ କରାଇ ଦେଲେ—‘କ’ଣ ବିପ୍ରବାବୁ ମନେ ରହିଲାଟି ।’

 

‘‘ଆପଣ ଯାଆନ୍ତୁ ମୁଁ ମନେ ରଖିଲି ।’’

 

‘‘ଦୟାକରି ଦେଖିବେ ଯେପରି ଅନ୍ୟ କେହି ନ ଜାଣନ୍ତି ।’’

 

ଉପସ୍ଥାନ ବହି ଧରି କ୍ଲାସ ଆଡ଼କୁ ଯାଉ ଯାଉ ରାଜକିଶୋର ମନକୁ ମନ କହୁଥିଲେ ପୂର୍ବ ହେଡ୍‍ମାଷ୍ଠ୍ରଙ୍କ ଅପେକ୍ଷା ଏ ନିଶ୍ଚୟ ଭଲ । ସେ ହେଡ୍‍ମାଷ୍ଠ୍ରଙ୍କର ତମେ ଥିଲ ଧରମ ପୁଅ । ସ୍କୁଲକୁ ଯେଉଁସବୁ ସପ୍ଲାଇ ହୁଏ ତୁମେ ଦୁହେଁ ଅଧା ଅଧା ବାଣ୍ଟି ନେଉଥିଲ । ଆଉ ଏ ହେଡ୍‍ମାଷ୍ଠ୍ରଙ୍କ ଝିଅକୁ ତମେ ଭଉଣୀ କରିଛ । ଏ ହେଡ୍‍ମାଷ୍ଟ୍ରେ ପଇସାପତ୍ର ବିଷୟରେ ସାମାନ୍ୟ ଉଦାସୀନ । ତମେ ଏବେ ଫୁଲ୍ ପର୍‌ସେଣ୍ଟ୍ ଟା ନେଉଛ । ମୋ ଭାଗ୍ୟ, ତମମାନଙ୍କ ପରି ରାହୁମାନଙ୍କ କବଳରୁ ମୁଁ ମୁକ୍ତ ହେବାକୁ ଯାଉଛି ।

 

ରାଜକିଶୋର କ୍ଲାସରେ ପ୍ରବେଶ କଲେ । କ୍ଲାସଟି ଆଜି ସଂପୂର୍ଣ୍ଣ ନୀରବ । ସାର୍‌ଙ୍କ ବଦଳିରେ ଛାତ୍ରସମାଜ ମ୍ରିୟମାଣ, ଉପସ୍ଥାନ ନିଆଯିବା ପରେ ଗୋଟିଏ ଛାତ୍ର ଠିଆ ହୋଇ ପ୍ରଶ୍ନ କଲା । ‘‘ଆପଣ... ।’’

 

‘‘କିଏ କହିଲା ? କେଉଁଠି ଶୁଣିଲ ? ବଦଳି ହେଉଛି ସତ, ମାତ୍ର କଟକ କିମ୍ୱା ଅନ୍ୟ କେଉଁଠିକୁ ହେବ କିଛି ସ୍ଥିର ହୋଇ ନାହିଁ ।’’

 

ତା’ପରେ କ୍ଲାସରୁମ୍‌ରେ ମୁହ ଗୁଞ୍ଜରଣ ।

 

କୌଣସି ଏକ ଶିକ୍ଷକପ୍ରାଣ ଛାତ୍ରର ମର୍ମରିତ କଣ୍ଠର ସ୍ୱରମୂର୍ଚ୍ଛନା କ୍ଲାସ୍‌ ରୁମ୍‌ର ଗମ୍ଭୀର ପରିବେଶରେ ସ୍ପନ୍ଦନ ସୃଷ୍ଟି କଲା । ‘‘ଆପଣଙ୍କ ବଦଳିରେ ଆମେ ଅଧିକ କ୍ଷତିଗ୍ରସ୍ତ ହେବୁ ।’’

 

‘‘ମୁଁ ଯିବା ପୂର୍ବରୁ ତୁମର ଯାହା ପଢ଼ାହେବା କଥା ସାରିଦେଇ ଯିବି । ଯଦି କିଛି ବାକୀ ରହିଯାଏ ହେଡ଼ମାଷ୍ଟ୍ରେ ପଢ଼ାଇବେ ।’’

 

‘‘ସେ କଣ ଗ୍ରାମାର୍‌ ପଢ଼ାଇବେ ?’’

 

‘‘ହଁ ସେ ଗ୍ରାମାର୍‌ ପଢ଼ାଇବେ । ଗୋଳମାଳ କର ନାହିଁ’’ କହି ସେ ପଢ଼ାଇବାକୁ ଆରମ୍ଭ କଲେ । ସେଦିନ ପଠିତ ବିଷୟବସ୍ତୁ ସମ୍ପର୍କରେ ପ୍ରଶ୍ନ ନ କରି ସାର୍‌ଙ୍କ ବଦଳିକୁ କେନ୍ଦ୍ର କରି ଛାତ୍ରମାନେ ଏକାଧିକ ପ୍ରଶ୍ନ ପଚାରିଥିଲେ ।

 

କୌଣସିମତେ କ୍ଲାସ୍‌ ସାରି ରାଜକିଶୋର କମନ୍‌ ରୁମ୍‌କୁ ଫେରିଥିଲେ । ସେ କ୍ଲାସ୍‌ ଛାଡ଼ିବା ପରେ ନରେନ୍ଦ୍ର ସନ୍ତୋଷକୁ ଡାକି କହିଲା ‘ବାପା ଏବେ ଗ୍ରାମାର୍‌ ମୁଖସ୍ଥ କର । ନଚେତ୍‌ ଲ ଫେ । ଆଉ ସାର୍‌ ରହିବେ ନାହିଁ ଯେ ପରୀକ୍ଷା ହଲ୍‌ରେ ଗ୍ରାମାର୍‌ କହି ଦେବେ ।’ ସନ୍ତୋଷ ନରେନ୍ଦ୍ରଙ୍କ ମଧ୍ୟରେ କଳହ । ସନ୍ତୋଷ ରାଜକିଶୋରଙ୍କ ପାଖରେ ଟିଉସନ୍‌ ପଢ଼େ । ନରେନ୍ଦ୍ର ଯେଉଁ ଶିକ୍ଷକଙ୍କ ପାଖରେ ଟିଉସନ୍‌ ପଢ଼େ ତାଙ୍କ ମଧ୍ୟରେ ଓ ରାଜକିଶୋରଙ୍କ ମଧ୍ୟରେ ବିଭିନ୍ନ କରଣରୁ ମତାନ୍ତର । ତେଣୁ ସେମାନଙ୍କ ଛାତ୍ର ମଧ୍ୟରେ ଅନେକ ସମୟରେ ଏହିପରି କଟୁକ୍ତି ହୋଇଥାଏ ।

 

(ଚାରି)

 

ବିପ୍ରଚରଣଙ୍କର ତାଚ୍ଛଲ୍ୟପୂର୍ଣ୍ଣ ଉତ୍ତର ଶୁଣି ରାଜକିଶୋରଙ୍କୁ ଭୀଷଣ ଆଘାତ ଲାଗିଲା । ସେ କହିଲେ—‘‘ରାଜବାବୁ ଏତେ ବ୍ୟସ୍ତ କାହିଁକି ? ଆମେ ଆପଣଙ୍କ ବଦଳି ଆଦେଶ ଚାପି ରଖିବୁ ନାହିଁ । ଆମର ଏଥିରେ ସ୍ୱାର୍ଥ କ’ଣ ? ଆପଣ ଭଲରେ ରହିଲେ ଆମେ ଖୁସି ହେବୁ, ମାତ୍ର ଆପଣଙ୍କ ବଦଳି ଅର୍ଡ଼ର ଆସୁଛି କାହିଁ ? ରାଜକିଶୋର ବାବୁ । ଏ କଥା କହୁଛି ବୋଲି କିଛି ଭାବିବେ ନାହିଁ । ଆପଣ ରାଜନୀତି କରୁଥିବା ଲୋକଙ୍କ, କଥାରେ ଏତେଦୂର ବିଶ୍ୱାସ କରୁଛନ୍ତି କାହିଁକି ? ସେମାନେ ସତରେ କ’ଣ କେବେ ସତ କହନ୍ତି ? ଦେବାନେବା ଦୁନିଆରେ ଦାନ ନ ଦେଇ ପ୍ରତିଦାନ ଆଶା କରିବା ଠିକ୍‌ ନୁହେଁ । ଆପଣ ତ ନିଜେ କହୁଛନ୍ତି ଅନ୍ୟ କିଛି ଥାଉ ପି.ଏ.ସାହେବଙ୍କୁ ପାନଖଣ୍ଡେ ଯାଚି ନାହାନ୍ତି । ଯାଆନ୍ତୁ ପାଆନ୍ତୁ ବଦଳି ଇଚ୍ଛା ଥିଲେ ଦିନେ ଦୁଇଦିନ ଭୁବନେଶ୍ୱରରେ କଟାଇ ଫେରିବେ । ଦେବତାଙ୍କୁ ଚାହିଁ ନୈବେଦ୍ୟର ବ୍ୟବସ୍ଥା କରିବେ ।’’

 

ଅଚାନକ ଶରବିଦ୍ଧ ହେବାର ଯନ୍ତ୍ରଣା ନେଇ ସେ ସ୍କୁଲରୁ ଫେରୁଛନ୍ତି, ଜଣେ ପୁରାତନ ଛାତ୍ର ପ୍ରଶ୍ନ କଲେ-‘‘କ’ଣ ସାର୍‌ ବଦଳି ବନ୍ଦ ହୋଇଗଲା ? ଆପଣ ଯିବେ ଯିବେ ହୋଇ ଆସି ଚାରିମାସ ହୋଇଗଲା । ଆଉ କେବେ ଯିବେ ?’’ ଦୀର୍ଘ ନିଃଶ୍ୱାସଟିଏ ମାରି ରାଜକିଶୋର ଉତ୍ତର ଦେଲେ—‘‘ବୁଝିଲ ନରେଶ । ସରକାରୀ କଳ । ଆମ ସୁବିଧା ଅସୁବିଧା ପ୍ରତି ତ କେବଳ ଦୃଷ୍ଟି ଦେଲେ ଚଳିବ ନାହିଁ । ବିଭାଗୀୟ କର୍ମକର୍ତ୍ତାମାନେ ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାମ କରିବେ-।’’

 

ସହକର୍ମୀମାନେ କିଏ କିପରି ପରିହାସ କରୁଥିଲେ । ନରେଶର ପ୍ରଶ୍ନବାଣରେ ଅର୍ଦ୍ଧଦଗ୍‌ଧ ଦେହ ସତେ ଯେପରି ତାଙ୍କର ଜଳିପୋଡ଼ି ସଂପୂର୍ଣ୍ଣ ପାଉଁଶ ହୋଇଗଲା । ଅସମ୍ଭବ ଦୁଶ୍ଚିନ୍ତାଭରା ଏପରି ଏକ ମନ ନେଇ ଘରେ ପାଦ ଦେଇଛନ୍ତି କି ନାହିଁ ମିନତୀ ଦେବୀ କହିଲେ-‘‘ଏଇ ତ ବି.ଡ଼ି.ଓଙ୍କ ଗାଡ଼ି ଛାଡ଼ିଲା । ତାଙ୍କ ସ୍ତ୍ରୀ ବାରମ୍ୱାର କହି ଯାଇଛନ୍ତି...ଆପଣଙ୍କ ବଦଳି ସମ୍ୱାଦ ସେ ଯେପରି ଠିକ୍‌ ସମୟରେ ପାଆନ୍ତି । ମାଳତୀକୁ ନେବା ଦାୟିତ୍ୱ ତାଙ୍କର । ସେ ସବୁ ବ୍ୟବସ୍ଥା କରିବେ ।’’

 

ରାଜକିଶୋର ଏ କଥା ଶୁଣି ଗର୍ଜ୍ଜି ଉଠିଲେ । କହିଲେ-‘‘ମୁଁ କ’ଣ ତାଙ୍କ ଘରୋଇ ଚାକର ହୋଇଛି କି । ତାଗ୍‌ଦା କରି ଦେଇଗଲେ । ମନେକରି ସମ୍ୱାଦ ଦେବି...ଗାଈକୁ ନେବା ଦାୟିତ୍ୱ ସଂପୂର୍ଣ୍ଣ ତାଙ୍କର । ମୁଁ ଏଠାରେ ବସିଛି ବେଠିଆ, ନୁହେଁ ? ଗାଈ ନେବା ଲାଗି ଯଦି ଏତେ ମନ ଏତେ ତାଗ୍‌ଦା ତେବେ ଗାଈ ସହ ତମକୁ ସାଙ୍ଗରେ ନେଇ ଗଲେ ନାହିଁ ? କ’ଣ ପାଟିରୁ ବାହାରି ଆସୁଛି ।’’

 

‘‘କ’ଣ ପାଟିରୁ ବାହାରି ଆସୁଛି ? ଅଯଥାରେ ଚିହିଁକି ଉଠୁଛ କାହିଁକି ? ବଦଳି ହେଲେ ତାଙ୍କୁ ଖବର ଦେବେ । ସେ ଗାଈ ନେବାର ବ୍ୟବସ୍ଥା କରିବେ । ହକ୍‌ ଟଙ୍କା ଦେବେ ଗାଈ ନେବେ । କିଛି ଯଉତୁକ ତାଙ୍କୁ ଦେଉନାହଁ । ସେ ଭୁଲ୍‌ କଲେ କ’ଣ ? ନିଜ ଭୁଲ୍‌ ଦେଖିବ ନାହିଁ । ସମସ୍ତଙ୍କ ଉପରେ ଏପରି ଚିଡ଼ିବ କାହିଁକି ? ଏଇ ଦେଖୁ ଦେଖୁ ଆଗ ବି.ଡ଼ି.ଓ. ବଦଳି ହୋଇଗଲେ । ଟ୍ରେଜେରୀ ଅଫିସର ଗଲେ । ହେଡ଼୍‌ ମିଷ୍ଟ୍ରେସ୍‌ ଗଲେ । ଆଉ ତମରି ସବୁଦିନେ ବଦଳି ଅର୍ଡ଼ର ଆସୁଛି ।’’ କର୍କଶ ସ୍ୱରରେ କହିଲେ ମିନତୀ ଦେବୀ ।

 

‘‘କହୁନ ତମ ବାପ ସାହେବଙ୍କୁ ଯାଇ ଧରାଧରି କରିବେ ।’’

 

‘‘ସାବଧାନ କରିଦେଉଛି ।’’ କ’ଣ କହି ଆସୁଥିଲେ ମିନତୀ, ମାତ୍ର ସନାତନ ବାବୁଙ୍କୁ ଦେଖି ଚୁପ୍‌ ହୋଇଗଲେ । ସେ ପ୍ରଶ୍ନ କଲେ—‘‘କ’ଣ ହୋଇଛି—।’’

 

ମିନତୀ ଦେବୀ ସଂଯତ ହୋଇ କହିଲେ...‘‘ମୁଁ ସେଥିପାଇଁ ୟାଙ୍କୁ କହେ ସରଳରେଖା ।’’

 

“କ’ଣ ହେଲା ? କଥା କ’ଣ ?’’

 

‘‘ଆଜି ଆସିବ କାଲି ଆସିବ ହୋଇ ଆସି ଚାରିମାସ ଗଲା । ବଦଳି ଅର୍ଡ଼ର କାହିଁ କିଏ କାହା କାମ ଆଜିକାଲି କରି ଦେଉଛି ? ମୁଁ କହିଲି ହୀରା ଅପା ମୋ ମାଉସୀଝିଅ ଭଉଣୀ ବର ଯୋଗାଣ ବିଭାଗରେ କାମ କରନ୍ତି । ତାଙ୍କର ସବୁଆଡ଼େ ଚଳପ୍ରଚଳ । ତାକୁ ଯାଅ କହିବ । ଦୁଇଶ ତିନିଶ ଯାହା ପଡ଼ୁ ଧରାଧରି କରି ବଦଳି ଅର୍ଡ଼ରଟା ନେଇ ଆସିବ । ଆମେ ଜିନିଷପତ୍ର ବନ୍ଧାବନ୍ଧି କରି ଆଉ କେତେଦିନ ଏମିତି ହଇରାଣ ହେଉଥିବା ? ଭୁବନେଶ୍ୱର ଯା କହିଲେ ପୃଥିବୀଟା ୟାଙ୍କୁ ମାଡ଼ି ପଡ଼ୁଛି ।

 

ସନାତନବାବୁ ପରିବେଶକୁ ସାମାନ୍ୟ ଲଘୁ କରିଦେବା ଲାଗି କହିଲେ... ମିନତୀ ଦେବୀ, ଆପଣ ଯାହା କହୁଛନ୍ତି ଆମର ସବୁ ଆଲୋଚନା ହୋଇଛି । ଏତେଦିନ ଗଲାଣି ଆଉ ଚାରି ପାଞ୍ଚଦିନ ଅପେକ୍ଷା କରିବାକୁ ମୁଁ କହୁଛି । ରବିବାର ତ ଛୁଟି । ସୋମବାର ଗଣେଶ ପୂଜା—ସେଦିନ ଛୁଟି । ଏହିପରି ଲାଗ ଲାଗ ଦୁଇଦିନ ଛୁଟି । ଯାଇ ଲାଭ ନାହିଁ । ତେଣୁ ତା’ପରେ ଦୁଇଦିନ ଛୁଟିନେଇ ଯିବାକୁ ସ୍ଥିର ହୋଇଛି ।

 

ରାଜକିଶୋର ସାମାନ୍ୟ ଶାନ୍ତ ହୋଇ ଯାଇଥିଲେ । ସେ କହିଲେ ‘‘ବୁଝିଲନା, ୟାକୁ ଅପମାନ ହୋଇଯାଉଛି । ସମସ୍ତେ ପଚାରୁଛନ୍ତି ବଦଳି କେବେ ହେଉଛି । ଘର କେବେ ଛାଡ଼ୁଛନ୍ତି । ଘର ମାଲିକ ସବୁଦିନ ପରି ଆଜି ବି ଆସିଥିଲେ ବୁଝିବାକୁ । ଆମେ ଘର କେବେ ଛାଡ଼ିବୁ । ସେ ନୂଆ ଲୋକଙ୍କୁ ଘର ଦେବେ ।

 

ଘର ଛାଡ଼ିବା କଥା ଠିକ୍‌ ଭାବେ ଜାଣିଲେ ଅନ୍ୟ ଲୋକଙ୍କୁ ଘର ଦେବା ନିମନ୍ତେ ଆଡ୍‍ଭାନ୍‌ସ ନେବେ । ଭଡ଼ା ପରା କୁଆଡ଼େ ବଢ଼ାଇ ଦେବେ । ସେମାନଙ୍କ କଥା ଶୁଣି ଆମର ବିରକ୍ତ ହୋଇ ଲାଭ କ’ଣ ହେବ । ସେମାନେ କୋଉ ଆମକୁ ଚାକିରି ଦେଇଛନ୍ତି ନା ବଦଳି କରିବା ତାଙ୍କ ହାତରେ । ମନ ଯାହା ହେଉଛି ନା ଯଦି ଅନ୍ୟ କିଛି ଉପାୟ ଥାଆନ୍ତା ଏହି ମୁହୂର୍ତ୍ତରେ ଇସ୍ତଫା ଲେଖି ସେ ମନ୍ତ୍ରୀଙ୍କ ମୁହଁକୁ ଫିଙ୍ଗି ଦିଅନ୍ତି । ତା ପି.ଏ.କୁ ଯୋତାରେ ସେକି ଦିଅନ୍ତି । ପୁଅ ମୋତେ ଚିହ୍ନନ୍ତା । ରାଜକିଶୋର କିଏ ? କ’ଣ କରିପାରେ । କହିଗଲେ ମୋଟେ ବ୍ୟସ୍ତ ହେବେ ନାହିଁ । ପ୍ରସ୍ତୁତ ଉହନ୍ତୁ । ସାତ ଦିନ । ଖୁବ୍‌ ବେଶୀ ହେଲେ ପନ୍ଦର ଦିନ ମଧ୍ୟରେ ଅର୍ଡ଼ର ପହଞ୍ଚିଯିବ-।’’

 

ସାନ୍ତ୍ୱନା ଦେଇ ସନାତନବାବୁ କହିଲେ ଏତେଦିନ ଗଲାଣି ଆଉ ଚାରି ପାଞ୍ଚ ଦିନର କଥା । ଅପେକ୍ଷା କରାଯାଉ । ଆପଣ ଏତେ ଉତ୍ତେଜିତ ହୋଇ କୌଣସି ଲାଭ ନାହିଁ ।

 

ରାଜକିଶୋର ଦରବୋଳା ଦାନ୍ତରେ ଆଉକିଛି ଗୁଡ଼ାଖୁ ବୋଳି ଘଷିବାକୁ ପୁଣି ଆରମ୍ଭ କଲେ । ସଞ୍ଜ ସକାଳେ ଏହିପରି ଦୁଇବେଳା ସେ ଗୁଡ଼ାଖୁରେ ଦାନ୍ତ ଘଷନ୍ତି । ବି.ଇ.ଡ଼ି.ଟ୍ରେନିଂ ପାଇବା ସମୟରୁ ଏହି ଅଭ୍ୟାସ ତାଙ୍କର ଆଉ ଯାଇନାହିଁ । ସେହିପରି ରହିଯାଇଛି ।

 

(ପାଞ୍ଚ)

 

ଗଣେଶ ଚତୁର୍ଥୀ । ସହରରେ ନୂତନ ଉଦ୍ଦୀପନା । ଆକାଶରେ ଉଜ୍ଜ୍ୱଳ ଆଲୋକର ଆଡ଼ମ୍ୱରପୂର୍ଣ୍ଣ ପରିବେଶ । ନୂତନ ପୋଷାକରେ ସୁସଜ୍ଜିତ କୁମାରୀକୁଳ ତଥା ଚିପାପେଣ୍ଟପିନ୍ଧା ଯୁବକମାନେ ଛୋଟ ସହରଟିକୁ ସତେ ଯେପରି ଜୀବନ୍ତ କରି ଉଠାଇଛନ୍ତି । ଯୁଗ-ଯୁଗାନ୍ତର ମହାନିଦ୍ରା ପରେ ତା’ର ପ୍ରାଣରେ ଆସିଛି ଜାଗରଣ । ସେ ଜାଗରଣ ନୂତନ ଦିଗନ୍ତର ଇଙ୍ଗିତ ଦେଇଛି ।

 

ସ୍କୁଲରେ ପୁଷ୍ପାଞ୍ଜଳି ଦେବାପାଇଁ ଯିବାକୁ ରାଜକିଶୋର ପ୍ରସ୍ତୁତ ହେଉଛନ୍ତି । ସାନପିଲା ଦୁଇଟି ବାପାଙ୍କ ସାଙ୍ଗରେ ଯିବାଲାଗି ଆସି ରାସ୍ତାରେ ଅପେକ୍ଷା କରିଛନ୍ତି । ସନାତନବାବୁ ଗୋଟିଏ ଚୌକିରେ ବସି ରହିଛନ୍ତି ।

 

ଯିବାପାଇଁ ଠିକ୍ ସେମାନେ ଘରୁ ବାହାରିଛନ୍ତି...ପରିଚିତ ଡାକ-ପିଅନଟି ତାଙ୍କରି ଦିଗରେ ଆଗେଇ ଆସୁଥିବାର ସେମାନେ ଲକ୍ଷ୍ୟ କଲେ । ସନାତନବାବୁ କହିଲେ, ମୁଁ କ’ଣ କହୁଥିଲି । ମୋର ଅନୁମାନ କେତେ ଠିକ୍‌ ଦେଖିଲେ ତ । ଡାକନ୍ତୁ ମିନତୀ ଦେବୀଙ୍କୁ...ଟ୍ରାନ୍‌ସଫର୍‌ ଅର୍ଡ଼ର ବାଇ ଓୟାର୍‌ ।’

 

‘‘ନା ଥାଉ, ଡାକ ନାହିଁ । ଏଥିଲାଗି ଗତକାଲି ସେ ମୋ ସଙ୍ଗେ କଳି କରିଥିଲା । ଯାହାହେଉ ଭଲ ହୋଇଛି । ଛୁଟିଦିନରେ ଅର୍ଡ଼ରଟା ଆସିଛି । ମୁଁ ବି ଡାକପିଅନକୁ କହିଥିଲି କିଛି ଜରୁରୀ ତାର କିମ୍ୱା ଚିଠି ଯଦି ମୋର ଆସେ ତେବେ ସଙ୍ଗେ ସଙ୍ଗେ ଘରକୁ ଆଣି ଦେଇଯିବାକୁ ।

 

ଡାକପିଅନ ନମସ୍କାର କରି ଟେଲିଗ୍ରାମଟି ବଢ଼ାଇ ଦେଲା । ସନାତନବାବୁ ସଙ୍ଗେ ସଙ୍ଗେ ଟେଲିଗ୍ରାମଟି ଚିରି ପଢ଼ିଲେ...ଅସମ୍ଭବ ଭାବେ ଗମ୍ଭୀର ହୋଇପଡ଼ିଲେ । କିଛି ନ କହି ରାଜକିଶୋରଙ୍କ ହାତକୁ ଟେଲିଗ୍ରାମଟି ବଢ଼ାଇ ଦେଲେ ।

 

ରାଜକିଶୋର ଟେଲିଗ୍ରାମଟି ପଢ଼ି ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । କେବଳ ଦୀର୍ଘ ନିଃଶ୍ୱାସଟିଏ ମାରି ମୁଣ୍ଡରେ ହାତଦେଇ ବସିଗଲେ । ଟେଲିଗ୍ରାମ ଉପରେ ଦୁଇ ଆଖିରୁ ଚାରିଟୋପା ଲୁହ ଟପ୍‌ ଟପ୍‌ ହୋଇ ଖସି ପଡ଼ିଲା ।

 

‘କ’ଣ ବଦଳି ଅର୍ଡ଼ର ଆସିଛି ? କେଉଁଠିକୁ ହେଲା ? ଏତେଦିନ ପରେ । ଯାହାହେଉ ମନ୍ତ୍ରୀଙ୍କର ଭଗବାନ ମଙ୍ଗଳ କରନ୍ତୁ ।’’ ଜାଣିବା ଲାଗି ପଚାରି ପଚାରି ମିନତୀ ଦେବୀ ଆସି ପହଞ୍ଚିଲେ ।

 

ସନାତନବାବୁ ଚୁମ୍ୱକରେ କହିଲେ ‘‘ଆପଣଙ୍କର ଶାଶୁ ଚାଲିଗଲେ ।’’ ‘‘ମା ଆଉ ନାହିଁ-।’’ ବାଷ୍ପରୁଦ୍ଧ କଣ୍ଠରେ ରାଜକିଶୋର ଆଉ କ’ଣ କହିଲେ ବୁଝାଗଲା ନାହିଁ ।

 

ଦୁଇଦିନ ତଳେ ରାଜକିଶୋରଙ୍କ ବାପା ତାଙ୍କୁ ଚିଠି ଲେଖିଥିଲେ । ସଂକ୍ଷେପରେ ଲିଖିତପତ୍ରର ପ୍ରତିଟି ଅକ୍ଷର ତାଙ୍କ ସମ୍ମୁଖରେ ଅତି ନିର୍ମମ ଭାବେ ନାଚି ଉଠିଲା । ଦୁର୍ଦ୍ଦିନ ନିର୍ମମ ଭାବେ ଏତେ ଅଚାନକ ଆଉ ଏପରି ଅସମୟରେ ଆସିଯିବ ବୋଲି ସେ କେବେ ଆଶଙ୍କା କରି ନ ଥିଲେ । ତାଙ୍କର ବାପା ଲେଖିଥିଲେ ଆୟୁଷ୍ମାନ୍‌ ରାଜକିଶୋର, ମୋର କଲ୍ୟାଣ ଗ୍ରହଣ କରିବ । ପିଲାମାନଙ୍କୁ ଆଶୀର୍ବାଦ । ତୁମର ମାତୃଦେବୀଙ୍କର ପ୍ରାୟ ଶେଷ ସମୟ ହୋଇଗଲା । ଆଉ ବେଶୀ ଦିନ ନୁହେଁ । ତୁମକୁ ଦେଖିବା ପାଇଁ ସେ ଅତିମାତ୍ରାରେ ବ୍ୟାକୁଳ । ତୁମେ କେବେ ଆସୁଛ-? ଗତ ଛ’ମାସ ଧରି ତମେ ଲେଖୁଛ ତୁମର ବଦଳି ହେଉଛି । ତୁମେ ସବୁଦିନ ପାଇଁ ଗାଁ ପାଖକୁ ଚାଲିଆସିବ । ସେ ବଦଳି କେବେ ହେବ ? ତମ ହାକିମଙ୍କ ଉପରେ ମୋର ଆଉ ଭରସା ନାହିଁ-

 

ମୁଁ ପକ୍ଷାଘାତ ରୋଗୀ । ମୋର ବି ଆଉ ବେଶୀଦିନ ନୁହେଁ । ତମେ ଏଣିକି ଆସି ତମ ଘର ଓ ଜମିଜମାର ଯତ୍ନ ନିଅ । ମୁଁ ଆଉ କେତେଥର କହିବି ? ତମେ ବର୍ତ୍ତମାନ ମୋର କଥାରେ କର୍ଣ୍ଣପାତ କରୁନାହଁ । ଘରକୁ ଆସିବାଲାଗି ମନ ବଳାଉ ନାହଁ । ମୁଁ ମଲା ପରେ ତମେ ନିଶ୍ଚୟ ଘରକୁ ଆସିବା; କିନ୍ତୁ ତମକୁ ମୁଁ ଆଉ ଦେଖିପାରିବି ନାହିଁ । ତୁମର ଶୁଭାଶୀର୍ବାଦକ ବାପା ।

 

ସନାତନବାବୁ ସାନ୍ତ୍ୱନା ଦେଲେ । ଆପଣ ପିଲାଙ୍କ ପରି ଅସ୍ଥିର ହେଲେ ଚଳିବ ନାହିଁ...-। ସ୍ଥିର ହେଲା ସନ୍ଧ୍ୟା ବସ୍‌ରେ ରାଜକିଶୋର ଗାଁକୁ ଯିବେ । ପରଦିନ ପିଲାମାନଙ୍କୁ ନେଇ ତାଙ୍କ ମାଉସୀପୁଅ ଗାଁକୁ ଆସିବେ । ଶିକ୍ଷକ, ଛାତ୍ର, ଭଦ୍ରଲୋକ, ଅଫିସର ଯେଉଁମାନେ ରାଜକିଶୋରଙ୍କୁ ଜାଣନ୍ତି ତାଙ୍କର ମାତୃବିୟୋଗ ସମ୍ୱାଦ ପାଇ ସମବେଦନା ପ୍ରକାଶ କଲେ ।

 

(ଛଅ)

 

‘‘ଶୀତ ସକାଳ......’’

 

‘ଆକାଶ ମେଘାଚ୍ଛନ୍ନ । ସୂର୍ଯ୍ୟୋଦୟ ଦେଖିବା ନିମନ୍ତେ ସାଗରବେଳାକୁ ଯାଇଥିଲି । ଅସୁମାରି ବାଲୁକାରାଶି ଉପରେ ମୁଁ ଧୀର-ମନ୍ଥର ଗତିରେ ପଦଚାରଣ କରୁଥାଏ । ସମ୍ମୁଖରେ ମୋର ବିଶାଳ ଜଳରାଶି, ଶାନ୍ତ ଗମ୍ଭୀର । ଦେବତାର ଅସୀମ ଦୟା । ମଣିଷ ଆଖିର ସମସ୍ତ ଅଶ୍ରୁ, ମନର ପୁଞ୍ଜୀଭୂତ ବେଦନା ପୋଛିନିଏ ।

 

‘‘ଧଳବାବୁ । (ଅପରିଚିତ କଣ୍ଠର ଡାକ ଶୁଣି ଚମକି ଉଠିଲି) କ’ଣ ଚିହ୍ନି ପାରୁଛନ୍ତି ?’’

 

‘‘ ହଁ, ଚିହ୍ନି ପାରିବି ନାହିଁ କାହିଁକି? ଆପଣ ରାଜକିଶୋର ବାବୁତ । କିପରି ଅଛନ୍ତି ? କେବେଠାରୁ ପୁରୀ ଆସିଲେଣି ?’’

 

‘‘ଏହି ସପ୍ତାହେ ହେଲା ଆସିଛି । (ସେ ଯେପରି ଏକ ନିଃଶ୍ୱାସରେ ଅନେକ କଥା କହନ୍ତି ସେହିପରି କହି ଚାଲିଲେ) ବଦଳି ହେବ ବୋଲି ଦେଢ଼ବର୍ଷ ପରେ ବଦଳି ହୋଇଛି ।’’

 

‘‘ମୋଟେ ନ ହେବା ଅପେକ୍ଷା ବିଳମ୍ବରେ ହେବା ବରଂ ଭଲ । ଆପଣ ପି.ଏ ଙ୍କୁ ଧନ୍ୟବାଦ ଜଣାଇଲେଣି ତ । ଲୋକମାନଙ୍କର ବିଳମ୍ୱରେ ମଧ୍ୟ ବଦଳି ହେଉ ନାହିଁ ।’’

 

କ’ଣ କହିବି ? କ’ଣ ଶୁଣିବେ ? ଚାକିରି ମୋର ଆଉ ଦୁଇମାସ ରହିଲା । ତା’ପରେ ଯାଇଁ ଗାଁରେ ରହିବି । ଘରବାଡ଼ି ଦେଖିବି । ବାପା ମା’ ଚାଲିଗଲେ । ବାପା କହିଥିଲେ ମୁଁ ମଲାପରେ ତୁ ଘରକୁ ଆସିବୁ । ତା’ପରେ ତୋର ବଦଳି ହେବ । ସତରେ ବାପା ମୋର ମଲେ, ମୁଁ ବଦଳି ହୋଇ ଆସିଲି । ବଦଳି ହୋଇ ଆସିଲି କହିଲେ ଠିକ୍‌ ହେବ ନାହିଁ ଧଳବାବୁ, ବରଂ... । ବୁଝିଲେ ଏଠାରେ ଜଣେ ମାଷ୍ଟ୍ରଙ୍କୁ ପନିସ୍‌ମେଣ୍ଟରେ ବଦଳି କରାଗଲା । ତାଙ୍କରି ଚେନ୍‌ରେ ମୁଁ ଆସିଛି । ଛାଡ଼ନ୍ତୁ ସେସବୁ କଥା କହି କିଛି ଲାଭ ନାହିଁ । ଆଉ ଦି’ମାସ କୌଣସି ମତେ କଟିଗଲେ ଯାଏ...ଛାଡ଼ନ୍ତୁ... । ଯାହାହେଉ ମୋତେ ଚିହ୍ନି ପାରିଲେ, ମନେ ରଖିଛନ୍ତି ଧନ୍ୟବାଦ । ଭୁଲି ଯାଇଥିବେ ବୋଲି ଭାବିଥିଲି ।

 

ଦୁହେଁ ସମୁଦ୍ରବେଳାରେ ସାଙ୍ଗ ହୋଇ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଗଲୁଁ । ସେ ମୋଠୁ ବିଦାୟ ନେଇଯିବା ପୂର୍ବରୁ ମୋତେ କୁଶଳ ପ୍ରଶ୍ନ କଲେ—‘‘ଆପଣଙ୍କର ସବୁ ଭଲ ତ ? ଶାନ୍ତିଦେବୀ ଭଲ ହୋଇ ଗଲେଣି ? ବର୍ତ୍ତମାନ କିପରି ଅଛନ୍ତି ?

 

ଶାନ୍ତିଦେବୀ ମୋର ଧର୍ମପତ୍ନୀ, ସାନିଟୋରିୟମ୍‌କୁ ଚିକିତ୍ସା ପାଇଁ ନେଇଥିବା ବେଳେ ଅଳ୍ପ ସମୟ ପାଇଁ ରେଳରେ ରାଜକିଶୋରଙ୍କୁ ଜାଣିବାର ସୁଯୋଗ ମିଳିଥିଲା । କୁଶଳ ପ୍ରଶ୍ନର କି ଉତ୍ତର ଦେବି ? ନୀଡ଼ହରା ନିଃସଙ୍ଗ ବିହଙ୍ଗର ମର୍ମବେଦନାର ପ୍ରତିଧ୍ୱନି କେଉଁ ଭାଷାରେ ପ୍ରକାଶ କରିବି ? ଚୁମ୍ୱକରେ ଉତ୍ତର ଦେଲି ‘‘ଡାକ୍ତରମାନଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଗଲା । ସେ ମୋତେ ଛାଡ଼ି ଚାଲିଗଲେ ।’’

 

ରାଜକିଶୋର ମତେ ନିର୍ବାକ୍‌ ହୋଇ ଚାହିଁ ରହିଲେ । କପାଳରେ ହାତମାରି କହିଲେ ସବୁ ଭାଗ୍ୟ.... ।

񤦬񤦬񤦬

 

ମୋହିନୀ କକା

 

ନଦୀ ପାର ହୋଇ ‘ବେଲପଡ଼ା’ ଗାଁରେ ପଶିବାକୁ ହେଲେ ନାରଣ ମୋଡ଼ ଦେଇ ଯିବାକୁ ପଡ଼ିଥାଏ । ସେହି ମୋଡ଼ ଉପରେ ମଟର, ଟ୍ରକ୍‌, ଜିପ୍‌ ପହଞ୍ଚିଲେ ତାର ଆଲୁଅରେ ଗାଁର ମଇଳା ଦାଣ୍ଡ, ଦରଛାଆଣି ଚାଳଘର ସବୁ ଝଲସି ଉଠେ । ହର୍ଣ୍ଣ ଶୁଣି ଗ୍ରାମବାସୀ ଜାଣନ୍ତି, ଗାଡ଼ି ମଟର ଜିପ୍‌ କିଛି ହେଲେ ଗୋଟାଏ ଆସୁଛି ।

 

ଏହି ମଫସଲ ଗାଁକୁ ଗାଡ଼ି ମଟର କମ୍‌ ଆସେ । ଯେବେ ଆସେ, ପିଲାମାନଙ୍କ ଭିଡ଼ ହୁଏ । ବୟସ୍କମାନେ ଚାହିଁ ରହନ୍ତି ଗାଡ଼ି ଭିତରେ କିଏ ଅଛି ଦେଖିବାକୁ । ମାତ୍ର ଏହି ଗଲା କେଇଦିନ ହେଲା ଗାଡ଼ି ମଟର ପାଇଁ ଲୋକଙ୍କ ଆଗ୍ରହ ଅନେକଟା କମି ଗଲାଣି । ସେମାନେ ଧରି ନେଲେଣି, ଏହି କୌଣସି ନ କୌଣସି ଦଳର ପ୍ରଚାରକଙ୍କର ଗାଡ଼ି ହୋଇଥିବ । ଗାଡ଼ିରେ ଦଳର ପ୍ରଚାରପତ୍ର ଓ ପତାକା ଭୋଟ ପାଇଁ ନିବେଦନ କରନ୍ତି । ଦଳର ନୀତି ନିୟମ ବୁଝାନ୍ତି । ଗାଁ ଲୋକେ ଭୋଟ୍‌ ଦେବାଲାଗି ପ୍ରତିଶ୍ରୁତି ଦିଅନ୍ତି । ମାତ୍ର ସେମାନେ ଚାଲିଗଲା ପରେ ଗାଁଲୋକଙ୍କ ମଧ୍ୟରେ ଆଲୋଚନା ଚାଲେ । ସିଦ୍ଧାନ୍ତ ହୁଏ । ସମସ୍ତେ ସମାନ । କେହି ଚୋର ହେଲେ କେହି ଡାକୁ । ସମସ୍ତେ କହନ୍ତି ମୋହିନୀ କକା ସେମାନଙ୍କ କଥା ବୁଝନ୍ତୁ । ସେ ଯାହା କହିବେ ।

 

ମୋହିନୀ କକା ଏହି ଛୋଟ ଗାଁର ଏକ ଶକ୍ତିଶାଳୀ ବ୍ୟକ୍ତି । ସେ ଭୀଷଣ ବେପରୁଆ । ନବାବ ପୁଅକୁ ଜାବାବ ଦେବା ଲୋକ । ଗାଁ ସ୍ୱାର୍ଥରେ ଆଞ୍ଚ ଆସିଲେ ସେ ତାହା କେବେ ବରଦାସ୍ତ କରନ୍ତି ନାହିଁ । ଗାଁରେ ତାଙ୍କ ଅଜଣାରେ ବିବାହ ବ୍ରତ, ମେଳା ମଉଚ୍ଛବ କିଛି ହୁଏ ନାହିଁ । ତାଙ୍କ ପ୍ରତିପତ୍ତି ଦେଖି ଅନେକ ଈର୍ଷା କରନ୍ତି । କହନ୍ତି, ସେ ଗୋଟାଏ ଟାଉଟର । ପରିହାସ କରି କହନ୍ତି, ଯେଉଁଦିନ ଦୁନିଆର ସବୁ ଟାଉଟର ଏକତ୍ର ହୋଇ ଏକ ଯୋଗ୍ୟତମ ନେତାପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ସେହିଦିନ ସେହି ମୋହିନୀଙ୍କର ଜନ୍ମ । ଏହାସତ୍ତ୍ୱେ, ଗାଁ ଲୋକେ ତାଙ୍କୁ ଶ୍ରଦ୍ଧା କରନ୍ତି । ତାଙ୍କୁ ଗାଁର ଅଭୟଦାତା ସିଦ୍ଧ କବଚ କହନ୍ତି । ଛୋଟ ଛୋଟ କଥା ଥାଉ, ମଣିଷ ମାରି ମଧ୍ୟ ତାଙ୍କୁ ଶରଣ ମାଗିଲେ ତାଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ମିଳିଥାଏ । ଗାଁ ଲୋକେ ତାଙ୍କ ବୁଦ୍ଧିର ପ୍ରଶଂସା କରନ୍ତି । କହନ୍ତି, ସେ କାହାଠାରୁ ଖାଉଥିବ ଖାଉ, ଆମର ତ ଖାଉ ନାହିଁ । ସେ ଖାଉଛି, ତାର ବୁଦ୍ଧି ଅଛି । ଅନ୍ୟ କେହି ପାରୁ ନାହିଁ । ସମସ୍ତେ ଆମେ ତାକୁ ଟାଉଟର କହୁଛେ, ମାତ୍ର ସୁବିଧା ଅସୁବିଧାରେ ତାର ଦୁଆରକୁ ନ ଯାଉଛି କିଏ ?

 

ମୋହିନୀ ଗାଁ ଲୋକଙ୍କ ଉଦ୍ଦେଶ୍ୟ ବୁଝିଲେ । ମୁହଁ ଉପରେ ଥିବା ପରଜାପତିଆ ନିଶରେ ହାତ ବୁଲାଇ ଆଣିଲେ, କହିଲେ; ଆଚ୍ଛା ଠିକ ଅଛି । ସେମାନେ ତ ଭୋଟ ପାଇବେ । ଏମ. ଏଲ. ଏ. ହେବେ, ମନ୍ତ୍ରୀ ହେବେ । ଗାଁ ଲୋକ ପାଇବେ କଣ ? ତିନି ତିନିଟା ନିର୍ବାଚନ ସରିଲା । ‘ବିଲୁଆଡ଼ିଆଁ’ ରାସ୍ତା ଉପରେ ମୁଠାଏ ମାଟି ପଡ଼ିଲା ନାହିଁ । କଣ କହୁଛ ପହଲୀ, ନୀଳ, ଶରତ ? ସମସ୍ତେ ଏକ ସ୍ୱରରେ ଉତ୍ତର ଦେଲେ ‘ହଁ’ । ମୋହିନୀ କହିଲେ, ଆଚ୍ଛା, ସେ ସବୁ ନ ହେଉ, ଆମ ଗାଁ ଦେବତୀ, ଯୁବକ ସଙ୍ଘ ପାଇଁ ଏଥର କିଛି ଟଙ୍କା ଏମାନଙ୍କ ଠାରୁ ନେବାକୁ ହେବ । ତୁମେ ସମସ୍ତେ ଟିକେ ସତର୍କ ହୁଅ । ଆମର ସବୁଦଳର ପତାକା ଅଛିଟି ? ବାକି ଗୋଟାଏ ବିରୋଧୀ ଦଳ କଂଗ୍ରେସୀ ଚରଖା ଥିବା ପତାକା ଆମର ଦରକାର । ମୁଁ ଆଜି କଟକ ଯାଉଛି ନେଇ ଆସିବି ।

 

ଯେଉଁ ନେତାମାନେ ଦେଶକୁ ଗଠନ କରିବା ଲାଗି ଯୋଜନା ଗଢ଼ୁଛନ୍ତି, ସରକାର ଚଳାଉଛନ୍ତି, ସାଧାରଣ ଗ୍ରାମବାସୀମାନେ ସେମାନଙ୍କଠାରୁ ଦି’ ପଇସା ଝଡ଼ାଇ ପାରିଲେ, ବାଘ ମୁହଁରୁ ଆହାର ଛଡ଼ାଇ ଆଣିବା ପରି ଆତ୍ମସନ୍ତୋଷ ଲାଭ କରୁଛନ୍ତି । ଧନ୍ୟ ଏ ଦେଶ । ସତରେ ଆମର ଗତି କୁଆଡ଼େ ? ଏହା ଅଗ୍ରଗତି ନା ପାଶ୍ଚାତ ଗତି ? ଏହା ଶୁଭ ନା ଅଶୁଭ ସଂକେତ ? ଏ ନେଇ ମୋହିନୀ ମୁଣ୍ଡ ଖେଳାଏ ନାହିଁ । ସେ ବୁଝିଛି, ନିଜେ ଭଲ ହେଲେ ଦୁନିଆ ଭଲ । ତୁମ ପଥରେ ଯିଏ କଣ୍ଟକ ତାକୁ ନିପାତ କର । କଣ୍ଟକହୀନ ପଥ ବ୍ୟକ୍ତିଗତ ଜୀବନରେ ଯେତିକି ପ୍ରୟୋଜନ ଜାତୀୟ ଜୀବନରେ ଅନୁରୂପ ପଥରେ ଆଧିକ୍ୟ ସେତିକି ଆବଶ୍ୟକ । ମୋହିନୀ ଏହି ବିଶ୍ୱାସ ନେଇ ବଂଚିଛି ।

 

ଦେବୀ ମନ୍ଦିର ବଉଳତଳ ଚଟାଣ । ମୋହିନୀ କାର୍ଯ୍ୟବ୍ୟସ୍ତତାର ପ୍ରତାରଣା କରି ଏପଟ ସେପଟ ହେଉଥାନ୍ତି । ଦେହରେ ଜହର ଜାକେଟ ପିନ୍ଧାଲୁଗା କଛା କାନି ତଳେ ଘୁଷୁରୁଛି । ପକେଟରେ ଲୋକକଂଗ୍ରେସ ଦଳର ଚିହ୍ନଥିବା ପତାକାଟା ଝୁଲୁଛି । ତାଙ୍କ ହିସାବ ଅନୁସାରେ ଏଥର ଏ ଗାଁକୁ ଆସିବେ ଲୋକକଂଗ୍ରେସ ନେତା ତାଙ୍କ କଥା କହିବା ନିମନ୍ତେ ।

 

ହର୍ନ ବଜାଇ ବଜାଇ ଜିପ୍‌ ଗାଁ ଭିତରକୁ ଆସିଲା । ଜିପ୍‌ ଭିତରୁ ଡ୍ରାଇଭର ପଚାରିଲା, ମୋହିନୀ ବାବୁଙ୍କ ଘର କୁଆଡ଼େ ? ବଉଳ ତଳ ଚଟାଣ ଉପରୁ ଅଭିମାନ ତଥା ଅଭିଯୋଗ କରି କରି ସେ ଜିପ୍‌ ଆଡ଼କୁ ଆସୁ ଆସୁ କହିଲେ; ଦୁଃଖବନ୍ଧୁ ବାବୁ ସାରିଦେଲେ । ମୁଁ କେବଳ ଆପଣଙ୍କୁ ଚାହିଁ ବସିଛି । ସମସ୍ତେ ଆସିଲେ, ଦୁଃଖବନ୍ଧୁ ବାବୁ କାହାନ୍ତି ? କାଲି ଗୋଟାଏ ପିଲା ହାତରେ ଗୁଡ଼ିଏ ପୋଷ୍ଟର ପଠାଇଥିଲେ ପାଇଛି । ତାହା ହାତରେ ସଂବାଦ ଦେଇଥିଲି, ସଙ୍ଗେ ସଙ୍ଗେ ଆସିବାକୁ । ସବୁ ଦଳ ଆସି ଫେରିଗଲେଣି । ଯିଏ ଯାହାକୁ ଯେପରି ଦେଇ ନିଜର କରି ନେଲେଣି-। ମୁଁ ଶେଷରେ ବାଧ୍ୟ ହୋଇ କାଲି କଟକରୁ ଗୋଟାଏ ଲୋକକଂଗ୍ରେସ ପତାକା ମଗାଇ ତଳ ସାହିରେ ଅଫିସ ଖୋଲିବାକୁ ସ୍ଥିର କରିଛି । ସେଠାରେ ସାହୁଘର ମଧ୍ୟରେ କଳହ । ବଡ଼ଭାଇ କଂଗ୍ରେସ ହୋଇଛି । ସାନ ତ ଆଉ ସ୍ୱତନ୍ତ୍ର କିମ୍ବା ସୋସିଆଲିଷ୍ଟ ହୋଇ ପାରିବ ନାହିଁ ? ସେ ହେବ ଆମ ପକ୍ଷର । ବ୍ୟସ୍ତ ହୁଅନ୍ତୁ ନାହିଁ । ମୋହିନୀ ଭାଇ ଥାଉ ତମେ କଣ ଆଉ ଗାଁର ତିନିଭାଗ ଭୋଟ ନ ପାଉଛ ? ଯାହା କେବଳ ଟିକେ ଆସିବାରେ ବିଳମ୍ବ କରି ଦେଲ । ହଉ ଛାଡ଼ । ତୁମେ ଆଉ ଏଠାରେ ସମୟ ନଷ୍ଟ କର ନାହିଁ । ପାଖ ଗାଁଗୁଡ଼ା ବୁଲିଦେଇ ଯାଅ । ମୁଁ ଶୁଣିଲି, ବିଷ୍ଣୁପୁର ନାରଣ ସ୍ୱତନ୍ତ୍ର ହୋଇଯାଇଛି ।

 

ଜିପ୍‌ ପାଖରେ ଜମା ହୋଇଥିବା ଲୋକମାନଙ୍କୁ ଏକ ସଂକ୍ଷିପ୍ତ ଭାଷଣ ଦେଇ ଦୁଃଖବନ୍ଧୁ ବାବୁ ଗାଁ ଛାଡ଼ିବା ପୂର୍ବରୁ ଟିକିଏ ଦୂରକୁ ଯାଇ ମୋହିନୀଙ୍କ ସଙ୍ଗେ ଦେବା ନେବାଟା ସ୍ଥିର କରିଦେଲେ । କର୍ମୀମାନଙ୍କ ପାଇଁ ଦିନକୁ ଚାରିଟଙ୍କା ହିସାବରେ ପନ୍ଦର ଜଣଙ୍କ ପାଇଁ ଯାହାହେଲା, ଅଫିସ ଘର ଭଡ଼ା ନିମନ୍ତେ କୋଡ଼ିଏ ଏଣୁ ତେଣୁ ଦଶ ଟଙ୍କା, ସବୁ ମିଶି ତିନି ଶହ ଟଙ୍କା ଦୁଃଖବନ୍ଧୁ ବାବୁ ବଢ଼ାଇ ଦେଲେ । ଆଉ କ’ଣ କହି ଆସୁଥିଲେ, ମାତ୍ର କିଛି କହିବା ପୂର୍ବରୁ ଆଉ ପଚାଶଟି ଟଙ୍କା ମୋହିନୀକୁ ବଢ଼ାଇ ଦେଇ ଦୁଃଖବନ୍ଧୁ ବାବୁ କହିଲେ, ମୋହିନୀ ଭାଇ ଏ ଟଙ୍କାଟା ତୁମର । ସେ ଥା’ଥା ମା’ମା ହୋଇ ନେବେ ନ ନେବେ ହୋଇ ଶେଷରେ ଟଙ୍କାଟା ଧରିଲେ । ଦୁଃଖବନ୍ଧୁ ବାବୁ କହିଲେ, ତୁମକୁ କିଏ ଟଙ୍କା ଦେଉଛି ରଖିଥାଅ, କ’ଣ ହଠାତ୍‌ ଦରକାର ହୋଇପାରେ । ଦୁଃଖବନ୍ଧୁଙ୍କ ଜିପ୍‌ ଷ୍ଟାଟ କଲା ।

 

(ମୋହିନୀ ଟିକେ ଇସରା ଦେଲେ ଦୂରରେ ବସିଥିବା ଯୁବକମାନେ ସ୍ଲୋଗାନ ଦେଲେ, ଲୋକକଂଗ୍ରେସ ମୂର୍ଦାବାଦ । ନିର୍ମଳ ଶାସନ ଧୋକାବାଜ୍‌ । ଚକ ଲଙ୍ଗଳ ଯେଉଁଠି, ଭୋଟ ଦେବୁ ସେଇଠି ।)

 

ମଝିସାହି ମୋଡ଼ରେ ସ୍ୱତନ୍ତ୍ର ପତାକା ମନ୍ଥର ପବନରେ ଉଡ଼ିଚାଲିଛି । ଦଳର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ପ୍ରାଦେଶିକ ନେତାମାନଙ୍କ ବଡ଼ ବଡ଼ ଫଟୋ ଥିବା ପୋଷ୍ଟର ଦେହରେ କଂଗ୍ରେସକୁ ହଟାଇବା ନିମନ୍ତେ ନିବେଦନ କରାଯାଇଛି । ସ୍ୱତନ୍ତ୍ର ଦଳ ଅଫିସ ବାରଣ୍ଡାରେ କେତେଜଣ ବସିଛନ୍ତି-। ସେଠାରେ ଥିବା ମାଇକକୁ ମଝିରେ ମଝିରେ ଯାହା କେବଳ ଶୁଭୁଛି ‘‘ସ୍ୱତନ୍ତ୍ର ପାର୍ଟି ଜିନ୍ଦାବାଦ, ଧାଇଁ ଧାଇଁ ଯିବ ଖରାରେ ଭୋଟ ମାରିବ ତରାରେ ।’’

 

ଲୋକକଂଗ୍ରେସ ଦଳର ଜିପ୍‌ଟି ଗାଁ ଛାଡ଼ିଯିବାର ପାଞ୍ଚ ଦଶ ମିନିଟ ହୋଇଛି କି ନାହିଁ, ଆସି ପହଞ୍ଚିଲା କଂଗ୍ରେସ ଜିପ୍‌ ଦେହରେ ବିରାଟ ପ୍ରଚାରପତ୍ର । କଂଗ୍ରେସକୁ ଭୋଟ ଦିଅନ୍ତୁ । ଦେଶରୁ ଗରିବି ହଠାନ୍ତୁ । ଜିପ୍‌ ଭିତରୁ ବରେନ୍ଦ୍ର ବାବୁ ଉଠି ବଉଳତଳ ଚଟାଣ ପାଖକୁ ଗଲେ । ଜଣେ ତାଙ୍କ ‘ମୋହିନୀଙ୍କୁ ଚିହ୍ନାଇ ଦେଲେ । ଅଳ୍ପଦିନ ହେଲା କଲେଜ ଛାଡ଼ିଛନ୍ତି । ବେଶ ପୋଷାକ ଚକ୍‌ଚାକ୍ । ଇସ୍ତ୍ରି ଭାଙ୍ଗ ଭାଙ୍ଗି ନାହିଁ । ତେବେ ନେତା ହେବା ନିମନ୍ତେ ଯେତିକି ପ୍ରତାରଣା ଦରକାର, ସେତିକି ଶିଖିଗଲେଣି । ମୋହିନୀ କହିଲେ, ବରେନ୍ଦ୍ର ବାବୁଙ୍କୁ ମୁଁ ଚିହ୍ନିଛି । ସେ ଆମ ଆଗରେ ପିଲା-। ଭଲ ହେଲା । ଆମେ ଆଉ କେତେଦିନ ବଞ୍ଚିବା ? ନୂଆ ପିଲାମାନେ ବାହାରନ୍ତୁ । ଦେଶ ତାଙ୍କର-। ସେମାନେ ଦେଶ ଚଳାଇବେ । ସଂକ୍ଷେପରେ ବରେନ୍ଦ୍ରବାବୁ କଂଗ୍ରେସର ନୀତିନିୟମ ବୁଝାଇଲେ । ତା ପରେ ଚାହିଁଲେ ଗ୍ରାମବାସୀଙ୍କଠାରୁ ପ୍ରତିଶ୍ରୁତି । କଂଗ୍ରେସକୁ ଭୋଟ ଦେବେ କି ନାହିଁ । ସମସ୍ତେ ମୋହିନୀ କକାଙ୍କୁ ଚାହିଁଲେ । ମୋହିନୀ ଗମ୍ଭୀର ହୋଇ କହିଲେ; ବରେନ୍ଦ୍ର ବାବୁ, ଆମ ଦେବୀମନ୍ଦିର ଓ ଯୁବକ ସଂଘ ପାଇଁ କିଛି ଦିଅନ୍ତୁ । ପିଲାମାନେ ଯାହା କରିବେ ମୁଁ କଣ କରିବି-?

 

ବରେନ୍ଦ୍ରବାବୁ ପ୍ରକାଶ୍ୟରେ କିଛି ନ କହି କହିଲେ, ଯାହା ଗୋଟାଏ କରିବା । ବ୍ୟସ୍ତ ହୁଅନ୍ତୁ ନାହିଁ । ଗାଁରେ ଦିଅଁ ଦେବତା ରହିବେ ନାହିଁ ନା ଯୁବକ ସଂଘ ରହିବ ନାହିଁ ? ସମସ୍ତେ ରହିବେ । ଆମର ଏ ହେଲା ଧର୍ମ ନିରପେକ୍ଷ ରାଷ୍ଟ୍ର । କିନ୍ତୁ ସାବଧାନ, ଆପଣମାନେ ଆଉ ଯାହା କରନ୍ତୁ ନ କରନ୍ତୁ, ସ୍ୱାଧୀନପ୍ରାର୍ଥୀ ବିସମିଲାଙ୍କୁ ଭୋଟ ଦିଅନ୍ତୁ ନାହିଁ । ସେ ଏ ଦେଶର ଶତ୍ରୁ । ମୁସଲମାନମାନେ ଆମର ଇତିହାସକୁ କଳଙ୍କିତ କରିଛନ୍ତି । ଆମକୁ କାଫେର କହି ଆଲ୍‌ହାଙ୍କ ନାମରେ ବଳି ଦେଇଛନ୍ତି । ପାକିସ୍ତାନ ଆକ୍ରମଣ ବେଳେ ଏମାନେ ପଞ୍ଚମ ବାହିନୀର କାମ କରିଛନ୍ତି-

 

ଏହା ଶୁଣି ପଛରୁ ଜଣେ ପ୍ରତିବାଦ କରି କହିଲା, ବିସମିଲା ଭାଇ ବିରୁଦ୍ଧରେ ଏ ସବୁ କ’ଣ କହୁଛ ? ତାକୁ ଆମେ ସବୁ ଜାଣୁ । ବିସମିଲା କହିଲେ କଂଗ୍ରେସ । କଂଗ୍ରେସ କହିଲେ ବିସ୍‌ମଲା । ସେ କୌଣସି ହିନ୍ଦୁଠାରୁ ସେ ଅଧିକ ହିନ୍ଦୁ । ସେ କିପରି କଂଗ୍ରେସ ଟିକେଟ ପାଇଲେ ନାହିଁ ସେକଥା ଆମେ ଜାଣୁ ।

 

ବରେନ୍ଦ୍ରବାବୁ ପରିସ୍ଥିତି କଥା ବୁଝିଲେ ଓ ଯିବା ନିମନ୍ତେ ଉଦ୍ୟତ ହେଲେ । ସମସ୍ତଙ୍କଠାରୁ ଟିକିଏ ଦୂରରେ ଯାଇ ମୋହିନୀଙ୍କଠାରୁ ଦେଣ ନେଣ ଛିଣ୍ଡାଇଲେ । ତାଙ୍କ ନିଜ ଖର୍ଚ୍ଚ ପାଇଁ ପାଞ୍ଚ ଶହ ଟଙ୍କା ଦେଲେ । ବାକି ହରିଜନ ସାହୀ ଲୋକଙ୍କୁ ସଜାଡ଼ିବାକୁ ଯାହାକିଛି ଦରକାର-। ସବୁ ଦିଆଯିବାର ପ୍ରତିଶ୍ରୁତି ସେ ଦେଲେ । ସବୁ ହେଲା । ବରେନ୍ଦ୍ରଙ୍କର ଟିକିଏ ଯାହା ସନ୍ଦେହ ରହିଲା । ତାଙ୍କ କାନରେ କେହି ମନ୍ତ୍ର ଫୋଡ଼ି ଥିଲା ମୋହିନୀଙ୍କ ଭୂମିକା ନେଇ । ସେ କ’ଣ କହି ଆଣୁଥିଲେ ।

 

ମୋହିନୀ କହିଲେ, ବୁଝିଲ ବରେନ୍ଦ୍ର । ଏ ଦେହରେ କଂଗ୍ରେସ ରକ୍ତ । ଆଉ ଅଧିକ କିଛି କହୁନାହିଁ । ଡ୍ରାଇଭର ଗାଡ଼ି ପୋଛିବାକୁ କନା ଖୋଜୁଥିଲା ମୋହିନୀ ପକେଟରୁ ଲୋକ କଂଗ୍ରେସ ପତାକା କାଢ଼ି ଡ୍ରାଇଭରକୁ ଦେଲେ । ଏହା ଦେଖି ସମସ୍ତେ ହସିଉଠିଲେ । ମୋହିନୀ କହିଲେ, ଆରେ ନିଅ । ମୁଁ ନାହିଁ କରୁଛି, ପତାକା ଓ ଗୁଡ଼ାଏ ପୋଷ୍ଟର ମୋ ହାତରେ ଗୁଞ୍ଜିଦେଇ ଯାଇଛନ୍ତି । ଏ ଗୋଠଖଣ୍ଡିଆ ଦଳ ଭୋଟ ପାଇବାପାଇଁ ଅଣ୍ଟା ଭିଡ଼ିଛନ୍ତି । ଅସରପା ଗୋଟିଏ ଚଢ଼େଇ ନା ଲୋକକଂଗ୍ରେସ ଗୋଟିଏ ଦଳ ? ନାଁ ଅଛି ନୀତି, ନିୟମ ନାଁ ଅଛି ଆଦର୍ଶ । ବରେନ୍ଦ୍ରବାବୁ ଗାଁ ଛାଡ଼ିବା ପୂର୍ବରୁ ମୋହିନୀ କକା କଂଗ୍ରେସ ପକ୍ଷରେ ସ୍ଲୋଗାନ ଦେଲେ ।

 

କଂଗ୍ରେସ ଜିପ୍‌ ଧୂଳି ଉଡ଼ାଇ ଗାଁ ଛାଡ଼ିଲା । ବରେନ୍ଦ୍ରବାବୁଙ୍କୁ ତାଙ୍କ ସହକର୍ମୀ କହିଲେ... ଏ ଗୋଟାଏ ମହାନ୍ ଟାଉଟର । କିଛି ବିଶ୍ୱାସ ନାହିଁ ସେ କ’ଣ କରିବ । ସେ ଯାହାହେଉ, ସେ ଲୋକକଂଗ୍ରେସ କିମ୍ବା ଜନସଂଘୀ ନୁହେଁ । ଦେଖିଲ ତ, ଗାଡ଼ି ପୋଛିବା ଲାଗି ଲୋକକଂଗ୍ରେସ ପତାକାଟା ବଢ଼ାଇ ଦେଲା । ବରେନ୍ଦ୍ର କହିଲେ, ଯାହା ହେଲେ ବି ନିର୍ବାଚନ ବେଳେ କେତେକଙ୍କୁ ବିଶ୍ୱାସ କରିବାକୁ ହେବ । ସେମାନେ ଟାଉଟର ହୋଇ ପାରନ୍ତି । ଡକାୟତ ହୋଇ ସାଧୁ ସଚୋଟ, ଭଦ୍ରଲୋକମାନେ ଏବେ ବି ରାଜନୀତିକୁ ଆସିବାକୁ ସମ୍ମାନଜନକ ମନେକରୁ ନାହାନ୍ତି । ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ହେବ । ମୋହିନୀ ଯାହା କହେ, ଏ ପାଞ୍ଚଖଣ୍ଡ ଗାଁମାନେ । ଯାହା କୁହ ନାଁ କାହିଁକି, ଲୋକଟା ଭୀଷଣ ଧୂର୍ତ୍ତ । କହି ଆସିଛି, ରାତିରେ ପୁଣି ତା ନିକଟକୁ ହଜାରେ ଟଙ୍କା ପଠାଇବାକୁ ପଡ଼ିବ ।

 

ପାଞ୍ଚବର୍ଷ ପରେ ନିର୍ବାଚନ । ନୂଆ ପବନ ନୂଆ କଥା । ଏହି ଛୋଟ ଗାଁର ଶାନ୍ତ ଜୀବନରେ ଏକ ବିରାଟ ଆଲୋଡ଼ନ, ଗ୍ରାମବାସୀମାନଙ୍କ ମନରେ ନୂଆ ସ୍ୱପ୍ନ । ସ୍ୱାଧୀନ ଦେଶର ନାଗରିକର ଗର୍ବ ଜାଗିଛି ମନରେ ଆଉ ପ୍ରାଣରେ । ପଚିଶବର୍ଷ ବିତିଗଲା ଅଥଚ ଗାଁ ଲୋକଙ୍କ ପାଇଁ ମୁଠାଏ ପେଟପୁରା ଖାଇବା ସମ୍ଭବ ହେଲା ନାହିଁ । ଦିନସାରା ହାଡ଼ଭଙ୍ଗା ଖଟଣୀ । ସାମାନ୍ୟ ସଉକ, ଭୋଜିମଉଜ, ମେଳା ମଉଛବ ଅର୍ଥ ପେଟରୁ କାଟି ଦୁଇପଇସା ଦେବା । ଗତ ପଚିଶବର୍ଷ ମଧ୍ୟରେ ଏ ଗାଁ ପାଇଁ କୌଣସି ପ୍ରତିନିଧି ଆ’ହା କରିନାହିଁ । ଯିଏ ବା ଆହା କରି ଥାଆନ୍ତେ ବିଭିନ୍ନ କାରଣରୁ ସେ ନିର୍ବାଚନ ବୈତରଣୀ ପାର ହୋଇପାରି ନାହାନ୍ତି । ତେବେ ଏହି ଅବସରରେ ଗାଁକୁ ଯିଏ ଭୋଟ ପାଇଁ ଆସୁଛନ୍ତି ସେମାନଙ୍କୁ ମୁହଁ ଉପରେ ପଦେ ଅଧେ ଯାହା ଶୁଣାଇ ପାରୁଛନ୍ତି । ଏଥିରେ ସେମାନଙ୍କର ଆତ୍ମସନ୍ତୋଷ । ନିର୍ବାଚନ ସମୟ ଯେତିକି ଯେତିକି ନିକଟ ହୋଇ ଆସୁଛି, ‘ବେଲପଡ଼ା’ ଗାଁରେ ମୋହିନୀଙ୍କର ବ୍ୟକ୍ତିତ୍ୱ ଓ ସାମର୍ଥ୍ୟ ଉପରେ ସେହି ଅନୁପାତରେ ବହୁ କୁହୁକମୟ କାହାଣୀ କାୟା ବିସ୍ତାର କରି ଚାଲିଛି । ତେବେ ମୋହିନୀ କକାଙ୍କର ଦରଦ, ତାଙ୍କ ଅଞ୍ଚଳରୁ ଜଣେ ପ୍ରକୃତ ପ୍ରତିନିଧି ଏ ପର୍ଯ୍ୟନ୍ତ ନିର୍ବାଚିତ ହୋଇ ପାରିଲେ ନାହିଁ । ସେ ଦୀର୍ଘ ନିଶ୍ୱାସ ମାରିଲା । ବିସ୍‌ମିଲା ଭାଇ ଆଉ କେତେଦିନ ବଞ୍ଚିବେ ? ଥରକ ପାଇଁ ବି ଜିତି ପାରିଲେ ନାହିଁ । କେଡ଼େ ସଚୋଟ ସତେ ? ମାଛିକି ମ’ କହିବେ ନାହିଁ । କଳା କଳା, ଧଳା ଧଳା ଯାହା ସତ, ସବୁ କ୍ଷେତ୍ରରେ ସମସ୍ତଙ୍କ ପାଇଁ ତାହା ସତ । ସେ ଏହାର ବ୍ୟତିକ୍ରମ କରି ପାରିବେ ନାହିଁ । ଏପରି ଲୋକ କି ରାଜନୀତି କରିବେ ?

 

ଗାଁ ଲୋକମାନେ ଖୁସି । ଦେବୀ ମନ୍ଦିର ପାଇଁ ମୋହିନୀ କକା ଟଙ୍କା ଯୋଗାଡ଼ କରି ପାରିଛନ୍ତି । ଯୁବକ ସଂଘର ପାଣ୍ଠି ମଧ୍ୟ ବଢ଼ିଛି । ଭୋଟ ଯି’ଏ ପାଉଛି ପାଉ । ସେ ଯାହାକୁ କହିବେ, ସମସ୍ତେ ତା’ରି ଚିହ୍ନରେ ଛକି ମୋହର ଦେବେ । ମୋହିନୀ କକା ଗାଁର ଯୁବକମାନଙ୍କୁ କହିଲେ, ସମସ୍ତେ ଆସିଲେ । ବାକି ନରେନ୍ଦ୍ର ବାବୁ । ପି.ଏସ୍‌. ପି. ପ୍ରାର୍ଥୀ । ଆସନ୍ତୁ ନ ଆସନ୍ତୁ କିଛି ଯାଏ ଆସେ ନାହିଁ । ତାଙ୍କ ହାତରେ ଖଡ଼ାନାସ୍ତି । ଖାଲି ବଚନ ଥୋଡ଼ା । ସେ ଏବେ ଥା’ଥା ମା’ମା ହେଉଛନ୍ତି । ଇନ୍ଦୀରାଭୂତ ତାଙ୍କୁ ଲାଗିଲାଣି । ଏବେ କେଉଁ ଦିନ ଆସି ଗୋଠରେ ଢୁକିବେ । ସନ୍ଧ୍ୟାରେ ସମସ୍ତେ ଏକାଠି ହେବେ କହି ମୋହିନୀ କକା ଚାଲିଗଲେ । ଯୁବକମାନେ ପଛରେ ହସିଲେ । କହିଲେ, ଯାହା କହନା କାହିଁକି ଗୁରୁ ବୋଲି ମାନିବାକୁ ହେବ ।

 

ସେଦିନ ସନ୍ଧ୍ୟାରେ ଯୁବକ ସଂଘର ପେଟ୍ରୋମାକ୍‌ସ ଲାଇଟ ସମସ୍ତ ଉଦ୍ୟମ ସତ୍ତ୍ୱେ ଜଳିଲା ନାହିଁ । ଧରମା ସାହୁଙ୍କର ଛୋଟ ଦୋକାନର ଯେଉଁ ଲଣ୍ଠନର କାଚ ତିନି ଭାଗ କଳା ପଡ଼ି ଯାଇଥିଲା, ତାହା ଅଣାଯାଇ ଜଳାହେଲା । ରାତି ଅନେକ ହେଲାଣି । କେତେକଙ୍କ ଆଖି ପତାରେ ନିଦର କୋମଳ ସ୍ପର୍ଶର ତୂଳୀ ରଙ୍ଗ ବୋଳି ସାରିଲାଣି । କେହି ବା ହାଇ ମାରୁଛି । ସମସ୍ତେ ମୋହିନୀ କକାଙ୍କୁ ଚାହିଁ ବସିଛନ୍ତି ।

 

ସମସ୍ତେ ଉଠି ଠିଆହେଲେ । ବିସ୍‌ମିଲା ଭାଇ ହାତ ଯୋଡ଼ି କ୍ଷମା ମାଗିଲେ ବିଳମ୍ବ ନିମନ୍ତେ । ତା’ପରେ ସଂକ୍ଷେପରେ କହିଲେ, ଆପଣମାନେ ଯାହା କରିବେ । ମୋର କିଛି କହିବାର ନାହିଁ । ବିତ୍ତଶାଳୀ ରାଜନୀତିଜ୍ଞଙ୍କ ପରି ମୋର ଗାଡ଼ି, ବାଡ଼ି (ଘର) ଟୋକା, ବୋକା କେହି ନାହାନ୍ତି-। ଆପଣମାନେ ମୋର ସର୍ବସ୍ୱ । ମୋର ଭରସା । ତା’ପରେ ଖଣ୍ଡିଆ ସାଇକେଲ ଆଡ଼କୁ ଚାହିଁ କହିଲେ, ପାଦ ଯେତିକି ବାଟ ଚଳାଇ ପାରୁଛି ସେତିକି ଯାଉଛି । ଧନ ବଳ ନାହିଁ । ମନ ବଳ ନେଇ ମୁଁ ନିର୍ବାଚନ ଲଢ଼ୁଛି । ପ୍ରଚାରପତ୍ର ଛପାଇବାର ସାମର୍ଥ୍ୟ ବି ନାହିଁ । ମୋର ସ୍ୱପ୍ନ ହେଲା, ଗାନ୍ଧୀର ସ୍ୱପ୍ନକୁ ବାସ୍ତବରୂପ ଦେବା । ମୋର ବିଶ୍ୱାସ ଏହା ଆଜି ନ ହେଲେ ମଧ୍ୟ କାଲି ହେବ-

 

ଏହାପରେ ମୋହିନୀଙ୍କ ନିବେଦନ କ୍ରମେ ଯିଏ ଯାହା ପାରିଲା ଆର୍ଥିକ ସାହାଯ୍ୟ ଦେଲା । ବିସମିଲା ଭାଇଙ୍କ ଆଖି ଦୁଇଟି କୃତଜ୍ଞତାରେ ଅଶ୍ରୁସିକ୍ତ ହୋଇ ଉଠିଲା । ଶେଷରେ ମୋହିନୀ ନିଜ ପକେଟରୁ ଗୋଟିଏ ନୋଟ୍‌ ବିଡ଼ା କାଢ଼ି ବିସ୍‌ମଲା ଭାଇ ପାଖରେ ଥୋଇଲେ ଆଉ କହିଲେ, ମୋତେ କିଣିବାକୁ ବିଭିନ୍ନ ଦଳ ଯେଉ ବହିନା (ଆଡ଼୍‌ଭାନ୍‌ସ) ଦେଇ ଯାଇଛନ୍ତି, ସେତକ ଦେଲି । ସେମାନେ ଜାଣନ୍ତି ନାହିଁ, ମୋହିନୀ ପଇସାରେ କିଣାବିକା ହୋଇ ପାରେ ନାହିଁ । କୌଣସି ପ୍ରଲୋଭନ ତା’ର ବିବେକକୁ କଳଙ୍କିତ କରିପାରେ ନାହିଁ । ମୋହିନୀଙ୍କ ଏ ଆଚରଣରେ ଗ୍ରାମବାସୀ ବିସ୍ମିତ ହେଲେ । ସେ ଗ୍ରାମବାସୀଙ୍କ ପକ୍ଷରୁ ଆଉ ଥରେ ପ୍ରତିଶ୍ରୁତି ଦେଲେ, ବିସ୍‌ମିଲା ଭାଇ ତୁମେ ଯାଅ । ଆମ ଗାଁରୁ ଖଣ୍ଡିଏ ଭୋଟ ଏପଟ ସେପଟ ହେବ ନାହିଁ । ତୁମେ ଜିତ ହାର ଏ ଅଞ୍ଚଳର ଆଠଖଣ୍ଡି ଗାଁର ଭୋଟରୁ ଖଣ୍ଡିଏ କେହି ନେଇ ପାରିବେ ନାହିଁ ।

 

ଅନ୍ଧକାରର ବହଳ ଆସ୍ତରଣ ଭେଦ କରି କେହି ଜଣେ ପ୍ରତିବାଦ କରିବାର ସ୍ୱର ଶୁଣାଗଲା । ବରେନ୍ଦ୍ରବାବୁଙ୍କ ଠାରୁ ଟଙ୍କା ନେଇ.........। ଯୁବକ କଂଗ୍ରେସ କର୍ମୀର ଧନ୍ୟ ସାହାସ, ମୋହିନୀ କକାଙ୍କ ମୁହଁ ଉପରେ କହୁଛି । ସମସ୍ତେ ଚିହିଁକି ଚାହିଁଲେ । ମୋହିନୀ ଚଢ଼ା ଗଳାରେ ଉତ୍ତର ଦେଲେ, ବୁଝିଲ ବାବୁ... ଏ ଟଙ୍କା ବରେନ୍ଦ୍ରବାବୁ ତାଙ୍କ ବୋପାଘରୁ ଆଣି ନାହାନ୍ତି । ହଁ ମୁଁ ଟାଉଟର ସତ, ମାତ୍ର ସଚ୍ଚୋଟ, ଗରିବଙ୍କ ପାଇଁ ଟାଉଟର ନୁହେଁ । ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଦେଶକୁ ନିଲାମ କରନ୍ତି, ସାଧାରଣ ଅର୍ଥ ଆତ୍ମସାତ କରନ୍ତି, କ୍ଷମତା ପାଇଲେ ଆପଣା ଲୋକଙ୍କୁ ଚିହ୍ନି ପାରନ୍ତି ନାହିଁ, ମୁଁ ସେହିମାନଙ୍କ ପାଇଁ ଟାଉଟର । ସେମାନଙ୍କ ବୁଦ୍ଧିବଳ ମୁଁ କଷେ । ଆମେ ଚାହୁଁ ସରକାରୀ କଳରେ ସଚ୍ଚୋଟ ଲୋକ ରୁହନ୍ତୁ । ସେଥିପାଇଁ ଆମେ ବାଛିଛୁ ‘ବିସ୍‌ମିଲା’ଭାଇଙ୍କୁ । ମାତ୍ର ସେ କ’ଣ କ୍ଷମତାକୁ ଆସି ପାରିବେ ? ‘ଏକା ମାଧିଆ ବତିଶ ପଳ । ଶାସନ କ୍ଷମତାକୁ ନ ଆସି ବିରୋଧି ଦଳରେ ରହି ମଧ୍ୟ ସେ ବିଧାନ ସଭାକୁ ଗରମ କରିଦେବ । ତୁମେ ତାଙ୍କୁ ଜାଣି ନାହଁ । ଗୋଟେ ନିଆଁ ହୁଳା । ସେ ହେଲେ ତ୍ୟାଗ, ଦେଶସେବାର ଜ୍ୱଳନ୍ତ ଜୀବନ୍ତ ପ୍ରତୀକ । ବରେନ୍ଦ୍ରବାବୁଙ୍କର ଏ ସବୁ କିଛି ନାହିଁ । କଂଗ୍ରେସ ଟିକେଟ ପାଇଗଲେ ମାଟିଟା ଆଉ ସୁନା ହୋଇଯିବ ନାହିଁ । ଟଙ୍କା ଦେଖି ମଣିଷର ବିଚାର ହୁଏନାହିଁ । ତୁମେ ପାଠୁଆ ପିଲା । ମଣିଷ ଚିହ୍ନି ପାରିଲ ନାହିଁ । ମଣିଷକୁ ଚିହ୍ନିବାକୁ ସାଧନା ଲୋଡ଼ା । ତୁମର ସେ ସାଧନା ନାହିଁ । ଆମେ ସବୁ ମଣିଷ ।

 

ମାତ୍ର ଟାଉଟରଙ୍କୁ ଚିହ୍ନିଲି.....ମୋହିନୀ ବାବୁ ।

 

ଶ୍ରାବତ୍ସ ଆଉ ସମ୍ଭାଳି ପାରିଲା ନାହିଁ । ଗାଁ ର ଶିକ୍ଷିତ ଯୁବକ । ମୋହିନୀ କକା ଟାଉଟର ନୁହେଁ । ତା ଭିତରେ ଯେ ଏକ ଆଦର୍ଶ ମଣିଷ ଲୁଚି ରହିଛି । ସେ ଏ ଦେଶପାଇଁ ଚିନ୍ତା କରେ ପ୍ରଥମଥର ପାଇଁ ସେଦିନ ସେ ଆବିଷ୍କାର କଲା । ସେ ପଚାରିଲା ମୋହିନୀ କକା ତୁମେ କିଛି କହିବ ନାହିଁ । ଏହା ପାଟିକୁ ଯାହା ଆସିବ ସେ କହି ଚାଲିଥିବ ।

 

ଉତ୍ତେଜନାକୁ ବୃଦ୍ଧି ହେବାକୁ ନ ଦେଇ ମୋହିନୀ କହିଲେ ଯାଅ ତୁମେ ସମସ୍ତେ ଯାଅ । ଗୋଳମାଳ କରନାହିଁ । ରାତି ଅନେକ ହେଲାଣି । ସିଏ ପିଲାଲୋକ,କଣ କହିଲେ ଛାଡ଼ ତାଙ୍କ କଥା ।

 

ଜଣ ଜଣ ହୋଇ ସମସ୍ତେ ବଉଳମୂଳ ଚାନ୍ଦେନୀ ଉପରେ ଚାଲିଗଲେ । ସେହିଠାରେ ରାତିଟି ବିତାଇ ଦେବା ନିମନ୍ତେ ବିସ୍‌ମିଲା ଭାଇ ତାଙ୍କ ଛୋଟ ସତରଞ୍ଜିଟି ବିଛାଇଲେ । ଦେବୀଙ୍କ ଧାନଥିବା ଡୋଲି ଉପରେ କେଇଟା ଚେମେଣିଆ ବହଳ ଅନ୍ଧକାର ଭିତରେ ଡେଣା ପିଟି ପିଟି ଚିଁ ଚିଁ ଶବ୍ଦ କରି ଉଡ଼ି ବୁଲୁଥିଲେ ।

񤦬񤦬񤦬

 

ପତଙ୍ଗ ନୃତ୍ୟ

 

ନିରୁତ୍ତର ହେଲେ ସିସ୍‌ଟର । ଡେଟଲର । ଉତ୍‌କଟ ଗନ୍ଧ ତାଙ୍କ ପକ୍ଷରେ ଏକାନ୍ତ ଅସହ୍ୟ ହୋଇ ଉଠୁଥାଏ । ମାତ୍ର ଅନ୍ୟ ଉପାୟ କଣ ଥିଲା । ସେ କେବଳ ଅସହାୟ ଭାବେ ଚାହିଁ ରହିଥିଲେ ଗୋଟିଏ ଉତ୍ତର ଲାଗି ଡାକ୍ତରଙ୍କ ନିକଟରୁ । ଡାକ୍ତର ତାଙ୍କ ରୁମ୍‌ ଅଭିମୁଖେ ଆଗେଇଲେ । ମାନସୀ ପୁନର୍ବାର ପ୍ରଶ୍ନ କଲେ । ସିସ୍‌ଟର କିଛି କହିଲେ ନାହିଁ ଯେ । ଆପଣ କ’ଣ ଦେଖିପାରୁ ନାହାନ୍ତି ? ଏକ୍‌ସରେ ନେଗେଟିଭ୍‌ ପ୍ଳେଟ୍‌ ଉପରୁ ଦୃଷ୍ଟି ଫେରାଇ ସିସ୍‌ଟର କହିଲେ ଫଟୋ କ୍ଳିଅର ଉଠିନାହିଁ । ଆଉ ଥରେ ଫଟୋ ଉଠାଯିବ । ଡାକ୍ତର ଥିଲେ ତେଣୁ ମୁଁ ଚୁପ୍‍ ରହିଲି । ଡାକ୍ତର ଥିଲାବେଳେ ରୋଗୀ ସଙ୍ଗେ କଥା ହେବା ଆମକୁ ମନା ।

 

ଦୀର୍ଘ ନିଶ୍ୱାସ ତ୍ୟାଗ କରି ମାନସୀ ପଚାରିଲେ ତେବେ ଆଉ ଥରେ ଫଟୋ ଉଠାଯିବ-?

 

‘ହଁ’—ସଂକ୍ଷେପରେ ଉତ୍ତର ଦେଲେ ସିସ୍‌ଟର । ମାନସୀଙ୍କ ନୟନଦ୍ୱୟ ସଜଳ ହୋଇ ଉଠିଲା । ପୁଞ୍ଜିଭୂତ ରୁଦ୍ଧ ବେଦନା ପ୍ରକାଶ କରିବାକୁ ଭାଷା ଯେତେବେଳେ ଏକାନ୍ତ ଅକ୍ଷମ ହୋଇପଡ଼େ ସେତେବେଳେ ଏହିପରି ଅବସ୍ଥା ଉପସ୍ଥିତ ହୋଇଯାଏ । ବ୍ୟୋମଯାନ ଷ୍ଟାର୍ଟ ଦେଇ ଆକାଶ ଉପରକୁ ଉଠିବା ପରି ମାନସୀଙ୍କ ସମଗ୍ର ଦେହ କମ୍ପି ଉଠିଲା ଏକ ଅଜଣା ଆଶଙ୍କାରେ । ତୃତୀୟ ମହଲାରୁ ତଳ ମହଲାକୁ ଷ୍ଟ୍ରେଚରରେ ବୁହା ହୋଇ ଆସିବା ସତରେ କେତେ କଷ୍ଟ । ସେଦିନ ସେ ଆସନ୍ନ ମୃତ୍ୟୁ ମୁଖରୁ ରକ୍ଷା ପାଇଗଲେ । ଜଣେ ମେଲ ନର୍ସ, ସିସ୍‌ଟର ଓ ଆଉ ଦୁଇ ଜଣ ଚେହେରା ଷ୍ଟ୍ରେଚର ଧରି ଚାଲି ଥାଆନ୍ତି । ପାଖେ ପାଖେ ଚାଲି ଥାଆନ୍ତି ବାପା ତାଙ୍କ ହାତ ଧରି ଚାଲିଥାଏ ସାନଭାଇ ସନତ୍‌ । ସେ କିଛି ବୁଝେ ନାହିଁ । ଛୋଟ ପିଲା । ତା ପାଇଁ ପରିବେଶ ବେଶ୍‌ ଉପଭୋଗ୍ୟ । ସେ ଚାହୁଁଥିଲା ଦିଦି ପରି ସେ ଷ୍ଟ୍ରେଚାରରେ ବୁହା ହୋଇ ଯାଆନ୍ତା । ମାତ୍ର ସାନ ଭଉଣୀ ବୁଝୁଥାଏ କ’ଣ ହେବାକୁ ଯାଉଛି । ସବୁ ଦିନ ପାଇଁ ଦିଦି ହୁଏତ ତାର ଗୋଡ଼ଟିକୁ ହରାଇବ । ସେ ଆଉ ସିଧା ହୋଇ ଠିଆ ହୋଇ ପାରିବ ନାହିଁ । ଯୋତା ଚପଲ ପରିଧାନ କରି ପାରିବ ନାହିଁ । ଲମ୍ୱା ଲମ୍ୱା ପାଦକୁ ଅଳତାର ଗାର ସତରେ ତାକୁ ବେଶ୍‌ ମାନେ । ଏହି ପାଦରେ ସତରେ ସେ କେତେ ଚଞ୍ଚଳ ଚାଲିପାରେ । ସବୁ ସିନା ଏକ ଦୀର୍ଘ ବ୍ୟର୍ଥତାରେ ପରିଣତ ହେବ । ନୃତ୍ୟରତା ପଦ ଯୁଗଳ ତାର ସତରେ କେଡ଼େ ଉପଭୋଗ୍ୟ ।। ନା ସେ ଆଉ କିଛି ଭାବି ପାରିବ ନାହିଁ । ସାନ ଭଉଣୀଟି ସମସ୍ତଙ୍କ ଅଜାଣତରେ ଆଖି ପୋଛିଲା । ସାନ ଭଉଣୀ ମନେ ମନେ ଦେବତାଙ୍କୁ ପ୍ରଣତି ଜଣାଏ । ଦିଦିର ଗୋଡ଼ ଭଲ ହୋଇଯାଉ ।

 

ଏକ୍‌ସରେ ଫଟୋ ଉଠାଯିବା ପରେ ତଳ ମହଲାରୁ ତୃତୀୟ ମହଲାକୁ ମାନସୀ ଷ୍ଟ୍ରେଚାରରେ ବୁହା ହୋଇ ଆସେ । କି ଯନ୍ତ୍ରଣା । ଶତ୍ରୁକୁ ଭଗବାନ ଏ ଯନ୍ତ୍ରଣା ନ ଦିଅନ୍ତୁ । ସେ ଆପଣାର ବିଛଣାକୁ ଯିବା ପରେ ଆଖିରୁ ଲୁହ ପୋଛେ । ସ୍ୱସ୍ତିରେ ନିଶ୍ୱାସ ମାରେ । ସାବଧାନ ସହକାରେ ଷ୍ଟ୍ରେଚାର ବୋହି ଆଣିଥିବାରୁ ବେହେରାମାନଙ୍କୁ ଟିପ୍‌ସ ଦେବା ନିମନ୍ତେ ନିଜ ଭାଇକୁ ସଙ୍କେତ ଦିଏ । ବେହେରା ମାନେ ବକ୍‌ସିସ୍‌ ପାଇ ଖୁସିରେ ଚାଲି ଯାଆନ୍ତି ।

 

କାମ କରିବାକୁ ଦରମା ପାଉଛନ୍ତି । ଏପରି ଟିପ୍‌ସ କାହିଁକି ? ଏହା ଭଲ କଥା ନୁହେଁ କହି ଭାଇ ବିରକ୍ତ ହୁଏ । କଲେଜରେ ପଢ଼ୁଛି । କଞ୍ଚା ମନ,ଅଭିଜ୍ଞତା ସ୍ୱଳ୍ପ । ସେ କିପରି ବୁଝିବ ଧଳା ଚକି ବିନା ଷଡ଼ ଇନ୍ଦ୍ରିୟ ବି କିପରି ନିଷ୍କ୍ରିୟ ।

 

‘‘ଅନ୍ୟ ପନ୍ଥା ନାହିଁ । ସେମାନେ କାମ କରିବେ । ସେମାନଙ୍କୁ ଖୁସିରେ ରଖିବାକୁ ହେବ-। ସେମାନେ ଟିପ୍‌ସ ନପାଇଲେ ନୀତ ନିୟମ କଥା ଉଠାଇବେ । ସେମାନଙ୍କର ଡିଉଟି କ’ଣ ଆଉ କ’ଣ ନହେଁ ସେ ବିଷୟରେ ଦୀର୍ଘ ଭାଷଣମାନ ଦେବେ । ସେତେବେଳକୁ ପ୍ରାଣ ଥିଲେ ସିନା-। ଆମେ ସମସ୍ତେ ସ୍ୱାଧୀନ । କାମ ନ କରିବାର ସ୍ୱାଧୀନତା ମଧ୍ୟ୍ୟ ଆମ ସମସ୍ତଙ୍କର ରହିଛି-। ତୁମେ କାହାକୁ କ’ଣ କହିବ ।’’

 

‘ମୁଁ ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇବି’ । ଭାଇ ବିରକ୍ତ ହୋଇ କହେ । ସାବଧାନ ମୁଁ ଏଠାରୁ ନଯିବା ପର୍ଯ୍ୟନ୍ତ ତୁ ପାଟି ଫିଟାଇଛୁ ତ । ମା’କୁ ପଚାର । ସେ କହିବ । ଗଲା କାଲି ରାତିରେ ଟୋପାଏ ପାଣି ପାଇଁ ସେ ପେସେଣ୍ଟ୍ କିପରି ବିକଳ ହୋଇ କରୁଣ ଭାବେ ନର୍ସମାନଙ୍କୁ ଡାକୁ ଥାଏ-। ଦେଖ୍‌ ଗୋଡ଼ ତାଙ୍କର କିପରି ହାଙ୍ଗିଙ୍ଗ୍‌ (ଓହଳିବା) ଅବସ୍ଥାରେ ରହିଛି । ଏହିପରି ସେ ପୁଣି କେତେ ଦିନ ରହିବ । ଏଇ ଚାହାଁ ବେଡ଼୍‌ ନମ୍ୱର ୨୦୧। ନର୍ସମାନେ ଡିଉଟି ରୁମ୍‌ରେ ତାସ୍‌ ଖେଳୁଥିଲେ-। ବେହେରାଣୀ ତ ସହଜେ ନଥାନ୍ତି । ସେ ରହିଲେ ଭାଗ୍ୟର କଥା । ସେମାନଙ୍କୁ ତମେ କିଛି କହି ପାରିବ ନାହିଁ । ସେମାନଙ୍କର ୟୁନିୟନ ଅଛି । କଥା କଥାକେ ଧର୍ମଘଟ, ଘେରାଉ-। ସେ ରୋଗୀଟି ଏପରି ପାଟିକଲା ମୁଁ ଶେଷରେ ମାକୁ ଉଠାଇଲି ଯାଇ ଟିକେ ପାଣି ତାକୁ ଦେବାକୁ-। କାହା କଥା ଶୁଣିବୁ ? ଚାହଁ । ବେଡ଼୍‌ ନମ୍ୱର ୨୧୧ । ବିଚାରିଟି ଗାଢ଼ ନିଦରେ ଶୋଇ ଯାଇଛି-। କର ଲେଉଟାଇଲା ବେଳେ ତଳେ ପଡ଼ିଗଲା । ଦୀର୍ଘ ସମୟ ପରେ ତାକୁ ଖଟିଆ ଉପରକୁ ଉଠାଗଲା । ବିଚାରୀ ଗୋଡ଼ ଆଉ ଥରେ ପ୍ଳାଷ୍ଟର ହେବ । ଡାକ୍ତରଖାନା ନିଜେ ନ ଆସିଲେ ଜାଣି ପାରିବ ନାହିଁ କ’ଣ ସବୁ ଏଠାରେ ହୁଏ । ଅସହାୟର ସାହା ସେହି ଏକା ଭଗବାନ-। ଏକଥା ଡାକ୍ତରଖାନା ଆସିଲେ କେବଳ ହୃଦ୍‌ବୋଧ ହୁଏ । ସ୍ୱତନ୍ତ୍ର ସୁବିଧା ଉପଭୋଗ କରୁଥିବା ମନ୍ତ୍ରୀ, ଏମ.ଏଲ.ଏ, ଏମ.ପି.ବା ଧନୀ ବ୍ୟକ୍ତିଙ୍କ କଥା ସ୍ୱତନ୍ତ୍ର ।

 

‘ଏଥିପାଇଁ ଆନ୍ଦୋଳନ ହେବା ଉଚିତ । ଡାକ୍ତରଖାନାରେ ଯାବତୀୟ ଅବ୍ୟବସ୍ଥା ଅଥଚ ପ୍ରାଇଭେଟ୍‌ କ୍ଳିନିକ୍‌ ସଂଖ୍ୟା ବଢ଼ି ଚାଲିଛି । ସମସ୍ତେ ମୂକ,ନୀରବ । ମାନସୀ ସତର୍କ କରାଇ ଦେଲେ ଭାଇକୁ । ଚୁପ୍‌ ହେବାକୁ । ଡାକ୍ତର ଆସୁଛନ୍ତି, ତାଙ୍କ ପଛେ ସହକାରୀ ଡାକ୍ତର, ହାଉସସର୍ଜନ, ନର୍ସ ଓ ଆଉ କେତେକ ବିଦ୍ୟାର୍ଥୀ,ଗୋଟିଏ ଛୋଟ ଶୋଭାଯାତ୍ରା । ୱାର୍ଡ଼ ଭିତର ଶାନ୍ତ । ଏହି ନିସ୍ତବ୍‌ଧ ପରିବେଶ ଭଙ୍ଗ କରୁଥିଲା ମଝିରେ ମଝିରେ ଯାହା କେବଳ ଅସହାୟ ରୋଗୀଙ୍କର ଚିତ୍କାର । ପ୍ରଫେସର ଆଗେଇ ଚାଲିଥାନ୍ତି ଅନ୍ୟମାନଙ୍କ ସଙ୍ଗେ ଆଲୋଚନା କରି କରି । ମୁହଁ ଉପରେ ମିଠା ହସ । ରୋଗୀ ପାଇଁ ଏ ହସର ପ୍ରୟୋଜନ ଖୁବ୍‌ ବେଶୀ । ଏହି ହସ ଟିକକ ପାଇଁ ମୃତ୍ୟୁର ପରୁଆନାକୁ ବେଖାତିର କରେ । ‘କିପରି ଅନୁଭବ କରୁଛନ୍ତି ?’

 

‘ଅସମ୍ଭବ ପେନ୍‌’, ଶୋଇବାକୁ କହିଥିଲେ । ପାରୁନି । ଆଖିକୁ ନିଦ ଆସୁ ନାହିଁ ।’

 

‘ମୁଁ ଔଷଧ ଦେବାପାଇଁ କହି ଦେଇଯାଇଛି । କାଲି ଆଉ ଥରେ ଏକ୍‌ସରେ ହେବ । ତା ପରେ ଯାହା ସ୍ଥିର କରିବା । ବ୍ୟସ୍ତ ହୁଅନ୍ତୁ ନାହିଁ । ଖୁବ୍‌ ବେଶୀ ହେଲେ ଆଉ ଦିନେ ଦୁଇଦିନ କଥା-। ମାନସୀଙ୍କ ମୁଣ୍ଡ ପାଖରେ ଥିବା ବହିଟି ହାତରେ ଉଠାଇ ନେଇ କହିଲେ କ’ଣ ପଢ଼ୁଛନ୍ତି ‘ଡକ୍‌ଟର ଜିଭାଗୋ’ ? ଖୁବ୍‌ ଚମତ୍କାର ବହି ।

 

ପ୍ରଫେସର ଆଗେଇ ଯାଉ ଯାଉ କହିଲେ ମିସ୍‌ ସୁପକାର ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଚାନ୍‌ସ ଅଫ୍‌ ଆମ୍ପୁଟେସନ ଇଜ୍‌ ଲେଶ୍‌, ତେବେ ପ୍ରଥମେ କାଲି ଏକ୍‌ସରେ ସରୁ ।

 

ମାନସୀ କିଛି ନକହି କେବଳ ଚାହିଁ ରହିଲେ ପ୍ରଫେସରଙ୍କ ଆଡ଼କୁ । ଲମ୍ୱା ସର୍ଜିକାଲ ୱାର୍ଡ଼ । ମଝିରେ ମଝିରେ ପାର୍ଟିସନ ପାଇଁ ଦିଆ ଯାଇଥିବା କନାର ସ୍କ୍ରିନ ସେପାରେ ସେ ଆଉ ଦେଖାଗଲେ ନାହିଁ । କେବଳ ଅନେକ ଗୁଡ଼ିଏ ଜୋତା ହିଲ୍‌ର ଆବାଜ ଶୁଭୁଥିଲା । ମାନସୀ ଅସମ୍ଭବ ଅସ୍ଥିର ଅନୁଭବ କରୁଥିଲେ । ମାନସୀଙ୍କୁ ଅସ୍ଥିର ହେବା ଲକ୍ଷ୍ୟକରି ମା ପଚାରିଲେ କ’ଣ ପାଣି ପିଇବୁ ? ବିସ୍‌କୁଟ ଖଣ୍ଡେ ଦେବି ଖାଇବୁ ? ନା କିଛି ନାହିଁ-ଉତ୍ତର ଦେଲା ମାନସୀ । ସେ ଜାଣିବାକୁ ଚାହିଁଲା ସେ ଡାକ୍ତରଖାନା ଆସିବା କେତେଦିନ ହେଲା ? ମା ମାନସୀର ମୁଣ୍ଡରେ ହାତ ବୁଲାଇ କହିଲା ଆଜିକୁ ମିଶାଇଲେ ଛ’ଦିନ ହେଲା । ମାନସୀ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ିଲେ । ମା ପାଖ ଚୌକିରେ ସେହିପରି ବସି ରହିଥାଆନ୍ତି ।

 

(ଦୁଇ)

 

ଗୋଳିଆ ପାଣି ସ୍ଥିର ହୋଇଗଲେ ସେଥିରେ ଭାସୁଥିବା ଜିନିଷ ଯେପରି ସ୍ପଷ୍ଟ ଦେଖାଯାଏ ଠିକ୍‌ ସେହିପରି ୱାର୍ଡ଼ରେ ଗହଳି କମିଗଲେ, ଦେଖାଣାହାରୀ, ଡାକ୍ତର, ନର୍ସଙ୍କ ଗହଳି କମିଗଲେ ମାନସୀଙ୍କ ମନରେ ସେହି ଗୋଟିଏ କଥା ପୁଣି ଜିଇ ଉଠେ । ସେ ଅସମ୍ଭବ ଭୟ ପାଇ ଉଠନ୍ତି । ସତରେ ଯଦି ତାଙ୍କର ଗୋଡ଼ ତାଙ୍କୁ ହରାଇବାକୁ ପଡ଼େ ତେବେ ସେ କେଉଁ ପରିସ୍ଥିତିର ସମ୍ମୁଖୀନ ହେବେ ତାହା ସେ ଚିନ୍ତା ସୁଦ୍ଧା କରିପାରୁ ନାହାଁନ୍ତି । ସବୁ ସକ୍ଷମ ବ୍ୟକ୍ତିଙ୍କ ପରି ସେ ଚଳ ପ୍ରଚଳ ହୋଇ ପାରିବେ ନାହିଁ । ଅନେକ ଦିନ ପର୍ଯ୍ୟନ୍ତ ହୁଏତ ଅସୁବିଧା ହେବ ନାହିଁ । ବାପା ମା’ଙ୍କର ଅଲିଅଳ ଝିଅ ମାନୁର ସାମାନ୍ୟ କଷ୍ଟ ତାଙ୍କ ବାପା ଦେଖି ପାରିବେ ନାହିଁ । ମାତ୍ର ସେମାନେ ଆଉ କେତେ ଦିନ ବଞ୍ଚିବେ ? ଗୋଡ଼ ପ୍ଳାଷ୍ଟିକ ସର୍ଜରୀ ହେବ । କିନ୍ତୁ ତାହା କେତେ ଦୂର କାମକୁ ଆସିବ ? ମନ ଖୁସିରେ ଖେଳା ବୁଲା କରିବା ତ ଦୂରର କଥା । ଭଲ ଭାବେ ଠିଆ ହେବା ସମ୍ଭବ ହେବ କି ନାହିଁ ସନ୍ଦେହ । ବେଳ ଅବେଳରେ ମନରେ ଏହିପରି ଅନେକ ପ୍ରଶ୍ନର ଝଡ଼ ଉଠି ତାଙ୍କୁ ଅସ୍ଥିର କରି ପକାଏ । ସେ ମୁକ୍ତ ଆକାଶକୁ ଚୁପ୍‌ ଚାପ୍‌ ଚାହିଁ ରହନ୍ତି । ନୀଳିମା ଭରା ଏ ଆକାଶ । ଆକାଶରେ ମେଘର ଆଗମନରେ ପଦ ତାଙ୍କର ଚଞ୍ଚଳ ହୋଇ ଉଠେ । ସତରେ ଏ ଆକାଶରେ କେତେ ମେଘ ଆସିବ ଆଉ ଯିବ ମାତ୍ର ନାଚି ନାଚି ସେ ଆଉ ମେଘ ବନ୍ଦନା ଗାନ କରି ପାରିବେ ନାହିଁ । ଏଣୁ ତେଣୁ ଭାବି ଆଖି ତାଙ୍କର ଅଶ୍ରୁସିକ୍ତ ହୋଇଉଠେ ।

 

ମାନସୀଙ୍କ କାନ୍ଦୁଥିବାର ଦେଖି ପ୍ରଫେସର ପରିବେଶକୁ ହାଲୁକା କରି ଦେବା ଲାଗି କହନ୍ତି ମିସ୍‌ ସୁପକାର । କିପରି ଅନୁଭବ କରୁଛନ୍ତି ? କାଲି ଔଷଧ ଖାଇବା ପରେ ରିଲିଫ୍‌ ବୋଧ କରିଥିବେ ।

 

ପ୍ରଫେସରଙ୍କ ପ୍ରଶ୍ନର ଉତ୍ତର ନ ଦେଇ ମାନସୀ ବରଂ ଜାଣିବାକୁ ଅଧିକ ଆଗ୍ରହ କରେ ‘ଏକ୍‌ସରେ ରେଜଲ୍‌ଟ କ’ଣ ହେଲା ?’

 

‘ଯଦି କହେ ଗୋଡ଼ ଆମ୍ପୁଟେସନ ହେବ ?’

 

ମାନସୀ କେବଳ ଚାହିଁ ମୁରୁକି ହସନ୍ତି । କୌଣସି ଉତ୍ତର ଦେଇ ପାରନ୍ତି ନାହିଁ । ମାନସୀଙ୍କୁ ଆଉ ଟିକେ ଡରାଇ ଦେବା ନିମନ୍ତେ ପ୍ରଫେସର କହନ୍ତି—ଆଇ ଆମ୍ ହେଲପ୍‌ଲେଶ । ଗଡ଼୍‌ କ୍ୟାନ ଓନ୍‌ଲି ସେଭ୍‌ । ତେବେ ଅପରେସନ ନେଇ କୌଣସି କମ୍‌ପ୍ଳିକେସନ୍‌ ହେବ ନାହିଁ । ମୋଟେ କୋଡ଼ିଏ ପଚିଶ ମିନିଟ ମଧ୍ୟରେ ସବୁ ଶେଷ ହୋଇଯିବ । ସାମାନ୍ୟ ଅପେକ୍ଷା କରି ଡାକ୍ତର ହସି ହସି କହିଲେ ଅପରେସନ ନାଁ ଶୁଣି ମେଜର ମିସ୍‌ ସୁପକାର ଯଦି ବିବ୍ରତ ହେବେ ତେବେ ଅଡ଼ିନାରୀ କାଡ଼େଟ୍‌ ଓ ସିଟିଜେନ ମାନେ କ’ଣ କରିବେ ? ବଳଦ ଚାହିଁଲା ପରି ମାନୁଙ୍କ ନୟନ ଦୁଇଟି ଧୀର ଶାନ୍ତି ଅବସ୍ଥାରେ ଚାହିଁ ରହିଲା । ପାଟିରୁ କୌଣସି କଥା ବାହାରିଲା ନାହିଁ । ଆଉ ଅଧିକ ସସ୍‌ପେନ୍‌ସ ନରଖି ପ୍ରଫେସର କହନ୍ତି ଅପରେସନ ହେବ ନାହିଁ । ପ୍ଳାଷ୍ଟରିଂ ହେବ । ପ୍ଳାଷ୍ଟର କଥା ଶୁଣି ମାନସୀ ସାମାନ୍ୟ ଆଶ୍ୱସ୍ତ ହୁଏ ।

 

ପ୍ରଫେସର ଚାଲିଗଲେ ପରେ ମା ପଚାରିଲେ । ଡାକ୍ତର କ’ଣ କହିଲେ ? ମାନସୀ ବ୍ୟଥା ବୋଳା କଣ୍ଠରେ କହିଲେ ପ୍ଳାଷ୍ଟରିଂ ହେବ । ପ୍ଳାଷ୍ଟରିଂ ଦୁଇ ମାସରୁ ଅଧିକ ରହିବ । ସେତେବେଳକୁ ପ୍ରାଣ ଥିଲେ ହେଲା ।

 

ମାଙ୍କ ଆଗରେ ନାଚି ଉଠିଲା ଆକ୍‌ସିଡ଼େଣ୍ଟ ପରେ ମାନସୀ କିପରି ଅବସ୍ଥାରେ ଘରକୁ ଫେରି ଥିଲା । ଝିଅ ଯେ ତାଙ୍କର ଆଉ ବଞ୍ଚିବ ସେ ବିଶ୍ୱାସ ତାଙ୍କର ନ ଥିଲା ।

 

(ତିନି)

 

ଦୀର୍ଘଦିନ ଡାକ୍ତରଖାନାରେ ରହିବା ପରେ ଷ୍ଟାଫ୍‌ ମେମ୍ୱରମାନଙ୍କ ସଙ୍ଗେ ମାନସୀର ଆତ୍ମୀୟତା ବୃଦ୍ଧି ପାଇଥିଲା । ପ୍ଳାଷ୍ଟରିଂ କଟା ହେବା ବେଳେ ଡାକ୍ତର ଏଣୁ ତେଣୁ ଠିଆ ହୋଇ ପଚାରୁ ଥାଆନ୍ତି । ଅନ୍ୟମାନେ ତାଙ୍କୁ ଘେରି ରହି ଥାଆନ୍ତି । ପ୍ରଫେସର କହିଲେ ବୁଝିଲେ, ପ୍ରୟୋଜନ ହେଲେ ପୁଣି ପ୍ଳାଷ୍ଟରିଂ ହେବ ।

 

‘ଆପଣଙ୍କର ଯାହା ଇଚ୍ଛା’ ।

 

‘ଧନ୍ୟବାଦ । ଦିସ୍‌ଇଜ୍ ଏ ରିପ୍ଳାଇ ଜଷ୍ଟ ଆର୍ମି ଲାଇକ୍‌ । (ସୈନିକୋଚିତ ଏ ଉତ୍ତର) ଅନିଚ୍ଛା ସତ୍ୱେ ମାନୁ ଓଠରେ ହସ ଉକୁଟାଇବା ନିମନ୍ତେ ଚେଷ୍ଟା କଲେ । ପ୍ଳାଷ୍ଟରିଂ କାଟିବା ସମୟରେ କହିଲେ ମେଜର ନାୟକ—ଲୁକ୍‌ ଡକ୍‌ଟର ସାହେବ । ଇଫ୍‌ ୟ୍ୟୁ ଫେଲ୍‌ ଉଇ ଉଇଲ ରିମୁଭ୍‌ ଆୱାର ମେଜର ଟୁ ଦି ଆର୍ମି ହସ୍‌ପିଟାଲ ।’

 

ପ୍ରଫେସର ଉତ୍ତର ଦେଲେ...ତାଙ୍କୁ ଯେଉଁଠିକୁ ନେବେ ନିଅନ୍ତୁ ଆମର ଆପତ୍ତି ନାହିଁ । ଆମେ ଚାହୁଁ ସେ ପ୍ରଥମେ ଆରୋଗ୍ୟ ହୋଇ ଯାଆନ୍ତୁ । ତେବେ ଏଠାରେ ବୋନ୍‌ (ହାଡ଼) ଅପରେସନ ଆମେ ଅତି ସଫଳତାର ସହିତ କରି ପାରୁଛୁ । ଯଦି କୌଣସି କଂପ୍ଲିକେସନ ଆର୍‌ଇଜ୍‌ କରେ ତେବେ ଆମେ ଅପରେସନ କରିବୁ । ତେବେ ବର୍ତ୍ତମାନ କିଛି ଦିନ ପାଇଁ ତାଙ୍କୁ କନ୍‌ଫାଇଣ୍ଡି ହୋଇ ରହିବାକୁ ହେବ ।

 

ବୋନ୍‌ ଅପରେସନ୍‌ କଥା ଶୁଣି ତାଙ୍କ ପ୍ରାଣରେ ଯେଉଁ ଭୟ ଜାତ ହେଲା ତାହା ମୁହଁରେ, ତାଙ୍କର ଅବିକଳ ପ୍ରତିଫଳିତ ହୋଇଉଠିଲା । ବାପା ମୁଣ୍ଡ ପାଖରେ ଠିଆ ହୋଇଥିଲେ । ଧୀରେ ଧୀରେ ପାପୁଲି ଚାଳନା କଲେ । ବାପାଙ୍କର ହାତର ସ୍ପର୍ଶ କେଡ଼େ କୋମଳ । ଏହି ସ୍ପର୍ଶ ଟିକକ ପାଇଁ ସେ କିପରି ଚାହିଁ ରହିଥାନ୍ତି ସେ କେବଳ ଜାଣନ୍ତି । ଅପରେସନ କଥା ଶୁଣି ବାପାଙ୍କ ପ୍ରାଣରେ ଯେଉଁ ଚମକ ଲାଗିଛି ତାଙ୍କର ହସ୍ତ ଚାଳନାରୁ ସେ ଅନୁମାନ କରି ପାରୁଥିଲେ । ସାନ ଭଉଣୀର ଲୁହ ପୋଛିବା ମାନସୀ ଦେଖି ପାରିଛନ୍ତି ।

 

ମେଜର୍‌ ନାୟକ ପୁଣି ପ୍ରଶ୍ନ କଲେ... ନଭେମ୍ୱର ହେଲା । ମିସ୍‌ ସୁପକାର ସଂପୂର୍ଣ୍ଣ ଆରୋଗ୍ୟ ହୋଇ ୨୬ ଜାନୁୟାରୀରେ ଦିଲ୍ଲୀରେ ଜାତୀୟ ପ୍ୟାରେଡ଼୍‌ରେ ଅଂଶ ଗ୍ରହଣ କରିପାରିବେ କି ନାହିଁ ? ସେ ସେଠାରେ ଆମ ରାଜ୍ୟରୁ ପ୍ରତିନିଧିତ୍ୱ କରିବେ । ତାଙ୍କ ପରି ଲେଡ଼ି ଅଫିସର ଖୁବ୍‌ କମ୍‌ । ଆମ ଡାଇରେକ୍‌ଟର ଏ ଦୁର୍ଘଟଣାରେ ଏକାନ୍ତ ମର୍ମାହତ । ପ୍ରଫେସର ଓଠରେ ସାମାନ୍ୟ ହସ ଛୁଟାଇ ହସିଲେ । ମେଜର ଆମେ ସେପରି ପ୍ରତିଶ୍ରୁତି ଦେଇ ପାରିବୁ ନାହିଁ ତେବେ ଅଲ୍‌ ଉଏଜ୍‌ ଉଇ ହୋପ୍‌ ଦି ବେଷ୍ଟ୍‌ । ଟିକେ ଗୋଡ଼ ହଲାଇବାକୁ ଚେଷ୍ଟା କରନ୍ତୁ । ଇଏସ୍‌......ଇଏସ୍‌ । କଷ୍ଟ ହେଉଛି । ଆଛା ସେହିପରି ପଡ଼ି ରହନ୍ତୁ ।

 

ମାନସୀ ଗୋଡ଼ ହଲାଇବାକୁ ଚେଷ୍ଟାକରି ବିଫଳ ହେଲେ ମଧ୍ୟ ଅନେକ ଅଶୁସ୍ତ ହେଲେ-। ସତେ ଯେପରି କେହି ତାଙ୍କର ଉପରେ ଲଦା ହୋଇଥିବା ଭାରଟି ଉଠାଇ ନେଲା । କାତି ଛାଡ଼ିଯିବା ପରେ ସାପ ଯେପରି ଫୁର୍ତ୍ତି, ଚଞ୍ଚଳ ମୁକ୍ତ ଅନୁଭବ କରେ ଅବିକଳ ସେ ସେହିପରି ଅନୁଭବ କଲେ । ମାନସୀଙ୍କୁ ବେଡ୍‌କୁ ନେଇଯିବା ନିମନ୍ତେ ନିର୍ଦ୍ଦେଶ ଦେଇ ଡାକ୍ତର ଚାଲିଗଲେ-। ବେହେରାମାନେ ଷ୍ଟ୍ରେଚର ଉଠାଇଲେ । ଡାକ୍ତରଙ୍କ ଉଦ୍ଦେଶ୍ୟରେ ମାନସୀ ନମସ୍କାର ଜଣାଇଲେ-

 

(ଚାରି)

 

ମାନସୀ ବିଛଣାରେ ଚୁପ୍‌ଚାପ୍‌ ପଡ଼ି ରହି ରେଡ଼ିଓରୁ ଶୁଣି ଚାଲିଥାଆନ୍ତି, ଆଗାମୀ କାଲିର କାର୍ଯ୍ୟସୂଚୀ । ରାତି ପାହିଲେ ହେବ ଜାନୁୟାରୀ ୨୬ । ଗତବର୍ଷର କେତେ ସ୍ମୃତି ମନରେ ତାଙ୍କର ଝଲସି ଉଠିଲା । ଲାଲକିଲ୍ଲାରେ ଅମର ସଙ୍ଗରେ ତାଙ୍କର ପରିଚୟ ହୋଇଥିଲା । ପତଳା ସ୍ୱାସ୍ଥ୍ୟ । ଶାନ୍ତ ଚାହାଣି । ମାତ୍ର ଚାହାଁଣିରେ ଶାଣିତ ସଂକଳ୍ପର ସଂକେତ । କେଇଟି ମୁହୂର୍ତ୍ତ ମଧ୍ୟରେ ତାଙ୍କ ସଂଗେ ଆତ୍ମୀୟତା ହୋଇ ଯାଇଥିଲା । ତାଙ୍କରି କଥା ମନରେ ଆସିବା ପରେ ସେ କ୍ଷୁବ୍‌ଧ ହୋଇ ଉଠିଲେ । ଏ ଦୁର୍ଦ୍ଦିନରେ ସମବେଦନା ଜଣାଇବା ନିମନ୍ତେ ସମସ୍ତେ ଆସିଲେ କେବଳ ଆସିଲା ନାହିଁ ଅମର । ଯିଏ ପ୍ରଥମେ ଆସିବ ବୋଲି ସେ ଆଶା କରିଥିଲେ । ଦୀର୍ଘ ଦିନ ପରେ ଖଣ୍ଡେ ଚିଠି ଦେଇଛି । ଅଭିମାନରେ ଉଦାସିନ ଭାବେ ସେ ଚିଠିଟି ନ ଖୋଲି ଟେବୁଲ ଉପରକୁ ପକାଇ ଦେଇଛନ୍ତି, ହୁଏତ ଚିଠିରେ ନ ଆସି ପାରିବାର ଏକ ସୁଚିନ୍ତିତ କାରଣ ଦର୍ଶାଯାଇଛି । ସମୟ କରି ଆସି ପହଞ୍ଚିବ ବୋଲି ଜଣାଇଛି । ସତରେ ଅମର ଯଦି ଆସେ ମାନସୀ ତେବେ ତାଙ୍କୁ ଏତିକି କହିବ-ପ୍ରତାରଣାର ଗୋଟାଏ ସୀମା ଅଛି ।

 

ପାଖରେ ପଡ଼ିଥିବା ଗୋଟାଏ ପୁରୁଣା ଦୈନିକ ଉପରେ ଆଖି ବୁଲାଇ ଆଣିବା ବେଳେ ସେ ଯାହା ଦେଖିଲା ନିଜକୁ ବିଶ୍ୱାସ କରିପାରିଲା ନାହିଁ । ଦିଲ୍ଲୀ ଡେଟ୍‌ ଲାଇନରେ ଗୋଟିଏ ଛୋଟିଆ ସମ୍ବାଦ । ଟ୍ରକ୍ ଦୁର୍ଘଟଣାରେ ମେଜର ବଳିୟାର ସିଂହଙ୍କର ଦୁଇଟି ସନ୍ତାନ ନିହତ । ଅବହେଳାରେ ଅମରର ଯେଉଁ ଚିଠିଟି ଫିଙ୍ଗି ଦେଇଥିଲା, ଟେବୁଲ ଉପରୁ ତାକୁ ଆଣି ସଙ୍ଗେ ସଙ୍ଗେ ଖୋଲିଲା ଆଉ ଅଧିକ କିଛି ଜାଣିବା ନିମନ୍ତେ । ଲଫାପା ଭିତରୁ ବାହାରି ଆସିଲା ଦୁଇଟି ସରସ ସୁନ୍ଦର ନିଷ୍ପାପ ସରଳ ଶିଶୁଙ୍କର ଛାୟାଛବି । ରୀନା ଆଉ ମୀନାର । ତା’ ସାଙ୍ଗରେ ଅମରର ଛୋଟ ଚିଠିଟିଏ । ଅମର ଲେଖିଥିଲା....ଆଉ ଅଧିକ କିଛି ଲେଖି ପାରୁନି । କାଗଜରୁ ସବୁ ଜାଣିଥିବ । ବଜାରକୁ ଯିବା ପୂର୍ବରୁ ରୀନା ତୁମପାଇଁ ତାଙ୍କ ଫଟୋ ପଠାଇବା ଲାଗି ଲଫାପାରେ ରଖିଦେଇ ଯାଇଥିଲା । ମୁଁ ଅଧିକ କିଛି ଲେଖି ପାରୁନାହିଁ । ମାଧୁରୀ ବର୍ତ୍ତମାନ ଡାକ୍ତରମାନରେ । ତାଙ୍କର ବାମଗୋଡ଼ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମାନସୀ ଆଉ ଥରେ ଫଟୋ ଉପରକୁ ଚାହିଁଲେ । ଫଟୋର ପଛ ପାଖରେ ଲେଖାଥିଲା...ମାଉସୀଙ୍କ ପାଇଁ ।

 

ମାନସୀ କିଛି ଭାବି ପାରିଲେ ନାହିଁ । ଅଙ୍ଗେ ଅଙ୍ଗେ ସେ ଅସମ୍ଭବ ଯନ୍ତ୍ରଣା ଅନୁଭବ କଲେ । ସତେ ଯେପରି କେବଳ ଗୋଡ଼ ନୁହେଁ ହାତ ଦୁଇଟି ତାଙ୍କର ସେ ହରାଇ ବସିଛନ୍ତି ଆଗକୁ କିମ୍ବା ପଛକୁ ଯିବାର ଉପାୟ ନାହିଁ । ଘର ବାହାରେ ଉଜ୍ଜ୍ୱଳ ଆଲୋକର ତରଙ୍ଗ ତରଙ୍ଗାୟିତ ହେଉଥିବା ବେଳେ ମାନସୀ ଅନୁଭବ କରୁଥିଲେ ସତେ ଯେପରି ସେ ଏକ ଅନ୍ଧକାରର କୂପ ମଧ୍ୟରୁ ଅଣନିଶ୍ୱାସୀ ହୋଇ ଉଠୁଛନ୍ତି । ମୃତ୍ୟୁର ଏକ ଶୀତଳ ସ୍ପର୍ଶ ତାଙ୍କର ନିକଟୁ ନିକଟତର ହୋଇ ଆସୁଛି । ମୁକ୍ତି ମିଳିବାର ସମ୍ଭାବନା ଆାଉ ନାହିଁ । ବାଡ଼ି ବଗିଚାରେ ସବୁ ଶାନ୍ତ । ଫାଟକ ନିକଟରେ ସୂର୍ଯ୍ୟମୁଖୀ ମଉଳି ଆସୁଥିଲା । ସେ ଆଉଥରେ ବାହାରକୁ ଚାହିଁଲେ ।

񤦬񤦬񤦬

 

ଅଙ୍ଗାର

 

ତା’ପରେ ଆଲୋକଚିତ୍ର ଗ୍ରହଣ କରାଗଲା । ଅନିଚ୍ଛା ସତ୍ତ୍ୱେ ବନ୍ଧୁମାନେ ତାଙ୍କ ଗଳାରେ ଫୁଲମାଳଟି ଲମ୍ବାଇ ଦେଲେ ଏବଂ ସାମାନ୍ୟ ଗମ୍ଭୀର ହୋଇ ସେ କ୍ୟାମେରା ଆଡ଼କୁ ମୁହଁ ଫେରାଇଲେ ।

 

ଇଏ ହେଲା ସେହି ପରିଚିତ ପରିବେଶ-ବିଶ୍ୱବିଦ୍ୟାଳୟର ପୋର୍ଟିକୋ । ଗତ ଚାରିଦିନ ଧରି ଛାତ୍ରନେତାମାନେ ଏଠାରେ ଅନଶନ ଧାରଣା ଦେଇଥିଲେ । ସେମାନେ ସକାଳୁ ପ୍ରସ୍ତୁତ ହୋଇ ଆସୁଥିଲେ ଓ ସନ୍ଧ୍ୟାରେ ଫଳରସ, କମଳା କିମ୍ବା ଲେମ୍ବୁରସ ସେବନ କରି ଅନଶନ ଧାରଣା ଭଙ୍ଗ କରୁଥିଲେ । ସେମାନଙ୍କର ଛାୟାଚିତ୍ର ଏବଂ ସଂକ୍ଷିପ୍ତ ବିବୃତି ଦୈନିକ କାଗଜରେ ପ୍ରକାଶ ପାଉଥିଲା । ସେମାନଙ୍କ କଲେଜର ଦାବୀଗୁଡ଼ିକ ପୂରଣ ହେଉ ନ ହେଉ ଛାତ୍ର-ନେତାମାନଙ୍କର ଅନ୍ତତଃ କେତେଟା ପରିପ୍ରଚାର ହୋଇ ପାରୁଥିଲା । ଯେଉଁ ଛାତ୍ରମାନଙ୍କ ଶିକ୍ଷାଦୀକ୍ଷାରେ ଆଗ୍ରହ ଓ ଭବିଷ୍ୟତ ପାଇଁ ନିର୍ଦ୍ଦିଷ୍ଟ ଯୋଜନା ଅଛି, ସେମାନଙ୍କ ଉପରେ ଏହି ଅନଶନ କୌଣସି ପ୍ରଭାବ ପକାଇ ପାରୁ ନଥିଲା । ମାତ୍ର ନେତା ହେବାର ସ୍ୱପ୍ନ ଦେଖୁଥିବା ଛାତ୍ର ଓ ବର୍ତ୍ତମାନର ନେତାମାନେ ଏଥିପ୍ରତି ଦୃଷ୍ଟି ରଖୁଥିଲେ । ଲଘୁ ଚେତନାର ଯୁବକମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରିବା ତ ଏକ ସ୍ୱାଭାବିକ କଥା । ନେତାମାନେ ଏମାନଙ୍କ ପ୍ରତି କିପରି ବା ଉଦାସୀନ ରହନ୍ତେ ? କାରଣ ଏହିମାନଙ୍କୁ ଧରି କେବଳ ନିର୍ବାଚନ ବୈତରଣୀ ପାର ହୋଇ ହେବ-। ଏହିମାନେ ହିଁ କେବଳ ସହଜରେ ଶହୀଦ ହୋଇପାରିବେ, ଗଳା ଫଟାଇ ନିର୍ବାଚନ ପ୍ରଚାର କରିପାରିବେ, କଳାକୁ ଧଳା କହିପାରିବେ ଏବଂ କରିପାରିବାରେ ସହାୟକ ହୋଇ ପାରିବେ । ଏମାନଙ୍କୁ ବାଦଦେଇ ରାଜନୀତିରେ ଥିବା ନେତା ଯିବେ କୁଆଡ଼େ ? ଗଲେ ବା କେତେଦୂର ଯିବେ-?

 

ଏହିପରି ପରିସ୍ଥିତି ଉପୁଜିଲେ ରାଜନୀତି କରୁଥିବା ନେତାମାନଙ୍କର ଚାମ୍‌ଚାମାନେ ଏହିସବୁ ସ୍ଥାନରେ ଚକ୍‌କର କାଟନ୍ତି-ଠିକ୍ ମଢ଼ ଦେଖି ଶାଗୁଣାମାନେ ଆସି ଭିଡ଼ ଜମାଇଲା ପରି । ଯେଉଁ ଯୁବନେତାମାନେ ଇଚ୍ଛା କରନ୍ତି ସେମାନେ ଲାଭବାନ ହୁଅନ୍ତି । ଅନେକ ସମୟରେ ଟଙ୍କା ପାଇଁ ଅନଶନ ଇତ୍ୟାଦି ଯେପରି କରନ୍ତି, ଟଙ୍କା ନେଇ ସେହିପରି ଧର୍ମଘଟ ଇତ୍ୟାଦି ଭାଙ୍ଗନ୍ତି । ନୂଆ ଭାବେ ଘେରାଉ, କରିବା ଆରମ୍ଭ ହୋଇଛି । ବହୁ ସମୟରେ ସ୍ୱେଚ୍ଛାଚାରିତାର ବହିଃପ୍ରକାଶ କିପରି ହୋଇଥାଏ ତାହା ସହଜରେ ଏପରି କ୍ଷେତ୍ରରେ ଉପଲବ୍‌ଧି କରିହୁଏ । ତେବେ ଆଜିର ଏହି ଅନଶନ ପଛରେ ଛାତ୍ରନେତାଙ୍କର ସେପରି କୌଣସି ମନ୍ଦ ଅଭିପ୍ରାୟ ନ ଥିଲା । ସେ ଚାହୁଁଥିଲେ ତାଙ୍କର ଯଥାର୍ଥ ଦାବୀ ପୂରଣ ହେବ ।

 

କଲେଜ ୟୁନିଅନର ସମ୍ପାଦକ ଏକ ସଂକ୍ଷିପ୍ତ ଭାଷଣରେ କହିଲେ, ଗତ କେତେଦିନ ଧରି ଆମର ଦାବୀ ସମ୍ପର୍କରେ ଆମେ କୁଳପତିଙ୍କ ସଙ୍ଗେ ଆଲୋଚନା ଚଳାଇ ଆସୁଛି । ମାତ୍ର ସେ ଜରଦ୍‌ଗତ । କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଆମେ ବୁଝି ପାରୁନାହୁଁ, ଏପରି ବ୍ୟକ୍ତିଙ୍କୁ କାହିକି କୁଳପତି ରୂପେ ରଖାଯାଇଛି ? ତାଙ୍କୁ ଇସ୍ତଫା ଦେବା ନିମନ୍ତେ କହିଲେ ସେ କେବଳ ବଳଦଙ୍କ ପରି ଚାହିଁରହି, ପାଟିରେ ପାନ ପୂରାଇ ଛେଳିଙ୍କ ପରି ପାକୁଳି କରୁଛନ୍ତି । ଆମେ ସାବଧାନ କରାଇ ଦେଉଛୁ ଯେ, ଯଦି ଆମର ଦାବୀ ସମ୍ପର୍କରେ ସେ ତଥାପି ଉଦାସୀନ ରହନ୍ତି, ତେବେ ଆମେ ଘେରାଉ କରି ବିଶ୍ୱବିଦ୍ୟାଳୟର ସବୁ କାର୍ଯ୍ୟ ବନ୍ଦ କରିଦେବୁ । କୌଣସି କରଣରୁ ଛାତ୍ରସମାଜର ଏ ନିଷ୍ପତ୍ତି ପରିବର୍ତ୍ତନ କରାଯିବ ନାହିଁ । ଆମ ଦାବୀ ପ୍ରତି ଆମେ ସମସ୍ତଙ୍କର ସମର୍ଥନ କାମନା କରୁଛୁ । ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉ । ପୁଲିସ ଜୁଲମ ବନ୍ଦ ହେଉ । ଆମେ ଆମ ସଭାପତି ସାଥୀ ଶତପଥୀଙ୍କ ଅନଶନ ପ୍ରତି ମହାବିଦ୍ୟାଳୟର ସମର୍ଥନ ଜଣାଉଛୁ ।

 

ଛାତ୍ର ସମାଜ......ଜିନ୍ଦାବାଦ ।

 

ଆମର ଦାବୀ......ପୂରଣ ହେଉ ।

 

ସାଥୀ ଶତପଥୀ........ଜିନ୍ଦାବାଦ ।

 

ଇନ୍‌କିଲାବ.......ଜିନ୍ଦାବାଦ ।

 

ସମ୍ପାଦକଙ୍କ ସ୍ୱରରେ ସ୍ୱର ମିଳାଇ ଛାତ୍ରବନ୍ଧୁମାନେ ସ୍ଲୋଗାନ ଦେଉଥିଲେ । ସ୍ଲୋଗାନ ଧ୍ୱନିରେ ପରିବେଶ ମୁଖରିତ ହୋଇ ଉଠୁଥିଲା ।

 

ତା’ପରେ ସଭାପତି ଠିଆହୋଇ କହିଲେ, ମୁଁ ମହାବିଦ୍ୟାଳୟର ନିମ୍ନତମ ଦାବୀ ପୂରଣ ନିମନ୍ତେ ଆମରଣ ଅନଶନ କରୁଛି । ଗତ ସାତବର୍ଷ ଧରି ଆମ ମହାବିଦ୍ୟାଳୟର ଛାତ୍ରନେତାମାନେ ବିଭିନ୍ନ ଦାବୀ ପୂରଣ ଲାଗି ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ମାତ୍ର ସବୁ କେବଳ କୁଳପତିଙ୍କ ପ୍ରତିଶ୍ରୁତିରେ ହିଁ ସୀମାବଦ୍ଧ ରହିଯାଇଛି । ଏହା ଆଉ ବରଦାସ୍ତ କରାଯିବ ନାହିଁ । ଆମର ନିମ୍ନତମ ଦାବୀ ହେଲା (୧) ଆମ ମହାବଦ୍ୟାଳୟକୁ ପ୍ରୟୋଜନୀୟ ଅଧ୍ୟାପକ ଦିଆଯାଉ । (୨) ଲାଇବ୍ରେରୀର ବ୍ୟବସ୍ଥା କରାଯାଉ । (୩) ଛାତ୍ରବାସର ସ୍ଥାନ ବୃଦ୍ଧି କରାଯାଉ ଏବଂ ଛାତ୍ରାବାସର ପ୍ରତି ରୁମ୍‌ରେ ଫୋନ୍ ଦିଆଯାଉ । ମୁଁ ଆମ ଦାବୀପ୍ରତି ସମସ୍ତଙ୍କର ସହଯୋଗ କାମନା କରୁଛି । ଏତିକି କହି ସଭାପତି ଆସନ ଗ୍ରହଣ କଲେ ଏବଂ ଅନ୍ୟାନ୍ୟ ବନ୍ଧୁମାନେ ତାଙ୍କୁ କେନ୍ଦ୍ରକରି ବସି ରହିଲେ, କେବଳ ନରେନ୍ଦ୍ରବାବୁଙ୍କ ଅପେକ୍ଷାରେ । ସେ ଚା’ ପିଇବାକୁ ଚାଲିଯାଇଛନ୍ତି । ମନ୍ମଥ୍ ବିରକ୍ତ ହୋଇ କହିଲା, ନରେନ୍ଦ୍ର ନନ୍‌ସେନ୍‌ସ, ଇରେସ୍‌ପନ୍‌ସିବଲ । ତା’କୁ ମୁଁ କ’ଣ କହିଲି ଆଉ ସେ ଯାଇଛି ଚା’ଖାଇ । ହେଇଟି ଦାନ୍ତ ଦେଖାଇ ଦେଖାଇ ଆସୁଛି । ଏହା ହେଲା ଆମ ଟିମ୍ ଓ ଛାତ୍ର ସଙ୍ଗଠନ ମଧ୍ୟରେ ଫରକ । ନରେନ୍ଦ୍ର ଉଦ୍ଦେଶ୍ୟରେ ମନ୍ମଥ କହିଲା, ଭୁଲି ଯାଇଛୁ, ଏହି ଅନଶନ ଉପରେ ଆମ ଆଗାମୀ ୟୁନିୟନ୍ ନିର୍ବାଚନର ଫଳାଫଳ ଏକାନ୍ତ ଭାବେ ନିର୍ଭର କରେ । ଏହା ପରେ ଆମକୁ ଗୋଟାଏ ଦୁଇଟା ସାଧାରଣ ସଭାର ଆୟୋଜନ କରିବାକୁ ହେବ । ତା’ପରେ ଗ୍ରୁପ୍ ଫଟୋ ଉଠାଗଲା । ଗହଳି କମିଲା । ଦେଖଣାହାରୀଙ୍କ ଭିଡ଼ ଧୀରେ ଧୀରେ କମିଲା ।

 

ଦର୍ଶକମାନଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା । କେହି କାହା ମତପ୍ରତି ଗୁରୁତ୍ୱ ଦେଉ ନ ଥିଲେ । ଯାହାର ଯାହା ମତ, ସେ ତାହା ବ୍ୟକ୍ତ କରି ଚାଲି ଯାଉଥିଲେ । ଏଥିରେ ବ୍ୟସ୍ତ ହେବାର କି ବିସ୍ମିତ ହେବାର କ’ଣ ଅଛି ? ଏ ମାଟିରେ ଗଣତନ୍ତ୍ରର ପରୀକ୍ଷା ଚାଲିଛି । କହିବାର ସ୍ୱାଧୀନତା ସମସ୍ତଙ୍କର ଅଛି, ଅନେକ ଛାତ୍ର କହୁଥିଲେ ଯେ, ସେମାନେ ଚାରିଦିନ କାଳ ଦୁଇବେଳା ଖାଇ ଅନଶନ ଧର୍ମଘଟର ପ୍ରହସନ କଲେ । ଇଏ ପୁଣି ଆମରଣ ଅନଶନ କିପରି କରିବେ-ଦେଖିବା । ଅନଶନକାରୀ ବନ୍ଧୁମାନଙ୍କ ଖଇବା ଖର୍ଚ୍ଚ ତ ହାତରୁ ପଡ଼ୁନାହିଁ । ସବୁ ମନ୍ତ୍ରୀ ବୁଝୁଛନ୍ତି । ଫଳ ତ କିଛି ହେଉନାହିଁ କିଏ ଜରଦ୍‌ଗବ କୁଳପତି ଥିବା ପର୍ଯ୍ୟନ୍ତ ହେବ ବି ନାହିଁ । ଲାଭ ଏତିକି ହେବ ଯେ, ଭାଇନା ହୋଟେଲର ଯାହା କିଛି କିଛି ଲାଭ ହେବ ।

 

ଏମାନେ ଯାହା କରୁଛନ୍ତି ତା’ଠୁ ଅଧିକ କ’ଣ କରିପାରନ୍ତେ ? ଠିକ୍ ପନ୍ଥା ଧରିଛନ୍ତି ବୋଲି କେତେକ ଦେଖଣାହାରୀ ମତ ଦେଲେ ।

 

ବୃଦ୍ଧ ଅଧ୍ୟାପକ ସାମାନ୍ୟ ଅଟକି ଯାଇ କହିଲେ, ସମୟର ବୃଥା ବିନିଯୋଗ । ହ୍ୱାଟ୍‌ ହେଲ୍ । ଏ ନେଇ ଯୁବସମାଜ ଲଜ୍ଜିତ ହେବା ଉଚିତ । ଦୁର୍ଭାଗ୍ୟ ଯେ, ଗାନ୍ଧୀଙ୍କଠାରୁ ଏ ଜାତି କିଛି ଶିଖିଲା ନାହିଁ । ଆତ୍ମପ୍ରତାରଣା କରି ଏ ଜାତି ଆଉ କେତେଦିନ ବଞ୍ଚିବ ? ଶେମ୍ ଶେମ୍ । ପାଠ ନ ପଢ଼ି ଛାତ୍ରମାନେ ଏପରି ସମୟ ନଷ୍ଟ କରିବେ କାହିଁକି ? ମୁଁ ସତରେ ଦୁଃଖିତ । ଯୁବ-ସମାଜ ପ୍ରତି ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଏ ଉଦାସୀନତା ସତରେ ଲଜ୍ଜାକର ।

 

ସଭାପତି ସାଥୀ ଶତପଥୀଙ୍କ ଜଣେ ବନ୍ଧୁଙ୍କୁ ଟିକିଏ ଦୂରକୁ ଡାକିନେଇ ଜଣେ କିରାନୀ ବନ୍ଧୁ ଅତି ଆତ୍ମୀୟତାର ସହିତ ପଚାରିଲେ, ‘‘ଶିବବାବୁ, ଦେଖୁଛନ୍ତି ତ, କିପରି ମେଘପବନ ଘୋଟି ଆସୁଛି । ଆଜି ରେଡ଼ିଓରୁ ପାଣିପାଗ ଘୋଷଣା ଶୁଣିଛନ୍ତି ତ ? ଅଧିକାଂଶ ସମୟରେ ଏ ଘୋଷଣା ଯେପରି ଠିକ୍ ନ ହୁଏ, ସେହିପରି ଯଦି ନ ହୁଏ ତେବେ ଫଳ କ’ଣ ହେବ ? ଶତପଥୀଙ୍କ ପାଇଁ ରାତିରେ କିଛି ବ୍ୟବସ୍ଥା କରିଛ ତ ? ସେ କ’ଣ ଖାଇବେ ? ତାଙ୍କ ସଙ୍ଗରେ ରାତିରେ ରହିବେ କିଏ-? ତାଙ୍କୁ ଏକାକୀ ଏଠି ରହିବାକୁ ଛାଡ଼ିଦେବେ କିପରି ?’’

 

ଶିବରାମ ସାମାନ୍ୟ ଗମ୍ଭୀର ହୋଇ କହିଲେ, ‘‘ଶତପଥୀ ବାବୁ ଆମରଣ ଅନଶନ କରିଛନ୍ତି, ଆଉ ଖାଇବେ କ’ଣ ? ଖାଇବା ପ୍ରଶ୍ନ ନାହିଁ । ତେବେ ତାଙ୍କ ସଙ୍ଗେ ଯେଉଁମାନେ ରାତିରେ ରହିବେ ସେମାନେ ସାତଟା ଆଠଟାରେ ଆସି ପହଞ୍ଚିବେ ।’’ କିରାନୀ ବନ୍ଧୁ ସାମାନ୍ୟ ବ୍ୟଙ୍ଗ କରି କହିଲେ, ‘‘ହୋ ଶିବବାବୁ, ଆଜିକାଲି ପୁଣି ଲୋକେ ଅଛନ୍ତି ଯିଏ ନ ଖାଇ ଅନଶନ କରୁଛନ୍ତି ?’’

 

‘‘ମାତ୍ର...ଏ ଶତପଥୀ’’

 

‘‘କ’ଣ ଫୁଲମାଳ ପକାଇ ଗୀତା ପଢ଼ିଲେ ସବୁ ହୋଇଯିବ? ସମସ୍ତେ ଗାନ୍ଧୀ ହୋଇଯିବେ ? ହଉ, ଦେଖାଯାଉ’’ କହି ସାମାନ୍ୟ ହସି କିରାନୀ ବନ୍ଧୁ ଚାଲି ଯାଉ ଯାଉ ପୁଣି କହିଲେ, ‘ବୁଝିଲେ ଶିବ ବାବୁ, ଏ କିଛି ନୂଆ ନୁହେଁ । ଗତ ପନ୍ଦର ବର୍ଷ ଧରି ମୁଁ ଏଠାରେ ଅଛି । ଆଜି ଯେଉଁମାନେ ନେତା, ମନ୍ତ୍ରୀ, ଏମ.ଏଲ.ଏ. ସେମାନେ ବି ଦିନେ ଛାତ୍ର ଥିଲେ ଆଉ ସେମାନେ ସବୁ କିପରି ଆନ୍ଦୋଳନ ଅନଶନ କରୁଥିଲେ ମୋତେ ସବୁ ଜଣା । ହେଉ, ଦେଖାଯାଉ । ଶିବବାବୁ, କିଛି ଭାବିବେ ନାହିଁ । ଆପଣଙ୍କ ଭଲପାଇଁ କହୁଥିଲି, କିଛି ବ୍ୟବସ୍ଥା କରନ୍ତୁ । ଅନ୍ତତଃ ପାଉଁରୁଟି ଜେଲି । ସନ୍ଧ୍ୟା ଆଠଟା ପରେ ଏଠାରେ ଆଉ କିଛି ପାଇବା କଷ୍ଟ ।’

 

କିରାନୀ ବନ୍ଧୁ ଚାଲିଗଲେ । ଶିବରାମ ଉପରକୁ ଚାହିଁ ସାମାନ୍ୟ ଚିନ୍ତା କଲେ । ସତରେ ସେ ନିଜେ ଓ ସେମାନେ ଓ ସର୍ବୋପରି ଯୁବସମାଜ ଆଜି କରୁଛି କ’ଣ ? ଅନଶନ ଧର୍ମଘଟ କରିବେ । ଗାନ୍ଧୀଙ୍କ ନାମରେ ଶପଥ ନେବେ, ଅଥଚ କାର୍ଯ୍ୟରେ ନିଷ୍ଠା ନାହିଁ, ସ୍ଥିର ଲକ୍ଷ୍ୟ ନାହିଁ । ଅନଶନ କରିବେ ଅଥଚ ଲୁଚାଇ ଲୁଚାଇ ଖାଦ୍ୟ ଖାଇବେ । ସେ, ଶତପଥୀ ଓ ତାଙ୍କରି ପରି ଆଜି ଅନେକ ଯୁବକ ଅନ୍ଧକାରର ବଳୟ ମଧ୍ୟରେ ଅଣ-ନିଶ୍ୱାସୀ ହୋଇ ପଡ଼ିଛନ୍ତି । ପଥ କାହିଁ, ସେମାନଙ୍କର ଗତି କୁଆଡ଼େ ? ମୁକ୍ତିର ଦ୍ୱାର କେତେ ଦୂରରେ ? ତାଙ୍କ ସମ୍ମୁଖରେ ଆଦର୍ଶ ନାହିଁ, ନେତୃତ୍ୱ ନାହିଁ, ଆଶା ନାହିଁ, ଉଜ୍ଜ୍ୱଳ ସମ୍ଭାବନା ନାହିଁ । ବଞ୍ଚିବାର ପାଥେୟ ନାହିଁ । ସବୁ ଆଜି ଭେଜାଲ । ଶିବରାମଙ୍କ ଲାଇଟର ଜଳି ଉଠିଲା । ସେ ମନକୁ ମନ ଶୁଣାଇଲା ବଞ୍ଚିବାକୁ ହେବ, ବଞ୍ଚିବାକୁ ହେବ, ପ୍ରଥମେ ବଞ୍ଚିବାକୁ ହେବ । ଏହି ଅନ୍ଧକାର ମଧ୍ୟରୁ କୁଦାମାରି ଆଲୋକର ସନ୍ଧାନ କରିବାକୁ ହେବ । ନଚେତ୍ ଏହାରି ମଧ୍ୟରେ ମୃତ୍ୟୁ ବରଣ କରିବାକୁ ହେବ । ଆଉ ତୃତୀୟ ପନ୍ଥା ନାହିଁ ।

 

ଶିବରାମ ପାହାଚ ଉପରୁ ଓହ୍ଲାଇ ଆସୁ ଆସୁ କହିଲା, ହେ ଦୀନବନ୍ଧୁ, ହେଇଟି ବେଳକାଳ ଦେଖି ଗଡ଼ିଲେ ଗୋପୀ । ମହାନ୍ ହାରମୀ, ଅନଶନକାରୀ ଛାତ୍ରଙ୍କ ଯିବାଆସିବା ଖର୍ଚ୍ଚ ସବୁ ଦେବ ବୋଲି କହିଥିଲା । ତା’ର ଦେଖାନାହିଁ । ଆସୁ ଆଜି, ପଚାରୁଛି ତାକୁ ।

 

ଶତପଥୀ କହିଲେ, ‘‘ତୁ ତାକୁ କିଛି କହିବୁ ନାହିଁ ।’’ ଏହା ଶୁଣି ଶିବରାମ କହିଲା, ‘‘ତୁ ଗାନ୍ଧୀ ହଅ, ମୋର କହିବାର କିଛି ନାହିଁ । ମାତ୍ର ମୁଁ ତାକୁ ଛାଡ଼ୁ ନାହିଁ, ଗୋବର୍ଦ୍ଧନ ଆଜି ଆସୁ ।’’

 

‘ନାଁ, ଏ ଗୋବର୍ଦ୍ଧନ ନୁହେଁ ।’

 

‘ଗୋବର୍ଦ୍ଧନ ବ୍ୟତୀତ ଏ ଅନ୍ୟ କେହି ନୁହେଁ’ । ମନ୍ତ୍ରୀଙ୍କ ଚାମ୍‌ଚା ମହାନ୍ ବଜ୍ଜାତ୍ । ରାଜୁ ବାବୁଙ୍କର ଯେତେସବୁ ଧନ୍ଦା ଏହିମାନଙ୍କ ଜରିଆରେ । ତାଙ୍କ ଘରେ ଆଉ ଗୋଟାଏ କଣା ଅଛି, ତା’ ନା ଗିରିଧାରୀ । କିଛି କମ୍ ନୁହନ୍ତି ଏମାନେ । ମନ୍ତ୍ରୀ ଘରେ ନ ଥିବାବେଳେ ଏମାନେ ଡେଲିଭରି ଆଟେଣ୍ଡ୍ କରିବା ନିମନ୍ତେ ଫୋନ୍ କରି ମନ୍ତ୍ରୀ କହୁଛନ୍ତି ବୋଲି କହି, ନର୍ସଙ୍କୁ ଡକାନ୍ତି । ଆଉ ଅଧିକ କ’ଣ କହିବି ? ସେଥିରୁ ସବୁ ବୁଝିବୁ ।

 

ଗୋବର୍ଦ୍ଧନ ହସ ହସ ହୋଇ କହିଲା, ମନ୍ତ୍ରୀଙ୍କ ନୈତିକ ସମର୍ଥନ ତମପାଇଁ ରହିଛି । ବିଭିନ୍ନଆଡ଼ୁ ଚାପହେତୁ ସେ ତୁମ ବିରୁଦ୍ଧରେ ଯାହାକିଛି କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ ହେଲେ । ସେ ସତରେ ଦୁଃଖିତ । ଏ ଝଡ଼ ବର୍ଷା, ତୁମେ ଆଜି କାହିଁକି ଅନଶନ କରିବାଲାଗି ବାଛିଲ ? ହଁ, ଏଥର ଇୟୁନିୟନ ନିର୍ବାଚନର ଖର୍ଚ୍ଚ ଯାହା ହେବ ସବୁ ମୁଁ ବୁଝିବି । ସେ ଦାୟିତ୍ୱ ମୋର । ତୁମେ ବ୍ୟସ୍ତ ହେବ ନାହିଁ ।

 

ଶିବରାମ ଆଉ ସମ୍ଭାଳି ପାରିଲା ନାହିଁ । ରୁଷଭାବେ କହିଲା, ଗୋବର୍ଦ୍ଧନ ବାବୁ ଟାଉଟରି କରିବା ପାଇଁ ଆଉ ଲୋକ ପାଇଲ ନାହିଁ ? ତୁମକୁ ଚିହ୍ନିବା ଆଉ ବାକି ନାହିଁ । ରାଜୁବାବୁଟିକୁ ତ ବୁଡ଼ାଇଲ...ଆଉ । ଯାହା ଲୁଣ ଖାଉଛ ତା’ ଗୁଣ ଅନ୍ତତଃ ଗାଆ । ନିର୍ବାଚନ ଖର୍ଚ୍ଚ ଦେବ, ପୁଣି ତୁମେ । ଭାଇନା ହୋଟେଲରେ ଏପର୍ଯ୍ୟନ୍ତ ବାକି ।

 

ଗୋବର୍ଦ୍ଧନ ମୁଣ୍ଡରେ ହାତ ଦେଲେ । ଶିବରାମଙ୍କ ହାତଧରି କହିଲେ, ଶିବ ଭାଇ, ତୁ ବିଶ୍ୱାସ କର, ଏ ଟଙ୍କା ଶୁଝିବା ଲାଗି ମନ୍ତ୍ରୀ ନିଜେ ସାତ ଶହ ଟଙ୍କା ଦେଇଛନ୍ତି । ସେ ତେବେ ମୋଟେ ଦେଇ ନାହିଁ । ମୁଁ ଆଜି ତାକୁ ପଚାରୁଛି ।

 

‘‘କିଏ ସତ କହୁଛି କିଏ କହିବ ? ଗୋବର୍ଦ୍ଧନକୁ ଗିରିଧାରୀ । ଜନମଙ୍ଗଳ ବିଭାଗର ଦୁଇଟି ସ୍ମରଣୀୟ ଜୀବ । ଦେବା ନେବା, ବଦଳି କରିବା, ତାକୁ ବନ୍ଦ କରିବା, ପ୍ରମୋସନ ଦେବା ପରି ସବୁ ତୁମରି ଜରିଆରେ ହଉଛି । ମନ୍ତ୍ରୀ ଡାକୁ ହେଲେ ତୁମେ ତଣ୍ଟିକଟା ।

 

ଶିବ ଭାଇ ତୁ’ତ ଏପରି ରାଗୁନାହିଁ । ଆଜି ଏପରି କାହିଁକି ?

 

ବିରକ୍ତ ହେଲି ? ଭାଇନା ହୋଟେଲ ବାକି ଆଉ କେତେ ଦିନ ପଡ଼ି ରହିବ ?

 

‘ବିଶ୍ୱାସ କର । କାଲି ମୁଁ ନିଜେ ଆସି ସବୁ ବାକି ତୁଟାଇ ଦେଇଯିବି ।’

 

ସଭାପତି ଦୀନବନ୍ଧୁ ପାଟିକଲେ, ଶିବରାମ, ସେ ଯାଆନ୍ତୁ । ବର୍ଷା ଉଠାଇଲାଣି । ଗୋବର୍ଦ୍ଧନ ଯାଉ ଯାଉ କହିଲେ, ଅନେକ ଆସିବେ ଆଉ ଯିବେ, ଆମ ଦୀନବନ୍ଧୁଙ୍କ ପରି ଛାତ୍ରନେତା ଆଉ ମିଳିବେ ନାହିଁ ।

 

‘‘ଅଯଥା ତେଲ ଏଠି ଜାଳନ୍ତୁ ନାହିଁ । ଅନ୍ୟ ଜାଗାପାଇଁ ସାଇତି ରଖନ୍ତୁ-କାମରେ ଆସିବ ।’’ ସାମାନ୍ୟ ରୁକ୍ଷଭାବେ କହିଲେ ଶିବରାମ ।

 

(ଦୁଇ)

 

ବର୍ଷା ଛିଞ୍ଚଡ଼ା ପଡ଼ିବାରୁ ସେମାନେ ପୋର୍ଟିକୋ ପାଖରୁ ଯାଇ ବାରଣ୍ଡାରେ ବସିଲେ । ଅଫିସରେ ଯିଏ ଯେପରି ଥିଲେ ସେମାନେ ଧୀରେ ଧୀରେ ଚାଲିଗଲେ । ପରିବେଶ ଯେତିକି ନିଛାଟିଆ ହେବା କଥା ତାଠୁ ଅଧିକ ନିଛାଟିଆ ମନେ ହେଲା ।

 

ଶିବରାମ ବର୍ଷାରେ ଭିଜି ଭିଜି ଟି’ ଷ୍ଟଲକୁ ଆସି କହିଲା, ଦୀନବନ୍ଧୁ, ନରେନ୍ଦ୍ର, ପ୍ରମୋଦ, ସଦାନନ୍ଦ କେହି ତ ଆସିଲେ ନାହିଁ । ଲାଷ୍ଟ୍ ବସ୍ ତ ଏଇ ଫେରିଲା । ବର୍ଷା ହୁଏତ ଯୋର୍‌ରେ କଟକ ଆଡ଼େ ହୋଇଛି । ମୁଁ ଜାଣିଥିଲି ସେମାନେ ଆସିବେ ନାହିଁ । ବିଶେଷତଃ ନରେନ୍ଦ୍ର ମହାନ୍ ବାହାପିଆ । କେଉଁଠାରେ ବସି ଡହରାମି କରୁଥିବ । ଆଉ ସଦାନନ୍ଦ ତାକୁ ଠେଲାପେଲା କରି କେତେଦୂର ନେବ । କିଏ ତାକୁ ଠେଲିବ । ଏମାନଙ୍କୁ ନେଇ କି ଆନ୍ଦୋଳନ କରିବ ? ନିଜ ସମ୍ପର୍କରେ ଯେତିକି ପ୍ରଚାର କରୁଛ ତା’ର କାଣିଚାଏ ଅନ୍ତତଃ କାମ କର । ଦେବେନ୍ଦ୍ର ସବୁ ଶେଷ କରିଦେଇ ଯାଇଛି । ଗତ ଛାତ୍ର ଧର୍ମଘଟ ସମୟରେ ପ୍ରଥମେ ପ୍ରଥମେ ବେଶ୍ ଲମ୍ବା ଚଉଡ଼ା ଭାଷଣମାନ ଝାଡ଼ିଲା । ମାତ୍ର ପରେ ସରକାରଙ୍କୁ ସମର୍ଥନ କରି ସବୁ ଓଲଟା କାମ କଲା । ବେଶ ଟଙ୍କା ତ ପାଇଲା । ତା’ ବ୍ୟତୀତ ଲୋକସମ୍ପର୍କ ବିଭାଗରେ ଉଚ୍ଚ ଚାକିରୀରେ ନିଯୁକ୍ତି । ଏବେ ଯାହା କିଛି ଆନ୍ଦୋଳନ ହେଲେ ଯୁବକମାନେ ଏହିପରି ଏକ ସୁଯୋଗ ଅପେକ୍ଷାରେ ରହୁଛନ୍ତି ।

 

‘ଏପରି ସୁଯୋଗର ସୁବିଧା ନେବାପାଇଁ ତୁ ଚେଷ୍ଟା କରୁ ନାହୁଁ ?

 

ଏଣିକି କରିବି.....ଅଯଥା ସମୟ ନଷ୍ଟ ହେଉଛି, ସାମାନ୍ୟ ହସି ଦୀନବନ୍ଧୁଙ୍କୁ ଉତ୍ତର ଦେଲା ଶିବରାମ । ସେ ହସର ଅର୍ଥ ଥିଲା ।’

 

ଶିବରାମ ଘଣ୍ଟାକୁ ଚାହିଁଲା । ସମୟ ରାତି ଗୋଟାଏ ତିରିଶ । ସେ ବ୍ୟାଗ୍‌ରୁ ପାଉଁରୁଟି କାଢ଼ି ସେଥିରେ ଜେଲି ଲଗାଇ ଥୋଇଲା ଓ ଅଣ୍ଡା ଛଡ଼ାଇଲା ଏବଂ କହିଲା, ଦୀନବନ୍ଧୁ, ତୁ ଦୁଇଟି ଅଣ୍ଡା ଓ ପାଉଁରୁଟି ନେଇ ଖାଆ ।

 

ଦୀନବନ୍ଧୁ ସାମାନ୍ୟ ବ୍ୟଥିତ ନୟନରେ ଚାହିଁ ପଚାରିଲା....ତୁ କ’ଣ କହୁଛୁ ?

 

କହୁଛି ଛତୁ । କହୁଛି ଖାଆ । ଫ୍ଳାସ୍କରେ କଫି ଅଛି । ବୋତଲରେ ପାଣି ଅଛି । ଯାହା ଇଚ୍ଛା ପିଇ ପାରୁ । ଆଉ ଡେରି କର ନାହିଁ । ଅନେକ ରାତି ହେଲାଣି ।

 

‘‘ମାତ୍ର ମୁଁ ଅନଶନ କରୁଛି ।’

 

‘ତୁ ଏଠି କ’ଣ କରୁଛୁ ନ କରୁଛୁ କେହି ଦେଖୁନାହିଁ । ମାତ୍ର ଆତ୍ମାକୁ ଅଯଥା କଷ୍ଟ ଦେବା ସପକ୍ଷରେ ମୁଁ ନୁହେଁ । ମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି, କାମରେ କରୁ ନାହାନ୍ତି । ଆମ ସରକାରଙ୍କ ନୀତି ହେଲା ଅହିଂସା ଆଚରଣ ମାତ୍ର ହଜାର ହଜାର ଲୋକ ଗୁଳିଗୁଳାର ଶିକାର ହେଉଛନ୍ତି । କଳାବଜାରୀ ଧର୍ମକୁ ଆଖିଠାର ମାରୁଛି, ଦୀନ ଦରିଦ୍ରଙ୍କୁ ପଇସାଏ ଦୁଇପଇସା ଯେଉଁ ହାତରେ ଦାନ କରୁଛି, ସେହି ହାତରେ ଧରି ସେ ପର ସ୍ତ୍ରୀ ଆଉ ଝିଅଙ୍କ ସତୀତ୍ତ୍ୱ ହରଣ କରୁଛି । ଦେଖିଲୁ ତ ଅଗ୍ରଓ୍ୱାଲାକୁ । ଯେଉଁ ପୁଲିସ୍ ଅଫିସର ଚୋର ଜଗିବାକୁ ଅଛି ସେ କିପରି ଲୁଟି କରି ଚାଲିଛି । ସବୁ କେବଳ ଛଳନା । ମାତ୍ର ଏ ଅନଶନ ତୋର ପ୍ରଭାବ ପକାଇ ପାରିବ ନାହିଁ । ତୁ କ’ଣ ଭାବୁଛୁ ଉପବାସ କରି ତୁ ନେତା ହୋଇଯିବୁ ? ମୋଟେ ନୁହେଁ । ତୁ ନେତା ହେଲେ ଗୋବର୍ଦ୍ଧନ କ’ଣ ହେବ ? କିଛି ନ ଭାବି ଖାଇପିଇ ଶୋଇଯାଅ । ମୋତେ ଭୀଷଣ ନିଦ ଲାଗିଲାଣି ।

 

‘ମାତ୍ର ଗାନ୍ଧୀ...’

 

ଶିବରାମ ହସି ହସି କହିଲା, ତାଙ୍କ ନାମ କାହିଁକି ଧରୁଛ ? ଏ ଦେଶବାସୀ ତାକୁ ବ୍ୟବସାୟରେ ଲଗାଇ ଦେଲେଣି । ଲୋକସଭାରେ ତାଙ୍କ ଛବି, ମଦ ଦୋକାନରେ ତାଙ୍କ ଛବି । ଗାନ୍ଧୀ ଏବେ ପୁରୁଣା ହୋଇଗଲେଣି । ଆଉ କାଟୁକରୁ ନାହାନ୍ତି । ନେତା ହେବାକୁ ହେଲେ ନୂଆ ପନ୍ଥା ଧରିବାକୁ ହେବ । ମୁଁ ଜାଣେନି ଅନଶନବେଳେ ଗାନ୍ଧୀ କ’ଣ କରୁଥିଲେ, ମାତ୍ର....

 

‘ଯିଏ ଯାହା କରୁ ମୁଁ କିନ୍ତୁ ପାରିବି ନାହିଁ । ମୁଁ ଅନଶନ କରିଛି ତ ଅନଶନ କରିଛି, କହି ସେ ହାତରେ ଧରିଥିବା ବହି ‘ଓ୍ୱାଲ୍‌ଡ଼ ଲିଡ଼ରସ୍’ ଉପରକୁ ଦୃଷ୍ଟି ଫେରାଇଲା ।

 

ଶିବରାମ ସାମାନ୍ୟ ବିରକ୍ତି ପ୍ରକାଶ କରି କହିଲା, ମୁଁ ଶୋଇଲି । ତେଣିକି ତୋ ଇଚ୍ଛା, ତୁ ଯାହା କରିବୁ । ଚାହୁଁ ଚାହୁଁ ଶିବରାମ ଘୁଙ୍ଗୁଡ଼ି ମାରିଲା ।

 

ଆଉ ଦଲକାଏ ଜୋର୍‌ରେ ବର୍ଷା ହୋଇଗଲା । ଅଫିସ୍ ବାରଣ୍ଡାରେ ଯେଉଁ ଗୁର୍ଖା ଗାର୍ଡ଼ ଦେଉଥିଲା ତା’ର ଚାଲିବାର ଯୋତାଶବ୍ଦ ଆଉ ଶୁଣାଗଲା ନାହିଁ । ଚତୁର୍ଦ୍ଦିଗ ନୀରବ, ନିର୍ମମ ଭାବେ ନୀରବ । ଭୟପ୍ରଦ ଏ ନିସ୍ତବ୍‌ଧତା । ଦୀନବନ୍ଧୁ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରୁ ନ ଥିଲେ । ସେ ମାନସିକ ଦ୍ୱନ୍ଦ୍ୱର ଘୂର୍ଣ୍ଣନରେ କେବଳ ଝଡ଼ର ଝରପତ୍ର ପରି ଘୂରି ବୁଲୁଥିଲେ । କେଇ ପିସ୍ ପାଉଁରୁଟି ଓ ଅଣ୍ଡା ଦୁଇଟି ସେ ଖାଇବେ ନା ନାହିଁ । ସେ ଯଦି ଖାଆନ୍ତି ତାଙ୍କର ଭୁଲ ହେବ ନା ନାହିଁ । ଯେତେ ନେତା ଆଜି ଅନଶନ କରୁଛନ୍ତି ସତରେ କ’ଣ କାହାରି ନିଷ୍ଠା ନାହିଁ ? ସବୁ କ’ଣ ଆଜି ଭେଜାଲ ? ଗାନ୍ଧୀ କ’ଣ ସତରେ ପୁରୁଣା ହୋଇଗଲେଣି ? ଦୀନବନ୍ଧୁ ପଛକୁ ଚାହିଁଲେ । ପଛ ବାରଣ୍ଡାରେ ବୁଲା ଗାଈଟି ସେହିପରି ଆଖିବୁଜି ଠିଆରହି ପାକୁଳି କରୁଛି । ହଠାତ୍ ଲାଇଟ୍ ଅପ୍ ହୋଇଗଲା । ସେ ଗଣିଚାଲିଲେ ଏକ-ଦୁଇ-ତିନି....ପଚାଶ । କାହିଁ, ଲାଇଟ ତ ଆସିଲା ନାହିଁ-। ମେନ୍ ଲାଇନ ହୁଏତ ଛିଡ଼ିଛି । ଅନ୍ଧକାର ମଧ୍ୟରେ ଆଉ କିଛି ଦିଶୁ ନ ଥିଲା । ହାତ ଘଡ଼ିର ଟିକ୍ ଟିକ୍ ଶବ୍ଦ ଯାହା କେବଳ ଶୁଭୁଥିଲା । ଝଡ଼ର ଝଞ୍ଜା ପରିବେଶକୁ ଭୀତିପ୍ରଦ କରି ତୋଳୁଥିଲା-। ହଠାତ୍ ଗୋଟିଏ ପଶୁ ଦୀନବନ୍ଧୁଙ୍କୁ ଡେଇଁ ଚାଲିଗଲା ପରି ମନେ ହେଲା । ସେ ଭୟରେ ଚିତ୍କାର କରି ଶିବରାମକୁ ଉଠାଇଲା । କ’ଣ କ’ଣ ହୋଇ ସେ ଉଠି ବସିଲା । ଦୀନବନ୍ଧୁ କହିଲା, ଗୋଟିଏ ବିଲୁଆ ବୋଧହୁଏ ଚାଲିଗଲା ।

 

ଅଧଘଣ୍ଟାଏ ହେବ ଲାଇଟ୍ ନାହିଁ ।

 

‘-ହଁ ଗୋଟାଏ ପାଗଳା ବିଲୁଆ କାମ୍ପାସ୍‌ରେ ବୁଲୁଛି । ସେଇଟା ହୁଏତ ହୋଇଥିବ । ରକ୍ଷାଅଛି, କାମୁଡ଼ି ନାହିଁ । ଆଜି ଲାଇନ୍ ଆଉ ଠିକ୍ ହେବ, ଏ ବିଶ୍ୱାସ ନାହିଁ । ହାଇ ମାରୁ ମାରୁ ଶିବରାମ କହିଲା, ଲାଇଟର କାହିଁ ?

 

ହଠାତ୍ ଲାଇନ୍ ଆସିଗଲା ।

 

ଶିବରାମ ଘଡ଼ିକୁ ଚାହିଁ ଦେଖିଲା ସମୟ ୩ଟା ୪୫ ମିନିଟ୍ । ବର୍ଷା, ବର୍ଷା, ବର୍ଷା, ବର୍ଷା କେବଳ ବର୍ଷା । ଝଡ଼ର ସାମ୍ରାଜ୍ୟର ସୀମାରେଖା ଆରମ୍ଭ ଓ ଶେଷ କେଉଁଠି ଜାଣିବା କଷ୍ଟ । ଅଫିସ ସାମନା କୃଷ୍ଣଚୁଡ଼ାଟି ଭାଙ୍ଗି ତଳେ ଲୋଟି ପଡ଼ିଛି । ଫ୍ଳାସ୍କରୁ କଫି କାଢ଼ି ପିଉ ପିଉ ଶିବରାମ କହିଲା, ଦୀନବନ୍ଧୁ, ତୁ ଭାବିଛୁ ତୁ ଆଉ ଗୋଟାଏ ଗାନ୍ଧୀ ହେବୁ । ଅଣ୍ଡା ତ ସେହିପରି ଥୁଆ ହୋଇଛି । ଏ ଅଣ୍ଡା ଦୁଇଟି ଖାଇଦେଲେ ତୋର ତପସ୍ୟା ସଫଳ ହେବ ନାହିଁ ବୋଲି ତୋର ଆଶଙ୍କା । ପାପ ହେବ । ପାପ ପୁଣ୍ୟ ବୋଲି ସେପରି କିଛି ଜିନିଷ ନାହିଁ । ଏହା ବ୍ୟକ୍ତିତ୍ଵର ଦୁଇଟି ଦୃଷ୍ଟିକୋଣ । ତୁ ଭାବିଛୁ କୁଳପତି ତୋତେ ଅନଶନ ଭାଙ୍ଗିବା ନିମନ୍ତେ ଆସି ଏ ଝଡ଼ ରାତିରେ କହିବେ ? କାହିଁକି, ତୁ ମରିଗଲେ ତା’ର କ’ଣ ଯାଏ ଆସେ ? ସେ ତ ଏଠି କାମ କରିବାକୁ ଆସି ନାହିଁ । ଆସିଛି ଅବସର କଟାଇବା ନିମନ୍ତେ । ଦରମଲା ଆଜ୍‌ମା ପେସେଣ୍ଟ୍ ଆସି ନେତୃତ୍ଵ ଦେବ ବିଶ୍ୱବିଦ୍ୟାଳୟର ଯୁବସମାଜକୁ ? ଧନ୍ୟରେ ସିଲେକ୍‌ସନ । ତମ ସରକାର ସିନା ଗରିବୀ ହଟାଅ ଆହ୍ୱାନ ଦେଇଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ହେଲେ କ’ଣ ଆହ୍ୱାନ ଦିଅନ୍ତି ଜାଣିଛୁ ? ତାହା ହେଉଛି ମଢ଼ ହଟାଅ । ଯେତେ ଯେଉଁଠି ଅସମର୍ଥ ବୃଦ୍ଧ ବିଭିନ୍ନ ପଦ ପଦବୀରେ ରହି ପ୍ରଗତିର ତଣ୍ଟି ଚିପୁଛନ୍ତି, କାମ ନ କରି ସରକାରୀ ତହବିଲ ଲୁଟି କରିଚାଲିଛନ୍ତି ସେମାନଙ୍କୁ ହଟାଇବାକୁ । ତୁ ମନେରଖ, ଝଡ଼ ଯଦି ଏହିପରି ଲାଗି ରହେ; ଆଜି ତ ଗଲା ଆସନ୍ତା କାଲି ରବିବାର ମୋଟେ ନୁହେଁ, ପଅରଦିନ ସୋମବାର ସେ ମୋଟେ ଅଫିସ୍‌କୁ ଆସୁଛି କି ନାହିଁ ଦେଖ । ବାକି ରହିଲା ଛାତ୍ରମଙ୍ଗଳ ଅଫିସର । ଏବେ ଅଳ୍ପଦିନ ହେଲା ସେ ବିଭା ହୋଇଛି । ଏତେ ରାତିରେ ସେ ଉଠିଆସିବ ତୋତେ ଅନଶନ ଭାଙ୍ଗିବା ଲାଗି ଅନୁରୋଧ କରିବାକୁ ? ଏ ବିଶ୍ୱାସ ମୋର ନାହିଁ । ଦେଖ୍, ତୋର ଇଚ୍ଛା ଯାହା ହେଉଛି କର । ମାତ୍ର ମୁଁ ଚାହେଁ ନାହିଁ ତୁ ଏଠି ଝଡ଼ରେ ବସି ଶିବଙ୍କ ପରି ସାଧନା କରିବୁ । ଆଉ ଲେଡ଼ିଜ୍ ହଷ୍ଟେଲରୁ କୌଣସି ପାର୍ବତୀ ଆସି ବରଣମାଳା ଦେବ । ଚାଲ, ଏଇ ସକାଳ ବସ୍‌ରେ ଚାଲିଯିବା...

 

ଦୀନବନ୍ଧୁ ସାମାନ୍ୟ ନୀରବ ରହିବା ପରେ ପ୍ରଶ୍ନ କଲା, ତାହା କିପରି ହେବ ? ସମସ୍ତେ କ’ଣ କହିବେ ?

 

ଶିବରାମ ବିରକ୍ତ ହୋଇ କହିଲା, ଅନ୍ୟମାନଙ୍କର ମତାମତ ନିମନ୍ତେ ଯାହାର ଏତେ ଭୟ ସେ ଅନ୍ତତଃ ନେତା ହେବା ନିମନ୍ତେ ଯୋଜନା କରିବା ଉଚିତ ନୁହେଁ । ଏ ଦେଶରେ ନେତା ହେବା ନିମନ୍ତେ କିଛିଟା ସତ ଓ ଅନେକ ମିଛର ଯାଦୁ ଶକ୍ତି ହାସଲ କରିବା ପ୍ରୟୋଜନ । ତୁ ଜାଣୁ ଏ ଦୁନିଆ କେବଳ ମିଛ କିମ୍ବା କେବଳ ସତରେ ଚାଲି ନାହିଁ । ତୁ କିଛି ଭାବିବୁ ନାହିଁ । ମୁଁ ସକାଳ ବସ୍‌ରେ ଚାଲିଯିବି ।

 

‘‘ତୋ ଇଚ୍ଛା ଅଭିମାନଭରା କଣ୍ଠରେ ଉତ୍ତର କଲା ଦୀନବନ୍ଧୁ ।

 

(ତିନି)

 

ରବିବାର ଦିନସାରା ମଧ୍ୟ ଅବିରାମ ବର୍ଷା ଚାଲିଛି । ବସ୍ ସବୁ ଖାଲି ଖାଲି ବିଶ୍ୱବିଦ୍ୟାଳୟ ଦେଇଯାଉଛି । ଏ ବର୍ଷାରେ ନିହାତି ପ୍ରୟୋଜନ ନ ଥିଲେ କିଏବା କାହିଁକି ଗୋଡ଼ କାଢ଼ିବ ବାହାରକୁ ? ରାସ୍ତାରେ କେଇଜଣ ଦୁଧ ବିକାଳୀଙ୍କୁ ବାଦ ଦେଲେ ଆଉ ପ୍ରାୟ କେହି ନାହାନ୍ତି ।

ଦୀନବନ୍ଧୁଙ୍କର ମନ ଧୀରେ ଧୀରେ ଦବି ଆସୁଛି । କୌଣସି ବନ୍ଧୁ ଆଜି ମଧ୍ୟ ତାକୁ ଭେଟିବା ନିମନ୍ତେ ଆସିଲେ ନାହିଁ । ଏହିପରି ବନ୍ଧୁମାନଙ୍କ ଉପରେ ଭରସା ରଖି ସେ ଆଉ କେତେଦୂର ଆଗେଇ ପାରିବେ ?

ଗୁଡ଼ାଏ ଅବାନ୍ତର ଯୁକ୍ତି ବାଜିବା ବ୍ୟତୀତ ଏମାନେ ସତରେ ଆଉ କ’ଣ କରନ୍ତି ? ଆଜି ଦୀନବନ୍ଧୁ ତାହା ହୃଦ୍‌ବୋଧ କରୁଛନ୍ତି । ଏହିପରି ବନ୍ଧୁମାନଙ୍କ କଥାରେ ଆମରଣ ଅନଶନ କରିବା ନିମନ୍ତେ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କର ଭଲ ଭାବେ ବିଚାର କରି ଦେଖିବା ଉଚିତ ଥିଲା । ଦୀର୍ଘ ତିରିଶ ଘଣ୍ଟା ଅନଶନ ପରେ ସେ ଉଭୟ ମାନସିକ ଓ ଦୈହିକ କ୍ଲାନ୍ତି ଅନୁଭବ କଲେଣି । ଆପଣାର ଭ୍ରମ ପାଇଁ ଅନୁଶୋଚନା ଆରମ୍ଭ ହୋଇଗଲାଣି । ଆମରଣ ଅନଶନ ନ କରିବାକୁ ମହା ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅନୁରୋଧ ଏଡ଼ିଦେବା ଭୁଲ ହେଲା ବୋଲି ଏବେ ସେ ବୁଝୁଛନ୍ତି ।

ଶିବରାମ ସତରେ ବିରକ୍ତ ହୋଇ ଚାଲିଗଲେ । ଅନଶନ ସମୟରେ ଖାଇବା ସପକ୍ଷରେ ସେ ଯେଉଁ ଯୁକ୍ତି ଦର୍ଶାଇଥିଲେ ଏବେ ତାହା ଧୀରେ ଧୀରେ ଦୀନବନ୍ଧୁଙ୍କ ମନକୁ ଛୁଉଁଛି । ମୁଣ୍ଡ ତାଙ୍କର ଭାରି ଭାରି ଲାଗୁଛି । ସେ ଅସମ୍ଭବ କ୍ଷୁଧା ଅନୁଭବ କଲେଣି ।

 

ଦୀନବନ୍ଧୁ ବିସ୍ମିତ ହେଲେ ଲିଲି ଓ ସୀମାକୁ ଦେଖି । ଦୀନବନ୍ଧୁଙ୍କୁ ସମର୍ଥନ ଜଣାଇବା ନିମନ୍ତେ ସେମାନେ ଆସିଛନ୍ତି । ଶତପଥୀଙ୍କର ଏହା ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପ । ତାଙ୍କର ଏହି ଐତିହାସିକ ନିଷ୍ପତ୍ତି ଯୁବ ଓ ଛାତ୍ର ସମାଜର ନୈତିକତା ବୃଦ୍ଧି କରିବାରେ ସହାୟକ ହେବ । ପୁରୁଣା କାନ୍ଥରୁ ଝରି ପଡ଼ୁଥିବା ସିମେଣ୍ଟ ପରି ଦୀନବନ୍ଧୁଙ୍କର ଦୂର୍ବଳ ଧରି ଆସୁଥିବା ମନରେ ସାମାନ୍ୟ ସାନ୍ତ୍ୱାନା ଜାଗ୍ରତ ହେଲା । ସେ ପୁଣି ସିଧାହୋଇ ବସିଲେ, ଏ ବର୍ଷା ତେବେ ଛାତ୍ରସମାଜକୁ ତାଙ୍କ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ କରି ପାରିନାହିଁ । ଲିଲି ଓ ସୀମା ଛାତ୍ରୀନିବାସରୁ ଆସିଲେ । କିଛି ନ ହେଲେ ତ କେଇଜଣ ତାଙ୍କ ସମ୍ପର୍କରେ ଆଲୋଚନା କରୁଥିବେ । ସେ ଆପଣା ମନକୁ ସାନ୍ତ୍ୱନା ଦେଲେ ଯେ ସେହି ଯଥେଷ୍ଟ ।

 

ସୀମା ପ୍ରଶ୍ନ କଲା, କ’ଣ ବ୍ୟବହାର କରୁଛନ୍ତି ହର୍ଲିକ୍‌ସ ନା ବର୍ନଭିଟା ? ଚା’ କଫି ତ ଆପଣ ଖାଆନ୍ତି ନାହିଁ । କହିଲେ କିଛି ହର୍ଲିକ୍‌ସ ପଠାଇ ଦେବି ।

 

‘‘କିଛି ପଠାଇବା ପ୍ରୟୋଜନ ନାହିଁ ।’’

 

ଲିଲି ପଚାରିଲା, ରେଜିଷ୍ଟ୍ରାର, କୁଳପତି, ପ୍ରିନ୍‌ସପାଲ କେହି ତୁମକୁ ଦେଖିବାକୁ ଆସିଥିଲେ ?

 

‘ନା, କେହି ନୁହେଁ’ ।

 

‘ଶିବରାମଙ୍କ ଯିବା ପରେ କେହି ଆସିଥିଲେ ?’

 

‘ନାଁ କେହି ଆସି ନାହାଁନ୍ତି ।’

 

ଏଣୁ ତେଣୁ ଆଳାପ ପରେ ବିଦାୟ ନେଇ ଲିଲି, ସୀମା ଛାତ୍ରୀନିବାସ ଅଭିମୁଖେ ଆଗେଇଲେ । କିଛି ଦୂର ଯିବା ପରେ ସୀମା କହିଲା, ‘‘ଲିଲି, ଏପରି ଅନଶନର ମାନେ ମୁଁ କିଛି ବୁଝେ ନାହିଁ । ଦେଖିଲୁ ତ ବାରଣ୍ଡାରେ କେତେ ଅଣ୍ଡା ଖୋଳପା ପଡ଼ିଛି ?’’

 

‘ହଁ ଦେଖିଛି । ମାତ୍ର ଦୀନବନ୍ଧୁ ଆମରଣ ଅନଶନ ଘୋଷଣା କରି ଲୁଚାଇ ଲୁଚାଇ ଅଣ୍ଡା ଖାଇବାର ସାହସ ତା’ର ଅଛି ବୋଲି ମୁଁ ଭାବୁନାହିଁ । ସେ ସାମାନ୍ୟ ନାତିବାଦୀ କିନା ?’

 

ଦୀନବନ୍ଧୁଙ୍କୁ ଲିଲି ଆଉ ସୀମାଙ୍କ ଆଗମନ ଯେତିକି ଉତ୍ସାହିତ କରିଥିଲା, ତାଙ୍କର ବିଦାୟକାଳୀନ ଟିପ୍‌ପଣୀ ସେତିକି ବ୍ୟଥିତ କରି ପକାଇଲା । ସେ ନୁହେଁ, ଶିବରାମ ଯେ ଏ ଅଣ୍ଡା ଖାଇ ପକାଇଛି ତାହା ଅନ୍ୟମାନଙ୍କୁ ସେ ବୁଝାଇବ ବା କିପରି ?

 

ହାତଘଡ଼ି ଯେପରି ମୋଟେ ଚାଲୁନାହିଁ ସେହିପରି ତାଙ୍କୁ ମନେ ହେଲା । ସେ ଭୀଷଣ ଅସ୍ଥିରବୋଧ କଲେ । କ୍ଲାନ୍ତି ସାଙ୍ଗକୁ କ୍ଷୁଧା ବି ଅନେକ । ଘଡ଼ିକୁ ଚାହିଁଲେ, ରାତି ବାରଟା ଆସି ବାଜିବ । ଗୁର୍ଖା ଗାର୍ଡ଼ ଏପଟ ସେପଟ ହେଉଥିଲା । ହଠାତ୍ କାହିଁକି ଚାଲିବାର ପାଦ ଶବ୍ଦ ଶୁଣାଗଲା ନାହିଁ । ଘରେ ତା’ ପିଲା ଅସୁସ୍ଥ ଥିଲା-ହୁଏତ ସେଥିପାଇଁ ସେ ଚାଲିଗଲା ।

 

ସେ ପୁଣି ଦ୍ୱନ୍ଦ୍ୱରେ ପଡ଼ିଲେ । ଜେଲି ଦେଇ ଲୋଫ୍ ଗୋଟାଏ ପିସ୍ ଖାଇନେବେ କି ? ସକାଳ ପର୍ଯ୍ୟନ୍ତ ଅନ୍ତତଃ ଆଉ କିଛି ପ୍ରୟୋଜନ ପଡ଼ିବ ନାହିଁ । ତା’ପରେ ଦେଖାଯିବ । ଅବସ୍ଥା ଦେଖି ବ୍ୟବସ୍ଥା କରିବେ । ସବୁଆଡ଼େ ଥରେ ଆଖିବୁଲାଇ ଆଣି ସେ ଲୋଫ୍ ପିସ୍‌ଟିଏ ପାଟିରେ ପୁରାଇ ଦେବା ପାଇଁ ଉଦ୍ୟତ ହେଉଛନ୍ତି ହାତ ଅଟକିଗଲା । ମନେହେଲା ତାଙ୍କ କାନକୁ ସତେ ଯେପରି କେହି ଟାଣି ପଚାରୁଛି, ଦୀନବନ୍ଧୁ । ଏ ପ୍ରତାରଣା କାହିଁକି ? ତୁମେ କାହାକୁ ଠକୁଛ ? କେହି ଦେଖିବେ ନାହିଁ ସତ, ମାତ୍ର ନିଜେ ଆସନ୍ତା କାଲି କ’ଣ କହି ଆପଣାକୁ ଆପଣାର ଭୁଲ ପାଇଁ କ୍ଷମା ଦେବ ?

 

ଲୋଫ ପିସ୍‌ଟି ହାତରୁ ତାଙ୍କର ଖସି ପଡ଼ିଲା । ନାଁ, ସେ ଆପଣାକୁ ପ୍ରତାରିତ କରି ପାରିବେ ନାହିଁ । ଯେଉଁ କେତେ ସମୟ ସେ ଅନଶନ କରିଛନ୍ତି ସେ ନିଷ୍ଠାର ସହ ତାହା ପାଳନ କରିବେ । ପଥ ହୁଡ଼ିବେ ନାହିଁ ମାତ୍ର ସେ ସଙ୍ଗେ ସଙ୍ଗେ ଅନଶନ ସାଙ୍ଗ କରିବେ । ତା’ପରେ ଦେଖାଯିବ ।

 

ସେ ଅନଶନ ଭାଙ୍ଗିବେ ଏବଂ ଏହି ମୁହୂର୍ତ୍ତରେ ଭାଙ୍ଗିବେ....ତାହା ଚୂଡ଼ାନ୍ତ ହୋଇଗଲା । ମାତ୍ର ଲୋକଲଜ୍ଜା ତ ଅଛି । କେହି ଅନୁରୋଧ ନ କଲେ ସେ ଅନଶନ ଭାଙ୍ଗିବେ କିପରି ? କିନ୍ତୁ ଏ ରାତି ଅଧରେ ଆସିବ କିଏ ? ଅନ୍ୟ ବନ୍ଧୁମାନେ । ଛାଡ଼ ତାଙ୍କ କଥା, ସେମାନଙ୍କୁ ଚିହ୍ନିବା ଆଉ ବାକି ନାହିଁ । ସମ୍ଭୋଗର ପଥ ସୁଗମ ସିନା ସାଧନାର ପଥ ନୁହେଁ । କିନ୍ତୁ ସାଧନାପାଇଁ ତାଙ୍କର ଶକ୍ତି ଅଛି ତ ? ସତ କହିଲେ ଦୀନବନ୍ଧୁଙ୍କର ସେ ଶକ୍ତି ନାହିଁ । ସେ ଅପମାନିତ ହେଲେ । ମନକୁ ମନ ସ୍ୱୀକାର କଲେ । ଶିର ଅବନତ କଲେ । ଏହାଠୁ ଚରମ ଶାସ୍ତି ତାଙ୍କୁ ଆଉ କିଏ ଦେଇ ପାରେ-? ସେ ଶପଥ ନେଲେ ଜୀବନରେ ଏପରି ଭୁଲ୍‍ ଆଉ କେବେ କରିବେ ନାହିଁ ।

 

(ଚାରି)

 

ଛାତ୍ର ମଙ୍ଗଳ ଅଫିସର ଫୋନ୍ କରି କୁଳପତିଙ୍କୁ କହିଲେ, ସାର୍ ଆପଣ ଆସନ୍ତୁ । କେବଳ କହିଦେବେ, ତା’ପରେ ଶତପଥୀ ଅନଶନ ଭାଙ୍ଗିବ ।

 

‘ସେ କୌଣସି କଣ୍ଡିସନ୍ ଚାହିବ ନାହିଁ ତ ?’

 

‘ନା ମୋଟେ ନୁହେଁ । ସେ ଅନଶନ ଭାଙ୍ଗିବା ଲାଗି ବ୍ୟଗ୍ର । କେବଳ ଆପଣ ଟିକିଏ ଠିଆ ହେବେ ।’

 

‘କିଛି ଫଳରସ ଯୋଗାଡ଼ କର ।’

 

‘ମୁଁ ଫଳରସ ଯୋଗାଡ଼ କରୁଛି । ଆପଣ ଆସନ୍ତୁ ସାର୍ ।’

 

କିଛି ସମୟ ବ୍ୟବଧାନରେ ଛାତ୍ରମଙ୍ଗଳ ଅଫିସରଙ୍କ ଫୋନ ପୁଣି ବାଜି ଉଠିଲା ।

 

‘ସାର୍ କୁହନ୍ତୁ ମୁଁ ଅନନ୍ତ କହୁଛି ।’

 

‘ମୁଁ ଯାଇ ପାରିବି ନାହି । ମୋ’ ଗାଡ଼ିଷ୍ଟାର୍ଟ ହେଉ ନାହିଁ । ତୁମେ ମୋ ତରଫରୁ ତାଙ୍କୁ କୁହ । ଫଳରସ ଯୋଗାଡ଼ କଲ ?’

 

‘ନାଁ ସାର୍, ବାହାଦୂର ଏଇ ଫେରିଲା । ସବୁ ଦୋକାନ ବନ୍ଦ । ମୁଁ ଦେଖୁଛି କ’ଣ କରିହେବ ।’

 

ଅନନ୍ତବାବୁ ଦୀନବନ୍ଧୁଙ୍କୁ କହିଲେ, ତୁମେ ଅନଶନ ଭାଙ୍ଗ । କୁଳପତି କହିଛନ୍ତି । ସେ ଆସି ପାରିବେ ନାହିଁ । ତାଙ୍କ ଗାଡ଼ି ଖରାପ । ତାଙ୍କ ପକ୍ଷରୁ ମୁଁ ଅନୁରୋଧ କରୁଛି । ତୁମମାନଙ୍କ ଦାବୀ ସମ୍ପର୍କରେ ସେ ସଚେତନ । ଯଥାଶୀଘ୍ର ଯଥାସମ୍ଭବ ଏ ଦିଗରେ ସେ କାର୍ଯ୍ୟାନୁଷ୍ଠାନ କରିବେ-

 

ଶୁଣ ଶତପଥୀ । ନିଅ ଏଇ କୋକା ପିଇ ତୁମେ ଅନଶନ ଭାଙ୍ଗ । ଫଳରସ ଯୋଗାଡ଼ କରିବା ସମ୍ଭବ ହେଲାନାହିଁ । ତୁମେ କିଛି ଭାବିବ ନାହିଁ । ଏଇ ଧର, କୋକା ଧର । ତା’ପରେ ବାହାଦୂର ଉଦ୍ଦେଶ୍ୟରେ ସେ ସେ ପଚାରିଲେ, ଗ୍ଲାସ ପାଇଲ ।

 

‘ନାଁ ସାର୍‌ ।’

 

ଆଚ୍ଛା ଠିକ୍ ଅଛି ।

 

ମୁହଁରେ ଲଗାଇ ଶତପଥୀ କୋକା ଢକଢ଼କ କରି ପିଇଗଲେ । ତା’ପରେ ଅନଶନ ଭାଙ୍ଗିଲା । ଅନନ୍ତ କହିଲେ, ଦୀନବନ୍ଧୁ ତୁମର ଏସବୁ କରିବା ଉଚିତ ନ ଥିଲା । ବର୍ତ୍ତମାନ ତୁମେ ଯିବ କୁଆଡ଼େ ?’

 

‘ଛାଡ଼ନ୍ତୁ ସାର୍ । ଏ ଭୁଲ ପାଇଁ ମୁଁ ଲଜ୍ଜିତ । ବର୍ତ୍ତମାନ ମୁଁ ଅଧ୍ୟାପକ ଦେବେନ୍ ବାବୁଙ୍କ ଘରକୁ ଯିବି । ଦୀନବନ୍ଧୁ ଆଗେଇଲେ । ତାଙ୍କ ଚାଲିରେ କଥାରେ, ଆଚରଣରେ ବିଜୟର ଗୌରବ ନ ଥିଲା, ଥିଲା ଏକ ପରାଜିତ ସୈନିକ ମନର ବ୍ୟର୍ଥତାର ପ୍ରଲେପ । ଅନନ୍ତ ସେହିପରି ଦୀନବନ୍ଧୁଙ୍କ ଚଲାପଥକୁ ଚାହି ରହି ଥାଆନ୍ତି । ଲାଇବ୍ରେରୀ ଡେଇଁବା ପରେ ସେ ଆଉ ଦେଖାଗଲେ ନାହିଁ । ପାର୍ଶ୍ୱ କାନ୍ଥରେ ଅଙ୍ଗାରରେ ଲେଖାଥିବା ସ୍ଲୋଗାନ-। ଛାତ୍ର ସମାଜ କରେ ଫୁକାର...ହୋ ହୁସିଆର ।’ ବିଜୁଳି ଆଲୁଅରେ ସ୍ପଷ୍ଟ ପଢ଼ି ହେଉଥାଏ । ଅନନ୍ତ ପଢ଼ିଲେ । ମନେ ମନେ ହସିଲେ । କ’ଣ ଭାବିଲେ କେଜାଣି ହଠାତ୍ ଖାଲି ପଡ଼ିଥିବା କୋକା ବୋତଲଟିକୁ ଉଠାଇଆଣି ଯୋର୍‌ରେ ଆପଣା ବୁଟ୍‌ରେ ଗୋଟାଏ କିକ୍ ମାରିଲେ । କିକ୍ ଖାଇ ବୋତଲଟି ସାମାନ୍ୟ ଉପରକୁ ଉଠି ତଳେ ପଡ଼ି ଚୁନ୍ ଚୁନା ହୋଇଗଲା । ସେ ମନକୁ ମନ କହିଲେ ଧନ୍ୟ ତୁମେ ଛାତ୍ରସମାଜ, ଧନ୍ୟ ତୁମେ ଛାତ୍ରନେତା ଯୁବନେତା । ଆଉ କେତେଦିନ ଏପରି ଚାଲିବ ? ବାହାଦୂର ହାତରୁ ବର୍ଷାତିଟି ନେଇ ସେ ଆପଣା କ୍ୱାଟର ଅଭିମୁଖେ ଆଗେଇଲେ । ପୋର୍ଟିକୋ ସାମାନା ପଡ଼ିଆରେ ଭାଙ୍ଗି ପଡ଼ିଥିବା କୃଷ୍ଣଚୁଡ଼ା ଗଛ ସେହିପରି ତଳେ ପଡ଼ି ରହିଥିଲା ।

񤦬񤦬񤦬

 

ଦୂର ପାହାଡ଼

 

ସଂଧ୍ୟା ଆଳତି ସାଙ୍ଗ ହେଲା । ସଂକୀର୍ତ୍ତନମଣ୍ଡପ ଧୀରେ ଧୀରେ ଜନଶୂନ୍ୟ ହୋଇଉଠିଛି । ଭକ୍ତବୃନ୍ଦ ପ୍ରସାଦସେବନ ପରେ ଆପଣା ଆପଣାର ନିର୍ଦ୍ଦିଷ୍ଟ ଦାୟିତ୍ୱ ସଂପନ୍ନ କରିବା ନିମନ୍ତେ ସଂକୀର୍ତ୍ତନ ମଣ୍ଡପରୁ ଯିବାପାଇଁ ସଜ ହେଉଛନ୍ତି । ଦର୍ଶକବୃନ୍ଦ ମଧ୍ୟ ଚୁପ୍‍ଚାପ୍ ପ୍ରତୀକ୍ଷାରେ ଅଛନ୍ତି ମହାରାଜାଙ୍କ ଦର୍ଶନ ଅଭିଳାଷ ନେଇ । ଆଳତି ପରେ ସେ ଆପଣାର ଭକ୍ତବୃନ୍ଦ, ଗୁରୁଭାଇ, ଅତିଥି ଅଭ୍ୟାଗତ ଓ ସଂକୀର୍ତ୍ତନରେ ଆଗ୍ରହୀ ଦର୍ଶକବୃନ୍ଦକୁ ସାକ୍ଷାତ ଦିଅନ୍ତି । ସେମାନଙ୍କ ସଙ୍ଗେ ଆଳାପ କରନ୍ତି । ଆଶୀର୍ବାଦ କରନ୍ତି । ବେଳେ ବେଳେ ସ୍ୱହସ୍ତରେ ପ୍ରସାଦ ବଣ୍ଟନ କରନ୍ତି ଏବଂ ଯେଉଁ ଭକ୍ତସଂପ୍ରଦାୟ ପରିଚାଳନା ନିମନ୍ତେ, କୌଣସି ଭିକ୍ଷାଦେବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତି ତାହା ସାଦରେ ଗ୍ରହଣ କରନ୍ତି । ଏହି ସାଧାରଣ କାର୍ଯ୍ୟକ୍ରମ ବ୍ୟତୀତ ସେ ସ୍ୱତନ୍ତ୍ର ଭାବେ ନାରୀମାନଙ୍କୁ ଦର୍ଶନ ଦିଅନ୍ତି । ଆଶୀର୍ବାଦ କରନ୍ତି, ତାଙ୍କ ଚରଣଧୂଳି ପାଇବାର ସୁଯୋଗ ସେମାନଙ୍କୁ ଦିଅନ୍ତି, ତାଙ୍କପାଇଁ ଆଣିଥିବା ପୁଷ୍ପ ହେଉ କର୍ପୂରମାଳ ହେଉ ତାଙ୍କ ଅଙ୍ଗ ସ୍ପର୍ଶ କରିଦେବାର ସୁଯୋଗ ଦିଅନ୍ତି । ସମସ୍ତେ ଆପଣାକୁ ଭାଗ୍ୟବାନ ମନେକରନ୍ତି । ମହାରାଜାଙ୍କ ଆଶୀର୍ବାଦଠୁ ଏ ଜୀବନରେ ଆଉ ଅଧିକ କ’ଣ ଜଣେ ପ୍ରାପ୍ତିର ଆଶା କରିପାରେ । ଏ ମିଥ୍ୟା-ମାୟା ସଂସାରରେ ମହାରାଜା କେବଳ ସତ୍ୟ, ମୁକ୍ତିର ସରଣୀ, ଆନନ୍ଦତୀର୍ଥ, ପାପ-ତାପ-କଳୁଷରୁ ରକ୍ଷାକର୍ତ୍ତା । ସେହି ପରମପୂଜ୍ୟଙ୍କ ପଦସେବା ସତରେ କେତେଜଣଙ୍କ ଭାଗ୍ୟରେ ମିଳିପାରେ ?

 

ମାତ୍ର ବିଗତ କେତେଦିନ ହେବ ମହାରାଜାଙ୍କ ସଂଧ୍ୟାଆଳତୀ କାର୍ଯ୍ୟକ୍ରମରେ ବ୍ୟତିକ୍ରମ ଦେଖାଦେଇଛି । ମହାରାଜା ସଂକୀର୍ତ୍ତନ ମଣ୍ଡପକୁ ଦର୍ଶନାଭିଳାଷୀମାନଙ୍କ ଦର୍ଶନ ନିମନ୍ତେ ଆସୁନାହାନ୍ତ, ପ୍ରସାଦବଣ୍ଟନ କରୁନାହାନ୍ତି । ଏପରିକି ଯେଉଁ ଭିକ୍ଷା ଗ୍ରହଣକରି ସେ ଭକ୍ତମାନଙ୍କୁ କୃତାର୍ଥ କରିଥାଆନ୍ତି ତାହା ସେ ଗ୍ରହଣ କରୁନାହାନ୍ତି । ତାଙ୍କ ପକ୍ଷରୁ ମଠର ଅଧ୍ୟକ୍ଷ ରାମାନୁଜ ଗ୍ରହଣ କରୁଛନ୍ତି । ସଂକୀର୍ତ୍ତନ ସମୟରେ ସେ ଯେପରି ଧ୍ୟାନମଗ୍ନ ରହନ୍ତି ସେପରି ରହୁନାହାନ୍ତି ।

 

ଆଜି ମଧ୍ୟ ମହାରାଜା ପୁଣ୍ୟାତ୍ମା ଭକ୍ତପ୍ରିୟ ଶ୍ୟାମଶେଖରଙ୍କ ଦର୍ଶନ ସୁଯୋଗରୁ ଭକ୍ତମାନେ ବଞ୍ଚିତ ହେଲେ । ଦୂରଦୂରାନ୍ତରୁ ଆଗତ ଜନୈକ ଭକ୍ତ ଦୁଃଖ ପ୍ରକାଶ କରି କହିଲେ ଗତ ଚାରିମାସ ମଧ୍ୟରେ ଦଶ ବାର ଆସି ସଫଳକାମ ହୋଇ ପାରିଲି ନାହିଁ । ମହାରାଜାଙ୍କ ମହାଯଜ୍ଞ ଦର୍ଶନ, ସଂକୀର୍ତ୍ତନ ଉତ୍ସବ ଦୂରେ ଥାଉ କେବଳ ଦର୍ଶନ ମଧ୍ୟ ସମ୍ଭବ ହେଲା ନାହିଁ । ଦୁର୍ଭାଗ୍ୟ ମୋର-। ମୁଁ ଆଜି ଫେରୁଛି । ଏ ମହାନ୍ ଅନୁଷ୍ଠାନରେ କିଛି ଗୋଟାଏ ହେଉଛି ବୋଲି ମୋର ମନେହେଉଛି । ଦେଖାଯାଉ ସବୁ ସେହି କ୍ଷୀରଚୋରା ଗୋପୀନାଥଙ୍କ ଇଚ୍ଛା ।

 

ମହାରାଜାଙ୍କ ରୁଦ୍ଧ ପ୍ରକୋଷ୍ଠ ଦ୍ଵାରଦେଶ ଉଦ୍ଦେଶ୍ୟରେ ଚାହିଁ ଆଉ ଜଣେ ଭକ୍ତ ନତମସ୍ତକ ହେଉ ହେଉ କହିଲେ ‘ବିଶ୍ୱାସେ ମିଳଇ କୃଷ୍ଣ ତର୍କେ ବହୁଦୂର’ । ଗୁଜର ଆମକୁ ସ୍ପର୍ଶ ନ କରୁ । ସେ ପାପ ପାଇଁ ଆମକୁ ପ୍ରାୟଶ୍ଚିତ କରିବାକୁ ନ ପଡ଼ୁ । ବିଶ୍ୱାସ ଆମର ସର୍ବସ୍ୱ ହୋଇ ରହୁ-। ମହାରାଜା ଆମର ଦୀର୍ଘଜୀବୀ ହୁଅନ୍ତୁ । ତାଙ୍କର ଆଶୀର୍ବାଦ ଆମର କାମ୍ୟ ।

 

(ଦୁଇ)

 

ସୁପ୍ରତିଷ୍ଠିତ ଚୌଧୁରୀ ପରିବାରର ଅଳିଅଳ କୁମାରୀ କନ୍ୟା ମିତାଳି । ଆଚାର ବ୍ୟବହାର ପରି ରୂପକାନ୍ତି ତା’ର ଅନୁପମ । ସେ କେବଳ ଆଜି ମଠକୁ ଆସୁନାହିଁ । ଏହି ମଠ ସହିତ ତାଙ୍କ ପରିବାରର ପାଞ୍ଚପୁରୁଷର ସଂପର୍କ । ଏସମ୍ପର୍କର ପୃଷ୍ଠଭୂମି ହେଉଛି ଆଧ୍ୟାତ୍ମିକ ସଂପର୍କ-। ଅତିମାନସ ସ୍ତରର ସମ୍ପର୍କ । ଏଥିରେ ଲୌକିକତାର ପ୍ରଶ୍ନ ନାହିଁ ।

 

ମିତାଳି ଏହି ଅନୁଷ୍ଠାନକୁ ଆସେ ତା ମା ସଙ୍ଗରେ ପ୍ରଥମେ ମଠର ଉତ୍ସବ ଅନୁଷ୍ଠାନ ଦେଖିବା ନିମନ୍ତେ । ତାପରେ ଜନ୍ମାଷ୍ଟମୀ ଉପଲକ୍ଷେ ଆୟୋଜିତ ଉତ୍ସବରେ ନୃତ୍ୟମଣ୍ଡପରେ ସର୍ବପ୍ରଥମେ ତାର ପଦର ନୂପୁର ବାଜିଉଠେ ଶିଶୁଶିଳ୍ପୀର ନୃତ୍ୟର ଛନ୍ଦେ ଛନ୍ଦେ । ସେଦିନ ମିତାଳିର ରୂପ ଓ ନୃତ୍ୟ ପରିବେଶରେ ସୃଷ୍ଟି କରିଥିଲା ଏକ ନୂତନ ଆଲୋଡ଼ନ ।

 

ଶିଶୁଶିଳ୍ପୀ ମିତାଳିର ପଦନୂପୁର ଧ୍ୱନିର ଅବସାନ ହୋଇଛି । ମୁକ୍ତ ନୃତ୍ୟ ମନ୍ଦିର ପ୍ରାଙ୍ଗଣର କଦମ୍ବ ପୁଷ୍ପରାଜି ରୋମାଞ୍ଚତ ହୋଇଉଠିଛି । ଜ୍ୟୋତ୍ସ୍ନାଧୂଆ ପ୍ରାଙ୍ଗଣ ପିଠିରେ ମିତାଳି ଶ୍ରାବଣୀ ମିଳନରେ ନୃତ୍ୟ ପରିବେଷଣ କରିଛି । ଭକ୍ତବୃନ୍ଦ ଗୁରୁଭାଇ, ଅଗଣିତ ମାନ୍ୟଗଣ୍ୟ ସୁଧୀବୃନ୍ଦଙ୍କର ହୃଦୟରେ ସେ ନୃତ୍ୟ ଝଡ଼ ସୃଷ୍ଟି କରିଛି । ରୋମାଞ୍ଚ ସୃଷ୍ଟି କରିଛି ତାର କଟାକ୍ଷ । କିଏ ଚାହିଁରହିଛି ତା’ର ମୁଖମଣ୍ଡଳର ଅପରୂପ କାନ୍ତିକୁ । କିଏବା ଚାହିଁ ରହିଛି ଶୀଥିଳ ହୋଇ ପଡ଼ିଥିବା ତାର ବକ୍ଷବାସକୁ, କେହିବା ଚାହିଁ ରହିଛି ତା ଧୀରମନ୍ଥର ପଦର ଗତିପଥକୁ । ରୂପର ଅହମିକା ନେଇ ସେ ପ୍ରମତ୍ତ । ଉପସ୍ଥିତ ଦର୍ଶକମଣ୍ଡଳୀ ଆଜି ତା’ର ରୂପର ଭିଖାରୀ, ତା’ର ଦୟାର ପାତ୍ର ।

 

ଶାନ୍ତ ହେଲା ମିତାଳିର ନୃତ୍ୟ । ସେ ନୃତ୍ୟମନ୍ଦିର ପ୍ରାଙ୍ଗଣରୁ ଅପସରି ଆସୁଛି; ବାସୁଦେବଜୀ ମହାରାଜାଙ୍କ ଅନ୍ତରଙ୍ଗ ସେବକ ସଂକେତ ଦେଇଗଲେ ମିତାଳି ଯିବେ ମହାରାଜାଙ୍କ ସାଙ୍ଗରେ ପ୍ରସାଦ ସେବନ କରିବେ । ସେ ଅପେକ୍ଷା କରି ବସିଛନ୍ତି ।

 

ମିତାଳି ମହାରାଜାଙ୍କ ସଙ୍ଗେ ପ୍ରସାଦସେବନ କରିବା କିଛି ନୂଆ କଥା ନୁହଁ । ଏହା ଅତି ପୁରୁଣା ହୋଇଗଲାଣି । ମିତାଳି ପ୍ରତି ମହାରାଜାଙ୍କ ବାତ୍ସଲ୍ୟପ୍ରେମ ଅନେକଙ୍କୁ ବିସ୍ମିତ କରିଛି । ମାତ୍ର ବାସୁଦେବଜୀ ଯେ ମହାରାଜାଙ୍କ ନିକଟରେ ଦିନରାତି ଚରଣକିଂକର ପରି ପଡ଼ି ରହିଥାଆନ୍ତି, ତାଙ୍କ ପାଇଁ ଏସବୁ ଅସହ୍ୟ ହୋଇ ଉଠିଲାଣି । ତେବେ ସେ କିଛି ବୁଝିପାରୁ ନ ଥିଲେ । ଏସବୁ କ’ଣ ? ସବୁ କ’ଣ ମାୟା ? ହୁଏତ ହୋଇପାରେ ତାଙ୍କ ପରି ଏକ ନଗଣ୍ୟ ଅତି ହେୟ ଜୀବକୁ ମହାରାଜା ପରୀକ୍ଷା କରୁନାହାନ୍ତି ତ ? ତାଙ୍କ ମନର ପ୍ରତିକ୍ରିୟା ଦେଖୁଛନ୍ତି । ତାଙ୍କ ପ୍ରାଣର ଆଲୋଡ଼ନ ଲାଗି ଇନ୍ଧନ ଯୋଗାଉଛନ୍ତି । ନା, ସେ ବୁଝିପାରିବେ ନାହିଁ ମହାରାଜାଙ୍କର ଉଦ୍ଦେଶ୍ୟ । ମଣିଷକୁ ପରୀକ୍ଷା କରିବା ନିମନ୍ତେ ତାଙ୍କର କୌଶଳ । ସତରେ ଯଦିଓ ମହାରାଜାଙ୍କର ଏ ସ୍ଖଳନ ସେ ସୁଚକ୍ଷୁରେ ଦେଖୁଛନ୍ତି ତେବେ ସେ ପଥର ପାଲଟି ଯାଆନ୍ତୁ । କିନ୍ତୁ ଦେବୋପମ ମହାରାଜାଙ୍କର କଳଙ୍କ ହେବାପରି ତାଙ୍କ ଜିହ୍ୱା କିଛି ନ କହୁ । ହୁଏତ ସବୁ ମାୟା, ମାୟା...ମାୟା ଉଚ୍ଚସ୍ତରରେ ଏକ ମାୟାର ମହାଆଡ଼ମ୍ବର । ପ୍ରଭୁ ତାଙ୍କୁ କ୍ଷମା କରନ୍ତୁ ।

 

ତେବେ ବାସୁଦେବଜୀ ଆଉ ବରଦାସ୍ତ କରିବାକୁ ପ୍ରସ୍ତୁତ ନୁହନ୍ତି । ତାଙ୍କୁ ଆଘାତ ଲାଗିଲା । ମହାରାଜା ଯେତେବେଳେ ତାଙ୍କୁ ଡାକି କହିଲେ ବାସୁଦେବ, ମିତାଳି ମୋ ନିକଟରେ ଥିବା ସମୟରେ ଆମର କୌଣସି ଭକ୍ତ, ଗୁରୁଭାଇ, ଅତିଥି ଅଭ୍ୟାଗତଙ୍କୁ ମୋ ନିକଟକୁ ଆସିବାକୁ ବାରଣ କରିବ । ବିନୀତ କଣ୍ଠରେ ବାସୁଦେବ ପ୍ରଶ୍ନ କଲେ, ମହାରାଜା ବିଗତି କୋଡ଼ିଏବର୍ଷ ଧରି ଏହି ବାସୁଦେବ ମହାରାଜାଙ୍କ ସେବା ଅର୍ଚ୍ଚନା କରି ଆସୁଅଛି । ଆପଣଙ୍କର ଏହି ନିର୍ଦ୍ଦେଶ ମୋ ପ୍ରତି ଲାଗୁ ହେବ ତ ? କର ଲେଉଟାଉ ଲେଉଟାଉ ମହାରାଜ କହିଲେ ମୋ’ର ଏ ନିର୍ଦ୍ଦେଶ ସମସ୍ତଙ୍କ ଉଦ୍ଦେଶ୍ୟରେ, ବାସୁଦେବ ।

 

ଦ୍ୱାର ବନ୍ଦ କରି ଆସୁ ଆସୁ ଜୀବନରେ ପ୍ରଥମଥର ପାଇଁ ସେ ମହାରାଜାଙ୍କୁ ସନ୍ଦେହ କରିବାକୁ ଆରମ୍ଭ କଲେ । ଯାହାକୁ ଛୋଟ ଝିଅଟି ପରି ସ୍ନେହଶ୍ରଦ୍ଧା ପ୍ରଦର୍ଶନ କରୁଥିଲେ ସେହି ମିତାଳିକୁ ଘୃଣା ଏବଂ ବିଦ୍ରୂପ ଚାହାଣୀରେ ସେ ଚାହିଁଲେ । ସେ କହିଲେ, ମିତାଳି ରୂପ ଆଉ ଯୌବନର କେବଳ ଏକ ବିପଣୀ ନୁହେଁ ଏହି ମହାନୁଷ୍ଠାନର ମୃତ୍ୟୁର କାରଣ, ପତନର ହେତୁ । ଏହି ରୂପଯଜ୍ଞରେ ପ୍ରଥମ ଶିକାର ହେବେ ସ୍ୱୟଂ ମହାରାଜା । ପ୍ରଭୁ କୃଷ୍ଣଚନ୍ଦ୍ର, ଗୋକୁଳ ଚୂଡ଼ାମଣି ଆଜି ଏକମାତ୍ର ସହାୟ । ସେ ଏ ମହାନୁଷ୍ଠାନକୁ ଧ୍ୱଂସମୁଖରୁ ରକ୍ଷା କରନ୍ତୁ ।

 

କିଛି ସମୟ ପରେ ମିତାଳି ମହାରାଜାଙ୍କ ପ୍ରକୋଷ୍ଠରୁ ଧୀରପଦରେ ବାହାରିଗଲା । ମିତାଳିର ଚାଲି ଆଉ ଚାହାଣୀ ଅବଶ୍ୟ ବହୁ ଅର୍ଥ ପ୍ରକାଶ କରୁଥିଲା । ସଂକେତ ପାଇ ବାସୁଦେବଜୀ ପ୍ରବେଶ କଲେ ମହାରାଜାଙ୍କ ଶୟନ କକ୍ଷରେ । ମହାରାଜା କହିଲେ ମୁଁ ସ୍ନାନାଗାରରୁ ଆସୁଛି ତୁମେ ମୋ ଖାଦ୍ୟପାନୀୟ ପ୍ରସ୍ତୁତ କର । ମୋର ଶେଯ ସଜାଇ ଦିଅ । ଦେଖ ମିତାଳି ଯଦି ଯାଇନଥିବ ତେବେ ପଚାରି ବୁଝ ସେ ଯଦି ଆମ ସଙ୍ଗେ ତୀର୍ଥ ପର୍ଯ୍ୟଟନରେ ଯିବାକୁ ଚାହେଁ ପ୍ରସ୍ତୁତ ରହିବ ।

 

ବାସୁଦେବଜୀଙ୍କର ଆଉ ବୁଝିବାର କିଛି ବାକି ରହିଲା ନାହିଁ । ମହାରାଜାଙ୍କ ବିଛଣା ଉପରେ ମିତାଳିର କବରିପିନ୍ଧା ଛିନ୍ନ ପୁଷ୍ପସ୍ତବକ ସବୁ ବିପର୍ଯ୍ୟସ୍ତ ଭାବେ ପଡ଼ିରହିଛି । ସେଦିନ ବିଛଣା ଉପରୁ ସେ ଆବିଷ୍କାର କରିଥିଲେ ମିତାଳିର ଗଳାହାର, ଆଉ ଆଜି ଏଇ ମିଳିଲା ପାଦର ପାଉଁଜି । ନା, ଏ ସବୁ ମାୟା ହୋଇପାରେ ନାହିଁ । ଏସବୁ ସୟତାନର ଚାଲବାଜି । ପତନର ରାଜପଥରେ ଏ ହେଲା ପାଥେୟ । କେଉଁ ମହାପୁରୁଷର ପୁଣ୍ୟ ତପସ୍ୟାର ପରିଣତି ହେତୁ ଏ ମହାନୁଷ୍ଠାନ ରାଧାସଂପ୍ରଦାୟ ମୁଣ୍ଡଟେକି ଉଠିଥିଲା । ଏ ଆଖି ପୁଣି ଦେଖିବ ଏ ଅନୁଷ୍ଠାନ ଧୂଳିସାତ୍ ହୋଇଯିବ । ହାୟ ହାୟ । ହେ’ ଗୋପୀନାଥ ରକ୍ଷାକର । ।

 

ମହାରାଜା ଠା’ରେ ବସିଲେ । ବାସୁଦେବ ପରିବେଷଣ କଲେ ରୁଚିର ଖାଦ୍ୟପଦାର୍ଥ । ତାଙ୍କର ସନ୍ତୋଷରେ ବାସୁଦେବଙ୍କ ଆନନ୍ଦ । ମହାରାଜା ଠା’ରେ ବସି ପ୍ରଶ୍ନ କଲେ, ବାସୁଦେବ କ’ଣ ପଚାରିଲ; ମିତାଳି କଣ କହିଲେ ? ସେ ଆମ ସଙ୍ଗେ ତୀର୍ଥାଟନରେ ଯିବଟି ?

 

ନ ଯିବାର ପ୍ରଶ୍ନ ଉଠୁଛି କାହିଁକି ? ମହାରାଜାଙ୍କ ଆଦେଶ ଅବମାନନା କ’ଣ କରିବ ପୁଣି ମିତାଳି ? ସେ ତାଙ୍କର ଘରକୁ ଚାଲିଯାଇଛି, ସେ ଆଜି ଆସିଲେ ମୁଁ ପଚାରି ବୁଝିବି ।

 

ତା ଆସିବାକୁ ଅପେକ୍ଷା ନ କରି ତୁମେ ଯାଇ ବୁଝିଆସି, ମିତାଳିର ମତାମତ । ସେ କ’ଣ କହୁଛି । ଆଉ ପଅର ଦିନ ଏକ ମାସ ପାଇଁ ତୀର୍ଥାଟନରେ ଯିବାପାଇଁ ପ୍ରସ୍ତୁତ ହୁଅ । ଆମେ ପ୍ରଥମେ ଯିବା ଆହ୍ଲାବାଦ, ପ୍ରୟାଗ ତୀର୍ଥରେ ପ୍ରଥମ ରହଣି ତାପରେ...ଗୟା, ମଥୁରା, ବୃନ୍ଦାବନ, ଋଷିକେଶ, ହରଦ୍ୱାର, ଭୁବନେଶ୍ୱର, ପୁରୀ ।

 

ସବୁ ବ୍ୟବସ୍ଥା କରୁଛି ମହାରାଜ, ନମ୍ର କଣ୍ଠରେ କହିଲେ ବାସୁଦେବ । ରାମାନୁଜଜୀଙ୍କ ସଙ୍ଗେ ଯାଇ ସବୁ ଆଲୋଚନା କରୁଛି ।

 

ହଁ, ରାମାନୁଜଙ୍କୁ ଯାଇ ଦେଖା କର । ସନ୍ଧ୍ୟାରେ ମୋତେ ସେ ଆସି ଦେଖା କରିବାକୁ କହିବ ।

 

ଶିର ଅବନତ କରି ବାସୁଦେବଜୀ ସ୍ୱୀକୃତି ଜଣାଇଲେ ।

 

(ତିନି)

 

ସଂକୀର୍ତ୍ତନ ମଣ୍ଡଳଗୁଡ଼ିକ ବାହୁଡ଼ିଗଲେ । ଉତ୍ସବ ସମାପନ ହେଲା । ଉତ୍ସବର ପରିବେଶ ନାହିଁ ଅଥଚ ଆଲୋଚନା ସମାଲୋଚନା ସବୁଠାରେ ମିତାଳି ଆଉ ମହାରାଜାଙ୍କୁ କେନ୍ଦ୍ରକରି, ସବୁଠାରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କୁ ବିବ୍ରତ କରୁଛି, ଏ ମହାନ୍ ରାଧା-ସଂପ୍ରଦାୟର ଭବିଷ୍ୟତ କ’ଣ ? ଏହି ଅନୁଷ୍ଠାନ ଆଉ ରହିବା ସମ୍ଭବ ବି ନୁହେଁ । ମହାରାଜା ଏସବୁ କ’ଣ କରୁଛନ୍ତି । ସବୁ ଏହି ଛଟକି ମିତାଳି ଲାଗି । ସବୁ ଅଭିଯୋଗ କେବଳ ଆଜି ମିତାଳିକୁ ନେଇ । ମିତାଳି ପାଇଁ ଆଜି ମହାରାଜାଙ୍କ ବିଭ୍ରମ ।

 

ବାସୁଦେବଜୀ ମୁଣ୍ଡରେ ହାତଦେଇ ବସିଲେ । ମଠାଧ୍ୟକ୍ଷ ରାମାନୁଜ ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲେ, ଏବେ ଉପାୟ କଣ ? ଏ କଳଙ୍କରେ ଆଜି କେବଳ ମହାରାଜା କଳଙ୍କିତ ନୁହନ୍ତି, କଳଙ୍କିତ ସାରା ରାଧା-ସଂପ୍ରଦାୟର ଗୁରୁଭାଇ ଭକ୍ତବୃନ୍ଦ ଓ ଶୁଭେଚ୍ଛୁମାନେ । ମାତ୍ର ମିତାଳିକୁ ମଠକୁ ଆସିବାକୁ ବାରଣ କରିବାକୁ ଶକ୍ତି କାହାର ?

 

ମହାରାଜାଙ୍କ ଚିକିତ୍ସକଙ୍କୁ ରାମାନୁଜ ଗମ୍ଭୀର ହୋଇ ପ୍ରଶ୍ନ କଲେ....କୁହନ୍ତୁ ମିତାଳିର ସ୍ୱାସ୍ଥ୍ୟ ପରୀକ୍ଷା କଲେ ତ । କ’ଣ ଦେଖିଲେ ? ଆଶଙ୍କା ମୋର ସତ୍ୟ ହୋଇଛି । ମିତାଳି ମା ହେବାକୁ ଯାଉଛି । ସନ୍ତାନସମ୍ଭବା ।

 

ଶଶିଶେଖରଙ୍କ ହାତରୁ ବିଞ୍ଚି ହେଉଥିବା ପଙ୍ଖାଟି ତଳେ ପଡ଼ିଗଲା । ବାସୁଦେବଜୀ ଜିଭ କାମୁଡ଼ି ଦେଲେ, କହିଲେ ସବୁ ସରିଗଲା ।

 

ଶଶିଶେଖର ଚିକିତ୍ସକଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କଲେ ଆଉ ମିତାଳିକୁ କିଛି ପଚାରିଥିଲେ କି ? ଆଉ କିଛି ପ୍ରଶ୍ନ କରିବାକୁ ସାହାସ କରିପାରିଲି ନାହିଁ । ଆପଣ ପ୍ରଶ୍ନ କରି ବୁଝନ୍ତୁ । ଗୋପନରେ ମିତାଳିକୁ ପଚାରି ପାରନ୍ତି । ମୁଁ ମହାରାଜାଙ୍କୁ ସନ୍ଦେହ କରି ଅଯଥା ମାନସିକ ଦ୍ୱନ୍ଦ୍ୱକୁ ଆମନ୍ତ୍ରଣ କରି ଅଶାନ୍ତିର ଶିକାର ହେବାକୁ ପସନ୍ଦ କରୁନାହିଁ ।

 

ରାମାନୁଜ କହିଲେ, ବୁଝିଲେ ଚିକିତ୍ସକ ମହାଶୟ, ମୁଁ ମଧ୍ୟ ଆଉ ବିନିଦ୍ର ରଜନୀ ବିତାଜ ପାରିବି ନାହିଁ । ତୀର୍ଥ ଭ୍ରମଣରୁ ମହାରାଜା ଫେରିବା ପରେ ସର୍ବସାଧାରଣରେ ଯେଉଁସବୁ ନିମ୍ନ ଧରଣର ଆଲୋଚନା ଚାଲିଛି, ସବୁ ମୋର କାନକୁ ଆସିଛି । ଆଉ ଅପେକ୍ଷା କରିବାକୁ ଧୈର୍ଯ୍ୟ ନାହିଁ । ବାସୁଦେବ ଯାଅ, ମିତାଳିକୁ ମୋ ନିକଟକୁ ଡାକିଦିଅ, ମୁଁ ସିଧା ସିଧା ପଚାରିଦିଏ । ନିର୍ଦ୍ଦିଷ୍ଟ ଭାବେ କିଛି ନ ଜାଣି ଅପରକୁ ସନ୍ଦେହ କରି ଦୋଷାରୋପ କରିବା ଅନ୍ୟାୟ । ମୁଁ ଏ ଅନ୍ୟାୟରେ ଆଉ ଅଧିକ ପହଁରିବାକୁ ଚାହେଁ ନାହିଁ ।

 

ରାମାନୁଜ ଆଉ ଚିକିତ୍ସକ ମିତାଳିର ପ୍ରତୀକ୍ଷାରେ ରହିଲେ । ଦ୍ୱାର ଖୋଲିଲା, ମିତାଳି ରାମାନୁଜଙ୍କ କକ୍ଷରେ ପ୍ରବେଶ କଲା । ନିର୍ଦ୍ଦେଶ ପାଇ ମିତାଳି ଆସନ ଗ୍ରହଣ କଲା । ରାମାନୁଜ ପ୍ରଶ୍ନ କଲେ, ‘‘ମହାରାଜା ପ୍ରସାଦ ସେବନ କରି ସାରିଲେଣି ? କ’ଣ ବିଶ୍ରାମରତ । ‘ନାଁ’ ଏ ପର୍ଯ୍ୟନ୍ତ ସ୍ନାନ ସାଙ୍ଗ କରି ନାହାନ୍ତି । ଗଭୀରଭାବେ କ’ଣ ଚିନ୍ତା କରୁଛନ୍ତି । ସଂପ୍ରଦାୟ ଉଦ୍ଦେଶ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ସଂକ୍ଷେପରେ ଯାହା ଇଙ୍ଗିତ ଦେଲେ ।’’

 

‘‘କି ଘୋଷଣା ?’’

 

ବୁଝିବାର ମୋର ଶକ୍ତି ନାହିଁ ପ୍ରଭୁ ।

 

ରାମାନୁଜ ସାମାନ୍ୟ ବିବ୍ରତ ହୋଇ ଉଠିଲେ । ତାପରେ ପଚାରିଲେ, ମିତାଳି ତୁମକୁ ଡାକିବାର ଉଦ୍ଦେଶ୍ୟ ମୋର ବୁଝିଛ ତ ।

 

ନାଁ, ବୁଝି ନାହି । ଅନେକବାର ଏଇ ମିତାଳି ପ୍ରଭୁଙ୍କ କକ୍ଷରୁ ଆସିଛି । ଆଜି ଆସିଲାବେଳେ ମୋର ଆସିବା ଉପରେ କୌଣସି ଗୁରୁତ୍ୱ ଆରୋପ କରି ଆସିନାହିଁ ।

 

ଚିକିତ୍ସକ ମହାଶୟ ତୁମର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ତ ? ମିତାଳି ହଠାତ୍ ଗମ୍ଭୀର ହୋଇଉଠିଲା । କହିଲା, ଆଜ୍ଞା ହଁ । ପରୀକ୍ଷା କରିଛନ୍ତି ।

 

ତୁମେ ଜାଣ ବର୍ତ୍ତମାନ ତୁମକୁ କେନ୍ଦ୍ରକରି ଯେଉଁ ସମାଲୋଚନା ସାଧାରଣରେ ଚାଲିଛି-? ତୁମେ ଜାଣ ଏ ମଠ, ଏ ସଂପ୍ରଦାୟ ବ୍ରହ୍ମଚାରୀ ସନ୍ୟାସୀ ମାନଙ୍କ ଆବାସସ୍ଥଳୀ । ଏଠାରେ ବ୍ୟଭିଚାର, ପାପଚିନ୍ତା ସମ୍ଭବ ନୁହେଁ । ଅନ୍ୟାୟ । ତୁମର ଅନ୍ୟାୟ ଆଚରଣର ଫଳାଫଳ ପାଇଁ କିଏ ଦାୟୀ ହେବ ? ତୁମ ପାଇଁ ମହାରାଜାଙ୍କୁ ସମସ୍ତେ ଭୁଲ ବୁଝୁଛନ୍ତି । ତୁମକୁ ମୁଁ ଆଜିଠାରୁ ଏ ମଠକୁ ଆସିବାକୁ ନିଷେଧ କରୁଛି ।

 

ମିତାଳି ସାମାନ୍ୟ ନୀରବ ରହି ପ୍ରଶ୍ନ କଲା, ମୋର ଅପରାଧ ?

 

ଅପରାଧ । ସମାନ୍ୟ ବିରକ୍ତ ହୋଇ ରାମାନୁଜ ଦାନ୍ତଚିପି କହିଲେ ବୁଝିପାରୁ ନାହିଁ, ମୋତେ ପୁଣି ଖୋଲି କହିବାକୁ ହେବ । ତୁମେ ଆଜି କାହାପାଇଁ ସନ୍ତାନସମ୍ଭବା ? ସତ୍ ସାହସ ଅଛି ତ କୁହ । କିଏ ସେ ? ବୃଦ୍ଧ ? ଯୁବକ ? କାହା ନାମ ତୁମେ ଗୋପାନ କରି ରଖିଛ ? ସତ କୁହ । ତୁମେ ଜାଣ ମହାରାଜା କେବଳ ନୁହଁନ୍ତି, ସଂପୂର୍ଣ୍ଣ ରାଧାସଂପ୍ରଦାୟ ଆଜି କଳଂକିତ ହେବାକୁ ଯାଉଛି । କୁହ, ସତ୍ୟ ପ୍ରକାଶ କର । ପାପରୁ ନିଷ୍‌କ୍ରାନ୍ତ ହୁଅ । ନତମସ୍ତକ ହୋଇ ମିତାଳି କହିଲା, ମୁଁ ସତ୍ୟ ମିଥ୍ୟା ବୁଝେ ନାହିଁ, ପାପପୁଣ୍ୟ ବୁଝେ ନାହିଁ । ଯାହାକିଛି ହୋଇଛି ତାହା ମହାରାଜାଙ୍କର ଆନନ୍ଦ ପାଇଁ, ତୃପ୍ତି ପାଇଁ । ସବୁ ତାଙ୍କର ଆଶୀର୍ବାଦ । ମୁଁ ତାଙ୍କର ବାତ୍ସଲ୍ୟ କାମନା କରୁନାହିଁ, ମୁଁ ଚାହୁଛି ତାଙ୍କର ଚରଣସେବିକା ହୋଇ ଆଜୀବନ ସେବାର ଗୌରବ ଲାଭ କରିବାକୁ । ମୁଁ ବୁଝିପାରୁ ନାହିଁ ମୋର ଭୁଲ୍‍ ହେଲେ କଣ ? ଯେଉଁ ମହାରାଜାଙ୍କ ଆନନ୍ଦ ପାଇଁ ବହୁ ସଂକୀର୍ତ୍ତନମଣ୍ଡଳୀ ସଂକୀର୍ତ୍ତନ ଶୁଣାନ୍ତି, ଭକ୍ତବୃନ୍ଦ ହରିନାମ ଗାନ କରନ୍ତି ସେହି ମହାରାଜାଙ୍କ ଆନନ୍ଦ ଉଦ୍ଦେଶ୍ୟରେ ମୁଁ ଆପଣାକୁ ସମର୍ପଣ କରି ଭୁଲ କରିଛି କଣ ? ଏ ସନ୍ୟାସୀକୁଳ, ବ୍ରହ୍ମଚାରୀ ଏବଂ ରାଧା ସଂପ୍ରଦାୟଙ୍କର ଯେଉଁ ମହାରାଜା ଆରାଧ୍ୟ, ସମ୍ମାନସ୍ପଦ ତାଙ୍କରି ନିକଟରେ ନିଜକୁ ସମର୍ପି ଦେଇ ମୁଁ ଆଜି ଘୃଣ୍ୟ ହେଲି କିପରି ? ମୁଁ ଆଶା କରିଥିଲି ଯେଉଁ ମହାରାଜାଙ୍କ ଆଶୀର୍ବାଦରୁ ମୁଁ ଯେଉଁ ସନ୍ତାନର ମା ହେବି ତାହା ମୋତେ ଅନେକ ସମ୍ମାନ ଆଉ ଗୌରବର ଅଧିକାରିଣୀ କରିବ । ମୁଁ ବୁଝିପାରେ ନାହି ଏ କେଉଁ ବିଚାର ? ନ୍ୟାୟ । ଯେଉଁ କଳଙ୍କ ଆରୋପ ଆଶଙ୍କାରେ ମୋତେ ମଠର ଦ୍ୱାର ମନା କରିବାକୁ ଯାଉଛନ୍ତି, ଯାହାଙ୍କ ସମ୍ମାନ ରକ୍ଷା ପାଇଁ ଆପଣ ଆଜି ଏ ନିଷ୍ଠୁର ସିଦ୍ଧାନ୍ତ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି, କ୍ଷଣକ ପାଇଁ ଆପଣ ତ ଚିନ୍ତାକଲେ ନାହିଁ ଏଥିପାଇଁ ମୁଁ କେବଳ ଶାସ୍ତି ଭୋଗିବି କାହିଁକି ? କଣ ନାରୀ ହୋଇ ଜନ୍ମ ହୋଇଥିବାରୁ, ମହାମାନବର ଆନନ୍ଦ ନିମନ୍ତେ ଆପଣାକୁ ଉତ୍ସର୍ଗୀକୃତ କରିଥିବାରୁ ମୋର ଏ ପୁରସ୍କାର ? ତେବେ ପ୍ରଭୁ ରାମାନୁଜଙ୍କ ନିର୍ଦ୍ଦେଶ ମାନି ନେବାରେ ମୋର ଆପତ୍ତି ନାହିଁ । ମାତ୍ର ମୋର ଗୋଟିଏ ନିବେଦନ, ଏ ସମ୍ପର୍କରେ ମହାରାଜାଙ୍କ ମତାମତ ନିଆଯାଉ । ପୁଣ୍ୟପ୍ରାଣ ମହାତ୍ମାମାନଙ୍କ ପଦଧୂଳିରେ ଯେଉଁ ମଠର ଧୂଳି ମହୀୟାନ୍ ମୁଁ ତା’ର ଅଙ୍ଗନରେ ପାଦ ଦେବି ନାହିଁ ଯଦି ମହାରାଜା ଚାହାନ୍ତି । ଆଉ ଅଧିକ କିଛି ନ କହି ମିତାଳି ଅଧ୍ୟକ୍ଷଙ୍କ ସମ୍ମୁଖରୁ ଦୂରେଇଗଲା ।

 

ଶଶିଶେଖରଜୀ କହିଲେ, ଚିକିତ୍ସକ ମହାଶୟ ଦେଖିଲେ ତ । ଶୁଣିଲେ ତ, ଏ ଦୁଃଖ କାହାକୁ କହିବି । ମୁଁ ମଠ ପରିଚାଳକ ରୂପେ ନିର୍ଦ୍ଦେଶ ଦେବି ସତ ମାତ୍ର ତାହା ମହାରାଜାଙ୍କ ସ୍ୱୀକୃତି ଲାଭ କରିବା ଏକାନ୍ତ ଆବଶ୍ୟକ । ତାଙ୍କ ଅଜ୍ଞାତସାରରେ ମଠ ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ପାରିବ ନାହିଁ । ତୁମେ ତ ଜାଣ ଧର୍ମପ୍ରଚାର କରିବା ନିମନ୍ତେ ରାଧାସଂପ୍ରଦାୟର ଯେଉଁ ପ୍ରଚାର ବିଭାଗ ଥିଲା ତାହାକୁ ମହାରାଜା ଉଠାଇ ଦେଇଛନ୍ତି । ତାହାର ଆବଶ୍ୟକତା ନାହିଁ ବୋଲି ସେ ମତ ଦେଇଛନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ମଠର ଆଚାର୍ଯ୍ୟମାନେ ଏ ନିଷ୍ପତ୍ତିର ପରିବର୍ତ୍ତନ ନିମନ୍ତେ ନିବେଦନ କରିଥିଲେ । ମାତ୍ର ମହାରାଜା ଆପଣାର ନିଷ୍ପତ୍ତିରେ ଅଟଳ । ତାଙ୍କୁ ବୁଝାଇବ କିଏ ?

 

ମହାରାଜାଙ୍କ ଚିକିତ୍ସକ ଦୀର୍ଘନିଶ୍ୱାସ ମାରି କହିଲେ, ମୋତେ ଏସବୁ କିଛି ଭଲ ଲାଗୁନାହିଁ । ମୁଁ ଗୋଟିଏ କଥା ନେଇ ଚିନ୍ତିତ, ମହାରାଜା କେଉଁ ବିଷୟ ନେଇ ଚିନ୍ତିତ, ସେ କି ଘୋଷଣା କରିବେ । ମହାମିଳନ କରିବାର ଉଦ୍ଦେଶ୍ୟ କ’ଣ ?

 

ରାଧାସଂପ୍ରଦାୟର ପ୍ରଧାନ କର୍ମପୀଠ, ଦୂରଦୁରାନ୍ତରେ ଥିବା ଏହି ସଂସ୍ଥାର ଉପଶାଖାମାନଙ୍କରୁ ବିଭିନ୍ନ ସଭ୍ୟ ଆସି ରୁଣ୍ଡ ହୋଇଛନ୍ତି । ମଠରେ ଅସମ୍ଭବ ଜନଗହଳି । ମଠବାସୀ ସମସ୍ତେ ଚିନ୍ତାକୁଳ, ଆସନ୍ନ ବିପଦ ନେଇ ବିବ୍ରତ । ଦୂରାଦୂରନ୍ତରୁ ଆସିଥିବା ମଠାଧୀଶ, ଅନ୍ୟାନ୍ୟ ଆଚାର୍ଯ୍ୟ, ଗୁରୁ ଭାଇମାନେ ଜାଣିବାକୁ ବ୍ୟଗ୍ର କେଉଁ ଉଦ୍ଦେଶ୍ୟରେ ଏ ସମାରୋହ । ଅସମୟରେ ଅବେଳରେ ଏ ମିଳନୀର ଆବଶ୍ୟମତା କଣ ରହିଛି ।

 

ଆଳତି ପରେ ସଂକୀର୍ତ୍ତନ ନାମଯଜ୍ଞ ସବୁ ସାଂଗ ହେଲା । ନୃତ୍ୟ ମଣ୍ଡପରେ ଆସି ବାସୁଦେବଜୀ ଉପସ୍ଥିତ ହେଲେ । ତାଙ୍କ ଆଗମନ ସୂଚନା ଦେଲା ଯେ ମହାରାଜା ଏଇ ଅଳ୍ପ ସମୟ ମଧ୍ୟରେ ନୃତ୍ୟମନ୍ଦିରରେ ପହଞ୍ଚିବେ ।

 

ମହାରାଜା ନୃତ୍ୟମନ୍ଦିର ଉଦ୍ଦେଶ୍ୟରେ ଆଗେଇ ଆସିଲେ । ଉପସ୍ଥିତ ସଭାସଦବୃନ୍ଦ ମହାରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଦଣ୍ଡାୟମାନ ହେଲେ । ସମସ୍ତେ କ୍ଷଣକାଳ ନତଶିର ହୋଇ ନୀରବ ହେଲେ ।

 

ତାପରେ ମହାରାଜା ଆସନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ସମସ୍ତଙ୍କୁ ଆସନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲେ । ଉପସ୍ଥିତ ମହିଳାଗଣ ଜଣ ଜଣ ଆସି ମହାରାଜାଙ୍କ ପଦଧୂଳି ପାଇ ଆଶୀର୍ବାଦ ଗ୍ରହଣ କଲେ । ଯେଉଁ ଧନୀ ଭକ୍ତବୃନ୍ଦ ସଂପ୍ରଦାୟର ପରିଚାଳନା ନିମନ୍ତେ ଏକ ହଜାରରୁ ଅଧିକ ଅର୍ଥଦାନ କରିବାକୁ ପ୍ରସ୍ତୁତ ଥିଲେ ସେମାନଙ୍କ ମଧ୍ୟରୁ ଜଣ ଜଣ ହୋଇ ଆସି ମହାରାଜାଙ୍କ ପାଦତଳେ ସେମାନଙ୍କ ଦାନ ଖେଦେଇ ଚାଲିଗଲେ ।

 

ତାପରେ ମହାରାଜା ପ୍ରଶ୍ନ କଲେ, ରାମାନୁଜ ସମସ୍ତେ ଆସିଛନ୍ତି ତ ? ଉତ୍ତରରେ କହିଲେ ସେ ସମସ୍ତେ ଆସିଛନ୍ତି କେବଳ ଆସି ପାରି ନାହାନ୍ତି ନୀଳାମ୍ବର ମଠର ଆଚାର୍ଯ୍ୟ ଆଉ ନବଦ୍ଵୀପର ଗୃହୀ ଗୁରୁଭାଇ ସର୍ବାନନ୍ଦ ଚିନ୍ତକ । ସେମାନେ ତାର ବାର୍ତ୍ତାରେ ଜଣାଇଛନ୍ତି । ସେମାନେ ଅସୁସ୍ଥ । ଆପଣଙ୍କର ଆଶୀର୍ବାଦ ସେମାନେ କାମନା କରିଛନ୍ତି । ସେମାନେ ପାରିବେ ନାହିଁ ।

 

ଦୀର୍ଘ କୋଡ଼ିଏ ବର୍ଷ ପରେ ମହାରାଜାଙ୍କ ମହାଘୋଷଣା ନିମନ୍ତେ ଆଜି ଏ ମହାମିଳନ-। ଏହି ସଂପ୍ରଦାୟର ଉନବିଂଶ ମହାରାଜା ଏହିପରି ଏକ ମହାମିଳନରେ ମହାଘୋଷଣା କରିଥିଲେ-। ଗୁରୁଭାଇମାନେ ଶାରୀରିକ ଶ୍ରମ କରିବେ । ଆବଶ୍ୟକତାଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିପାରିବେ ନାହିଁ, ଆଉ ଆଜି.... ।

 

ମହାରାଜା ଧୀର କଣ୍ଠରେ ତାଙ୍କର ମହାଘୋଷଣା ଆରମ୍ଭ କଲେ । ନୃତ୍ୟମଣ୍ଡପ ନୀରବ ନିସ୍ତବ୍‌ଧ । ସେ କହିଲେ, ‘‘ଗତ କେତେଦିନ ଧରି ମୁଁ ଗଭୀର ଅନୁଧ୍ୟାନର ସହିତ ଲକ୍ଷ୍ୟକରୁଛି ଆମର ସଂପ୍ରଦାୟର ବହୁ ଭକ୍ତ ବର୍ତ୍ତମାନ ଗୋପନରେ ବହୁ ଅସଦ୍‌ ଆଚରଣରେ ଲିପ୍ତ ଅଛନ୍ତି, ପରର ସମ୍ଭୋଗ, ବିଳାସ ପ୍ରତିହିଂସା କରୁଛନ୍ତି । ମଦ୍ୟପାନ, ନୃତ୍ୟଗୀତ ଦର୍ଶନ, ସାଧାରଣ କଥାରେ ପରିଣତ ହେଲାଣି ମୁଁ କହିଦେବାକୁ ଚାହେଁ ଏସବୁ ସାଧୁ ସନ୍ୟାସୀ, ବ୍ରହ୍ମଚାରୀଙ୍କ ପକ୍ଷରେ ଶୋଭା ପାଏ ନାହିଁ । ଏହା ବରଂ କଳଙ୍କ । ମୁଁ ବୁଝୁଛି ଦୁର୍ବଳତା ରହିଯାଉଛି କେଉଁଠି । ବିନା ଭୋଗରେ ତ୍ୟାଗ ସମ୍ଭବ ନୁହେଁ । ସମସ୍ତ ସମ୍ଭୋଗ ବିଳାସର ଊର୍ଦ୍ଧ୍ୱରେ ରହିବା ନିମନ୍ତେ ଯେଉଁ ସାଧାନା ପ୍ରୟୋଜନ ସେଥିପାଇଁ ତୁମେ ଯୋଗ୍ୟ ହୋଇନାହିଁ । ମୁଁ ନିର୍ଦ୍ଦେଶ ଦେଉଛି ତୁମେମାନେ ସମସ୍ତେ ଯାଇ ସଂସାର କର, ଗୃହସ୍ଥ ହୁଅ, ଜୀବନ କ’ଣ, ସମ୍ପଦ କ’ଣ ପ୍ରଥମେ ଉପଭୋଗ କର । ତାପରେ ଯେଉଁମାନେ ଚାହିଁବ ପୁଣି ମଠକୁ ଫେରି ଆସିବ । ତା’ପରେ ମୁଁ ମୋର ନିର୍ଦ୍ଦେଶ ଦେବି । ଆମେ କେଉଁ ପରି ଜୀବନଯାପନ କରିବା । ମୁଁ ରାମାନୁଜକୁ କହୁଛି ପନ୍ଦର ଦିନ ମଧ୍ୟରେ ସମସ୍ତେ ଯେପରି ମଠ ତ୍ୟାଗ କରନ୍ତି ସେ ଦୃଷ୍ଟି ଦେବେ । ଅନେକ ମଠ ବନ୍ଦ କରି ଦିଆଯିବ । ସମସ୍ତ ପ୍ରକାର ପରିପ୍ରଚାର ବନ୍ଦ କରି ଦିଆଯିବ ।’’

 

ସମସ୍ତେ ବିବ୍ରତ ହୋଇ ଉଠିଲେ । ମହାରାଜା ଏ କ’ଣ ଘୋଷଣା କରୁଛନ୍ତି । ଜନୈକ ଆଚାର୍ଯ୍ୟ ଦଣ୍ଡାୟମାନ ହୋଇ ପ୍ରଶ୍ନ କଲେ, ମହାରାଜା, ଆପଣଙ୍କର ଏ ଘୋଷଣା କ’ଣ ବାସ୍ତବରେ ସମ୍ଭବ ? ଆମର ଆଉ କ’ଣ ବୟସ ଅଛି ଆମେ ଘର-ସଂସାର କରିବୁ, ଶ୍ରମ କରିବୁ । ହରିନାମ କରିବୁ କେତେବେଳେ ?

 

ସବୁ ହୋଇ ପାରିବ । ସନ୍ୟାସୀ ସାଧୁ ସବୁ କରି ପାରିବେ । ତୁମମାନଙ୍କର ଏହିପରି ଦ୍ୱନ୍ଦ୍ୱ ସ୍ପଷ୍ଟି ହେବା ମୁଁ ଆଶଙ୍କ କରୁଥିଲି । ମାତ୍ର ଦ୍ୱନ୍ଦ୍ୱର କୌଣସି କାରଣ ନାହିଁ । ମୁଁ ମଧ୍ୟ ପୁଣି ଗୃହସ୍ଥଜୀବନକୁ ଫେରି ଯାଇଛି । କେବଳ ତୁମମାନଙ୍କୁ ଦେଖାଇବା ପାଇଁ । ପ୍ରତାରଣା ନ କରି ବାସ୍ତବ ଜୀବନରେ ଆଶା ବାସନା, ଉପଭୋଗ କରିବା ନିମନ୍ତେ । ତୁମେ ସମସ୍ତେ ଫେରିଯାଅ । ପ୍ରଥମେ ଜୀବନ ଉପଭୋଗ କର । ପ୍ରଥମେ ସାଧାରଣ ମଣିଷ ପରି ବଞ୍ଚି ରହ । ତାପରେ ଦେଖିବା । ଆଜି ଏତିକି...ପୁଣି ପାଞ୍ଚ ବର୍ଷ ପରେ ମୁଁ ମୋର ଘୋଷଣା ଏଠାରେ କରିବି ।

 

ଏହି ଘୋଷଣାରେ ହେଲା ମିଶ୍ରିତ ପ୍ରତିକ୍ରିୟା । କେତେକ ମୁଣ୍ଡରେ ହାତ ଦେଲେ ଆଉ କେତେକ କହିଲେ ଏପରି ଘୋଷଣା ବହୁ ପୂର୍ବରୁ କରିବା ଉଚିତ ଥିଲା । ଏପରି ଘୋଷଣା କରି ମହାରାଜା ସଂପ୍ରଦାୟକୁ ରକ୍ଷା କରିଦେଲେ ।

 

ମହାରାଜା ନୃତ୍ୟ ମଣ୍ଡପରୁ ବିଦାୟ ନେଲେ । ଦୂରଦୁରାନ୍ତରୁ ଆସିଥିବା ସାଧୁ ସନ୍ୟାସୀ ଗୁରୁଭାଇମାନେ ସତରେ ଦେଖିବାକୁ ବ୍ୟଗ୍ରତା ପ୍ରକାଶ କରୁଥିଲେ ସେ ସୁନ୍ଦରୀ, ଯୁବତୀ ‘ମିତାଳି’ କିଏ ? ‘ମହାରାଜା’ ଯାହାଙ୍କ ନିମନ୍ତେ ପୁଣି ଗୃହୀ ହେଲେ । ଧୀରେ ଧୀରେ ସାଧୁ ସମାବେଶର ଗହଳି କମି ଆସୁଥିଲା । ସଂକୀର୍ତ୍ତନର ସ୍ୱର କ୍ଷୀଣରୁ କ୍ଷୀଣତର ହୋଇ ଆସୁଥିଲା ।

 

ଶଶିଶେଖର ସେହିପରି ଗମ୍ଭୀର ହୋଇ ବସି ରହିଥାଆନ୍ତି । ବାସୁଦେବଜୀ ଭାବୁଥାନ୍ତି ମହାରାଜାଙ୍କର ଏସବୁ ମାୟା....କେବଳ ମାୟା....ଏ ସାଧୁସନ୍ଥ, ମିତାଳି, ଘରଦ୍ୱାର ସମ୍ପତ୍ତି କେବଳ ସବୁ ସେହି ମାୟାରୁ ସୃଷ୍ଟି । ସବୁ କେବଳ ମାୟା ଆଉ ମାୟା...

 

(ଚାରି)

 

ଦୀର୍ଘ ପାଞ୍ଚ ବର୍ଷ ପରେ...

 

ମଠ ସହିତ ଏକଦା ସମ୍ପର୍କ ଥିବା ସନ୍ନୀସୀମାନଙ୍କର ସମାବେଶ ନିମନ୍ତେ ବାତାବରଣରେ ସାମାନ୍ୟ କୋଳାହଳ । ସନ୍ଧ୍ୟାରେ ନୃତ୍ୟମଣ୍ଡପରେ ସଭା ହେବ । ତମ୍ଭୁ ଟଣା ଚାଲିଛି । ସମସ୍ତଙ୍କର ବସିବାପାଇଁ ବ୍ୟବସ୍ଥା ହେଉଛି । ମହାରାଜା ପାଞ୍ଚ ବର୍ଷ ପରେ ପୁଣି ଥରେ ଅନ୍ୟ ଏକ ମହାଘୋଷଣା କରିବେ ।

 

ଆଚାର୍ଯ୍ୟ ଗୁରୁକୁଳ ମଠ ମଧ୍ୟରେ ପ୍ରବେଶ କରି ଚାରି ଦିଗକୁ ଚାହିଁନେଲେ । କିଏ ତାଙ୍କୁ ସମ୍ବୋଧନ କରି ଡାକିଲେ । ସେ ଆଉ ଥରେ ଚାହିଁଲେ । ଏଥର ସ୍ୱର ବାରି ପାରି ଚାହିଁଲେ । ବାସୁଦେବଜୀ ଚମ୍ପାଗଛରେ ଚଢ଼ି ଫୁଲ ତୋଳୁଛନ୍ତି । ଗଛ ପାଖରେ ଗୋଟିଏ ସୁନ୍ଦର ସ୍ୱାସ୍ଥ୍ୟବାନ୍‌ ଶିଶୁ ଖେଳୁଛି । ପୁରାତନ ବନ୍ଧୁଙ୍କ ମିଳନ । ବାସୁଦେବଜୀ ଗଛରୁ ଓହ୍ଳାଇ ଗୁରୁକୁଳଙ୍କୁ ବାହୁ ମଧ୍ୟରେ ବାନ୍ଧିନେଲେ । ପ୍ରଶ୍ନ କଲେ ଏକା କ’ଣ ? ସପରିବାର ଆସିବା କଥା । ଭାଉଜ କାହାନ୍ତି ? ସମସ୍ତେ ଅସୁସ୍ଥ । ଆସିବା ଯୋଜନା ଥିଲା । ମାତ୍ର ଅସୁସ୍ଥତା ହେତୁ ସବୁ ବନ୍ଦ । ଛୋଟ ପିଲାଟି ବିଶେଷ ଅସୁସ୍ଥ । ଗୃହାସ୍ଥାଶ୍ରମ ଚଳୁଛି କିପରି ? ପିଲାପିଲି କେତୋଟି ହେଲେ ?’’ ପାଞ୍ଚଟି...ଛାଡ଼ ଛାଡ଼...ଅସମ୍ଭବ ହଇରାଣ । ଆଉ ଗୃହସ୍ଥ ଜୀବନରୁ ମୁକ୍ତି ମିଳିବ ନାହିଁ । ଏ ହେଲା ଦିଲ୍ଲୀକା ଲଡ଼ୁ ।

 

ବାସୁଦେବଜୀ ସାମାନ୍ୟ ହସି କହିଲେ ପାଞ୍ଚଟି ହେଲେଣି । ଭଗବାନ ସେମାନଙ୍କୁ ଭଲ ମଣିଷ କରନ୍ତୁ ।

‘‘ଏ ପିଲାଟି କିଏ ? ଆପଣ ଚମ୍ପାଫୁଲ କାହା ପାଇଁ ଏ ସମୟରେ ତୋଳୁଛନ୍ତି ?’’

 

ଏ ପିଲାଟି ମହାରାଜାଙ୍କ ପୁଅ । ମିତାଳି ବେଶ୍‌ ଯତ୍ନରେ ବଢ଼ାଇଛି । ପକ୍‌କା ଗୃହିଣୀ ସେ ହୋଇଛି । ଏଇଲେ ଦେଖା ହେବ ଯେ । ଯାଆନ୍ତୁ, ମହାରାଜାଙ୍କୁ ଦର୍ଶନ କରି ଆସନ୍ତୁ ।

 

‘ଆଉ ଏ ଫୁଲ’ ?

 

ବାସୁଦେବଜୀ ସାମାନ୍ୟ ହସି କହିଲ—‘ଏ ଫୁଲ ପୁଷ୍ପା ପାଇଁ । ଚମ୍ପା ଫୁଲରେ ତା’ର ଭାରି ଆଦର । ପୁଷ୍ପାକୁ ଦେଖିଥିବେ । ମନେ ନ ଥିବ । ମିତାଳିର ମାଉସୀ ଝିଅ ଭଉଣୀ । ଛୋଟ ଥିଲା ଏବେ ଅନେକ ବଡ଼ ହୋଇ ଯାଇଛି । ତାରି ପାଇଁ ଫୁଲ । ‘କ’ଣ ବାସୁଦେବ ତୁମେ ଘରସଂସାର କରିବ ନାହିଁ ?’’ ଆଉ ଏ ବୟସରେ...ଛାଡ଼ି ମୋ କଥା । ଆପଣମାନଙ୍କର ଆନନ୍ଦରେ ମୋର ଆନନ୍ଦ । ‘‘ଆଉ ସବୁ କିଏ କିଏ ଆସି ପହଞ୍ଚିଲେଣି ?’’ ହରଦ୍ୱାରରୁ କୃଷ୍ଣାନନ୍ଦଜୀ, ନବଦ୍ୱୀପରୁ ମହାଜନକ, ପ୍ରୟାଗରୁ ଶମ୍ଭୁନାଥ ମହାରାଜ । ଜଗନ୍ନାଥ ପୁରୀରୁ ମାଧବାନନ୍ଦ ପ୍ରଭୁ...ଆଉରି ଅନେକ । ଅନେକ ପରିବାର ସହ ଆସିଛନ୍ତି । ଗୃହସ୍ଥ ସାଧୁମାନଙ୍କର ଏ ଏକ ଅପୂର୍ବ ସମାବେଶ । ଉତ୍ତର କଲେ ବାସୁଦେବଜୀ ।

 

ଗୁରୁକୁଳ ପୁଣି ପ୍ରଶ୍ନ କଲେ...ଆଜି ପୁଣି ମହାରାଜା କି ଘୋଷଣା କରିବେ ?

 

ବାସୁଦେବ କହିଲେ, ଆଜି ସେ ଗୁରୁଭାଇ, ଭକ୍ତ ଓ ସମର୍ଥକମାନଙ୍କୁ ଏକ ଆହ୍ୱାନ ଦେବେ । ପାଞ୍ଚ ବର୍ଷ ତଳେ ଯେଉଁମାନେ ଗୃହସ୍ଥ ସାଧୁ ହେବା ପାଇଁ ମଠରୁ ବିଦାୟ ନେଇଥିଲେ ସେମାନେ ଚାହିଁଲେ ପୁତ୍ରକନ୍ୟା ଘରଦ୍ୱାର ଛାଡ଼ି ଚାଲିଆସିବେ । ପୁଣି ମଠରେ ରହି ହରିନାମ କରିନାମ କରିବେ । ଭିକ୍ଷା କରିବେ । ଧର୍ମ ପ୍ରଚାର କରିବେ ।

 

‘‘ନିଜେ ମହାରାଜା କ’ଣ କରିବେ ?’’

 

‘ସେ ମଧ୍ୟ ମିତାଳି ଓ ପୁତ୍ରକୁ ଛାଡ଼ି ସେମାନଙ୍କଠାରୁ ପୃଥକ ରହିବେ ।

 

‘‘ସେମାନଙ୍କ ଦାୟିତ୍ୱ କିଏ ନେବ । ସେମାନେ କିପରି ଚଳିବେ ।’’

 

‘ମହାରାଜା ସବୁ ବ୍ୟବସ୍ଥା କରିଦେଇ ଅଛନ୍ତି । ସେମାନଙ୍କ ନିମନ୍ତେ ଜମିଜମାର ବ୍ୟବସ୍ଥା କରି ଦେଇଛନ୍ତି, ବ୍ୟାଙ୍କରେ ଯଥେଷ୍ଟ ପରିମାଣରେ ଅର୍ଥ ଜମା କରି ଦେଇଛନ୍ତି । ପୁତ୍ରଟି ମଣିଷ ହେବାପାଇଁ ଓ ମିତାଳିର ଜୀବନକାଳରେ ଯେପରି କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ପ୍ରୟୋଜନୀୟ ବ୍ୟବସ୍ଥା କରିଛନ୍ତି । ଗୃହସ୍ଥ ହିସାବରେ ସେ ଆପଣାର ଦାୟିତ୍ୱ ତୁଲାଇଛନ୍ତି, ଉତ୍ତର କଲେ ବାସୁଦେବ । ଗୁରୁକୁଳ କହିଲେ ମାତ୍ର ଆମେ ଏତେ ଜମିଜମା ପାଇବୁ କେଉଁଠୁ ? ତା’ ବ୍ୟତୀତ ମୋ ପକ୍ଷେ ଆଉ ମଠକୁ ଫେରିବା ସମ୍ଭବ ନୁହେଁ । ମୋର ଗୋଟିଏ ନୁହେଁ । ପାଞ୍ଚଟି । ସେମାନଙ୍କୁ ମଣିଷ କରିବାର ଗୁରୁଦାୟିତ୍ୱକୁ ମୁଁ ଏପରି ଏଡ଼ାଇ ପାରିବି ନାହିଁ ।

 

ବାସୁଦେବ କହିଲେ—ଏ ହେଉଛି ମାୟା....ମାୟାଜାଲରୁ ମୁକ୍ତିଲାଭ କରିବା ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହେଁ । ମାତ୍ର ମହାରାଜା ଏସବୁର ଊର୍ଦ୍ଧ୍ୱ ରେ । ସେସବୁ କରି ପାରନ୍ତି । ସେଥିପାଇଁ ସେ ପୂଜ୍ୟ, ନମସ୍ୟ ଆମେ ସବୁ କ୍ଷୁଦ୍ର ପ୍ରାଣୀ, ଦୟାର ପାତ୍ର ।

 

ଗୁରୁକୁଳ କିଛି ବୁଝିପାରୁ ନଥିଲେ । ସେ ବାସୁଦେବଙ୍କ ସହିତ ଏକମତ ହୋଇପାରୁ ନ ଥିଲେ । ମହାରାଜ କାହିଁକି ନମସ୍ୟ, ପୂଜ୍ୟ, ସେ କାହିଁକି ଦୟାର ପାତ୍ର । କ୍ଷୁଦ୍ର ମଣିଷ ।

 

ସେମାନେ ଆଗେଇ ଯାଉଥିଲେ ଆନନ୍ଦମାର୍ଗ ଉଦ୍ଦେଶ୍ୟରେ । ସମସ୍ତଙ୍କ ନିମନ୍ତେ ସେଠାରେ ଖାଦ୍ୟ ପାନୀୟର ବ୍ୟବସ୍ଥା ହୋଇଛି ।

 

(ପାଞ୍ଚ)

 

ନୃତ୍ୟ ମଣ୍ଡପରେ ଆଲୋକ ଜଳି ଉଠିଲା । ଆଳତି ଶେଷ ହେଲା । ଉପସ୍ଥିତ ସାଧୁ, ସନ୍ୟାସୀ ନୀରବ ହେଲେ । ବାସୁଦେବ ଆସି ପହଞ୍ଚିଲେ । ମହାରାଜାଙ୍କ ଆଗମନକୁ ସମସ୍ତେ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଲେ । ସେ ଆସିବେ, ତାଙ୍କର ମହାଘୋଷଣା ଶୁଣାଇବେ ।

 

ସେହି ନୀରବତା ମଧ୍ୟରେ କେତେକ କ୍ଷୀଣସ୍ୱର କେବଳ ମର୍ମରିତ ହୋଇ ଉଠୁଥିଲା । ଗୃହସ୍ଥାଶ୍ରମ ତ୍ୟାଗକରି ମଠକୁ ଫେରି ଆସିବା ସେମାନଙ୍କ ପକ୍ଷରେ ଆଉ ସମ୍ଭବ ନୁହେଁ । ସବୁ କେବଳ ତାଙ୍କରି ପକ୍ଷରେ ସମ୍ଭବ । ସେ ସବୁ କରି ପାରନ୍ତି । ସେ ରାଧାସଂପ୍ରଦାୟର କର୍ଣ୍ଣଧାର । ମହାରାଜା । ମଣିଷ ନୁହନ୍ତି । ଦେବତା ।

񤦬񤦬񤦬

 

Unknown

ତଳ ପାହାଚ

 

କଫି ହାଉସରେ ଅସମ୍ଭବ ଭିଡ଼, ଅନ୍ତତଃ ଦ’ଶରୁ ଚାରିଟା ପର୍ଯ୍ୟନ୍ତ । ଯେଉଁ ମହକିଲମାନେ ଦୂରଦୁରାନ୍ତରୁ ଆସନ୍ତି କୋର୍ଟକୁ ବିଭିନ୍ନ ମାମଲା ନେଇ, ସେମାନେ ଏଠିକୁ ଆସନ୍ତି ଜଳଖିଆ ଖାଇବାକୁ । କେହି କେହି ମଧ୍ୟ ମଧ୍ୟାହ୍ନ ଭୋଜନ ପାଇଁ ଆସନ୍ତି ।

 

ସୁନ୍ଦର ସାମାନ୍ୟ ଗମ୍ଭୀର ହୋଇ କଫି ହାଉସରେ ପ୍ରବେଶ କଲା । ଏହି କଫି ହାଉସରେ ମହକିଲମାନଙ୍କ ବ୍ୟତୀତ ଭିଡ଼ ଜମେ କଲେଜ ଛାତ୍ରମାନଙ୍କର । ଛାତ୍ରଙ୍କ ଅପେକ୍ଷା ଅଧିକ ସଂଖ୍ୟକ ଛାତ୍ରୀ ଆସନ୍ତି ଏଠାକୁ । ଲେଟେଷ୍ଟ ଶାଢ଼ୀ,ଚିପାପ୍ୟାଣ୍ଟ, ବେଲବଟମ୍‌ ଭେରାଇଟ୍ ଯେତିକି ଆଖିରେ ପଡ଼େ ହିପି ହେୟାର, କଟ୍‌ ଡ୍ରେସ, ଲମ୍ବା କଲି ମଧ୍ୟ ସେତିକି ପଡ଼େ । ନୀରସ ଶୁଷ୍କ ମାଲିମକଦ୍ଦମା, କଥା କଥାକେ ଯେଉଁଠାରେ ବିଭିନ୍ନ ଆଇନର ନଜିର, ଲମ୍ବାକଳା ଗାଉନ, ଓକିଲମାନଙ୍କର ମହକିଲମାନଙ୍କ ଉପରେ ସତର୍କ ଦୃଷ୍ଟି, ସେଠାରେ ସତରେ ଏଇ ଯୁବକ ଯୁବତୀମାନେ ଏକ ବ୍ୟତିକ୍ରମ ସୃଷ୍ଟି କରନ୍ତି । ମରୁଭୂମିରେ ଓଏସିସ୍‌ ପରି, ବିରାଟ ଅଟ୍ଟାଳିକାର ଡ୍ରଇଁ ରୁମରେ ଆକୋରିୟମ୍‌ ପରି ମନେ ହୁଅନ୍ତି ସେମାନେ । ସୁନ୍ଦର ଚୁପ୍‌ଚାପ୍‌ ସିଗାରେଟ୍‌ରେ ନିଆଁ ଧରାଇଲା, ଧୁଆଁ ଛାଡ଼ୁ ଛାଡ଼ୁ ବ’ୟକୁ ପ୍ରଶ୍ନ କଲା....ଖାଇବାକୁ କ’ଣ ଅଛି ?

 

ନା, ବାବୁ ସବୁ ଶେଷ । ଆଜି ସବୁ ଟିଫିନ୍‌ ଶେଷ ହୋଇ ଯାଇଛି ।

 

‘ଆଚ୍ଛା, ଚା’ ହୋଇ ପାରିବ ?

 

‘ନା, ଚାହା ବି ନାହିଁ ?

 

‘କଫି’ ?

 

ଦେଖୁଛି କେତେ କପ୍ କରିବି ?

 

‘ଦୁଇ କପ୍‌ କର । ମୋହନ ବାବୁ ଆସିଥିଲେ କି ?

 

‘ନା । ସେ ଆସିବେ କି ?

 

‘ହଁ, ଆସିବେ । ଯା, କଫି କର । ତାଙ୍କର କୋର୍ଟରେ କାମ ଅଛି । ସେ କୋର୍ଟରେ ଅଛନ୍ତି । ମୋହନ ବାବୁ ସେ ଯୋଡ଼ି ।

 

ବ’ୟ କଫି କରିବାକୁ ଚାଲିଗଲା । ରେଡ଼ିଓରେ ସେହିପରି ରକ୍‌-ଆଣ୍ଡ୍‌ ରୋଲ୍‌ ସଙ୍ଗୀତ ଚାଲିଥାଏ । କୋର୍ଟ ପଡ଼ିଆ ଏବଂ ବାରଣ୍ଡାରୁ ଧୀରେ ଧୀରେ ଜନ ଗହଳି କ୍ଷୀଣ ହୋଇ ଆସୁଥାଏ । ବାରଣ୍ଡାରେ ଯେଉଁ କେତେ ଜଣ ଟାଇପିଷ୍ଟ ଓ ମୋହରିର ବସିଥିଲେ ମଧ୍ୟ ଯିବା ନିମନ୍ତେ ଉପକ୍ରମ କଲେଣି । ସୁନ୍ଦର ସେହିପରି ଚାହିଁ ରହିଥାଏ କଫି ହାଉସ ଝରକା ଦେଇ ବାହାରକୁ । ଆକାଶରେ ଲହରାୟିତ ମେଘଖଣ୍ଡ । କୋର୍ଟର ସେହି ପରିଚିତ ପଲାଶ ଗଛ । ବସନ୍ତ ଆଗମନରେ ପତ୍ର ଝରି ଚାଲିଛି । କେଇଟା ଶୁଖିଲା ପତ୍ର ଉଡ଼ିଆସି କଫି ହାଉସ ଫ୍ଲୋରରେ ଘଷି ହୋଇ ମଡ଼ ମଡ଼ ଶବ୍ଦ କରୁଛି । ଏସବୁ ହେଲା ନହାତି ପରିଚିତ ନିତିଦିନିଆଁ ଲାଣ୍ଡସ୍କେପ୍‌ ସୁନ୍ଦର ପାଇଁ । ଲିଭି ଆସୁଥିବା ସିଗାରେଟ୍‌କୁ ସେ ଆଉ ଦମେ ଟାଣିଲା । ଚାହାଣି ସେହିପରି ଶାନ୍ତ ମନ୍ଥର । ବ୍ୟବସାୟ ଯେଉଁଠି ମାନ୍ଦା ରୋଜଗାର ଯେଉଁଠି ଜିରୋ, ସେଠାରେ ଚାହାଣି ଆଉ ଫିଲୋସଫିର ପ୍ରଶ୍ନ ଉଠୁଛି କେଉଁଠି-?

 

କଫି ହାଉସ୍ ବାରଣ୍ଡାରେ ଜୋତା ଚାଲିବାର ମଚ୍‌ମଚ୍‌ ଶବ୍ଦ ଶୁଣାଗଲା । ସୁନ୍ଦର ଓଠରେ ହସର ସାମାନ୍ୟ ଇଙ୍ଗିତ । ବୋଧହୁଏ ମୋହନ ଆସିଲା । ନାଁ, ମୋହନ ନୁହେଁ । ଜଣେ ଅପରିଚତ । ସେ ପୁଣି ଗମ୍ଭୀର ହେଲା । ମନେ ମନେ ସାମାନ୍ୟ ବିରକ୍ତ ହେଲା । ମାଜିଷ୍ଟ୍ରେଟ୍‌ଙ୍କ ଲଞ୍ଚ୍‌ ସରିବ ତିନିଟାରେ । କୋର୍ଟ ଆସୁ ଆସୁ ସାଢ଼େ ତିନି । କୋର୍ଟ ସରୁ ସରୁ ସାଢ଼େ ପାଞ୍ଚ । ତାଙ୍କ ପାଇଁ ସିନିଅର ହଇରାଣ । କ୍ଲାଏଣ୍ଟ ଗାଡ଼ି ଫେଲ୍‌ । ମୋହରିର ହଇରାଣ । ଚପରାସି ତଥୈବଚ । ଜୁନିୟରଙ୍କ କଥା ନ କହିଲେ ଭଲ । ସିନିୟର କିଛି ଦେଲେ ତ ଭଲ କଥା ନଚେତ୍‌ ଅଭିଯୋଗ କରିବାର କିଛି ମାନେ ନାହିଁ । ସେ ବି ଦିନେ ଖୁବ୍‌ ଭଲ ରୋଜଗାର କରିବ । ସବୁ ଓକିଲ ପ୍ରଥମ ଜୀବନରେ ଏପରି ହଇରାଣ ହୁଅନ୍ତି, ତା’ର ମୋଟେ ହତାଶ ହେବାର କାରଣ ନାହିଁ । ଏହିପରି ଗୁଡ଼ାଏ ସାଧୁବାଣୀ ନିଜ ଉଦ୍ଦେଶ୍ୟ କହି ଆଗକୁ ବଢ଼ିବାକୁ ହେବ ।

 

ସୁନ୍ଦର କଫି କପ୍‌ଟିକୁ ହାତକୁ ଉଠାଇବା ସଙ୍ଗେ ସଙ୍ଗେ ମୋହନକୁ ପ୍ରଶ୍ନ କଲା...ମୋହନ କ’ଣ ହେଲା ?

 

‘ପୁଣି ଡେଟ୍‌ ହେଲା ।’

 

‘ପୁଣି ଡେଟ୍‌ ହେଲା କେବେକୁ ?’

 

‘ଆଗାମୀ ପନ୍ଦରକୁ’ ।

 

‘କେତେ ମିଳିଲା...’ ।

 

‘‘ଛାଡ଼ୁ, ଛାଡ଼ୁ’’ ଚାରମିନାରରେ ନିଆଁ ଧରାଉ ଧରାଉ ରୁକ୍ଷଗଳାରେ ମୋହନ କହିଲା (ପାର୍ଟିକୁ ଲକ୍ଷ୍ୟ କରି) ବୁଝିଲୁ ଶଳା ପକା ମଖିଚୋଷ ଅଛି । କ’ଣ ଇଚ୍ଛା ହେଉଥିଲା ଜାଣିଛୁ ନା । ଇଚ୍ଛା ହେଉଥିଲା ଗୋଡ଼ରୁ ଚପଲ କାଢ଼ି ସେକିଦବାକୁ । ଶଳା ଛ’ଟା ଡେଟ୍‌ ଗଲାଣି, ଗୋଟାଏ ପଇସା ହେଲେ ଦିଅନ୍ତା । ପଇସା ନ ଦେଲେ ନାହିଁ, କେଉଁଦିନ ହେଲେ ଚା’ କପେ ଯାଚନ୍ତା । ସେଥିରେ ଯେଉଁ ହାକିମିଆତି କରେ ଛାଡ଼ । ଥରେ ଫୋନ୍ ଧରିଲେ ଏମିତି ବୋର କରେ ଯେ କମ୍‌ସେ କମ୍‌ ଅଧଘଣ୍ଟାଏ । ଛାଡ଼ ଛାଡ଼ ତା’ କଥା ।ଗୋଟାଏ ଫାଷ୍ଟରେଟ୍ ନନ୍‌ସେନ୍‌ସ । ତୁ ସିନିୟରଙ୍କ ଦୁର ସଂପର୍କୀୟ, ତା’ ମାନେ ନୁହେଁ ଯେ ତାଙ୍କ ଚାମ୍ବରର ସମସ୍ତେ ତୋ ବେଠିଆ । ମାଗଣାରେ ଏ କୋର୍ଟ କଚେରୀ ଚାଲୁଛି । ମୋହନ ସୁନ୍ଦରର ଦେହ ଛୁଇଁ କହିଲା...ବିଶ୍ୱାସ କର ଭାଇ, ଗଲା ପନ୍ଦର ଦିନ ମଧ୍ୟରେ ମୋଟେ ପନ୍ଦର ଟଙ୍କା । ଗତ ତିନିସପ୍ତାହ ଧରି ମୁଁ ରେଡ଼୍‌ ହେଭେନ୍‌ ଯାଇ ନାହିଁ । କାଲି ସେ ବା’ର ବ’ୟ ମୋତେ ରାସ୍ତାରେ ଦେଖି କହିଲା-ସାହେବ, ବହୁତ ନୁଆ ମାଲ୍‌ ଆସିଛି; କିନ୍ତୁ ଆପଣ । ମୁଁ କହିଲି, ବାବୁ ଏ ସବୁ ଜିନିଷରେ ଆଉ ନାହାନ୍ତି । ଗଲା ଶନିବାର ଦିନ ବାଇଚାନ୍‌ସ କ୍ଲବ୍‌ରୁ ଯାଇଥିଲି ଏମ୍‌. ଏଲ୍‌. ଏ କଲୋନୀ । ସେଠାରେ ଆମ ଏମ୍‌. ଏଲ୍‌. ଏ. ପାର୍ଟି ଦେଉଥିଲେ ଲିମିଟେଡ଼୍‌ ଇନ୍‌ଭାଇଟିଜ୍‌ । ମୋତେ ଦେଖି ଦେଖି ପଚାରିଲେ ଆଡ଼୍‌ଭୋକେଟ ସାହେବଙ୍କର କ’ଣ ଚାଲିବ ? ତାପରେ ଚାଲିଲା । ବୁଝିଲୁ, କେବଳ ଫରେନ୍‌ ମାଲ୍‌, କେଉଁଠୁ ଏତେ ଯୋଗାଡ଼ କରିଥିଲେ କେଜାଣି-ସରୁ ସରୁ ରାତି ସାଢ଼େତିନି । ସମସ୍ତଙ୍କ ଆଖି ଲାଲ ଲାଲ, ସମସ୍ତେ ରାଜା ପରି କଥା ହେଉଥାନ୍ତି । କିଏ କେତେବେଳେ ଶୋଇଯାଇଛନ୍ତି ମୋତେ ମାଲୁମ ନାହିଁ । ମୁଁ ଗୋଟିଏ ଆର୍ମ ଚୌକିରେ ଶୋଇଯାଇଛି । ସକାଳ ଆଠଟାରେ ନିଦ ଭାଙ୍ଗିଲା, ଯେଉଁ କଣ୍ଟାକ୍‌ଟର ଏ ପାର୍ଟିର ବ୍ୟବସ୍ଥା କରିଥିଲେ ତାଙ୍କରି ଗାଡ଼ିରେ ସେ ମୋତେ ଛାଡ଼ିଦେଇ ଗଲେ ଆମ ବସାରେ ।

 

‘ତେବେ ବେଶ୍‌ ମଜା ହେଲା ।’

 

‘କାହିଁକି ସେ କଥା ପଚାରୁଛୁ । ଆକାଶ ପାତାଳ ସବୁ ସମାନ ମନେ ହେଉଥିଲା । ଆରେ, ସେ ମୋଟା ମନ୍ତ୍ରୀଟା କେତେ ପିଉଛିରେ, ମୁଁ ତ ଦେଖ ଅବାକ୍‌ । ମୋ ଆଖୁ ଖୋସି ହୋଇଗଲା । ତା’ ତଳକୁ ସେ ଡୁମ୍ଫା ସାମ୍ବାଦିକ୍‌, ସେ’ମ ଯିଏ ଖଣ୍ଡେ ନୋଟ୍ ବହି ଧରି ସବୁବେଳେ ଧପାଲିଥାଏ । ସେ ଯେ ପିଉଥିବ, ମୋର ଏ ଧାରଣା ମୋଟେ ନ ଥିଲା ।’

 

‘ତୋତେ ସେମାନେ ବିଟ୍ କରିପାରିଲେ ତ ?’

 

‘ସିଗାରେଟ୍ ଜଳାଇବା ଲାଗି ଦିଆସିଲ୍‌ଟା ହାତ ବଢ଼ାଇ ନେଉ ନେଉ ମୋହନ କହିଲା–ଆରେ ବୁଝିଲ ଭାଇ–ମୋ କଥା ପଚାରୁଛି କିଏ । ସେମାନେ ବୁଢ଼ା ନାଗ ହେଲେ, ତାଙ୍କ ତୁଳନାରେ ମୁଁ ନାଗବଚା ବି ନୁହେଁ । ଯେ ଯାହା ହେଉ, ଜୀବନରେ କେତେ ଗୋଟି ସ୍ମରଣୀୟ ଦିନ ଭିତରେ ଏ ଗୋଟାଏ ଦିନ-ଜିନ୍ଦେଗିଭର୍‌ ଭୁଲି ହେବ ନାହିଁ । ସୁନ୍ଦର ପିଏ ନାହିଁ, ତେବେ ଅନ୍ୟ କେତେକ ତଥାକଥିତ ଆଦର୍ଶବାଦୀଙ୍କ ପରି ଯେଉଁମାନେ ପିଅନ୍ତି, ସେମାନଙ୍କୁ ସେ ସମାଲୋଚନା କିମ୍ବା ଘୃଣା କରେ ନାହିଁ ।

 

ମୋହନ ସୁନ୍ଦରର ସହପାଠୀ । ଦୁହେଁ ଲ ପାଶ୍‌ କରି ଆସି ବାର୍‌ରେ ଜଏନ୍‌ କରିଛନ୍ତି । ସ୍ୱାଧୀନ ଭାବେ ବ୍ୟବସାୟ ଚଳାଇବାର ଅଭିଜ୍ଞତା ହାସଲ ନିମନ୍ତେ ସେମାନେ ଏବେ ଜୁନିୟର ଅଛନ୍ତି । ଅଭାବ ଅନାଟନ ଦିନମାନେ କିପରି ବହି ଚାଲିଛନ୍ତି, ଦୁହେଁ ବସି ବେଳେବେଳେ ଖୋଲାଖୋଲି କଥା ହୁଅନ୍ତି ।

 

ସୁନ୍ଦର ବିବାହିତ । ଲ’ ପାଶ୍‌ ପରେ କିଛିଦିନ ସେକ୍ରେଟାରିଏଟ୍‌ରେ କାମ କରୁଥିଲା । ହେଲେ ଭଲ ଲାଗିଲା ନାହିଁ ତାକୁ ସେକ୍ରେଟାରିଏଟ୍‌ ଜୀବନ । ଏ କାମର ସାର ମର୍ମ ହେଲା ଅର୍ଜେଣ୍ଟ୍‌, ଭେରି ଅର୍ଜେଣ୍ଟ, ଟପ୍‌ ପ୍ରାଏରିଟ୍ ଲେଖାଗୁଡ଼ାଏ ଫାଇଲ୍‌ । ତଳ କିରାଣୀ ଯାହା ନୋଟ୍ ଦେଲେ ବେଳେ ବେଳେ ଉଚ୍ଚ ଅଫିସର ଏପରିକି ମନ୍ତ୍ରୀ ପର୍ଯ୍ୟନ୍ତ ସେଥିରେ ହଁ ନ ଭରି ଉପାୟ ନାହିଁ । ଏଠାରେ ସହଜେ ପ୍ରତିଭାର ସ୍ୱୀକୃତି ମିଳେ ନାହିଁ । କାମର ଆଦର ନାହିଁ । ପୁରସ୍କୃତ ହୁଏ; ପ୍ରମୋସନ ପାଏ ସିଏ ଯିଏ ଦାନ୍ତୁରୀ ମାଇପି ପରି ଉଚ୍ଚ ହାକିମଙ୍କ ସବୁ କଥାକୁ ଦାନ୍ତ ଦେଖାଏ । ଫାଇଲ୍ ଥୋଇ କାନ ଆଉଁଷେ । ପୋଷା କୁତୀ ଲାଞ୍ଜ ହଲାଇଲା ପରି ଉପର ହାକିମ ସମ୍ମୁଖରେ ଯିଏ ନଇଁସଇଁ ଚଳେ । ସର୍ବସ୍ୱ ସମର୍ପି ଦିଏ । ପୋଷା ମାନେ । ସୁନ୍ଦର ଭାବିଲା ତା’ର ପ୍ରତିଭା ଅଛି-। ସେ ଦେହ ମିହନ୍ତ କରି ଖଟିବ । ସେଇଥିପାଇଁ ସେ ଡେଇଁଲା ଏ ନୁଆ ଜୀବନ ଚରଣ କରିନେବାକୁ । ଘରଭଡ଼ା ନେଇ ସେ ରହିଲା, ସଙ୍ଗରେ ରହିଲା ସ୍ତ୍ରୀ । ସକାଳ ସନ୍ଧ୍ୟାରେ ସିନିୟରଙ୍କ ଘରକୁ ଯାଆନ୍ତି । ଦଶରୁ ଚାରି କୋର୍ଟ । ଆଉ ସମୟ କାହିଁ । ରୁଟିନବନ୍ଧା ଜୀବନ ସ୍ତ୍ରୀଙ୍କୁ ଭଲ ଲାଗେ ନାହିଁ । ତେବେ ଚିନ୍ମୟୀ ଦେବୀ ପ୍ରତିବାଦ କରନ୍ତି ନାହିଁ । ଆଶା ନେଇ ତ ମଣିଷ ବଞ୍ଚେ । ସିଏ ସେହି ଆଶାକୁ ସମ୍ଭଳ କରି ସପନର ଜାଲ ବୁଣନ୍ତି । ତାଙ୍କ ପୋର୍ଟିକ ତଳେ ଦିନେ ମଟର ଲାଗିବ । ବାରଣ୍ଡାରେ ମହକିଲ ଭିଡ଼ ଜମିବ । ବାବୁଙ୍କୁ ନିଶ୍ୱାସ ମାରିବାକୁ ବେଳ ମିଳିବ ନାହିଁ । ନ ହେବ କାହିଁକି ? ଭାଗ୍ୟ ଟେକିଲେ ଏ ସବୁ କିବା କଥା । ଅନେକ ପ୍ରତିଷ୍ଠିତ ଓକିଲ ତାଙ୍କ ଆଦ୍ୟ ଓକିଲ ଜୀବନରେ ବ୍ରିଫ୍‌ନ ଯାଇ ପାନ, ବାଦାମ, ଚମଡ଼ା ବ୍ୟବସାୟ କରିଛନ୍ତି । ଟିଉସନ କରିବାଟା ତ ମାମୁଲି କଥା । ସେପରି ଦୁର୍ଦ୍ଦିନ ହୋଇ ନାହିଁ ତାଙ୍କର, ସେ ଭାଙ୍ଗି ପଡ଼ିବେ ତେବେ କାହିଁକି ? ତେବେ ଆଜିକାଲି ମାଲିମକଦ୍ଦମା ଯେପରି ଫେଲ୍ କରୁଛି, ସେଥିରେ ବ୍ରିଫ ଯାହା ମିଳୁଛି ସେଥିରେ ଆଚ୍ଛା ଆଚ୍ଛା ସିନିୟର ଓକିଲ ଯେତେବେଳେ ହାତବନ୍ଧି ବସୁଛନ୍ତି, ସେତେବେଳେ ଜୁନିୟରଙ୍କ ତତ୍ତ୍ୱ ନେଉଛି କିଏ ? ତା’ ବ୍ୟତୀତ ଏ ହେଲା ଗୋଟାଏ ଗୁରୁମରା ବିଦ୍ୟା । ପର ପିଲାକୁ ଇଲମ ବତାଇ ନିଜ ପେଟ ଅପୋସା ରଖିବ କିଏ ? ସେଥିପାଇଁ ଯେଉଁମାନଙ୍କର ଆତ୍ମିୟ ଆଇନ୍‌ ବ୍ୟବସାୟୀ ନାହାନ୍ତି ସେମାନଙ୍କର ଏ ବ୍ୟବସାୟରେ ତୁରୁନ୍ତ ଉଠିବା ଏତେ ସହଜ ନୁହେଁ । ଏପରିକି ବେଳେ ବେଳେ ଦଶ ବର୍ଷ ଧରି ଜୁନିୟରମାନେ ସିନିୟରଙ୍କ ସିରସ୍ତା ଛାଡ଼ୁ ନାହାନ୍ତି । ଛାଡ଼ ସେ କଥା । ସୁନ୍ଦର ଦେଖିଲେ ସ୍ତ୍ରୀଙ୍କୁ ଧରି ଏଠାରେ ଆଉ ଚଳିବା ସମ୍ଭବ ନୁହେଁ । ସେ ସ୍ତ୍ରୀଙ୍କୁ ଗାଁକୁ ପଠାଇ ଦେଇ ହୋଟେଲରେ ଖାଇ ଏବେ ଭଡ଼ାଘରେ ଅଛନ୍ତି । ଗୋଟିଏ ବଖରା ଘର । କନାର ସ୍କ୍ରିନ୍‌ ଦିଆଯାଇ ରୁମ୍‌ ପାର୍ଟିସନ୍‌ ହୋଇଛି । ଫାଳକରେ ଗୋଟିଏ ଦୌଡ଼ିରେ ହାଙ୍ଗରରେ ଝୁଲେ ତାଙ୍କର କଳାକୋର୍ଟ, ସାର୍ଟପ୍ୟାଣ୍ଟ, ଗାମୁଚ୍ଛା ଇତ୍ୟାଦି । ଆଉ ଫାଳକରେ ଦୁଇ ଖଣ୍ଡ ବେତ ଚଉକି । ନିକଟରେ ଗୋଟିଏ ଟିଣ ସେଲ୍‌ଫ ଉପରେ କେଇଖଣ୍ଡ ଆଇନ ବହି । ଗୋଟିଏ ଛୋଟ କାଠ ଟେବୁଲ । ଏ ହେଲା ତାଙ୍କର ରେସିଡେନ୍‌ସ-କମ୍‌ ଚାମ୍ବର । ଘର ବାହାରେ ନେମ୍‌ପ୍ଲେଟ-ସୁନ୍ଦରଲାଲ,ଆଡ଼୍‌ଭୋକେଟ୍‌–ହୋଟେଲ୍‌ରେ ବାକି ବଢ଼ୁଛି, ମାତ୍ର ସେ ନିରୁପାୟ ।

 

ମୋହନ ଅବିବାହିତା, ଏପର୍ଯ୍ୟନ୍ତ ଦାୟିତ୍ୱ ଉପରେ ପଡ଼ିନାହିଁ; କେୟାର-ଫ୍ରି ସିନେମା ପାଇଁ, ପିଇବା ପାଇଁ କିଛି ମିଳିଗଲେ ହେଲା ପୁଅ ଲାଗି ବାପ ଘର କରି ଦେଇଛନ୍ତି । ତେଲଲୁଣର ସଂସାର ଚଳାଇବା ପାଇଁ ମୁଣ୍ଡ ଘୂରାଇବାକୁ ପଡ଼େ ନାହିଁ । ତେବେ ସିନେମା ପାଇଁ, ପିଇବା ପାଇଁ ରୋଜଗାର କରିବାକୁ ସେ ଉଚିତ୍‌ ମନେ କରନ୍ତି । ବେଳେବଳେ ସେ ଚୁପ୍‌ଚାପ୍‌ ହୋଇ କହେ-ଆଜି ଜଗନ୍ନାଥ ଦର୍ଶନ ହେଲା । ବଂଧୁମାନେ ବୁଝନ୍ତି, ରୋଜଗାର ଘରେ ଆଜି ମୋହନର ଛକି । ତେବେ ମୋହନ ବାସ୍ତବତାଠାରୁ କେବେ ଦୂରେଇ ଯାଏ ନାହିଁ । ସେ ହସି ଜାଣେ, ପରିହାସ କରି ଜାଣେ ଆପାଣର ଭୁଲ ଭ୍ରାନ୍ତିକୁ କେନ୍ଦ୍ର କରି । ନିଜ କଥା କହି ଅନ୍ୟକୁ ହସାଇ ପାରେ । ସେ କହେ-ବରମୁଳେ ଯିଏ ପରିକ୍ରମା କରି ନାହିଁ, ସେ ବଟଗଣେଶଙ୍କ ଆଶୀର୍ବାଦ ଲାଭ କରିବା କଷ୍ଟ ।

 

ସୁନ୍ଦର ମୋହନକୁ ପଚାରିଲା-ସେ କଟକ ଯାଇଥିଲା, ଅନ୍ୟ ବନ୍ଧୁମାନଙ୍କୁ ଭେଟିଲା କି ନାହିଁ ? ଜୁନିୟର ରୁପରେ କିଏ କିପରି ଚଳାଇଛି ? ମୋହନ ଜଣ ଜଣ କରି ସମସ୍ତଙ୍କ କଥା କହିଲା । ଅଳ୍ପ କେଇ ଜଣଙ୍କୁ ବାଦ ଦେଲେ ଅନ୍ୟମାନେ ସିନିୟରଙ୍କଠାରୁ ବିଶେଷ କିଛି ଶିଖି ପାରୁଛନ୍ତି ବୋଲି ମନେ ହୁଏ ନାହିଁ । ଆର୍ଥିକ ସାହାଯ୍ୟ କଥା ନ କହିବା ଭଲ, ତେବେ ଦେବେନ୍ଦ୍ର ରଥ ଚେହେରା ବଦଳି ଯାଇଛି । ବର୍ତ୍ତମାନ ସେ ଅନ୍ୟମାନଙ୍କୁ ବଡ଼ ବଡ଼ କଥା ଶୁଣାଇବାକୁ ଆରମ୍ଭ କରିଦେଲାଣି କଥା କ’ଣ ଶୁଣିବା ପାଇଁ ସୁନ୍ଦର ଚାହିଁ ରହିଲା ।

 

ତୁ ତ ଜାଣୁ, ସେ ପାଟଜୋଶିଙ୍କ ଜୁନିୟର ଥିଲା; କେବଳ ଜୁନିୟର ନୁହେଁ—ଜୁନିୟର ମୋଷ୍ଟ ଜୁନିୟର । ଗଲା ଛ’ ମାସ ଧରି ସେ ଯେପରି ଚାଲିଛି, ସେ କେବଳ ଜାଣେ । ହୋଟେଲରେ ବାକୀ, ଚା’ ଦୋକାନରେ ବାକୀ, ପାନ ଦୋକାନରେ ବାକୀ, ସବୁଆଡ଼େ କେବଳ ବାକୀ—ସତେ ଯେପରି ବାକୀର ସେ ଏକ ଚଳନ୍ତି ପ୍ରତିମା । ସିନିୟର ଯଦି ସାମାନ୍ୟ କୁଶଳ ପ୍ରଶ୍ନ କଲେ, ତେବେ ସେହି ଯଥେଷ୍ଟ । ସବୁବେଳେ ତା’ ମନ ଖରାପ, କ’ଣ କରିବ-ଅନ୍ୟ କିଛି ଧନ୍ଦା କରିବ କି ବୋଲି ସର୍ବଦା ଚିନ୍ତା । ମାତ୍ର ଏଥର ସବୁ ବଦଳି ଯାଉଛି । ସିନିୟରଙ୍କର ସବୁବେଳେ ଏବେ ଦେବେନ୍ଦ୍ରଙ୍କୁ ଖୋଜା ଚାଲିଛି । ସଞ୍ଜ ସକାଳେ ସିନିୟରଙ୍କ ଘରେ ଦେବେନ୍ଦ୍ରଙ୍କର ଏବେ କାରବାର-ଜଳଯୋଗ, ଭଲମନ୍ଦ ଦିନରେ ତାଙ୍କ ଘରେ ଖାଇବାଟା ତ ନିଶ୍ଚୟ । ଏବେ ଦୁଇ ବେଳା ଅଧିଂକାଶ ଦିନ ଦେବେନ୍ଦ୍ରଙ୍କ ପାଇଁ ସିନିୟରଙ୍କ ଘରୁ ଖାଇବାଟା ଯାଉଛି ।

 

ସୁନ୍ଦର ହସି ହସି ପଚାରିଲା-କଥାଟା କ’ଣ ? କ’ଣ ହେଲା କି ? ମୋହନ କହିଲା-ଶୁଣ୍‌ କହୁଛି, ତରତର ହେଉଛୁ କାହିଁକି; ମଗା ଆଉ କପେ ଚା’ ମଗା ।

 

ଚା’ ନାହିଁ, କଫି ବି ଶେଷ; ଏଇ ଶେଷ ଦୁଇ କପ୍‌ କଫି ଯାହା ଦେଇଥିଲା । ସୁନ୍ଦର ଆଉ ଥରେ ମୁହଁରେ ସିଗାରେଟ ଲଗାଇ ଦିଆସିଲି ପାଇଁ ହାତ ବଢ଼ାଇଲା । ସିଗାରେଟ୍ ଲଗାଇବା ବେଳେ ସୁରେନ୍‌ ଆସି ପହଞ୍ଚିଲା । ସେ ବି ଜଣେ ଲୟାର, ଦେବେନ୍ଦ୍ର କଥା ଶୁଣିବା ପାଇଁ କାନ ଡେରିଲା ।

 

ହଁ, ଦେବେନ୍ଦ୍ରକୁ ଯେଉଁ ମୋହରିର ଅନାଉ ନ ଥିଲା, ସେ ଏବେ ଦେବେନ୍ଦ୍ର ବାବୁ, ଦେବେନ୍ଦ୍ର ବାବୁ ନ ହେଲେ, ତା’ କୁ ଭାତ ରୁଚୁ ନାହିଁ । ସେ ଏବେ ପାଟଜୋଶିଙ୍କ କନ୍ୟାରତ୍ନଙ୍କ ପାଣିଗ୍ରହଣ କରିବା ପାଇଁ ଶପଥବଦ୍ଧ ।

 

ବେଶ୍‌ ମଜା କଥା, ମାତ୍ର ଏହା କିପରି ସମ୍ଭବ ? ଇଡ଼ିଅଟ, ଇଟ୍‌ ଇଜ୍‌ ଆଲ୍‌ରେଡ଼ି ଡନ୍‌, ନୋ କୋଶ୍ଚିନ ଅଫ୍‌ ସମ୍ଭବ ?

 

ଝିଅଟିର ନାମ ମନୋରମା, କଲେଜରେ ପଢ଼ୁଛି ।

 

‘‘ତୁ ସେ ଝିଅଟିକୁ କେବେ ଦେଖିଛୁ, ଦେଖିବାକୁ କିପରି ?’’

 

ମୁଁ କିପରି ଦେଖିବି, ମୁଁ କ’ଣ ଓମେନ୍‌ସ କଲେଜ ବସ୍‌ ଡ୍ରାଇଭର, ନା କଣ୍ତକ୍‌ଟର । ଦେଖ୍ ସୁରେନ୍‌, ତୋତେ ଏଥିପାଇଁ ବିରକ୍ତ ହୁଏ । ଟିକିଏ ସତାର କର, ଶୁଣ ମୁଁ କ’ଣ କହୁଛି । ତେବେ ଦେବେନ୍ଦ୍ର କହୁଥିଲା, କନ୍ୟା ବାପାଙ୍କୁ ଦେଖିଛୁ, ଝିଅ ଚେହେରା ଅନୁମାନ କରିବୁ । ‘ପାଟଜୋଶି କ’ଣ ଦେଖିବାକୁ ସୁନ୍ଦର ।’

 

ହଁ, ସୁନ୍ଦର ନିଶ୍ଚୟ । ହରିଆନା ମଇଁଷି ପରି ବପୁ, ଦେଖିବାକୁ ଅବିକଳ ମଇଁଷି ରଙ୍ଗର ଚିକ୍‌କଣ, ମସୃଣ । ମିସେସ୍ ମଧ୍ୟ ତଦ୍ରୂପ । ତେବେ ମନୋରମାଟି ଦେଖିବାକୁ କିପରି ? ପ୍ରଶ୍ନ କରି ଚାହିଁ ରହିଲା ସୁରେନ୍ ମୋହନର ମୁହଁକୁ ।

 

କେବଳ ଅନୁମାନ କରାଯାଇପାରେ, ପଛପଟୁ ଦେଖିଲେ କୁଆଡ଼େ ଟ୍ରକ୍‌ ଚଳାଉଥିବା ସର୍ଦ୍ଦାରଜୀ ଡ୍ରାଇଭର ପରି ଦେଖାଯାଏ । ତାଙ୍କ ସାଇ ଟୋକା ତାକୁ ମୁନିସିପାଲିଟିର ଓଭର ଲୋଡ଼େଡ଼୍‌ ଟ୍ରକ୍‌ ବୋଲି ଡାକନ୍ତି । ଶେଷରେ ଦେବେନ୍ଦ୍ର ଦିନକୁ ଯିଏ ‘ଲ’ ହଷ୍ଟେଲରେ ଥିବାବେଳେ ପନ୍ଦର ଥର ନିଶ ବାଗଉଥିଲା, ସୁଚିତ୍ରା ସେନ ଫଟୋ ଧରି ଶୋଉଥିଲା; ସିଏ ଏବେ ସର୍ଦ୍ଦାରଜୀ ।

 

ହସୁଛୁ କ’ଣ, ଦେବେନ୍ଦ୍ର ବେଶ୍‌ ସଚେତନ । ପଚାରିଲି, କିରେ ଲଡ଼କି ପସନ୍ଦ ହୁଆ ? ଚୁମ୍ବକରେ ସେ ଗୋଟିଏ ଉତ୍ତର ଦେଲା ‘ପସନ୍ଦ ଅପସନ୍ଦ ବାଛ ବିଚାରର ପ୍ରଶ୍ନ ଉଠୁନାହିଁ । ବଂଚିବା ପାଇଁ ପାଥେୟ ଲୋଡ଼ା, ବୃତ୍ତି ପାଇଁ ଆଶ୍ରୟର ଆବଶ୍ୟକ ଗତ ଛ’ ମାସର ଅନୁଭୂତିରୁ ସବୁ ବୁଝୁଛି-। ଏ ବ୍ୟବସାୟରେ କିଏ କିପରି ଉଠିଛି.....ଉଠୁଛି । ନାରୀର ରୂପ ସଚେତନ ମୁଁ ଅଛି ଆଉ ଥିବି । ମାତ୍ର ମୋ ପାଇଁ ଅନାଟନର ନଗ୍ନରୂପ ଅସୁନ୍ଦରୀ ନାରୀ ଅପେକ୍ଷା ଅଧିକ ଭୟଙ୍କର, ଅଧିକ ବିଭତ୍ସ-। ତେବେ ମୁଁ ଜାଣେ, ଆଲୋକ ନିର୍ବାପିତ ହେବା ପରେ ଆଲୋକ ଅନ୍ଧକାର କଳାଗୋରା ସବୁ ସମାନ । ସମସ୍ତଙ୍କୁ ଦୁଇଟି ଅକ୍ଷରରେ ସମ୍ବୋଧନ କରାଯାଇପାରେ । ତାହା ହେଲା ‘ପଶୁ’ । ସୁନ୍ଦର ପ୍ରଶ୍ନ କଲା କହିଁକି ? ପାଟଜୋଶିଙ୍କର କ’ଣ ଆଉ କେହି ନାହିଁ ? ‘ହଁ’ ଅଛନ୍ତି । ଆଉ ଦୁଇଟି ରତ୍ନ । ବଡ଼ ପୁଅ ନେଭିରେ । ଗତ ଯୁଦ୍ଧରେ ତାଙ୍କ ଫୋଟ ବାହାରିଥିଲା କାଗଜରେ । ସେ ବାପାଙ୍କ ସିରସ୍ତାକୁ ଫେରିବା ସମ୍ଭାବନା ନାହିଁ । ବାକୀ ଅନ୍ୟ ପୁଅଟି ନବମ ଶ୍ରେଣୀରେ ନାକେଦମ୍‌ ହୋଇ ଏବେ କୁକୁଡ଼ା ଫାର୍ମ କରିବ ବୋଲି ବାପା ଯୋଜନା କରୁଛନ୍ତି, ମାତ୍ର ପୁଅର ଆଗ୍ରହ ଅନ୍ୟ ଆଡ଼େ । କଟକ ସହରରେ ଯେତେ ବୁଲା ଷଣ୍ଢ ଅଛନ୍ତି, ସମସ୍ତଙ୍କୁ ଏକାଠି କରି ପଂଝେ ଟୋକାକୁ ନେଇ ଗଣେଶଘାଟଠାରେ ବାଜି ନଗେଇ ଲଢ଼ଉଛି । ସିଏତ ଆଉ ସିରସ୍ତର ବୁଝୁ ନାହିଁ । ହୁଏତ କେଉଁଦିନ ଦାପ ଚାମ୍ବରରେ ଷଣ୍ଢ ପୂରାଇ ଦବ । ସମସ୍ତେ ହସି ଉଠିଲେ । ସୁନ୍ଦର ପଚାରିଲା କିରଣ କିପରି ଅଛି ?

 

ସେ ଭଲ ଅଛି । ତା’ ସିନିୟର ରେଗୁଲାର ପେମେଣ୍ଟ କରନ୍ତି । ଭଲ ଟାକ୍‌ସ ମାଷ୍ଟର । ତାକୁ ଆଉ ନିଶ୍ୱାସ ମାରିବାକୁ ବେଳ ନାହିଁ । ସେ କହୁଥିଲା, ଇଣ୍ଡିପେଣ୍ଡେଣ୍ଟ କେଶ୍ ନେଲାଣି । ଏହି ସମର ପରଠୁ ସେ ସେପାରେଟ୍‌ ଚାମ୍ବର କରିବ । ଶଙ୍କରକୁ ଦେଖିଥିଲୁ କି ?

 

ହଁ, ସବୁ ମହାରାଜାମାନଙ୍କ ସଙ୍ଗେ ସାକ୍ଷାତ ହୋଇଥିଲା । ସେଗୁଡ଼ିକ ତ ବିଜିଲୟ ର କି ନା । ଦୀର୍ଘ ସମୟ ମଦନାଭାଇ ଦୋକାନରେ ବସି ଯାବତୀୟ ଆଲୋଚନା ହେଲା,କେଇ କପ୍‌ ଚା ସେବାରେ ଲାଗିଲା । କେବଳ ସୁବ୍ରତକୁ ଭେଟିଲି ନାହିଁ । ସେ କେନ୍ଦ୍ରପୁତ୍ର ବ୍ୟବସାୟ କରୁଛି । ଗତ ବର୍ଷକ ମଧ୍ୟରେ ଦେଢ଼ ଲକ୍ଷ କମାଇଲାଣି । କେତେବେଳେ କିପରି କୋର୍ଟ ଆଡ଼େ ଆସୁଥିଲା । ଏବେ ଆସିବା ପୁରା ବନ୍ଦ କରିଦେଲାଣି । ସେ ପରା କୁଆଡ଼େ କହୁଥିଲା କୋଡ଼ିଏ ପଚିଶ ଟଙ୍କା ପାଇଁ ସେ ଆସି ଆଉ ସମୟ ନଷ୍ଟ କରିବାକୁ ଚାହୁ ନାହିଁ । ଏହା ଶୁଣି ସମସ୍ତେ ସାମାନ୍ୟ ନିରବ ହେଲେ । ତା’ ପରେ ଚୁଇଁ ମଦନକୁ ବି ଭେଟିଥିଲି । ସେ ଏବେ ଅନ୍ୟ କଂଗ୍ରେସର ଅଫିସ ସଂପାଦକ । ମୁଁ, କହିଲି ଆବେ ଯଦି ଅନ୍ୟ କେଉଁ ଦଳରେ ଯୋଗ ଦେବୁ ଦେ, ନିର୍ମଳ ଦଳରେ ଯୋଗ ଦେଇ ଲାଭ କ’ଣ ? ନା ଅଛି ଏ ଦଳର ଫିଲୋସଫି ଅବା ପଲିସି ? ସେ ବେହିଆ କହିଲା, ଆରେ ଯେଉଁ ଦଳରେ ଫିଲୋସଫି ଥିବ ସେଠାରେ ମୁଁ କେଉଁ କାର୍ଯ୍ୟରେ ଲାଗିବି ? ୟ୍ୟା’ଙ୍କ ଅଫିସ ଆମ ଚାମ୍ବରକୁ ପାଖ, ତେଣୁ ମୁଁ ତାଙ୍କ ଅଫିସ ସେକ୍ରେଟାରୀ । ତା’ ବ୍ୟତୀତ ମୋ ପାଖକୁ ଯେଉଁ ମହକିଲମାନେ ଆସୁଛନ୍ତି, ସେମାନଙ୍କୁ ସେଠାରେ ରଖିବା କୌଣସି ଅସୁବିଧା ନାହିଁ ।

 

ଆଉ—ଧନଜଂୟ ।

 

ସେ କହୁଥିଲା ତାର କୌଣସିମତେ ଚାଲିଛି । ସେ ଏବେ ସିନିୟରଙ୍କ ଘରକୁ ଯିବା ବନ୍ଦ କରିଛି । ସଞ୍ଜ ସକାଳେ ସିନିୟରଙ୍କ ଚାମ୍ବରକୁ ଯାଇ ସେ ନିଜେ କିଛି ପଢ଼ାଶୁଣା କରି ପାରୁ ନାହିଁ । ଗୋଟିଏ ଭଲ ମୋହରିର ଖୋଜୁଛି । ତା ସିନିୟର ସାମନ୍ତବାବୁଙ୍କର ଭାରୀ ପ୍ରଶଂସା କରୁଥିଲା । ପଇସାପତ୍ର ଦେବା ନେବା ସେତେଟା ଦୃଷ୍ଟି ନ ଦେଲେ ମଧ୍ୟ କାମ ଶିଖାନ୍ତି । ସବୁ ପ୍ରକାର ଉତ୍ସାହିତ କରାନ୍ତି । ଶୁଭେନ୍ଦ୍ର ସଙ୍ଗେ ତା’ର ଦେଖା ହୁଏ ସବୁବେଳେ । ପାଖପୁଖା ହୋଇ ଅଛନ୍ତି । ସେ କହୁଥିଲା, ଶୁଭେନ୍ଦ୍ର ମହାନ୍‌ ବ୍ୟସ୍ତ ହେଉଥିଲା । ତାଙ୍କ ଚାମ୍ବରରେ ଯାବତୀୟ ରାଜନୀତି ଆଲୋଚନା ଆଉ ଚା କଫିର ମାଡ଼, ମାତ୍ର ପାଠପଢ଼ା...।

 

ବିମ୍ବାଧର ?

 

ହଁ, ଦେଖା ହୋଇଥିଲା । ଗୋଟାଏ ଦୈନିକରେ ପାର୍ଟଟାଇମ୍‌ କାମ କରୁଛି । ପେମେଣ୍ଟ ଭୀଷଣ ଇର୍‌ ରେଗୁଲାର । ତାଙ୍କୁ ଆମ ନୀଳରତନଙ୍କ କଥା କହିଲୁ ନାହିଁ । ହଁ କହିଲି, ନୀଳରତନବାବୁ ଦୀର୍ଘ ଦଶବର୍ଷ ପରେ ଏବେ କିପରି ବାରରେ ଜଏନ୍‌ କରିଛନ୍ତି । ଆରମ୍ଭରୁ ପ୍ରାକ୍‌ଟିସ୍‌ କରିଥିଲେ ଏତେବେଳକୁ ଏଷ୍ଟାବ୍ଲିସ ହୋଇ ଯାଆନ୍ତେଣି । ତାଙ୍କ କାଗଜ ମାଲିକ ତାଙ୍କ ଦେୟ ଏପର୍ଯ୍ୟନ୍ତ ଦେଇ ନାହାନ୍ତି । ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ହେବ । ଆମେ ତାଙ୍କୁ ଲଗାଇଛୁ ସେମାନଙ୍କୁ କୋର୍ଟକୁ ଟାଣ । ସବୁ ଠିକ୍ ହୋଇଯିବ । ମାତ୍ର ବିଚରା ଭଦ୍ରଲୋକ ଆଗକୁ ପଛକୁ ଅନାଉଛି । ବିମ୍ଭାଧର ଏ କଥା ଜାଣେ । ସେ ଆଉ କାଗଜରେ କାମ କରିବ ନାହିଁ । ଏହି ପହିଲାରରେ ଛାଡ଼ିବା ପାଇଁ ସ୍ଥିର କରିଛି । ନରେନ୍‌ ମୋହନ ତୋ କଥା ପଚାରୁଥିଲା । ସୁରମା ସଙ୍ଗେ ତା’ର ବିଭାଘର ହେବ । ସେ ଏଥର ପି. ଏସ୍‌. ସି,ରେ କ୍ୱାଲିଫାଇ କରିପାରିଲା ନାହିଁ । ତେବେ ଆଡ଼୍‌ହକ୍‌ରେ ପୁଣି ଏକ୍‌ସଟେନସନ୍‌ ପାଇଛି । ବର୍ତ୍ତମାନ ସେ ମହିଳା କଲେଜରେ ଅଛି । ବ୍ରହ୍ମପୁରରେ ସେ ପ୍ରାକ୍‌ଟିସ କରିବ । ତାର ଲୋକାଲ ଏରିଆ, ବାପା ତା’ର ଲୟାର ଥିଲେ । ତାଙ୍କୁ ବିଶେଷ ଅସୁବିଧା ହେବ ନାହିଁ ।

 

ଆଉ ସ୍ୱରୂପ । ସେମିତି କୁଆଡ଼େ ଫଡ଼୍‌ ଫଡ଼୍‌ ହେଉଛି । ତା ଭିଣୋଇ ସଙ୍ଗେ ତା’ର ମନୋମାଳିନ୍ୟ । ଗତ ନିର୍ବାଚନରେ ତା ଭିଣୋଇ ପ୍ରାର୍ଥୀ ଥିଲେ । ଚାରି ମାସ ଧରି ସେ କୋର୍ଟ ମାଡ଼ି ନାହାନ୍ତି । ସ୍ୱରୂପ କୌଣସିମତେ ମ୍ୟାନେଜ୍‌ କରି ନେଇଛି । ମାତ୍ର ଭିଣୋଇ ତାକୁ ଗୋଟିଏ ସୁଦ୍ଧା ପଇସା ଦେଲେ ନାହିଁ । ଏଇ ହେଲା ମତାନ୍ତରର କାରଣ । ସେ ଦେଢ଼ ହଜାର ଟଙ୍କାର ଗୋଟାଏ ବିଲ୍ କରି ଭିଣୋଇ ପାଖକୁ ପଠାଇ ଦେଇଛି । ଏଣିକି ଜେନେରାଲ ପ୍ରାକ୍‌ଟିସ ଛାଡ଼ି ସେ କେବଳ ଟ୍ରାକ୍‌ସ ପ୍ରାକ୍‌ଟିସ କରିବ ।

 

ସୁରେନ କଥା ଛଡ଼ାଇ ନେଇ କହିଲା, ହଁ ଡହରା ସ୍ୱରୂପକୁ ଏ ଧନ୍ଦା ବେଶ୍‌ ପଟିବ । ରାଧେ ରାଧେ, ତୁମର ଅଧେକୁ ମୋର ଅଧେ । ସେ ବେଶ୍‌ ପାରିବ । କିଛି ନ ହେଲେ ସେ ସାଇଡ଼୍‌ ବାଇ ସାଇଡ଼୍‌ ଗୁଡ଼ାଖୁ ବ୍ୟବସାୟ କରିବ । ତା ପକ୍ଷେ ସବୁ ସମ୍ଭବ ।

 

ସୁନ୍ଦର କ’ଣ କହି ଆସୁଥିଲା । ହଠାତ୍‌ ଜଣେ ଲୋକ ଆସି ସମ୍ମୁଖରେ ଚୁପ୍‌ଚାପ୍‌ ଠିଆ ହୋଇ ରହିଲା । ସମସ୍ତଙ୍କ ଆଡ଼େ ଟିକିଏ ଚାହିଁ କହିଲା, ଆଜ୍ଞା, ମୋ ପାଇଁ ଗୋଟାଏ ଏଫ୍‌. ଆଇ. ଆର. ଲେଖି ଦିଅନ୍ତୁ । ମୋହନ ପଚାରିଲା, କଣ ହୋଇଛି । ହଁ, ମୁଁ ଲେଖିଦେବି, ମାତ୍ର କେତେ ଟଙ୍କା ଦେବୁ ? ଟଙ୍କା ଅଛି ତ । ମୁଁ ବିନା ଫିରେ କିଛି କାମ କରେ ନାହିଁ ।

 

‘ଆଜ୍ଞା କେତେ ଟଙ୍କା ?’

 

‘ପାଞ୍ଚ ଟଙ୍କା ।’

 

‘ଏତେ?’

 

‘ହଁ ଏତେ । ବୁଝିଲୁ ମୁଁ ଯାହା ପାଇଁ ଏଫ୍‌. ଆଇ. ଆର. ଲେଖିଛି ସେ ନିଶ୍ଚୟ ମକଦ୍ଦମାରେ ଜିତିଛି ଓ ଅନ୍ୟପକ୍ଷକୁ ଠିଆ ଠିଆ ସଜା ହୋଇଯାଇଛି । ଇଏତ ସହଜେ ହିଡ଼ହଣା । ଜମିମାଲିକ କଥା ଥାଉ ବଳଦଙ୍କୁ ମଧ୍ୟ ସଜା ହୋଇଯିବ ।

 

ଲୋକଟି ମୁଣ୍ଡରେ ହାତ ମାରି ଭୀଷଣ ଶଙ୍କିତ କଣ୍ଠରେ କହିଲା, ପରେ ଆସିବି । ଏତେ ଟଙ୍କା ନାହିଁ ।’ ମୋହନ ଗମ୍ଭୀର ହୋଇ କହିଲା (ଗାଉନ ଦେଖାଇ) ବୁଝିଲୁ, ଏ ବାବୁମାନେ କିଛି ସରକାରୀ ଚାକେରିଆ ନୁହନ୍ତି । ଦିନ ରାତି ବସି ବସି ମୋଟା ମୋଟା ବହି ତୁମରିମାନଙ୍କ ପାଇଁ ପଢ଼ୁଛନ୍ତି । ବିନା ପଇସାରେ ଆଉ କୌଣସି ଦିନ କିଛି ପଚାରିବ ନାହିଁ ।

 

ହଜୁର ଭୁଲ ହୋଇଛି କହି ଧୀରେ ଧୀରେ ଲୋକଟି ବାରଣ୍ଡା ତଳକୁ ଓହ୍ଲାଇଗଲା ।

 

ହଁ, ସେଇୟା କହ ବୋଲି ମୋହନ କହିଲା । ଲୋକଟି ଦୂରକୁ ଚାଲିଗଲା ପରେ ସୁନ୍ଦର ସୁରେନ୍‌ ହସି ଉଠିଲେ । କହିଲେ, ଆରେ ମୋହନ ତୋ ଏଫ୍‌. ଆଇ. ଆର. ରେ ସଜା ହୋଇ ଯାଉଛି, ନୁହେଁ ?

 

ମୋହନ ସାମାନ୍ୟ ହସି କହିଲା, ଆରେ ତମେ ତାକୁ ମୋଟେ ଜାଣିନ, ଭାଇ, ଏ ଗୋଟାଏ ଏକ ନମ୍ବର ଟାଉଟର । ମନୋରଞ୍ଜନ ବାବୁଙ୍କର ସେ କ୍ଲାଏଣ୍ଟ । ଯାବତୀୟ ମିଛ କେଶ କରି ତାଙ୍କ ଗାଁ ଲୋକଙ୍କୁ ସର୍ବସ୍ୱାନ୍ତ କଲାଣି । ମୋତେ ସୁଯୋଗ ମିଳିଲେ ତାକୁ ଉପଯୁକ୍ତ ଶିକ୍ଷା ଦେବି । ସିଏ ଭାବୁଛି ଆମେ ଏଠାରେ ପଂଝେ ଟାଉଟର ବସିଛୁ; ଶାଗୁଣା ଯେପରି ମଢ଼ ଦେହରୁ ମାଂସ ଖାଇ ଯାଏ, ଆମେ ସେହିପରି ଜୀଅନ୍ତା ମଣିଷକୁ କୁଆଡ଼େ ପଳେ ପଳେ ଶୋଷଣ କରୁଛୁ । କିରେ, ଏ ସମାଜକୁ ଯାବତୀୟ ଅନ୍ୟାୟ ଅତ୍ୟାଚାରରୁ ଆଉ ଶୋଷଣ ମୁହଁରୁ ତେବେ ରକ୍ଷା କରୁଛି କିଏ ?

 

କୋର୍ଟ ପୋର୍ଟିକୋ ତଳେ ଶେଷ ରିକ୍‌ସାବାଲାଟି ଉଠି ଠିଆହେଲା । ଆଶଙ୍କା ତା’ର ଏଠୁ ହୁଏତ ଆଉ ତାକୁ ଭଡ଼ା ମିଳିବ ନାହିଁ । ସୁନ୍ଦର ହାତଠାରି ଡାକିଲା । ମୋହନ ଛକ ପର୍ଯ୍ୟନ୍ତ ତା ସଙ୍ଗେ ବାହାରିଲା । ରିକ୍‌ସା ଆଗକୁ ଚାଲିଲା । ପଛରେ ରହିଲା କୋର୍ଟ ବିଲ୍‌ଡିଂ । କୋର୍ଟ ୟାର୍ଡ଼-। କୋର୍ଟ ୟାର୍ଡ଼ରେ ବିରାଟ ପଳାଶ ଗଛ । କେତେ ଜୁନିୟରଙ୍କ ଅଭାବ ଅସୁବିଧାର ଜୀବନ ପୁଣି ସେହି ମାନଙ୍କର ପରବର୍ତ୍ତୀ ଜୀବନ ଆଲୋକମୟ ଅଧ୍ୟାୟର ସତେ ଯେପରି ମୁକସାକ୍ଷୀ-। ସେମାନେ ଆଜି ସେହିପରି ଶାନ୍ତ ଆଉ ନୀରବ । ଚୁପ୍‌ଚାପ୍‌ ଠିଆ ହୋଇ ରହିଛନ୍ତି । ସବୁଆଡ଼ ଶାନ୍ତ । କୋର୍ଟୟାର୍ଡ଼ ନିକଟବର୍ତ୍ତୀ ପାହାଡ଼ ଉପରୁ ସଂଧ୍ୟା ଧୀରେ ଧୀରେ ନଇଁ ଆସୁଥିଲା । ଆଗକୁ ଆଗକୁ ବଢ଼ୁଥିଲା ରିକ୍‌ସା ।

񤦬񤦬񤦬

 

ଏଇ ଦେଶ ଏଇ ମାଟି

 

ସେ ରେସନକାର୍ଡ଼ଟି ଫେରାଇଲା ନାହିଁ । କେବଳ ସେତିକି ଅଭିଯୋଗ ନୁହେଁ । ଚାଉଳ ନେବ ବୋଲି ରେସନକାର୍ଡ଼ଟି ମାଗି ନେଇଥିଲା । ମାତ୍ର ସେଥିରେ ଚାଉଳ ମିଳିଲା ନାହିଁ । କାର୍ଡ଼ ଫେରାଇ ନ ଦେଇ ଆମର ଏ ମାସର ଗହମ, ଚିନି, ସୁଜି ଯାହା ସବୁ ଆଣିବାର କଥା ତାକୁ ନେଇ ଯାଇଛି । ଭାବୁଥିଲି, ଚାଉଳ ନେବ, ନେଉ । ପାଞ୍ଚପ୍ରାଣୀ କୁଟୁମ୍ବ । ବିଚରା ଗରିବ ଲୋକ । କେଉଠୁ ଚାଉଳ ପାଇବ ? ମାତ୍ର ଏବେ ବୁଝୁଛି, ମୁଁ କେଡ଼େ ଭୁଲ୍ କରି ବସିଲି । ଆମେ ଏବେ କିପରି ଚଳିବୁ-? ଅଟା ନ ହେଲେ ନ ଚଳେ । ସୁଜି ମଇଦା କଥା ଛାଡ଼ । ଯାହା କଲାଣି ତ କଲାଣି, ଏବେ ହେଲେ କାର୍ଡ଼ଟା ଦେଇ ଯାଆନ୍ତା । ଦୁଇ ଦିନ ହେଲା ତା’ର ଦେଖା ନାହିଁ । କେବଳ ଗାଳି ଡରେ ସେ ଆମ ବାଟେ ଆଉ ଫେରିନାହିଁ । ସିଧା ସିଧା ଯାଉଛି ତା’ ଘରକୁ । ମୁଁ ଏଇଥି ପାଇଁ ଏମାନଙ୍କଠୁ ଦୂରେଇ ରହିବାକୁ କହେ । ଏମାନେ ତାଙ୍କର କେଉଁଠି ରହିବା କଥା ଜାଣନ୍ତି ନାହିଁ-। ଏମାନଙ୍କୁ ଆଙ୍ଗୁଳି ଦେଖାଇଲେ ବାହା ଗିଳିଦେବେ ।

 

ରସିକ ବାବୁ ବିରକ୍ତ ହେଲେ, ମାତ୍ର କିଛି କହିଲେ ନାହିଁ । କ’ଣ ବା କହନ୍ତେ ? ମନକୁ ମନ କହିଲେ; ବିଚରା ପିଅନ ଚାକିରୀ କରିଛି । ସେ ଜାଣିଛି, ତାକୁ କିଏ ବା ଗହମ, ଚାଉଳ ଓ ଅନ୍ୟାନ୍ୟ ରେସନ ଦେବ ? ବାବୁ ଆଉ ମା, ଖୁବ୍‌ ହେଲେ ହୁଏତ ଗାଳିଦେବେ । ଆଉ ତ ବେକ କାଟି ଦେବେ ନହିଁ ? ସେମାନେ ତ ଆଉ ଉପବାସ ରହିବେ ନାହିଁ । ଯେଉଁଠୁ ହେଲେ ଯୋଗାଡ଼ କରି ଆଣିବେ । ଅଭାବ ଅନାଟନ ଯାହାର ପରିବାରରେ ଏତେ ଅଧିକ, ସେଠାରେ ଅନ୍ୟ ଚିନ୍ତା କରିବାର ଅବସର ଆସୁଛି କେଉଁଠୁ ?

 

ମାଛ, ମାଂସ, ଘିଅ, ଦୁଧ କଥା ଥାଉ, ଚାଉଳ କିଲେ ଆସି ହେଲା ସାଢ଼େ ତିନି ଟଙ୍କା । ଏଥିରେ ଲୋକ ବଞ୍ଚିବେ କିପରି ? ଦିନ ମଜୁରିଆ ଚଳିବେ କିପରି ? ଦିନସାରା ଯିଏ ଖଟିବ, ସନ୍ଧ୍ୟାରେ ସେ ନେବ ମଜୁରୀ ମୋଟ ତିନି ଟଙ୍କା । ଗୋଟିଏ କିଲୋ ଚାଉଳ କିଣି ଦେବା ପରେ ଆଉ ରହିଲା କେତେ ? ଏପରି ଅବସ୍ଥାରେ ଜଣେ ଦିନ ମଜୁରିଆ ବଞ୍ଚେ କିପରି ?

ପ୍ରତିମା ଦେବୀ (ସ୍ୱାମୀଙ୍କ ଉଦ୍ଦେଶ୍ୟରେ) କହିଲେ, ବୁଝିଲ, ଗଲା କାଲି ଯେଉଁ ଚାଉଳ କିଣା ହୋଇ ଆସିଥିଲା, ଆଜି ସିଏ ସବୁ ଶେଷ । ଆଜି ଯାଅ । କେଉଁଠୁ ଚାଉଳ ଯୋଗାଡ଼ କର । ନଚେତ୍‌ ରାତିରେ ଚୁଡ଼ା ଖାଇ ଶୋଇବ । ପ୍ରତିମା ଦେବୀଙ୍କ ପାଟିରୁ କଥା ସରିଛି କି ନାହିଁ, ସରୋଜିନୀ କହିଲେ ଏଇନେ ନବୀନ ଫେରିଲା । ସକାଳୁ ଯାଇଥିଲା ଯେ ଆସି ଗୋଟାଏ ବାଜିଲା-। ମାତ୍ର ଦୁଇକିଲୋ ଚାଉଳ ଧରି ଫେରିଛି । କେବଳ ଭୋକ ଦାଉରେ ଏ ଚାଉଳ ଖାଇଯିବା କଥା-। କେଉଁ ଦିନର ପୁରୁଣା ଚାଉଳ । ଗନ୍ଧ ଯେ ଗନ୍ଧ କହିଲେ ନ ସରେ । ଏ ଚାଉଳରୁ ଭାତ ଯେତିକି ବାହାରୁଛି ଧାନ ସେତିକି ବାହାରୁଛି । ଏଇ ଯେ ମିଳୁଛି, ସେହି ଭାଗ୍ୟ । ଚାଉଳ ଡାଲି ଦୋକାନରେ କ୍ୟୁ ଲମ୍ବିଛି ଯେ ଲମ୍ବିଛି । ରାଜଧାନୀରେ ସମସ୍ତଙ୍କର ଆଜି ଗୋଟାଏ ଚିନ୍ତା, ଚାଉଳ । କିପରି ମିଳିବ । କି ପାଟିତୁଣ୍ଡ । କି ଠେଲାପେଲା । ଗଲା କାଲି ‘ୟୁନିଟ୍‌ ଆଠ’ ରେସନ ଦୋକାନ ସମ୍ମୁଖରେ ଲାଠି ଚାର୍ଯ୍‌ । ଏ’ତ ହେଲା ଖୋଦ୍‌ ଭୁବନେଶ୍ୱର କଥା । ମଫସଲରେ କ’ଣ ହେଉଥିବ, କେବଳ ଅନୁମାନ କରିବା କଥା ।

ଗଲା କାଲି ସପ୍ଲାଇ ବିଭାଗ ବାଲା ବୁଲି ବୁଲି ରେସନ କାର୍ଡ଼ ଦେଇଗଲେ । ଆମକୁ ଗୋଟାଏ ‘କ’ ଶ୍ରେଣୀ କାର୍ଡ଼ ଦେଇ ଯାଇଛନ୍ତି । କାର୍ଡ଼ କେବେ ହେବ କେବେ ହେବ ବ୍ୟସ୍ତ ହେଉଥିଲି । କାର୍ଡ଼ ପାଇ ଖୁସି ହେଲି, ମାତ୍ର ଆଜି ଶୁଣୁଛି, ‘କ’ ଶ୍ରେଣୀ କାର୍ଡ଼ରେ ଗହମ ଆଉ ଚାଉଳ ମିଳିବ ନାହିଁ । ‘କ’ ଶ୍ରେଣୀ କାର୍ଡ଼ ଥିବା ଲୋକ ଖୋଲା ବଜାରରୁ ଗହମ ଚାଉଳ କିଣି ଖାଇବେ । ଏବେ ଆମେ କରିବା କ’ଣ ? ଗଲା କଲି ଟ୫୨୫ରେ ୧ କିଲୋ ଚିନି ଆଣିଛୁ ? ‘ଏ’ତ ସହଜେ ଦରମା ପାଉନାହାନ୍ତି ବଦଳି ପରେ । ତା ବ୍ୟତୀତ ସାତ ଶହ ଆଠ ଶହ ଟଙ୍କା ଦରମା ପାଉଥିବା ଲୋକେ ଯଦି ‘ଧନୀ’ ବୁଝାଯିବେ, ଆଉ ଆମେ ଯଦି ସେହି ଶ୍ରେଣୀର, ତେବେ ଅଭାବି ଲୋକ କେଉଁମାନେ ? ପନ୍ଦର କୋଡ଼ିଏ ତାରିଖ ପରେ ଯେଉଁମାନେ ଧାର ଖୋଜନ୍ତି, ସେମାନେ ଏ ମହରଗ ବେଳରେ ବଞ୍ଚିବେ କିପରି ? ବୁଝିଲ ପ୍ରତିମା ଦେବୀ, ନିତ୍ୟାନନ୍ଦ ବାବୁ ଆସିଥିଲେ । ଚିନି ନ ଥିଲା । ଚାହା ଟିକିଏ ଦେଇ ପାରିଲି ନାହିଁ । ଭାରି ଖରାପ ଲାଗିଲା । ସେ କ’ଣ ଭାବିଥିବେ କେଜାଣି ? ମୁଁ କିନ୍ତୁ ନିରୁପାୟ । ସାନ ପୁଅ ଟୁଟୁ ଚିନି ନ ପଡ଼ିଲେ ଦୁଧ ଛୁଇଁବ ନାହିଁ । ଦୁଇ ଦିନ ତଳେ ଛ’ଟଙ୍କା ଦେଇ କିଲେ ଚିନି ଆଣିବା ଲାଗି ପିଅନକୁ ପଠାଇଥିଲି । ସେ ଘୂରିଘୂରି ଦଶଟାରେ ଫେରିଲା ମୋଟ ତିନି ଶହ ଗ୍ରାମ ଚିନି ଧରି । କହିଲା, ମା ଆଜିକ ଚଳାନ୍ତୁ । କାଲି ଦେଖିବି, ଦୋକାନରେ ଏତେ ଭିଡ଼ ଯେ, ମୁଁ ତା ଭିତରେ ପଶି ଦୋକାନୀକୁ ସାକ୍ଷାତ କରିବା ଆଉ ସମ୍ଭବ ହେଲା ନାହିଁ । ସରୋଜିନୀଙ୍କଠାରୁ କଥା ଛଡ଼ାଇ ନେଇ ପ୍ରତିମା ଦେବୀ କହିଲେ, ବସ । ଶୁଣିବ ଗାଁ ଗହଳିର ପରିସ୍ଥିତି । ଗାଁରୁ ଆମର ଚିଠି ଦେଇଛନ୍ତି ସାନ ଦିଅର । ଚିନି କଥା କାହିଁକି କହୁଛ ? ଅନେକ ଆଜିକାଲି ଚା’ ଦେଇ ଅତିଥିଙ୍କୁ ଆପାୟିତ କରିବା ବନ୍ଦ କରିଦେଲାଣି । ପିଲାଙ୍କଠାରୁ ବଳିଲେ ସିନା ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚା କଥା ଉଠିବ ?

ସରୋଜିନୀ ଚିଠିଟି ଉପରେ ଆଖି ବୁଲାଇ ଆଣିଲେ । ଦୀର୍ଘନିଶ୍ୱାସ ମାରି କହିଲେ, ଏ ବର୍ଷ କୌଣସିମତେ ଚଳିଯିବ । ଆସନ୍ତା ବର୍ଷ ଅସମ୍ଭାଳ ହୋଇ ଉଠିବ । ସରକାର କ’ଣ କରିବେ-? କେତେ ରିଲିଫ୍‌ ଦେବେ । କେତେ ଦିନ ? କେତେ ଲୋକଙ୍କୁ ସରକାର ଖାଇବାକୁ ଦେବ ? ଆସି ଅକ୍‌ଟୋବର ସରିବ । ଆକାଶରେ ଚେନାଏ ମେଘ ନାହିଁ । ଟୋପାଏ ପାଣି ନାହିଁ-। ଜମି ଫାଟି ଫାଳ ଫାଳ ହୋଇଗଲାଣି । ଯେଉଁ ଜମିରେ କିଛି ବୁଣାବୁଣି ହୋଇଥିଲା, ସେ ସବୁ ଜମିକୁ ଲୋକମାନେ ଗୋରୁଗାଈ ଫିଟାଇ ଦେଲେଣି । ଖାଇବାକୁ ଲୋକଙ୍କ ଘରେ ଚାଉଳ ନାହିଁ । ହାତରେ କାମ ବି ନାହିଁ । ହାତଉଧାରୀ ଦେବା ଲୋକେ ବନ୍ଦ କରି ଦେଲେଣି । ଗରିବ ଲୋକମାନେ ମୁଣ୍ଡରେ ହାତ ଦେଇ ବସିଲେଣି । ତିନି ଦିନରେ ଦିନେ ଲୋକଙ୍କ ଘରେ ଚୁଲି ଜଳୁଛି-। ଅନେକ ଗାଁ ଛାଡ଼ି ଚାଲିଗଲେଣି । ସରୋଜିନୀଙ୍କ ଆଖି ଦୁଇଟି ସଜଳ ହୋଇ ଉଠିଲା-। ସେ କହିଲେ, ପ୍ରତିମା ଦେବୀ । ମାତ୍ର ଲୋକେ ଯିବେ କୁଆଡ଼େ ? ସବୁଠାରେ ତ ଅବସ୍ଥା ସମାନ । ଶୁଣିଥିବ, ଗଲା କାଲି କେତେକ ଲୋକ ସେମାନଙ୍କ ଗାଁରୁ ବସ୍‌ରୁ ଚାଉଳ ଧରି ନିଜର ଖାଇବା ନିମନ୍ତେ ଭୁବନେଶ୍ୱର ଆଣୁଥିଲେ । ବସ୍‌ଷ୍ଟାଣ୍ଡରେ ଜବରଦସ୍ତ ସେ ସବୁ ଲୋକମାନେ ଛଡ଼ାଇ ନେଇଗଲେ । କିଏ କ’ଣ କହିବ ? କାହାକୁ କହିବ ? ପେଟବିକଳରେ ଲୋକେ ଯେ କୌଣସି ଅନ୍ୟାୟକୁ ବରଣ କରିବା ନିମନ୍ତେ ଆଗେଇ ଆସିବେ । ସେମାନଙ୍କୁ ବାରଣ କରିବା କଷ୍ଟ ।

ପ୍ରତିମା ଦେବୀ କେଇଖଣ୍ଡି ଦୈନିକ ସମ୍ବାଦପତ୍ର ସରୋଜିନୀଙ୍କୁ ଦେଖାଇ କହିଲେ, ଦେଖୁଛ ତ ଏଇ ସବୁ ଛବି ? କାଗଜରେ ଏହିପରି ବହୁ ହୃଦୟବିଦାରକ ଛବି ବାହାରୁଛି । କେଉଁଠି ମା ମରିପଡ଼ିଛି ଓ ପିଲା ତାର ସ୍ତନରୁ ଦୁଧ ପିଉଛି । କେଉଁଠି ଲୋକେ ଗହଣାଗଣ୍ଠି ଓ ଅନ୍ୟାନ୍ୟ ଅଳଙ୍କାର ଇତ୍ୟାଦି ବିକୁଛନ୍ତି । ସାମାନ୍ୟ ଦରରେ ବାସନକୁସନ ବିକିଦେବା ତ ନିହାତି ମାମୁଲି କଥା । କଳାହାଣ୍ଡିରେ ଲୋକେ ସୁଆଁ, ବାଉଁଶ କଣି ଇତ୍ୟାଦି ଖାଇଲେଣି । ଶେଷ ପୃଷ୍ଠାର ଛବିକୁ ଚାହଁ । କଙ୍କାଳସାର ଏହି ଶିଶୁମାନେ । ହତଭାଗ୍ୟ ଏମାନେ ଟୋପାଏ ଦୁଧ କଥା ଦୂରେ ଥାଉ, ମୁନ୍ଦାଏ ପେଜ ମଧ୍ୟ ସେମାନଙ୍କୁ ମିଳୁନାହିଁ । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସେମାନଙ୍କ ମା’ ମାନେ କୋଳରେ ହୁଏତ ଭୋଟ କ୍ରେନ୍ଦ୍ରକୁ ଯାଇଥିବେ । କେତେ ଆଶା କେତେ ସ୍ୱପ୍ନ ନେଇ । ଗରିବୀ ହଟିବ । ସେମାନଙ୍କ ଦୁଃଖ ଦୁର ହେବ । ସେମାନଙ୍କ ଅବସ୍ଥାର ପରିବର୍ତ୍ତନ ହେବ । ମାତ୍ର ହାୟ, ଆଜି ସ୍ୱପ୍ନ ତାଙ୍କର ସତେ ଯେପରି ସେମାନଙ୍କର ଆଖିର ଲୁହରେ ଧୋଇ ହୋଇ ଯାଇଛି । ସେମାନେ ଭୋଟ ଦେଇଥିବା ଦଳର ଛିନ୍ନ ପୋଷ୍ଟରଟି ସତେ ଯେପରି ସେମାନଙ୍କୁ ବିଦ୍ରୁପ କରୁଛି । ସେମାନେ ଆଜି ଖଟିବା ଲାଗି ପ୍ରସ୍ତୁତ । ମାତ୍ର କାମ ନାହିଁ । ସେମାନେ ପିଲାଙ୍କ ମୁହଁରେ ଦିଇଟା ଭାତ ଦେବା ନିମନ୍ତେ ଆଜି ଅସମର୍ଥ । ଆର ଛବିଟିକୁ ଚାହଁ । ହୋଟେଲ ଆଗରେ ଉଚ୍ଛିଷ୍ଟ ପାଇଁ ଗୋଟିଏ ଦିଗରୁ ଦୁଇଟି ଶିଶୁ ଓ ଅନ୍ୟ ଦିଗରୁ କୁକୁର କିପରି ଆଗେଇ ଆସୁଛନ୍ତି ? ଦୁର୍ଭାଗ୍ୟକୁ ସ୍ୱାଧୀନତାର ଛବିଶ ବର୍ଷ ପରେ ମଧ୍ୟ ଆମ ପତ୍ରପତ୍ରିକାର ପୃଷ୍ଠା ଏହି ସବୁ ଛବିରେ ବିଭୂଷିତ ।

ପ୍ରତିମା ଦେବୀ କ’ଣ କହି ଆସୁଥିଲେ, ଭିକାରୁଣୀର ଆର୍ତ୍ତ ଚିତ୍‌କାରରେ ଥମିଗଲେ । କ’ଣ ଶୁଣୁଛ ଟି ? ‘ମା’ ଭିକ । ମା ଗଣ୍ଡେ ଖାଇବାକୁ ।’ ସକାଳୁ ସନ୍ଧ୍ୟା ଯାଏ ଏଇ ବିକଳ ନିବେଦନ-। ଏମାନଙ୍କ ପାଟିରେ କୌଣସି କାମ କରିବା ସମ୍ଭବ ନୁହେଁ । କେତେ ଦେବ ? କେତେ ଜଣଙ୍କୁ ଦେବ ? ଆମେ ବା କେତେ ଜଣଙ୍କୁ ଦେଇ ପାରିବା ?ବୁଲିବୁଲି କ୍ୟୁ’ରେ ଠିଆ ହୋଇ ଆଣିଥିବା କଣ୍ଟ୍ରୋଲ ଚାଉଳରୁ କେତେ ଦାନ ଖଇରତ କରି ପାରିବା ? ମୁଁ ଗତ କାଲିଠାରୁ ଭିକ ଦେବା ବନ୍ଦ କରି ଦେଇଛି । ଭୀଷଣ ଖରାପ ଲାଗୁଛି । ମାତ୍ର ଅନ୍ୟ ଉପାୟ ନାହିଁ । ତୁମେ ଲକ୍ଷ୍ୟ କରିଥିବ, ସେଥିରୁ ଅନେକ ଭଦ୍ର ଘରର ଲୋକ । ଭିକ ମାଗି ଜାଣନ୍ତି ନାହିଁ । ତାଙ୍କ ଗତିବିଧି କହି ଦେଉଛି-। ଏଇ ଯେଉଁ ସ୍ତ୍ରୀ ଲୋକଟି ଠିଆ ହୋଇଛି, ସେ ନିଶ୍ଚିତ ଭାବେ ଭିକାରୁଣି ନୁହେଁ । ବାଧ୍ୟ ହୋଇ ଦାଣ୍ଡକୁ ଆସିଛି । ହାତ ପାତୁଛି । ତା ଭାଷାରୁ ଜଣାଯାଉଛି, ସେମାନେ ବାଲେଶ୍ୱର କିମ୍ବା ମୟୂରଭଞ୍ଜର ଲୋକ । ସୀମାନ୍ତରୁ ଅନେକ ଲୋକ ପଳାଇ ଆସିଲେଣି ।

ଗଲା କାଲି ବେଲ୍‌ପଡ଼ାଠାରେ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାର୍ଯ୍‌ ହୋଇଛି । ସେମାନେ ଏସ୍‌. ଡି. ଓ:ଙ୍କୁ ଘେରାଉ କରିଥିଲେ । ସେମାନଙ୍କର ଦାବୀ ଥିଲା, ଶସ୍ତାର ଚାଉଳ ଓ କାମ ଯୋଗାଇ ଦେବା ନିମନ୍ତେ । ଶୁଣୁଥିବେ ତ, କହିଲେ ସରୋଜିନୀ ।

 

ସ୍ୱାଧୀନ ଦେଶରେ ପେଟ ପାଇଁ ଏ’ତ ହେଲା ନ୍ୟୁନତମ ଦାବୀ । ଲୋକେ ଭୁଲ କଲେ କ’ଣ ? ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଲୋକେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଛନ୍ତି କ’ଣ ? ଏ ପର୍ଯ୍ୟନ୍ତ ତ କାହାକୁ ଖୁଣ କଲେ ନାହିଁ ।

 

ସରୋଜିନୀ ମୁହଁ ଟେକି ଆଉ ଥରେ ପ୍ରତିମା ଦେବୀଙ୍କ ମୁହଁକୁ ଚାହିଁଲେ । ସତରେ ଏ କ’ଣ ପ୍ରତିମା ଦେବୀ କହୁଛନ୍ତି ? କେତେ ରାଗି ଯାଇଛନ୍ତି ? ହଲିଲା ପାଣିକୁ ଯିଏ ଗୋଡ଼ ବଢ଼ାନ୍ତି ନାହିଁ,ସିଏ ପୁଣି ଖୁଣ୍‌ ପର୍ଯ୍ୟନ୍ତ ଗଲେଣି ? ମଧ୍ୟବିତ୍ତ ପରିବାରର ଶିକ୍ଷିତା ଗୃହିଣୀ ସେ ।

 

ସରୋଜିନୀ ପଚାରିଲେ, ଏ କିଏ ଆସୁଛନ୍ତି । ଆପଣଙ୍କ ସାନ ଭାଇ ତ ?

 

‘‘ଶୁଣ, ଟିକିଏ ବସ । ଯିବ ତ । ସେ କ’ଣ କହୁଛି ଶୁଣ ।’’ ପ୍ରତିମା ଦେବୀ ଅନୁରୋଧ କଲେ ।

 

ସାନ ଭାଇ ଡ୍ରଇଁ ରୁମ୍‌ରେ ପଶୁ ପଶୁ ଆରମ୍ଭ କରିଦେଲା, କ’ଣ ପ୍ରତିମା ଅପା, ଗୋଟାଏ ସପ୍ତାହ ତଳେ ଯେଉଁ ସ୍ୱର ଶୁଣା ଯାଉଥିଲା ତାହା କିପରି ବଦଳିବାକୁ ଆରମ୍ଭ କଲାଣି ? ଲକ୍ଷ୍ୟ କରିଛ ଟି । ଏଇ ହେଲା ତୁମ ଆମ ସରକାର ।

 

ଖାଦ୍ୟ ପରିସ୍ଥିତି ଭଲ ଅଛି । ସରକାର ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହୋଇପାରିବେ । ଆଉ ଆଜି ଦେଶବାସୀ ରିଲିଫ୍‌ ପାଣ୍ଠିକୁ ମୁକ୍ତହସ୍ତରେ ଦାନ କରନ୍ତୁ । ଯେ କୌଣସି ଉନ୍ନତ ସରକାର ଆପଣାର ଏହି ଆଚରଣ ପାଇଁ ଲଜ୍ଜିତ ହେବା ଉଚିତ । ମାତ୍ର ଆମ ସରକାର, ମନ୍ତ୍ରୀ କିମ୍ବା ସରକାରଙ୍କ ଉଚ୍ଚ କର୍ମକର୍ତ୍ତାଙ୍କ ସେତିକି ଲଜ୍ଜ୍ୟାବୋଧ ମଧ୍ୟ ନାହିଁ । ଖାଦ୍ୟ ପୁଡ଼ିଆ ବାଣ୍ଟି, ଦାନ୍ତ ଦେଖାଇ ଫଟୋ ଉଠାଇ, ସେମାନେ ପୁଣି ସେ ସବୁ ଛାପିବା ନିମନ୍ତେ ଖବର ଖବର କାଗଜକୁ ଦେଉଛନ୍ତି । ଏଇ ଦେଖ । ବୁଝିଲୁ ଅପା, ଆମ ସରକାର ହୋଇଥିଲେ ମନ୍ତ୍ରୀଙ୍କୁ ଏଥି ନିମନ୍ତେ ବିଚ୍ ବଜାର ଉପରେ ଗୁଳି କରାଯାଇ ଥାଆନ୍ତା ।

 

ପ୍ରତିମା ଦେବୀ ଗମ୍ଭୀର ହୋଇ କହିଲେ, ବସନ୍ତ ଆଉ ବେଶୀ ଡମ୍ଫାମୀ କର ନାହିଁ । ଗଲା କେତେଦିନ ଧରି ଯେଉଁମାନେ ବିରୋଧି ଦଳରେ ବସି ତମ୍ବିତୋଫାନ କରୁଥିଲେ, ସେମାନେ ଆଜି ଦଳ ବଦଳାଇ ମୂକ ପାଲଟି ଯାଇଛନ୍ତି । ବେଶୀ କିଛି ନୁହେଁ ମ, କେଉଁ କମିଟିର ଗୋଟାଏ ଚେୟାରମ୍ୟାନ୍‌ କିମ୍ବା ଭାଇସ୍‌ ଚେୟାରମ୍ୟାନ୍ ପୋଷ୍ଟ । ଟଙ୍କା କେଇଟା ଯଥେଷ୍ଟ ହେଲା । ଜୀବନଯାକର ପଣ ଆଦର୍ଶ ସବୁ ପାଣିକି ଗଲା । ଧନ୍ୟରେ ଦେଶପ୍ରେମୀ । ଆଉ ତୁମେ ଯାହା କରିବ, ଜଳଜଳ ହୋଇ ଦିଶୁଛି । ଭଗବାନ କରନ୍ତୁ, ଏ ଦେଶ ଶାସନ ଚୋରଙ୍କ ହାତରୁ ଡକାୟତଙ୍କ ହାତକୁ ନ ଯାଉ । ତୁମେ ଯିଏ ଯାହା ସମାଲୋଚନା କର ନା କାହିଁକି, ସେମାନଙ୍କ ଆନ୍ତରିକତା ଥାଉ ବା ନ ଥାଉ, ଏପରିକି ନିଜର ଫଟୋ ଉଠାଇବା ଲାଗି ହେଉପଛେ; ଯିଏ ମୁଠାଏ ପରକୁ ହାତ ବଢ଼ା‌ଇ ଦେଉଛି,ମୁଁ ତା’ର ପ୍ରଂଶସା କରୁଛି । ବୁଝିଲୁ ବସନ୍ତ । ସମାଲୋଚନା ସମାଧାନ କରେ ନାହିଁ, କାର୍ଯ୍ୟକ୍ରମ ଲୋଡ଼ା । କହିବା ବ୍ୟତୀତ ତୁମେମାନେ ଆଉ ଅଧିକ କ’ଣ କରୁଛ ? ସରକାର ସବୁ ଭୁଲ କଲେ ? ଆଉ ତୁମେ ଅଧିକ କଲ କ’ଣ ?

 

ବସନ୍ତ କହିଲା କାଗଜର ଆର ପୃଷ୍ଠା ଦେଖ । ଆମେ କ’ଣ କରୁଛୁ ଦେଖିବ । ପ୍ରତିମା ଦେବୀ ଓ ସରୋଜିନୀ ପୃଷ୍ଠା ଲେଉଟାଇ ଦେଖିଲେ, ଗୋଟିଏ ପଲ୍ଲୀ ଗାଁର ଚିତ୍ର । ଧାଡ଼ି ଧରି ନିରନ୍ନ ବୁଭୁକ୍ଷୁ ଜନତା ଠିଆ ହୋଇ ରହିଛନ୍ତି । ଛାତ୍ରମାନେ ସେମାନଙ୍କୁ ମୁଠାଏ ଲେଖାଏଁ ଚୁଡ଼ା ଦେଉଛନ୍ତି-। ତା’ ତଳେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିକ୍ଷୋଭରେ ଯୋଗଦେବା ନିମନ୍ତେ ସର୍ବସାଧାରଣଙ୍କୁ ନିବେଦନ କରାଯାଉଛି । ଆଉ ଗୋଟିଏ ରିଲିଫ୍‌ କେନ୍ଦ୍ରରେ ଖାଦ୍ୟ ରନ୍ଧା ଯାଉଥିବାର ଛବି । ପ୍ରତିମା ଦେବୀ କହିଲେ, ସରୋଜିନୀ ବୁଝିଲ, ଆମ ଲୋକଙ୍କୁ ଧନ୍ୟ କହିବ-। ଏମାନଙ୍କ ଧୈର୍ଯ୍ୟ ସତରେ ଅସୀମ । ସତରେ ଏ ଜାତି କେତେ ନିରୀହ । ଆମ ଲୋକ ତ ସବୁ ଅନ୍ୟାୟ ବେଶ୍‌ ହଜମ କରି ଯାଉଛନ୍ତି । ଭାତ ଅଭାବରେ ଲୋକେ ଭୋକରେ ଶୋଉଛନ୍ତି ? ମାତ୍ର ପ୍ରତିବାଦ କରିବରେ ସତ୍‌ସାହସ ନାହିଁ । ଜୀବନ ପ୍ରତି ମମତା ନାହିଁ, ମାୟା ନାହିଁ । କେତେ ଉଦାସୀନ ସତେ ଆମେ ? କେବେ ଆମେ ପ୍ରତିବାଦ କରି ଶିଖିବା ? କେବେ ଆମ ଲୋକ ବିପ୍ଳବ କରି ଶିଖିବେ ?

 

ପ୍ରତିମା ଦେବୀ କଥାର ମୋଡ଼ ବଦଳାଇ ଦେଇ କହିଲେ, ଛାଡ଼ ସେସବୁ କଥା । ଆଗେ ଚିନି କଥା କ’ଣ ବୁଝିଲୁ କହିବୁଟି ? ସ୍ପେସାଲ ପରମିଟ୍ କଲୁ ?

 

ବିଶ୍ୱାସ କର ଅପା, ଗଲା ତିନି ଦିନ ହେଲା ସପ୍ଲାଇ ଅଫିସକୁ ଯାଇ କେବଳ ଫେରୁଛି । ଲୋକ ଭିଡ଼ରେ ମୁଁ ଏସ୍‌. ଡି. ଓ କିମ୍ବା ସପ୍ଲାଇ ଅଫିସ୍‌ର କାହକୁ ଭେଟି ପାରିଲି ନାହିଁ । ରେସନକାର୍ଡ଼ ନେବା ଲାଗି ଅସମ୍ଭବ ଭିଡ଼ । ପାଟିତୁଣ୍ଡ, ଧସ୍ତାଧସ୍ତି ଅଫିସ ବନ୍ଦ କରି ଅଫିସରମାନେ କାମ କରୁଛନ୍ତି । ସପ୍ଲାଇ ଅଫିସରେ ରେସନକାର୍ଡ଼ ପାଇଁ ଯେତିକି ଗହଳି, କ୍ୟୁ ଯେତିକି ଲମ୍ବ ଚାଉଳ ଦୋକାନରେ ଭିଡ଼ ତା’ଠାରୁ ଅଧିକ । ଖାଲି ବ୍ୟାଗ୍‌, ଅଖା ଯେତିକି ଦେଖିବ, ତା’ଠାରୁ ଅଧିକ ଦେଖିବ ଲୋକଙ୍କ ବ୍ୟାକୁଳତା । ଆଗାମୀ କାଲି କିପରି ଚଳିବେ ସେ ନେଇ ବ୍ୟାକୁଳତା । ଚିନ୍ତାଗ୍ରସ୍ତ ଶୁଖିଲା ମୁହଁ ଗୁଡ଼ିକ । ମୁଁ ସତରେ ଜୀବନରେ ଏପରି ଦୃଶ୍ୟ ଦେଖି ନ ଥିଲି । ଏଠି ତ ଗହମ ନାହିଁ । ଦିନେ ଦୁଇ ଦିନ ମଧ୍ୟରେ ହରିଆନା ଆଉ ପଞ୍ଜାବରୁ କୁଆଡ଼େ ଗହମ ଆସି ପହଞ୍ଚିବ କେନ୍ଦ୍ର ସରକାର ଆଉ କିଛି ଚାଉଳ ଦେବେ । ବସନ୍ତ ବିରକ୍ତ ହୋଇ କହିଲା, ଆମ ସରକାର ଏବେ ତତ୍ସର ହୋଇ ଉଠିଛନ୍ତି । ଓଡ଼ିଶା ବଙ୍ଗଳା ସୀମାନ୍ତରେ ରାତିରେ ଚୋରାରେ ଚାଲାଣ ହେଉଥିବା କେଇ ଟ୍ରକ୍‌ ଚୋରା ଚାଉଳ ଜବତ କରି ସେ ସମସ୍ତ ଜବତ ଚାଉଳକୁ ସଙ୍ଗେ ସଙ୍ଗେ ବିକିଦେବା ନିମନ୍ତେ ବାଲେଶ୍ୱର ଆଣିଛନ୍ତି । ଗଲା କାଲି ଟ୍ରେନ୍‌ରୁ ପାଞ୍ଚ ଛଅ ଜଣ ପିଲା ଓ କେତେକ ସ୍ତ୍ରୀଲୋକଙ୍କୁ ଧରାଯାଇଛି । ସେମାନେ ପ୍ରତ୍ୟେକେ ଦୁଇ ତିନି କେଜି କରି ଚାଉଳ ଲୁଚାଇ ଯାଉଥିଲେ । ଧରା ପଡ଼ିଛନ୍ତି । ଆଉ...... ।

 

ସରୋଜିନୀ କହିଲେ, କିଏ କୁଆଡ଼େ ଗଲେ ଧରାହେଲେ ସବୁ ‘କଖାରୁ ଚୋର’ । ସେ ଆଉ କ’ଣ କହି ଆସୁଥିଲେ, ଖଣ୍ଡିକାଶ ମାରି ଆଗେଇ ଆସିଲେ ଡ୍ରଇଁ ରୁମ୍‌କୁ ପ୍ରତିମା ଦେବୀଙ୍କ ଶଶୁର । କେଇଦିନ ହେଲା ଗାଁରୁ ଆସି ପୁଅ ବୋହୂଙ୍କ ସଙ୍ଗରେ ସେ ଭୁବନେଶ୍ୱରରେ ଅଛନ୍ତି । ମଝିରେ ମଝିରେ ସେ ଏହିପରି ଗାଁରୁ ଆସନ୍ତି ପୁଅ-ବୋହୁ ନାତି ନାତୁଣୀଙ୍କୁ ଦେଖିବାକୁ । ଶଶୁର ଡ୍ରଇଁରୁମ୍‌କୁ ଆସିବା ସଙ୍ଗେ ସଙ୍ଗେ ପ୍ରତିମା ଦେବୀ, ସରୋଜିନୀ ଏବଂ ବସନ୍ତ ଶୋଇବାଘର ମଧ୍ୟକୁ ଚାଲିଗଲେ । ଶଶୁର ଶ୍ରୀମତ୍‌ ବାବୁଙ୍କ ଅଭ୍ୟାସ, ସେ ଦୈନିକ କାଗଜ ମୂଳରୁ ଶେଷଯାଏ ବସି ବସି ପଢ଼ନ୍ତି । ଗତ କେତେଦିନ ହେଲା ସେ ମରୁଡ଼ି ପରିସ୍ଥିତି, ଲୋକଙ୍କ ଅଭାବ ଅସୁବିଧାର ସମ୍ବାଦ ପାଠକରି ବିଶେଷ ବ୍ୟସ୍ତ ହେଉଛନ୍ତି ।

 

ବେଳେ ବେଳେ ତାଙ୍କର ବନ୍ଧୁ ହରିଶଙ୍କର ବାବୁ ଆସନ୍ତି । କେତେ ପୁରୁଣା କଥା ପଡ଼େ-। ଇଞ୍ଚୁଡ଼ିରେ ଲବଣ ସତ୍ୟାଗ୍ରହ-ଗଡ଼ଜାତ ଆନ୍ଦୋଳନ-ଗାନ୍ଧୀଙ୍କ ଗୋଲ୍‌ଟେବୁଲ ବୈଠକରେ ଯୋଗଦାନ-ଦେଶର ସ୍ୱଧୀନତା ଲାଭ-ଇତ୍ୟାଦି । କେତେ ସାଧନା, କେତେ ତ୍ୟାଗ ଦେଶପାଇଁ ସେମାନଙ୍କର । ସବୁ କଥା ବହି ଅନେକ ଆତ୍ମସନ୍ତୋଷ ଲାଭ କରନ୍ତି । ସେମାନେ ଦେଶକୁ ସ୍ୱାଧୀନତା ଆଣିଦେଲେ । ଏହାର ସଂରକ୍ଷଣ ଦାୟିତ୍ୱ ଭାବୀ ବଂଶଧରଙ୍କ ଉପରେ । ସେମାନେ ତାଙ୍କ କଥା ବୁଝିବେ । ତାଙ୍କ କର୍ତ୍ତବ୍ୟ ସେମାନେ ସାଙ୍ଗ କରିବେ ।

 

ପ୍ରତିମା ଦେବୀ ଶଶୁରଙ୍କ ପାଇଁ ଛୁଞ୍ଚି ପିଠା ଆଉ କ୍ଷୀରି ପଠାଇଲେ । ସାନ ନାତି ଆସି ସେସବୁ ଧରି ଠିଆହେଲା ଶେଷ ଥର ପାଇଁ କାଗଜ ଉପରୁ ଆଖି ଫେରାଇ ଆଣି ସେ ଖାଇବା ପାଇଁ ଉଦ୍ୟତ ହେଉଛନ୍ତି ହଠାତ୍‌ ଶୁଣିଲେ, ଦୁଇଟି କଙ୍କାଳସାର ଶିଶୁ ଓ ସେମାନଙ୍କର ମା’ ମୁଠାଏ ଖାଇବା ନିମନ୍ତେ ଆର୍ତ୍ତକଣ୍ଠରେ ବ୍ୟାକୁଳ ନିବେଦନ କରୁଛନ୍ତି, ‘ମା’ । ମୁଠିଏ ଖାଇବାକୁ ମିଳୁ ?

 

ପାଟିକୁ ଉଠୁଥିବା ହାତ ତାଙ୍କର ଛାଏଁ ଛାଏଁ ପ୍ଲେଟ ଉପରକୁ ନଇଁ ଆସିଲା । ସେ ପିଠା ଦୁଇଟି ନାତି ସୁମନ ହାତକୁ ବଢ଼ାଇ ଦେଇ କହିଲେ, ନେ ଏ ପିଠା ପିଲା ଦୁଇଟିକୁ ଦେଇଦେ । ସୁମନ କିନ୍ତୁ ଜେଜେଙ୍କ କଥା ନ ଶୁଣି ତାଙ୍କୁ ସେ ପିଠା ଖାଇବାକୁ ହେବ ବୋଲି ଜିଦ୍‌କରି ବସିଲା । ସେ କହିଲା, ଜେଜେ । ତୁମେ ଜଳଖିଆ ଖାଉନାହଁ । ଗଲା କେତେଦିନ ହେଲା ବାଣ୍ଟି ଦେଉଛ । ଆଜି ତୁମକୁ ଖାଇବାକୁ ହେବ । ମୁଁ ତୁମକୁ ଏ ପିଠା ନ ଖାଇଲେ ଛାଡ଼ିବି ନାହିଁ । ମା’ ବ୍ୟସ୍ତ ହେଉଛନ୍ତି ।

 

ଶ୍ରୀମତ୍‌ବାବୁ କହିଲେ, ସୁମନ ତୁ ନେ ଏ ପିଠା ଦୁଇଟି ପିଲା ଦୁହିଁଙ୍କୁ ଦେଇଦେବୁ । ତୋଠୁ ସେମାନେ କେତେ ଛୋଟ । ମୁଠାଏ ଖାଇବା ବିନା ସେମାନେ କ’ଣ ଦିଶୁଛନ୍ତି ? ସେମାନଙ୍କୁ ଏ ପିଠା ନ ଦେଇ ମୁଁ ଏ ସବୁ ବର୍ତ୍ତମାନ ଖାଇଦେଇ ପାରିବି ନାହିଁ ।

 

ଏ’ତ ଜଣେଅଧେ ନୁହେଁ, ଏହିପରି ହଜାର ହଜାର ଭିକାରୀ ଆସିବେ । ତୁମେ କେତେଜଣଙ୍କୁ ଦେଇ ପାରିବ ? ପ୍ରଶ୍ନକଲା ସୁମନ ।

 

ଯେତେଜଣଙ୍କୁ ସମ୍ଭବ ସୁମନ, ଯେତେଜଣଙ୍କୁ ଦେଇହେବ । ହଜାର ହଜାର ଲୋକ ଭୋକ ଓପାସରେ ପୋକମାଛି ପରି ସଢ଼ୁଥିଲା ବେଳେ, ମୁଠାଏ ଚାଉଳ ପାଇଁ ମୁଣ୍ଡ ପିଟୁଥିଲା ବେଳେ ଆମେ କେତେଜଣ କେବେ କ୍ଷୀରି ପୁରି ଖାଇ ନିଶ୍ଚିନ୍ତରେ ବସିରହି ପାରିବା ନାହିଁ । ସମସ୍ତଙ୍କ ପାଇଁ ରୁଟି ଆଉ ମାଟିର ବ୍ୟବସ୍ଥା କରିବାକୁ ହେବ । ଏମାନଙ୍କ ପ୍ରତି ଅବହେଳା କଲେ, ଏମାନେ ସବୁଦିନ ବରଦାସ୍ତ କରିବେ ନାହିଁ । ଦିନେ ଏମାନେ ଫାଟକ ଡେଇଁ ଡ୍ରଇଁରୁମ୍‌ ଅତିକ୍ରମ କରି ଆସି ଶୋଇବା ଘରେ ପହଞ୍ଚିବେ ।

 

ବଂଧୁ ହରିଶଙ୍କର ପଛରୁ ପାଟିକଲେ, ଶ୍ରୀମତ, ‘ସୁମନ’ କ’ଣ କହୁଛି ? ଖୁଆ ଖୁଆ ଜେଜେକୁ ତୋର ପେଟଭରି ଖୁଆ ।

 

ନିରନ୍ନ କଙ୍ଗାଳସାର ଶିଶୁ ଦୁଇଟି ଓ ସେମାନଙ୍କ ମା’ଙ୍କ ଉଦ୍ଦେଶ୍ୟରେ ହରିଶଙ୍କରଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀମତ ପ୍ରଶ୍ନ କଲେ, ଶଙ୍କର । କ’ଣ ଦେଖି ପାରୁଛୁ ତ ? ଏଇ କ’ଣ ଆମ ଭାରତବର୍ଷ ? ଏଇ କ’ଣ ଆମ ସ୍ୱପ୍ନର ଭାରତ ? ଏହାକୁ ସ୍ୱାଧୀନ କରିବା ଲାଗି ଆମେ ସବୁ ଏତେ ତ୍ୟାଗ ସ୍ୱୀକାର କରିଥିଲେ ? ଏଇ ନିରନ୍ନ କଙ୍କାକସାର ଶିଶୁ ଦୁଇଟି କ’ଣ ଭାବୀ ନାଗରିକଙ୍କର ପ୍ରତିନିଧି ? ସତରେ ଆମର ଗତି କୁଆଡ଼େ ? ସବୁଠାରେ କେବଳ ସେହି କରୁଣ ନିବେଦନ ‘‘ଭିକ୍ଷାଂ ଦେହି, ଅନ୍ନଂ ଦେହି ।’’

 

ଶ୍ରୀମତ ଆଖି ପୋଛୁଥିଲେ । ପରଦାର ଅନ୍ତରାଳରୁ ପ୍ରତିମା ଦେବୀ ଏସବୁ ଲକ୍ଷ୍ୟ କରୁଥିଲେ । ମନରେ ତାଙ୍କର ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା । ଆଜି କୋଟିଏ ଜଠରରେ ଯେଉଁ କ୍ଷୁଧାର ଅଗ୍ନି ପ୍ରଜ୍ୱଳିତ ହୋଇଉଠିଛି, ତାହା କ’ଣ ଏହି ବୃଦ୍ଧଙ୍କ ଅଶ୍ରୁ ନିର୍ବାପିତ କରିପାରିବ ? ଶାନ୍ତ କରାଇ ଦେଇ ପାରିବ ? ?

 

ଡ୍ରଇଁ ରୁମ୍‌ କିଛିକ୍ଷଣ ପାଇଁ ନିର୍ମମ ଭାବେ ନିସ୍ତବ୍‌ଧ ହୋଇ ଉଠିଲା । ସୁମନ କିଛି ବୁଝିପାରୁ ନ ଥିଲା ଜେଜେ ତା’ର କାନ୍ଦୁଛନ୍ତି କାହିଁକି ? ସେ କେବଳ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁ ରହିଥିଲା । ଦୂରରୁ କଣ୍ଠ ଫଟାଇ ସେହି ଶିଶୁ ଦୁଇଟିଙ୍କର ଆକୁଳ ନିବେଦନ ଭାସି ଆସୁଥିଲା । ‘ମା’ ଆମକୁ ମୁଠାଏ ଭିକ ମଳୁ’ ‘ମୁଠାଏ ଖାଇବାକୁ ମିଳୁ ।’

񤦬񤦬񤦬

 

ପୋଲିଂ ବୁଥ୍‌

(୧)

 

ସୁନାମୁଖୀ ଭୋଟ ଗ୍ରହଣ କେନ୍ଦ୍ରରେ ପ୍ରବେଶ କଲେ ଏସ୍‌.ଡି.ଓ । ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ସେ ଅଛନ୍ତି । ପ୍ରଶ୍ନ. କଲେ—ପୋଲିଂ କିପରି ହେଉଛି ?

 

‘‘ଦୁଇଟା ପର୍ଯ୍ୟନ୍ତ ଭୀଷଣ ସ୍ଳୋ ଥିଲା ।’’

 

‘‘ଦୁଇଟି ପରେ ବୃଦ୍ଧି ପାଇଛି ।’’

 

କାଲି ସୁନାମୁଖୀ ହାଟରେ ଯାତ୍ରା ଥିଲା । ତେଣୁ ଲୋକେ ରାତି ସାରା ଯାତ୍ରା ଦେଖି ସକାଳୁ ଘରକୁ ଫେରିଛନ୍ତି । ସକାଳ କାମଦାମ ସାରି ଖାଇପିଇ ଶୋଇ ଉଠି ଉପରବେଳା ଭୋଟ ଦେବାକୁ ଆସୁଛନ୍ତି ।

 

‘‘ବେଶୀ କିଏ ପାଉଛି ?’’

 

‘‘ହାତୀ—’’ ଉତ୍ତର ଦେଲେ ପ୍ରିଜାଇଡ଼ିଂ ଅଫିସର ।

 

‘‘କିପରି ଜାଣିଲେ ?’’

 

‘‘ଲୋକଙ୍କ ହାବଭାବରୁ । ତା ବ୍ୟତୀତ ଗୋଟିଏ ଅନ୍ଧ ଓ ଗୋଟିଏ ବୃଦ୍ଧା ଏଇ ବର୍ତ୍ତମାନ ଭୋଟ ଦେଇ ଗଲେ । ସେ ଦୁହେଁ କହିଲେ—ହାତୀ ଚିହ୍ନ ଆମକୁ ଦେଖାଇ ଦିଅନ୍ତୁ, ଆମେ ଭୋଟ ଦେବୁ । ଆମ ସରପଞ୍ଚ କହିଛି ଆମେ ହାତୀରେ ଦେବୁ ।

 

‘‘ହାତୀ ଚିହ୍ନ କାହାର ?’’

 

‘‘ମାୟାଧର ମହାନ୍ତି (ଗେଡ଼ା) ଙ୍କର’’ ।

 

‘‘ଆଉ କିଛି ଅସୁବିଧା ହୋଇ ନାହିଁ ତ ?

 

‘‘ନା । ଚାରିଟା ପରେ ଲୋକ ଅଧିକ ହେବେ ବୋଲି ଆଶା’’ ।

 

ଆପଣ ଠିକ୍‌ ପାଞ୍ଚଟା ବେଳକୁ ବୁଥ୍‌ ବନ୍ଦ କରି ଦିଅନ୍ତୁ । ଅଯଥା ଲୋକ ପୂରାଇ ଗଣ୍ଡଗୋଳିକୁ ଡାକି ଆଣିବା ଭଲ ନୁହେଁ । ଷ୍ଟାପ୍‌ ସମସ୍ତେ କାମ କରି କରି କାନ୍ତ । ଶୀଘ୍ର କାମ ସାରି ଯାଆନ୍ତୁ ବିଶ୍ରାମ ନେବେ ।

 

(୨)

 

ବଳଦିଆ ବନ୍ଧ ଭୋଟ କେନ୍ଦ୍ର । ଏସ୍‌;ଡି.ଓ. ପହଞ୍ଚି ପ୍ରିଜାଇଡ଼ିଂ ଅଫିସରଙ୍କୁ ପ୍ରଶ୍ନ କଲେ ‘‘ଭୋଟ ଗ୍ରହଣ କିପରି ଚାଲିଛି ?’’ ‘‘ଏଗାରଟା ପର୍ଯ୍ୟନ୍ତ ବେଶ୍‌ ଭିଡ଼ ଥିଲା । ମାତ୍ର ତା ପରଠୁ ଏକଦମ୍‌ ସ୍ଳୋ ହୋଇଯାଇଛି । ତେବେ ଶୁଣୁଛୁ—ପାଖ ଅଞ୍ଚଳରୁ ଲୋକେ ଆସୁଛନ୍ତି । ତେବେ ସେମାନେ ପହଞ୍ଚିଲା ବେଳକୁ ସମୟ ହୋଇ ଯାଇଥିବ ।’’

 

‘‘ଯେତିକି ପୋଲିଂ ହୋଇଛି, ଟ୍ରେଣ୍ଡ୍‌ କ’ଣ ଦେଖୁଛନ୍ତି ?’’

 

‘‘ଜାହାଜ ଚିହ୍ନ ବେଶୀ ପାଉଛି ।’’

 

‘‘ଜାହାଜ ଚିହ୍ନ କାହାର ।’’

 

‘‘ନରହରି ଛୋଟରାୟଙ୍କର ।’’

 

‘‘ଆଛା ହେଉ ମୁଁ ଚାଲିଲି । କୌଣସି ଅସୁବିଧା ହେଲେ ଫୋନ୍‌ କରିବେ । ପାଖରେ ଥାନରେ ଫୋନ୍‌ ଅଛି । ଜାଣିଥିବେ ।’’

 

‘‘ଅନେକ ଡେରି ହେବ । ଭାବୁଛି ଠିକ୍‌ ପାଞ୍ଚଟାରେ ବନ୍ଦ କରିଦେବି । ଯେତିକି ହେଲା’’-

 

‘‘ନାଁ । ନାଁ ।। ପାଞ୍ଚଟା ସୁଦ୍ଧା ଯେତେ ଲୋକ ପହଞ୍ଚି ପାରିବେ ଅନ୍ତତଃ ସେମାନେ ସମସ୍ତେ ଯେପରି ଭୋଟ ଦିଅନ୍ତି ଦେଖିବେ । ଅବଶ୍ୟ ଟିକିଏ ସମୟ ଲାଗିବ । ଟିକେ ଚଳେଇ ନିଅନ୍ତୁ । ପାଞ୍ଚ ବର୍ଷରେ ଥରେ ଭୋଟ । ଅବଶ୍ୟ ଆମର ଏଠାରେ ସେ ସମୟ ସୀମା ଲାଗୁ ହେଉ ନାହିଁ । ନିର୍ବାଚିତ ସଭ୍ୟମାନେ ଅତି ନିର୍ଲୁଜ ଭାବରେ ଛେଳି ମେଣ୍ଡାଙ୍କ ପରି ନିଲାମ ହେଉଛନ୍ତି । ଫଳ ହେଉଛି କୌଣସି ଦଳ କ୍ଷମତାରେ ରହି ପାରୁ ନାହାନ୍ତି । ପ୍ରତି ବର୍ଷେ ଦୁଇ ବର୍ଷରେ ନେତା ନିର୍ବାଚନ ।’’

 

‘‘ଆମେ ଯାହା କେବଳ ହଇରାଣ ହେଉଛେ ।’’

 

‘‘ହଉ ଛାଡ଼ନ୍ତୁ ସେ କଥା—ଲୋକଙ୍କ ପାଇଁ ସାମାନ୍ୟ କଷ୍ଟ କରନ୍ତୁ । ଦେଶରେ ପରା ଡେମୋକ୍ରାସିର ପରୀକ୍ଷା ଚାଲିଛି । ଆଜି ଦିନକ ତ । ମୁଁ ଚାଲିଲି ।’’ ଜିପ୍‌ ଆଗକୁ ବଢ଼ିଲା । ବୁଥ୍‌ର ସାମାନ୍ୟ ଦୂରରେ କେତେକ ଯୁବକ ପାଟି କରୁଥିବାର ଶୁଣା ଯାଉଥିଲା । ଛୋଟରାୟ...ଆମର ନେତା । ବୁଢ଼ା ତାହାତ...ଆମରି ଚିହ୍ନ ।

 

(୩)

 

ମୁଁ ପ୍ରଶ୍ନ କଲି ‘‘ପନ୍ଦରଟି କେନ୍ଦ୍ର ତ ବୁଲି ଆସିଲେ କିଏ ଜିତିବ କୁହନ୍ତୁ ? କହିବା କଷ୍ଟ—ତେବେ ପଚାଶ ପଚାଶ । ସେହି ଛୋଟରାୟ କିମ୍ବା ମହାନ୍ତି ଆସିବେ । ଉତ୍ତର କଲେ ଏସ୍‌.ଡି.ଓ. ।

 

‘‘ନରେନ୍ଦ୍ର ବାବୁଙ୍କ ପ୍ରଶ୍ନ ଉଠୁନି ?’’

 

‘‘ନାଁ । ମୋଟେ ନୁହେଁ ।’’

 

‘‘ଦୁଇଟି କଥା ଲକ୍ଷ୍ୟ କଲି । ସୁନାମୁଖୀ କେନ୍ଦ୍ରରେ ଆପଣ କହିଲେ ଠିକ୍‌ ପାଞ୍ଚଟାବେଳକୁ କେନ୍ଦ୍ର ବନ୍ଦ କରିଦେବାକୁ ମାତ୍ର ବଳଦିଆ ବନ୍ଧ କେନ୍ଦ୍ରରେ ଭୋଟରମାନଙ୍କୁ ଆଡ଼୍‌ଜଷ୍ଟ କରିଦେବାକୁ ଉପଦେଶ ଦେଲେ ।’’

 

ଏସ୍‌.ଡି.ଓ. ହସିଲେ । କହିଲେ, ଧଳବାବୁ ଆପଣଙ୍କ ସାମ୍ବାଦିକ ଆଖି ଠିକ୍‌ ଧରିଛି । ଆପଣଙ୍କୁ ଆଉ ଠକି ହେଲା ନାହିଁ । ସମସ୍ତେ ପ୍ରତିନିଧି ବାଛୁଛନ୍ତି । ଅଫିସରମାନେ ମଧ୍ୟ ଚାହାନ୍ତି ଭଲଲୋକ ଆସନ୍ତୁ । ଆମ ହାତରେ ଯେତିକି ହୋଇ ପାରିଲା...

 

ମୁଁ ଚୁପ୍‌ ହେଲି—ମନେ ମନେ ହସିଲି ।

 

ଧୂଳି ଉପରେ ଜିପ୍‌ ସେହିପରି ଚାଲିଥାଏ । ବଳଦିଆ ବନ୍ଧଠାରୁ ଶଙ୍କାପୁର ଆଠ ମାଇଲ ରାସ୍ତା । ଗତି ପରିଶ ବର୍ଷ ମଧ୍ୟରେ ଥରଟିଏ ବି ମରାମତ ହେଲା ନାହିଁ । ସେହି ଧୂଳିଆ ରାସ୍ତାର ଦୁଇ ଧାରରେ ଲୋକେ ଉତ୍ସାହର ସହିତ ଭୋଟ କେନ୍ଦ୍ର ଅଭିମୁଖେ ଚାଲିଛନ୍ତି ଭୋଟ ଦେଇ ଆପଣାର ପ୍ରାର୍ଥୀକୁ ଜିତାଇବା ପାଇଁ । ସେମାନଙ୍କର ନିଜର ଦାନା ନାହିଁ—କନା ନାହିଁ—ଭବିଷ୍ୟତ ପାଇଁ ଆଶା ନାହିଁ—ଲୋକ ପ୍ରତିନିଧିଙ୍କ ଉପରେ ଆସ୍ଥା ମଧ୍ୟ ନାହିଁ । ତଥାପି ମୋ ଦେଶରେ ଗଣତନ୍ତ୍ରର ପରୀକ୍ଷା ଚାଲିଛି । ଚାଲୁ । ଆଜି ନ ହେଲେ ବି କାଲି ତ କିଛି ହେବ ।

񤦬񤦬񤦬

 

ପ୍ରାର୍ଥନା ଚାରିଗୋଟି ସନ୍ତାନ ପାଇଁ

 

ରାଜଧାନୀରେ ସକାଳ...ଆକାଶ ମେଘାଛନ୍ନ......ସାମାନ୍ୟ ଶୀତ ।

 

ଇଷ୍ଟାର୍ଣ୍ଣ ଟାଓ୍ୱାର ସମ୍ମୁଖରେ ପେଟ୍ରୋଲ ଦୋକାନ । ତାକୁ ଲାଗି ରହିଥିବା ପଡ଼ିଆରେ ପୂଜା କମିଟିର ନୂତନ ମନ୍ଦିର ଗଢ଼ା ଚାଲିଛି । ସେହି ମନ୍ଦିର ଆଡ଼କୁ ଏକ ଧ୍ୟାନରେ ଆଖିବୁଜି ଠିଆ ହୋଇଛନ୍ତି ଭାରିରଥୀ ବାବୁ ।

 

ରାଜପଥରେ ଏ ପର୍ଯ୍ୟନ୍ତ ଜନ ସମାଗମ ହୋଇ ନାହିଁ । ତେବେ ଦୁଗ୍‌ଧ ଯୋଗାଣ କେନ୍ଦ୍ରରେ କ୍ୟୁ ଅନେକ ଲମ୍ବ ହୋଇଗଲାଣି । ଡେକ୍‌ଚି, ଢାଳ, ଠେକି, ଟିଫିନ କାରିଅର, ମଗ୍‌ ଲାଇନ କରି ଥୋଇ ଦୁଧ ନେବା ବ୍ୟକ୍ତିମାନେ ସମସ୍ତେ ଦୁଧଗାଡ଼ିକୁ ଅପେକ୍ଷା କରି ଚାହିଁ ରହିଛନ୍ତି ।

 

ସାମାନ୍ୟ ଆଗରେ ସରକାରୀ ଖାଉଟି ଷ୍ଟୋର ସମ୍ମୁଖରେ ବିରାଟ କ୍ୟୁ ସାପ ଦେହ ମୋଡ଼ିଲା ପରି ମୋଡ଼ି ହୋଇ ଚାଲିଛି । ଆଠଟା ବେଳେ ଏହି ଷ୍ଟୋର ଖୋଲିବ । ଡାଲ୍‌ଡ଼ା ଦିଆଯିବ । ‘ଏ’ କ୍ଳାସ ପାଇଁ ଏକ କିଲୋ ‘ବି’ କ୍ଳାସ ପାଇଁ ସାତ ଶ’ ପଚାଶ ‘ଏବଂ ‘ସି’ କ୍ଳାସ କାର୍ଡ଼ ପାଇଁ ତିନି ଶହ ଡାଲ୍‌ଡ଼ା ମିଳିବ । ଡାଲ୍‌ଡ଼ା ପାଇଁ ଏ ଭିଡ଼ ଠେଲା ପେଲା । ଏଥିପାଇଁ ପରିବେଶ ଜୀବନ୍ତ । ସେହି ବାରଣ୍ଡାରେ ଗତ ରତିରେ ଯେଉଁ କୁଷ୍ଠରୋଗୀମାନେ ଶୋଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ଏ ପର୍ଯନ୍ତ ସେହିପରି ଶୋଇ ରହିଛନ୍ତି । ଉଠି ନାହାଁନ୍ତି ।

 

ମୁଁ ପଶ୍ଚାତରୁ ଡାକିଲି କିହୋ ଭାଗିରଥୀ ବାବୁ, ଏଠାରେ କ’ଣ କରୁଛନ୍ତି ? ଆଜି ଏତେ ଲୋକ । ଖୁବ୍‌ ବେଶୀ ହେଲେ ସାଢ଼େ ଛ’ଟା ହୋଇଥିବ କହି ହାତ ପିନ୍ଧା ଘଡ଼ିକୁ ଚାହିଁକି, ‘ଦେଖୁଛନ୍ତି ତ ଦୁଇଟି କ୍ୟୁ । ଗୋଟିଏ ଦୁଧ ପାଇଁ, ଗୋଟିଏ ଡାଲ୍‌ଡ଼ା ପାଇଁ । ଜିନିଷ ମିଳୁ ନ ମିଳୁ କ୍ୟୁ କରାଯିବ-। ହୋଇଛି ।

‘ମାତ୍ର ଆପଣ କ’ଣ କରୁଛନ୍ତି ? ଦେଖୁଛି ଅନେକ ସମୟ ଧରି ଆଖି ବୁଜି ଠିଆ ହୋଇଛନ୍ତି ।

‘ପ୍ରାର୍ଥନା’, ଉତ୍ତର ଦେଲେ ଭାଗିରଥୀ ବାବୁ । ପୂଜା କମିଟୀକୁ ସରକାର ଜାଗା ଦେଉଛନ୍ତି । ରାଜଧାନୀର ହାଟ୍‌’ ଉପରେ । ନୂଆ ଠାକୁରଙ୍କ ପ୍ରତିଷ୍ଠା ଲାଗି । ଡ଼ାକିଲେ ଯେପରି ଶୁଣିବେ । ମନ୍ଦିରମାଳିନୀ ଭୁବନେଶ୍ୱରର ପୁରାତନ ମନ୍ଦିରମାନଙ୍କର ଦିଅଁ ଦେବତା ଆଉ ଡାକିଲେ ଶୁଣି ନାହାଁନ୍ତି । ତେଣୁ ଏଇ ନୂଆ ଦେବତାଙ୍କୁ ଡାକୁଛି । ହୁଏତ ମୋ ଦୁଃଖ ଶୁଣିବେ ।

କ’ଣ ଦୁଃଖ ଆପଣଙ୍କର ? ପ୍ରଶ୍ନ କଲି ।

‘ଦୁଃଖ କ’ଣ ? ଶୁଣିବେ । ଭାଗିରଥୀ ବାବୁଙ୍କ କଣ୍ଠରେ ବ୍ୟାକୁଳତା । ମୋ ବଡ଼ ପୁଅ ଚାକିରି କରିବା ନିମନ୍ତେ ଅନ୍ୟତ୍ର ଚାଲିଗଲା । ମୁଁ ଆଉ ମୋ ସ୍ତ୍ରୀ ଏଠାରେ ଅଛୁ । ଯେତିକି ଦରମା ମିଳୁଛି ସେଥିରେ ଚାକରବାକରଟିଏ ରଖିବା ସମ୍ଭବ ନୁହେଁ । ସବୁକାମ ନିଜେ କରିବାକୁ ପଡ଼ୁଛି । ମୁଁ ଦେଖୁଛି ମୋର କେବଳ କ୍ୟୁରେ ଠିଆ ହୋଇ ସମୟ ଯାଉଛି । ମାତ୍ର ଲାଭ କିଛି ହେଉ ନାହିଁ । ମୋ ପାଇଁ ଡାଲ୍‌ଡ଼ା ନାହିଁ, ଦୁଧ ନାହିଁ, ଚିନି ନାହିଁ, କାଠ ନାହିଁ, ମାଂସ ନାହିଁ, ଗାଡ଼ିର ଟିକଟ ନାହିଁ । ମୁଁ କେବଳ କ୍ୟୁରେ ରହୁଛି । ମୁଁ ରାଜଧାନୀରେ କ୍ୟୁର ଏକ ଅବହେଳିତ ମଣିଷ ।

‘ଅସୁବିଧା ହେଉଛି କ’ଣ ?’

‘ପଛରେ ଆସି କେଡ଼େ ସୁନ୍ଦର ଭାବେ ଆମ ରାମର ପୁଅ ଯିଏ କଲେଜରେ ପଢ଼ୁଛି ଓ ତା ସାଙ୍ଗମାନେ କ୍ୟୁର ଆଗକୁ ଆସି ଦୁଧକେନ୍ ମୁଣ୍ଡ ଉପରେ ବଢ଼ାଇ ଦୁଧ ନେଉଛନ୍ତି । ଦୋକାନରୁ ଦୁଧ, ଘିଅ, ମାଛ, ମାଂସ, ଚିନି ଇତ୍ୟାଦି ସୁବିଧାରେ ନେଇ ପାରୁଛନ୍ତି । ମୁ କେବଳ ଚାହିଁ ରହୁଛି । ଥରେ ମୁଁ କହିଲି ବାବୁମାନେ ଏସବୁ ଭଲ ହେଉ ନାହିଁ । କ୍ୟୁ’ରେ ଠିଆ ହୁଅ । ଯାହାର ପାଳି ପଡ଼ିବ ସେ ଜିନିଷ ନେବ । ଏହା ଶୁଣି ଜଣେ ପଛରୁ ମୋ କଲ୍‌ର ଟାଣିଧରି କହିଲା, ହବେ ଏଠାରେ ମିଛଟାରେ ବକ୍ ବକ୍ କାହିଁକି କରୁଛୁ ? ସାବଧାନ ନ ହେଲେ ଗୋପାଳି (ହାତ ମୁଠା ଦେଖାଇ) ବାଜିବ । ଆଜି ସତର୍କ କରାଇ ଦେଲୁ । ମୁଁ ହଠାତ୍ ସଚେତନ ହୋଇଗଲି । ମୁଁ ଆଉ ଯୁବକ ନୁହେଁ । ଲମ୍ୱା କଲି ଚିପା ପେଣ୍ଟ ପିନ୍ଧିବା ଆଉ ମୋ ପକ୍ଷେ ସମ୍ଭବ ନୁହେଁ । ଦୁଧ, ଚିନି, ଡାଲ୍‌ଡ଼ା ନ ମିଳିଲା ନାହିଁ ମାତ୍ର ଏ ବୟସରେ ଆଉ ଗୋପାଳି ଖାଇ ଘରକୁ ଫେରିବାକୁ ମନ ଟେକୁ ନାହିଁ । ତଥାପି ବି ମୁଁ କ୍ୟୁ’ କୁ ଆସୁଛି । ଯଦି କିଛି ମିଳିଯାଏ । ମୁଁ ପୁଣି ବଞ୍ଚି ରହିବି।’’

‘ତା’ ତ ବୁଝିଲି ମାତ୍ର ଏ ପ୍ରାର୍ଥନାର ଉଦ୍ଦେଶ୍ୟ ?

‘‘ଭାଗିରଥୀ ବାବୁ ଉତ୍ତର କଲେ ଚାରଟି ସନ୍ତାନ ପାଇଁ ।’’

‘‘ପୁଣି ଏହି ବୟସରେ?’’ ପ୍ରଶ୍ନ କଲି । ସରକାରଙ୍କ ଆଦର୍ଶ ପରିବାର ସୀମା ସମ୍ପର୍କରେ ସଚେତନ ଅଛନ୍ତି ନିଶ୍ଚୟ ।

‘‘ହଁ ଅଛି, ମାତ୍ର ବୟସ ବୃଦ୍ଧିପାଇବା ସଙ୍ଗେ ସଙ୍ଗେ ଉତ୍ସୃଙ୍ଖଳ ଯୁବ ଶକ୍ତିର ଆଉ ସମ୍ମୁଖୀନ ହୋଇ ପାରିବାର ସାହାସ ନାହିଁ । ମୁଁ ଚାହୁଁଛି ଉତ୍ସୃଙ୍ଖଳ ଯୁବଶକ୍ତିକୁ ଯୁବଶକ୍ତି ଶିକ୍ଷା ଦେଉ-। ତାର ସମ୍ମୁଖୀନ ହେଉ । ମୋର ଲୋଡ଼ା ଚାରଟି ସନ୍ତାନ...-।’’

 

ଗୋଟିଏ ଯିବ—ଡାଲ୍‌ଡ଼ା ପାଇଁ କ୍ୟୁ’କୁ ।

 

ଗୋଟିଏ ଯିବ—ଚିନି ପାଇଁ କ୍ୟୁ’କୁ ।

 

ଗୋଟିଏ ଯିବ-ଚାଉଳ ପାଇଁ କ୍ୟୁ’କୁ ।

 

ଗୋଟିଏ ଯିବ—ଔଷଧ ପାଇଁ କ୍ୟୁ’କୁ ।

 

ରାଜଧାନୀରେ ବଞ୍ଚିବା ପାଇଁ ସର୍ବନିମ୍ନ ପ୍ରୟୋଜନ ପାଇଁ ପାଥେୟ ସଂଗ୍ରହ ଲାଗି ସନ୍ତାନମାନଙ୍କର ସହାୟତା ଲୋଡ଼ା । ରାଜଧାନୀର ସେ କୌଣସି କ୍ୟୁ’ରେ ଭାଗିରଥୀ ବ୍ରାଣ୍ଡ ପିଲା ଯେପରି ମିଳିବେ । ଜୀବନ ମୋର ସୁଖମୟ ହୋଇ ଉଠିବ । ମୋ ପିଲାମାନେ ଜିନିଷ ଧରି ଘରକୁ ଫେରିଲେ ମୁଁ ପଚାରିବି କିରେ ପଛରେ ଯାଇ ଏତେ ଶୀଘ୍ର କିପରି ଆସିଲୁ ? ସେମାନେ କହିବେ ପଛରେ ଯାଇ କ୍ୟୁରେ ସବା ଆଗରେ କିପରି ପହଞ୍ଚିଲେ ଓ ଜିନିଷ ଧରି ଶୀଘ୍ର ଫେରିଆସି ପାରିଲେ । ମୁଁ ସେମାନଙ୍କୁ ଧନ୍ୟବାଦ ଦେବି । କହିବି, ବେଶ୍ ଚାଲାକ ପିଲା । ତୁମେ ସବୁ ଜୀବନରେ ଉନ୍ନତି କରିବ । ତୁ ବଡ଼ ହେଲେ ହେବୁ ବଡ଼ କଣ୍ଟ୍ରାକ୍‌ଟର, । ତୁ ହେବୁ ମନ୍ତ୍ରୀ, ଆଉ ତୁ ହେବୁ ମ୍ୟାଜିକବାଲା ।

 

ଭାଗିରଥୀ ବାବୁଙ୍କ କଥା ଶୁଣି ମୁଁ ନ ହସି ରହି ପାରିଲି ନାହିଁ । ନମସ୍କାର କରି ତାଙ୍କଠାରୁ ବିଦାୟ ନେଇ ଆଗକୁ ବଢ଼ୁ ବଢ଼ୁ କହିଲି, ଦେଖାଯାଉ କିଏ ଜିତୁଛି । ମୁଁ ଲଜ୍ଜିତ ହେଲି, ସତରେ ଭାଗିରଥୀ ବାବୁଙ୍କ ପରି ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କ ପ୍ରତି ଯୁବକମାନଙ୍କର ଏପରି ଆଚରଣ ନିନ୍ଦନୀୟ । ମନେ ମନେ ମୁଁ ସ୍ଥିର କଲି ମୁଁ ଯାଇ ମୋର ଶିକ୍ଷିତ ଯୁବ ବନ୍ଧୁମାନଙ୍କୁ ପଚାରିବି ଏ ଅବ୍ୟବସ୍ଥାର ସମାଧନ ସତରେ କ’ଣ ସମ୍ଭବ ନୁହେଁ ?

񤦬񤦬񤦬

 

ମେହନତି ମଣିଷର ଛବି

 

ଲକ୍ଷ୍ୟକଲେ ଦୃଷ୍ଟିରେ ପଡ଼ିଥାଏ । ଶୁଷ୍କ ତମାଳ ଶାଖାରେ ବାୟାଚଢ଼େଇଟି ନୀଡ଼ ରଚନା କରିଛି । ସମୀରର ସାମାନ୍ୟ ଆଘାତରେ ନୀଡ଼ରେ ସୃଷ୍ଟି ହୁଏ ତରଙ୍ଗ । କେଉଁ ମୁହୂର୍ତ୍ତରେ ସେ ଶାଖା ଯେ ଭୂତଳରେ ପତିତ ହେବ କିଏ କହିବ ?

 

ଆକ୍ଷାଂଶ ଦ୍ରାଘିମା ପରି ବହୁରେଖା ତା’ର ମୁଖମଣ୍ଡଳ ଉପରେ ବାର୍ଦ୍ଧକ୍ୟର ଆଗମନର ଇସ୍ତାହାର ଘୋଷଣା କରୁଛି । କୋଇଲି ଚିକଣ କୃଷ୍ଣକେଶ ତା’ର ଶଙ୍ଖ ଧବଳ ହୋଇଗଲାଣି । ଚକ୍ଷୁର ଦୃଷ୍ଟିଶକ୍ତି ହ୍ରାସପାଇ ଗଲାଣି । ମାତ୍ର ମଦନ ମୋଚିର ଜୀବନର ଯାତ୍ରା ପଥରେ ଅବସର ନାହିଁ । ଜୀବନ ଆଜି ତା’ର ଦୁର୍ବିସହ ହୋଇ ଉଠୁଛି । ମାତ୍ର ଏହି ଯାତ୍ରାପଥରୁ ମୁକ୍ତି ମିଳୁଛି ବା କାହିଁ-? ଆଜି ବି ସେ ଜୋତାରେ ତାଳି ପକାଏ, ରଙ୍ଗଦିଏ । ଚିରା ଜୋତାକୁ ମରାମତି କରେ । ପାଖରେ ଛୋଟ ପିଲାଟି ବସିଥାଏ । ତାକୁ କାମରେ ସାହାଯ୍ୟ କରେ । ହାତକୁ ତା’ର କଣ୍ଟା ବଜାଇ ଦିଏ-। ମଦନ ହାତର ସମସ୍ତ ଶକ୍ତି ଠୁଳ କରି କଣ୍ଟା ପିଟେ । କାମରେ ଆଜି ତା’ର ଅଯଥା ବିଳମ୍ୱ-। ଯାହାକି ଏକାନ୍ତ ସ୍ୱାଭାବିକ । ସେହି ଅନୁପାତରେ ମଧ୍ୟ ରୋଜଗାର କମିଛି ।

 

ଷ୍ଟେସନ ବୁକିଂଘର ସାମନା ତା’ର ଚରାଭୂମି । ସେହି ପାଖରେ ସେ କେଉଁଠାରେ ହେଲେ ବସିଥାଏ । ଖଣ୍ଡିଏ ଜୀର୍ଣ୍ଣ କାର୍ପେଟ ଉପରେ ସେ ତାର’ ଦୋକାନ ମେଲିଥାଏ । ସେହି କାର୍ପେଟ ଉପରେ ପଡ଼ିଥାଏ ଜରାଜୀର୍ଣ୍ଣ କେଇପଟ ଚମଡ଼ା ଯୋତା ଚପଲ । ଗୋଟିଏ ପୁରୁଣା ରବର ଟାୟାର ଓ ଆଉ କେଇଖଣ୍ଡ ଟୁକୁରା ଚମଡ଼ା । ଏସବୁ ବ୍ୟତୀତ ପଡ଼ିଥାଏ ଗୋଟିଏ ହାତଭଙ୍ଗା କପ୍‌, ରଙ୍ଗ ଛାଡ଼ିଯାଇଥିବା ଗୋଟିଏ ଚାଇନା ପ୍ଲେଟ୍‌ । ମାରତୁଲ, ସଣ୍ଡୁଆସି, ଫରମା, ଯେଉଁ ବ୍ରସରେ ସେ ଯୋତା ରଙ୍ଗକରେ ତାହା ପ୍ରାୟ ଲୋମହୀନ । ଆଉ ଗୋଟିଏ ନୂଆ ବ୍ରସ କିଣିବାକୁ ତା’ର ସମ୍ୱଳ ହେଉନାହିଁ । ଏହି ବ୍ରସଟି ମଦନର ଚରମ ଦାରିଦ୍ର୍ୟର ଅନ୍ୟତମ ସାକ୍ଷୀ ।

 

ସୁଷମା ଭବନରୁ ସବୁଦିନ ଆମେ କଲେଜ ପାଖ ସେଇ ରାସ୍ତାରେ ଯାଉ, ମଦନକୁ ଦେଖୁ କେବେ କେବେ କାମ କରୁଛି ନଚେତ୍‌ ଫାଙ୍କା ଫାଙ୍କା ଆଖିରେ ଚାହିଁ ରହିଥାଏ ସାମନାକୁ । ସତେ ଯେପରି ତାର କାହାକୁ କିଛି କହିବାର ନାହିଁ । ଦିନ ଗଣୁଛି କେଉଁଦିନ ତାର ଜୀବନ ପ୍ରଦୀପ ନିର୍ବାପିତ ହେବ । ସେ ବ୍ୟାକୁଳ ହୁଏନି ତା ପାଇଁ କିଏ ତା ପାଇଁ ସ୍ମୃତି ତର୍ପଣ କରିବ ? ତା ପରିବାର କିପରି ବଞ୍ଚିବେ ? ତା ପାଇଁ ‘ବର୍ତ୍ତମାନ’ ସବୁଠାରୁ ମୂଲ୍ୟବାନ । ବେଳେବେଳେ ତାକୁ ଦେଖି ମୁଁ ମନେ ମନେ ଦବିଯାଏ । ସତେ ଯେପରି ସେ ମୋତେ ବ୍ୟଙ୍ଗ କରି କହୁଛି ତୁମେ ନା ସେହି, ଯିଏ ସେଦିନ ଖାଲି ଖାଣ୍ଟି ସମାଜବାଦୀ ଭାଷଣ ଗୁଡ଼ା ମଇଦାନରେ ଗର୍ଜି ଗର୍ଜି ଶୁଣାଇଲ । ତୁମେ ନାଁ ସିଏ, ଯିଏ ଏଇ ଚିପା ପ୍ୟାଣ୍ଟ ପିନ୍ଧିବା ଓ ଲମ୍ୱାକଲି ନିଶ ବାଗେଇବା ଲାଗି ଘଣ୍ଟା ଘଣ୍ଟା ସମୟ ନିଅ । ଦିନକୁ ମେହନତି କରି କେତେ ସମୟ ତମେ କାମକର । ଦିନକୁ ନିଜପାଇଁ କେତେ କମାଅ ? ତୁମେ ସମାଜକୁ ସମାଜବାଦ ଦେଇ ପାରିବ ନାହିଁ । ତମେ ସବୁ ହଉଛ ସମାଜର ପରାନ୍ନଭୋଜି ଜୀବ । ତୁମେ ଅନ୍ୟକୁ ଶୋଷଣ କରି ଜାଣ । ପ୍ରାଣରକ୍ଷା କରିପାର । ନିକଟବର୍ତ୍ତୀ ପାନ ଦୋକାନରୁ ବିଜୟ ସିଗାରେଟ୍‍ କିଣିଲାବେଳେ ମୁଁ ଠିଆହୋଇ ମଦନକୁ ଲକ୍ଷ୍ୟକରେ ।

 

ସେ ଦିନ ମୁଁ ମୋର ସ୍ୟାଣ୍ଡେଲ ରଙ୍ଗ କରିବା ନିମନ୍ତେ ତା ପାଖରେ ଯାଇ ପହଞ୍ଚିଲି । ସେ ରଙ୍ଗ ଦେଇ ସାରି ସିଲେଇ ଫିଟିଯାଇଥିବା ଅଂଶଟିକୁ ଅଧିକ ଚିରି ସିଲାଇ କରିବାକୁ ଏବଂ ସାଣ୍ଡେଲ ତଳେ ଖଣ୍ଡେ ତଳି ପକାଇବା ଲାଗି ସବୁ ମୋଚିଙ୍କ ପରି ମତେ ମଧ୍ୟ ବାଧ୍ୟ କଲା । ମୁଁ ନିହାତି ବାରଣ କରିବାକୁ ସେ ଚୁପ୍‌ ହେଲା ।

 

ଏ ମଧ୍ୟରେ ମୁଁ ତା ସମ୍ପର୍କରେ ଅନେକ କଥା ସଂଗ୍ରହ କରି ନେଇଥିଲି । ସେ ଦିନ ରିକ୍‌ସାଟାଣି ବେଶ ଦୁଇ ପଇସା ଆୟ କରୁଥିଲା । ମାତ୍ର ‘‘ମଣିଷ ଘୋଡ଼ାର’’ ଜୀବନ କି ଦୟନୀୟ ସେ ମନେ ପକାଇଲେ ନୟନରେ ତାର ଅଶ୍ରୁ ଝଲସି ଉଠେ । କେତେଦିନ ଆସାମ ଚା ବିଚରାରେ ସେ ଶ୍ରମିକ ବି ହୋଉଛି । ଏହିଠାରେ ଥିବା ସମୟରେ ତାର ପ୍ରଥମ ସ୍ତ୍ରୀକୁ ଜଣେ କଣ୍ଟ୍ରାକ୍‌ଟର ସଙ୍ଗରେ କାମ କରିବାରୁ ନେଇ ଚାଲିଗଲା । ପ୍ରଥମେ କେତେମାସ ସ୍ତ୍ରୀର ଦରମା ବାବାଦକୁ ସେ କିଛି ଟଙ୍କା ପାଇଛି ମାତ୍ର । ତା ପରେ ଟଙ୍କା ନାହିଁ କିମ୍ୱା ତା ସ୍ତ୍ରୀ ସମ୍ୱାଦ ମଧ୍ୟ ନାହିଁ । ମଦନ ଜୀବନରେ ଏହା ଏକ ଅଶ୍ରୁଳ ଅଧ୍ୟାୟ । ସେ ବେଳେ ବେଳେ ପ୍ରାର୍ଥନା କରି କହେ, ଏପରି ବ୍ୟଥାଦାୟକ ଘଟଣା କାହା ଜୀବନରେ ନ ଘଟୁ । ପାଗମାନ୍ଦା ମାନ୍ଦା । ମଦନ ଅସୁସ୍ଥ ଥାଏ.... କୁଡ଼ିଆରେ ପଡ଼ିଥାଏ । ଜୀବନରୁ ବଳି ଅଳିଅଳ କରି ଯେଉଁ ଝିଅ କୁନ୍ତକୁ ବଢ଼ାଇଥିଲା ସେ ବି ସେ ଦିନ ତାକୁ ଛାଡ଼ଯିବାକୁ ସଂକୋଚ କଲା ନାହିଁ । ଯେଉଁଠି ଯୌବନକୁ ଉପଭୋଗ କରିବାର ତୀବ୍ର ବାସନା ଓ ପେଟପୂରା ମୁଠାଏ ଖାଇବାକୁ ନିର୍ଭର ପ୍ରତିଶ୍ରୁତି ମିଳେ ଏଠାରେ ବାର୍ଦ୍ଧକ୍ୟ ଅସହାୟ । ହାହାକାର ପରିବେଶର ଆକର୍ଷଣ କେତେ ଦୂର ଆଉ ଟାଣି ରଖି ପାରନ୍ତା ? ଝିଅ କଥା କହୁ କହୁ ବେଳେ ବେଳେ ମଦନ ଚକ୍ଷୁ ଅଶ୍ରୁସିକ୍ତ ହୋଇ ଉଠେ । ସେ ଆଗରୁ ପଛକୁ ଚାହିଁ ଦୀର୍ଘ ନିଶ୍ୱାସ ଛାଡ଼ି କହେ ଦୁନିଆରେ କିଏ କାହାର ? ନାଁ ପୁଅ, ନା ଝିଅ, ନାଁ ସ୍ତ୍ରୀ କେହି ନୁହେଁ । ଯେତେଦିନ ପର୍ଯ୍ୟନ୍ତ ନିଜ ହାତରେ ତାକତ୍‌.... । ହାତ ତଳେ ଏ ଦୁନିଆ । ସବୁ ପୁଅ,ଝିଅ, ସ୍ତ୍ରୀ, ସହୋଦର ସମସ୍ତେ ତମର ଯେତେଦିନ ଯାଏ କମରରେ ତମର ଜୋର୍‌ ଅଛି । ପଇସା ମଦନ କମାଉଛି । ଆଜିକାଲି ଆଉ ଘରକୁ ଯାଏ ନାହିଁ । ରାତିଟି ରାସ୍ତା ଉପରେ କଟେ । କାହିଁକି ବା ଯିବ ? ଘରେ କିଏ ତାର ଅଛି ? କ’ଣ ବା ଅଛି ? ଅଛି ବୋଲି ଖଣ୍ଡିଏ ପୁରୁଣା ବଳଦ ଚମଡ଼ା, କାଇ ହଳ ଖଣ୍ଡିଆ ଚପଲ । ଗୋଟାଏ ମାଟିର ଘୁମ । ଗୋଟାଏ ଟିଣ ସିଗାରେଟ ଡବା । ଏବେ ତା’ର ରୋଜଗାର ବହୁତ କମିଛି । କେବେ କେବେ ରାତିରେ ତାକୁ ଉପବାସରେ କଟାଇବାକୁ ପଡ଼ିଛି । ତେବେ ଏପରି ଦୁର୍ଭାଗ୍ୟ ତା ଜୀବନରେ କମ୍‍ ଘଟେ । ସେହି ବୃଦ୍ଧଟିର ମଥା ମୁଁ ମୋର ବହୁ ବନ୍ଧୁଙ୍କୁ କହିଛି-। ତା’ରି ଦୁଷ୍ଟାନ୍ତ ଦେଇ ବହୁବାର ଏହି ପଥପ୍ରାନ୍ତର ବ୍ୟକ୍ତିଟି ପ୍ରତି ମୁଁ ମୋର ବନ୍ଧୁମାନଙ୍କର ଦୃଷ୍ଟି ଆକର୍ଷଣ କରିଛି । ତା ପାଇଁ ମୁଁ ସମସ୍ତଙ୍କ ନିକଟରେ ଦେଶସେବୀର ଗୌରବ ଲାଭ କରିଛି-

 

ହଠାତ୍ ଦିନେ ସେହି ରାସ୍ତାରେ ଦେଖିଲି ମଦନ ଆଉ ନାହିଁ । ପାଖ ଦୋକାନ ମଧୁଆଠାରୁ ବୁଝିଲି ମଦନକୁ ଆସି ତା ଝିଅ ଜୋଇଁ ନେଇ ଯାଇଛନ୍ତି । ଶୁଣି ଖୁସି ହେଲି ଯାହା ହେଉ କୂଳହରା ପଥିକ କୂଳର ସନ୍ଧାନ ପାଇଲା । ସତରେ କେଡ଼େ ମଧୁମୟ ହୋଇଥିବ ସେ ମିଳନ ।

 

ପୁଣି ଆଗକୁ ବଢ଼ିଲି । ହଠାତ୍ ଛାତିରେ ଚମକ ଲାଗିଲା । ଛାଏଁ ମୋର ପାଦର ଗତି ମନ୍ଥର ହୋଇ ଆସିଲା । ସତେ ଯେପରି ସେ ମୋ ମୁହଁ ଉପରେ କହୁଛି କାହିଁ କେଉଁଦିନ ତ ମୋତେ ପେଟ ଭରି ଖାଇବାକୁ ମୁଠାଏ ଯାଚିନି । ତୁମେ କ’ଣ ଜାଣ ନାହିଁ । ଏହି ଫୁଟପାଥ ଉପରେ କେତେଦିନ ମୋର ଭୋକରେ କଟିଛି । ମାତ୍ର ତୁମେ ତ ବେଶ୍... । ସେଦିନ ତୁମ ବନ୍ଧୁମାନେ ଠକିଲେ ମୋତେ, ମାତ୍ର ତୁମେ ପ୍ରତିବାଦ ତ କଲ ନାହିଁ । ଲଜ୍ଜାରେ ମୋ ମୁଣ୍ଡ ନଇଁଗଲା-

 

ସବୁଦିନ ପରି ସେଦିନ ବି ତରୁଣୀ ଶିକ୍ଷୟତ୍ରୀ ଦୁହେଁ ସ୍କୁଲ ଆସୁଛନ୍ତି । ବିଜୟ ମୋତେ ପରିହାସ କରି କହିଲା । କିରେ ଏ ଉଛୁଳା ଯୌବନ ଏ କବିତାଲେଖା ଚାଲି ଦେଖି ଲାଜରେ ଝାଉଁଳି ଗଲୁ କି ? ପୁଣି ଏହି ବୟସରେ । ତୁ ପରା ଗୋଟେ ମରଦ ଟୋକା । ମୋର ମୋଟେ ଧାରଣା ନ ଥିଲା ତୁ ଏପରି ଗୋଟାଏ ମାଇଚିଆଟେ ବୋଲି । ଛି ଛି... ।

 

ମୁଁ କିଛି ନ କହି ଚୁପ ରହିଲି । ଆକାଶରେ ଅନେକ ବାଦଲ ଖଣ୍ଡ ଉଡ଼ି ବୁଲୁଥିଲା । ସେହି ବାଦଲ ଦେହରେ ମୁଁ ଶୁଷ୍କ ନୀରସ, ବେଦନା ବିଦଗ୍‌ଧ ମନର ଶାନ୍ତ ମୁହଁ ଉପରେ ବୟସର ବୈଜୟନ୍ତୀ ବହନ କରି ଅକ୍ଷାଂଶର ଦ୍ରାଘିମା ପରି ଛନ୍ଦି ହୋଇ ବହିଥିବା ରେଖାର ପ୍ରତିଚ୍ଛବି ଦେଖି ପାରୁଥିଲି । ବିଜୟ ପୁଣି ପ୍ରଶ୍ନକଲା... କ’ଣ କିଛି କହୁନୁ ଯେ, ଚୁପ୍ ରହିଲୁ ?

 

ସେ କିପରି ବୁଝିବ ? ମୁଁ ଆଜି ମାଇଚିଆ, ଆଦର୍ଶବାଦୀ ଆଉ ଦେଶପ୍ରେମୀ । ମେହନତୀ ମଣିଷ ମଦନର ଜୀବନସଙ୍ଗୀତର କରୁଣ ମୂର୍ଚ୍ଛନା ମୋର ପ୍ରାଣର କେଉଁ ତନ୍ତ୍ରୀରେ ଆଜି ଆଘାତ କରିଛି । ସେହି ଆଘାତରେ ମୁଁ କିପରି ରକ୍ତାକ୍ତ, ମାନସିକ ପଙ୍ଗୁ ଏକ ଅସହାୟ ମେଷଶାବକ । ସତରେ ମୁଁ କିଛି କହିବା ଅବସ୍ଥାରେ ନାହିଁ ।

񤦬񤦬񤦬

 

ବସ୍‌ ଷ୍ଟପ୍‌

 

ବର୍ଷାର ଚାବୁକ ଖାଇ ବସ୍ ଛୁଟି ଚାଲିଛି । ବସ୍‌ ଭିତରେ ଯାତ୍ରୀମାନେ ସମସ୍ତେ ଚୁପ୍‌ଚାପ୍‍ । କଣ୍ଡକ୍‌ଟର ବେଲ ଦେଲେ । ହଠାତ୍‌ ବସ୍‌ ଠିଆ ହେଲା । ଯାତ୍ରୀମାନଙ୍କ ଭିତରେ ଜାଣିବାର ଆଗ୍ରହ ଏ କେଉଁ ବସ୍‌ଷ୍ଟପ, କେଉଁ ସ୍ଥାନ । ବର୍ଷାପାଇଁ ଉଇଣ୍ଡୋସ୍କ୍ରିନ ଡ୍ରପ ହୋଇଛି ।

 

‘କ୍ଷମା କରିବେ...ଏହା ବସ୍‌ ଷ୍ଟପ୍‌ ନୁହେଁ’ ନମ୍ର କଣ୍ଠରେ ଉତ୍ତର ଦେଲେ କଣ୍ଡକ୍‌ଟର ।

 

ହାତରେ ବର୍ଷାତି କୋଟ, ହାଣ୍ଡବ୍ୟାଗ, ଓଠରେ ପରକୁ ଆପଣାର କରିବାର ମିଠା ହସ ସହ ସୁରୁଚିସମ୍ପନ ପରିଚ୍ଛଦ ପିନ୍ଧା ଜନୈକା ଯୁବତୀ ଧୀର ପଦରେ ବାହାରି ଆସିଲେ । ବସ୍‌ର ସମସ୍ତଙ୍କ ଦୃଷ୍ଟି ସତେ ଯେପରି କେବଳ ତାଙ୍କୁଇ ଚାହିଁ ରହିଲା ସିନେମା ମଧ୍ୟରେ ସତେ ଯେପରି ବିରତି ।

 

ସାମାନ୍ୟ ଟୁପ୍‌ଟାପ....କେହି କେହି ଟିପ୍‌ପଣୀ କଲେ, ସେ ତାଙ୍କୁ ଜାଣନ୍ତି । ସେକ୍ରେଟାରୀଏଟ କରିଡ଼ରରେ ତାଙ୍କୁ ନିଶ୍ଚିତ ଭାବେ ଦେଖିଛନ୍ତି । ଗଭର୍ଣ୍ଣମେଣ୍ଟ ଏମ୍‌ପ୍ଲୟୀ, ସୋସାଇଟି ଗାର୍ଲ, ଭଦ୍ର ପରିବାରର ଝିଅ....ଛାଡ଼ନ୍ତୁ ସେ ଯିଏ ହୁଅନ୍ତୁ । ଦୁନିଆରେ ବଞ୍ଚିବାକୁ ହେଲେ ଅନେକ ଇନ୍ଦ୍ରଧନୁ ଦେଖିବାକୁ ହେବ ।

 

ବର୍ଷାସିକ୍ତ କେଶରାଜି...ମୁହଁରେ ଅସମ୍ଭବ ଆତ୍ମବିଶ୍ୱାସର ପ୍ରତିଫଳନ । ଯୁବକ ଜଣକ ଗାଡ଼ି ଭିତରକୁ ପଶି ଆସିଲେ । କ୍ଲିନର ରୁକ୍ଷ କଣ୍ଠରେ ‘‘ଏଟା ବସଷ୍ଟପ ନୁହେଁ । ଆଉ ସିଟ୍‌ ନାହିଁ । ଆପଣ ଓହ୍ଲାଇଯାଆନ୍ତୁ । ରାସ୍ତାରୁ ପାସେଞ୍ଜର ନେବା ଆମକୁ ମନା ।’’

 

‘‘ମୁଁ ଯିବି । ମୋତେ ଯିବାକୁ ହେବ । ମୋତେ ନେବାକୁ ହେବ ।’’

 

‘‘କି ଜବରଦସ୍ତ କଥା । ଥରେ କହିଲି ରାସ୍ତାରୁ ପାସେଞ୍ଜର ଉଠାଇବା ମନା ।’’

 

‘‘ତେବେ ଏଠାରେ ଗାଡ଼ି ବନ୍ଦ କଲେ କାହିଁକି ?’’

 

‘‘ସେ ଭଦ୍ର ମହିଳା ଜଣକ ଓହ୍ଲାଇବାକୁ ଚାହିଁଲେ ।’’

 

‘‘ତାଙ୍କୁ ମନଖୁସିରେ ଓହ୍ଲାଇବାକୁ ଦେବା ତେବେ ନିୟମ ?’’

 

ଢୁଳାଇ ପଡ଼ିଥିବା ପାସେଞ୍ଜରମାନେ ଆଖି ଖୋଲିଲେ । ବସ୍‌ ଭିତରେ ସାମାନ୍ୟ ଉତ୍ତେଜନା । କିଏ ପକ୍ଷ ନେଲା ଆଗନ୍ତୁକଙ୍କର କିଏ କ୍ଲିନରର । ଦୀର୍ଘପଥର ଯାତ୍ରୀମାନଙ୍କ ପାଇଁ ଗୋଟିଏ ଚେଞ୍ଜ ଉପଭୋଗ୍ୟ ବ୍ୟତିକ୍ରମ । ଯୁବକଙ୍କୁ ଶେଷଥର ପାଇଁ ପଚାରିଲେ କ୍ଲିନର ଓ କଣ୍ଡକ୍‌ଟର ‘‘ଆପଣ ଧସି ପଶୁଛନ୍ତି, ପୁଣି ଟିକେଟ ନାହିଁ...ଓହ୍ଲାନ୍ତୁ, ଓହ୍ଲାନ୍ତୁ । ନଚେତ ଗାଡ଼ି ଏଠି ରହିଲା ।’’

 

‘‘ହଁ ଧସି ପଶିଛି । ଚାହିଁଲେ ଜବରଦସ୍ତ ବାହାର କରି ଦିଅନ୍ତୁ । ମୁଁ କିନ୍ତୁ ଯାଉ ନାହିଁ । ମୋର ଜରୁରୀ କାମ ଅଛି । ଗାଡ଼ି ଅଟକାଇବାକୁ ଅନୁରୋଧ କରି କରି ଥକିଲିଣି । କୌଣସି ପରିବହନ କର୍ମଚାରୀଙ୍କ ଦୃଷ୍ଟି ମୁଁ ଆକର୍ଷଣ କରି ପାରୁନି । ବର୍ଷାରେ ପାଞ୍ଚଟା ବେଳୁ ମୁଁ ଏଠାରେ ଠିଆ ହୋଇ ଥରୁଛି । ଏ ଯୁବତୀ ଆଜି ଭିତରେ ଚାରି ଥର ରାଜଧାନୀକୁ ଯାଇ ଫେରିବା ସମୟରେ ଯେ କୌଣସି ସ୍ଥାନରେ ଓହ୍ଲାଇଯିବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରିଛି ।

 

ଆପଣ ତାଙ୍କୁ ଚିହ୍ନିଲେ କିପରି ? ପଛ ସିଟ୍‌ରୁ ଏକ ଅପରିଚିତ ଯାତ୍ରୀଙ୍କ ପ୍ରଶ୍ନ ।

 

‘‘ଅବିକଳ ଏ କଣ୍ଡକ୍‌ଟର ବାବୁ ତାଙ୍କ ଉଦ୍ଦେଶ୍ୟ ବୁଝି ଯେପରି ଏଠାରେ ଗାଡ଼ି ଅଟକାଇଲେ । ସେ ଜଣେ ଉଗ୍ରପନ୍ଥୀ ... ନକସଲପନ୍ଥୀ ।’’

 

‘‘ମାତ୍ର ସେ ସେପରି ଦେଖା ପଡ଼ୁନାହାନ୍ତି ।’’

 

ଯୁବକ ଜଣକ କିଛି କହି ଆସୁଥିଲେ । କିନ୍ତୁ କଣ୍ଡକଟର ତାଙ୍କୁ ଅଧିକ କହିବାକୁ ନ ଦେଇ ହଁ ନାଁ ରେ ଗୋଟିଏ ଛୋଟ ଉତ୍ତର ତାଙ୍କଠୁ କେବଳ ଚାହଁଲେ । ‘‘ବିନା ଟିକେଟରେ ଗାଡ଼ିରେ ଆପଣ ଉଠିଲେ କାହିଁକି ? ନ ଓହ୍ଲାଇଲେ ଗାଡ଼ି ଏଇଠି ରହିଲା......’’

 

ପୁଣି ସେଇ ପ୍ରଶ୍ନ ଜାହିର କରିବା କଣ୍ଠରେ ଯୁବକ ଜାଣିବାକୁ ଚାହିଁଲେ ‘‘ଆପଣ ଏଠି ବିନା ଷ୍ଟପରେ ଗାଡ଼ି ଅଟକାଇଲେ କାହିଁକି ?’’

 

‘‘ଥରେ କହିଲି—ଯେହେତୁ ଭଦ୍ରମହିଳା ଜଣକ ଓହ୍ଲାଇବାକୁ ଚାହିଁଲେ—ତାଙ୍କ ସୁବିଧା ପାଇଁ ତାଙ୍କୁ ଏଠି ଓହ୍ଲାଇ ଦେଲୁ ।’’

 

‘‘ଯେହେତୁ ମୁଁ ଜଣେ ଭଦ୍ରଲୋକ । ମୋ ସୁବିଧା ଅସୁବିଧା ପ୍ରତି କେହି ଦୃଷ୍ଟି ଦିଅନ୍ତି ନାହିଁ । ମୋ ବ୍ୟବସ୍ଥା ମତେ କରିବାକୁ ହୋଇଥାଏ । ସେଥିପାଇଁ ମୁଁ ଉଠି ଆସିଲି । ଆପଣ ଗାଡ଼ି ନ ଛାଡ଼ି ପାରନ୍ତି । ମାତ୍ର ମୁଁ ଯାଉନି । ଥରେ କହିଲି ମୁଁ ଯାଉନି । ମୋତେ ବ୍ୟସ୍ତ କରନ୍ତୁ ନାହିଁ ।

 

ପଛ ସିଟରୁ ପାଟି ଶୁଭିଲା, ‘‘ଅଯଥା ଡେରି ହେଉଛି । ସେ ତ ଅଳ୍ପଦୂର ଯିବେ । ଠିଆ ହୋଇ ଯିବାକୁ ରାଜି । ତାଙ୍କ ସଙ୍ଗେ କାହିଁକି ଅଯଥା ଲଗେଇଛନ୍ତି ?’’

 

କଣ୍ଡକ୍‌ଟର ବିରକ୍ତ ହୋଇ ବେଲ୍ ଦେଲେ। ଏସବୁ କିଛି ଭଲ କଥା ନୁହେଁ । ଗାଡ଼ି ଷ୍ଟାର୍ଟ ଦେଲା । ବର୍ଷାର ସେଇ ରିମ୍‌ ଝିମ୍‌ ସୁର । ପିଚୁବୋଳା ବର୍ଷାଧୂଆ ଜନପଥ ଉପରେ ବସ ଛୁଟି ଚାଲିଲା । ସତେ ଅବା କୌଣସି ଏକ ନିଶ୍ଚିତ ବିଜୟର ସମ୍ଭାବନା ତା ପାଇଁ ପ୍ରତୀକ୍ଷା କରି ରହିଛି ।

񤦬񤦬񤦬

 

ସେ

 

ଝରକା ସେ ପାରେ ସକାଳ ଆକାଶରେ ଆଲୋକର ଉତ୍ସବ । ଉନ୍ନତ, ଉଜ୍ଜ୍ୱଳ, ଅନେକ ସ୍ୱପ୍ନର ମୀନାର । ବଗିଚାରେ ବର୍ଷାଧୂଆ ସଫେଦ୍‌ ରଜନୀଗନ୍ଧା ବେକ ଟେକି ଚାହିଁ ରହିଛି । ତୃଷ୍ଣାର ସରଣୀ । ତା ପରେ ସେ ଚାହିଁଲେ ଆକାଶକୁ । ଚେକି ଚେକି ମେଘର ଆସ୍ତରଣ; ଯାହାର ଆରମ୍ଭ ନାହିଁ ଶେଷ ନାହିଁ । ଅନେକ ନିର୍ଲିପ୍ତ ମୁହୂର୍ତ୍ତର ମୂକସାକ୍ଷୀ ।

 

ସେ ପ୍ରଶ୍ନକଲେ—ହଠାତ୍‌ ମୁକୁଳା ଝରକା ବନ୍ଦ କଲ କାହିଁକି ? ତୁମେ ସକାଳ ଆଲୋକ, ବର୍ଷାଧୂଆ ରଜନୀଗନ୍ଧା, ମୁକ୍ତଆକାଶରେ ଉଡ଼ି ବୁଲୁଥିବା ମେଘଖଣ୍ଡକୁ ଏତେ ଭଲ ପାଅ-

 

ତୁମକୁ ପାଇଗଲା ପରେ ସେସବୁର ପ୍ରୟୋଜନ ନାହିଁ । ତୁମେ ମୋର ସବୁ । ‘‘ସକାଳର ଆଲୋକ, ସଫେଦ୍ ରଜନୀଗନ୍ଧା, ମୁକ୍ତ ଆକାଶର ମେଘମାଳା ।’’

 

ତାପରେ କକ୍ଷ ମଧ୍ୟରେ ଆଉ କିଛି ଶୁଣା ଯାଇନଥିଲା । କିଛି କହିବା ପାଇଁ ସତେ ଯେପରି ଜିହ୍ୱା ଏକାନ୍ତ ଅସହାୟ ହୋଇ ପଡ଼ିଥିଲା । କେବଳ ଅନେକ ଇଚ୍ଛାର ତୀର୍ଥ ଚାରିଗୋଟି ଚକ୍ଷୁ ଅନେକ କିଛି କହି ଚାଲିଥିଲେ । କକ୍ଷ ମଧ୍ୟରେ ବିସ୍ମୟଭରା ପୁଲକର ତରଙ୍ଗ ଚଞ୍ଚଳ ହୋଇ ଉଠୁଥିଲା । ସେ କ’ଣ କହିବାକୁ ବାରମ୍ବାର ଚେଷ୍ଟା କରି କହି ପାରୁ ନ ଥିଲେ ।

񤦬񤦬񤦬

 

ମହାରାଜା

 

ତା’ ପରେ ସେ ଦୃଷ୍ଟି ଫେରାଇଲେ.... । ଦ୍ୱିତଳ ପ୍ରାସାଦ ତଳେ ଅଗଣିତ ମେହନତି ଜନତାର ଜୁଆର—ତରଙ୍ଗରେ ଗୋଟିଏ ଦାବୀର କେବଳ ପ୍ରତିଧ୍ୱନି ।

 

ରାଜା ମହାରାଜା, ଜମିଦାର ନୁହେଁ, ଆମେ ମଧ୍ୟ୍ୟ ବଞ୍ଚିବୁ । ଆମେ ମଣିଷ ।

 

ମହାରାଜା ପ୍ରଶ୍ନ କଲେ ‘‘ଏମାନେ କିଏ ?’’

 

‘‘ସଂଗ୍ରାମୀ ମଣିଷ, ସଭ୍ୟତାର ବାର୍ତ୍ତାବହ, ଅଗ୍ନି ଶିଖା ।’’

 

‘‘ମୋର ସହୋଦର ରାଜା ଭାଇବିରାଦର କେହି ନୁହନ୍ତି ତ ?’’

 

‘‘ନା ।’’

 

ଘୃଣାରେ ନାସିକା କୃଞ୍ଚନ କଲେ ମହାରାଜ—‘‘ଏମାନଙ୍କୁ ଅପସରି ଯିବାକୁ କହ ।’’

 

‘‘ଏ ନବ ପ୍ରବାହର ମହାସ୍ରୋତର ପଥ ଅବରୋଧ, କରିହେବ ନାହିଁ ମହାରାଜ, ପ୍ରତିରୋଧ କଲେ ଏହି ମହାନ୍‌ ସ୍ରୋତରେ ଲୀନ ହୋଇଯିବା କେବଳ ସାର ହେବ ।’’

 

‘‘କ’ଣ କହୁଛ ?’’

 

‘‘ଠିକ୍‌ କଥା କହୁଛି ମହାରାଜ, ସେମାନେ ଆଉ ଆମକୁ ରାଜାର ସମ୍ମାନ ଦେବା ପାଇଁ ପ୍ରସ୍ତୁତ ନୁହନ୍ତି । ଦୀର୍ଘ ବିନିଦ୍ର ରଜନୀର କ୍ଳାନ୍ତିଭରା ମୁହଁ ଉପରେ ବେଦନା ଉଙ୍କି ମାରି ଉଠୁଥିଲା । ଦୀର୍ଘ ନିଶ୍ୱାସ ତ୍ୟାଗ କରୁଥିଲେ ମହାରାଜା ।

 

ଦ୍ୱିତଳ ପ୍ରାସାଦରେ ପ୍ରତିଧ୍ୱନିତ ହେଉଥିଲା ସେହି ଗୋଟିଏ ଦାବୀ....

 

ଦୃଷ୍ଟି ଫେରାଅ ।

 

ଆମର ଦାବୀ ପୂରଣ କର ।

 

ଆମେ ମଣିଷ ।

 

ପୂର୍ବାକାଶ ଲାଲ କରି ସୂର୍ଯ୍ୟ ଉଠୁଥିଲା ।

񤦬񤦬񤦬

 

ଶିଳାତୀର୍ଥର ଶିକାର

 

ସେହି ସରଳା ଅତ୍ୟାଚାରିତା ମହିଳା ଯେଉଁ ଚିଠିଟି ତାର ଦୁଃଖ ବର୍ଣ୍ଣନା କରି ତାର ବାନ୍ଧବୀ ନିକଟକୁ ଲେଖିଥିଲା, ମୁଁ ଏଠାରେ ଅବିକଳ ସେହି ଚିଠିଟି ସମସ୍ତଙ୍କର ଜାଣିବା ନିମନ୍ତେ ପ୍ରକାଶ କରୁଛି । ଏହାଦ୍ୱାରା ମୁଁ କୌଣସି ଅନ୍ୟାୟ କରୁନାହିଁ କାରଣ ସେ ହତଭାଗିନୀ ଚାହେଁ ସମସ୍ତେ ଜାଣନ୍ତୁ ତା’ର ଦୁଃଖର କାହାଣୀ । ସେ ଚାହେଁ ତଥାକଥିତ ଭଦ୍ର ସମାଜର ନିଜ ରୂପ ପ୍ରକାଶପାଉ । ମୁଖା ଖୋଲିଯାଉ । ସମସ୍ତେ ସଚେତନ ରହନ୍ତୁ ଏଇ ପଶୁମାନଙ୍କ ସଂପର୍କରେ । ସେ ଚିଠିଟି ହେଲା—

ସ୍ନେହର ନଳିନୀ,

ତୋ ସମବେଦନାଭରା ଚିଠିଟି ମୋର ଏ ଦୁର୍ଦ୍ଦିନରେ ମୋତେ ଅନେକ ସାନ୍ତ୍ୱନା ହେଲା-। ଲେଖିଛି ତୁ ସମ୍ୱାଦପତ୍ର ପାଉ ନାହୁଁ । ଶୁଣାଶୁଣିରେ ଯେତିକି ଜାଣିଲୁ । କଥା ମିଛ ନୁହେଁ । ମୋର ସୌଭାଗ୍ୟ ସତ୍ୟକୁ ଦିବାଲୋକରେ ପଳେ ପଳେ ହତ୍ୟା କରିବାର ଯଥେଷ୍ଟ ପୂର୍ବର ତାହା ପ୍ରକାଶ ପାଇଯାଇଛି । ସତ୍ୟ ସତରେ କେତେ ନିର୍ମମଭାବେ ଉୟଙ୍କର । କୌଣସି ଉପାୟରେ ଏହି ସତ୍ୟକୁ ଯଦି ଧନିକ ଶୋଷକ ଶ୍ରେଣୀ ଅବରୋଧ କରିପାରୁ ଥାଆନ୍ତେ ତେବେ ଅସହାୟ, ଦରିଦ୍ର ଶ୍ରେଣୀର ଦୁଃଖ କେଉଁ ଚରମ ଅବସ୍ଥାରେ ଆସି ପହଞ୍ଚି ଯାଆନ୍ତା, ଅନୁମାନ କରିବା କଷ୍ଟ ।

ଠିକ୍‌ ତିନି ବର୍ଷ ତଳେ କେଉଁ ପରିସ୍ଥିତିରେ ମୋର ଗର୍ଭପାତ ହୋଇ ଯାଇଥିଲା ତୋତେ ଲେଖିଥିଲି । ତାହା ମୋ ଜୀବନରେ ଏକ ଦୁଃଖଭରା ଅଧ୍ୟ୍ୟାୟ । ଏ କଥା ତୋ ମନରୁ ହୁଏତ ଲିଭି ଯାଇଥିବ ମାତ୍ର ଏ ଘଟଣା ମୋ ମନରେ ସ୍ପୁଲିଙ୍ଗ ପରି ସବୁବେଳେ ଦିକ୍‌ ଦିକ୍‌ ଜଳିରହୁଛି । ନ ରହନ୍ତା ବା କିପରି ?

ରମାକାନ୍ତ ବାବୁ ଏ ମଧ୍ୟ୍ୟରେ କଂପାନୀ ଚାକିରୀରେ । ତୁ ହୁଏତ ଜାଣି ନ ଥିବୁ । ତୋତେ ମଧ୍ୟ ଲେଖି ନ ଥିଲି । କ’ଣ ବା ଲେଖନ୍ତି ? ଏଇ ବର୍ଷକ ମଧ୍ୟରେ ସେ ତିନିଟି କାମ ଛାଡ଼ିଛନ୍ତି । ଏ କମ୍ପାନୀ ଚାକିରୀ କେତେ ଦିନ ଯାଉଛି ସେ ଜାଣନ୍ତି । ତାଙ୍କର ଏ ଖିଆଲ ମନୋଭାବକୁ ମୋତେ ବିରକ୍ତ ଲାଗେ । ମାତ୍ର ମୁଁ କିଛି କହିପାରେ ନାହିଁ ତାଙ୍କୁ । ତୁ ପଚାରିପାରୁ କାହିଁକି ? ମୋତେ ପରିହାସ କରିପାରୁ । ମାତ୍ର ଅନେକ କାହିଁକିର ଉତ୍ତର ଦେବା ପରି ଏହାର ଉତ୍ତର ଦେବା ମଧ୍ୟ କଷ୍ଟକର ।

ସେ ସାତଦିନ ପାଇଁ ଛୁଟିରେ ଆସିଥିଲେ । ହଠାତ୍‌ କାହିଁକି କେଜାଣି ତାଙ୍କର ଝୁଙ୍କ ଉଠିଲା ମୋତେ ନେଇଯିବେ ଦୁଇ ଦିନ ପାଇଁ ସରକାରଙ୍କ ନବନିର୍ମିତ ବିଶ୍ରାମାଗାର ‘ଶିଳାତୀର୍ଥକୁ’-। ମୁଁ ମନା କଲି । କହିଲି, ସଂପୂର୍ଣ୍ଣ ବିଶ୍ରାମ, ଅଣ୍ଡାଦୁଧ ଉପାଦେୟ ଖାଦ୍ୟ, କୋଳାହଳଠାରୁ ଦୂରରେ ଶାନ୍ତି ପରିବେଶରେ କିଛି ଦିନ କଟାଇବା କଥା ଆମପରି ଦରିଦ୍ର ସ୍ୱଳ୍ପ ବେତନଭୋଗୀ ପରିବାର ପାଇଁ ନୁହେଁ । ଏ ସବୁ ବଡ଼ବଡ଼ିଆଙ୍କ କଥା । ସେମାନଙ୍କୁ ସାଜେ । ମୁଁ ସତରେ ମନାକଲି-। ନା ଯିବା ନାହିଁ । ବରଂ ବର୍ତ୍ତମାନ ପଇସାପତ୍ର ଖର୍ଚ୍ଚ ନ କରି ରଖିଲେ ଡେଲିଭରି ସମୟରେ କାମରେ ଆସିବ । ମାତ୍ର ସେ କିଛି ଶୁଣିଲେ ନାହିଁ । କହିଲେ, ଡାକ୍ତର କହୁଛନ୍ତି, ତୁମେ ଯାଇ ଟିକେ ଅନ୍ୟଆଡ଼େ ବୁଲାବୁଲି କରି ଆସିଲା ତୁମ ସ୍ୱାସ୍ଥ୍ୟ ପାଇଁ ଉପକାର ହେବ । ସ୍ଥାନ ପରିବର୍ତ୍ତନ ଏକାନ୍ତ ଜରୁରୀ । ମୁଁ ଏପରି ଏକ ଯୋଜନାରୁ ତାଙ୍କୁ ନିବର୍ତ୍ତାଇବା ନିମନ୍ତେ ଯେତିକି ଚେଷ୍ଟା କଲି ସେହି ପରିମାଣରେ ସେ ଯିବା ନିମନ୍ତେ ଜିଦ୍‌ ଧରିଲେ, ମୁଁ ଶେଷରେ ତାଙ୍କ ପ୍ରସ୍ତାବରେ ସମ୍ମତ ହେଲି-। ମୁଁ ବୁଝିଲି, ତାଙ୍କର ଏ ପ୍ରସ୍ତାବ ପଛରେ ଆନ୍ତରିକତା ରହିଛି । ସେ ଚାହୁଁଥିଲେ ମୋର ସୁଖପ୍ରସବ ହେଉ । ମୁ୍ଁ ସତରେ ବିସ୍ମିତ ହେଲି ଏ ଖିଆଲି ମଣିଷଟିର ଏପରି ପରିବର୍ତ୍ତନ ହୋଇଛି ଦେଖି । ମଣିଷ ପରା ଏମିତି ବଦଳେ । ବୟସ, ଅନୁଭୂତି, ଅଭିଜ୍ଞତା, ମାୟାମମତାର ଛାଇ ମଣିଷକୁ ପରା ଏପରି ବଦଳାଇ ଥାଏ ।

ଆମେ ଚାଲିଲୁ ‘ଶିଳାତୀର୍ଥ’ ଉଦ୍ଦେଶ୍ୟରେ । ଦୁଇ ଦିନ କଟାଇ ଫେରିବାକୁ । ବେଶ୍‌ ଚମତ୍‌କାର ବନଗିରି ଘେରା ପରିବେଶ । ଝରଣାଟିଏ କୁଳୁକୁଳୁ ହୋଇ ବୋହି ଯାଉଛି । ସେହିଠାରେ ନବନିର୍ମିତ ଏ ବିଶ୍ରାମାଗାର । ଘରଗୁଡ଼ିକ ଛୋଟ ମାତ୍ର ଲୋଭନୀୟ ତାର ସାଜସଜା । ଘର ତୁଳନାରେ ଝରକାଗୁଡ଼ିକ ଅନେକ ବଡ଼ ବଡ଼ । ଅଟ୍ଟାଳିକା ସମ୍ମୁଖସ୍ଥ ପାହାଡ଼ର ପଥର ଛାତି ଚିରାଯାଇ ତିଆରି କରାଯାଇଛି ଗୋଟିଏ ଗୋଲାପ ବଗିଚା । ଅନେକ ଭେରାଇଟିର ଫୁଲ, ତା ନିକଟରେ ବସିଗଲେ ମଳୁ ଦେହରେ ମଳୟ ଲାଗିଲା ପରି ମନେହୁଏ । ତା ବ୍ୟତୀତ ସେଠି ଯେଉଁ ସୁନ୍ଦର ଲନ୍‌ କରାଯାଇଛି ତା ଉପରେ ଲମ୍ବ ହୋଇ ପଡ଼ିଗଲେ ଆଖିପତାରେ ନିଦ ମାଉସୀ କେତେବେଳେ ତା’ର କୋମଳ ସ୍ପର୍ଶର ତୁଳି ବୋଳିବା ଆରମ୍ଭ କରିଦିଏ ଜାଣିହୁଏ ନାହିଁ ।

ଶିଳାତୀର୍ଥରେ ସଂଧ୍ୟା କଟାଇବା ପରେ ମନେ ମନେ ଭାବିଲି ସତରେ ଏଠିକୁ ଆସି ନ ଥିଲେ ଅନେକ ଇଚ୍ଛା ଅପୂରଣୀୟ ହୋଇ ରହିଯାଇ ଥାଆନ୍ତା । ମଣିଷକୁ ଶାନ୍ତି ଦେବା ନିମନ୍ତେ ପ୍ରକୃତି ଆପଣକୁ କେତେ ଉଦାର ଭାବେ ସଜାଇ ରଖିଛି । କେତେ ମନୋରମ ଏ ବନସ୍ଥଳୀ ।

ସଂଧ୍ୟା ନଇଁ ଆସିବା ସଙ୍ଗେ ସଙ୍ଗେ ‘ଶିଳାତୀର୍ଥ’ ନିର୍ମମ ଭାବେ ନିସ୍ତବ୍‌ଧ ହୋଇଉଠିଲା । ନିକଟତମ ପରିବେଶ ଯାହା ଦିନରେ ମନରେ ରୋମାଞ୍ଚ ସୃଷ୍ଟି କରୁଥିଲା ଘନ ଅନ୍ଧକାରର ଆବରଣ ତଳେ ତାହା ଲୁକ୍‌କାୟିତ ହୋଇଯିବା ପରେ ମନରେ ସୃଷ୍ଟି କଲା ଶଙ୍କା ।

 

ବିଶ୍ରାମଗାରର ପ୍ରହରୀ ଆସି କବାଟ ଠକ ଠକ କଲା । ମୁଁ ଚମକି ଚାହିଁଲି । ସେ (ରମାକାନ୍ତ) ଆସି କବାଟ ଖୋଳିଲେ । ପ୍ରହରୀଟି କହିଲା ‘ବାବୁ ସାବଧାନ’ ରାତିରେ ପଦାକୁ ବାହାରିବେ ନାହିଁ । ଦୁଇ ଦିନ ହେଲା ଜଙ୍ଗଲରେ ବାଘ ମାତିଛି । ଦୁଇଟା ମଣିଷ ଗଲାକାଲି ମାରିଛି-। ସାବଧାନ ହୋଇ ଶୋଇବେ । ଟର୍ଚ୍ଚ ଆଣିଛନ୍ତି ତ । ତଳ ଝରକା ଖୋଲିବେ ନାହିଁ । ସେ ଏତିକି କହି ଚାଲିଗଲା । ମୁଁ ଚମକି ଚାହିଁଲି । ସେ ପ୍ରଶ୍ନ କଲେ ଡରିଗଲ କି ? ମୁଁ କହିଲି ନା...ତୁମେ ତ ଅଛ । ‘‘ମୁଁ ଯଦି ବାଘ ହୋଇ ତୁମକୁ ଆକ୍ରମଣ କରେ ଆଉ ଆଜି ଏଇଠି ରାତିରେ-।’’

 

ମୁଁ ହସିଲି । କହିଲି ତୁମେ ପୁଣି ବାଘ ହେବ । ବାଘ ହେବାପାଇଁ ଶକ୍ତି ସାହସ ଥିଲେ ହେଲା । ତେବେ ମଣିଷ ଯେଉଁଠି ବାଘପରି ଭୟଙ୍କର ହୋଇଉଠେ ସେଠାରେ ପରିସ୍ଥିତି ଭିନ୍ନ ଆକାର ଧାରଣ କରେ । ମୁଁ ସତରେ ବାଘଠାରୁ ଏପରି ମଣିଷଙ୍କୁ ଅଧିକ ଭୟ କରେ, ଯିଏ ଶିକାର କରିବ ସେ ବ୍ୟାଘ୍ର ପରି ନିର୍ମମ ହେବ, ନିର୍ଦ୍ଦୟ ହେବ, ମାଂସ ଖାଇବ, ରକ୍ତ ପିଇବ । ବିଲେଇଛୁଆ ପରି ଚୁପ୍‌ ଚୁପ୍‌ ଆସି ଆଉ ଛାତି ଉପରେ ଶୋଇବ ନାହିଁ, ଲାଞ୍ଜ ହଲାଇବ ନାହିଁ, ଜିଭ ଚାଟିବ ନାହିଁ-।’’ ତୁମେ ବାଘ ହୋଇ ପାରିବନା ?

 

ସେ ସାମାନ୍ୟ ହସି କହିଲେ, ସେ ଯାହାହେଉ ତୁମେ ସାବଧାନ ରହ । ଏଇଠି ତ ବାଘ ମଣିଷ ଖାଇଛି । ମୁଁ କହିଲି, ତୁମେ ଆଉ ବାଘ କଥା ପକାନା । ମତେ ସତରେ ଭୟ ଲାଗୁଛି, ସକାଳ ହେଲେ ସରକାରଙ୍କ ବାଘ ଚାଷ ଯୋଜନା ପଛେ ବୁଝାଇବ ।

 

ରମାକାନ୍ତ ବାବୁ ହାତରେ ଧରିଥିବା ମିଠାଟିକୁ ପାଟିକୁ ନେଲେ । କଦଳୀ ଛଡ଼ାଇ ତାଙ୍କ ହାତକୁ ବଢ଼ାଇ ଦେଉଛି ହଠାତ୍‌ ଶୁଣିଲି ଝରକା କବାଟ ଉପରେ ଠକଠକ ଶବ୍ଦ । ସେ ଉଠିଯାଇ ଆଗନ୍ତୁକମାନଙ୍କୁ ପଚାରିଲେ ‘କଣ କହୁଛନ୍ତି.....କ’ଣ କାମ ଅଛି ?’

 

ଉତ୍ତର ମିଳିଲା—‘ଆପଣଙ୍କ ସଙ୍ଗେ କଥା ଅଛି, ଟିକେ ପଦାକୁ ଆସନ୍ତୁ । ଆପଣଙ୍କ ସଙ୍ଗେ ଜରୁରୀ କାମ ଅଛି’ ।

 

ଚାରି ଜଣ ଆଧୁନିକ ଯୁବକ, ଦୁଇଜଣଙ୍କର ମୁହଁ ଉପରେ ତରବାରିକଟ୍‌ ନିଶ,ଚେହେରା ମନ୍ଦ ନୁହେଁ । ଆଉ ଜଣଙ୍କର ହିପି ହେୟାରକଟ୍‌, ଶେଷ ଜଣଙ୍କର ଲମ୍ବାକଲି, ଜଣେ ପିନ୍ଧଥିଲା ପେଣ୍ଠାଲୁନ୍‌ ପାଇଜାମା । ଅନ୍ୟମାନେ ଫୁଲପ୍ୟାଣ୍ଟସାର୍ଟ । ସେ ଏଲିପ୍ୟାଣ୍ଟକଟ୍ କ’ଣ ଦିଶୁଛି ମ ? ସେମାନଙ୍କୁ ଦେଖି ମୋର ଇଚ୍ଛା ହେଉଥିଲା ସେମାନଙ୍କୁ ଘର ଭିତରକୁ ଡାକିବାକୁ, ଚା’କରି କପେ କପେ ଦେବାକୁ । କିଛି ସମୟ ଏଣୁ ତେଣୁ ଗପିବାକୁ,ଅନ୍ତତଃ ବାଘ ଭୟରୁ ମଣିଷ କିଛି ସମୟ ରକ୍ଷା ପାଆନ୍ତା । ନୂଆ ଜାଗାରେ ଅପରିଚିତ ସଙ୍ଗେ ଆଳାପ ଆଲୋଚନା କରିବା ଲାଗି ଆତ୍ମୀୟତା ପାଇଁ ମନରେ ଯେପରି ଆଗ୍ରହ ସୃଷ୍ଟି ହୋଇଥାଏ ମନରେ ମୋର ସେହିପରି ଏକ ଆଗ୍ରହ ସୃଷ୍ଟି ହୋଇ ଆସୁଥିଲା । ମୁଁ ଏ ନେଇ ତାଙ୍କୁ କିଛି କହିବା ପୂର୍ବରୁ ସେ ପଦାକୁ ଚାଲି ଯାଇଥିଲେ । ମୁଁ ମନେ ମନେ ଭାବୁଥାଏ ଚା’ ସିନା ଅଛି ଚାରି କପ୍‌ କରିଦେବି । ସେମାନଙ୍କୁ ଦେବି କିପରି ? ଗୋଟିଏ ବୋଲି ତ କପ୍‌ ?

 

ତାପରେ କେଇଟି ମୁହୂର୍ତ୍ତ ମାତ୍ର । ମୁଁ କିଛି କହିବା ପୂର୍ବରୁ ଦୁଇ ଜଣ ତାଙ୍କ ଦୁଇ ବାହୁକୁ ଜବରଦସ୍ତ ଧରି ଟାଣି ଟାଣି ଆମେ ରହୁଥିବା କୋଠରୀଠାରୁ ପଚାଶ ଷାଠିଏ ଗଜ ଦୂରରେ ଗୋଟିଏ ଛୋଟ ଲମ୍ବା ଗଛ ନିକଟକୁ ନେଇଗଲେ । ସେମାନେ ଏସବୁ କଣ କଣ କରୁଛନ୍ତି ପଚାରିବାରୁ ଜଣେ ତାଙ୍କୁ ପଛ ପାଖରୁ ଗୋଟିଏ ଧକ୍‌କା ପକାଇଲା । ସେ ଝୁଙ୍କି ପଡ଼ିଲେ, ମାତ୍ର ପଡ଼ିଯାଇ ନାହାଁନ୍ତି । ତାଙ୍କୁ ଗୋଟିଏ ଛୁରୀ ଦେଖାଇ କୁହାଗଲା ଚୁପ୍‌ ରହ ନଚେତ୍‌ ପରିଣତି ପାଇଁ ସେମାନେ ଦାୟୀ ରହିବେ ନାହିଁ । ତାପରେ ସେହି ଗଛରେ ତାଙ୍କୁ ବାନ୍ଧିଦିଆଗଲା । ସଂଧ୍ୟ୍ୟା ପୂର୍ବରୁ ଆମେ ସେହି ଗଛ ମୂଳେ ବସି ଅସ୍ତ ସୂର୍ଯ୍ୟର ସୌନ୍ଦର୍ଯ୍ୟ ଉପଭୋଗ କରିଥିଲୁ । ସେ ଗଛରେ ଅନେକ ବଡ଼ ବଡ଼ ପିମ୍ଫୁଡ଼ି ଥିଲା । ମୁଁ ଥରିଉଠିଲି, କିଛି ବୁଝି ପାରିଲି ନାହିଁ । ଏସବୁ କ’ଣ ହେଉଛି, କାହିଁକି ହେଉଛି ? ତାଙ୍କୁ ତ ଏ ପିମ୍ପୁଡ଼ିମାନେ ଜୀବନ୍ତ ଖାଇଯିବେ । ମୁଁ ପାଟିକରି ଉଠିଲି । ତାଙ୍କୁ ଉଦ୍ଧାର କରିବା ପାଇଁ ବାହାରି ଆସେ ତ ମୋତେ ଜଣେ ଯୁବକ ହଠାତ୍‌ କୋଠରୀ ମଧ୍ୟ୍ୟକୁ ଠେଲିଦେଇ ଧଡ଼ାଧଡ଼୍‌ କବାଟ ବନ୍ଦ କରିଦେଲେ । ମୁଁ ଛାନିଆଁ ହୋଇ ଉଠିଲି । ଭାବିଲି ବୋଧହୁଏ ବାଘ ଆସିଗଲା । ମୋତେ ସିନା ରକ୍ଷା ମିଳିଯିବ । ପାଖରେ ଜଣେ ଯୁବକ ଅଛନ୍ତି ମାତ୍ର ସେ ରକ୍ଷା ପାଇବେ କିପରି ? ସେ ବନ୍ଧନରୁ ତାକୁ ମୁକ୍ତି ଦେବ କିଏ ? ମୁଁ ବିବ୍ରତ ହୋଇ ଉଠିଲି । କହିଲି, ଦୟାକରି କବାଟ ଖୋଲନ୍ତୁ । ସେ ପଦାରେ ରହିଗଲେ । ତାଙ୍କୁ ବାଘ ଖାଇଯିବ । ଯୁବକ ଜଣକ ମୋ କଥା ପ୍ରତି ଆଦୌ ଗୁରୁତ୍ୱ ଦେଲେ ନାହିଁ । ପାଖରେ ପଡ଼ିଥିବା ବାଘଛାଲ ରଙ୍ଗର ପଟାପଟା ଲୁଙ୍ଗିଟା ବଦଳାଇବାକୁ ଉଦ୍ୟତ ହେଲେ । ତାପରେ ସେ ମୋତେ ଛୁରା ଦେଖାଇ ଚୁପ୍‌ ରହିବାକୁ ସଙ୍କେତ ଦେଲେ । ମୁଁ ଭାବିଲି ଆଉ ରକ୍ଷା ନାହଁ । ବାଘ ନୁହେଁ ବର୍ଗୀ ଆସିଗଲେ । ଇତିହାସରେ ବର୍ଗୀ, ଅତ୍ୟାଚାରର ଲୋମହର୍ଷଣକାରୀ କାହାଣୀ ପଢ଼ିଥିଲି । ମାତ୍ର ଆଜି ମୁଁ ବର୍ଗୀଙ୍କର ସମ୍ମୁଖୀନ ହୋଇଛି । ମୁଁ ଅଭିପ୍ରାୟ ବୁଝଲି । ସଙ୍ଗେ ସଙ୍ଗେ ବ୍ୟାଗରୁ ପଚାଶ ଟଙ୍କା କାଢ଼ି କହିଲି ନିଅ, ଏଇମାତ୍ର ସମ୍ୱଳ । ହାତରୁ ସୁନାକାଚ ପଟଟି କାଢ଼ୁ କାଢ଼ୁ କହିଲି ଆଉ କିଛି ନାହିଁ ଏଇ ମାତ୍ର ଅଛି ନିଅ । ବାଘ ଶିକାର ଉପରକୁ ଲମ୍ପ ଦେଲା ପରି ସେ ମୋ ଉପରେକୁ ଝାମ୍ପି ହୋଇ ଆସିଲା । ସେ ମୋତେ ଜବରଦସ୍ତ ବିବସ୍ତ୍ରା କରିବାକୁ ଚେଷ୍ଟା ଚଳାଇଲା । ମୁଁ ତାଙ୍କଠାରୁ ରକ୍ଷା ପାଇବା ପାଇଁ ସମସ୍ତ ଚେଷ୍ଟା କଲି । ପାଟିକରି କହିଲି, ଏ କ’ଣ କରୁଛନ୍ତି । ମୁଁ ବିବାହିତ ମୋର ସ୍ୱାମୀ... । ଧସ୍ତାଧସ୍ତି ଚାଲିଲା । ସେ ମୋ ମୁହଁ ଉପରେ ହାତରଖି ଆଉ ଗୋଟିଏ ହାତରେ ମୋତେ ଖୁବ୍‌ ଜୋର୍‌ରେ ଧରିଲେ । ଏହି ଧସ୍ତାଧସ୍ତି ମଧ୍ୟ୍ୟରେ ମୋର ହାତରୁ ଶାଢ଼ୀର ଶେଷ ଅଂଶଟି ଖସିଗଲା, ତାପରେ ସେ ମୋ ମୁହଁ ଉପରେ ଘନ ଘନ ଚୁମା ଦେଇ ଚାଲିଲେ । ପ୍ରତିଟି ଚୁମ୍ୱନରେ ମୁଁ ବିଷାକ୍ତ ସର୍ପର ଦଂଶନର ଯନ୍ତ୍ରଣା ଅନୁଭବ କରୁଥିଲି । ସେ ତା’ର ବାହୁ ମଧ୍ୟ୍ୟରେ ଏପରି ଜୋରରେ ଧରିଥିଲା ଯେ ସେ ଅଜଗରି ଆକ୍ରମଣରୁ ଆଉ ମୋତେ ସତରେ ରକ୍ଷା ମିଳିପାରିବା ନେଇ ମୁଁ ସନ୍ଦିହାନ ହୋଇ ଉଠିଥିଲା । ମୁଁ ଅତି କାତର ଭାବେ ପ୍ରାର୍ଥନା କରୁଥିଲି । ହେ ଭଗବାନ, ମୁଁ ଯେଉଁ ବାଘକୁ ଏତେ ଭୟ କରୁଥିଲି ସେହି ବାଘକୁ ହେଲେ ବର୍ତ୍ତମାନ ପଠାଇ ମୋତେ ଏ ଚରମ ଅପମାନରୁ ରକ୍ଷା କରନ୍ତୁ । ଏ ପଶୁ ମୋତେ ଚରମ ଅପମାନ ଦେବା ପୂର୍ବରୁ ନାରୀର ସମସ୍ତ ମାନ, ସମ୍ମାନ, ଗୌରବ ଲୁଣ୍ଠନ କରି ନେବା ପୂର୍ବରୁ ହେଲେ ବାଘ ଆସିଯାଆନ୍ତା । ମାତ୍ର ପାଖର ମଣିଷ ଯେତେବେଳେ ଏତେ ନିର୍ଦ୍ଦୟ ନିର୍ମ୍ମମ ସେତେବେଳେ ଦେବତା ମୋ କଥା ଶୁଣନ୍ତେ କାହିଁକି-? କେବେ କଣ ମଣିଷକୁ ଭଗବାନ ସତରେ ଆସି ସାହାଯ୍ୟ କରିଛନ୍ତି ? ସବୁ ମଣିଷ ମନଗଢ଼ା କଥା । କଥାର-ଉପକଥା । ଆପଣା, ଉପରେ ଆସ୍ଥା ହରାଇବା ପରେ ନିଜକୁ ଭୁଲାଇବା ପାଇଁ ଦିଅଁଦେବତାଙ୍କୁ ବ୍ୟାକୁଳ ନିବେଦନ ନିଚ୍ଛକ ଛଳନା । ମୁଁ କେବଳ ସେତିକି ବୁଝିଲି-

 

ମୁଁ ଭାବିଲି ଯୁବକଟି ମୋତେ ଠିଆ ଗିଳିଦେବ । ଗଣ୍ଡ ଦେଶରେ ମୋତେ ସେ’ତ ଚୁମ୍ୱନ ଦେଉ ନ ଥିଲା ରୀତିମତ ଦନ୍ତାଘାତରେ ମୋତେ ରକ୍ତାକ୍ତ କରୁଥିଲା । ପ୍ରତିଟି ଆଘାତ ମୋତେ କୁଆଖୁମ୍ପିବାର ଯନ୍ତ୍ରଣା ଦେଉଥିଲା । ଠିକ୍‌ ମୋ କଷ୍ଟ ତୋତେ ବୁଝାଇ ପାରିବି ନାହିଁ ।

 

ସବୁ କଥା ତୋତେ ଲେଖିବା ସମ୍ଭବ ନୁହେଁ । ତା ପରେ ସେ ମୋ ବ୍ଳାଉସ ଖୋଲିବା ପାଇଁ ଉଦ୍ୟମ କଲା । ଟିପା ବୋତାମ ସବୁ ଟିକିଏ ଜୋର୍‌ରେ ଭିଡ଼ି ଦେବା ଫଳରେ ଫଟଫାଟ୍‌ ଫିଟିଗଲା । ବ୍ରେସିୟରର ଡୋର ସେ ନିର୍ମମଭାବେ ଛିଣ୍ଡାଇଦେଲେ । ତାପରେ ତଳ ଚଟାଣ ଉପରେ ସେ ମୋତେ ଜବରଦସ୍ତ ଶୁଆଇ ଦେଇ ମୋ ଉପରେ ପଡ଼ି ରହିଲା । ଛାତିରେ ମୁଁ ଅସମ୍ଭବ ଯନ୍ତ୍ରଣା ଅନୁଭବ କରୁଥାଏ । ପାଚିଲା ଆମ୍ବର ରସ ନିଗାଡ଼ିବା ପରି ସେ ମୋର ସ୍ତନ ଦୁଇଟିକୁ ଚିପି ଚାଲିଥାଏ । କି ନିର୍ମମ ବୁଝାଇ ପାରିବି ନାହିଁ । ଆଶାଙ୍କା କରୁଥାଏ ଏ ପଶୁ କ’ଣ ମୋ ସ୍ତନ ଦୁଇଟି ଛାଡ଼ି ଉପରୁ ଛିଣ୍ଡାଇଦେବ ? ତାପରେ ମୋ ଦେହ ଉପରେ ଥିବା ଶେଷ ଆବରଣ ସାୟା ଖଣ୍ଡିକ ସେ ଉଠାଇବା ପାଇଁ ଚେଷ୍ଟା କଲା । ମୁଁ କୌଣସିମତେ ମୋ ମୁହଁ ଉପରୁ ତାର ହାତ ଉଠାଇ ନେଇ ବହୁ ମିନତି କରି କହିଲି, ମୁଁ ମରିଯିବି । ମୁଁ ବିବାହିତ ହିନ୍ଦୁନାରୀ । ଏତିକିରେ ମୋତେ ଛାଡ଼ିଦିଅ । ମୋ ତଣ୍ଟି ଶୁଖିଯାଉଛି । ମୋତେ ଟିକେ ପାଣି ଦିଅ । ମୋତେ ଖୁବ୍‌ ଶୋଷ । ମୋ ପ୍ରତି ଦୟାକର । ମୁଁ ସନ୍ତାନସମ୍ଭବା । ମାତ୍ର ମୋର ସବୁ ଅନୁରୋଧ ଅନୁରୋଧରେ ରହିଗଲା । ଯୁବକଟି ତାର ସମସ୍ତ ମାନବିକତା ହରାଇ ବସିଥିଲା । ସେ ଯେ କୌଣସି ବନ୍ୟ ପଶୁଠାରୁ ଅଧିକ ହିଂସ୍ର ହୋଇ ଉଠୁଥିଲା । ଦଲକାଏ ଥଣ୍ଡା ପବନ ବୋହିଗଲା । ମୁଁ ନିଶ୍ୱାସ ମାରିଲା । ସାମାନ୍ୟ କର ବଦଲାଇବା ଲାଗି ଚେଷ୍ଟା କରୁଛି ମୋ ଗାଲରେ ଲାଗିଲା ଏକ ନିସ୍ତୁକ ଚାପଡ଼ା । ମୁଁ ଭାବିଲା, ପ୍ରାଣ ବାହାରି ଯିବ । ମରିଯିବି ମାତ୍ର ମୁଁ ମଲି ନାହିଁ । ସେ ମୋ ଉପରେ ନିର୍ମମ ପାଶବିକ ଅତ୍ୟାଚାର ଆରମ୍ଭ କରିଦେଲା ମୁଁ ବୁଝିପାରିଲି ସ୍ୱର୍ଗ ଆଉ ନର୍କ ମଧ୍ୟ୍ୟରେ ତଫାତ୍ କେତେ ? ସାମାନ୍ୟ ଶାନ୍ତି ପାଇଁ ବିଜନତା ଉପଭୋଗ ନିମନ୍ତେ ଯେଉଁଠିକୁ ଆସିଥିଲା ସେଠାରେ ନାରକୀୟ ଯନ୍ତ୍ରଣାର ଶିକାର ହେଲି । ତଳିପେଟରେ ମୁଁ ଅସମ୍ଭବ ଯନ୍ତ୍ରଣା ଅନୁଭବ କଲି । ଭାବିଳି,ଆଜି ଏହିଠାରେ ଜୀବନପ୍ରଦୀପ ନିର୍ବାପିତ ହୋଇଯିବ । ବାହାରେ ସେହିପରି ଜହ୍ନ ଆଲୁଅ ବିଞ୍ଚି ହୋଇ ପଡ଼ିଥାଏ । ମୁଁ ଆଉ କୌଣସି ପ୍ରତିବାଦ କଲିନାହିଁ । ଚୁପ୍‌ ହୋଇ ପଡ଼ି ରହିଲି । କାରଣ ପ୍ରତିରୋଧ କରିବାର ଶକ୍ତି ମୋର ନ ଥିଲା । ମୁଁ ଆଶାଙ୍କା କରୁଥିଲି ହୁଏତ ସେମାନେ ରମାକାନ୍ତଙ୍କୁ ପ୍ରାଣରେ ମାରି ଦେଇଛନ୍ତି କିମ୍ବା କୌଣସି ଦୂର ଜାଗାକୁ ନେଇ ଯାଇଛନ୍ତି । ସେ ଥିଲେ କ’ଣ ଏତେବେଳେ ଆସନ୍ତେ ନାହିଁ । ଏ ଅନ୍ୟାୟର ପ୍ରତିବାଦ କରନ୍ତେ ନାହିଁ । ଏଇ ମୁହୂର୍ତ୍ତରେ ଠିକ୍‌ ତାଙ୍କର ପାଟି ଶୂଭିଲା । ମୋତେ ଫିଟାଇଦିଅ । ମୋତେ ଛାଡ଼, ସେ ମୋହର ସ୍ତ୍ରୀ । ତାପରେ ଗୋଟିଏ ଚାପୁଡ଼ା ବସିବାର ଶବ୍ଦ ଶୁଣାଗଲା । ତାପରେ ସବୁ ଚୁପ୍‌... ।

 

ଯୁବକ ଜଣଙ୍କ ଉଠି କବାଟ ଖୋଲିଲେ । ମୁଁ ଉଠି ଆପଣାର ଲୁଗାପଟା ସଜାଡ଼ି ନେବାକୁ ଉଦ୍ୟମ କରୁଛି ଆଉ ଜଣେ ଯୁବକ ପଶି ଆସୁଛନ୍ତି ଏବଂ କହୁଛନ୍ତି ଯଦୁ ତୁ ଲୁଙ୍ଗିଟା ମୋତେ ଦେ । ଯଦୁ ଚାଲିଗଲେ ବସନ୍ତ ରହିଲା ଘରେ । କବାଟ ବନ୍ଦ କଲେ । ଏ ଅପଦେବତାଙ୍କର ଅନ୍ୟ ଏକ ପ୍ରତିନିଧ । ସେ ମୋତେ କୁଣ୍ଡାଇ ଧରିଲେ ଏବଂ ମୋର ଗାଲକୁ କାମୁଡ଼ିବାକୁ ଆରମ୍ଭ କରିଦେଲେ । ମୁଁ ବେଶ୍‌ ବୁଝିଲି ଶିଳାତୀର୍ଥରେ ଆଜି ଏ ମଢ଼ର ମୁକ୍ତି ନାହିଁ । ତାର ମାଂସ ଓ ରକ୍ତପିପାସୁ ଅନେକ ବାଘ ଏ ଅଞ୍ଚଳରେ ପଇଁନ୍ତରା ମାରୁଛନ୍ତି । ମୁଁ କୌଣସି ମତେ ତା’ର ବାହୁ ମଧ୍ୟ୍ୟରୁ ମୁକ୍ତ ହେଇ ତା ଗୋଡ଼ ଧରିଲି । କହିଲି, ମୁଁ ମରିଯିବି । ମୁ ଆସନ୍ନପ୍ରସବା, ତୁମେ ମୋତେ ରକ୍ଷାକର । ଧର୍ମକୁ ସାକ୍ଷୀ ରଖି ତୁମକୁ ମୁଁ ଭାଇ କରୁଛି । ତୁମରି ନାମରେ ମୋର ମଧ୍ୟ୍ୟ ଗୋଟିଏ ଭାଇ ଅଛି । ଡେଣାରେ ତାଙ୍କର ସତ୍ୟସାଇଙ୍କ କବଚ ଦେଖି ଆଶୀୟ ଦେଲି । କହିଲି, ତୁମେ ମୋତେ ରକ୍ଷାକର, ଯୁବକଟି ସାମାନ୍ୟ ଥମିଗଲା । ଭାବିଲି ଦୁନିଆଁ ରେ ଭଗବାନ ଅଛନ୍ତି, ପଶୁ ଦେବତା ହୁଏ ଦେବତା ପୁଣି ହୁଏ ପଶୁ । ମୁ ସାମାନ୍ୟ ସନ୍ତୋଷ ଲାଭ କଲି, ଯାହିହେଉ, ମୁଁ ପଶୁପ୍ରାଣରେ ଦେବଚେତନା ସୃଷ୍ଟି କରି ପାରିଛି । ମାତ୍ର ଆପଣାର ଭୁଲ ବୁଝିବାପାଇଁ ମୋତେ ଅଧିକ ସମୟ ଲାଗିଲା ନାହିଁ । ମୁଁ ବୁଝିଲି ଯେତେ ସବୁ ଚିତା ଚୈତନ୍ୟ ହୋଇ ଧର୍ମଧାରଣାର ଦ୍ୱାହିଦେଇ ଧାର୍ମିକ ବୋଲି ଦେଖାଇ ହୁଅନ୍ତି ସେମାନେ ପ୍ରକୃତରେ ସେଇୟା ନୁହନ୍ତି । ସୁବିଧା ସୁଯୋଗ ମିଳିଲେ ସେମାନେ ଆହୁରି ଜଘନ୍ୟ, ଘୃଣ୍ୟ, ପଶୁର ଆଚରଣ ମରନ୍ତି । ଯେଉଁ ବସନ୍ତର ପ୍ରତି ତନ୍ତ୍ରୀର ପଶୁପ୍ରବୃତ୍ତିର କୁତ୍ସିତ ଅଗ୍ନିଶିଖା ଲହ ଲହ ହୋଇ ନୃତ୍ୟ କରି ଚାଲିଛି ସେ ଶାନ୍ତ ହୁଅନ୍ତା କିପରି ?

 

ବସନ୍ତ ମୋତେ ପାଖରେ ଟାଣିନେଲା । ସାୟାରେ ଲାଗିଥିବା ପୁରୁଣା ଡ଼ୋରିର ଜୋର କେତେ ? ସେଟା ଫଟ୍‌କରି ଛିଡ଼ିଗଲା । ମୁଁ ସଂପୂର୍ଣ୍ଣ ଉଲଗ୍ନ ହୋଇ ପଡ଼ିଲା । ଲଜ୍ୟା ନିବାରଣ ନିମନ୍ତେ ମୋର କରିବାର ଆଉ କିଛି ନ ଥିଲା । ମୁଁ ଦୁଇ ହାତରେ ମୋ ମୁହଁ ଲୁଚାଇବାକୁ ଚେଷ୍ଟା କରୁଥିଲି । ସେ ମୋର ସ୍ତନର ଅଗ୍ରଭାଗରେ ଓଠ ଲଗାଇଲା । ଶୁଖିଲା ଆଖିରେ ମୋର କେଉଁଠାରେ ଲୁହ ଥିଲା, ପୁଣି ଦୁଇ ଠୋପା ଝରି ଆସିଲା । ଭାବିଲି, ଯେଉଁ ଆଶା ବାନ୍ଧିଥିଲି ମା ହେବ । ସନ୍ତାନଟି ମୋର ସ୍ତନରେ ମୁହଁ ଲଗାଇ ମନଭରି ଦୁଗ୍‌ଧପାନ କରି ହସି ଉଠିବ ଓ ସେ ହସରେ ଧରା ଝଲସି ଉଠିବ ତାହା ଧୀରେ ଧୀରେ ମଉଳି ଆସିଲା । ପାଣି କଡ଼ାଇରେ ଟକ୍‌ ଟକ୍‌ ଫୁଟିଲା ପରି ଯନ୍ତ୍ରଣାରେ ସ୍ତନ ଦୁଇଟି ମୋର ଟକ୍‌ଟକ ହଉଥାଏ ଯଦୁ ପରେ ବସନ୍ତ ମାଂସ ପିଣ୍ଡୁଳାରେ ଖେଳିବାକୁ ଆରମ୍ଭ କରିଦେଲେ । ଦରଜରେ ଛାତି ମୋର ଛୁଆଁଇ ହେଉ ନ ଥାଏ । ସେ ମୋତେ ଜବରଦସ୍ତ ଶୁଆଇଦେଲା । ଗୋଟିଏ ଗୋଡ଼କୁ ମୋର ତାର କାନ୍ଧ ଉପରେ ରଖି ଅତ୍ୟାଚାର ଆରମ୍ଭ କରିଦେଲା । ମୁଁ ବୋଉଲୋ ବାପାଲୋ, ମାଲୋ, ମରିଗଲି ବୋଲି ଚିତକାର କରି ଚାଲିଥାଏ, ମଝିରେ ଛାଡ଼ିଦେବା ପାଇଁ ମିନତି କରୁଥାଏ । ପୂର୍ବରୁ କହିଛି, ମୁହଁ, ଛାତି, ଜଙ୍ଘ, ତଳିପେଟରେ ମୁଁ ଅସମ୍ଭବ ଯତ୍ରଣା ଅନୁଭବ କରୁଥିଲି । ସେ ଯନ୍ତ୍ରଣା ଚରମରେ ଆସି ପହଞ୍ଚିଲା । ଅସମ୍ଭବ ଭାବେ ମୋର ରକ୍ତସ୍ରାବ ଆରମ୍ଭ ହୋଇଗଲା । ମୁଁ ଭାବିଲା ‘ଶିଳାତୀର୍ଥ’ ଆସିଥିବାରୁ ଭଗବାନ ମୋତେ ଶାସ୍ତି ଦେଲେ । ସବୁ ତାଙ୍କ ଇଚ୍ଛା ।

 

ତାପରେ...ଉଠିବାର ଶକ୍ତି ମୋର ଆଉ ନ ଥିଲା । ବସନ୍ତ ଉଠି କବାଟ ଖୋଲିବା ମାତ୍ରେ ଆଉ ଦୁଇ ଜଣ କୋଠରୀ ମଧ୍ୟ୍ୟକୁ ପଶି ଆସିଲେ । ମୁଁ ସେମାନଙ୍କ ମୁହଁକୁ ଚାହିଁଲି । ଜଣେ କହିଲା, ନବୀନ ତୁ କାମ ସାରି ଆସି । ମୁଁ ସେ ଶଳାକୁ ଜଗିଛି । ମୁଁ ମନେ ମନେ ଭାବୁଥାଏ କହିବାକୁ, ହେ ପଶୁମାନେ, ତୁମେ ଚାଲିଯିବ କାହିଁକି ? ମୁଁ ଏଠାରେ ପଡ଼ି ରହିଛି ଏକ ଅସହାୟା ନାରୀ । ତୁମେ ମୋର ସର୍ବସ୍ୱ ଲୁଟି ନେଇଛ । ମାନେ ସମ୍ମାନ, ନାରୀର ଯାହାକିଛି ମର୍ଯ୍ୟାଦା, ଆଉ ସଂକୋଚ କାହିଁକି ? ତୁମେ ଏବେ ସମସ୍ତେ ଆସ, ଯେତେ ଜଣ ପାରୁଛ ତୁମ ଦେହର ଏବଂ ମନର କାମନା ପୂରଣ କରିଯାଅ । ମୁଁ ପ୍ରତିବାଦ କରିବି ନାହିଁ ।

 

ନବୀନ ଆସି ମୋତେ ବାଏଁ ବାଏଁ ଉଠାଇନେଇ ତା କୋଳରେ ବସାଇଲା । ଗୋଟିଏ ହାତରେ ମୋତେ ତା ଛାତି ଉପରେ ଆଉଯାଇ ରଖି ଅନ୍ୟ ଗୋଟିଏ ହାତରେ ମୋ ମୁହଁକୁ ଉପରେକୁ ଉଠାଇଲା । ଠିକ୍‌ ଛାୟା ଛବିରେ ପ୍ରେମିକାମାନଙ୍କୁ ପ୍ରେମିକମାନେ ଯେପରି କରନ୍ତି । ମୁଁ ତାଙ୍କୁ ବହୁତ ନିବେଦନ କଲି । ମୋତେ ଛାଡ଼ିଦିଅ ହାତରେ ତାଙ୍କର ଶ୍ରୀମା’ଙ୍କ ମୁଦି ଦେଖି କହିଲି, ମୁଁ ମଧ୍ୟ ଶ୍ରାମାଙ୍କ ଭକ୍ତ । ସେ ସାମାନ୍ୟ ହସି କହିଲା, ମୁଁ ଦିଅଁ ଦେବତା ଧର୍ମରେ ବିଶ୍ୱାସ କରେ ନାହିଁ-। ଏ ମୁଦିଟି ମୋର ଜଣେ ଗାର୍ଲଫ୍ରେଣ୍ଡ ଦେଇଛି । ମୁଁ କହିଲି, ସେହି ଭଉଣୀଟିର ରାଣଦେଇ କହିଛି, ତୁମେ ମୋତେ...ଭାବିଲି କେତେ ଆଶା ଏବଂ ସ୍ୱପ୍ନ ନେଇ ସେ ଏ ମୁଦିଟି ଏ ଚଣ୍ଡାଳକୁ ପିନ୍ଧାଇ ଦେଇଛି, ସ୍ୱାମୀଠୁ ପ୍ରାଣଭରି ପ୍ରଥମ ଚୁମ୍ୱନ, ଆଲିଙ୍ଗନ ପାଇବା ଆଶା ନେଇ । ଏ ହୁଏତ ଶପଥ କରିଥିବ... । ମାତ୍ର କ’ଣ କରିବାକୁ ଯାଉଛି । ସେ ସାମାନ୍ୟ ହସି ପୁଣି ମୋ ଓଠ ଉଠାଇବାକୁ ଚେଷ୍ଟା କଲା । ମାତ୍ର ଝଡ଼ରେ ଯେଉଁ ପକ୍ଷୀ ସମସ୍ତ ପର ହରାଇଛି ସେ ଆଉ ଲୋଟଣି ଭାଙ୍ଗୁଛି କେତେକେ ? ମୁଁ ତାର ହାତ ଧରିଲି, ସେ ମୋ ହାତ ଛଡ଼ାଇ ନେଇ ତାର ମୋଟ ମୋଟ ନିଶ ଦୁଇଟା ମୋଡ଼ିବାକୁ ଚେଷ୍ଟା କଲା..., କି ଜଘନ୍ୟ ଚାହାଣି । ହୁଏତ କ’ଣ କରିବି ଚିନ୍ତା କରୁଛି, ବାହାରୁ କେହି ଜଣେ ତାଳିମାରି କହିଲା, ନବୀନ ପଳାଇ ଆ ଅନେକ ଲୋକ ଆସିଲେଣି । ସେ ତା କୋଳ ଉପରେ ମୋତେ ଠେଲିଦେଲା ତାର ଚଡ଼ି ପ୍ୟାଣ୍ଡ ଧରି ପଳାଇଗଲା । କେଇଟି ମୁହୁର୍ତ୍ତ ପରେ ପୁଣି ଝରକା ଠକ୍‌ ଠକ୍‌ କରି ଜଣେ କହିଲା, ମୁଁ ହେମନ୍ତ କହୁଛି ପଳାଇ ଆ । ଲୋକ ଆସିଲେଣି, ଅନେକ ଲୋକ ମୁଁ ଗୋଡ଼ ଲମ୍ୱାଇ ଚଟାଣ ଉପରେ ପଡ଼ିରହିଲି । ଉଠି ବସିବାର ଶକ୍ତି ମୋର ନ ଥାଏ । ମୁଁ ଅପେକ୍ଷାରେ ଥାଏ ଆଉ କି ବିପଦ ଆସିବ ଆସୁ । ଭୟ କରିବା ଲାଗି ସତରେ ମୋର ଆଉ କିଛି ନଥିଲା ପଦାକୁ ଚାହିଁଲି । କଳକିଂତ-କଳାରାତି ପାହିବାକୁ ଆହୁରି ଅନେକ ବାକି ଥିଲା ।

 

ଚନ୍ଦ୍ର ଠିକ୍‌ ବୁଡ଼ିଯିବା ଉପରେ । ସେହି ଛାଇ ଅନ୍ଧାର ଭିତରେ କେହି ଜଣେ ଆଗେଇ ଆସୁଥିବାର ମନେହେଲା । ମୁଁ ଥରି ଉଠିଲି । ନବୀନ କ’ଣ ପୁଣି ଫେରିଲା ? ନାଁ, ନବୀନ ନୁହେଁ । ରମାକାନ୍ତବାବୁ ଆସି ମୋତେ ଝାଡ଼ିଝୁଡ଼ି ଉଠାଇ ବସାଇଲେ । ଗ୍ଳାସରେ ପାଣିଆଣି ଦେଲେ । ପାଣି ପିଇ ଚୁପ୍‌ ହୋଇ ପଡ଼ିରହିଲି । ସେ ମୋ ମୁଣ୍ଡରେ ହାତ ବୁଲାଉଥିଲେ । ଆମେ ପରସ୍ପରକୁ କହିବା ପରି ଆମର କିଛି ନ ଥିଲା । ତାଙ୍କ ପଞ୍ଜାବୀ ଚିରି ଯାଇଥିଲା । ଗଞ୍ଜି ରକ୍ତାକ୍ତ, ଓଠ ଫାଟିଥିଲା । ପରେ ଜାଣିଲା ତାଙ୍କ ଉପରେ ଅନେକ ବିଧା ଚାପଡ଼ା ବସିଥିଲା । ମୁଁ ସେତେବେଳେ କିପରି ଦିଶୁଥିଲି ମୁଁ ଜାଣେ ନାହିଁ । ମାତ୍ର ସେ କୌଣସି ଆତ୍ମୀୟଙ୍କୁ ସଦ୍ୟ ଦାହ କରି ଫେରିଲା ପରି ଦିଶୁଥାଆନ୍ତି ।

 

ତା’ ପରେ କବାଟରେ ଠକ୍‌ଠକ୍‌ ଶବ୍ଦ ଶୁଣି କଙ୍କାଳ ହାଡ଼ ମୋର ଦୋହଲି ଉଠିଲା । ଏଥର ବୋଧହୁଏ ଆମକୁ ହତ୍ୟା କରାଯିବ । ସେ ପଦାକୁ ଆସିଲେ । ‘ଶିଳାତିର୍ଥ’ର ପ୍ରହରୀ ଓ ଅନ୍ୟ କେଇ ଜଣ ପ୍ରଶ୍ନକଲେ ଆପଣଙ୍କର ସ୍ତ୍ରୀଙ୍କର କ’ଣ ହୋଇଛି ? ସେ କିଛି ସମୟ ପାଟି କରିବାର ଆମେ ଶୁଣିଛୁ...ତା’ ପରେ ସବୁ ନିରବ । ସେମାନେଙ୍କ ମଧ୍ୟ୍ୟରୁ ଜଣଙ୍କୁ ଧରିଛୁ । ସେମାନେ ଆମକୁ ମଧ୍ୟ୍ୟ ମାଡ଼ ମାରିଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ । ଏଇନ ପାଖ ଗାଁ ଲୋକେ ଓ ଥାନାବାବୁ ଆସି ପହଞ୍ଚିବେ । ଆମେ ସମ୍ୱାଦ ଦେଇଛୁ । ଏହା ଶୁଣି ବ୍ୟସ୍ତ ଲାଗିଲା । ଭାବିଲି, ଏବେ ନାଟକ ଆମ୍ଭେ ହୋଇଯିବ । ବାଘ କାମୁଡ଼ାଠାରୁ ଘୋସରା ଏବେ ବଳିପଡ଼ିବ । ମୁଁ ପଡ଼ିରହି ହତଭାଗିନୀ ଭଉଣୀ ପିଲୁବେନ୍‌, ଶାନ୍ତିଲତା, କମଳାଙ୍କ କଥା ଭାବୁଥିଲି । ବିଚାରୀଗୁଡ଼ିକଙ୍କ ପ୍ରତି ସହାନୁଭୁତି ଦେଖାଇବା ପାଇଁ ମୋର ସତରେ ସେଦିନ ଭାଷା ନଥିଲା । କି ନିର୍ମ୍ମମ ଅପମାନର ଶିକାର ସେମାନେ ହୋଇ ନାହାଁନ୍ତି । ତା’ପରେ ପୁଲିସ ଆସିଲେ ଆମଠୁ ଜମାନବନ୍ଦୀ ନେଲେ । ଆମ ଲୁଗା ପଟା ଜବତ କଲେ । ଡାକ୍ତରମାଇନା ପାଇଁ ଡାକ୍ତରଖାନାକୁ ପଠାଇଲେ । ତା’ପରେ ମାଜିଷ୍ପ୍ରେଟ୍‌ଙ୍କ ନିକଟରେ ସାକ୍ଷୀ ଦେବାକୁ ପଡ଼ିଲା । ଯେଉଁଠିକୁ ଗଲୁ ଲୋକ ମେଳାମେଳା । ସତେ ଯେମିତି ଆମେ କେଉଁ ଜଙ୍ଗଲର ପଶୁ ଧରାହୋଇ ଆସିଛୁ । ମାତ୍ର ସୌଭାଗ୍ୟ ଆମର ସମସ୍ତଙ୍କର ସହାନୁଭୁତି ଆମ ପାଇଁ ଥିଲା । ଶୁଣୁଛି ମୋ ବିଷୟରେ ଅନେକ କଥା । ମୁଁ କୁଆଡ଼େ ବାରନାରୀ, ମୁଁ ଏବେ ବୁଝୁଛି ଭଲ କିପରି ବାରନାରୀ ହୁଅନ୍ତି । ଆମକୁ ଆଉ ନ ଆଗେଇବକୁ ଅନେକ ପ୍ରଲୋଭନ ଦେଖାଗଲାଣି । ଘରବାଡ଼ି ଟଙ୍କା । ମାତ୍ର ଯେଉଁମାନେ ମଧ୍ୟ୍ୟସ୍ଥି କରିବାକୁ ଆସିଥିଲେ ମୁଁ ସେମାନେଙ୍କୁ ରୋକ୍‌ଠୋକ୍‌ କହିଦେଇଛି, ଗାଡ଼ି ଘୋଡ଼ା ଟଙ୍କା ଦେଇ ଇଜ୍ଜତ୍‌ ଲୁଣ୍ଠନ କରିବା ଲାଗି ଏକ ସ୍ୱତନ୍ତ୍ର ଶ୍ରେଣୀ ରହିଛି, ସେଠିକୁ ଯାଅ । ଆମ ଗରିବମାନଙ୍କ ନିକଟକୁ ଆସ ନାହିଁ । ଆମର ଆତ୍ମସମ୍ମାନ ଆମକୁ ବଡ଼ । ତାକୁ ନେଇ ଆମେ ଗର୍ବକରୁ । ତାହାହିଁ ଆମର ସର୍ବସ୍ଵ । ସତରେ ଆଉ ସମ୍ମାନ ଯିବା କ’ଣ ଅଛି । ଆଉ ମିଳାମିଶା କ’ଣ ?

 

ହିଁ ବର୍ଷରେ ଅନେକ ମହିଳା ସଭାସମିତି ହେଉଛି । ଅନେକ ମହିଳାଙ୍କୁ ସମ୍ମାନିତ କରାଯାଉଛି । କାହିଁ କେଉଁଠାରେ ଏ ନାରକୀୟ ଘଟଣାର ତ ନିନ୍ଦା କରାଗଲା ନାହିଁ । କୌଣସି ମହିଳା ଅନୁଷ୍ଠାନ, ସ୍କୁଲ, କଲେଜ ୟୁନିୟନରେ ନେତ୍ରୀଗଣ ଏହାର ନିନ୍ଦାକଲେ ନାହିଁ । ଏହା କ’ଣ ନିନ୍ଦିତ ହେବ ପରି ଘଟଣା ନୁହେଁ ? ଏବେ ବି ରାସ୍ତାଘାଟରେ ଝିଅବୋହୁଙ୍କୁ ଏକାକୀ ଯିବାର ମୁଁ ଦେଖିଲେ ଅନେକ ଆଶଙ୍କା ମନରେ ମୋର ନାଚିଉଠେ । ସେ କୁଳାଙ୍ଗରମାନଙ୍କ ଘୃଣ୍ୟ ମୁହଁ ଗୁଡ଼ିକ ମୋ ନିକଟରେ ନାଚି ଉଠନ୍ତି । ଏହି ପଶୁମାନଙ୍କ ପ୍ରତି ସତରେ ଏ ସମାଜ କ’ଣ ସଚେତନ ହେବ ନାହିଁ ? ତୋତେ ସବୁବେଳେ ଲେଖେ ମୋ ଚିଠି ଅନ୍ୟକୁ ପଢ଼ିବାକୁ ଦେବୁନାହିଁ । ମାତ୍ର ଆଜି ମନା କରୁନାହିଁ । ଏ ଚିଠି ତୁ ଯେତେ ଲୋକଙ୍କୁ ପାରୁ ପଢ଼ିବାକୁ ଦେବୁ । କାରଣ ମୁଁ ଚାହେଁ ସମସ୍ତେ ଏକଥା ଜାଣନ୍ତୁ । ତଥାକଥିତ ଭଦ୍ର ପରିବାରର ପିଲାମାନଙ୍କ କଥା ସମସ୍ତେ ଜାଣନ୍ତୁ ସେମାନେଙ୍କ ମୁଖା ଖୋଲିଯାଉ ।

 

ଆସନ୍ତା ସପ୍ତାହରେ କୋର୍ଟରେ ସାକ୍ଷା ଦେବା ଲାଗି ମୋତେ ଯିବାକୁ ପଡ଼ିବ । ସେଠୁ ଫେରି ତୋତେ ଅନ୍ୟସବୁ ଲେଖିବି । ଆମ କଥାତ ଜାଣିଲୁ । ଆଜି ଏତିକି, ଚିଠି ଦେବୁ । ଇତି ।

 

‘ତୋର ସ୍ନେହର’

ଶେଫାଳୀ

 

(ଦୁଇ)

 

ମାଜିଷ୍ଟ୍ରେଟଙ୍କ କୋର୍ଟରେ ଲୋକ ଭିଡ଼ । ସାମାନ୍ୟ ଉତ୍ତେଜନା । ମୁଦାଲାମାନେ ଡକ୍‌ ଭିତରକୁ ଆସିଗଲେ । ଶପଥ ପାଠ ପରେ ଶେଫାଳୀ ମହାନ୍ତିଙ୍କୁ ପଚରାଗଲା ‘‘ତୁମେ ଏଇ ମୁଦାଲାମାନଙ୍କୁ ଚିହ୍ନିଛ’’ ?

 

—ହଁ ।

 

ତୁମେ ସରକାରୀ ବିଶ୍ରମାଗାର ‘ଶିଳାତୀର୍ଥ’ରେ ଥିବାବେଳେ ଏମାନେ ଆସି ଝରକା ପାଖରେ ଠିଆହୋଇ ତୁମ ସ୍ୱାମୀଙ୍କୁ କ’ଣ ଶୁଣିଯିବା ପାଇଁ ଡାକିଥିଲେ ?

 

—ହଁ ।

 

ଦର୍ଶକମାନେ ଉତ୍‌କ୍ଷିପ୍ତ ହୋଇ ଉଠୁଥିଲେ । କେହି, ଜଣେ କହୁଥିଲେ ‘ଶଳେ, ଆଉ ଝିଅବୋହୂ ରଖିବେ ନାହିଁ । ଏଗୁଡ଼ା କୁଆଡ଼େ ପାଠ ପଢ଼ିଛନ୍ତି । ସେ ପ୍ରଥମ ପିଲାଟା ଗୋଟାଏ ବ୍ୟାଙ୍କ୍‌ ମ୍ୟାନେଜରର ପୁଅ । ବାପା ଶଳା ପୁଅକୁ ରସିକ ହେବାକୁ ଛାଡ଼ିଛି । ଜଣେ ଭଦ୍ରଲୋକ ଭାରି ଚିନ୍ତିତ ହୋଇ ଠିଆ ହୋଇ ଥିଲା । ମୁହଁ ଉପରେ ଦୁଃଖ ଓ ଆଶଙ୍କାର ଛାଇ ସୁସ୍ପଷ୍ଟ । ତାଙ୍କୁ ଜଣେ ପଚାରିଥିଲେ—ଆପଣଙ୍କର ସେ ପିଲାଟା କ’ଣ ହବ କି ? ଅନ୍ୟମନସ୍କ ଭାବରେ ତାଙ୍କ ପାଟିରୁ ବାହାରିଗଲା—‘ପୁତୁରା’ ।

 

—ଆପଣଙ୍କୁ ଲାଜ ସରମ ନାହିଁ । ଆହୁରି ଆସିଛନ୍ତି ଲଢ଼ିବାକୁ ? ଭଦ୍ରଲୋକ ମୁଣ୍ଡ ନୁଆଁଇଲେ । ଶେଫାଳୀଙ୍କୁ ପ୍ରଶ୍ନହେଲା–‘ତୁମେ ଉପରେ ଏମାନେ ପାଶବିକ ଅତ୍ୟାଚାର କରିଛନ୍ତି-?

 

—ହଁ

 

-ପ୍ରଥମେ ଯଦୁ ତୁମ ଉପରେ ପାଶବିକ ଅତ୍ୟାଚାର କରିଥିଲେ’ ?

 

—ହଁ

 

କୋର୍ଟ ରୁମ୍‌ରେ ଡିଆସିଲି ଡବାର କାଠି ପରି ଲୋକ ‘ଠେଲା ଠେଲି ହୋଇ ଠିଆା ହୋଇଥିଲେ । ମାଜିଷ୍ଟ୍ରେଟ୍‌ ଲୋକମାନଙ୍କୁ ଚୁପ୍‌ ହେବାକୁ ନିର୍ଦ୍ଦେଶ ଦେଲେ ।

 

ମୁଁ ଆଉ ଠିଆ ନ ହୋଇ ଚାଲି ଆସିଲି । ମୋର ଅନେକ ଦିନ ତାଳର କଥା ମନେ ପଡ଼ୁଥିଲା । ଜେଜେ ଥିଲେ ଜମିଦାର । ଘୋଡ଼ାରେ ଚଢ଼ି ବୁଲିବା ଥିଲା ତାଙ୍କର ସଉକ୍ । ସେ ସବୁବେଳେ ହାତରେ ଗୋଟିଏ କୋରଡ଼ା ଧରି ବୁଲୁଥିଲେ । ଘୋଡ଼ାର ଭୁଲ ପାଇଁ ଶଇସ ବି କୋରଡ଼ା ଖାଉଥିଲା । ପ୍ରଜାଙ୍କ ପିଠିରେ ତାଙ୍କ କୋରଡ଼ା ଅନେକ ନୃତ୍ୟ କରିଛି । ଜମିଦାରୀ ଚାଲିଗଲା । ଜମିଦାରଙ୍କ ପୁଅ ହେଲେ ଗାନ୍ଧିଚେଲା । ବାପା ଦିନେ ଜେଜେଙ୍କୁ କହିଲେ—ସମୟ ବଦଳିଛି । ଏ କୋରଡ଼ା ଆଉ ସାଇତି ରଖି ଲାଭ ନାହିଁ । ଜେଜେ କୋରଡ଼ାଟି ନେଇ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ରଖି ଦେଇଥିଲେ । ସେଇଦିନଠୁ ସେ ଘୋଡ଼ାଚଢ଼ା ବି ଛାଡ଼ିଦେଇ ଥିଲେ । ତାଙ୍କର ଏ ପରିବର୍ତ୍ତନରେ ସମସ୍ତେ ଖୁସି ହୋଇଥିଲେ ।

 

ମାତ୍ର ଆଜି ହଠାତ୍‌ କାହିଁକି ମନେ ହେଉଛି ମୋ ହାତରେ ଜେଜେଙ୍କର ସେ କୋରଡ଼ାଟି କେହିହେଲେ ଆଣି ଦିଅନ୍ତା କି ।

񤦬񤦬񤦬

 

Unknown

ଅରଣ୍ୟ

 

ସେ ଅଶ୍ରୁଳ ନୟନରେ ଚାହିଁ ରହିଲା । ଲୁହାର ବିରାଟ ଫାଟକ ଧୀରେ ଧୀରେ ଶବ୍ଦ କରି ଖୋଲିଲା । ଆଗରେ ପଛରେ ଦୁଇ ଜଣ ଓ୍ୱାଡ଼ର ତାକୁ ଧରି ଧରି ଆସି ପହଞ୍ଚିଲେ । ଏଇ ତେବେ ତା’ର ପୁଅ । ମରିହଜି ଯାଇନାହିଁ । ସବୁ ଦୁଃଖ ମଧ୍ୟରେ ଏଇ ମାତ୍ର ସାନ୍ତ୍ୱନା । ପୁଅ ତା’ର ଜୀବନରେ ଅଛି । ହଁ ବେଳେବେଳେ ଘରପୋଡ଼ିରୁ କୁଟାଖିଏ ଉଦ୍ଧାର କରିପାରି ମଣିଷ ଆପଣାକୁ ଭାଗ୍ୟବାନ ମନେକରେ । ନରହରି ନିଜକୁ ଭାଗ୍ୟବାନ୍‌ ମନେକରି ଭୁଲକଲା ତେବେ କ’ଣ ?

 

ନଦୀୟା ସାମନ୍ତ ମାଟିରେ ମୁଣ୍ଡ ଲଗାଇ ବାପାକୁ ତା’ର ସାଷ୍ଟାଙ୍ଗ ପ୍ରଣିପାତ ହେଲା । କ୍ଷଣକ ପାଇଁ ବାପ ତା’ର ସ୍ତବ୍‌ଧ, ମୂକ ହୋଇ କେବଳ ଚାହିଁ ରହିଲା ପୁଅକୁ । କ’ଣ ସେ ଦେଖୁଛି । ଆଖିରୁ ତା’ର ଦୁଇ ଧାର ଲୁହ ଝରି ଆସିଲା ଅନାୟାସରେ । ଗଭୀର ଆନ୍ତରିକତା, ବାତ୍ସଲ୍ୟର ପରିପ୍ରକାଶ ହୋଇଛି । ଦେହର ରକ୍ତ ଲୁହ ହୋଇ ବୋହି ଆସୁଛି । ସେ ଆଖି ପୋଛିଲା ।

 

‘ବାପା ସମ୍ବୋଧନ ଶୁଣି ସେ ଚମକି ଚାହିଁଲା । ହଁ, ସେ ତ ଚିହ୍ନିପାରୁଛି । ଭଲଅଛି ତେବେ, ଘନ ଅନ୍ଧକାର ମଧ୍ୟରେ ଆଲୋକର ସାମାନ୍ୟ ସଂକେତ ମାତ୍ର । ଆଶାକୁ ଉଦ୍ଦୀପିତ କରିବା ନିମନ୍ତେ ଏହା ଯଥେଷ୍ଟ ।

 

ନରହରି ପ୍ରଶ୍ନକଲା—କିରେ, ତୁ ଏଠିକୁ କିପରି ଆସିଲୁ ? ଆସିବାବେଳେ କାହାକୁ କିଛି କହି ଆସିଲୁ ନାହିଁ ଯେ ।

 

ହଁ, ମୁଁ ଚାଲି ଆସିଲି । ଚାଲି ଆସିଲି । ସିଧା ଆସିଲି ପୁରୀ । ଠାକୁରଙ୍କୁ ମୁଣ୍ଡିଆ ମାରିଲି-। କହିଲି, ମୋତେ ଲାଇସେନ୍‌ସ କରାଇ ଦିଅନ୍ତୁ । ମୁଁ ଗାଡ଼ି ଚଲେଇବି । କେତେଦିନ ଆଉ ବସି ରହିବି । ସେ କିଛି ଶୁଣିଲେ ନାହିଁ । ତା’ପରେ ମୁଁ ବୁଲିଲି ବୁଳିଲି, ଦୁଇ ଦିନ ବୁଲିଲି । ଭୀଷଣ ଭୋକ । ପୁରୀ ସହରରେ ମୋତେ କେହି ମୁଠାଏ ଖାଇବାକୁ ଦେଲେ ନାହିଁ । ମୋତେ ସେମାନେ ଏଠିକୁ ଧରି ଆଣିଲେ । ମୁଠାଏ ମୁଠାଏ ମୋତେ ଏଠାରେ ଖାଇବାକୁ ଦେଉଛନ୍ତି । ମୁଁ ଏଠାରେ ଟିକିଏ ଭଲରେ ଅଛି । ହଁ, ଭଲରେ ଅଛି । ତୁ କ’ଣ ସାଇକେଲ ଚୋରି କରିଛୁ ? ନା, ମୁଁ ସାଇକେଲ ଚୋରି କରିନାହିଁ । ହଁ ହଁ ସାଇକେଲ ଚୋରି କରିଛି । ସମସ୍ତେ କହୁଛନ୍ତି ତ । ମୋତେ ତ ଭାରି ଭୋକ ହେଉଥିଲା । ସମସ୍ତଙ୍କୁ ମାଗିଲି, କେହି ମୁଠାଏ ଖାଇବାକୁ ଦେଲେ ନାହିଁ । ଦେଖିଲି ଗୋଟିଏ ହୋଟେଲ୍‌ ଆଗରେ ଅନେକ ଲୋକ ବସି ଖାଉଛନ୍ତି । ସେଠାରେ ଗୋଟିଏ ସାଇକେଲ ଥୁଆ ହୋଇଥିଲା । ମୁଁ ଯାଇ ସେହି ସାଇକେଲ ଉପରେ ହାତଦେଇ ଠିଆ ହୋଇଛି, ହଟାତ୍‌ ଜଣେ ପାଟିକଲା ଚୋର ଚୋର, ସାଇକେଲ ଚୋର । ଦେଖୁ ଦେଖୁ ବହୁତ ଲୋକ ସେଠି ଜମା ହୋଇଗଲେ । ପୁଲିସ ପହଞ୍ଚିଲା । ମୋତେ ଥାନାକୁ ନେଇଗଲେ । ହଁ, ଥାନାକୁ ନେଇଗଲେ-। କେହି ମୁଠାଏ ଖାଇବାକୁ ଦେଲେ ନାହିଁ । ଥାନା ଭିତରେ ମୋତେ ପୂରାଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନମାନ ପଚାରିଲେ । ମୁଁ ସାଇକେଲ ଚୋରି କାହିଁକି କରୁଥିଲି, ଆଉ କେଉଁଠୁ କେଉଁଠୁ ସାଇକେଲ ନେଇଛି ? ମୋ ସାଙ୍ଗରେ ସବୁ ଅନ୍ୟ କେଉଁମାନେ ଚୋରି କରୁଛନ୍ତି, ତାଙ୍କ ଠିକଣା କ’ଣ, ମୋ ନା କ’ଣ, ଘର କେଉଁଠି ? ମୁଁ କିଛି କହି ପାରିଲି ନାହିଁ । ମୋର କିଛି ମନେ ପଡ଼ିଲା ନାହିଁ । ମୋ ମୁଣ୍ଡ କ’ଣ ହୋଇଗଲା । ମୋତେ ଆଉ ସବୁ କ’ଣ ପଚାରିଲେ । ମୁଁ କିଛି କହିପାରିଲି ନାହିଁ । ତା’ପରେ ସେଠାରେ ମୋତେ ସେମାନେ ଅନେକ ପିଟିଲେ । ବିଧା, ଗୋଇଠା, ଚାପଡ଼, ରୋଲର ମାଡ଼, ବହୁତ ମାଡ଼, ଅସମ୍ଭବ ମାଡ଼ । ବଳଦ ଠିକ୍ ଗୁଳାରେ ନ ଗଲେ ଚଷା ଯେପରି ପିଟେ, ସେମିତି ମୁଁ ଭାବିଲି ମୁଁ ମରିଯିବି । ମାଡ଼ରେ ମୋ ପାଗଳାମୀ ଛାଡ଼ିଗଲା । ବହୁତ ମାଡ଼ ଦେଲେ, ମାତ୍ର ମୁଠାଏ ଖାଇବାକୁ ଦେଲେ ନାହିଁ ।

 

ମୋତେ ଏଠାରେ ମୁଠାଏ ମୁଠାଏ ଖାଇବାକୁ ଦେଉଛନ୍ତି । ମୁଁ ଭଲରେ ଅଛି । ହଁ, ଭଲ ଅଛି । ବହୁତ ମାଡ଼, ବହୁତ ମାଡ଼ । ଦେଖ, ମୋ ଦେହରୁ ନୋଳା ଲିଭି ନାହିଁ । ସେମାନେ ଭାବିଲେ ମୁଁ ସତରେ ଚୋର । ଖୁବ୍‌ ବଡ଼ ଚୋର, ପୃଥିବୀର ସବୁଠୁଁ ବଡ଼ ଚୋର । ସେଥିପାଇଁ ସେମାନେ ମୋତେ ରୋଲ୍‌ରେ ପିଟିଲେ । ବୁଟ୍‌ରେ ମାରିଲେ । କାହିଁ, କାହିଁ ସେ ସାଇକେଲବାଲା କାହିଁ ? ମୁଁ ତା’ ସାଇକେଲ ନେଇନାହିଁ ।

 

ନରହରି ସାମନ୍ତର ଆଖି ଦୁଇଟି ସଢ଼ଳ ହୋଇଉଠିଲା । ଅଙ୍ଗେ ଅଙ୍ଗେ ସେ ଯନ୍ତ୍ରଣା ଅନୁଭବ କଲା । ସତେ ଯେପରି ତାକୁ କେହି ନିର୍ମମ ଭାବେ ପ୍ରହାର କରୁଛି । ପୁଅକୁ ତା’ର କେତେ କଷ୍ଟ ବାଧିଥିବ । ନରହରି ଆଖି ପୋଛିଲା । ଉପସ୍ଥିତ ଓ୍ୱାଡ଼ର ଦୁଇ ଜଣ ସମବେଦନା ଜଣାଇ କହିଲେ, ଆଉ କାନ୍ଦୁଛନ୍ତି କାହିଁକି । ସବୁ ଭାଗ୍ୟ । ଭେଣ୍ଡାପୁଅ, ଘରେ ସ୍ତ୍ରୀ ପିଲା, ଏ ପୁଣି ପାଗଳ ହୁଏ । ଆଜି ତ ଅନେକ ଭଲ ଅଛି । ପ୍ରଥମ ଛ’ ସାତ ଦିନ ଆମକୁ ନୟାନ୍ତ କରିଛି । ଯାହା ପାଇଲା ଚିରିଲା, ସମସ୍ତଙ୍କୁ ମାରିବାକୁ ବାହାରିଲା । କିଛି ଖାଇଲା ନାହିଁ । ଖାଇବା ଜିନିଷ ଫିଙ୍ଗିଲା ।

 

: ତୋ ଲୁଗା, ଗଞ୍ଚି, ଜାମା କ’ଣ କଲୁ ?

 

ମୁଁ ଜାଣେ ନାହିଁ । ଥାନାରେ ମୋଠୁଁ ଛଡ଼େଇନେଲେ । ହଁ, ମୋତେ ଏଠୁ କେବେ ନେବ-। ତୁ’ତ ଏମିତି ହେଉଛୁ । ତୋତେ ନେବି କ’ଣ ? ତୋତେ ରାଞ୍ଚି ନିଆଯିବ । ଭଲ ହେଲେ ଯାଇ ଆସିବୁ ।

 

ହଉ, ଯେଉଁଠିକୁ ନେଉଛ ନିଅ । ତମ ଇଛା । ମୁଁ ତ ପାଗଳ ହୋଇନାହିଁ । ମୋତେ ସମସ୍ତେ ପାଗଳ କହୁଛନ୍ତି, କହନ୍ତୁ । ମୁଁ କାହାକୁ କିଛି କହୁନାହିଁ । ଏଠି ମୋତେ ମୁଠିଏ ମୁଠିଏ ଖାଇବାକୁ ଦେଉଛନ୍ତି । ମୁଁ ଭଲରେ ଅଛି । ଏଠି ଟିକିଏ ଭଲରେ ଅଛି । ମୋ ପାଗଳାମି ଭଲ ହୋଇଗଲାଣି । ଭୋକରେ ମୋ ପାଗଳାମି ଭଲ ହୋଇଗଲାଣି । ଆଉ କିଛି ନାହିଁ । ସବୁ ଭଲ ହୋଇଗଲାଣି । ଦିନରେ ଦୁଇ ଖଣ୍ଡି, ରାତିରେ ତିନି ଖଣ୍ଡି ରୁଟି ମୋତେ ଦିଆଯାଉଛି । ମୋତେ ମୋଟେ ପାଉନାହିଁ । ଭିତରେ ଜଣେ ଅଛି ସେ ବେଳେ ବେଳେ ତା’ରୁଟିରୁ ଖଣ୍ଡେ ରୁଟି ମୋ ପାଖକୁ ଫିଙ୍ଗିଦେଇ କହୁଛି, ନେ ନେ ଖାଇଦେ ଏ ଖଣ୍ଡ । ଯବାନ୍‌ ଟୋକାଟା । ଖାଇବାକୁ ନ ପାଇ ଦିନ କେଇଟାରେ ଦୋହଲି ଗଲାଣି ।

 

ହଁ ମା’ ପିଠା କରୁଥିଲା । ସବୁ ଖାଇଦେଲ । ଆଉ କିଛି ନାହିଁ । ହଁ, ମୋ ବଗ । ତାକୁ ଛାଡ଼ିଦେଲଟି ? ତା’କୁ ଖାଇବାକୁ ଦେଉଛ ? ତାକୁ ଭାରି ଭୋକ ହେଉଥିବ ।

 

କ’ଣ ବଗ ? ବେଳେ ବେଳେ ବଗ କଥା ପଚାରୁଛି ? ପ୍ରଶ୍ନକଲା ଓ୍ୱାଡ଼ର । ହଁ, ମୋ ବଗ କଥା ପଚାରୁଥିବ ଉତ୍ତର କଲା ନରହରି । ପାଗଳ ହେବା ପୂର୍ବରୁ ସେ ବିଲକୁ ଯାଇ ଗୋଟିଏ ବଗ ଧରି ତା’ପୁଅ ଖେଳିବ ବୋଲି ଘରକୁ ଆଣିଥିଲା । ସମସ୍ତେ ପାଟି କରିବାରୁ ସେ କହିଥିଲା, ସେ ବେକାର ତା’ର ଡ୍ରାଇଭିଂ ଲାଇସେନ୍‌ସ ନାହିଁ । ସେ ଗାଡ଼ି ଚଳାଇବ କିପରି ? ପଇସା କେଉଁଠାରୁ ପାଇବ ? ପୁଅ ପାଇଁ କେମିତି ଖେଳନା କିଣିବ ? ଏଇ ବଗ ଧରି ଆଣିଛି । ପୁଅ ବଗ ସଙ୍ଗେ ଖେଳିବ । ସେହି ବଗ କଥା କହୁଛି । ଆଉ ଡ୍ରାଇଭିଂ ଲାଇସେନ୍‌ସ କଥା କ’ଣ କହୁଛି । ବେଳେ ବେଳେ ଗାଡ଼ିଦେଲେ ସେ ଚଳାଇବ ବୋଲି ପାଟି କରୁଛି ।

 

ହଁ, ସେ ଲାଇସେନ୍‌ସ ପାଇଁ ଦରଖାସ୍ତ କରିଥିଲା । ମାତ୍ର ଟେଷ୍ଟ୍ ଦିନ ପାଗଳ ହୋଇ ଅଫିସରେ ପାଟିତୁଣ୍ଡ ମାରଧର କରି ମହାନ୍‌ କାଣ୍ଡ କଲା । ନରହରି ମୁଣ୍ଡରେ ହାତଦେଇ କହିଲା ସବୁ ମୋର ଭାଗ୍ୟ ।

 

ପାଖରେ ଜେଲର୍ ଆସି ଠିଆ ହୋଇଥିଲେ । ନରହରି ତାଙ୍କୁ ଦେଖି ନଦୀୟାକୁ କହିଲା, କିରେ ଏ କିଏ ? ଚିହ୍ନି ପାରୁନାହୁଁ । ବାବୁ ପରା । ନଦୀୟା ମାଟିରେ ମୁଣ୍ଡ ଲଗାଇ ମୁଣ୍ଡିଆମାରି କହିଲା, ହଁ ଇଏ ଜେଲ୍ ବାବୁ,ବଡ଼ ଚୋର । କଣ ଚୋରି କରିଛନ୍ତି । ଆଉ ଏମାନେ (ଓ୍ୱାଡ଼ରମାନଙ୍କୁ ଚାହିଁ) ରୁଟି ଚୋର । ତୁ ଏମିତି କ’ଣ କହୁଛୁ । ସେମାନେ ପରା ବାବୁ— ।

 

ତମେ ମୋଟେ ଜାଣିନାହଁ । ଏଠାରେ ଆମେ ଯେତେ ଲୋକ ଅଛୁ ସମସ୍ତେ ଚୋର । ଯେଉଁଦିନ ଖଲାସ ହୋଇଯିବେ ନା ସବୁ ଚୋରି କରିନେବେ । ମୋ ବଗଟାକୁ ବି ଚୋରାଇ ନେବେ । ନା ନା, ଆମ କୋଠିଘରେ ପୂରାଇ ତାଲା ପକାଇ ଦେବା ।

 

ମୁଁ ଆଉ ପାଗଳ ହେବି ନାହିଁ । ପାଗଳ ହେବି ନାହିଁ । ସବୁ ପାଗଳାମି ମୋର ଛାଡ଼ିଗଲାଣି । ପେଟ ଖାଲି ଭୋକରେ ଗଁ ଗଁ କରୁଛି ।

 

ନରହରି ସତୃଷ୍ଣ ନୟନରେ ଚାହିଁ ରହିଲା ଜେଲର୍‌ଙ୍କୁ । ନିବେଦନ କଲା ଅନୁମତି ପାଇଁ ପୁଅ ଲାଗି କିଛି ଜଳଖିଆ ଆଣିବାକୁ । ଦେବ ତାକୁ ଖାଇବାକୁ ଜେଲର୍ କହିଲେ, ଏଠି ତ ଖାଇବାକୁ ଦେବାର ବ୍ୟବସ୍ଥା ନାହିଁ । ହଉ ଯେବେ କହୁଛ ଯାଆ କିଛି ଆଣ । ତୁମ ପୁଅକୁ ଦେବ ଦିଅ । ମୁଁ ବୁଝୁଛି ପୁଅ ତୁମର ପାଗଳ । ଚୋରି କରିନାହିଁ । ତୁମେ ବି ଭଦ୍ରଲୋକ । କାନ୍ଦ ନାହିଁ । ଯେତେଟା ସମ୍ଭବ ଆମେ କରୁଛୁ । ଜେଲ୍ ଡାକ୍ତର ଆସି ଦେଖୁଛନ୍ତି । ଚାହିଁଲେ ତୁମେ ବେଲ୍‌ରେ ନେଇ ଚିକିତ୍ସା କରାଇ ପାର କିମ୍ୱା ଆମକୁ କହିଲେ ଆମ ଦାୟିତ୍ୱରେ ଆମେ ଚିକିତ୍ସା କରାଇବୁ । ଦରକାର ହେଲେ ରାଞ୍ଚି ପଠାଇବୁ ।

 

ସହରଠୁଁ ଅନେକ ଦୂରରେ ଏଇ ଜେଲ୍‌ । ନରହରି ଖୋଜିଲା କ୍ଷୀରି ପୁରୀ ଅନେକ ପୁଅ ପାଇଁ ନେଇ ଯାଆନ୍ତା । ମନଭରି ସେ ଖୁଆନ୍ତା । ପାଖରେ ବସାଇ ଖୁଆନ୍ତା, ବାପର ମନ ତା’ର ତୃପ୍ତ ହୁଅନ୍ତା । ମାତ୍ର ସେସବୁ ସେ ପାଇବ କେଉଁଠୁ ? ଛୋଟ ଜଳଖିଆ ଦୋକାନରୁ ଆଠ ଗୋଟି ଲଡ଼ୁ ଓ ଆଉ ଦଶ ଗୋଟି ସିଙ୍ଗଡ଼ା ଧରି ସେ ଅସହାୟ ଯନ୍ତ୍ରଣା ମନରେ ନେଇ ଫେରିଲା । ଆଉ କିଛି ସଂଗ୍ରହ କରିପାରିଲା ନାହିଁ । ସମୟ ବି କମ୍‌ । କଏଦୀମାନେ ଓ୍ୱାର୍ଡ଼ ଭିତରକୁ ଫେରିଯିବେ, ଦିନ ଥାଉ ଥାଉ । ଏଇ ତ ଚାରି ବାଜିଯିବ ଦେଖୁ ଦେଖୁ । ଓ୍ୱାର୍ଡ଼ଗୁଡ଼ିକରେ ତେଲା ପଡ଼ିଯିବ । ପୁଣି ଖୋଲିବ ସକାଳ ହେଲେ ।

 

ଜଳଖିଆତକ ଧରି ସେ ଜେଲର୍‌ଙ୍କ ଆଡ଼େ ଚାହିଁ ଠିଆହୋଇ ରହିଲେ । ଜେଲର୍ ମିଠାଇ ସିଙ୍ଗଡ଼ା ଦେଖି କହିଲେ, ଯାହାସବୁ ଆଣିଛ ସବୁଥିରୁ ଟିକିଏ ଟିକିଏ ପ୍ରଥମେ ଖାଅ । ନରହରି ସବୁଥିରୁ ଟିକିଏ ଟିକିଏ ଖାଇନେଲା । ମନେ ମନେ ଭାବିଲା ବାପ ହୋଇ ପୁଅକୁ ସେ କ’ଣ କେବେ ବିଷ ଦେଇପାରେ । ତାକୁ ଏ ସନ୍ଦେହ କାହିଁକି ?

 

ନରହରି ନଦୀୟା ହାତକୁ ଜଳଖିଆତକ ବଢ଼ାଇ ଦେଇ କହିଲା, ନେ ଖାଆ ।

 

ଏତେ କମ୍‌ କ’ଣ ଆଣିଲ, ଭାରି ଭୋକ । ହଁ ହଁ, ମୁଁ ଏଠାରେ ଭଲରେ ଅଛି । ମୋତେ ମୁଠାଏ ମୁଠାଏ ଖଇବାକୁ ଦେଉଛନ୍ତି । ମୋତେ ତୁମେ ଏଠାରୁ ନେବ ନାହିଁ ?

 

ନଦୀୟାକୁ ଜେଲ୍ ଭିତରକୁ ନେଇଯିବାକୁ ନିର୍ଦ୍ଦେଶ ପାଇବା ସଙ୍ଗେ ସଙ୍ଗେ ଓ୍ୱାଡ଼ରମାନେ ଜେଲର୍‌ଙ୍କ ବିରାଟ ଲୁହାର ଗେଟ୍‌ ଖୋଲିଲେ । ବିନା ଦ୍ୱିଧାରେ ନଦୀୟା ଅଫିସରୁ ଜେଲ୍‌ ଭିତରକୁ ଚାଲିଲା ।

 

ଗେଟ୍‌ ଫାଙ୍କରେ ନରହରି ସ୍ପଷ୍ଟ ଦେଖି ପାରୁଥିଲା । ଛଞ୍ଚାଣ ଛୋଟ ଛୋଟ ଚଢ଼େଇମାନଙ୍କୁ ଝାମ୍ପି ନେଲାପରି ସେଠାରେ ଅପେକ୍ଷାରେ ଥିବା କେଇ ଜଣ ବୁଭୁକ୍ଷୁ କୟଦୀ ନଦୀୟା ହାତରୁ ଲଡ଼ୁ ଆଉ ସିଙ୍ଗଡ଼ା ଝାମ୍ପି ନେଲେ । ସେ ଅସହାୟ । ତା’ର କିଛି କହିବାର ଆଉ ନ ଥିଲା । ସେ ସ୍ୱାଧୀନ ମୁକ୍ତ ମଣିଷ ଆଉ ସେମାନେ ସମସ୍ତ ସ୍ୱାଧୀନତାରୁ ବଂଚିତ ବନ୍ଦୀ କଏଦୀ । ମଝିରେ ବ୍ୟବଧାନ ଗୋଟିଏ ବିରାଟ ପ୍ରାଚୀର । ଜେଲଘର ତା’ ଆଖି ପାଉ ନ ଥିଲା ଭିତରକୁ । ମାତ୍ର ସେ ଶୁଣି ପାରୁଥିଲା ନଦୀୟା ସ୍ୱରର ପ୍ରତିଧ୍ୱନି । ସେ ଭଲରେ ଅଛି,ହଁ ଭଲରେ ଅଛି । ଏଠି ମୁଠାଏ ଖାଇବାକୁ ପାଉଛି । ତାକୁ ଭାରି ଭୋକ । ସେ ଚୋରି କରିଛି । ନାଁ ନାଁ, ସେ ଚୋରି କରିନାହିଁ । ଏଠି ସମସ୍ତେ ଚୋର । ତାକୁ ଅନେକ ମାରିଲେ । ଧକା, ବେକା, ରୋଲର୍‌ ରେ ବୁଟ୍‌ରେ । ସେ ଆଉ ପାଗଳ ହେବ ନାହିଁ ।

 

ନରହରି ଧୀରେ ଧୀରେ ଆଗକୁ ବଢ଼ୁଥିଲା । ସତେ ଯେପରି ସେ କିଛି ନିଶା ଖାଇଥିଲା-। ଧୀରେ ଧୀରେ ତାହା ଛାଡ଼ୁଛି । ତା’ବକ୍‌ସିସ୍‌ ପାଇଥିବା ଓ୍ୱାର୍ଡ଼ରଟି ତାକୁ ନମସ୍କାର କରୁ କରୁ କହିଲା-ନଦୀୟାକୁ ଶୀଘ୍ର ନେବାର ବ୍ୟବସ୍ଥା କରନ୍ତୁ ।

 

ଆଖିପୋଛି ନରହରି ଅନୁରୋଧ କଲା ସେ ପାଗଳଟା, ତା’ ପ୍ରତି ଟିକେ ଭାଇ ଦୟା ରଖିଥିବ ।

 

ପଶ୍ଚିମ ଆକାଶରେ ସନ୍ଧ୍ୟା ନଇଁ ଆସୁଥିଲା । ସେ ବ୍ୟଥିତ ହୋଇ ଆପଣାକୁ ପ୍ରଶ୍ନ କରୁଥିଲା, ନଦୀୟା କ’ଣ ତା’ର ଆଉ ଭଲ ହେବ ନାହିଁ । ଆଲୋକ ଅନ୍ଧାରର ତଫାତ, ଆପଣା ପରର ବାଛ ବିଚାର, ଏ ମାଟିକୁ ଭଲ ପାଇବାର ଶକ୍ତି ସତରେ ତା’ର କ’ଣ ଆଉ ଫେରି ପାଇବ ନାହିଁ । ସେ ସବୁଦିନ ପାଇଁ ପାଗଳ ହୋଇ ରହିଯିବ । ସବୁ ଭଗବାନଙ୍କର ଇଛା ।

񤦬񤦬񤦬

 

ମାଣିକପଡ଼ାର ନୀଳ ତାରା

 

ସମ୍ମାନାସ୍ପଦ ଅତିଥିଙ୍କ ନିମନ୍ତେ ଯଥାଯୋଗ୍ୟ ସମ୍ୱର୍ଦ୍ଧନା । ସେଥିରେ ସେ ଅବହେଳା କରନ୍ତେ କିପରି ? ପଟ୍ଟନାୟକଙ୍କ ଜୀବଦ୍ଦଶାରେ ପୂଜ୍ୟପୂଜାରେ ସେ କେବେ ଅବହେଳା କରିପାରିବେ ନାହିଁ । ମାଣିକପଡ଼ା ହୋଇପାରେ ଏକ ଅନାମଧେୟ ପଲ୍ଲୀ । ଭୂଗୋଳ ପୋଥିପତ୍ରରେ ତା’ର ଠିକଣା ମିଳି ନ ପାରେ । ମାତ୍ର ମାଣିକପଡ଼ାର ଅଧିବାସୀଙ୍କ ହୃଦୟ କେତେ ଉଦାର, ଯେଉଁ ଅତିଥି ଅଭ୍ୟାଗତ ଆସିବେ ସେମାନେ ବୁଝିବେ । ସେତିକି ଅନ୍ତତଃ ଅନ୍ୟମାନେ ବୁଝନ୍ତୁ ବୋଲି ପଟ୍ଟନାୟକ ଚାହାନ୍ତି ।

 

ବାଉଁଶର ତୋଳା ତୋରଣ ଦେହରେ ପିପିଲି ତିଆରି ଝାଲର ଝୁଲୁଛି । ତା’ଉପରେ ଜରି କାଗଜରେ ଲେଖା ଯାଇଛି ସ୍ୱାଗତମ୍ । ତୋରଣର ପାଦଦେଶରେ ଜଳପୂର୍ଣ୍ଣ ଦୁଇ ଶୁଭ କଳସ-। ପଟ୍ଟନାୟକ ଆଉ ଥରେ ତୋରଣକୁ ଚାହିଁ ସନ୍ତୋଷ ପ୍ରକାଶ କଲେ । କହିଲେ, ମନ୍ତ୍ରୀ ଏଇଠୁ ପାଦରେ ଚାଲି ଚାଲି ଯିବେ । ସଂକୀର୍ତ୍ତନ ହୁଳହୁଳି ସହ ତାଙ୍କୁ ଏଇଠୁ ପାଛୋଟି ନେବାକୁ ହେବ-। ସଭାଘର ପର୍ଯ୍ୟନ୍ତ ଶୋଭାଯାତ୍ରାର ଅଗ୍ରଭାଗରେ ରହିବେ ଗ୍ରମ୍ୟ ସ୍କୁଲର ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀଗଣ । ତା’ପରେ ମାଣିକପଡ଼ାର ସଂକୀର୍ତ୍ତନ ମଣ୍ଡଳୀ । ତା’ପରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ମନ୍ତ୍ରୀ ମହୋଦୟ ।

 

ସଭାଘରେ କିଛିସମୟ ବସିବା ପରେ ସେ ଗ୍ରାମ୍ୟ ପୁସ୍ତକାଗାର ଯାହାକି ଯୋଗୀ ଅରବିନ୍ଦଙ୍କ ନାମାନୁସାରେ ନାମିତ କରାଯାଇଛି, ତାହା ପରିଦର୍ଶନ କରିବେ ଏବଂ ତା’ପରେ ଛାଗଳ ଉନ୍ନୟନ କେନ୍ଦ୍ର ଉଦ୍‌ଘାଟନ କରିବେ ।

 

ଏଇ ଅରବିନ୍ଦ ଲାଇବ୍ରେରୀ । ଆଜି ଯେ ଏତେ ବିରାଟ ହୋଇପାରିଛି ତାହା ପଟ୍ଟନାୟକଙ୍କ ଉଦ୍ୟମର ଫଳ । ଦେଶବିଦେଶର ବୃଦ୍ଧିଜୀବୀ, ଗବେଷଣାରତ ଛାତ୍ର, ଅଧ୍ୟାପକବୃନ୍ଦ ଏହା ଦେଖି ଯେ ମୁକ୍ତକଣ୍ଠରେ ପଟ୍ଟନାୟକଙ୍କର ଗୁଣଗାନ କରୁଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତାହା ତାଙ୍କର ପ୍ରାପ୍ୟ ।

 

ପଟ୍ଟନାୟକ ବାର୍ଦ୍ଧକ୍ୟରେ ଉପଗତ । ମାତ୍ର ଯୁବସୁଲଭ କର୍ମପ୍ରବଣତା ତାଙ୍କୁ କର୍ମମୁଖର କରି ରଖିଛି । ସେ ଭୁଲି ଯାଇଛନ୍ତି ଯେ, ସେ ବୃଦ୍ଧ, ତାଙ୍କର ସମୟ ଆଉ ଅଧିକ ନୁହେଁ । ସେ ଚାହାନ୍ତି ମାଣିକପଡ଼ା ଗ୍ରାମର ମଙ୍ଗଳ ହେଉ, ସୁନାମ ହେଉ, ଗ୍ରାମବାସୀଗଣ ସୁସ୍ୱାସ୍ଥ୍ୟ ଓ ସମ୍ପଦର ଅଧିକାରୀ ହୁଅନ୍ତୁ । ତେଣୁ ଯାହା କଲେ ଗ୍ରାମବାସୀମାନେ ଲାଭବାନ୍‌ ହେବେ ତାହା କରିବା ନିମନ୍ତେ ସେ ସମସ୍ତଙ୍କୁ ପ୍ରବର୍ତ୍ତାନ୍ତି ।

 

ମାଣିକପଡ଼ାକୁ ମନ୍ତ୍ରୀ ଆସିବେ । ସେଥିପାଇଁ କେବଳ ମାଣିକପଡ଼ା ନୁହେଁ ନିକଟବର୍ତ୍ତୀ ଅଞ୍ଚଳରେ ଚହଳ ପଡ଼ିଯାଇଛି । ପାଠାଗାର ପରିଦର୍ଶନ ଓ ଛାଗଳ ଉନ୍ନୟନ କେନ୍ଦ୍ର ଉଦ୍‌ଘାଟନ ବ୍ୟତୀତ ଅନ୍ୟମାନେ ମଧ୍ୟ ମନ୍ତ୍ରୀଙ୍କ ଆଗମନର ସୁଯୋଗ ନେବେ ବୋଲି ଚାହିଁ ରହିଥିଲେ । କିଏ କହିବ ତାଙ୍କ ସ୍କୁଲ ଘର ଛାଉଣି ପାଇଁ ଆର୍ଥିକ ସାହାଯ୍ୟ, ଗାଁ ବନ୍ଧ, ରସ୍ତା ମରାମତି ହେଉ, କେହି ବା ବେକାର ଆତ୍ମୀୟ ଲଗି କର୍ମଯୋଗାଣର ବ୍ୟବସ୍ଥା କରିଦେବା ନିମନ୍ତେ ପ୍ରାର୍ଥନା କରିବେ । ମନ୍ତ୍ରୀ ସବୁ କରିପାରିବେ । ପିଅନ ଚାକିରୀଟୀଏ ମିଳିବାଠାରୁ ଧରି ପାଇପ୍‌ରେ ପାଣି ଆସିବା ପର୍ଯନ୍ତ ସେ ସବୁ କିଛି କରିପାରନ୍ତି । ତାଙ୍କର ବିନା ଇଙ୍ଗିତରେ ଆପଣାର ଯୋଗ୍ୟତା, ଶକ୍ତିର କିଛି ମାନେ ନାହିଁ-। ସେ ଗଣତନ୍ତ୍ରର ହ୍ୱାଟ୍‌ନଟ୍‌ । କ’ଣ ନ କରିପାରନ୍ତି ।

 

ସମସ୍ତେ ପଟ୍ଟନାୟକଙ୍କର ପ୍ରଶଂସା କରନ୍ତି । ମାଣିକପଡ଼ା କିଏ, ମନ୍ତ୍ରୀ କିଏ ? ସବୁ ସିନା ଏଇ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହେଉଛି ।

 

ପଟ୍ଟନାୟକ ଆଉ ଥରେ ଚାରିଆଡ଼େ ବୁଲି ଆସିଲେ । ସବୁ ପ୍ରାୟ ପ୍ରସ୍ତୁତ । ସଭା ଶେଷ ବେଳକୁ ଖଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇ ଯାଇଥିବ । ଗ୍ରାମବାସୀମାନେ ଚାନ୍ଦାଭେଦା ଦେଇ ଖାଇବା ବ୍ୟବସ୍ଥା କରିଛନ୍ତି । ମନ୍ତ୍ରୀଙ୍କୁ ଚାହିଁ ଖାଦ୍ୟ ପ୍ରସ୍ତୁତ ହେଉଛି ।

 

ହଁ, ମନ୍ତ୍ରୀ କହିଥିଲେ ପଟ୍ଟନାୟକ କେବଳ ଦୁଇ କପ୍ ଚା’ । କିନ୍ତୁ ଏ କ’ଣ ସହର ବଜାର ହେଉଛି । ଦୁଇ କପ୍‌ ଚା’ଦେଇ କାମ ସାରିଦେବେ । ଆମେ କ’ଣ ଏତିକି ଦେଇପାରିବୁ ନାହିଁ । ଆମର ଏଠି ଠକାଠକି ନାହିଁ । ଆମର ଆତିଥ୍ୟ ଭୁରି ଭୋଜନ । ସଂପୂର୍ଣ୍ଣ ସନ୍ତୋଷ ।

 

ପାଠାଗାର ସମ୍ମୁଖରେ ନାଲିଫିତା ଟଣା ସରିଛି । ଏହି ଫିତା କାଟି ମନ୍ତ୍ରୀ ପାଠାଗାରର ନୂତନ ବିଭାଗ ପତ୍ରିକା ମହଲ ଉଦ୍‌ଘାଟନ କରିବେ । ତା’ର ଦାୟିତ୍ୱରେ ଅଛି ନିଳାଦ୍ରୀ, ପଟ୍ଟନାୟକଙ୍କର ଦୂର ସମ୍ପର୍କୀୟ ନାତି । କଲେଜରେ ପଢ଼ୁଛି । ସେ କହିଲା, ଅଜା । ମନ୍ତ୍ରୀ ନାଲିଫିତା କାଟିବାବେଳେ ଅତର ଛିଞ୍ଚା ହେବ । ହୁଳହୁଳି ପଡ଼ିବ । ପଟ୍ଟନାୟକ କହିଲେ, ନୀଳାଦ୍ରୀ ଏଠାରେ କ’ଣ ହେବ ନହେବ ତାହା ତୋର ଦାୟିତ୍ୱ । ମୋ କାମ ଥିଲା ମନ୍ତ୍ରୀଙ୍କୁ ଆଣିବା । ସେ ଆସିଲେ । ତାଙ୍କୁ କିପରି ସମ୍ବର୍ଦ୍ଧନା ଦିଆଯିବ ତାହା ତୁମମାନଙ୍କର କର୍ତ୍ତବ୍ୟ ।

 

ଆଚ୍ଛା ଠିକ୍‌ ଅଛି କହି ସେ ଚାଲିଲେ ଛାଗଳ ଉନ୍ନୟନ କେନ୍ଦ୍ର ନିକଟକୁ । ତା’ଦାୟିତ୍ୱରେ ଅଛନ୍ତି ରଙ୍ଗଲତା ଓ ଗ୍ରାମର ଅନ୍ୟାନ୍ୟ କୁଆଁରୀ କନ୍ୟାମାନେ । ସମସ୍ତେ ପ୍ରାୟ ଶିକ୍ଷିତା । ନିକଟବର୍ତ୍ତୀ ନୂଆ କଲେଜରେ ସମସ୍ତେ ପଢ଼ୁଛନ୍ତି । ସମସ୍ତେ ନାତୁଣୀ ଲେଖା ହେବେ । ପଟ୍ଟନାୟକଙ୍କୁ ଦେଖି ରଙ୍ଗଲତା ଓ ଅନ୍ୟମାନେ ହାତରେ ଧରିଥିବା ଶଙ୍ଖନାଦ କରି ଉଠିଲେ । ପଟ୍ଟନାୟକ କହିଲେ, ଥାଉ ଥାଉ, ମନ୍ତ୍ରୀ ଆସିବା ପର୍ଯ୍ୟନ୍ତ ଦମ୍‌ ରଖ । ଏବେଠୁ ଶେଷ କରି ଦିଅ ନାହିଁ ।

 

ଛେଳିଜଗାଳି ପିଲା ରତନାକୁ କହିଲେ, ଦେଖ୍‌ ତୁ ଏଇଠି ଥିବୁ । କୁଆଡ଼େ ପଳାଇବୁ ନାହିଁ । ଘାସକୁ ସବୁ ଛୋଟ ଛୋଟ ବିଡ଼ାକରି ବାନ୍ଧି ଦେଇଛୁ ଟି । ମୁଢ଼ି ବେତାଟି ସେହିପରି ଘୋଡ଼ାଇ ରଖିଛୁ । ତୁ ଘାସ ଓ ମୁଢ଼ି ବେତା ଧରି ମନ୍ତ୍ରୀଙ୍କ ପାଖେ ପାଖେ ଚାଲିଥିବୁ । ଡରିବୁ ନାହିଁ । ମୁଁ ପାଖେ ପାଖେ ଥିବି ।

 

‘ହଁ’ ସାଆନ୍ତେ କହି ରତନା ଚୁପ୍‌ଚାପ୍‌ ଠିଆ ହେଲା । ପଟ୍ଟନାୟକ ସବୁଆଡ଼କୁ ଚାହିଁ ଗୁହାଳ ଭିତରେ ଅନେକ ବେଳୁ ବନ୍ଦହୋଇ ରହିଥବା ଛାଗଳଗୁଡ଼ିକୁ ଚାହିଁଲେ । ସମସ୍ତ ଛାଗଳ ଚଞ୍ଚଳ ହୋଇ ଉଠିଲେ ।

 

ପଟ୍ଟନାୟକ କ’ଣ ଭାବିଲେ କେଜାଣି ପୁଣି କହିଲେ, ରଙ୍ଗଲତା ତୁ ପଢ଼ି ପାରିବୁଟି ରିପୋର୍ଟ । ଇଏ କିଛି କଲେଜ ଡ୍ରାମା ହୋଇନି । ହିରୋଇନ୍‌ ହୋଇ ଫଡ଼୍‌ଫାଡ଼୍‌ ହେବୁ । ଏଠି ତାକତ୍‌ ଦରକାର, ଦମ୍‌ ଦରକାର । ନିର୍ଭୁଲ ଭାବେ ରିପୋର୍ଟ ପଢ଼ିବାକୁ ହେବ ।

 

ରଙ୍ଗଲତାକୁ ଅପମାନ ଲାଗିଲା । ସେ କହିଲା, ଅଜା ଠିଆ ହୁଅ, ଏଇ ଦେଖ । ଶଙ୍ଖନାଦରେ ପରିବେଶ ଗର୍ଜି ଉଠିଲା...ଛାଗଳଗୁଡ଼ିକ ଆତଙ୍କିତ ହୋଇ ଉଠିଲେ.....ଅନ୍ୟ ଯେଉଁମାନେ ପାଖରେ ଥିଲେ ସେମାନେ ଦଉଡ଼ି ଆସିଲେ....ପଟ୍ଟନାୟକ ସେହିପରି ଠିଆ ହୋଇ ଦେଖୁଥାଆନ୍ତି.....

 

ରଙ୍ଗଲତା ପଢ଼ିବାକୁ ଆରମ୍ଭ କଲା...ମହାଭାଗ...ଅଦ୍ୟ ଉତ୍ସବରେ ଆମେ ମାଣିକପଡ଼ା ଗ୍ରାମବାସୀ ଆପଣଙ୍କୁ ପାଇ ଆପଣାକୁ ଧନ୍ୟ ମଣୁଅଛୁ । ଏ ଅଞ୍ଚଳରେ ଛାଗଳ ଉନ୍ନୟନ କେନ୍ଦ୍ର ସ୍ଥାପନ ଏକ ନୂତନ ଉଦ୍ୟମ । ଏହା ଯେ ଆଜି ସମ୍ଭବ ହୋଇପାରିଛି ସେଥିପାଇଁ ଶ୍ରୀଯୁକ୍ତ ନିମାଇଁ ପଟ୍ଟନାୟକ ଧନ୍ୟବାଦାର୍ହ ।

 

ଏହି ଛାଗ ଏକ ଗୃହପାଳିତ ପଶୁ । ଏହାର ଅବଦାନ ଜାତିର ଇତିହାସରେ ଚିରସ୍ମରଣୀୟ ହୋଇ ରହିବ । ଜାତିର ପିତା ମହାତ୍ମା ଗାନ୍ଧୀ ଏହାର ଦୁଗ୍‌ଧ ପାନ କରୁଥିବାରୁ ସୁସ୍ଥ ସବଳ ରହି ଦୀର୍ଘଦିନ ଏ ଜାତିର ସେବା କରି ପାରିଥିଲେ । ଏହି ଶିଶୁ ଛାଗଳ କେନ୍ଦ୍ରରୁ ଆଉ ଦୁଇ ମାସ ପରେ ୩୦ ଲିଟର ଦୁଗ୍‌ଧ ଆମଦାନୀ କରାଯାଇ ପାରିବ । ଏହି ଦୁଗ୍‌ଧକୁ ଦରିଦ୍ର ଆସନ୍ନପ୍ରସବା ମା’ ଓ ଶିଶୁମାନଙ୍କୁ ବିନା ମୂଲ୍ୟରେ ବିତରଣ କରାଯିବ । ସରକାରଙ୍କ ୨୦ ସୂତ୍ରୀ କାର୍ଯ୍ୟକ୍ରମ କେତେକାଂଶରେ ଏହାଦ୍ୱାରା ସଫଳ କରାଯାଇ ପାରିବ ।

 

ଏହି ଛାଗ ଆମ ସଂସ୍କୃତିର ପ୍ରତୀକ । ଏହି ମହାନ୍ ପ୍ରାଚୀନ ଦେଶରେ ମୋଗଲ ବାଦଶାହମାନେ ଅତି ଯତ୍ନର ସହିତ ଦାଢ଼ି ରଖୁଥିଲେ । ତାଙ୍କର ମନ୍ତ୍ରୀ ପରିଷଦମାନେ ମଧ୍ୟ ଏ ଦିଗରେ ବିଶେଷ ଯତ୍ନବାନ୍‌ ଥିଲେ । ଏବେ ମଧ୍ୟ ଅନେକ ଦାଢ଼ି ରଖୁଛନ୍ତି; ମାତ୍ର ତାହା କୋଚିତ୍‌ କାଁ ଭାଁ ଦେଖାଯାଉଛି । ମାତ୍ର ଏହି ଛାଗଳମାନେ ଏ ଦିଗରେ କେବେ ତ୍ରୁଟି କରିନାହାଁନ୍ତି । ସେମାନେ ଯଥାର୍ଥରେ ଜାତିର ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି । ଏବେ ମଧ୍ୟ ଏମାନେ ଦାଢ଼ି ରଖୁଛନ୍ତି । ଏହି ଜୀବମାନେ ଅତି ମାତ୍ରାରେ ସରଳ । ନିରାମିଷାଶୀ, ଅହିଂସାର ପୂଜାରୀ । ଆପଣ ଏହି ଛାଗଳମାନଙ୍କ ମଧ୍ୟରେ ଯେଉଁ କେତେଗୋଟି ମେଷ ଅବଲୋକନ କରୁଅଛନ୍ତି । ସେମାନଙ୍କୁ ମୋଗଲ ଦରବାରରେ ଥିବା ହିନ୍ଦୁମାନଙ୍କ ସଙ୍ଗେ ତୁଳନା କରାଯାଇ ପାରେ । ଟିକିଏ ତଜେଇ ଦେଖିଲେ ଆପଣଙ୍କର ହୃଦ୍‌ବୋଧ ହେବ ଯେ, ଯୁଗେ ଯୁଗେ ହିନ୍ଦୁ ମୁସଲମାନମାନେ ଯେଉଁ ମହାନ୍‌ ଭ୍ରାତୃ ବନ୍ଧନରେ ଆବଦ୍ଧ ହୋଇ ରହିଛନ୍ତି ତାହା ଏହି—ସରଳ ଛାଗଳ ଓ ମେଷମାନେ ଏବେ ସୁଦ୍ଧା କିପରି ପାଳନ କରୁଛନ୍ତି । ଦେଖନ୍ତୁ ଗୋଳମାଳ ନାହିଁ, ମାରଧର ନାହିଁ, ମେଷ ଓ ଛାଗଳମାନେ କିପରି ପାକୁଳି କରି ଚାଲିଛନ୍ତି । ସତେ ଅବା ସିଦ୍ଧଯୋଗୀ ପୁରୁଷ...କେବଳ ଗଭୀର ନାମଯଜ୍ଞ କରି ଚାଲିଛନ୍ତି । କେବଳ ଓଷ୍ଠଦେଶ ସେମାନଙ୍କର ସାମାନ୍ୟ ଚଞ୍ଚଳ ଆଉ ସବୁ ଶାନ୍ତ...। କେବଳ ଭାରତୀୟ ନୁହଁନ୍ତି, ଶାନ୍ତିକାମୀ ଯେକୌଣସି ବିଶ୍ୱବାସୀ ଏହି ଭାବରେ ଜୀବନଯାପନ କରିବାକୁ ସଂକଳ୍ପ କରିପାରନ୍ତି । ଥାଉ ଥାଉ.....ପିଠି ଥାପୁଡ଼ାଇ ପଟ୍ଟନାୟକ କହିଲେ,ସାବାସ ରଙ୍ଗଲତା...। ଠିକ୍‌ ଅଛି...ସରୋଜିନୀ ଆଡ଼େ ଚାହିଁ କହିଲେ, ମନ୍ତ୍ରୀ ଫିତା କାଟିବା ପରେ ଏହି ଛେଳି ଦୁଧ ଗ୍ଲାସଟି ମା ତାଙ୍କୁ ପିଇବାକୁ ଅନୁରୋଧ କରିବୁ । ତାପରେ ଗୋଟିଏ ଗୋଟିଏ ମୁଢ଼ି ପ୍ୟାକେଟ୍‌ ଓ ଘାସ ବିଡ଼ା ମନ୍ତ୍ରୀଙ୍କ ହାତକୁ ବଢ଼ାଇଦେବୁ । ସେ ଯେଉଁ ଛେଳିଟିକୁ ଖୁଆଇବେ ଏଣେ ମାଇକ୍‌ରେ ତା’ ନାମ ପଢ଼ା ହେଉଥିବ । ସବୁ ସରିବା ପରେ ମନ୍ତ୍ରୀଙ୍କୁ ଠିଆହେବା ପାଇଁ ଅନୁରୋଧ କରିବୁ । ଫଟୋ ନିଆଯିବ । ଏଟା ସବୁଠୁ ବଡ଼ କଥା । ମନେରଖିଥା । ସେ ତ ଆସିବେ, ଚାଲିଯିବେ । ସ୍ମୃତିର ସ୍ମାରକୀ ରୂପେ ରହିବ କେବଳ ଏହି ଛାଗଳମାନଙ୍କ ଗହଣରେ ମନ୍ତ୍ରୀଙ୍କ ଛାୟାଲୋକ ।

 

ପଟ୍ଟନାୟକ ମାନସ-ଚକ୍ଷୁରେ ପରିକଳ୍ପନା କରିନେଲେ ମନ୍ତ୍ରୀ କିପରି ମୁଢ଼ି ପ୍ୟାକେଟ ଓ ଘାସମାନ ଛାଗଳମାନଙ୍କୁ ଖୁଆଇ ଆତ୍ମ-ସନ୍ତୋଷ ଲାଭ କରୁଛନ୍ତି । କେଉଁ ଛାଗକୁ ଥାପୁଡ଼େଇ ଦେଉଛନ୍ତି । କାହା ସିଙ୍ଗରେ ହାତ ମାରି ଦେଉଛନ୍ତି । କିଏ କେତେ ଦୁଧ ଦେଉଛି, ପଚାରି ବୁଝୁଛନ୍ତି-। ତାଙ୍କ ପଛେ ପଛେ ଚାଲିଛନ୍ତି...ପି.ଏ., କଲେକ୍‌ଟର, ଏସ. ଡ଼ି.ଓ, ତହସିଲଦାର, ବି. ଡି. ଓ., ପଟ୍ଟନାୟକ, ବିଶିଷ୍ଟ ବ୍ୟକ୍ତିବୃନ୍ଦ ଓ ଅନ୍ୟମାନେ ଏବଂ ସରଳ ଗ୍ରାମବାସୀଗଣ ।

 

ପଟ୍ଟନାୟକ ସେହିପରି ଦାଣ୍ଡ ମଝିରେ ଏପଟ ସେପଟ ହେଉଥାନ୍ତି । ଘଣ୍ଟାକୁ ଚାହୁଁଥାଆନ୍ତି । ଆକାଶକୁ ଚାହୁଁଥାନ୍ତି । ବେଳ କେତେ ହେଲା ଦେଖିବା ପାଇଁ... । ମଝିରେ ମଝିରେ ସଂକୀର୍ତ୍ତନ ମଣ୍ଡଳକୁ ସଂକୀର୍ତ୍ତନ ଗାଇବାକୁ କହୁଥାନ୍ତି । ତୁହାକୁ ତୁହା ସଂକୀର୍ତ୍ତନ ଚାଲିଥାଏ ।

 

ଛୋଟ ଛୋଟ ପିଲାମାନେ ସେହିପରି ଗାଁ ବଉଳ ଗଛମୂଳେ ଧାଡ଼ି ବାନ୍ଧି ଠିଆ ହୋଇ ଥାଆନ୍ତି । ଶିକ୍ଷକ ମହାଶୟ ଗାଁ ଚଉପାଡ଼ି ଉପରେ ବସି ସଂପ୍ରତି ଚାଲିଥିବା ରାଜନୀତି ଆଲୋଚନା କରୁଥାଆନ୍ତି । ଛୋଟ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ମଝିରେ ମଝିରେ ପଟ୍ଟନାୟକ ଆସି କହୁଥାଆନ୍ତି.....କିରେ ପିଲେ, କ’ଣ କରିବ । ମନ୍ତ୍ରୀ...ଆସିଲେ କ’ଣ କହିବ—କୁହ ତ ।

 

ଭାରତ ମାତା କି ଜୟ

 

ଭାରତ ମାତା କି ଜୟ

 

ମହାତ୍ମା ଗାନ୍ଧୀ କି ଜୟ

 

ମହାତ୍ମା ଗାନ୍ଧୀ କି ଜୟ

 

ପ୍ରଧାନ ମନ୍ତ୍ରୀ କି ଜୟ

 

ପ୍ରଧାନ ମନ୍ତ୍ରୀ କି ଜୟ

 

ମନ୍ତ୍ରୀ ଛୋଟଲାଲ ମହାଶୟ କି ଜୟ...

 

ମନ୍ତ୍ରୀ ଛୋଟଲାଲ ମହାଶୟ କି ଜୟ.....ପିଲାମାନେ ପାଟିକରି କରି ଥକିଲେଣି ।

 

ମାଣିକପଡ଼ାକୁ ମନ୍ତ୍ରୀ ଆସିବା ପାଇଁ ଚାଲିଥିବା କୋଳାହଳ ସତେ ଯେପରି ଧୀରେ ଧୀରେ ଶାନ୍ତ ପଡ଼ି ଆସୁଛି । ଗାଁ ରାସ୍ତାରେ ସାମାନ୍ୟ ଗାଡ଼ିର ଶବ୍ଦ ହେଲେ ସମସ୍ତେ ଚମକି ଉଠୁଛନ୍ତି...ମନ୍ତ୍ରୀଙ୍କ ଗାଡ଼ି ଆସିଲା କି ?

 

ଅନ୍ୟାନ୍ୟ ବିଶିଷ୍ଟ ଉଦ୍ୟୋକ୍ତାମାନେ ଆସି ପଟ୍ଟନାୟକଙ୍କୁ ଚାହୁଁଛନ୍ତି । କ’ଣ ସାନ୍ତ୍ୱନା ଦେବେ ? ପଟ୍ଟନାୟକ କହିଲେ—ହୁଏତ ରାସ୍ତାରେ କେଉଁଠି ଗାଡ଼ି ଖରାପ ହୋଇଥିବ । କ’ଣ ଅଳ୍ପ ବାଟ ହୋଇଛି । ରାଜଧାନୀ ଆମ ଗାଁଠୁଁ ପ୍ରାୟ ଦେଢ଼ ଶହ ମାଇଲ ଦୂର ହେବ ।

 

‘ମନ୍ତ୍ରୀଙ୍କୁ କ’ଣ ଗାଡ଼ି ମିଳୁନାହିଁ...ଅନ୍ୟ କିଛି ହୁଏତ ଅସୁବିଧା ହୋଇଥିବ ।’

 

‘ହଁ ହୋଇପାରେ ।’

 

‘ବି. ଡି. ଓ. ତ କିଛି ଅସୁବିଧା ହୋଇଥିଲେ ଆସି ଖବର ଦିଅନ୍ତେଣି ।

 

ପଟ୍ଟନାୟକ କହିଲେ, ହଁ ମୁଁ ସେହିକଥା ଭାବୁଛି ।

 

ପଟ୍ଟନାୟକ ସାମାନ୍ୟ ଚିନ୍ତିତ ହୋଇ ଉଠିଲେ । ମନ୍ତ୍ରୀ ଆସି ସକାଳ ନଅଟା ବେଳେ ପହଞ୍ଚିବା କଥା । ଆସି ସଂଧ୍ୟା ଚାରିଟା ବାଜିବ...କାହାରି ଦେଖା ଦର୍ଶନ ନାହିଁ । ସେ ଚୁପ୍‌ଚାପ୍‌ ଯାଇ ଗାଁ ମୁଣ୍ଡ ପାହାଡ଼ ଉପରେ ଠିଆ ହେଲେ । ସେଠାରେ ଠିଆ ହେଲେ ତିନି ଚାରି ମାଇଲ ରାସ୍ତା ନଈ କୂଳେ କୂଳେ ଦେଖାଯାଏ । କାହିଁ, ଜିପ୍‌ କାର କିଛି ତ ଦେଖା ଯାଉନାହିଁ ।

 

ପଟ୍ଟନାୟକ ବଉଳ ମୂଳକୁ ଫେରି ଆସିଲେ ଏବଂ ଶିକ୍ଷକଙ୍କୁ ଡାକି କହିଲେ, ନିରଞ୍ଜନବାବୁ ପିଲାମାନେ ଆଉ ସମ୍ଭାଳି ପାରିବେ ନାହିଁ । ଭୋକରେ ଆଉଟୁପାଉଟୁ ହେଲେଣି । ସେମାନଙ୍କୁ କହ ଚାଲିଯାଆନ୍ତିୁ । ସକାଳୁ ଠିଆ ହୋଇଛନ୍ତି ଆଉ କେତେ ଠିଆ ହେବେ ?

 

ନିରଞ୍ଜନ ମାଷ୍ଟ୍ରେ ଦୁଃଖ ପ୍ରକାଶ କଲେ, ଆମର ତ୍ରୁଟି କ’ଣ ? ଆମେ ଆଉ କଣ କରି ନଥିଲେ । ସେ ସିନା ଠିକ୍‌ ସମୟରେ ଆସିଥିଲେ । ଆଖପାଖରୁ ଯେଉଁ ଲୋକମାନେ ଆସିଥିଲେ ସେମାନେ ଧୀରେ ଧୀରେ ଚାଲି ଯାଉଛନ୍ତି । ପଡ଼ୋଶୀ ଗାଁ ଗୋପାଳପୁରର ସରପଞ୍ଚ ଏଇ ଗଲେ । କହିଲେ, ମନ୍ତ୍ରୀ ଆସିଲେ ତ ତୋପ ଫୁଟିବ । ତୋପ ଶୁଣିଲେ ଆମେ ଆସିବୁ । ଡାକି ଯିବା ଦରକାର ନାହିଁ ।

 

ପଟ୍ଟନାୟକ ସ୍ୱଗତୋକ୍ତ କରି କରି ତାଙ୍କର ଗୃହ ମଧ୍ୟରେ ପ୍ରବେଶ କଲେ । ଛେଳିଗୁଡ଼ା ସେମିତି ଠିଆହୋଇ ରହିଲେ । ଆଜି ଟିକେ ପଦାକୁ ଯାଇପାରିଲେ ନାହିଁ । ଏଣେ ସବୁ ଖାଦ୍ୟପଦାର୍ଥ ଅଯଥା ଖର୍ଚ୍ଚାନ୍ତ ହୋଇ କରାଗଲା । ସମସ୍ତେ ଦିନଟା ସାରା ନିକିମା ହୋଇ ବସିଲେ-। ରଙ୍ଗଲତା ଯାଇଥାଆନ୍ତା ଇଣ୍ଟର୍‌ଭ୍ୟୁ ଦେବାକୁ । ତାକୁ ଅଟକାଇଲି...ଧେତ୍‌ ସବୁ....

 

ଚମ୍ପାଦେବୀ ସ୍ୱାମୀଙ୍କ ବ୍ୟସ୍ତତା ଦେଖି କହିଲେ—ମଲା, ମନ୍ତ୍ରୀ ନ ଆସିଲେ ନାହିଁ, ଖବରଟା ଅନ୍ତତଃ ଦିଅନ୍ତେ ନାହିଁ । ତାଙ୍କର ତ ଅନ୍ତତଃ ଜାଣିବା ଉଚିତ୍‌ ତାଙ୍କୁ ଅନେକ ଲୋକ ଅପେକ୍ଷା କରି ରହିଥିବେ ।

 

ପଟ୍ଟନାୟକ ପାଣି ଗ୍ଲାସରୁ ଢୋକ ଢୋକ କରି ପାଣି ପିଉ ପିଉ କହିଲେ, ଥରେ ମନ୍ତ୍ରୀ ହୋଇଗଲେ ସେମାନେ ଭାବନ୍ତି ସେମାନଙ୍କ ପାଇଁ ହଇରାଣ ହେବା, ଅପଦସ୍ଥ ହେବା, ତାଙ୍କୁ ଅପେକ୍ଷା କରିବା ହେଉଛି ଲୋକମାନଙ୍କର ପବିତ୍ର କର୍ତ୍ତବ୍ୟ ଆଉ ସେମାନଙ୍କ ପାଖକୁ ଆସିବା ମନ୍ତ୍ରୀଙ୍କ ଦୟା ଉପରେ ନିର୍ଭର କରେ । ଧନ୍ୟ ଏ ଦେଶ, ଧନ୍ୟ ଆମର ଲୋକପ୍ରତିନିଧି ।

 

ସ୍ୱାମୀଙ୍କ ବ୍ୟସ୍ତତା ଦେଖି ଚମ୍ପାଦେବୀ କହିଲେ—ଯିଏ ହେଲେ ତ ଜଣେ ମନ୍ତ୍ରୀ ଉଦ୍‌ଘାଟନ କରିବେ । ଛୋଟଲାଲ ନ ଆସିଲେ ନାହିଁ । ନରେନ୍ଦ୍ର ସ୍ୱାଇଁଙ୍କୁ କହୁନ । ସେ ଗାଁ ପାଖ ଲୋକ । ଆସି ଉଦ୍‌ଘାଟନ କରି ଦେଇଯିବ । ସେ ତ ମନ୍ତ୍ରୀ ଥିଲେ... ।

 

ପଟ୍ଟନାୟକ ବିରକ୍ତ ହୋଇ କହିଲେ, ଶୁଙ୍ଘି ଶୁଙ୍ଘି କି ଶେଷରେ ସୈନ୍ଧବ ଲୁଣ । ତୁମେ ଏଇୟା ବୁଝିଲ । ପରାଜିତ ମନ୍ତ୍ରୀ ମଲା ଘୋଡ଼ା ସଙ୍ଗେ ସମାନ । ସେଗୁଡ଼ା ସବୁ ଅଚଳନ୍ତି ମୋହର-। ମୋହର ତରଳାଇଲେ ସେଥିରେ ଅନ୍ତତଃ ଧାପେ ଦି’ଧାପେ ରୂପା କି ଆଲମିନିୟମ ବାହାରିବ-। ତା’ର ମୂଲ୍ୟ ଅଛି । ମାତ୍ର ପରାଜିତ ମନ୍ତ୍ରୀ.... । ସେଥିପାଇଁ ତ ଦୁର୍ନୀତି, ଏତେ ଅଭିଯୋଗ । ଥରେ ଯେଉଁ ସୁବିଧା ଆସିଛି ନିଜ ପାଇଁ ତାର ସଦ୍‌ଉପଯୋଗ କର । ଯିଏ ଯାହା କୁହନ୍ତୁ । ସେଥିପାଇଁ କ୍ଷମତାରେ ଥିବାବେଳେ ଗାଡ଼ି ଘୋଡ଼ା, ଘର ସବୁ କିଛି... ।

 

ଚମ୍ପାଦେବୀ ଅନ୍ୟମନସ୍କ ହୋଇ ଖାମଖିଆଲ୍ ଭାବେ କହିଲେ, ହଁ ମ ଯିଏ ଉଦ୍‌ଘାଟନ କଲେ କ’ଣ ହୋଇଯାଉଛି...ଯେଉଁ ମନ୍ତ୍ରୀ ଉଦ୍‌ଘାଟନ କରନ୍ତୁ, ଛେଳି ମାଂସ କିଲୋ କ’ଣ କିଲୋ କ’ଣ ଆଠ ଟଙ୍କାରୁ କମୁଛି ନା କମିବ ? ବିନା ମସଲାମସଲିରେ ଛେଳି ମାଂସ ପାଟିକୁ କ’ଣ ସୁଆଦ ଲାଗିବ ? କଳାଫିତା କାଟ କି ନାଲିଫିତା କାଟ, ପାଠସିନା ଗାଁ ପିଲା ପଢ଼ିଲେ ଲାଇବ୍ରେରୀ କାମରେ ଆସିବ...ଖାଲି ଉଦ୍‌ଘାଟନ ହୋଇଗଲେ କ’ଣ ହେବ । ପ୍ରତିଦିନ ତ କ’ଣ ସବୁ ଉଦ୍‌ଘାଟନ ହେଉଛି । ରମା ଆମର ଖବରକାଗଜ ପଢ଼ି କହୁଛି, କିନ୍ତୁ ହେଉଛି କ’ଣ ?

 

ପଟ୍ଟନାୟକ ବିମର୍ଷ ହୋଇ ଘରୁ ଦାଣ୍ଡକୁ ଆସିଲେ । ସେ ବୁଝିଲେ ଚମ୍ପାଦେବୀ ଶ୍ରୀଅକ୍ଷର ବିବର୍ଜିତ ବରୁଣେଇ ପାହାଡ଼ । ତାଙ୍କୁ ବୁଝାଇ ଲାଭ ନାହିଁ । ସେ ରାଜନୀତି ବୁଝିବନି । ମନ୍ତ୍ରୀ ଛୋଟଲାଲଙ୍କ ସ୍ଥାନରେ ସ୍ୱାଇଁ ଉଦ୍‌ଘାଟନ କଲେ ପରିଣତି କେତେ ଭୟଙ୍କର । ତାଙ୍କୁ ବୁଝାଇବା କଷ୍ଟ । ଆଠମାସ ତଳର ଦେଶପ୍ରେମୀ ମନ୍ତ୍ରୀ କେମିତି ପ୍ରତିକ୍ରିୟାଶୀଳ, ଦେଶର ଭୟଙ୍କର ଶତ୍ରୁ ସି. ଆଇ. ଏ. ଏଜେଣ୍ଟ । ସ୍ୱାଇଁ ଉଦ୍‌ଘାଟନ କଲେ ଛାଗଳ ଉନ୍ନୟନ କେନ୍ଦ୍ର ସାଇନ୍‌ବୋର୍ଡ଼ ଯେ କିପରି ଲୁଟ୍ ହୋଇଯିବ ଏ କଥା ଚମ୍ପାଦେବୀ କୁଆଡ଼େ ବୁଝିବେ । ଆଉ ସରକାରୀ ଗ୍ରାଣ୍ଟ କଥା ଥାଉ ।

 

ପଟ୍ଟନାୟକଙ୍କୁ ଦେଖି ନରେନ୍ଦ୍ର ପଚାରିଲା, ମଉସା—ମନ୍ତ୍ରୀ ନ ଆସିଲେ ଏ ଖାଇବା ପିଇବା କ’ଣ ହେବ ? ମନ୍ତ୍ରୀ ଆସିବେ ନାହିଁ, ସେଇଥିପାଇଁ ଦୁଇ କପ୍‌ ଚା’ କରିଥିବ ବୋଲି କହିଥିଲେ । ତୁମେ ତାଙ୍କୁ ବୁଝିପାରିଲ ନାହିଁ ମଉସା... ।

 

ପଟ୍ଟନାୟକ କଥାଟାକୁ ହାଲ୍‌କା କରିଦେବା ପାଇଁ ମୁହଁ ଉପରେ ହସ ଫୁଟାଇ କହିଲେ ନରେନ୍ଦ୍ର, ମନ୍ତ୍ରୀ କ’ଣ କହିଥାନ୍ତେ ତୁମ ଛାଗଳ ଉନ୍ନୟନ କେନ୍ଦ୍ରରେ ଛେଳି ମାରି ମାଂସ ଝୋଳ, ମାଂସ ତରକାରୀ, ବିରିଆନି, ପିପିଲିରୁ ରସଗୋଲା, କ୍ଷୀରିପୁରି କରି ରଖିଥିବ । ମୁଁ ଗଲେ ଖାଇବି-। ଛାଡ଼, ମନ୍ତ୍ରୀ ନ ଆସନ୍ତୁ ସବୁ ଖାଇବ ତମେ । ରଙ୍ଗଲତା ଓ ଆରସାହି ଝିଅମାନଙ୍କୁ, ନିରଞ୍ଜନ ମାଷ୍ଟ୍ରେ, ଗ୍ରାମସେବକ ଏବଂ ଯୁବକସଙ୍ଘର ସଭ୍ୟମାନଙ୍କୁ ସମସ୍ତଙ୍କୁ କହ, ରହିବେ । ଚାଲି ଯିବେ ନାହିଁ । ଖାଇସାରି ଯିବେ ।

 

ପଟ୍ଟନାୟକ ମନେ ମନେ କ୍ଷୁବ୍‌ଧ ହୋଇ ଉଠିଲେ । କହିଲେ....ଆସିବେ ନାହିଁ-। ସମ୍ବାଦଟାଏ ଅନ୍ତତଃ ପଠାଇ ଥାଆନ୍ତେ । ସେତିକି ବି ଏମାନଙ୍କଠୁ ଆମେ ଆଶା କରିପାରିବୁ ନାହିଁ-?

 

ପାଖ ଗାଁ ର ପରିଚିତ ପୋଷ୍ଟମ୍ୟାନ୍ ସାଇକେଲରୁ ଓହ୍ଲାଇ ନମସ୍କାର କରୁ କରୁ କହିଲା–ଆଜ୍ଞା ଆଜି ବସ୍‌ ବହୁତ ଡେରିରେ ପହଞ୍ଚିଲା । ଭାବୁଥିଲି କାଲି ଆସିବି ବୋଲି; ମାତ୍ର ଆପଣଙ୍କର ଗୋଟାଏ ଟେଲିଗ୍ରାମ ଅଛି । କ’ଣ ଜରୁରୀ ସମ୍ବାଦ ଥିବ ତେଣୁ ଆସିଲି ।

 

ଲାଇବ୍ରେରୀ ଘର ବାରଣ୍ଡାରେ ଜଳୁଥିବା ପେଟ୍ରୋମାକ୍‌ସ ଲାଇଟ୍ ଆଲୋକରେ ପଟ୍ଟନାୟଙ୍କ ହାତରୁ ଟେଲିଗ୍ରାମଟା ରଙ୍ଗଲତା ନେଇ ପଢ଼ି ଶୁଣାଇ ଦେଲା (ପ୍ରୋଗାମ କ୍ୟାନ୍‌ସେଲ୍‌ଡ଼–ଟୁଡ଼େ । ଇମ୍ପୋଟାଣ୍ଟ୍ ଏନ୍‌ଗେଜ୍‌ମେଣ୍ଟ ମିନିଷ୍ଟର ବିଜି । ପି: ଏ: ଟୁ ମିନିଷ୍ଟର) ଆଜିର କାର୍ଯ୍ୟକ୍ରମ ବାତିଲ କରାଗଲା । ଅନ୍ୟ ଜରୁରୀ କାମରେ ମନ୍ତ୍ରୀ ବ୍ୟସ୍ତ ଅଛନ୍ତି । ମନ୍ତ୍ରୀଙ୍କ ପି: ଏ ।

 

ଧୂଆଁ ବାଜି ଗୁଣୁ ଗୁଣୁ ହେଉଥିବା ମହୁମାଛିମାନେ ଯେମିତି ଚୁପ୍ ହୋଇ ଯାଆନ୍ତି ଠିକ୍ ସେମିତି କ୍ଷଣକ ପାଇଁ ତାରାବାର୍ତ୍ତା ପାଇ ସମସ୍ତେ ଚୁପ୍ ହୋଇଗଲେ । ପଛରୁ କେହି ଜଣେ କହିଲା, ଯା...ସବୁ ବରବାଦ୍ ହୋଇଗଲା-।

 

ପଟ୍ଟନାୟକ ଗଳାଝାଡ଼ି କହିଲେ—ସବୁ ଠିକ୍ ଅଛି । ବ୍ୟସ୍ତ ହେବାର କିଛି ନାହିଁ । ଯା’ ବଢ଼ା ବଢ଼ି କର, ସମସ୍ତେ ଯାଇ ବସ । ରତନାକୁ କୁହ...ଯେଉଁ ଘାସଗୁଡ଼ା ଥିଲା ଛେଳିଙ୍କୁ ପକାଇ ଦେବ । ମନ୍ତ୍ରୀ ଆଜି ଆସିଲେ ନାହିଁ । ନ ଆସନ୍ତୁ । ଆଉ ଦିନେ ଆସିବେ । ନିଶ୍ଚୟ ଆସିବେ । ତାଙ୍କୁ ଆଣିବା ଦାୟିତ୍ୱ ମୋର ।

 

ରଙ୍ଗଲତା ଆଉ ସମ୍ଭାଳି ପାରିଲା ନାହିଁ—ଫେଁ କରି ହସି ଉଠିଲା । କହିଲା, ଅଜା ଦେଖୁଛି ତୁମର କିଛି କମ୍ ମୁହଁ ଜୋର ନୁହେଁ । ଦିନ ସାରା ଶଙ୍ଖ ଧରି ଧରି ଠିଆ ହୋଇଗଲ । ମନ୍ତ୍ରୀ ତ ଆସିଲେ ନାହିଁ । ଲାଭ ମଧ୍ୟରେ ଏତିକି ହେଲା ମୁଁ ଇଣ୍ଟରଭ୍ୟୁରେ ଯୋଗଦେଇ ପାରିଲି ନାହିଁ ।

 

ପଟ୍ଟନାୟକ କହିଲେ—ତୋର ଚାକିରି ହେଲେ ହେଲା । ବ୍ୟସ୍ତ କାହିଁକି ହେଉଛୁ, ମନ୍ତ୍ରୀଙ୍କୁ କହି ମୁଁ ତୋର ଚାକିରି କରାଇଦେବି ।

 

ହଉ, ଦେଖାଯାଉ କହି ରଙ୍ଗଲତା କହିଲା—ଅଜା ତୁମେ ଆସ । ତୁମେ କ’ଣ ଖାଇବ ନାହିଁ ?

 

‘‘ଆଜି ସୋମବାର....’’

 

ରଙ୍ଗଲତାଙ୍କର ମନେପଡ଼ିଲା ସୋମବାର ରାତିରେ ପଟ୍ଟନାୟକ ଖାଆନ୍ତି ନାହିଁ । ଦେଶର ଖାଦ୍ୟ ସମସ୍ୟାର ସମାଧାନ ପାଇଁ ଶାସ୍ତ୍ରୀଜୀଙ୍କ ଆହ୍ୱାନ ଗୋଟିଏ ଓଳି ଉପବାସ କରିବା କଥା, ସେ ଏ ପର୍ଯ୍ୟନ୍ତ ପାଳନ କରି ଆସୁଛନ୍ତି । ରଙ୍ଗଲତା ମନେ ମନେ ଭାବିଲା; ସତରେ ଅଜା କେତେ ସଚୋଟ, ସରଳ, ଦେଶପ୍ରେମୀ, ଆଜିକାଲିକା ମାରପେଁଚ ରାଜନୀତି ପାଇଁ କେତେ ଅପାରଗ । ରଚନାତ୍ମକ କର୍ମୀ ରୂପେ ତାଙ୍କ ଜୀବନ ଦୀପ ଲିଭିଯିବ । ଧନ, ସଂପତ୍ତି, କ୍ଷମତା ପାଇଁ ଲାଳସା ନାହିଁ । ଗୋଟିଏ ଚିନ୍ତା ମାଣିକପଡ଼ା ଗାଁ ସୁନା ହେବ । ମନ୍ତ୍ରୀ ଉଦ୍‌ଘାଟନ ନ କରି ନିମାଇଁ ଅଜା ଏ ଉତ୍ସବ ଉଦ୍‌ଘାଟନ କରିଥିଲେ କ’ଣ ଚଳି ନ ଥାନ୍ତା ?

 

ସଭାଘରଠୁ ସାମାନ୍ୟ ଦୂରରେ ଠିଆହୋଇ ପଟ୍ଟନାୟକ କେବଳ ଚିନ୍ତା କରୁଥିଲେ । ବ୍ୟସ୍ତ ହେଉଥିଲେ ସେ ଗ୍ରାମବାସୀମାନଙ୍କଠାରୁ କଷ୍ଠରେ ସଂଗୃହୀତ ଅର୍ଥ ଦୁଇ ଶତ ମୁଦ୍ରା ଏପରି ଅପବ୍ୟୟ କଲେ କାହିଁକି ଏହି ଅର୍ଥରେ ଲାଇବ୍ରେରୀ ପାଇଁ କିଛି ନୂଆ ବହି କିଣି ପାରିଥାଆନ୍ତେ । ଛାଗଳ ଉନ୍ନୟନ କେନ୍ଦ୍ର ପାଇଁ ଆଉ କେଇଟି ଛେଳି ଅନ୍ତତଃ କିଣି ପାରିଥାଆନ୍ତେ । ଏହିପରି ମନ୍ତ୍ରୀ ଆସିବେ ବୋଲି କହି ‘ପାଟପୁର’କୁ କିପରି ମନ୍ତ୍ରୀ ଆସିଲେ ନାହିଁ ଓ ତାଙ୍କର ବନ୍ଧୁ ଦାଶରଥିବାବୁ ଅଯଥା କିପରି ପଚାଶଟି ଟଙ୍କାର କମଳା, କଦଳୀ, ଅଙ୍ଗୁର, ବିସ୍କୁଟ ଓ ଅନ୍ୟାନ୍ୟ ଫଳଫୁଲ କିଣି ଖର୍ଚ୍ଚାନ୍ତ ହେଲେ କହି ବ୍ୟସ୍ତ ହେଉଥିଲେ—ତାଙ୍କର ତାହା ମନେପଡ଼ୁଥିଲା ।

 

ବାଉଁଶରେ ନିର୍ମିତ ତୋରଣଆଡ଼କୁ ସେ ଆଉ ଥରେ ଦୃଷ୍ଟିପାତ କଲେ । ତାଙ୍କର ମନେହେଲା ସତେ ଯେମିତି ମନ୍ତ୍ରୀ ଆସୁଛନ୍ତି । ବାଜା ବାଜୁଛି, ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ କରୁଛନ୍ତି । ରଙ୍ଗଲତା ଓ ତାର ସଙ୍ଗୀନୀମାନେ ଶଙ୍ଖନାଦ କରୁଛନ୍ତି । ଗାଁ ସ୍କୁଲର ଛୋଟ ପିଲାମାନେ ସ୍ଲୋଗାନ ଦେଉଛନ୍ତି, ଭାରତ ମାତା କି ଜୟ, ପ୍ରଧାନମନ୍ତ୍ରୀକି ଜୟ, ମନ୍ତ୍ରୀ ଛୋଟଲାଲ କି ଜୟ । ଶାନ୍ତ ମାଣିକପଡ଼ାରେ ସତେ ଯେମିତି ନୂତନ ଜୀବନ ସଞ୍ଚାର ହୋଇଉଠିଛି, ଗାଁ ମାଟି ଚଳଚଞ୍ଚଳ ହୋଇଉଠିଛି ।

 

ପଟ୍ଟନାୟକ କିଛି ଠିକ୍ କରି ପାରୁ ନ ଥିଲେ । ସେ ମନ୍ତ୍ରୀଙ୍କୁ କ’ଣ ଲେଖିବେ ? ସେ ଆଉ ଥରେ ହାଇ ମାରିଲେ । ଆକାଶକୁ ଚାହିଁଲେ । ସବୁଦିନ ପରି ସେଦିନ ମାଣିକପଡ଼ା ଆକାଶ ବୁକୁରେ ଅନେକ ନୀଳତାରା ଝୁଲି ରହିଥିଲେ ।

񤦬񤦬񤦬

 

ନୈବେଦ୍ୟ

 

ସେ ଯାହା ଭାବିଥିଲେ ଶୀଘ୍ର କାମ ଶେଷକରି ଫେରିଯିବେ ବୋଲି, ତାହା ହୋଇପାରିଲା ନାହି । ସେ ବସିରହିଲେ । ମୁଣ୍ଡ ଉପରେ ଫ୍ୟାନ୍ ସେହିପରି ଘୂରି ଚାଲିଥାଏ । ସେ ବ୍ୟସ୍ତ ହୋଇ ଉଠିଲେ ଅଯଥା ବିଳମ୍ଭ ହେଉଛି ଦେଖି । ସମ୍ୱାଦଟା ଅନ୍ତତଃ ବାସନ୍ତୀକୁ ଜଣାଇଦେଇ ଯିବେ । ତେଣିକି ସେ ଯାହା କରିବେ, ତାଙ୍କ ସ୍ୱାମୀଙ୍କ ଇଚ୍ଛା କିନ୍ତୁ ବନ୍ଧୁ ହିସାବରେ ତାଙ୍କ କର୍ତ୍ତବ୍ୟରେ ସେ ଅବହେଳା କରିବେ କାହିଁକି ? ମାତ୍ର ଅପେକ୍ଷା କରିବାର ତ ଗୋଟାଏ ସୀମା ଅଛି । ସେ ଏତେ ସମୟ କିପରି ଦେଇପାରିବେ ? ସେ ଡ୍ରଇଂରୁମ୍‌ରୁ ଉଠି ଚାଲିଯିବାକୁ ଉଦ୍ୟତ ହେଉଛନ୍ତି, ଠିକ୍‌ ଏହି ସମୟରେ ବାସନ୍ତୀ ଘର ଭିତରୁ ଦେଖି ପାଟିକରି ଉଠିଲେ; ବସନ୍ତୁ ବସନ୍ତୁ, ଯାଉଛି, ଟିକେ ବସନ୍ତୁ ।

 

ରଜତ ବସିରହିଲେ । ସ୍ମିତ ହସି ଡ୍ରଇଂରୁମ୍‌ରେ ପ୍ରବେଶ କଲେ ବାସନ୍ତୀ । କହିଲେ, ପୂଜା ପାଇଁ ପାଇଁ ପ୍ରସ୍ତୁତ ହେଉଥିଲି । ପୂଜାଘର ଧୁଆଉଥିଲି, ଟିକେ ହୋମ ହେବ । ଦୀପ, ଧୂପ, ଘିଅ, କାଠ, ଚନ୍ଦନ, ଗୋଗୁଳ, ଭାସ୍କର ସବୁ ସଂଗ୍ରହ ହୋଇ ଆସିଛି । କେବଳ ବ୍ରାହ୍ମଣ ଆସିଗଲେ ହୋମ ଆରମ୍ଭ ହୋଇଯିବ । ସେ ଭୋଳାନାଥ ଯାଇଛନ୍ତି ମାର୍କେଟକୁ, ଆଉ ସବୁ କ’ଣ ଛୋଟ ଛୋଟ ଜିନିଷ ନେଇ ଆସିବେ । କାହିଁକି ଏତେ ଡେରି କରୁଛନ୍ତି କେଜାଣି, ଏ ପର୍ଯ୍ୟନ୍ତ ଫେରିଲେ ନାହିଁ । ହୁଏତ ଗାଡ଼ି ଖରାପ ହେଲା । କେତେବେଳୁ ଆସିଲେଣି; ବିରକ୍ତ ହେଉଥିବେ । ବସନ୍ତ, ଯିବେ ତ । ସେ ଆସି ଯାଆନ୍ତୁ । ବସନ୍ତୁ ଟିକେ, କଫି କରିଆଣେ । ମୁଣ୍ଡ ହଲାଉଛନ୍ତି କ’ଣ ମ, କଫି ନଖାଆନ୍ତୁ ଚା’ ଆଣେ ।

 

ରଜତ ଉତ୍ତର ଦେଲେ, ଚା’ କି କଫି କିଛି ଦରକାର ନାହିଁ । ଆସିଥିଲି କେବଳ ଖବରଟା ଦେଇ ଯିବାକୁ । ଦେଖୁଛି ସମସ୍ତେ ପୂଜାରେ ବ୍ୟସ୍ତ, ମୁଁ ଏଠି ବସି ବସି ବ୍ୟସ୍ତ ହୋଇ ପଡ଼ିଲିଣି ।

 

‘‘ଜୀବନରେ ଏଥିରେ ଅଭ୍ୟସ୍ତ ହେବା ଉଚିତ । ସବୁବେଳେ କ’ଣ ଗୋଟାଏ ଚଙ୍ଗଚଙ୍ଗ, ତରତର ଭାବ । ଆଜି ସୁଦ୍ଧା ଟିକେ ସ୍ଥିର ହୋଇ ବସିପାରିଲେ ନାହିଁ ।’’ କହି ହସିଲେ ବାସନ୍ତୀ ।

 

ରଜତ କଥା ଛଡ଼ାଇ ନେଇ କହିଲେ, ଶୁଣ, ଭୋଳାନାଥ କେଶ୍ ନେବାକୁ ବାରିଷ୍ଠର ରାଜି ହେଲେ । ମାତ୍ର କେଶ୍ ଟେକାପ୍ କରିବା ପୂର୍ବରୁ ସେ ଏ ସମ୍ପର୍କରେ ତା’ ସହିତ ଥରେ ଡିସ୍‌କସନ କରିବାକୁ ଚାହାଁନ୍ତି । ତଳ କୋର୍ଟରେ ସବ୍‌ମିଟ୍‌ ହୋଇଥିବା କେତେକ ରେକର୍ଡ଼ ସେ ତନଖି କରିବାକୁ ଚାହାଁନ୍ତି । ମୁଁ ସତରେ କିଛି ବୁଝିପାରେ ନାହିଁ । ତୁମେ କ’ଣ ମନସ୍ତତ୍ତ୍ୱରେ ଏମ୍‌. ଏ.-। ଉଚ୍ଚଶିକ୍ଷିତା । ତୁମ ସ୍ୱାମୀଙ୍କୁ କେଶ୍‌ରେ ଜିତାଇବା ନିମନ୍ତେ ଭୋଗରାଗ, ହୋମ, ଯଜ୍ଞ କରିବାରେ ବ୍ୟସ୍ତ; ଜାଣ ଏହି ମକଦ୍ଦମା ପଛରେ ରହିଛି ଗୋଟିଏ ବିରାଟ ଚକ୍ରାନ୍ତ । ଜାତିଆଣ ମନୋଭାବ, ଜାଣିଛ ଟି ? ମୁଁ ଏହାକୁ ଖୁବ୍‌ ଘୃଣା କରେ । ଏ ସବୁକୁ ପଣ୍ଡ କରିବା ପାଇଁ ଆମେ ସବୁପ୍ରକାର ଉଦ୍ୟମ କରିବା । ଏ ଭାଣ୍ଡାମିରେ ତୁମେ ସମୟ ନଷ୍ଟ ନ କରି ବରଂ ଶୀଘ୍ର ଘରକୁ ଯାଇ ତୁମ ଓକିଲ ଭାଇଙ୍କୁ ଧରି ଆସ ।

 

ବାସନ୍ତୀ ସାମାନ୍ୟ ଗମ୍ଭୀର ହୋଇ କହିଲେ, ଆପଣ ଅସ୍ଵୀକାର କରିପାରନ୍ତି, ମୁଁ କିନ୍ତୁ....-। ଦିଅଁ ଦେବତାରେ ମୋର ଅସମ୍ଭବ ବିଶ୍ୱାସ, ପୁତୁରା ଶରତ ରୋଗ ଶଯ୍ୟାରୁ ଉଠିଯାଇ ଆଇ.ଏ.ଏସ୍‌. ପରୀକ୍ଷା ଦେଲା । ସମସ୍ତେ ମନା କରୁଥିଲେ । ମାତ୍ର ସେ ଫାଷ୍ଟ ଚାନସରେ ଆଇ. ଏ. ଏସ୍. ପାଇଲା । ତା’ ପରୀକ୍ଷା ଚାଲିଥାଏ । ବଡ଼ ନୂଆ’ଉ ଚଣ୍ଡୀପୂଜା କରାଉ ଥାଆନ୍ତି । ମନ୍ଦିରରେ ଦୀପ ଠାକୁରଙ୍କ ଉପରେ ବେଲପତ୍ର ଚଢ଼ା ଚାଲିଥାଏ । ଦେବେନ୍ଦ୍ର ବାବୁଙ୍କର ପିଲାପିଲି ହେଉ ନଥିଲା, କେତେ ଡାକ୍ତର କବିରାଜ ଫେଲ ମାରିଲେ, ଶେଷରେ ଦୁଇମୁଣ୍ଡ କଳା ମେଣ୍ଢା ଭଟ୍ଟାରିକା ଖାଇ ଆଶୀର୍ବାଦ କଲେ, କେତେ ସୁନ୍ଦର ପୁଅଟିଏ ହେଲା; ସବୁ ଭଗବାନଙ୍କ ଇଚ୍ଛା ରଜତବାବୁ । ସବୁ ତାଙ୍କରି ଆଶୀର୍ବାଦ । ଆମେମାନେ ନିମିତ୍ତ ମାତ୍ର । ବିଶ୍ୱବିଦ୍ୟାଳୟର ଉଚ୍ଚ ଡିଗ୍ରୀ ଲାଭ କଲେ ବଡ଼ କାମ, ମୋଟା ଦରମା ମିଳିବା ସୁଗମ ହୋଇପାରେ; ମାତ୍ର ତାଙ୍କୁ ବୁଝିବା କଷ୍ଟ । ବାସନ୍ତୀ ହାତ ଯୋଡ଼ିଲେ ସେହି ମହାନ୍‌ ଶକ୍ତିଙ୍କ ଉଦ୍ଦେଶ୍ୟରେ, ଆଉ କହିଲେ ତାଙ୍କ ଗ୍ରହାଦି ଶାନ୍ତି କରାଇବାକୁ ଏମିତି ଚାରି ଗୁରୁବାର ହୋମ କରିବାକୁ ହେବ । ଶକ୍ତିମତେ ଦାନ ଧର୍ମ କରିବାକୁ ହେବ । ଗ୍ରହ ଶାନ୍ତି ହୋଇଗଲେ ଶତ୍ରୁମାନେ ଶାନ୍ତ ହୋଇଯିବେ । ମୁଁ ବି ଚଣ୍ଡୀଙ୍କୁ କଳାଶାଢ଼ୀ, କଳାକାଚ ମନାସିଛି ।

 

ରଜତ ହସିଲେ । ବ୍ୟଙ୍ଗ କରି କହିଲେ ହଉ, ଯଦି ଚାରି ପଇସାର ଚୂଆ ଚନ୍ଦନ, ସିନ୍ଦୁର ଓ ଦୁଇପଟ କଳାକଚ ପାଇଁ ସବୁ ସମସ୍ୟାର ସମାଧାନ ହୋଇଯିବ, ସାହାଯ୍ୟ କରିବାକୁ ଦେବୀ ଆଗେଇ ଆସିବେ, ତେବେ ସ୍ୱାମୀ ତୁମର ରକ୍ଷା ପାଇଯିବେ । ତା’ହେଲେ ପୂଜା କର, ଭୋଗ ବାଢ଼, ମୋର କହିବାର କିଛି ନାହିଁ ।

 

ବାସନ୍ତୀ ରଜତକୁ ଛୋଟ ପିଲାଟି ପରି ବୁଝାଇବାକୁ ଉଦ୍ୟମ କଲେ । କେତେ ପଇସାର ଭୋଗ କଲେ ସେଇଟା ବଡ଼କଥା ନୁହେଁ, ବଡ଼କଥା ହେଉଛି ମନ । ମନ ଅନୁଯାୟୀ ଫଳ, କେତେ ଆନ୍ତରିକତା ନେଇ ତୁମେ ଦିଅଁକୁ ଡାକିଲ, ତାହା ହିଁ ଦେଖିବାର କଥା ।

 

ରଜତ ଆଉ ଥରେ ହସିଲା । ସେ ହସରୁ ଅନେକ ବିଦ୍ରୂପ ଝରି ପଡ଼ୁଥିଲା । ଫଳଲାଭ ପାଇଁ ଦିଅଁଙ୍କୁ ଫୁସୁଲାଇବା ନିମନ୍ତେ ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ବ୍ୟବସ୍ଥା ରହିଛି ।

 

କେଇଟି ମୁହୂର୍ତ୍ତ ପାଇଁ ବାସନ୍ତୀ ଓ ରଜତ ଚୁପ୍‌ ହୋଇଗଲେ । ମୁଣ୍ଡ ଉପରେ ଫ୍ୟାନ ସେହିପରି ଘୂରି ଚାଲିଥାଏ ।

 

(ଦୁଇ)

 

ଛୋଟ ସୁଟକେଶଟା ଖୋଲି ପଦ୍ମଚରଣ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ନୀଳେନ୍ଦୁଙ୍କ ଉଦ୍ଦେଶ୍ୟରେ । ଏବେ ଦିନ କେଇଟା ହେବ ସହକାରୀ ଇଞ୍ଜିନିୟର ରୂପେ ଜୀବନ ଆରମ୍ଭ କରିଛି । ଆସିଛି ଭୁବନେଶ୍ୱର ବିଭାଗୀୟ ଉଚ୍ଚ ଅଫିସରଙ୍କୁ ସାକ୍ଷାତ କରିବା ପାଇଁ । ସେ ପଦ୍ମଚରଣଙ୍କ ସାଥୀ-। ପଦ୍ମଚରଣ କିଛି ସ୍ଥିର କରି ପାରିଲେ ନାହିଁ । ନୀଳେନ୍ଦୁ ଏସବୁ କାହାପାଇଁ ଆଣିଛି । ପଦ୍ମଚରଣ ତେବେ କ’ଣ ଅନେକ ଆଗେଇ ଗଲାଣି ? ସେ କିଛି ଜାଣନ୍ତି ନାହିଁ । ହଁ ହେଇଥିବ । କଥାଟା କ’ଣ ହେଇପାରେ ମନେ ମନେ ଭାବୁଛନ୍ତି, ଏତିକି ବେଳେ ପଛରୁ ପଦ୍ମଚରଣ ଡାକିଲେ–ନୀଳେନ୍ଦୁ ଆ’ଣ, ସେ ଛୋଟ ସୁଟକେଶ୍‌ ଭିତରେ ଥିବା ଶାଢ଼ୀ ଦୁଇଟା । କ’ଣ ଖୋଲି ଦେଖିଥିଲଟି ? କିପରି ଶାଢ଼ୀ ହୋଇଛି ? ତୋ’ର ପସନ୍ଦ ହେଲାଟି ? ସମ୍ବଲପୁରୀ ଖଣ୍ଡୁଆ ମଡ଼ର୍ଣ୍ଣ ଡିଜାଇନ୍‌ର-

 

ପଦ୍ମଚରଣ ପଚାରିଲା, କ’ଣ କଥା କ’ଣ ? କିଛି ବୁଝି ପାରୁନାହିଁ ଏ ଧନ୍ଦା କ’ଣ । ଏତେଗୁଡ଼ାଏ ମିଠା । ତୁ ଏତେ ସକାଳୁ ସକାଳୁ କୁଆଡ଼େ ବାହାରିଲୁ ଯେ...

 

ଆମ ଅଫିସରଙ୍କ ଘରକୁ । ତୋ’ର ସନ୍ଦେହ କରିବାରେ କୌଣସି କାରଣ ନାହିଁ । ଏସବୁ କ’ଣ, ଏ ଦୁଇଟା ଶାଢ଼ୀ...ଏତେ ମିଠା । ଭୋଗ, ଭୋଗ । ଚଳନ୍ତି ଦିଅଁଙ୍କ ସେବା ପାଇଁ । ଖାଲି ହାତରେ ଯାଇ ସାକ୍ଷାତ କରିବି କ’ଣ ?

 

‘‘ସେ କ’ଣ ଏ ଶାଢ଼ୀ, ତୋତେ କହିଥିଲେ ଆଣିବା ଲାଗି’’ ?

 

‘‘ତାଙ୍କ ପି. ଏ. କଥା ପ୍ରସଙ୍ଗରେ କହିଲେ ଯେ, ମା’ଙ୍କୁ ସମ୍ବଲପୁରୀ ଶାଢ଼ୀ ପସନ୍ଦ ଆସେ-।’’

 

‘‘ଏସବୁ ଦାମୀ ଶାଢ଼ୀ ପରି ମନେ ହେଉଛି । ତୋତେ ଟଙ୍କା ଦେବେଟି? କେତେ ପଡ଼ିଲା ?’’

 

‘‘ହଁ, ଦାମୀ ଶାଢ଼ୀ ନିଶ୍ଚୟ । ଗୋଟିଏ ଦୁଇ ଶହ କୋଡ଼ିଏ, ଆଉ ଗୋଟିଏ ଶହେ ପଞ୍ଚାନବେ, ହଁ ଟଙ୍କା ଦେବେ ।’’ ଏତକ କହି, ପଦ୍ମଚରଣ ହସିଲା । କହିଲା, ଦିନେ ଯେଉଁ ଧାରଣା ଥିଲା ସେସବୁ ଧୀରେ ଧରେ ବଦଳୁଛି । ଏବେ ବୁଝୁଛି ଟଙ୍କା କେହି କାହାକୁ ଦିଅନ୍ତି ନାହିଁ । ଆମ ବିଭାଗର ଉଚ୍ଚ ଅଫିସରମାନେ କେବଳ ଇଚ୍ଛା ପ୍ରକାଶ କରନ୍ତି । ବରାଦ କରନ୍ତି, ପରେ ବରାଦ ଜିନିଷର ଦାମ ପଠାଇବାକୁ ଚାହାଁନ୍ତି । ବାଧ୍ୟବାଧକତାରେ ମୁଁ ଏସବୁ ନେଇ ଯାଉଛି । ମୁଁ ବି ମୋର କାମ ହାସଲ କରିବାକୁ ଚାହୁଁଛି । ନ୍ୟାୟ ନିର୍ମଳ ବିଚାର ମିଳିବ ନାହିଁ । କେବେ ମିଳି ନଥିଲା । ଏସବୁ ପୋଥିର କଥା । ଘିଅ ଖାଇବା ପାଇଁ ଅଙ୍ଗୁଳି ବଙ୍କା କରିବାକୁ ହେବ । ସିଧା ଆଙ୍ଗୁଳିରେ ଘିଅ ଆସେ ନାହିଁ । ବୁଝିଲୁ, ଆମ ସାହେବଙ୍କ ସ୍ତ୍ରୀ ତାଙ୍କ ଝିଅ, ଧର ଏ ଶାଢ଼ୀକୁ ପସନ୍ଦ କଲେ । ତେବେ ଜାଣୁ ମୁଁ ତରତର ହୋଇ ଚାଲି ଆସିବି ଜରୁରୀ କାମର ବାହାନା କରି, ପରେ ଅନ୍ୟ ଶାଢ଼ୀଟି ଆସି ନେଇଯିବି କହି । ତା’ପରେ ସୌଭାଗ୍ୟକୁ ସେଦିନ ଆଉ ଆସିବ ନାହିଁ । ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଚଳନ୍ତି ଦେବତାଙ୍କ ପାଇଁ ଏ ହେଲା ପୂଜା ନୈବେଦ୍ୟ, ଆରାଧନାର ବିଧି ।

 

‘‘ଏ ଦୁଇଟି ସୁଇଟ୍‌ ପ୍ୟାକେଟ୍‌ କାହାପାଇଁ ?’’

 

‘‘ତୁ ଜାଣୁ, ମହାଦେବଙ୍କୁ ଦର୍ଶନ କରିବା ପୂର୍ବରୁ ବୃଷଭଙ୍କୁ ଭେଟିବାକୁ ହୁଏ । ତା’ପୂର୍ବରୁ ବେଢ଼ା ପରିକ୍ରମା କରିବାକୁ ହେବ । ଅନେକ ଛୋଟ ବଡ଼ ଦିଅଁଙ୍କୁ ଦର୍ଶନ କରିବାରେ, ଭୋଗ ଦେବାରେ, ଫୁଲ ଚଢ଼ାଇବାରେ ବିଧି ଅଛି । ଏ ବଡ଼ ପ୍ୟାକଟ୍‌ଟି ସାହେବଙ୍କର, ଛୋଟଟି ଗୌତମର-। ସେ ତାଙ୍କ ପି. ଏ. । ଆଣ ଆଣ । ସେ ବ୍ୟାଗ୍‌ରେ ଗୋଟିଏ ସାର୍ଟିଂ ଅଛି । ସାର୍ଟିଂଟା ଗୌତମ ପାଇଁ ।’’

 

ନୀଳେନ୍ଦୁ ହସିଲା । ହସିଲା ପଦ୍ମଚରଣ । କହିଲା, ଏଥର ବଦଳି ନ ହେଲେ ଧରିନେବି, ଆଉ ଜିନ୍ଦେଗୀରେ ହୋଇପାରିବ ନାହିଁ ।

 

ପଦ୍ମଚରଣଙ୍କ ରିକ୍‌ସା ଆଗେଇଲା । ନୀଳେନ୍ଦୁ ଶୁଣିଥିଲେ ତାଙ୍କ ବନ୍ଧୁ ଡାକ୍ତର ସରୋଜ କହୁଥିଲେ... ତାଙ୍କ ବିଭାଗରେ ବଦଳି ପାଇଁ ଅତି କମ୍‌ରେ ଗୋଟିଏ ଟେରେଲିନ୍‌ ସାର୍ଟକନା ଓ ଦୁଇ ଶହ ଟଙ୍କା ଏବଂ ନିଯୁକ୍ତି ସମୟରେ ଖୁବ କମ୍‌ରେ ପାଞ୍ଚ ହଜାର ଟଙ୍କାର ଗୋଟିଏ (ଏଲ୍‌. ଆଇ. ସି.) ପଲିସି କରିବା କାର୍ଯ୍ୟରେ ବିଶେଷ ସହାୟକ ହୋଇଥାଏ । ଏବେ ଇଞ୍ଜିନିୟର ବନ୍ଧୁଙ୍କୁ ଦେଖିଲେ ଓ ମୁଣ୍ଡରେ ହାତ ରଖି କହିଲେ ଧନ୍ୟ ଏ ଦେଶ ।

 

(ତିନି)

 

ରାଧାମୋହନ ସରକାର ଆଡ୍‍ଭୋକେଟ୍‌ । ତାଙ୍କୁ ତାଙ୍କର ବନ୍ଧୁ କୃଷ୍ଣକାନ୍ତ ପ୍ରଶ୍ନ କଲେ, କ’ଣ ବିଲ୍‌ ପାଶ୍‌ କରିବା ନିମନ୍ତେ ଡିଲିଂ କ୍ଲର୍କକୁ କିଛି ଦେବାକୁ ପଡ଼ୁଛି ? କେତେ ମାସରେ ବିଲ୍‌ ପାଶ୍‌ କରାଇ ଆଣିଲେ ?

 

ଚାରି ମାସର... କିଛି ଦେଇନାହିଁ । ସାମାନ୍ୟ ଜଳଯୋଗରେ କାର୍ଯ୍ୟ ଆରମ୍ଭ ହୋଇଛି । ସହଜେ ତ ଟଙ୍କା ନ ଥିଲା । କ’ଣ ବା ଦେଇଥାଆନ୍ତି ? ମାତ୍ର ଦେବାକୁ ହେବ ।

 

‘‘କେତେ ଦେବାକୁ ପଡ଼ିବ ?’’ ପ୍ରଶ୍ନକଲେ କୃଷ୍ଣକାନ୍ତ ।

 

ସେପରି କିଛି ନିର୍ଦ୍ଦିଷ୍ଟ ଭାବେ ସେ କହି ନ ଥିଲେ ମଧ୍ୟ ତାଙ୍କ ପକ୍ଷରୁ ତାଙ୍କ ଅଫିସର ବନ୍ଧୁମାନେ କହିଲେ : ସାର୍‌, କିଛି ସାହାଯ୍ୟ କରିବେ; ଆମ ଅଫିସରେ ପୂଜା ହେବ । ଭୋଗ ପାଇଁ ଯାହା ଇଚ୍ଛା ଦେବେ । ଆପଣ ଚାଲିଯାଆନ୍ତୁ, ବିଲ୍‌ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ କରି ଯଥାଶୀଘ୍ର ପଠାଇ ଦେବୁ ।’’ ରାଧାମୋହନଙ୍କ କଥା ଶୁଣି ବାର୍‌ରୁମ୍‌ରେ ହସର ଗୋଟିଏ କ୍ଷୁଦ୍ର ଲହରୀ ଲହରାୟିତ ହୋଇଉଠିଲା ।

 

ରାମନାରାୟଣ ହସି ହସି କହିଲେ, କାହିଁକି ଆଜ୍ଞା, ଭୋଗ କଥା କହୁଛନ୍ତି ? ଦିଲ୍ଲୀ ଦରବାରଠାରୁ ଧରି ଆମ ରେଜିଷ୍ଟ୍ରିଖାନା ପର୍ଯ୍ୟନ୍ତ ଆଜି ସବୁଠାରେ ପୂଜାବିଧି, ଭୋଗରାଗ, ଆରଧନା, ଧୂପ, ଦୀପ । ବିନା ପୂଜା ପାଠରେ ଭଗବାନ ବର ଦିଅନ୍ତି କି ନାହିଁ ମୁଁ ଜାଣେ ନାହିଁ । ମାତ୍ର ଦେଖୁଛି ବିନା ପୂଜାରେ ଗଣଦେବତା ପ୍ରସନ୍ନ ହେଉ ନାହାଁନ୍ତି । ଶୁଣିବେ ଆଜ୍ଞା । ଗଲା ତିନି ବର୍ଷ ହେଲା ଘର ତୋଳୁଛି । ଆଉ କେତେଦିନ ଯିବ ଜାଣେ ନାହିଁ । ଘରତୋଳା ଶେଷବେଳକୁ ଧାର ଆଣିଥିବା ଟଙ୍କାଠାରୁ ସୁଧ ଅଧିକ ନ ହେଲେ ହେଲା । କେଉଁଦିନ ସିମେଣ୍ଟ ନାହିଁ ତ କେଉଁଦିନ ମିସ୍ତ୍ରୀ ନାହିଁ, କେଉଁ ଦିନ କୁଲି ନାହାନ୍ତି । କାମ ବନ୍ଦ । ମୁଁ ନୟାନ୍ତ ହେଲିଣି । ମାତ୍ର ଛଅ ଥର ପୂଜା ସରିଲାଣି । ନିଅଁ ଖୋଳା ପାଇଁ ପୂଜା । ଲୁହାଛଡ଼ କଟା ହେବ ପୂଜା ଇତ୍ୟାଦି । ସ୍ୱାମୀଜୀ ଆସିବେ ତାଙ୍କ ପାଇଁ ପୂଜା । ଭୋଗ । ପୁଅ ପରୀକ୍ଷାରେ ଖରାପ କରିଛି, ସାର୍‌ଙ୍କୁ ଟିକିଏ କହିବାକୁ ହେବ । ତାଙ୍କୁ ଭେଟିବାକୁ ପ୍ରୟୋଜନ ଭୋଗ । ନୋଟିଫାଏଡ଼୍‌ କାଉନ୍‌ସିଲ୍‌ ଏରିଆରେ ଘରକରିବ-। ପ୍ଲାନ ଆପ୍ରୁଭ କରିବା ପାଇଁ ଭୋଗଦର୍ଶନୀ । ଆଉ ପାରିହେବ ନାହିଁ । ସବୁଠି ସମାନ-। ମୁଁ ଆଉ ଭୋଗ ଦେଇପାରିବି ନାହିଁ । ଭୋଗମଣ୍ଡପରେ ଆପଣାକୁ ବଳି ଦେବାପାଇଁ ମୁଁ ଏବେ ପ୍ରସ୍ତୁତ ହୋଇଗଲିଣି । ଆଉ ଉପାୟ ନାହିଁ । କେବଳ ଚାବୁକ, କେବଳ ଚାବୁକ । ଗୋଟା ଗୋଟା କରି ଏ ଡକ୍‌ ଭିତରେ ଠିଆ କରାଇ ଟ୍ରାଇ କରିବା ଉଚିତ । ରାମନାରାୟଣଙ୍କ ବିରକ୍ତିଭାବ ଦେଖି ସମସ୍ତେ ହସିଉଠିଲେ । ମାତ୍ର ସେ ଏକାନ୍ତ ଅସହାୟ ଅନୁଭବ କରୁଥିଲେ । ସତେ ଯେପରି ହଠାତ୍‌ ଏକ ଅଜଣା ରୋଗ ହେତୁ ସେ ପଙ୍ଗୁ ଓ ଅଥର୍ବ ହୋଇ ଉଠୁଛନ୍ତି ।

񤦬񤦬񤦬

 

ମାନଚିତ୍ର

 

ଜେଟ୍‌, ମେସିନଗନ୍‌, ଟ୍ୟାଙ୍କର୍‌ ଆବାଜରେ ସୀମାନ୍ତ ପ୍ରତିଧ୍ୱନିତ ହୋଇ ଉଠୁଥିଲା । ମଧ୍ୟାହ୍ନ ଆକାଶ ଥିଲା ଧୂମଳ, ଅଶାନ୍ତ ରକ୍ତରଂଜିତ । ସୀମାନ୍ତରେ ପ୍ରହରୀ କାନ୍ଧରେ ବନ୍ଧୁକ ପକାଇ ପେଟ୍ରୋଲିଂ କରି ଚାଲିଥାନ୍ତି । ଏହିପରି ଏକ ଛାୟାଛବି ତଳେ ଲେଖାଥିଲା ଦେଶପାଇଁ ଏମାନଙ୍କୁ ବଞ୍ଚାଇବାକୁ ହେବ । ଏ ଦୁର୍ଦ୍ଦିନରେ ଆପଣଙ୍କର କର୍ତ୍ତବ୍ୟ କ’ଣ ସ୍ଥିର କରନ୍ତୁ ।

 

ଛାୟାଛବି ପ୍ରଦର୍ଶନ ବନ୍ଦ ହେଲା । ଛାତ୍ରସମାଜକୁ ନିବେଦନ କରି ଅଧ୍ୟକ୍ଷ କହିଲେ, ଦେଖିଲ ତ ସୀମାନ୍ତରେ ଯୁଦ୍ଧର ବିଭୀଷିକା । ଅଧିକ କହିବାର ପ୍ରୟୋଜନ ନାହିଁ । ଜନସାଧାରଣଙ୍କୁ ଯୁଦ୍ଧ ସମ୍ପର୍କରେ ସଚେତନ କରାଇବା ଏବଂ ଯୁଦ୍ଧ ପାଣ୍ଠି ନିମନ୍ତେ ଅର୍ଥସଂଗ୍ରହ କରିବା ଆଜି ଯୁବସମାଜର ପରମ କର୍ତ୍ତବ୍ୟ ବୋଲି ମୋର ମନେହୁଏ ।

 

ଏକ ପୁରାତନ ସଂଗୀତର ସ୍ୱର ପରି ମାନସର ମନରେ ଏହି କେତେପଦ କଥା ପ୍ରତିଧ୍ୱନିତ ହୋଇ ଚାଲିଥାଏ । ହଁ, ସେମାନେ ନ ପାରିବେ କାହିଁକି । ନିଶ୍ଚୟ ପାରିବେ । ଜନସାଧାରଣଙ୍କୁ ଯୁଦ୍ଧର ଭୟଙ୍କର ପରିଣତି ସମ୍ପର୍କରେ ସଚେତନ କରାଇ ପାରିବେ । ଯୁଦ୍ଧପାଣ୍ଠି ପାଇଁ ଅର୍ଥସଂଗ୍ରହ କରିପାରିବେ । ସେମାନଙ୍କୁ କ’ଣ କଥା କହି ଆସେ ନାହିଁ ? ସେମାନେ କ’ଣ ଦେଶପ୍ରେମୀ ନୁହଁନ୍ତି ? ଆପଣା ଉପରେ ସେମାନଙ୍କର ଅସମ୍ଭବ ବିଶ୍ୱାସ । ଅନ୍ଧକାର ମଧ୍ୟରେ କୁଦାମାରି ସେମାନେ ଆଲୋକର ସନ୍ଧାନ କରିପାରନ୍ତି । ଆଗାମୀ କାଲିର ଭାରତ କହିଲେ ସେହିମାନଙ୍କୁ ହିଁ ବୁଝାଯାଏ । ଅନ୍ୟ କେହି ନୁହଁନ୍ତି ।

 

ମାନସ, ନରୋତ୍ତମ, ଦେବେନ୍ଦ୍ର ପରସ୍ପରକୁ ଚାହିଁଲେ । ସମ୍ମୁଖରେ ତାଙ୍କର ନୁଆଣିଆ ଛପର ଉଡ଼ି ଯାଇଥିବା ଏକ ଚାଳଘର । ସାମନାରେ ଅଣଓସାରିଆ ଦାଣ୍ଡ । ଦାଣ୍ଡକୁ ଲାଗି କେତେଗୋଟି ପଣସ ଓ ଆମ୍ବଗଛ । ତା’ପରେ ଘର ପଛକୁ ଲାଗି ମାଇଲ ମାଇଲ ଧରି ଛୋଟ ପଥରର ପାହାଡ଼ । ସେଥିରେ ନା ହୁଏ ଧାନ, ଗହମ, ମୁଗ, ହରଡ଼, ସୋରିଷ ଅବା ଅନ୍ୟକିଛି ଫସଲ । ମଫସଲ କପିଳପ୍ରସାଦ ପଲ୍ଲୀ ଗ୍ରାମର ଏ ହେଲା ଶେଷ ଅଂଶ । ଏହି ଅବହେଳିତ ପଲ୍ଲୀର ଏ ହେଲା ଅବହେଳିତତମ ଅଞ୍ଚଳ । ହରିଜନ ବସ୍ତି ।

 

ଛୋଟ କୁଡ଼ିଆ ଘରୁ ବାହାରି ଆସିଲା ଗତିଆ ଶବର । ବଳିଲା ବଳିଲା ସ୍ୱାସ୍ଥ୍ୟ । ମୁହଁରେ ବେପରୁଆ ଭାବ । ସତେ ଅବା କେଉଁ ଶିଳ୍ପୀ ତା’ର ସମସ୍ତ ମନପ୍ରାଣ ଢାଳି ଗଢ଼ି ଦେଇଛି ମୁଗୁନିପଥରର ଏହି ଚଳନ୍ତି ମୂର୍ତ୍ତି । ମାନସ, ନରୋତ୍ତମ, ଦେବେନ୍ଦ୍ରକୁ ସେ ସାମାନ୍ୟ ବିସ୍ମିତଭରା ଆଖିରେ ଚାହିଁ ପ୍ରଶ୍ନକଲା, ଆପଣମାନେ କିଏ ? କୁଆଡ଼େ ଆସିଛନ୍ତି । ତା’ପାଖରେ କି କାମ ଅଛି-?’’

 

‘‘ଆମେ ସବୁ କଲେଜରେ ପଢ଼ୁ ।’’

 

‘‘ଆମ ସାଆନ୍ତ ନିର୍ମଳ ପଣ୍ଡାଙ୍କା ପୁଅମାନେ ଯେଉଁ ବଡ଼ ସ୍କୁଲରେ ପଢ଼ନ୍ତି । ସାହିଠାରେ ତ କୁହ । ମୁଁ ସେ ସ୍କୁଲ ଦେଖିଛି । ଅନେକ ଥର ସେମାନଙ୍କ ପାଇଁ ମୁଁ ଚାଉଳ ନେଇଯାଇଛି ।’’

 

‘ଦେଶ ଆଜି ବଡ଼ ବିପଦରେ । ଦେଶକୁ ଶତ୍ରୁ ଆକ୍ରମଣ କରିଛି । ସୀମାନ୍ତରେ ଆମ ଯବାନ୍‌ମାନେ ଯୁଦ୍ଧ କରୁଛନ୍ତି । ସେମାନଙ୍କୁ ସାହାଯ୍ୟ କରିବାକୁ ହେବ ।’

 

‘ଦେଶ ବିପଦରେ । ଶତ୍ରୁ ଆସିଲେ କ’ଣ ହେବ ?’

 

‘‘ଆମର ଧନ ସମ୍ମାନ ଲୁଟିନେବେ । ସବୁଠାରୁ ବଡ଼କଥା ହେଲା ଆମର ସ୍ୱାଧୀନତା ଆମକୁ ଆଉ ଥରେ ହରାଇବାକୁ ହେବ । ଏ କଷ୍ଟଲବ୍‌ଧ ସ୍ୱାଧୀନତା ହୁଏତ ଆମକୁ ଆଉ ମିଳିବ ନାହିଁ ।’’

 

ଅତି ନିରିହଭାବେ ବଳଦ ଚାହିଁବା ପରି କ୍ଷଣଟିଏ ଚାହିଁ ଗତିଆ ପଚାରିଲା—‘‘ଧନ ସମ୍ମାନ ସ୍ୱାଧୀନତା ଦେଶ—ଏ ସବୁ କିପରି ଜିନିଷ ?’’

 

ମାନସ ନରୋତ୍ତମକୁ, ନରୋତ୍ତମ ଦେବେନ୍ଦ୍ରକୁ ବିସ୍ମୟଭରା ଆଖିରେ ଚାହିଁଲା । ଏହି ପ୍ରଶ୍ନର କି ଉତ୍ତର ଦେବେ ?

 

‘ମୋର କ’ଣ ଅଛି । ଶତ୍ରୁ ଆସିଲେ ଭଙ୍ଗା କୁଡ଼ିଆଖଣ୍ଡକ ନେଇଯିବେ ? ଏ ଘରେ ଖଣ୍ଡେ ଖଣ୍ଡିଆ ସନ୍ତରା ଅଛି । ଏ ସନ୍ତରାଟିକୁ ନେଇ ଶତ୍ରୁ କ’ଣ କରିବ ? ଏଖଣ୍ଡ ନେବା ନିମନ୍ତେ ସେ କ’ଣ ଏତେଦୂର ଆସିବ ? ଗାଁ ରାସ୍ତା କେତେ କଦର୍ଯ୍ୟ ଦେଖିଲେ ତ । ବାବୁମାନେ, ମୁଁ ଏ ଗଛମୂଳେ ଶୁଏ । ଯେଉଁଦିନ ମଜୁରୀ ମିଳେ ସେଦିନ ଚାଉଳ କିଣି ଖାଉ ନଚେତ୍‌ ଉପବାସରେ ଆମ ଦିନଯାଏ । ଶତ୍ରୁ ଯଦି ଆମକୁ ନେଇଯାଏ ତେବେ ତା’ର ଲାଭ କ’ଣ ହେବ । ଏଠାରେ ଆମ ଦେଶରେ ହେଉ କିମ୍ବା ଶତ୍ରୁ ଦେଶରେ ହେଉ ଯେଉଁଠାରେ ରହିଲେ ମଧ୍ୟ ଆମର ଯା’ଏ ଆସେ କେତେ ?’

 

ମାନସ କ’ଣ କହି ଗତିଆକୁ କର୍ତ୍ତବ୍ୟସଚେତନ କରାଇବ ବୁଝିପାରିଲା ନାହିଁ । ସେ କହିଲା—‘‘ତୁମ ଆମ କଥା ଭାବି ଲାଭ ନାହିଁ । ‘ଭାରତମାତା’ କଥା ଭାବ । ଚିନ୍ତାକର । ତୁମେ ଭାରତମାତା କିଏ ଜାଣିଛ ଟି ?’’

 

ଗତିଆ ସାମାନ୍ୟ ହସି କହିଲା—‘‘ମଲା, ମୁଁ ପରା ‘ଭାରତମାତା’କୁ ଚିହ୍ନିନାହିଁ । ସେ ପରା ଆମ ଗାଁ ପଧାନପଡ଼ାର ବନାତନ୍ତି ସାନ ପୁଅ । ଦେଖିବାକୁ ଭାରି ଗୋରା ତକତକ, ଭାରି ବଢ଼ିଆ ସୁର ତା’ର । ସବୁ ସମାଜରେ ପ୍ରଥମେ ସେ ଭାରତମାତା ହୋଇ ବାହାରେ । ତା’ପରେ ସାନ ରାଣୀ ପାର୍ଟ କରେ । ସମାଜଦଳର ଗୁରୁ, ଗୁରୁ ମହାନ୍ତି ପୁଅ ତା’କୁ ଦଣ୍ଡେ ନ ଦେଖିଲେ ପାଗଳ । ଗୁରୁ ଯେଉଁ ଘରେ ଶୁଏ ସେହିଘରେ ଭାରତମାତା ଶୁଏ । କାଳେ ଅନ୍ୟ କେଉଁଠାରେ ଏଣୁତେଣୁ ଗପ ମାରିବ, ବିଶ୍ରାମ ନେବ ନାହିଁ । ବକବାଜ୍‌ କରିବ, କଣ୍ଠ ପଡ଼ିଯିବ । ସେଥିପାଇଁ ଗୁରୁର ତା’ଉପରେ ସବୁବେଳେ ନିଘା । ଯାହା କହନା ସିଏ ଯେତେବେଳେ ଭାରତମାତା ହୋଇ ବାହାରି ପଡ଼ୁଛି କେଉଁ ରାଣୀ ତା’ ପାସଙ୍ଗରେ ପଡ଼ିବ ନାହିଁ । ମୁଁ ତା’କୁ ଜାଣିନାହିଁ ନା । ସେ ପରା ମୋତେ ମଉସା ମଉସା ଡାକେ । ଭାରି ନବରଙ୍ଗିଆ । ହସାଇ ହସାଇ ପେଟ ପରାସ କରିଦିଏ । ଅନେକ ଦିନ ତାଙ୍କ ଦରର ଜିନିଷପତ୍ର ବୁହାବୋହି କରି ମୁଁ ନେଇଛି । କେତେ ଯୁଦ୍ଧ ଦେଖିଛି । ରାମ ରାବଣ ଯୁଦ୍ଧ, ହନୁମାନ ରାବଣ ଯୁଦ୍ଧ । କେଉଁଠାରେ ତ ଭାରତମାତାକୁ ମୁଁ ଦେଖି ନାହିଁ । ଭାରତମାତା ଏ ଯୁଦ୍ଧରେ କ’ଣ କରିବ ? ସେ ତ ରାଣୀପାର୍ଟ କରେ । ତା’ କଥା କାହିଁକି ପଚାରିଲେ-? ତାକୁ କ’ଣ ଜାଣନ୍ତି କି ବୋଲି ବାବୁମାନଙ୍କଠାରୁ ଗତିଆ ଜାଣିବାକୁ ଚାହିଁଲା-

 

ଦେବେନ୍ଦ୍ର ବିରକ୍ତ କ’ଣ କହି ଆସୁଥିଲା । ମାତ୍ର ମାନସ ଗମ୍ଭୀର ହୋଇ କହିଲା–‘‘ଭାରତ କହିଲା ବଡ଼ ବଡ଼ ସହର, ବଜାର, ଫୋନ୍‌ ଫ୍ୟାନ୍‌, ଗାଡ଼ି, ମଟର, ବ୍ୟବସାୟୀ, ମୋଟା ଦରମାପ୍ରାପ୍ତ କର୍ମଚାରୀ, ଲମ୍ବାକୁହା ନେତୃବୃନ୍ଦ ନୁହଁନ୍ତି, ଏହିପରି ଅଗଣିତ ଭଙ୍ଗା ଚାଳଘର, କୁଡ଼ିଆ, ଆଉ ଏହିପରି ଅବହେଳିତ ଦିନମଜୁରିଆଙ୍କୁ ବୁଝାଏ । ଏ ଭାରତ ଆବିଷ୍କାର ପାଇଁ ଆମେ ଅବା ଆମ ଅଧ୍ୟାପକ କେତେ ପ୍ରୟାସ କରି ନ ଥିଲେ । ଆଜି ଭାରତ ଦର୍ଶନ ହୋଇ ପାରିଛି । ଶୁଣିଲେ ତ ଭାରତମାତା କହିଲେ ଗତିଆ କ’ଣ ବୁଝେ । ଦେଶ କହିଲେ କ’ଣ ବୁଝାଯାଏ । ସମସ୍ତେ କିଛିକ୍ଷଣ ଶାନ୍ତ ରହିଲେ । ଏମାନଙ୍କ ଲାଗି ଆମର କ’ଣ କିଛି କର୍ତ୍ତବ୍ୟ ନାହିଁ ?’’

 

ମାନସ କହିଲା—‘‘ନା, ଆମେ ତୁମ ପାତ୍ରଙ୍କ ପୁଅ ଭାରତମାତା କଥା କହୁ ନାହୁଁ । ଆମେ ଆମ ଭାରତ ଦେଶ କଥା କହୁଛୁ । ଭାରତ କହିଲା ଯେଉଁ ଦେଶରେ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର ବଡ଼ ବଡ଼ ନଦୀ ବହି ଚାଲିଛି । ହିମାଳୟ ପରି ବିରାଟ ପର୍ବତ ରହିଛି । କାଶ୍ମୀରଠାରୁ କୁମାରିକା ଯାଏ ଯାହାର ବ୍ୟାପ୍ତି । ଯାହାର ପାଣିପବନରେ ଆମେ ସମସ୍ତେ ପରିପୁଷ୍ଟ । ସେହି ଭାରତମାତା କଥା ଆମେ କହୁଛୁ । ସେହି ଦେଶ ଆଜି ଶତ୍ରୁ କବଳିତ । ତା’କୁ ରକ୍ଷା କରିବାକୁ ହେବ । ସେଥିପାଇଁ ତୁମ ପାଖକୁ ଆସିଛୁ । ତୁମ ଶକ୍ତି ମତେ ସାହାଯ୍ୟ କର । ଗତିଆ ନିଷ୍ପନ୍ଦ, ନିର୍ବାକ ହୋଇ ଚାହିଁ ରହିଲା ଭୋକିଲା ଆକାଶକୁ । ସେ ପୁଣି ସାହାଯ୍ୟ ଦେବ । କ’ଣ ବା ସେ ଦେଇପାରିବ । ତା’ ପାଖରେ କ’ଣ ବା ଅଛି । ସେ ନିଃସ୍ୱ ।

 

ତା’ଠାରୁ କୌଣସି ଉତ୍ତର ନ ପାଇବା ଦେଖି ମାନସ କହିଲା—‘‘ତୁମ ଗାଁ ସାହୁଘର ପଚାଶ ଟଙ୍କା ଦେଇଛନ୍ତି । ସାନ ପଧାନ ତିରିଶ ଟଙ୍କା ଦେଇଛନ୍ତି । ସରପଞ୍ଚ ପନ୍ଦର, ବନମାଳି ପାଞ୍ଚ, ନିତ୍ୟାନନ୍ଦ ନାୟକ ଦୁଇ....ଇତ୍ୟାଦି ଇତ୍ୟାଦି । ତୁମେ କିଛି ଦେବ ନାହିଁ ? ଥରେ ଭାବ ଦେଶ କଥା ।’’

 

ଗତିଆ ଦୀର୍ଘ ନିଶ୍ୱାସ ଛାଡ଼ି କହିଲା ସାହୁଘର କେତେ ଦେଲେ ? ପଚାଶ ଟଙ୍କା ? ହଁ, ନ ଦେବେ କାହିଁକି ? ତାଙ୍କ ମହାଜନୀ ଭଲ ତ ସେ ଭଲ । ତାଙ୍କ ପାଇଁ କେତେ ଯେ ତଳିତଳାନ୍ତ ହେଲେଣି କହିହେବ ନାହିଁ । ସାନ ପଧାନ କଥା କହନ୍ତୁ ନାହିଁ । ତାଙ୍କ ପାଇଁ ଆମ ଗାଁରେ ଆଉ ବଢ଼ିଲା ଝିଅ ଓ ବୋହୂମାନେ ରହିପାରିବେ ନାହିଁ । ସେଗୁଡ଼ା ମଣିଷ ନୁହଁନ୍ତି । ପଶୁ । ଦେଶକାମ ପାଇଁ ସେମାନଙ୍କଠାରୁ ଚାନ୍ଦା ନେଉଛନ୍ତି । ହଉ ନିଅନ୍ତୁ । ସବୁ ଆମ ଗରୀବଙ୍କ ରକ୍ତ । ଗତିଆ ଆଉ ଥରେ ନାସା ସଙ୍କୋଚନ କଲା । ତା’ ବକ୍ତବ୍ୟରେ ଭରି ରହିଥିବା କଟାକ୍ଷ, ବ୍ୟଙ୍ଗ, ବିଦ୍ରୂପ ଘୃଣା ଗତିଆ ଦୀର୍ଘ ନିଶ୍ୱାସ ଛାଡ଼ି କହିଲା ସାହୁଘର କେତେ ଦେଲେ ? ପଚାଶ ଟଙ୍କା ? ହଁ, ନ ଦେବେ କାହିଁକି ? ତାଙ୍କ ମହାଜନୀ ଭଲ ତ ସେ ଭଲ । ତାଙ୍କ ପାଇଁ କେତେ ଯେ ତଳିତଳାନ୍ତ ହେଲେଣି କହିହେବ ନାହିଁ । ସାନ ପଧାନ କଥା କହନ୍ତୁ ନାହିଁ । ତାଙ୍କ ପାଇଁ ଆମ ଗାଁରେ ଆଉ ବଢ଼ିଲା ଝିଅ ଓ ବୋହୂମାନେ ରହିପାରିବେ ନାହିଁ । ସେଗୁଡ଼ା ମଣିଷ ନୁହଁନ୍ତି । ପଶୁ । ଦେଶକାମ ପାଇଁ ସେମାନଙ୍କଠାରୁ ଚାନ୍ଦା ନେଉଛନ୍ତି । ହଉ ନିଅନ୍ତୁ । ସବୁ ଆମ ଗରୀବଙ୍କ ରକ୍ତ । ଗତିଆ ଆଉ ଥରେ ନାସା ସଙ୍କୋଚନ କଲା । ତା’ ବକ୍ତବ୍ୟରେ ଭରି ରହିଥିବା କଟାକ୍ଷ, ବ୍ୟଙ୍ଗ, ବିଦ୍ରୂପ ଘୃଣା—ମାନସ, ନରୋତ୍ତମ ଦେବେନ୍ଦ୍ର ପଳେ ପଳେ ଅନୁଭବ କରୁଥିଲେ ।

 

ଦେବେନ୍ଦ୍ର ପଚାରିଲା, ତା’ହେଲେ ତୁମେ ଯୁଦ୍ଧ ପାଣ୍ଠିକୁ କିଛି ଦେବ ନାହିଁ । ଆମେ ସମସ୍ତେ ଚାଲିଯିବୁ ?

 

ଗତିଆ ତା’ ଜୀବନରେ ସବୁବେଳେ ହାତପାତି ପରଠାରୁ ଦାନ ଗ୍ରହଣ କରିଛି । ସେ କେବେ କାହାକୁ କିଛି ଦାନ ଦେଇ ନାହିଁ । ମନେ ମନେ ଭାବିଲା, ଏପରି ସୁଯୋଗ ହୁଏତ ତା’ଜୀବନରେ ସେ ଆଉ ପାଇବ ନାହିଁ । ସେ ଗରିବ ହୋଇପାରେ ମାତ୍ର ସେ ଶକ୍ତିମତେ ନ ଦେବ କାହିଁକି ? ଦିନକ ପାଇଁ ହେଉ ପଛେ ସେ’ତ କହିପାରିବ କେବଳ ସାହୁଘର ନୁହେଁ, ସାନ ପଧାନ ନୁହେଁ, ସେ ମଧ୍ୟ ଯୁଦ୍ଧପାଣ୍ଠି ପାଇଁ ଦେଶ ପାଇଁ ବଡ଼ସ୍କୁଲ ପିଲାଙ୍କୁ ସାହାଯ୍ୟ କରିଛି ।

 

ଗତିଆ ଥ’ଥ ମ’ମ ହୋଇ କହିଲା, ହଁ, ମୁଁ ଦେବି । ଆସ, ମୋ ଘର ଭିତରକୁ ଆସ । ଲୁଚାଇଲା ପରି ଆମର କିଛି ନାହିଁ । ଗତିଆ ତା’ ସ୍ତ୍ରୀକୁ ଡାକି କହିଲା, ଘମ ଭିତରେ ଯେଉଁ ପଇସା ଅଛି ଆଣ ତ ।

 

ଗତିଆ ମାଟିଘମ ଭିତରେ ମଇଳା କନାରେ ବନ୍ଧା, ସେମାନଙ୍କର ସଂଚିତ ଧନ ତିରିଶଟି ପଇସା ଫିଟାଇ ଦେଉ ଦେଉ ତା’ର ସ୍ତ୍ରୀ ପଚାରିଲା ଏ ପଇସା କ’ଣ କରିବ ?

 

ଦେଶ ପାଇଁ ଦେବାକୁ ହେବ । ଏମାନେ ପରା ମାଗି ଆସିଛନ୍ତି ।

 

ଆଜି ତେବେ ଚାଉଳ କିଣା ହେବ ନାହିଁ ।

 

ନା’ ଚାଉଳ କିଣା ହେବ ନାହିଁ । ଆଜି ଉପବାସ ରହିବା । ଅନେକ ଦିନ ତ ଉପବାସରେ ରହୁଛେ । ଆଜି ଦେଶପାଇଁ ଉପବାସ ରହିବା । ଦେଶ ଆଜି ବିପଦରେ । ଯୁଦ୍ଧପାଣ୍ଠି ପାଇଁ ଏ ଚାନ୍ଦା ଆମକୁ ଦେବାକୁ ହେବ ।

 

ଆମ ଗାଁର ଯେଉଁ ସଉରିଆ ଯୁଦ୍ଧକୁ ଯାଇଛି ତା’ରି ପାଇଁ ପୋଷାକ ଯୋତା ଖୋରାକ କିଣିବା ଲାଗି ଏ ଟଙ୍କା ପଠାଯିବ । ବାବୁମାନେ ନେବାକୁ ଆସିଛନ୍ତି ।

 

ସତେ, କହି ବିସ୍ମୟଭରା ନୟନରେ ଗତିଆର ସ୍ତ୍ରୀ ମାନସ, ଦେବେନ୍ଦ୍ର ନରୋତ୍ତମଙ୍କୁ ଚାହିଁ ରହିଥିଲା ।

 

ଯୁବକମାନଙ୍କ ସାମନାରେ ଭାରତର ମାନଚିତ୍ର ଝଲସି ଉଠୁଥିଲା ।

񤦬񤦬񤦬

 

ରୁକ୍ଷ ଦିଗନ୍ତ

 

କାର୍ତ୍ତିକମାସ ନ ହେଉଣୁ ବି ଆକାଶ ସଫା । କେଉଁଠାରେ ବି ଖଣ୍ଡେ ମେଘ ଦେଖା ଯାଉନାହିଁ । ଜମି ସବୁ ଫାଟି ଫାଳ ଫାଳ ହୋଇ ରହିଲାଣି । ତଥାପି ଧରିଥିବା ଧାନ ସବୁ ଏବେ ଶୁଖିଲା ଘାସ ପରି ଠିଆ ହୋଇଛି । କେହି କେହି ବିଲରୁ ସେମାନଙ୍କର ଧାନ ସବୁ କାଟି ନେଲେଣି-। ଗାଈ ବଳଦ ମଧ୍ୟ ସେସବୁ କଟାଧାନକୁ ମୁହଁରେ ଦେଉ ନାହାନ୍ତି । ସବୁ ପିତା ପିତା ଲାଗୁଛି । ଗୋଟିଏ ଦୁଇଟି କିଆରି ନୁହେଁ ପାଣି-ଅଭାବରୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ସବୁଜ ଧାନ କ୍ଷେତରେ ଏହି ଶ୍ରୀହୀନି ଅବସ୍ଥା । ଦୁର୍ଦ୍ଦିନର ଦର୍ପଣ । ସୀମାରେଖା । ଶୁଖିଲା ନଈରେ ବନ୍ଧ ନିର୍ମାଣ ଚାଲିଛି । ନିକଟବର୍ତ୍ତୀ ଗ୍ରାମବାସୀମାନେ ପ୍ରତି ତିନ ମାଇଲ୍‌ ବ୍ୟବଧାନରେ ବନ୍ଧ ବାନ୍ଧୁଛନ୍ତି । ଉପର ମୁଣ୍ଡରେ ବର୍ଷା ହେଲେ ନଈରେ ପାଣି ଆସିବ । ଜମିରେ ମାଡ଼ିବ । ପୁରା ନ ହେଲେ ମଧ୍ୟ କିଛି ତ ଅମଳ ହେବ । ମାତ୍ର ବର୍ଷା ହେଉଛି କାହିଁ ? ତଥାପି ଆଶା ତ । ଆଶା ନେଇ ମଣିଷ ବଞ୍ଚେ । ଅବଶ୍ୟ ବର୍ଷା ହୋଇ ଏ ଛୋଟ ନଈରେ ପାଣି ଆସିବା ବେଳକୁ କ୍ଷେତରେ ଧାନ ଗଛ ଥିଲେ ହେଲା । ମାନପୁର ଗ୍ରାମବାସୀଙ୍କର ଯାହା କିଛି ରୋଜଗାର ହୁଏ ତାହା ଏହି ଧାନରୁ ହୁଏ । ନିପାଣିଆ ଅଞ୍ଚଳ । ଦୋହରି ଫସଲ ହୁଏ ନାହିଁ । ଏବେ ବଞ୍ଚିବାର ଆଶା ବିଶ୍ୱାସ କ୍ଷୀଣରୁ କ୍ଷୀଣତର ହୋଇ ଆସୁଛି, ଅବିକଳ ତେଲ ସରି ଆସୁଥିବା ଦୀପଶିଖା ପରି ।

 

ନାଁ, ପାଣିପମ୍ପ ଚାଲିଲା ନାହିଁ । ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲା ଗିରିଆ । ସତେ ଯେପରି ନୂଆ ଫୁଟବଲ ଭିତରୁ ପବନ ବାହାରି ଯାଉଛି । ଲୁହା ପରି ଟାଣ ମାଂସପେଶୀର ମଣିଷ ଦୁର୍ବଳ ହୋଇ ପଡ଼ୁଛି । ମନେହେଲା ସେ ପଡ଼ିଯିବ ।

 

‘ପାଣିପମ୍ପ ଚାଲିଲା ନାହିଁ ?’ ଜାଣିବା ଲାଗି ସଂବାରୀ ଆଉଥରେ ପ୍ରଶ୍ନ କଲା, ‘ନାଁ ଚାଲିଲା ନାହିଁ ।’ ମୁହଁ ଶୁଖାଇ କହିଲା ଗିରିଆ । ସତେ ଯେପରି ଛୋଟ ଦୁନିଆଟି ତାର ମଉଳି ଆସୁଛି । ଫୁଲଟି ବୃନ୍ତଚ୍ୟୁତ ହେବା ଲଗି ଆଉ ଅଧିକ ସମୟ ନୁହେଁ ।

ସଂବାରୀ ବୁଝିଲା ବଡ଼ ସାଆନ୍ତଙ୍କ ପାଟ କିଆରି ଧାନ ମରିବା ଅର୍ଥ...ଏ ଗାଁ ମୁଲକରେ ମୁଢ଼ି ମିଳିବା କଷ୍ଟ । ହାତଉଧାରି ଟଙ୍କାଏ ଦୁଇ ଟଙ୍କା ମିଳିବା ମୁସ୍କୁଲି । କିଏ ବା କାହିଁକି ଦେବ । ନିଜର ବଳିଲେ ସିନା ଅନ୍ୟ କଥା ।

‘ଚାଉଳ ଆଣିଲ ନାହିଁ ?’

‘‘ଆଉ ପଇସା ନଥିଲା ।’’

‘ମଲା, ପଇସା ଧରି ଗଲା ଚାଉଳ ପାଇଁ । ତାକୁ ଉଡ଼ାଇ ଦେଇ ଆସିଲା । କେତେ ଥର ଆଉ କହିବି । ପଇସା ଏମିତି ନ ଉଡ଼ାଇବା ପାଇଁ, ମଦ ନିଶା ନ ଛୁଇଁବାକୁ । ଆଉ କେତେ ଅଭାବ ହେଲେ ବୁଝିବ ।’

‘ମୁଁ କ’ଣ ଛୋଟ ପିଲା ହୋଇଛି । ମଉଜମଜଲିସ୍‌ରେ ପଇସା ଉଡ଼ାଉଛି । ଗାଁରେ ଘରେ କରି ରହିଛେ । ପାଞ୍ଚ ଜଣକୁ ଧରି ଚଳିବା । ସେମାନଙ୍କୁ କିପିରି ଛାଡ଼ି ରହିବା କହ ? ସେମାନେ ଆମ ଅଭାବ ଅସୁବିଧା ବୁଝୁ ନାହାନ୍ତି । ଗିରିପୂଜା ପାଇଁ ଗାଁରେ ଚାନ୍ଦା ଅସୁଲ ଚାଲିଛି । ଘର ପିଛା ପଚାଶ ପଇସା ଅସୁଲ ହେଉଛି । ସେହି ପୂଜା ଚାନ୍ଦା ଦେଇ ଆସିଲି । ଆଉ ଚାଉଳ ଆଣି ଥାଆନ୍ତି କିପରି ?

‘ଗିରିପୂଜା । ସେ ପୁଣି କ’ଣ ? ଏ’ତ ଦେବୀପୂଜା ଗଲା । ତିନି ଟଙ୍କା ଦେଲେ । ପୁଣି ଗିରିପୂଜା । ଦିଅଁଦେବତାଙ୍କ ପାଇଁ ଚାନ୍ଦା ଦେଇ ଦେଇ ପ୍ରାଣ ଚାଲିଯିବ ।’

‘ମଲା, ଗିରିପୂଜା କ’ଣ ଜାଣିନାହୁଁ । ଗଙ୍ଗାରାମ ପାହାଡ଼ ଉପରେ ମେଲଣ ହେବ । ସଂକୀର୍ତ୍ତନ ହେବ । ଯେଉଁ ବର୍ଷ ବର୍ଷା ହୁଏ ନାହିଁ ସେହି ବର୍ଷ ଏପରି ପୂଜା ହୁଏ । ବର୍ଷା ପାଇଁ ।’’

ସଂବାରୀ ଦୁଃଖ କରି କହିଲା, ଷଣ୍ଡ ଲଢ଼େଇ ପିମ୍ପୁଡ଼ି ଜନ୍ଦାକୁ କାଳପରି ସାହି ବିବାଦ ଆମକୁ ତଣ୍ଡ । ଗାଁ ସାରା ଗୋଟାଏ ପୂଜା ହେଉଥିଲା କ’ଣ ହେଉ ନଥିଲା, ଏବେ ଦୁଇ ସାହିରେ ଦୁଇ ଜାଗାରେ ପୂଜା । ପାଣି ପମ୍ପ ଚଳାଇବା ପାଇଁ ପଇସା ଅସୁଲ ହୋଇ ପାରୁ ନାହିଁ । ମାତ୍ର ପୂଜା ପାଇଁ କି ଧୂମ୍‌ଧାମ । ନାଟକୀର୍ତ୍ତନ ଦେଖିବ କ’ଣ । ମେଢ଼ ସଜା ଦେଖିବ କ’ଣ । ସେମାନଙ୍କର ଯାଏ ଆସେ କେତେ ? ବଢ଼ିରେ ନା ମରୁଡ଼ିରେ । ଏଇ ତ ଦେଖୁ ଦେଖୁ ପନ୍ଦର ଦିନରେ ଆସି ଆମର ନଅ ଟଙ୍କା ଚାନ୍ଦା ଭେଦାରେ ଗଲାଣି । ଭାବିଥିଲି, ମୋ ପାଇଁ ଲୁଗା ଖଣ୍ଡିଏ କିଣିବି ବୋଲି-। ଆଉ ହୋଇ ପାରିଲା ନାହିଁ ।’’

ଗିରିଆ ବିରକ୍ତ ହୋଇ କହିଲା, ଛାଡ଼ ସେ କଥା । କାହିଁ ବକ୍‌ବକ୍‌ ହେଉଛୁ । ଚାନ୍ଦା ଦେବା ଟଙ୍କା ଆଉ ଫେରୁଛି ନାଁ ଏସବୁ ଟଙ୍କା ଫେରେ ।

‘‘ମୁଁ’ ତ ସେହି କଥା କହୁଛି । ଦେବା ନେବା ବେଳେ ଟିକିଏ ସାବଧାନ ହେଲେ ଅନ୍ତତଃ କିଛି ଦିନ ତ ଭଲରେ ଚଳି ଯାଆନ୍ତେ । ଏବେ ଖାଇବା କ’ଣ ?’’

‘‘କିଛି ନାହି ।’’

 

‘ଖୁଦ ଥିଲା । ରାନ୍ଧି ଥିଲି । ତୋରାଣି ଗୋଳାଇ ମୁନ୍ଦେ ପିଇଦିଅ ।’

 

‘‘ମୁଁ ଭଗତ ଘରେ ଭୋଗ ଖାଇ ଆସିଛି । ଆଉ ଖାଇବି ନାହିଁ । ତୁ ଯା ଖାଇବୁ’’ କହି ଶୋଇବା ଲାଗି ବାରଣ୍ଡାରେ ଗିରିଆ ପିନ୍ଧା କାନି ବିଛାଇଲା । ଶୋଇବା ପୂର୍ବରୁ ଆଉ ଥରେ ଆକାଶକୁ ଚାହିଁଲା । ମେଘମୁକ୍ତ ଆକାଶ । ସୀମାହୀନ ସଫେତ୍‌ ଆକାଶ । ମନକୁ ମନ କହିଲା, ନା ଆଉ ବର୍ଷା ହେବ ନାହିଁ । ଆଉ ଖୁବ୍‌ ହେଲେ ଦିନ ଦୁଇଟା । ଏ ବର୍ଷ ଧାନ ବିଲକୁ ଦାଆ ଯିବ ନାହିଁ-। ମଣିଷ ବଞ୍ଚିବ କିପରି ? ବଣ ଜଙ୍ଗଲ ଯାହା ଥିଲା, ସେ’ତ ସବୁ କଣ୍ଟ୍ରାକ୍‌ଟର କାଟି ସଫା କଲା-। ଖୋଳିତାଡ଼ି ଖାଇବା ପାଇଁ ବଣୁଆ ଆଳୁ ସାରୁ କଡ଼ବା ମଧ୍ୟ ମିଳିବ ନାହିଁ । ଗୋରୁ ଗାଈଙ୍କ କଥା ପଚାରୁଛି କିଏ ?

 

ସଂବାରୀ କଂସାରେ ବାଢ଼ିଥିବା ତୋରାଣି ଆଉ ଗୋଟିଏ କଂସାକୁ ଢାଳି ଦୁଇ ଭାଗ କଲା । ‘‘ହଉ ପିଇ ଦେ ଏଇ ମୁନ୍ଦାକ, ଗଲା ଦି’ଦିନ ହେଲା ତୁ ତୋରାଣି ପିଇନାହୁଁ’’ । ସଂବାରୀ ଡାକିଲା ମାଣିକ,ମାଣିକ ତୁ ଶୋଇ ପଡ଼ିଛୁ କି । ଉଠୁ ଉଠୁ, ଏ ତୋରାଣି ପିଇ ଦେ ।’’

 

ସଂବାରୀ ପାଟି ଶୁଣି ମାଣିକ ଝାଡ଼ିଝୁଡ଼ି ହୋଇ ଠିଆ ହେଲା । କାନ ଦୁଇଟି ଠିଆ ଠିଆ କଲା । ଜଳ ଜଳ କରି ସଂବାରୀ ଆସିବା ଦିଗରେ ଦୃଷ୍ଟି ଫେରାଇଲା । ମେଁ ମେଁ ବୋବାଇଲା ।

 

ସଂବାରୀ ପାଟି କରି କରି ଆସିଲା, ‘‘କେଡ଼େ ପାଟି କରୁଛୁ । ଯାଉ ଯାଉ ତର ସହୁ ନାହିଁ-। କି କିଳିକିଳା ରଡ଼ି ଛାଡ଼ିଛି । ଛି ଲୋ । ଆଉ କେତେ ଦିନ ଗଲେ ଶିଖିବୁ । ପାଟି କରି ମରନା କହୁଛି ।

 

ପଘାରୁ ମାଣିକକୁ ଫିଟାଇ ଦେଲା ସଂବାରୀ । ତାକୁ ଆଦରରେ ଦୁଇଟି ଚାପଡ଼ ମାରି କହିଲା, ‘‘ ତୁ ପିଇଦେ ପିଇଦେ । ମୁଁ ଯାଉଛି : ତୋରାଣି ମୁନ୍ଦାକ ପିଇ ଦେଇ ଦୋକାନକୁ ଯିବି । ତୋ ପାଖରେ ଆଉ ଠିଆ ହୋଇପାରିବି ନାହିଁ । ତୁ’ତ ପିଇବୁ ମୁଁ ଠିଆ ହୋଇ କଣ କରିବି । ଏତେ ଗେହ୍ଳେଇ ହେଲେ ଆଉ ଚଳିବ ନାହିଁ । ମୁଁ ଠିଆ ନ ହେଲେ କ’ଣ ତୁ ପିଇ ପାରିବୁ ନାହିଁ । ଦେଖେ ଦେଖେ ସନ୍ତରା ଚାଟିଲା । ମୁଁ ୟାକୁ ଆଉ ପରିବି ନାହିଁ । କେତେ ଥର କହିବି, ଏଣେତେଣେ ମୁହଁ ମାରିବୁ ନାହିଁ । ଧେତ୍‌, ଏଟା ଆଉ ଗୁଣର ହେବ ନାହିଁ ।

 

ମାଣିକ ସବୁ ତୋରାଣି ପିଇ ସାରି ପୁଣି ଚାହିଁଲା ସଂବାରୀକୁ, ଜିଭ ଚାଟିଲା ଓ ମେଁ ମେଁ ହେଲା । ସଂବାରୀ କହିଲା କିଲୋ । ସବୁ ପିଇଦେଲୁ । ପିଇଲୁ ତ ଆଉ ଚାହିଁଛୁ କାହିଁକି ? ମଲା ତୁ କ’ଣ ଏକା ଏ ଘରେ ଅଛୁ । ଆଉ ସମସ୍ତେ ଓପାସ ଚାହିବେ । କ’ଣ କରିବ । ପେଟ ତ ପୋଡ଼ି ଯାଉଛି । ହଉ ନେ’ ନେ’ ଏତକ ପିଇ ଦେ, କହି ନିଜେ ପିଉଥିବା ବେଲାଟିକୁ ତା ସାମନାରେ ଥୋଇଦେଲା ।

 

ମାଣିକ ତୋରାଣି ପିଉଥିବା ବେଳେ ସେ ତା ଦେହରୁ ଗୁଗୁଚି ସଫା କରୁ କରୁ କହିଲା, କୁଆଡ଼େ ଯାଇ ବାର ଅଗଣାରେ ପଶୁଛୁ । ଦେହରେ ଏଗୁଡ଼ା ସବୁ କ’ଣ ଲଗାଉଛୁ । କଣ୍ଟା ଲାଗି ରକ୍ତ ବୋହୁଛି । ମୁଁ ତ ଦେଖି ନ ଥିଲି । ବ୍ୟସ୍ତ ହୋଇ ସଂବାରୀ ତା ପିନ୍ଧା ଲୁଗାରେ ମାଣିକ ଦେହରୁ ରକ୍ତ ପୋଛି ବସିଲା । ତା ବ୍ୟସ୍ତତା କହିଲେ ନ ସରେ । ସତେ ଯେପରି ତା ଦେହକୁ କେହି ଚର୍‌ଚର୍‌ କାଟି ରକ୍ତାକ୍ତ କରିଛି । ସେ ଥରି ଉଠିଲା । ତା ମାଣିକକୁ ଏପରି କିଏ କଲା ? ଦେ’ଖ, ତୋତେ ସାବଧାନ କରାଇ ଦେଉଛି, ତୁ ଆଉ ସେ ବାଘନଟି ଜଙ୍ଗଲକୁ ଯାଇଛୁ ତ ଦେଖିବୁ । ବ୍ୟସ୍ତ ବିବ୍ରତ ହୋଇ ସେ ମାଣିକକୁ ନେଇ ପଘାରେ ବାନ୍ଧି କାମକୁ ବାହାରିଲା ।

 

ସଂବାରୀକୁ ଯାଉଥିବାର ଦେଖି ଗିରିଆ କହିଲା, ମୁଁ ନୂଆହାଟକୁ ଶଗଡ଼ ନେଇ ଯାଉଛି-। ପଞ୍ଚାୟତ ପାଇଁ ଉଠା ପାଣି କଳ ଆସିବ । ଡେରି ହେଲେ ମୁଁ ରାତିରେ ସେଠାରେ ରହିଯିବି । ସକାଳୁ ଆସିବି ।

 

‘କାଲି ପରା ଯାଇଥିଲ?’

 

‘ଗଲା ତିନି ଦିନ ହେଲା ଲୋକ ଯାଇ ଫେରୁଛନ୍ତି । ଗୋଟାଏ ହେଲେ କଳ ଠିକ୍‌ ନାହିଁ-। ଖାଲି ଯିବା ସାର ହେଉଛି ।’’

 

‘‘ସରକାରଙ୍କ କଳ ସବୁ କ’ଣ ଖରାପ ହେଉଛି । ସେସବୁ ସଜଡ଼ା ହୋଇ ଆସୁ ଆସୁ ତ ଧାନ ମରିଥିବ । ଏ ସବୁ କଳଗୁଡ଼ିକର କିଏ ଦେଖା ଶୁଣା କରେ ?’’

 

ସେ ସବୁ ଆମେ ବୁଝିପାରିବା ପାଇଁ । ସେ ସବୁ ବଡ଼ ବଡ଼ କଥା । ବଡ଼ ବଡ଼ ବାବୁମାନେ ସେ ସବୁ କଥା ବୁଝନ୍ତି କହି ସେ ବିଡ଼ିରେ ନିଆଁ ଧରାଇଲା । ସେତେବେଳକୁ ଖରା ନେଉଟାଣି ବେଳ । ଖରାର ଟାଣ ଅନେକ କମିଗଲାଣି ।

 

(ଦୁଇ)

 

‘‘ତିନି ଦିନ ହେଲା ତୁମେ କୁଆଡ଼େ ଗଲ ?’’

 

‘‘ଆଉ ଯିବି କୁଆଡ଼େ? କାମ ଖୋଜୁଥିଲି । ମୁଠାଏ ଚାଉଳ ଧରି ଘରକୁ ଫେରିବି ବୋଲି ଭାବୁଥିଲି । ମାତ୍ର ହେଲା ନାହିଁ । ଚାଉଳ ମିଳିଲା ନାହିଁ । ପଇସା ତ ସହଜେ ନ ଥିଲା ।’’

 

‘‘ସଂବାରୀ ବୁଝିଲା ପରିସ୍ଥିତି କେତେ ଭୟଙ୍କର । ତାଙ୍କର ଆଉ କ’ଣ ଅଛି ଯେ ସେମାନେ ବନ୍ଧାଦେଇ କିଛି ପଇସା ସଂଗ୍ରହ କରିପାରିବେ । ବେଲା ଦୁଇ ଖଣ୍ଡ, ଗିନା, ଥାଳିଆ ସବୁ ଯାଇଛି । ହାତରେ ଦୁଇ ଫାଳ ପିତଳ ଖଡ଼ୁ ସେ ମଧ୍ୟ ଯାଇଛି । ଆଖି ଛଳଛଳ କରି ସେ ଗିରିଆକୁ ପଚାରିଲା, ତୁମେ କ’ଣ ଖାଇଛ ?’’

 

‘‘ତମେ ସବୁ କ’ଣ ଖାଇଛ ? ଘରେ କ’ଣ ଥିଲା ?’’

 

‘‘ତୋରାଣିରେ ଲୁଣ ଗୋଳି ମୁନ୍ଦେ ମୁନ୍ଦେ ପିଇଛୁ ।’’

 

‘‘ଆଉ ସବୁ ଖବର କ’ଣ ?’’ ଜାଣିବାକୁ ଚାହିଁଲା ଗିରିଆ ।

 

‘‘ଦୁଇ ଦିନ ହେଲା ନେତ କୁଆଡ଼େ ଚାଲି ଯାଇଛି ।’’

 

‘‘ କୁଆଡ଼େ ଗଲା?’’

 

‘‘ସମସ୍ତେ କହୁଛନ୍ତି, ସେ ଟ୍ରକ୍‌ ଡ୍ରାଇଭର ସଙ୍ଗେ ଚାଲିଗଲା । ସମସ୍ତେ ଛି’ ଛାକର ହେଉଛନ୍ତି ।’’

 

‘‘ଭଲ କରିଛି । ଅନ୍ତତଃ ମୁଠାଏ ଖାଇବାକୁ ପାଇବ । ବଞ୍ଚି ଯିବ ତ । ପଳାଇ ଯାଇ ନ ଥାନ୍ତା ଆଉ କ’ଣ କରି ଥାଆନ୍ତା ? ଭଲ କରିଛି । ଭଲ କରିଛି । ଭାରି ଭଲ କରିଛି । ଏତେ ବଡ଼ ଝିଅଟା ଘରେ ଆଉ କେତେ ଦିନ ଉପବାସ ରହନ୍ତା ?’’

 

‘ହନିଫ୍‌ ଆସିଥିଲା । ତାକୁ ଆସିବାକୁ କହିଥିଲ ?’

 

‘ମୁଁ କାହିଁକି କହିବି, ସେ ଛାଏଁ ଛାଏଁ ଆସିଥିଲା ।’

 

ଆଖି ଛଳ ଛଳ କରି ସଂବାରୀ କହିଲା, ସେ ମାଣିକକୁ କିଣିନେବ ବୋଲି କହିଲା । ଟଙ୍କା ଯାଚିଲା, ଦଶ ଟଙ୍କା ।

 

‘‘ଦେଲ ନାହିଁ ?’’

 

‘‘ମୁଁ ମନା କଲି ।’’ ଗିରିଆ ସଂବାରୀ ମନ କଥା ବୁଝିଲା । ମାଣିକକୁ ବିକିବା ଅର୍ଥ ତା ଦେହରୁ ମାଉଁସ କାଟି ବିକିବା । ସେ ତାହା ବରଦାସ୍ତ କିପରି କରନ୍ତା ?

 

‘‘ମାଣିକକୁ ବିକିବା ପାଇଁ ତୁମେ କାହିଁକି କହିଲ ?’’

 

‘‘ମୁଁ କିଛି କାହାକୁ କହି ନାହିଁ । ତେବେ ହନିଫ୍‌ ଯଦି ନେବାକୁ କହୁଛି, ଦାଇ ଦିଅ । ଆମ ସଙ୍ଗରେ ଉପବାସରେ ସେ ହଇରାଣ କାହିଁକି ହେବ । ଅନ୍ୟ ଠାକୁ ଗଲେ ଅନ୍ତତଃ ତୋରାଣି ମୁନ୍ଦାଏ ପାଇବ ।’’

‘‘ହଁ, ତୋରାଣି ପିଆଇବାକୁ କଂସାର ଛେଳି ଗାଇ ଗୋରୁ କିଣନ୍ତି, ନୁହେଁ ? ମୋତେ ବୁଦ୍ଧି ଶିଖାନା ।’’

 

‘‘କାମ କଥା କ’ଣ ବୁଝିଲ ?’’

 

‘‘ଏଠାରୁ ପାଞ୍ଚ ମାଇଲ ଗଲେ ଯାଇ ରିଲିଫ୍‌ କାମ ମିଳିବ ।’’

 

‘ଆମ ଗାଁ ରାସ୍ତାକାମ ହେବ ନାହିଁ ?’

 

‘ଆମ ସରପଞ୍ଚ କଥା କେହି ଶୁଣୁ ନାହାନ୍ତି । ମୁରଲି ସରପଞ୍ଚ ପାଠୁଆ ଲୋକ, ସବୁ କାମ କରାଇ ନେଉଛି ।’

 

‘ଏତେଦୂର ଯିବା ? ପ୍ରଶ୍ନକଲା ସଂବାରୀ । ‘‘ଆଉ ଉପାୟ କଣ ?’’ କହି ଗିରିଆ ମୁଣ୍ଡରେ ହାତଦେଇ ବସିଲା ।’

 

ଦୁଆରେ ପଡ଼ିଥିବା ଶୁଖିଲା ପତ୍ରଗୁଡ଼ିକୁ ଗୋଟିକ ପରେ ଗୋଟିଏ ପାଟିରେ ପୂରାଇ ମାଣିକ ପାକୁଳି କରୁଥିଲା । ଗିରିଆ ଓ ସଂବାରୀର ଜୀବନ ଏହି ଶୁଖିଲା ପତ୍ର ପରି ଧୀରେ ନିଷ୍ପ୍ରୟୋଜନ ମନେ ହେଉଥିଲା । ଚତୁଃପାର୍ଶ୍ୱ ସେମାନଙ୍କୁ ଏକାନ୍ତ ଅସହାୟ ଆଉ ରୁକ୍ଷ ମନେ ହେଉଥିଲା ।

 

(ତିନି)

 

ଘର ଭିତରେ ଡାକ ଶୁଣି ସ୍ୱାମୀ ସ୍ତ୍ରୀ ବାହାରକୁ ଆସିଲା ।

‘ଏତେ ରାତିରେ କୁଆଡ଼େ ଆସିଲ ?’

‘ଶୁଣିଲା, ଗାଁ ଛାଡ଼ି କାଲି ସକାଳେ ତୁମେ ସହରକୁ ଚାଲିଯାଉଛ ।’

‘ଆଉ କ’ଣ କରିବୁ । କେତେ ଦିନ ଆଉ ଏମିତି ଉପବାସ ରହିବୁ । ସହରକୁ ଯାଉଛୁ । ନଉକରି କରି ।

ତୋ ଛେଳିଟିକୁ ମୋତେ ବିକି ଦେ । କଣ କହୁଛୁ ।’ ଗିରିଆ ସଂବାରୀକୁ ଚାହିଁଲା ।

ସଂବାରୀ ଆଖି ଛଳଛଳ ହୋଇ ଉଠିଲା, ସେ କିଛି କହୁ ନ ଥିବା ଦେଖି ହନିଫ୍‌ କହିଲା, ଦ’ଶ ନୁହେଁ ପନ୍ଦର ଟଙ୍କା ଦେବି ।

ସଂବାରୀ ନିରବ ରହିଲା । ସେ ଆଉ ଅଧିକ କଣ କରିପାରନ୍ତା । ଟଙ୍କା କେଇଟା ପାଇଁ ସେ ମାଣିକକୁ ଛାଡ଼ି ସେ ବଞ୍ଚିବ କିପରି ?

‘‘ଗିରିଆ କ’ଣ କହୁଛୁ ? କିଛି କହୁନାହୁଁ ଯେ । ସହରକୁ ତ ଆଉ ଛେଳିଟାକୁ ନେଇ ଯିବ ନାହିଁ । କ’ଣ କହୁଚ କହ । ଆଉ ମୁଲଚାଲ କର ନାହିଁ । ସାରା କୋଡ଼ିଏ ଟଙ୍କା ଦେବି । ଆଉ ଅଧିକ କହ ନାହିଁ ।’

ଗିରିଆ ସଂବାରୀକୁ ଚାହିଁଲା । କହିଲା, କ’ଣ କହୁଛୁ କହ । ସେ ଠିଆ ହେଲେ ।’

 

‘ଆମେ ତ ଯାଇ ନେ । ଗଲାବେଳକୁ... ।’

 

‘ମଲା, ସକାଳ ହେବାକୁ ଆଉ କେତେ ଡେରି ଅଛି ?’

 

ସଂବାରୀ କିଛି ନ କହି ଘର ଭିତରକୁ ଚାଲିଗଲା । ମୁଁ ତେବେ ସକାଳୁ ଆସିବି, ପ୍ରଶ୍ନ କଲା ହନିଫ୍‌ ।

 

‘ହଉ ଆସ । ମୁଁ ତାକୁ ବୁଝାଏ କହି ସେ ଅଗଣା ରାସ୍ତା ତାଟି ବନ୍ଦ କଲା ।’

 

ଘର ଭିତରେ ସଂବାରୀ ଗିରିଆକୁ ପଚାରିଲା, କ’ଣ କହିଲା ?

 

‘ସକାଳୁ ଆସିବାକୁ କହିଛି ।’

 

ସଂବାରୀ କ’ଣ କହି ଆସୁଥିଲା । ଗିରିଆ ଶୁଣିବାକୁ ଅପେକ୍ଷା ନ କରି କହିଲା । ଅଭାବ ଅନାଟନର ବେଳ । କିଏ କାହା ମୁହଁକୁ ଚାହୁଁଛି । ଦେଖିଲୁ ତ ଏ ଗାଁ ଝିଏ ନେତ ଅନ୍ୟ ସଙ୍ଗେ ଚାଲିଗଲା । ଆମେ ଯିବା ସହରକୁ । ସେଠାରେ ତ ଆମ ବନ୍ଧୁବାନ୍ଧବ କେହି ନାହାନ୍ତି । ମଫସଲ ଗାଁପରି କାହା ଓଳି, ପିଣ୍ଡି, ବାରଣ୍ଡା, ଗୁହାଳ ଘରେ ଶୋଇପଡ଼ିବା ସମ୍ଭବ ନୁହେଁ । ସେ ହେଲା ସହର ଜାଗା । ଆମକୁ ନିଜେ ନେଇ ଥୋଇ ଆଣି ଚଳିପାରିବା ବି ପ୍ରଥମେ କଷ୍ଟ । ସେଥିରେ ପୁଣି ମାଣିକକୁ ନେବା କଥା କହୁଛୁ । ବୋଝ ଉପରେ ନଳିତା ବିଡ଼ା । ତୁ କିଛି ବୁଝୁ ନାହୁଁ । ଖାଲି ମାଣିକ, ମାଣିକ ହେଉଛୁ, କାନ୍ଦୁଛୁ କାହିଁକି ?

 

ମୁଁ କିଛି କହୁ ନାହିଁ । ତୁମେ ଯାହା କହିବ । ମୋ ମୁଣ୍ଡ କ’ଣ ହୋଇ ଯାଉଛି ।’

 

‘ତୋରାଣି ମୁନ୍ଦାଏ ଥିଲା, ପିଇ ଦେଲୁ ନାହିଁ ।’

 

‘ମାଣିକ ପିଇ ଦେଇଛି ।’

 

ଘର ଭିତରେ ଦିକି ଦିକି ହୋଇ ଜଳୁଥିବା କାଠନିଆଁରେ ସଂବାରୀ ମୁହଁ ଉପରେ ବହି ଯାଉଥିବା ଧାର ଧାର ଲୁହ ଝଲସି ଉଠୁଥିଲା । ସେ ଲୁହର ଅର୍ଥ ଥିଲା । ସେ ଲୁହ ଗିରିଆ ଦେହରେ ଚାଉଁ କରି ଧରୁଥିଲା । ମାତ୍ର ଉପାୟ କ’ଣ ? ସତେ ଯେପରି ଗାଁମୁଲକ ଛାଡ଼ି ଯିବା ପୂର୍ବରୁ ଏ ମାଟି ପାଇଁ, ମାଣିକ ପାଇଁ ତା ପ୍ରାଣରେ ସଂଚିତ ସ୍ନେହ ମମତା ସବୁ ଲୁହ ହୋଇ ଝରି ପଡ଼ୁଛି ।

 

‘ମୁଣ୍ଡ କ’ଣ ହେଉଛି ?’

 

କୌଣସି ଉତ୍ତର ନ ଦେଇ ସଂବାରୀ ଚୁପ୍‌ ରହିଲା । ତା ସମ୍ମୁଖରେ ଏକ ନୂତନ ଦିଗନ୍ତ ନୂତନ ସାମ୍ରାଜ୍ୟ ନାଚି ଉଠୁଥିଲା । ଏ ଦିଗନ୍ତ ଥିଲା ଏକାନ୍ତ ରୁକ୍ଷ, ଅସହାୟ, ମାୟାମମତାହୀନ । ଅନୁଶୋଚନା, ହତାଶା, ଅଶ୍ରୁରେ ଏ ନୂତନ ଦିଗରେ ସୀମାରେଖା ରୂପାୟିତ ହୋଇ ଉଠୁଥିଲା । ସେ ଅନୁଭବ କରୁଥିଲେ, ହଠାତ୍‌ ସକାଳ ହୋଇଯାଇଛି । ସ୍ୱାମୀ ସ୍ତ୍ରୀ ସେ ଗାଁ ଭୂଇଁ ଛାଡ଼ି ଚାଲି ଯାଉଛନ୍ତି । ଆହୁରି ବି ଅନେକ ପରିଚିତ ଲୋକ । ଗାଁ ପୋଖରୀ ଯେଉଁଠାରେ ହସଖୁସିରେ ଗାଧୋଇ ଦେହର କ୍ଲାନ୍ତି ମେଣ୍ଟାଉଥିଲେ । ଥିଲେ—ଗାଁ ପାହାଡ଼, ଯାହାର ଫୁଲଫଳ ସେମାନଙ୍କୁ ପାଗଳ କରୁଥିଲା । ଯାହାର ଛାଇ ସେମାନଙ୍କୁ ଚରମ ଶାନ୍ତି ଦେଉଥିଲା । ଯାହା ତଳେ ବସି ସେସବୁ ଦୁଃଖ ଭୁଲି ଯାଉଥିଲେ । ଆଉ ଗାଁର ଶ୍ୟାମଳ କ୍ଷେତରାଜି ଯାହା ଆଜି ଶ୍ରୀହୀନ, ଯେଉଁ ହିଡ଼ ତଳେ ହାଡ଼ଭାଙ୍ଗି ମେହନତ୍‌ କରି ଜୀବନ ବିତାଇଥିଲେ । ଗାଁ ନାଚଘର । ଯେଉଁଠାରେ ଜୀବନର ବହୁ ସବୁଜ ସ୍ମୃତି ଜଡ଼ିତ । ସବୁ ଆଜି ପଛରେ ରହିଗଲା । ଆଉ ଗାଁର ଛୋଟ ଧୂସର ରାସ୍ତାଟି ସାପ ପରି ଯିଏ ମୋଡ଼ି ମୋଡ଼ି ହୋଇ ପଡ଼ିରହିଛି । ଅନେକ ଦିନୁ ଯାହା ପିଠିରେ ଅନେକ ଲୋକ ଚାଲି ଚାଲି ଗଲେଣି ଆଉ ଅନେକ ଯିବେ । ଆଉ ଅଳ୍ପ ଦୂର ଗଲେ ଏ ରାସ୍ତା ସରିବ । ନୂଆ ରାସ୍ତା ଧରିବାକୁ ହେବ ।

 

ଦୂରରୁ ସେ ମାଣିକର ମେଁ ମେଁ ଡାକ ଶୁଣିଲା । ସେ ଆଉ ପଛକୁ ଚାହିଁଲା ନାହିଁ । ତାର ଆଖି ଝଲସିଗଲା ତତଲା ଲୁହରେ । ଦେହଘର ଦୋହଲି ଉଠିଲା । ସତେ ଯେପରି ମରୁଭୂମିର ସମସ୍ତ ଝଡ଼ର ଚାବୁକ ସହିବା ଲାଗି ବିରାଟ ଅଞ୍ଚଳର ସେ ଏକମାତ୍ର ଛୋଟ ଗଛଟିଏ । ସେ ଦୀର୍ଘନିଶ୍ୱାସ ଛାଡ଼ିଲା । କିଏ କହିବ । ଏ ପ୍ରିୟ ପରିଚିତ ଗାଁ ଭୂଇଁକୁ ସେମାନେ ପୁଣି କେବେ ଫେରିବେ ।

 

ସଂବାରୀ ଆଖି ପୋଛୁଥିଲା । ଗିରିଆ କହୁଥିଲା କବାଟ ବନ୍ଦକର । ଯିବା ଶୋଇବା । ବହୁତ ରାତି ହେଲାଣି । ପୁଣି ଭୋର ଉଠିବାକୁ ହେବ ।

 

ସଂବାରୀ କବାଟ ବନ୍ଦ କଲା । ବାହାର ଗାଁ ଦାଣ୍ଡରେ ପଂଝାଏ କୁକୁର ଧାଡ଼ି ଧରି ଠିଆ ହୋଇ ଏପଟ ସେପଟ ଚାହିଁ ଅତି ବିକଳ ଭାବେ ଦୀର୍ଘ ସମୟ ଧରି ଭୁକି ଚାଲିଥାନ୍ତି । ତାହା ସେ ପର୍ଯ୍ୟନ୍ତ ବନ୍ଦ ହୋଇ ନ ଥାଏ ।

񤦬񤦬񤦬

 

ମଧ୍ୟାହ୍ନ ଆସର

 

ସେହି ଗୋଟିଏ ଘରେ ଦିନ ପରେ ଦିନ, ମାସ ପରେ ମାସ ପଡ଼ିରହି କାହାକୁ ବା ବିରକ୍ତ ନ ଲାଗିବ ? ଘର ମଧ୍ୟରୁ ପଦାକୁ ଚାହିଁଲେ ସେହି ନୀଳ ଆକାଶ, ଆଉ କେଇଟି ନାରୀକେଳବୃକ୍ଷର ଶେଷାଂଶ । ଆକାଶରେ ସୂର୍ଯ୍ୟ ଉଠେ ସୂର୍ଯ୍ୟ ବୁଡ଼େ, ଚନ୍ଦ୍ର ଉଠେ, ଛୋଟ ଛୋଟ ତାରାମାନେ ଝଲସି ଉଠନ୍ତି ପୁଣି ନୀଳମେଘ ଦେହରେ ହଜିଯାଆନ୍ତି । ଏହା ମୋ ପାଇଁ ଏକ ପରିଚିତ ଦୃଶ୍ୟ ।

 

ପ୍ରାଇଭେଟ୍‌ କ୍ଲିନିକ୍‌ରେ ଜଣେ ଦୁଇଜଣ ମାତ୍ର ନର୍ସ ଆଉ ଡାକ୍ତର । ସେମାନେ ନିର୍ଦ୍ଧିଷ୍ଠ ସମୟ ପାଇଁ ଆସନ୍ତି ଆଉ ଚାଲିଯାଆନ୍ତି । ଧାଉଡ଼ିଏ ଲମ୍ୱାଘରେ ଆମର ଏଇ କ୍ଲିନିକ୍‌ । ମୋ ପାଖରେ କୋଠରୀଟିରେ ରଙ୍ଗଲତା କ୍ଳବ ଓ ତା’ ପାଖ କୋଠରୀଟି ଜଣେ ଟାୟାର ବ୍ୟବସାୟୀଙ୍କ ଷ୍ଟକ୍‌ରୁମ୍‌ । ତେଣୁ ଏଇ କ୍ଲିନିକ୍‌ରେ ବିଶେଷ ଗୋଳମାଳ ନଥାଏ ।

 

ରଙ୍ଗଲତା ଥିଲେ ଏହି ସହରର ଜଣେ ଉଦୀୟମାନ ନାରୀ ନେତ୍ରୀ । ଗତ ନିର୍ବାଚନରେ ସେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କରି ସ୍ମୃତିକୁ ଜାଗରୁକ ରଖିବା ନିମନ୍ତେ ତାଙ୍କର ମୁଗ୍‌ଧ ସ୍ତାବକମାନେ ତାଙ୍କରି ନାମରେ କ୍ଲବ କରିଛନ୍ତି ।

 

ସପ୍ତାହରେ ଗୋଟିଏ ଦିନ ଏହି କ୍ଲବ ଖୋଲେ । ପାଖଆଖରେ ମହିଳାମାନେ ଆସି ରୁଣ୍ଡ ହୁଅନ୍ତି । କିଛି ସମୟ ପାଇଁ ହୋ’ ହଲ୍ଲା ଶୁଭେ । ନାନା ରଙ୍ଗର ବେଶପୋଷାକ ପିନ୍ଧି ମହିଳାମାନେ ଆସନ୍ତି । ବୟସ ପରି ବେଶପୋଷାକ ମଧ୍ୟରେ ପାର୍ଥକ୍ୟଟା ବେଶ୍‌ ଧରିହୁଏ । କିମ୍ୱା ଲମ୍ୱା ବ୍ଲାଉଜ୍‌ ପିନ୍ଧି କଟିଦେଶ ପର୍ଯ୍ୟନ୍ତ ଆପଣା ଦେହକୁ ଘୋଡ଼ାଇ ରଖିଛି ତ କିଏ ନାମକୁ ମାତ୍ର ବ୍ଲାଉଜ୍‌ ଖଣ୍ଡିଏ ପରିଧାନ କରି ପୃଷ୍ଠଦେଶ ସଂପୂର୍ଣ୍ଣ ଉଲଗ୍ନ ରଖିଛି । ବବ୍‌ ହେୟାରକଟ୍‌ଠାରୁ ବେଲ୍‌ବଟମ୍‌ ପାଇଜାମା, ସାଲୁଆରଠାରୁ ଓଢ଼ଣାଦିଆ ପର୍ଯ୍ୟନ୍ତ ମହିଳା ଏଠାରେ ଦେଖିବାକୁ ମିଳନ୍ତି-

 

ଏଇମାନଙ୍କର ଉପସ୍ଥିତି, ପରିବେଶରେ ପରିବର୍ତ୍ତନ ଆଣେ । ଅଳ୍ପ ସମୟ ପାଇଁ ହେଉ ପଛେ ମୋତେ ଭାରି ଭଲ ଲାଗେ । ପାଖଘରୁ ସେମାନଙ୍କର ଯେଉଁ ଆଲୋଚନା ଚାଲେ, ମୁଁ କାନଡ଼େରି ଶୁଣେ । ଇନ୍ଦ୍ରଧନୁ ପରି ସବୁ ବେଶ୍‌ ଉପଭୋଗ୍ୟ । ଢେଙ୍କାନାଳରୁ ଢିଙ୍କିଶାଳ ଯାଏ । ତେବେ ମୋର ଦୁଃଖ ଯେ ବହୁ ବିଷୟ କେବଳ ଆଲୋଚନାରେ ସୀମିତ ରହିଯାଏ । ନିଃସ୍ୱ ଓ ରୋଗୀମାନଙ୍କ ସେବା ପାଇଁ ଅନେକ ବାର ସେମାନଙ୍କ ମଧ୍ୟରେ ଆଲୋଚନା ହୋଇ ପ୍ରସ୍ତାବ ଗ୍ରହଣ ହୁଏ । ମାତୃଗଣ କେଉଁ ସେବା କରନ୍ତି ମୁଁ ଜାଣିପାରେ ନାହିଁ । କାହିଁ ଆମ ପାଖକୁ କାହି କେବେ ଆସନ୍ତି ନାହିଁ । ମୁଁ ତ ଜଣେ ଦୀର୍ଘଦିନର ପକ୍ଷାଘାତ ରୋଗୀ । ହଁ, ହୁଏତ ସେମାନେ ସେହିସବୁ ସ୍ଥାନମାନଙ୍କୁ ଯାଉଥିବେ ଯେଉଁଠି ସେମାନଙ୍କୁ ପବ୍ଲିସିଟି ମିଳିବ । ସେମାନଙ୍କ ଫୋଟ ଉଠିପାରିବ । ଯେଉଁମାନେ କ୍ଲବ୍‌କୁ ସାହାଯ୍ୟ ପାଇଁ ସୁପାରିଶ କରୁଛନ୍ତି ସେହିପରି ସରକାରୀ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିବ । ସେହିସବୁ ସ୍ଥାନମାନଙ୍କୁ । ଆଜି ତ ସବୁଠି ଏଇ ପରିପ୍ରଚାର ପାଇଁ ପ୍ରଚେଷ୍ଟା । ନିଷ୍କାମ, ନିସ୍ୱାର୍ଥପର ସେବାର ପ୍ରଶ୍ନ ଆଜି କେଉଁଠୁ ଉଠୁଛି ।

 

ହଁ, ମୋ କୋଠରୀ ମଧ୍ୟକୁ କେବେ କେବେ ଜଣେଅଧେ ପଶି ଆସନ୍ତି । ଶ୍ୟାମଳୀ ଏବଂ ଗୌରୀଙ୍କୁ ମୁଁ ଚିହ୍ନି ପାରିବି । ଉଭୟ ଯୁଗ୍ମ ସମ୍ପାଦିକା । କିଛି କାମ ଥିଲେ ସେମାନେ ମୋ ପାଖରେ ସମ୍ୱାଦ ଛାଡ଼ି ଯାଆନ୍ତି । କ୍ଲବ ଚାବି ଦେଇ ଯାଆନ୍ତି । ମୋ ଉପରେ ସେମାନଙ୍କର ଆସ୍ଥା ଥାଏ । ମୁଁ ଅନ୍ତତଃ କୁଆଡ଼େ ପଳାଇ ଯାଇ ପାରିବି ନାହିଁ । ପକ୍ଷାଘାତ ରୋଗୀ ଯିବ କୁଆଡ଼େ ? ତେଣୁ ମୋ ପାଖରେ ଚାବି ରହିଲେ କ୍ଲବର କୌଣସି ସଦସ୍ୟା ଅନ୍ତତଃ ହଇରାଣ ହେବେ ନାହିଁ । ସମ୍ୱାଦ ଛାଡ଼ିଗଲେ ବୁଡ଼ିବା ପ୍ରଶ୍ନ ମୋଟେ ଉଠୁନାହିଁ, ତା’ ବ୍ୟତୀତ ପରିସ୍ଥିତି ଚାପରେ ପଡ଼ି ମୁଁ ତ ଏକ ନିରାମିଷାଶୀ ଠେକୁଆ ଜାତୀୟ ପ୍ରାଣୀରେ ପରିଣତ ହୋଇ ପଡ଼ିଲାଣି । ମୋଠୁ ବିପଦ ଆପଦରେ ଆଶଂକା ଅତି ମାତ୍ରାରେ କମ୍‌ ।

 

ଏହି ରଙ୍ଗଲତା କ୍ଲବର ସଦସ୍ୟାମାନଙ୍କୁ ଦେଖି ମୋର ବେଳେ ବେଳେ କମଳା ଭାଉଜଙ୍କ କଥା ମନକୁ ଆସେ । ଶିକ୍ଷକର ସ୍ତ୍ରୀ, ଛ’ଟି ସନ୍ତାନର ମାଆ । ସକାଳୁ ବିଛଣା ଛାଡ଼ିବା ଠାରୁ ରାତିରେ ପୁଣି ବିଛଣା ଧରିବା ପର୍ଯ୍ୟନ୍ତ କାମ । ସତରେ ନିଶ୍ୱାସ ମାରିବା ପାଇଁ ବେଳ ଟିକିଏ ବି ନଥାଏ । ଘରେ ଯେଉଁ ଦିନ ବନ୍ଧୁବାନ୍ଧବ ଜୁଟନ୍ତି ସେ ଦିନ କଥା ନ କହିବା ଭଲ । ସତରେ ଆପଣା ଘରେ ସୁନ୍ଦର ସରସ କରିବା ପାଇଁ କମଳା ଭାଉଜ କି ଆପ୍ରାଣ ଚେଷ୍ଠା ନ କରନ୍ତି ? ବେଳେବେଳେ ନବୀନ ଭାଇ ଆସି ତାଙ୍କ ଉପରେ ରବେଇଖବେଇ ହୁଅନ୍ତି—ସେ କାହିଁକି କ୍ଲବରେ ହେଉଥିବା ମହିଳାମାନଙ୍କ ସଭାରେ ଯୋଗଦେଇ ନାହାନ୍ତି ? କମଳା ଭାଉଜ ମୋତେ ସାକ୍ଷୀ ରଖି ନବୀନ ଭାଇଙ୍କୁ ବେଶ୍‌ ଶୁଣାନ୍ତି । କ୍ଲବ ସଭାକୁ ଯିବାକୁ କେହି ମନାକରୁ ନାହିଁ କିନ୍ତୁ ସାବଧାନ, ଆସି ପଚାରିବ ନାହିଁ ଗାଈ ପାଇଁ କାହିଁକି କୁଳୁଚି ବସାଯାଇ ନାହିଁ, ଗୁହାଳ ସଫା ହୋଇନାହିଁ, ଇଆ ହେଲା ନାହିଁ, ତା’ ହେଲା ନାହିଁ । ନବୀନ ଭାଇ ସିନା କେବଳ ଗାରୁ ଗାରୁ ହୁଅନ୍ତି କିନ୍ତୁ କମଳା ଭାଉଜଙ୍କର ଏ ପ୍ରଶ୍ନର ଉତ୍ତର ଦେଇପାରନ୍ତି ନାହିଁ । ସାପ ଗଦ ଶୁଙ୍ଘି ଫଣା ଭାଙ୍ଗି ପେଡ଼ିରେ ପଶିଲା ପରି ନବୀନ ଭାଇ କଥା ମୋଡ଼ି ଭାଙ୍ଗି ଅନ୍ୟ କଥା ପକାନ୍ତି ।

 

ଅନ୍ୟ କଥା ଥାଉ, କ୍ଲବ ପାଖକୁ ଯିବା ଆସିବା ପାଇଁ ଅନ୍ତତଃ ଯେଉଁ ଟଙ୍କାଏ ଦେଢ଼ଟଙ୍କା ରିକ୍‌ସା ଭଡ଼ା ପଡ଼ିବ ତାକୁ କିଏ ଦେବ ? ତାହା ଆସିବ କୁଆଡ଼ୁ ? ସବୁଦିନ ତ ଆଉ ନିର୍ବାଚନ ହେଉନାହିଁ ଯେ ଦଳୀୟ ରିକ୍‌ସା, ମଟରରେ ଘରଠୁଁ କ୍ଲବ୍‌କୁ ନେଇଯିବେ ଆଉ ଘରେ ଛାଡ଼ିଦେଇ ଯିବେ ।

 

କମଳା ଭାଉଜ ଭାରି ମଜା ମଜା କଥା କହନ୍ତି । ପୁଲିସ ମହିଳା କ୍ଲବ୍ କଥା । ଏହାର ସଭାନେତ୍ରୀ ହେଲେ ଏସ୍‌.ପି.ଙ୍କ ସ୍ତ୍ରୀ । ମଝିରେ ମଝିରେ ଏହି କ୍ଲବ୍‌ରେ ଉତ୍ସବ ଅନୁଷ୍ଠିତ ହୁଏ । ସବୁ ଅଫିସରେ ସାର୍କୁଲାର ପହଞ୍ଚେ । ଏହି ଉତ୍ସବକୁ ସ୍ତ୍ରୀମାନଙ୍କୁ ପଠାଇବା ପାଇଁ । ଇନିସ୍‌ପେକ୍‌ଟର ସ୍ତ୍ରୀଙ୍କଠାରୁ କନେଷ୍ଟବଳ ସ୍ତ୍ରୀ ପର୍ଯ୍ୟନ୍ତ ଯିବାକୁ ବାଧ୍ୟ । ପୁଲିସ ଭ୍ୟାନ ବୁଲି ବୁଲି ମହିଳାମାନଙ୍କୁ ସଂଗ୍ରହ କରେ । ଏ ବିଭାଗରେ ତ ‘କାହିଁକି’ ପ୍ରଶ୍ନର ଉତ୍‌ଥାନ ସମ୍ଭବ ନୁହେଁ । ହୁକୁମ ତାଲିମ କରିବା କଥା । ସେଦିନ ଦେଖିବା କଥା ଭଲ ଲୁଗା ଖଣ୍ଡିଏ ପିନ୍ଧି ଯିବା ପାଇଁ କନେଷ୍ଟବଳଙ୍କ ସ୍ତ୍ରୀ କିପରି ବିବ୍ରତ ହୋଇ ପଡ଼ନ୍ତି, ଲୁଗା ଖଣ୍ଡିଏ ପାଇବେ କେଉଁଠୁ ? ଯେଉଁ ଏସ୍‌. ପି. ଙ୍କ ସ୍ତ୍ରୀ ସ୍ୱାମୀମାନଙ୍କୁ ତାଙ୍କର ହଳଦି ବଟାଠାରୁ ଧରି ମଶାରି ଟଙ୍ଗାଇବା ପର୍ଯ୍ୟନ୍ତ କାମରେ ଖଟାନ୍ତି, କିପରି ଦାନ୍ତ ଦେଖାଇ କ୍ଲବ୍‌ ଭିତରୁ ପାଛୋଟି ନିଅନ୍ତି । ସଭା ହୁଏ, ହାତତାଳି ବାଜେ, ଫଟୋ ଉଠେ । ଏସ୍‌. ପି. ଙ୍କ ଦକ୍ଷତାର ପରିଚୟ ମିଳେ, ମାତ୍ର କନେଷ୍ଟବଳ ଯେଉଁଠି ଥାଏ ସେହିଠାରେ ରହେ । ସତ କହିବାକୁ ଗଲେ ଏ କ୍ଲବ୍‌ ସଭା ସମିତି ସମସ୍ତଙ୍କ ପାଇଁ ନୁହେଁ । ସେହି ଭାଗ୍ୟବତୀମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଗୃହଜଞ୍ଜାଳରୁ ମୁକ୍ତ । ଆର୍ଥିକ ଅନାଟନରେ ଅନେକ ଉର୍ଦ୍ଧ୍ଵରେ, ହାତରେ ଯେଉଁମାନଙ୍କର ପ୍ରଚୁର ସମୟ । କମଳା ଭାଉଜଙ୍କ ପରି ଗୃହକର୍ତ୍ତ୍ରୀଙ୍କ ପାଇଁ ନୁହେଁ ।

 

ହଁ, ସେଦିନ ହୁଏତ କ୍ଲବ୍‌କୁ ଅଳ୍ପ କେଇଜଣ ସଅଳ ଚାଲି ଆସଥାନ୍ତି । ତେଣୁ ବିଧିବଦ୍ଧ ଭାବେ ସଭା ଆରମ୍ଭ ହେବା ପୂର୍ବରୁ ଏଣୁତେଣୁ କଥା ପଡ଼ିଥାଏ । ଜୟନ୍ତଙ୍କ ନାଁ ଶୁଣି ମୁଁ କାନ ଡେରିଲି । ସେ ଜଣେ ଜନପ୍ରିୟ ଯୁବଡ଼ାକ୍ତର । ଅସମୟରେ ଅର୍ଥଲାଭର ଆଶା ନ ରଖି ସେ ଅସହାୟଙ୍କ ନିକଟରେ ଠିଆ ହୁଅନ୍ତି । ମୋତେ କେତେ ଥର ମଧ୍ୟ ଦେଖିଛନ୍ତି । ମୁଁ ଖୁସି ହୋଇଗଲି-। ଯାହାହେଉ ଏ ରଙ୍ଗଲତା କ୍ଲବ୍‌ର ସଦସ୍ୟାମାନେ ତାଙ୍କ ସେବାରେ ସୁଯୋଗ ନେଇ ପାରିବେ-। ସହରତଳି ଅଞ୍ଚଳରେ କ୍ଲବ ତରଫରୁ ଏକ କ୍ଲିନିକ୍‌ ଖୋଲାଯାଇ ପାରିବ, ବ୍ୟାଙ୍କରେ ତାଙ୍କର ପାର୍ଟଟାଇମ୍‌ ସର୍ଭିସ୍‌, ବାରଟାରୁ ଚାରିଟା । ସକାଳବେଳା ଅନ୍ତତଃ ଘଣ୍ଟାଏ ଦୁଇଘଣ୍ଟା ଦେଇପାରିବେ-। ମାତ୍ର ସେ ରାଜିହେଲେ ହେଲା, ମୁଁ ଭାବୁଥିଲି ସେ ହେଲେ ରାଜି ହୁଏନ୍ତେ, କ୍ଲବ୍‌ର କର୍ମକର୍ତ୍ତ୍ରୀମାନଙ୍କର ଦୀର୍ଘ ଦିନର ଇଚ୍ଛା ପୂର୍ଣ୍ଣ ହୁଅନ୍ତା । ଅନେକ ଦୁଃଖୀରଙ୍କି ଅନ୍ତତଃ ଚିକିତ୍ସାର ସୁଯୋଗ ପାଆନ୍ତେ ।

 

ମୁଁ ଏସବୁ ଶୁଣିଲି କ’ଣ ? ତାଙ୍କ ସମ୍ପର୍କରେ ମାତ୍ର କତିପୟ ମହିଳା ଆଲୋଚନା କରୁଛନ୍ତି । ଶ୍ୟାମଳୀ ଦେବୀଙ୍କ ସ୍ୱର ମୁଁ କେବଳ ବାରିପାରୁ ଥାଏ । ସେ ଜୟନ୍ତ ଗୋଟାଏ କ’ଣ ଡାକ୍ତର ହୋଇଛି । ସେ’ଟା ବିଭା ହେଉନାହିଁ କାହିଁକି ? ଆଉ କେତେ ଦିନ ରହିବ ଏମିତି ? ‘‘ଅନେକ ଡେରିରେ ରାତିରେ ଘରକୁ ଫେରୁଛି’’ କେଉଁଠାରେ ପ୍ରେମ କରୁଛି ନିଶ୍ଚୟ । ‘‘ନାଁ ମ ମେଡ଼ିକାଲ କଲେଜରେ ଛାତ୍ର, ଆଉ ଯିଏ ପ୍ରେମ କରି ବିବାହ ହୋଇପାରିଲା ନାହିଁ ସେ ଯେତେ ଚେଷ୍ଠା କଲେ ବି ଆଉ ପ୍ରେମ କରିପାରିବ ନାହିଁ । ଖୁବ୍‌ ବେଶୀ ଗୋଟାଏ କେଉଁ ବୁଢ଼ୀକୁ ହାବୁଡ଼ିଲେ ବିଭା ହେବ । ବୁଢ଼ୀ ତା’ ମଜା ନିକାଲି ଦେବ ? ଏଇ ଗୁଲୁଗୁଲିଆ ଚେହେରା, ଏ ରଙ୍ଗ ରହିଲେ ହେଲା । କେହି ଜଣେ ଚଢ଼ା ଗଳାରେ କହିଲା, ସେ କ’ଣ ଭାବିଲାଣି କି ? ନବରଙ୍ଗ ଲଗାଇଛି । ତାକୁ ବିବାହ କରିବାକୁ ହେବ....ଜବରଦସ୍ତ ବିବାହ କରିବାକୁ ପଡ଼ିବ । ଅଲବତ ବିଭା ହେବ । ବିଭାଚୋରା ହେବ ନାହିଁ, ଏଠି ସେଠି ଯାଇ ହେଁ ହେଁ ଫେଁ ଫେଁ ହୋଇ ସମୟ କାଟିବ, ନାଗର ସାଜିବ । ସେ କେତେବେଳେ ଆସୁଛି ମୋତେ ଡାକିଦେବଟି, ମୁଁ ତା’କୁ ଡାକି ପଚାରିଦେବି । ‘ଇଆରି ଲାଗି ସେ ରମା ଆତ୍ମହତ୍ୟା କଲା ନା’ ?

 

‘ନା, ଇଏ ନୁହେଁ ସେ ଆଉ ଜଣେ ଡାକ୍ତର । ତା’ ନାଁ ଜୀବନ’ ।

 

‘ନା, ଜୟନ୍ତ ବି ସେଠି କ୍ୟୁ ଲଗାଇଥିଲା । ନିମାଇଁବାବୁଙ୍କ ଘର ନା ସେଟା ଏକ ପ୍ରଣୟତୀର୍ଥ । କି ବିଚିତ୍ର ଲୋକ । ମୋତେ ମୋଟେ ପସନ୍ଦ ଲାଗେନାଁ । ପରିବାର ଭିତରେ ଏତେଟା ଉତ୍କଟ ସ୍ୱାଧୀନତା ଦେବା ଭଲ କଥା ନୁହେଁ । ଏବେ ସାନ ଝିଅ ଅଳକା ଆଖିଖୋଲି ଦେଇଛି । କିନ୍ତୁ ଉପାୟ କ’ଣ ଥିଲା ? ନେଡ଼ିଗୁଡ଼ କହୁଣିକୁ ବୋହି ଆସିଥିଲା ସେତେବେଳକୁ । ବାଧ୍ୟ ହୋଇ ଡାକ୍ତରଖାନାରେ ଆବୋରସନ୍‌ କରାଇଲା ।

 

ଅନ୍ୟ ଜଣେ କେହି ଗଳାଖଙ୍କାରି କହିଲେ, ସେ ଡେଙ୍ଗା ଜୟନ୍ତଟି ? ତାକୁ ମୁଁ ଠିକ୍‌ କରିଦେବି । ତୁମେ ଗୋଟାଏ ଝିଅ ବୁଝନା । ମୁଁ ଦେଖିବି, ସେ କେମିତି ଖସିଯିବ ।

 

ମୋତେ ଏସବୁ ଶୁଣି ବ୍ୟସ୍ତ ଲାଗିଲା । କ’ଣ ଏସବୁ ଚାଲିଛି । ଜୟନ୍ତବାବୁ କେଉଁଠି, ରଙ୍ଗଲତା କ୍ଲବ୍‌ କେଉଁଠି ? କର୍ମକର୍ତ୍ତ୍ରୀମାନେ କେଉଁଠି ? କାହା ସଙ୍ଗେ କାହାର ଦେଖାଶୁଣା ନାହିଁ । ମାତ୍ର ଜଣେ ଯୁବକ ଉଦ୍ଦେଶ୍ୟରେ କି ଅଶ୍ଲୀଳ ଆପେକ୍ଷ ପୁଣି ଭଦ୍ର ଘରର ଗୃହୀଣୀମାନଙ୍କର ଏ ଦାୟିତ୍ୱହୀନ ଆଚରଣ । ଜୟନ୍ତ ତ ଏପରି ନୁହଁନ୍ତି । ଜୀବନଯଜ୍ଞରେ ସେ ପଳେ ପଳେ ଆପଣାଙ୍କୁ ଆହୁତି ଦେଇ କିପରି ସାଧନାପଥରେ ଶୁଦ୍ଧପୂତ ଭାବେ ସୁଦୃଢ଼ ହୋଇ ଉଠୁଛନ୍ତି, ଏ ମହିଳାମାନେ କିପରି ବୁଝିବେ ?

 

ତାଙ୍କ କଥା ନ ଶୁଣିବା ପାଇଁ ମୁଁ କଡ଼ ଲେଉଟାଇଲି । ପତ୍ରିକା ଉପରକୁ ମୁହଁ ଉଠାଇ ନେଲି । ମାତ୍ର ଦେଖିଲି, ଆଲୋଚନାର ଉତ୍ତାପ ଅଧିକରୁ ଅଧିକ ହେଉଛି । ମୁଁ କର୍ଣ୍ଣପାତ ନ କରି ରହିପାରିଲି ନାହିଁ ।

 

ମାତ୍ର ଭୂମିକାରେ ଆଉ ଜୟନ୍ତ ନ ଥିଲେ । ସେଠିକୁ ଆସି ଯାଇଥିଲେ ଗୃହକର୍ତ୍ତ୍ରୀ ଶ୍ୟାମଳୀ । ଗତ ଏକ ବର୍ଷଧରି ସ୍ୱାମୀ ତାଙ୍କର ସୁଦୂର ବିଦେଶରେ । ତାଙ୍କ ବିରୋଧରେ ଅଭିଯୋଗ ଯେ ସେ କ୍ଳବ ସଭ୍ୟା ହେବାର ଆଗ୍ରହୀ ନୁହନ୍ତି । ଏପରିକି କେବେ କିପରି ସମୟ କରି କ୍ଳବକୁ ଆସନ୍ତି ନାହିଁ ।

 

ଭୀଷଣ ଗର୍ବୀ, ଆତ୍ମ ପ୍ରୌଢ଼ୀ, ଅସମ୍ଭବ ସେଇ ।

 

ଭୀଷଣ ଭାବେ ହିପୋକ୍ରାଟ୍‌ । ଟୋକାମାନଙ୍କୁ ବେଶ ଭୁଆଁ ବୁଲାଇ ପାରନ୍ତି । ଏବେ ବି ତାଙ୍କ ଘର ଆଗରେ କିଛି କମ୍‌ ଭିଡ଼ ହୁଏ ନାହିଁ । ତାଙ୍କ ଦୁର୍ଭାଗ୍ୟକୁ ଶ୍ରୀକାନ୍ତ ଯାଇଁ ସେଠି ଯୁଟିଲା । ସେ’ତ ଦକ୍ଷ ଶିକାରୀ, ଶ୍ୟାମଳୀ ତା’ ନିକଟରେ କି ଛାର ।

 

ଶ୍ରୀକାନ୍ତ ସପ୍ତାହରେ ଅନ୍ତତଃ ଥରେ ଦୁଇ ଥର ଏହି ଶ୍ୟାମଳୀ ଘରକୁ ଆସନ୍ତି । ଅନ୍ୟ କିଛି କାମ ଥାଉ ନ ଥାଉ ଅନ୍ତତଃ ସ୍ୱାମୀ ଛାଡ଼ି ଯାଇଥିବା ସ୍କୁଟରଟା ଷ୍ଟାଟ୍ କରି ଅଳ୍ପ ଟିକେ ନେଇ ବୁଲାଇ ଆଣିବାକୁ । ବ୍ୟବହାର ନ ହୋଇ ପଡ଼ିରହିଲେ ମେସିନ୍‌ ରଷ୍ଟ କରିଯିବ ।

 

କେହି ଜଣେ କହିଲା, ସେ କିଏ ବୋଲି । ମୁଁ ଥରେ ଅଧେ ଶ୍ୟାମଳୀକୁ ପଚାରି ଉତ୍ତର ପାଇଥିଲି, ଶ୍ରୀକାନ୍ତ ଭାଇ ହେବ ।

 

ସେଠୁ ହେଲା କ’ଣ ?

 

ବର୍ଷକରୁ ଅଧିକ ହେବା ସ୍ୱାମୀଦେବତା ଘରେ ନାହାନ୍ତି । ଏଣେ ଶ୍ୟାମଳୀ ହେଲେ ସନ୍ତାନସମ୍ଭବା । ସେ ଭାବିଥିଲା, ମନ ଭିତରର ତାତିକୁ ପାଣି ପକାଇ ଧୋଇଦେବ, କିନ୍ତୁ ଦେହ ଓଦା କରିବ ନାହିଁ । ପାଣିଟା କିନ୍ତୁ ଦେହକୁ କେବଳ ତିନ୍ତାଇ ଦେଲା ନାହିଁ, ପୂରାପୂରି ଜୁଡ଼ବୁଡ଼ କରି ପକାଇଲା ।

 

ସେଠୁ ହେଲା କ’ଣ ?

 

ଆଉ ହେବ କ’ଣ.....ସେଇ ସାରଙ୍ଗ କ୍ଳିନିକ ଶରଣ । ସବୁ ପାପ ତାପ ଧୋଇଦେବାର ଏକମାତ୍ର ବିଶ୍ୱସ୍ତ ତୀର୍ଥ । ସତୀ, ଅସତୀ, କୁମାରୀ, ବିବାହିତା, ସମସ୍ତେ ସାରଙ୍ଗ କ୍ଳିନିକ ସଂପର୍କରେ ସଚେତନ । ହୁଏତ କିଏ ଦେଖିଛି କିଏ ଦେଖି ନାହିଁ । ଶେଷରେ ଶ୍ୟାମଳୀ ସେହି ତୀର୍ଥରେ ପହଞ୍ଚିଲା । ସକାଳର ସୂର୍ଯ୍ୟ ଉଠିବା ପୂର୍ବରୁ ଅନ୍ଧାକାର ଗର୍ଭରେ ଶ୍ୟାମଳୀଙ୍କ ଗର୍ଭ ନଷ୍ଟ କରି ଦିଆଗଲା । ସେ ସବୁଦିନ ପାଇଁ ସତୀ ହୋଇ ରହିଗଲେ, ଆଦର୍ଶ ପତ୍ନୀ କୁଳବଧୂ ରୂପେ । ମୁଁ ମୁଣ୍ଡରେ ହାତ ଦେଲି ।

 

ନିଜକୁ ପ୍ରଶ୍ନ କଲି ଗତି ଆମର କୁଆଡ଼କୁ ହେଉଛି ? ଏଇସବୁ ଆଲୋଚନା କ’ଣ ସଂସ୍କୃତିର, ପ୍ରଗତିର ଦିଗ୍‍ଦର୍ଶକ, ସଙ୍କେତ ରେଖା ? ନାଁ ସମାଜକୁ ପଂଗୁ ପରି ଗଢ଼ି ତୋଳିବାର ଉପାଦାନ ? ସତରେ ମୁଁ, କିଛି ବୁଝିପାରୁ ନ ଥିଲି । ମୁଁ ନା ମତେ ଘେରି ରହିଥିବା ସାରା ସମାଜ ଆଜି ପକ୍ଷାପାତ ରୋଗରେ ଆକ୍ରାନ୍ତ ?

 

ମୁଁ ଆଉ ଥରେ ଚାହିଁଲି ବାହାରକୁ । ମଧ୍ୟାହ୍ନର ସୂର୍ଯ୍ୟଟା ନଇଁ ଆସୁଥିଲା ନାରିକେଳ ବଗିଚାର ଚୂଡ଼ା ଦେଶରେ ।

񤦬񤦬񤦬

 

ଖଜୁରୀ ଗଛ

 

ତୁମେ କ’ଣ ଜାଣିଛ ? ଯାହା ଜାଣିଚ କହ ।

 

ନା ଆଜ୍ଞା, କିଛି ଜାଣେ ନାହିଁ ।

 

କେଶ୍ ରେକର୍ଡ଼କୁ ଆଉ ଥରେ ଚାହିଁ ପ୍ରସିକ୍ୟୁଟର ସାମାନ୍ୟ ବିରକ୍ତ ହୋଇ କହିଲେ, ତୁମେ କନେଷ୍ଟବଳ ଏଫ୍‌ ନମ୍ବର ୨୩୨୩ ସୁଧୀର ପଟ୍ଟନାୟକ, ପିତା ହରମୋହନ ପଟ୍ଟନାୟକ ?

 

ହଜୁର ।

 

ତୁମେ ଏ ମକଦ୍ଦମାରେ ସାକ୍ଷୀ ଥିଲ ଟି ? ୧୦୯ରେ ଏ କେସ୍ ଆସିଛି । ଦୁଃଖିଆ ବାରିକକୁ ଧରି ତୁମେ କେଶ୍‌ରେ ଦେଇଥିଲ । ରାତି ଦୁଇଟା ବେଳେ ସେ ସନ୍ଦେହଜନକ ଭାବେ ବୁଲୁଥିଲା । ହାତରେ ତା’ର ଖଣ୍ଡେ ଛୋଟ ଲୁହା ଛଡ଼ ଥିଲା । ସେ ହେଡ଼ମିଷ୍ଟ୍ରେସଙ୍କ କ୍ୱାଟର ପଛପଟ ଗେଟ୍ ପାଖରେ ଲୁଚି ଠିଆ ହୋଇଥିଲା । ଝିପିଝିପି ହୋଇ ସାମାନ୍ୟ ବର୍ଷା ହେଉଥିଲା । ସେଠାର ଥିବା ରାଧାତମାଳ ଗଛ ତଳେ ତମକୁ ଦେଖି ସେ ଲୁଚିଗଲା । ତମେ ସନ୍ଦେହ କରି ତା’କୁ ଧରିଲ । ତା’ ଠିକଣା, ନାମଧାମ, ପଚାରିଲ । ସେ କିଛି କହିପାରିଲା ନାହିଁ । ତା’ପରେ ତୁମେ ତା’କୁ ଥାନାକୁ ଧରି ଆଣିଲ । କେଶ୍ ଦେଲ । ଘଟଣାଟା ମୋଟାମୋଟି ଏୟା । କ’ଣ ମିଛ ? ମନେ ପକା ।

 

ସୁଧୀର ନୀରବ ରହିଲା...... ।

 

କ’ଣ କିଛି କହୁନାହଁ ଯେ । କିଛି ମନେ ପଡ଼ୁ ନାହିଁ ? ମନେ ପକାଇ କହ ।

 

କାନ କୁଣ୍ଡାଇ କୁଣ୍ଡାଇ ସନ୍ତର୍ପଣରେ ସୁଧୀର ଉତ୍ତର ଦେଲା.....ହଜୁର ସବୁ ମିଛ । ‘‘ଏଁ, ସବୁ ମିଛ ।’’ କହି ପ୍ରସିକ୍ୟୁଟର କେସ୍‌ ରେକର୍ଡ଼ ଟେବୁଲ ଉପରେ ପକାଇ ଦେି କନେଷ୍ଟବଲର ଗୋଡ଼ଠାରୁ ମୁଣ୍ଡ ଏବଂ ମୁଣ୍ଡଠାରୁ ଗୋଡ଼ପର୍ଯ୍ୟନ୍ତ ଚାହିଁବାକୁ ଲାଗିଲେ । ଅବଶ୍ୟ ସୁଧୀର ଜୀବନରେ ଏପରି ଗାଡ଼ଚାହାଣୀ କିଛି ନୂଆ ନୁହେଁ । ଛୋଟ ଛୋଟ କାମରେ ବିଭିନ୍ନ କାରଣରୁ ବଡ଼ବାବୁମାନେ ଭଦ୍ରଭାଷାରେ ଗାଳିଗୁଲଜ କରିବା ପୂର୍ବରୁ ତା’କୁ ଚାହିଁ ରହିଲେ । ଚାହିଁ ରହିଲେ କିଛି ସମୟ ନିମନ୍ତେ । ତା’ପରେ କହିଲେ, ତୁମେ ଜାଣିଛଟି ଠିକ୍‌ ଭାବେ ସାକ୍ଷୀ ନ ଦେଲେ କ’ଣ ହେବ ? ତୁମ ସମ୍ପର୍କରେ ମୁଁ ଏସ୍‌. ପି.ଙ୍କୁ ଲେଖିବି ।

 

‘ନା ଆଜ୍ଞା, କହିବେ ଯଦି ମୁଁ ମିଛ ସାକ୍ଷୀ ଦେବି ।’

 

‘‘ମୁଁ ମିଛ ସତ କିଛି ବୁଝେ ନାହିଁ । ଏଠାରେ କିଛି ଧର୍ମ ଆଲୋଚନା, ପୂଜାପାଠ, ଗୀତା ଆଲୋଚନା ହେଉନାହିଁ । ସତମିଛ ପାପପୁଣ୍ୟର ବିଚାର ସ୍ଥଳ ଏ କୋର୍ଟ ନୁହେଁ । ଏଠାରେ ବାରନାରୀର ପ୍ରେମ ପାଇଁ ସତୀ ସାବିତ୍ରୀ ଛାଡ଼ପତ୍ର ପାଏ । ସନ୍ଥସାଧୁ ଫାଶୀ ଖୁଣ୍ଟରେ ଝୁଲନ୍ତି । କଳାବଜାରୀ କଳଙ୍କିତ ପୁରୁଷ ଅଭିଯୋଗରୁ ମୁକ୍ତି ପାଏ, ସମାଜକୁ ସାଧୁବାଣୀ ଶୁଣାଏ । କୋର୍ଟ ବାରଣ୍ଡା ଉଠିବା ପୁର୍ବରୁ ମାମଲାର ସତ୍ୟାସତ୍ୟ ନେଇ ଯେ ଅନୁସନ୍ଧାନ କରୁଥିଲେ ସେ ଅନେକ ଦିନୁ ଗଲେଣି । ମୁଁ ଗାନ୍ଧୀ ହୋଇ ପାରିବି ନାହିଁ ।’’ସାମାନ୍ୟ ଶାନ୍ତ ହୋଇ ପ୍ରସିକ୍ୟୁଟରେ ଚାହିଁଲେ ପ୍ରକୃତ ଘଟଣାଟା କ’ଣ ଜାଣିବାକୁ । (ପ୍ରସିକ୍ୟୁଟରଙ୍କ ରୁମ୍‌ରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ପ୍ରସିକ୍ୟୁଟରଙ୍କ ଉକ୍ତିକୁ ଉପଭୋଗ କଲେ) ।

 

‘‘ମୁଁ ଦୁଃଖିଆକୁ ଚିହ୍ନେ । ସେ ମୋରି ପରି ଜଣେ ଗରୀବ ଲୋକ । ମାଗିଯାଚି ଚଳେ । ଏ ଘଟଣା ପୂର୍ବରୁ ଅଳ୍ପ କେତେଦିନ ହେଲା ସେ ଖବରକାଗଜ, ପତ୍ରପତ୍ରିକା ବୁଲି ବୁଲି ବିକୁଥିଲା । ସେଦିନ ଥାନାବାବୁ ହଠାତ୍‌ କହିଲେ, ତିରିଶ ଚାଳିଶ ଟଙ୍କା ଯୋଗାଡ଼ କରିବାକୁ । ଥାନାକୁ କିଏ ବଡ଼ବାବୁ ଆସିବାର ଥାଏ । ମୁଁ କହିଲି, ଆସି ରାତି ବାରଟା ବାଜିବ, ଏତେବେଳେ କିଏ ଆଉ ଟଙ୍କା ଦେବ ? ଥାନାବାବୁ କହିଲେ; ଦେଖ କିଏ ସବୁ ବୁଲାଚଲା କରୁଛନ୍ତି । ମୁଁ ଯାଇ ପ୍ଲାଟଫର୍ମରୁ ତିନି ଜଣଙ୍କୁ ଧରି ଆଣିଲି । ଏ ଦୁଃଖିଆ ପ୍ଲାଟଫର୍ମ ବାହାରେ ଲୁଗାପାରି ଶୋଇବାକୁ ଯାଉଥିଲା । ଆଉ ଜଣେ ଛୋଟ ପରିବା ବ୍ୟବସାୟୀ ଦୁଇ ଫେଣା କଦଳୀ ଓ ଦେଢ଼କିଲୋ ଶୁଖିଲା ବାଇଗଣ ଧରି ବସିଥିଲା ଏବଂ ଆଉ ଗୋଟିଏ ଚନାଚୁର ବିକିବା ଲୋକ । ମୁଁ ସମସ୍ତଙ୍କୁ ଧରି ଥାନାକୁ ଆସିଲି ।

 

ଥାନାବାବୁ ସେମାନଙ୍କୁ ପଚାରିଲେ, ହଇରେ, ତମେ ସବୁ ଏ ଅଞ୍ଚଳ ଲୋକଙ୍କ ଘରୁ କାହିଁକି ଚୋରି କରୁଛ ? ଆଉ କାହାକୁ ରଖାଇ ଦେବ ନାହିଁ ନା କ’ଣ ? ଏଠାରେ ବସି ମୁଁ ସବୁ ଦେଖୁଛି, ତୁମେ କେଉଁଠି କ’ଣ କରୁଛ । ଗଲା କାଲି ଯେଉଁ ଚୋରୀ ହେଲା ସେଥିରୁ ତୁମେ ସବୁ କିଏ କେତେ ଭାଗପାଇଛ ?

 

ଏକ ସମୟରେ ତିନିଗୋଟି କଣ୍ଠରୁ ଅସହାୟ ଭାବେ ଉତ୍ତର ବାହାରି ଆସିଲା—ଆମେ ଆଜ୍ଞା କିଛି ଜାଣିନାହୁଁ । ଆମେ ଏଠାରେ କାଲି କେହି ନ ଥିଲୁ । ଥାନାବାବୁ କହିଲେ—ଆଚ୍ଛା ହେଉ, ତମର କାହା ପାଖରେ କେତେ ପଇସା ଅଛି ବାହାର କର ।

 

ସମସ୍ତେ ଥାନାବାବୁଙ୍କ ମୁହଁକୁ ବକ୍‌ ବକ୍‌ କରି ଚାହିଁଲେ ।

 

‘‘ମୋ ମୁହଁକୁ କ’ଣ ଅନାଉଛ ? କେତେ ଲେଖାଏ ପଇସା ରଖିଛ କାଢ଼ । ନ ହେଲେ ଦେଖିବ । ଟେବୁଲ ଉପରେ ବେଟନ୍ ବାଡ଼େଇ ପରିବାବାଲାକୁ ଚାହିଁ ଥାନାବାବୁ କହିଲେ, ସୁଧୀର ଏଟାକୁ ଦି’ଧକା ଦେବୁଟି, ଦାନ୍ତ କ’ଣ ଦେଖାଉଛି । ଏହା ଶୁଣ ଚନାଚୁରବାଲା ଛାନିଆ ହୋଇ ତିନି ଗୋଟି ଦଶ ପଇସା ଦେଖାଇ କହିଲା, ବାବୁ, ଏତିକି ଆଜି ଦିନସାରା ରୋଜଗାର । ସ୍କୁଲ ଆଜି ଛୁଟି । କିଏ ବା ଚନାଚୁର କିଣୁଛି । ତା’ପରେ ପରିବାବିକାଳି ଅଣ୍ଟାରୁ କାଢ଼ି ଦୁଇ ଟଙ୍କା ଦେଖାଇଲା ।

 

ଆଉ ତୋ’ର ? ତୋ’ପାଖେ କେତେ ଅଛି ? ଦୁଃଖିଆ ଷୋଳଟି ଟଙ୍କା ପକେଟରୁ କାଢ଼ି କହିଲା...ଏ ଟଙ୍କା ଧାରକରି ଆଣିଛି । ଆସନ୍ତା କାଲି ପହିଲା । ପେପର୍‌ ଏଜେଣ୍ଟଙ୍କୁ ଅଗ୍ରୀମ ଡିପୋଜିଟ୍ ଦେଲେ ସେ ମୋତେ ମାସ ସାରା କାଗଜ ଦେବ । ଟଙ୍କା ଧାର କରି ଆଣିଛି ନରେନ୍‌ବାବୁଙ୍କଠାରୁ । ତାଙ୍କୁ ଡକାଇ ବୁଝି ପାରନ୍ତି ।

 

ଗୁଡ଼ାଏ ବକ୍ତୃତା ଦେ’ଏ ନାହିଁ । କାଢ଼, ଟଙ୍କା କାଢ଼, ଟେବୁଲ ଉପରେ ରଖ ।’’

 

‘‘ଆଜ୍ଞା ମରିଯିବି । ଗରିବ ଲୋକ । ଏଇ କାଗଜ ବିକି ଚଳେ । ମୋତେ ଦୟା କରନ୍ତୁ ।

 

ଚୋରୀ କରିବ, ଡକାୟତି କରିବ, ଥାନାକୁ ଆସି କହିବ କ’ଣ ନା ଆମକୁ ଛାଡ଼ନ୍ତୁ । ସାତପ୍ରାଣୀ କୁଟୁମ୍ବ ଭାସିଯିବେ । ମୁଁ ତାହାହେଲେ ଏଠି କ’ଣ କରିବି ? ସମସ୍ତଙ୍କୁ ତ ଦୟା କରିବି, ଛାଡ଼ିଦେବି । ମୁଁ ତ ଏଠି ଧର୍ମଛତ୍ର ଖୋଲିବି, ପୁଣି ମୋହିତଲାଲ କରିବ କ’ଣ ? କାଢ଼, ଟଙ୍କା କାଢ଼, ବକ୍ତୃତା ବନ୍ଦକର । ପରିବାବିକାଳିଠୁ ଦୁଇ ଫେଣା କଦଳୀ ରଖି ତା’କୁ ଓ ଚନାଚୁରବାଲାକୁ ବିଦା କରିଦେବା ନିମନ୍ତେ ଥାନାବାବୁ ନିର୍ଦ୍ଦେଶ ଦେଲେ ।

 

‘ତା ପରେ ହକର ଦୁଃଖିଆ ନାଁରେ କେ’ସ ଦିଆଗଲା, ନୁହେଁ ?’’

 

ନୀରବରେ ସୁଧୀର ମୁଣ୍ଡନୁଆଁଇ ସମ୍ମତି ଜଣାଇଲା ।

 

ପ୍ରସିକ୍ୟୁଟର ସାମାନ୍ୟ ହସି କହିଲେ, ଦେ’ଖ ସୁଧୀର ତୁମ ଇଚ୍ଛା ତୁମେ ଯାହା କହିବ । ସତ କହିବ କିମ୍ବା ମିଛ କହିବ ତାହା ତୁମ ଉପରେ ନିର୍ଭର କରେ । ମୋର କିଛି ଯାଏ ଆସେ ନାହିଁ-। ମାତ୍ର ମୁଁ ଚାହେଁ ତୁମେ ରେକର୍ଡ଼ ଅନୁଯାୟୀ କହ । ଯେଉଁଥି ପାଇଁ ସାକ୍ଷୀ ପଡ଼ିଛ ସେହି ଅନୁଯାୟୀ କହ, ସେତିକି କହ ।

 

ସୁଧୀର ଦୀର୍ଘଶ୍ୱାସ ଛାଡ଼ି କହିଲା, ଆଜ୍ଞା, ସବୁ କହିବି । ଗୋଟିଏ ବୋଲି ପୁଅ । ସେ ପଢ଼ୁଛି । ତାକୁ ମଣିଷ କରିବା ପାଇଁ ଆଖିବୁଜି ସବୁ ପାପ, କୁକର୍ମ କରୁଛି । ପରଜନ୍ମରେ କଣ ହୋଇ ଜନ୍ମ ହେବି କେଜାଣି । ବେଳେ ବେଳେ ମନ ବିଦ୍ରୋହ କରି ଉଠେ, ଏହିସବୁ ଘଟଣାର ପ୍ରତିବାଦ କରିବାକୁ । ମାତ୍ର ସବୁ ଆଦର୍ଶ, ସବୁ ପ୍ରତିଜ୍ଞା ଏହି ଦାନାପାଣି ଲାଗି ଜଳିପୋଡ଼ି ଧ୍ୱଂସ ହୋଇଯାଏ । ଆଉ ବର୍ଷ ଦୁଇଟା । ପୁଅ ପାଠପଢ଼ା ସରିଗଲେ ମୋର ଛୁଟି ।

 

‘‘ଚାଲ, କୋର୍ଟକୁ ଚାଲ....ଡକାହେଲାଣି ।’’ କହି ପ୍ରସିକ୍ୟୁଟର କୋର୍ଟକୁ ଯିବା ଲାଗି ଠିଆହେଲେ । ସେଲ୍‌ଫରେ ତାଲା ବନ୍ଦ କରୁ କରୁ ପଚାରିଲେ, ଟେଷ୍ଟ୍‌ ପାଇଁ ଆଉ କିଏ କିଏ ରହିଲେ ?

 

(ଦୁଇ)

 

ଡକ୍‌ ଭିତରେ ଠିଆ ହୋଇ ସୁଧୀର ପଟ୍ଟନାୟକ ଶପଥ ପାଠ କଲେ । ମୁଁ ଶପଥ କରି କହୁଛି, ଯାହା କହିବି ସତ କହିବି । ମିଛ କହିବି ନାହିଁ । କିଛି ଲୁଚାଇବି ନାହିଁ ।

ନାମଧାମ ସ୍ଥାୟୀ ଠିକଣା ଲେଖି ସାରିଲା ପରେ ମାଜିଷ୍ଟ୍ରେଟ ପ୍ରସିକ୍ୟୁଟରଙ୍କୁ କହିଲେ, ପଚାରନ୍ତୁ ।

ସୁଧୀର ଉଦ୍ଦେଶ୍ୟରେ ସେ ପ୍ରଶ୍ନ କଲେ । ସାମାନା କାଠଗଡ଼ା ଭିତରେ ମୁଦାଲା ଦୁଃଖିଆକୁ ଦେଖାଇ ପଚାରିଲେ, ତୁମେ ୟାଙ୍କୁ ଚିହ୍ନି ପାରୁଛ ?

‘ହଁ’ ।

‘କେତେ ଦିନ ତଳର ଘଟଣା ।’

‘ଦୁଇ ବର୍ଷ ହୋଇଯିବ ।’

‘ସମୟ ।’

‘ରାତି ସାଢ଼େ ଦୁଇଟା ହେବ ।‘

‘ସ୍ଥାନ ।’

‘ହେଡମିଷ୍ଟ୍ରେସ୍‌ଙ୍କ କ୍ୱାଟର ପଛପାଖ ଝରକା ନିକଟ ରାଧାତମାଳଗଛ ଲତା ତଳେ ।’

‘ତୁମେ କ’ଣ ଦେଖିଛ ?’

‘ମୁଁ ରାତିରେ ପେଟ୍ରୋଲ ଡଉଟିରେ ଥିଲି, ବର୍ଷା ଝିପି ଝିପି ହେଉଥାଏ । କ୍ୱାଟର ମଧ୍ୟରେ ଖଟ୍‌ଖଟ୍‌ ଶବ୍ଦ ଶୁଣି ସନ୍ଦେହରେ ସେ ସ୍ଥାନକୁ ଗଲି । ତାକୁ ଧରିଲି । ସେ ଲୁହାଛଡ଼ ସାହାଯ୍ୟରେ ପଛ ପାଖ କବାଟ ଖୋଲିବାକୁ ଉଦ୍ୟମ କରୁଥିଲା । ମୋତେ ଦେଖି ସେ ରାଧାତମାଳ ଲତା ତଳକୁ ଯାଇ ଚୁପ୍‌ ଚାପ୍‌ ଠିଆ ହେଲା । ମୁଁ ତାକୁ ସନ୍ଦେହ କରି ଧରିଲି; ତାଠାରୁ ଖଣ୍ଡେ ଛୋଟ ଲୁହାଛଡ଼, ଗୋଟାଏ ରେଞ୍ଚି ଏବଂ ଗୋଟାଏ ସ୍କୃ-ଡ୍ରାଇଭର ପାଇଲି । ତାପରେ ଜିନିଷ ସହ ମୁଁ ମୁଦାଲାକୁ ଥାନାରେ ହାଜାର କରାଇଲି ।

‘ତା’ପରେ ତୁମେ ଚାଲି ଆସିଲ । ଆଉ କିଛି ଜାଣି ନାହିଁ । ନୁହେଁ ?’

‘ଆଜ୍ଞା, ଉତ୍ତର ଦେଲ ସୁଧୀର । ରୁମାଲରେ ମୁହଁ ପୋଛି ପ୍ରସିକ୍ୟୁଟର ଆସନ ଗ୍ରହଣ କଲେ ।’

ମାଜିଷ୍ଟ୍ରେଟ ମୁଦାଲା ଉଦ୍ଦେଶ୍ୟରେ ମୁହଁ ବୁଲାଇଲେ ଏବଂ ଦୁଃଖିଆକୁ ପଚାରିଲେ, ତୁମର ଓକିଲ କିଏ ?

ମୁଁ ଗରିବ ଲୋକ, ହଜୁର । ମୋର ଓକିଲ ନାହାନ୍ତି ।

ତୁମେ ତେବେ ଜାମିନରେ ଯାଇ ନାହିଁ, ସେହି ଦିନୁ ଜେଲରେ ଅଛ ?

‘ଜାମିନରେ ନେବାକୁ ମୋର କେହି ନାହିଁ ।’

‘‘ତୁମେ କ’ଣ ପଚାରିବ ?’’

‘କ’ଣ ପଚାରିବି ?’’

‘ତୁମ ଇଚ୍ଛା ଯାହା ପଚାର । ଏ ମକଦ୍ଦମା ସଂକ୍ରାନ୍ତରେ ।’

ଦୁଖିଆ କୋର୍ଟର ଚାରିଆଡ଼କୁ ଥରେ ରହିଁଲା । କୋର୍ଟରୁମ୍‌ର ଲମ୍ବାଟେବୁଲ ଦୁଇ ପାର୍ଶ୍ୱରେ ବେଶପୋଷାକ ପିନ୍ଧି ଓକିଲମାନେ ବସିଛନ୍ତି । ସମସ୍ତେ କଳା ପୋଷାକ ପିନ୍ଧିଛନ୍ତି । ଟେବୁଲ ଉପରେ ଧଳା କାଗଜର ଫାଇଲ, ମୋଟା ମୋଟା ବହି ସବୁ ଥୁଆ ହୋଇଛି । ଏହା ଦେଖି ଦୁଃଖିଆର ପରିଚିତ ଗାଁର ଦୃଶ୍ୟ ଶାଗୁଣାମାନେ ମଢ଼କୁ ଘେରି ବସିଥିଲା ପରି ମନେ ହେଲା । ଏମାନଙ୍କ ବ୍ୟତୀତ ବିଭିନ୍ନ ମାମଲାର ସାକ୍ଷୀ ଓ ଦେଖଣାହାରୀମାନେ ଭିଡ଼ବାନ୍ଧି କୋର୍ଟରେ ଜମାହୋଇ ଥାଆନ୍ତି । ମୁଦାଲାକୁ ସମସ୍ତେ ଚାହିଁଲେ, ସେ କିପରି ପ୍ରଶ୍ନ ପଚାରୁଛି ଶୁଣିବାକୁ ।

ଦୁଃଖିଆ କ’ଣ ପଚାରିବ କିଛି ସ୍ଥିର ପଚାରିବି କିଛି ସ୍ଥିର କରିପାରିଲା ନାହିଁ । ତା’ର ମନେ ହେଉଥିଲା ସତେ ଯେପରି ତା’ର ଦେହର ସମସ୍ତ ରକ୍ତ ମୁଣ୍ଡକୁ ଉଠି ଯାଉଛି, ତା’ର ମୁଣ୍ଡ ବୁଲାଇ ଦେଉଛି । ତଣ୍ଟି ଶୁଖିଯାଉଛି ।

ତା’ ପାଟି ଖନି ବାଜି ଯାଉଛି । ତା’ପାଟିରୁ କଥା ବାହାରୁ ନାହିଁ । ସତେ ଅବା କେହି ତା’ର ତଣ୍ଟି ଚିପି ଧରିଛି । କାଗଜ ବିକ୍ରୀ ବେଳେ ସେ କେଡ଼େ ଜୋରରେ ପାଟି କରି ଡାକେ । ବର୍ତ୍ତମାନ ତା’ର କ’ଣ ହେଲା; ସେ ଏପରି ଅସହାୟ ଅନୁଭବ କରୁଛି କାହିଁକି ? ସେ ଯେ ଦିନେ କୋର୍ଟକୁ ଆସିବ ତା କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ସେ ଗଳା ଖିଙ୍କାରି ପ୍ରଶ୍ନ ପଚାରିଲା,

କ’ଣ କହିଲ ? ତୁମେ ମୋତେ କେଉଁଠି ଧରିଲ ? ହେଡ଼୍‌ମିଷ୍ଟ୍ରେସଙ୍କ କ୍ୱାଟର ଭିତରୁ ନା ପ୍ଲାଟଫର୍ମ ପାଖରୁ ? ସତ କହ ।

‘ହେଡ଼୍‌ମିଷ୍ଟ୍ରେସଙ୍କ କ୍ୱାଟରରୁ ।’

‘ଆଉ କ’ଣ ପଚାରିବ ପଚାର’–ମାଜିଷ୍ଟ୍ରେଟ କହିଲେ ।

ଦୁଃଖିଆର ଦୁଇ ଆଖିରୁ ଦୁଇ ଟୋପା ଲୁହ ଝରି ଆସୁଥିଲା । ସେ ଲୁହପୋଛୁ ପୋଛୁ କହିଲା-‘‘ନାଁ ଆଜ୍ଞା, ମୋର ଆଉ ପଚାରିବାର କିଛି ନାହିଁ । ଆମର କେବଳ ଭଗବାନ ଅଛନ୍ତି ।’’

ବେଞ୍ଚକ୍ଲର୍କ ପାଟି କରି କନେଷ୍ଟବଳକୁ କହିଲେ ନିମାଇଁ, ମୁଦାଲାକୁ ହାଜତ୍‌କୁ ନେଇ ଯା-। ସୁଧୀର ଡକ୍ ମଧ୍ୟରେ ସେହିପରି ନତମୁଖ ହୋଇ ଠିଆ ହୋଇ ରହିଥିଲା । ପ୍ରସିକ୍ୟୁଟର ଗମ୍ଭୀର ଓ ଚିନ୍ତିତ ଭାବେ ମୁଦାଲାଙ୍କୁ ଲକ୍ଷ୍ୟ କରୁଥିଲେ ।

କୋର୍ଟର କାନ୍ଥଘଣ୍ଟା ଟକ୍‌ଟକ୍‌ ଶବ୍ଦ କରି ସେହିପରି ମାଡ଼ିଚାଲୁଥିଲା ଆଗକୁ ଆଉ ଆଗକୁ ।

񤦬񤦬񤦬

 

ସଂକେତ

 

ଶୀତଳ ଅପରାହ୍‍ଣ । ରାଜପଥର ଉଭୟ ପାର୍ଶ୍ୱରେ ବିଦେଶାଗତ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ଆସିଥିବା ଜନତା ଧୀରେ ଧୀରେ ଫେରିବାକୁ ଆରମ୍ଭ କରି ଦେଲେଣି । ପୋଲିସ ଗାର୍ଡ଼ମାନେ କିନ୍ତୁ ସେହିପରି ମୁତୟନ ଥାଆନ୍ତି । ରାଜପଥର ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଯାନବାହାନର ସ୍ୱଚ୍ଛନ୍ଦ ବିଚରଣ ଲାଗି ଏପର୍ଯ୍ୟନ୍ତ ଅନୁମତି ମିଳି ନ ଥାଏ । କେବଳ ଯାହା ହର୍ଣ୍ଣ ବଜାଇ ଛିୁଟି ଚାଲିଥାଏ ଭି.ଆଇ.ପି. (ସମ୍ମାନସ୍ପଦ) ବ୍ୟକ୍ତିମାନଙ୍କର କାର୍‌ଗୁଡ଼ିକ ।

 

ନବୀନ ଦୀର୍ଘ ସମୟ ହେଲା ଡିଉଟିରେ ଅଛି । ସକାଳ ଏଗାରଟାରୁ ଆସି ଏଇ ତିନିଟା ବାଜିବ । ସତରେ ଦେଶରେ ହେଉ କିମ୍ବା ବିଦେଶର ବିଶିଷ୍ଟ ଅତିଥିମାନେ ଯେବେ ଆସନ୍ତୁ ନା କାହିଁକି କେବଳ ସେମାନଙ୍କର ଅସୁବିଧା । ଅଧିକ କାମ । ସେ ସାମାନ୍ୟ ଅନ୍ୟମନସ୍କ ହୋଇ ଧୀର ମନ୍ଥର ପଦରେ ବାହୁଡ଼ି ଯାଉଥିବା ଜନତାର ସ୍ରୋତକୁ ଲକ୍ଷ୍ୟ କରୁଥାଏ । ହଠାତ୍‌ ହର୍ଣ୍ଣ ନ ଦେଇ ଗୋଟାଏ କାର୍‌ ପଶିଆସିଲା ରାସ୍ତା ଭିତରକୁ । ସେ ହୁଇସିଲ୍ ଦେଇ ପାଟି କରୁ କରୁ କାର୍‌ଟି ରାସ୍ତା ପାରିହୋଇ ଯାଉଥିବା ଜନୈକା ମହିଳାଙ୍କୁ ଧକ୍‌କା କରିଥିଲା । ସା କୌଣସି ମତେ ବଞ୍ଚିଗଲେ । ଭଗବାନ ବଡ଼ଲୋକ । ନଚେତ୍‌ ଏପରି ଦୁର୍ଘଟଣାରୁ କ’ଣ କେହି କେବେ ବଞ୍ଚେ ?

 

ନବୀନ ଦୌଡ଼ିଯାଇ ଡ୍ରାଇଭରକୁ ଧରି ଗାଡ଼ି ସହ ତା’କୁ ଥାନାକୁ ଚାଲାଣ କଲା । ଶିକ୍ଷିତ ଯୁବକ ଡ୍ରାଇଭରର ସବୁ ଉଦ୍ୟମ ବ୍ୟର୍ଥ ହେଲା । ନା, ସେ କେବେ ତା’କୁ ଛାଡ଼ିଦେଇ ନ ପାରେ । ପାଞ୍ଚଟଙ୍କିଆ ନୋଟ୍ ଦେଖାଉଛି । ନବୀନକୁ ସେ ଚିହ୍ନେ ନାହିଁ । ତା’କୁ ସିଏ କ’ଣ ପାଇଲାଣି କି ? ସେ କନେଷ୍ଟବଳ ହୋଇପାରେ, ମାତ୍ର ତା’ ବିଭାଗରେ ତା’ ସାଧୁତା ନିମନ୍ତେ ଛୋଟରୁ ବଡ଼ ପର୍ଯ୍ୟନ୍ତ ତା’କୁ କିପରି ସମସ୍ତେ ପ୍ରଶଂସା କରନ୍ତି, ସେ କିପରି ଜାଣିବ ? ମୋଟା ମୋଟା ବାଘୁଆ ନିଶା ଦୁଇଟାକୁ ଆଉ ଥରେ ସାଉଁଳାଇ ଦେଇ ନବୀନ କହିଲା, ନାଁ ହୋଇପାରିବ ନାହିଁ । ମୁଁ କୌଣସିମତେ ଛାଡ଼ି ଦେଇପାରିବି ନାହିଁ । ତୁମରିମାନଙ୍କ ପାଇଁ ଆଜି ରାଜଧାନୀରେ ଦିନକୁ ତିନି ଚାରିଟା ଦୁର୍ଘଟଣା । ଆଇ.ଜି.ଙ୍କ କଡ଼ା ହୁକୁମ, କୌଣସି କାରଣରୁ ଟ୍ରାଫିକ ରୁଲ୍ ଖିଲାପ କରୁଥିବା ଲୋକଙ୍କୁ ଛାଡି ଦେଇ ପାରିବୁ ନାହିଁ । ଆଜି ତ ସହଜେ ଏଠାରେ ଆଇ. ଜି., ଏ. ଆଇ. ଜି., ଏସ୍‌. ପି., କଲେକ୍‌ଟର ସମସ୍ତେ ଉପସ୍ଥିତ ଅଛନ୍ତି । ଚାଲ ଚାଲ, ଡେରି କର ନାହିଁ, ଥାନାକୁ ଚାଲ । ସେଠାରେ ଥାନା ବାବୁଙ୍କୁ କହିବ । ସେ ଚାହିଁଲେ ତୁମକୁ ଛାଡ଼ିଦେବେ । ମୁଁ କିଛି କରିପାରିବି ନାହିଁ ।

 

କଣ୍ଟ୍ରୋଲ ରୁମ୍‌ରେ ଇନ୍‌ସପେକ୍‌ଟର ମନୋଜ ବାବୁ ବସିଥିଲେ । ନବୀନକୁ ଦେଖି ପଚାରିଲେ, କ’ଣ ହେଲା ? କୁଆଡ଼େ ଆସିଲ ? ଚାଲିଆସିଲ କାହିଁକି ? ରାଜ୍ୟପାଳ ଅତଥିଙ୍କୁ ବିଦାୟ ଦେଇ ସେହି ରାସ୍ତାରେ ପୁଣି ଫେରିବେ ।

 

ଗୋଟାଏ ଆକସିଡେଣ୍ଟ କେଶ୍‌ । କାର୍‌ ସହ ଡ୍ରାଇଭରକୁ ଧରି ଆଣିଛି । ଝରକା ବାଟେ ଚାହିଁ କହିଲେ, ସିଏ ଫୁଲ ସାର୍ଟ ପିନ୍ଧି ଠିଆ ହୋଇଛି । ହିପି କଟ୍‌ ତ ? ‘‘ଆଜ୍ଞା ହଁ, ସେଇ ।’’

 

ଛତରା ଟୋକାଗୁଡ଼ା । ଭି. ଆଇ. ପିମାନଙ୍କ ପାଇଁ ଆମେ ଯେଉଁଦିନ ବ୍ୟସ୍ତ, ସେହିମାନେ ଯାବତୀୟ ଅସୁବିଧା ସୃଷ୍ଟି କରିବେ । ରସ୍‌କେଲ୍‌ସ । ବୁକ୍‌ ହିମ୍‌, ବୁକ୍‌ ହିମ୍‌ । ଗାଡ଼ି ସିଜ କର । ତାକୁ ନେଇ ବସା । ନୀଳାଦ୍ରି ବାବୁ ଆସନ୍ତୁ । ଏମାନେ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି । ଏମାନଙ୍କ ପ୍ରତି କୌଣସି ସହାନୁଭୂତି ପ୍ରକାଶ କରିବା ଦରକାର ନାହିଁ ।

 

ନବୀନ ମନେ ମନେ ଖୁସି ହେଲା । ୟାଙ୍କୁ ଯେ କହିବ ଅଫିସର ଲାଖି ଅଫିସର । ମନୋଜ ବାବୁ ନାଁ ଶୁଣିଲେ ରାଜଧାନୀ ପଡ଼ୁଛି ଉଠୁଛି କ’ଣ ଆଉ ମିଛରେ । କାମ କରିବ ତ ଏପରି ଟାଣୁଆ ଅଫିସରଙ୍କ ତଳେ କାମ କରିବ । ଆଜି ଠିକ୍‍ ଲୋକ ହାବୁଡ଼ରେ ପଡ଼ିଛି ।

 

ଏଠିକୁ ଆସନ୍ତୁ ।

 

‘ଆଜ୍ଞା’ ।

 

‘ଡ୍ରାଇଭିଂ ଲାଇସେନ୍‌ସ ଅଛି ?’

 

ଲାଇସେନ୍‌ସ ପାଇଁ ଦରଖାସ୍ତ କରିଛି ।

 

ଠିକ୍‌ ଜାଣେ, ଲାଇସେନ୍‌ସ ନ ଥିବ । ସେଥିରେ ପୁଣି ରାସ୍‌ ଡ୍ରାଇଭିଂ । ବସ ବସ ।

 

ନବୀନ ଠିକ୍‌ କରିଛି । ଏମାନଙ୍କ ପ୍ରତି କୌଣସି ସିମ୍ପାଥି (ଦୟା) ଦେଖାଇବା ଉଚିତ ନୁହେଁ । ନବୀନ ଆପଣାର ପ୍ରଶଂସା ଶୁଣି କହିଲା,—ସାର୍‌ ଆଉ ଟିକିଏ ହୋଇଥିଲେ ସ୍ତ୍ରୀ ଲୋକଟା ମରି ଯାଇଥାଆନ୍ତା, ମୁଁ ସଙ୍କେତ ଦେଉଛି ଅଟକିବା ପାଇଁ, ସେ ବାବୁ କାହିଁକି ଶୁଣନ୍ତେ ।

 

ଦୂରରେ ଲାଲ ରଙ୍ଗର ଫିଆଟ୍‌ କାର୍‌ଟିକୁ ଦେଖି ଦେଖି ଇନ୍‌ସପେକ୍‌ଟର ପୁରୋହିତ ବାବୁ କହିଲେ ଏଟା ତ ହୋମ ମିନିଷ୍ଟରଙ୍କ ଗାଡ଼ିପରି ଦିଶୁଛି । ଆଉ ଟିକିଏ ପାଖକୁ ଆସି ଦେଖିଲେ ଗାଡ଼ି ନମ୍ବର ଡି.ଏଲ୍‌.୩୩୩୨୨ । ସେ ଚୁପ୍‌ କରି ମନୋଜ ବାବୁଙ୍କୁ କଣ କହିଲେ । ସେ ନବୀନକୁ କହିଲେ ସେ ବାବୁଙ୍କ ଡାକି ଦିଅ ।

 

‘ଆପଣଙ୍କର ନାମ କ’ଣ ?’

 

‘ବିପ୍ଳବୀ ଛୋଟ ଲାଟ ।’

 

‘‘ଆପଣ ହୋମ ମିନିଷ୍ଟରଙ୍କର କ’ଣ ହୁଅନ୍ତି ।’’

 

‘ଭିଣୋଇ ।’

 

ସାମାନ୍ୟ ହସି ମନୋଜବାବୁ କହିଲେ, ବସନ୍ତୁ ବସନ୍ତୁ ଆଜ୍ଞା, ଚା’ ନିଅନ୍ତୁ । ଆଜିକାଲି ଲୋକଗୁଡ଼ା ଯାହା ହେଲେଣି ଆଉ ଗାଡ଼ିଘୋଡ଼ା ନେଇ ସହର ବଜାରରେ ଚଳିହବ ନାହିଁ । ହର୍ଣ୍ଣ ଶୁଣବେ ନାହିଁ । ଟ୍ରାଫିକ୍‌ ଲାଇଟ୍ ଦେଖିବେ ନାହିଁ । ରାସ୍ତାରେ ଏପଟ ସେପଟ ହେବେ, ଧକ୍‌କା ହେବ ନାହିଁ ତ ଆଉ କ’ଣ ହୁଅନ୍ତା ? ଲୋକ ସବୁ ବେଇମାନ । ଯେତେ ଶିଖାଇଲେ ମଧ୍ୟ ଏମାନେ ଶିଖିବେ ନାହିଁ । ଯାଆନ୍ତୁ । ଆମେ ସିନା ସେମାନଙ୍କୁ ଧରି ଆଣି କେଶ୍‌ କରିବା । ଧମକ ଚମକ କରିବା । ମାତ୍ର ସେମାନେ ମାତିଲେ କ’ଣ କରିବେ ତା’ର ଠିକ୍‌ ଠିକଣା ନାହିଁ । ଏଇ ଦେଖନ୍ତୁ, ସେ କୋଣକୁ ଗୋଟାଏ କାର୍‌ ଥୁଆ ହୋଇଛି । ଲୋକେ ଟେକାମାରି କାଚ ଭାଙ୍ଗି ଦେଇଛନ୍ତି । କ’ଣ କହିବେ କହନ୍ତୁ । ଆପଣ ଯାଆନ୍ତୁ ଯାଆନ୍ତୁ ...ନୂଆ ପୋଷ୍ଟିଂ ହୋଇଛି ଏ କନେଷ୍ଟବଳ । ଚିହ୍ନେ ନାହିଁ-। ଆପଣ ଅଯଥା ହଇରାଣ ହେଲେ । ମୁଁ ଦୁଃଖିତ ।

 

ହର୍ଣ୍ଣଦେଇ ଦେଇ ଚାଲିଗଲା ଫିଆଟ୍ ଗାଡ଼ିଟା ଥାନା ହତାରୁ । ଯିବା ପରେ ମନୋଜବାବୁ ପଚାରିଲେ—ପୁରୋହିତ ବାବୁ ହୋମ ମିନିଷ୍ଟ୍ରଙ୍କ ଗାଡ଼ିଟାକୁ ଠିକ୍‌ ଚିହ୍ନିଛଟି ?

 

ମଲା ହୋମ ମିନିଷ୍ଟ୍ରଙ୍କ କାର୍‌ଟାକୁ ମୁଁ ଚିହ୍ନି ନାହିଁ । ଫିଆଟ୍‌ ଡି. ଏଲ୍‌. ୩୩୩୨୨ । ମନ୍ତ୍ରୀ ବ୍ୟସ୍ତ ଥିଲେ ତାଙ୍କ କାର୍‌ ନେଇ ତାଙ୍କ ସେକ୍ରେଟାରୀ, ଆପଣା ଲୋକ ବିଭିନ୍ନ କାମରେ ଯାଆନ୍ତି ଏବଂ କାର୍‌ଟି ଦେଖି ସେହି ଅନୁପାତରେ ଗୁରୁତ୍ୱ ଦେଇ ମନ୍ତ୍ରୀଙ୍କ କାମ କରାଯାଇଥାଏ । ବେଳେବେଳେ କାର୍‌ଟି ମନ୍ତ୍ରୀଙ୍କ ଲାଗି କାମ କରେ । ତେବେ ଗାଡ଼ିଟା ଗ୍ରେ କଲର ଥିଲା । ରେଡ୍ (ଲାଲ) କେବେଠୁ କରିଛନ୍ତି ମୋତେ ଜଣା ନାହିଁ । ମୁଁ ମଝିରେ ଏଠାରେ ବର୍ଷେ ହେଲା ନ ଥିଲି । ବାହାରକୁ ଚାଲି ଯାଇଥିଲି । ହଁ, ବୋଧହୁଏ ରଙ୍ଗ ବଦଳାଇଛନ୍ତି ।

 

ନବୀନକୁ ସାବଧାନ କରାଇ ଦେଇ ମନୋଜବାବୁ କହିଲେ, କ’ଣ ନବୀନ, ତୁମେ ମୋ ଚାକିରୀ ନେବ । ତୁମେ ପୁରୁଣା ଲୋକ । ତୁମେ ତ ଅନ୍ତତଃ ଏଠାରେ ଲୋକଙ୍କୁ ଚିହ୍ନିବା ଉଚିତ । ହୋମ ମିନିଷ୍ଟ୍ରଙ୍କ କାର୍‌ଟା ଅନ୍ତତଃ ଚିହ୍ନି ରଖିବା ଉଚିତ, ସେ ପିଲା ପରା ତାଙ୍କ ଭିଣୋଇ ।

 

କାହାପ୍ରତି କିପରି ବ୍ୟବହାର କରିବାକୁ ହେବ ତାହା ବୁଝିବିଚାରି କରିବାକୁ ପଡ଼ିବ । ତୁମକୁ ମୁଁ ଯେତେଟା କମ୍ପିଟାଣ୍ଟ (ଦକ୍ଷ ବୋଲି ଭାବିଥିଲି ତୁମେ ତେତେଟା ନୁହେଁ । ତେବେ ତୁମେ ଏଣିକି ସାବଧାନ ହେବ । ଏ ହେଲା ରାଜଧାନୀ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଉପମନ୍ତ୍ରୀ, ସେକ୍ରେଟାରୀ ତାଙ୍କ ତଳିଆ କର୍ମଚାରୀ, ସେମାନଙ୍କୁ ନିକଟତମ ବ୍ୟକ୍ତି, ସେମାନଙ୍କର ବିଶେଷ ସମ୍ପର୍କୀୟ, ବିଭିନ୍ନ ଦଳରୁ ପ୍ରଭାବଶାଳୀ ବ୍ୟକ୍ତିଗଣ, ଏମାନଙ୍କୁ ଚିହ୍ନିବାକୁ ହେବ । ନଚେତ ରାଜଧାନୀରେ କାମ କରିବା କଷ୍ଟ । କେଉଁ ମୁହୂର୍ତ୍ତରେ ଦାନାପାଣି ଯିବ ତା’ର ଠିକ୍‌ ନାହିଁ । ବଦଳି ହେବାଟା ତ ନିହାତି ମାମୁଲି କଥା ।

 

ନବୀନ ସାମାନ୍ୟ କ୍ଷୁବ୍‌ଧ ହୋଇ ଉଠିଲା । କିନ୍ତୁ ମୁହଁ ଖୋଲି କିଛି କହି ପାରିଲା ନାହିଁ । ସତରେ ତଳିଆ କର୍ମଚାରୀ ରାଗିଲେ ମନର ନିଆଁ ସିନା କେବଳ ସେମାନଙ୍କୁ ଜାଳିପୋଡ଼ି ଧ୍ୱସ୍ତ ବିଧ୍ୱସ୍ତ କରେ, ଅନ୍ୟର କିଛି କ୍ଷତି କରିପାରେ ନାହିଁ । ଆଇନ ଅମାନ୍ୟ ଯେ କଲା, ନିୟମ ଲଙ୍ଘନ କଲା, ସେ ଆଇନ ଦୃଷ୍ଟିରେ ଦୋଷୀ, ଦଣ୍ଡନୀୟ । ସେଥିରେ ଆପଣା ପର, କିଏ ମନ୍ତ୍ରୀପୁଅ, କିଏ ମେହେନ୍ତର ପୁଅ ବୁଝିବାରେ କି ପ୍ରୟୋଜନ । ପ୍ରଶ୍ନ ଉଠୁଛି କେଉଁଠି ? ମୁଁ ତ ଏବେ ଇନ୍‌କମ୍ପିଟାଣ୍ଟ ହୋଇ ପଡ଼ିଲି । କାରଣ ମନ୍ତ୍ରୀଙ୍କ ଭିଣୋଇ ଧକ୍‌କା କରିଛନ୍ତି । ତାଙ୍କୁ ଧରି ଆଣିଛି ‘ପଣ୍ଡିତ ପୁଅ, ମାଙ୍କଡ଼ ମାରିଲେ ଦୋଷ ନାହିଁ ’। କିପରି କାହାକୁ ଚିହ୍ନିବ । ରାତି ତିନିଟାରେ ବେଶ୍ୟାପଡ଼ାରେ ସନ୍ଦେହଜନକ ଭାବେ ବୁଲୁଥିବା ବ୍ୟକ୍ତିଙ୍କୁ ଧରିଲେ ସେ ଆପଣାଙ୍କୁ ସେକ୍ରେଟାରୀ ବୋଲି ପରିଚୟ ଦିଏ, ଆଇ. ଏ. ଏସ୍‌. ବଡ଼ବାବୁ ବୋଲି କହେ । ମନ୍ତ୍ରୀଙ୍କ ମାମୁଁ ବୋଲି କହେ । କିପରି ଚିହ୍ନିବ ? ଏମାନଙ୍କୁ ଧରିଲେ ମଲା । ନ ଧରିଲେ ମଲା । ସତରେ ଦୟନୀୟ ଅବସ୍ଥା ଆମର ।

 

ନବୀନ ମନକୁ ମନ କହିଲା—ହଁ, ତୁମେ ଏକା କମ୍ପିଟାଣ୍ଟ ନ ହୁଅନ୍ତ କିପରି ? ଏସ୍.ପି.ଙ୍କ ଗାଈ ଘାସ ଖାଇବ । ତୁମେ ମଫସଲରୁ କନେଷ୍ଟବଳଙ୍କ ହାତରେ ଚୌକିଦାରଙ୍କ ହାତରେ ମଗାଇ ପ୍ରତିଦିନ ଯୋଗାଇ ଦେଇପାର, ବିଭାଗୀୟ ଉଚ୍ଚ କର୍ମକର୍ତ୍ତାଙ୍କ ଘର ତିଆାରି ହେବ, କବାଟ ଝରକା ଗଢ଼ା ହେବ, ସେଥିଲାଗି ଦୂରଦୁରାନ୍ତରୁ କାଠ ଅଣାଇ ଯୋଗଇ ପାର, ମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ଧରମ ଭଉଣୀ କରି ଏସ୍‌. ପି. ଙ୍କୁ ତୁମ ଲାଞ୍ଜରେ ଗୁଡ଼ାଇ ରଖିଥାଅ । ତାଙ୍କ ସି. ସି. ଆର. ତୁମ ହାତରେ । ତୁମେ କମ୍ପିଟାଣ୍ଟ (ଦକ୍ଷ) ନୁହେଁ ତ ଆଉ କିଏ ? ମୋ ପରି ଦରିଦ୍ର ଲୋକ କିପରି ସଚ୍ଚୋଟ ହୋଇ ପାରନ୍ତା ? ଦକ୍ଷ ହୋଇ ପାରନ୍ତା ?

 

ସହକର୍ମୀ ବଳଭଦ୍ରବାବୁ ବାରଣ୍ଡା ଉପରକୁ ଉଠୁ ଉଠୁ ମନୋଜବାବୁଙ୍କୁ ପ୍ରଶ୍ନ କଲେ । କ’ଣ ଏଠୁ ରତନ କୁମାର ଗାଡ଼ି ନେଇ ଯିବା ଦେଖିଲି । କ’ଣ ଆକ୍‌ସିଡ଼େଣ୍ଟ କରିଛି ? ଛାଡ଼ିଲ କାହିଁକି ? ମହା ଡହରା । ଘରୋଇ ମନ୍ତ୍ରୀଙ୍କ ଗାଡ଼ିପରି ଆପଣା ଗାଡ଼ିକୁ ରଙ୍ଗ କରି ସେଥିରେ ଏଣେତେଣେ ଯାଇ ମନ୍ତ୍ରୀଙ୍କ ନାମରେ ଚାନ୍ଦା ସଂଗ୍ରହ କରୁଛି । ଏବେ ଗୋଟାଏ ଚାଉଳ କଳ ମାଲିକଠୁ ପାଞ୍ଚ ହଜାର ନେଇଛି । ପାର୍ଟିଫଣ୍ଡ ପାଇଁ କଣ୍ଟ୍ରିବ୍ୟୁସନ । କେଉଁଠି କହୁଛି ସେ ମନ୍ତ୍ରୀଙ୍କ ପୁଅ, କେଉଁଠି ପି. ଏ. କେଉଁଠାରେ ଭାଇ, ଅବା ଆଉ କେଉଁଠାରେ ଆଉ କିଛି । ତାକୁ ଛାଡ଼ିଲେ କାହିଁକି ? ତା’ ନାମରେ ଚିଟିଂ (ଠକେଇ) ଅଭିଯୋଗ ଅଛି ।

 

ଓଃ, ସେ ତାହାହେଲେ ଛୋଟ ଲାଟଙ୍କ ଭିଣୋଇ ନୁହେଁ । କ’ଣ ନବୀନ । ତୁମେ ମିନିଷ୍ଟରଙ୍କ ଗାଡ଼ି ନମ୍ବର ଜାଣ ନାହିଁ । କେତେଗୋଟା ଗାଡ଼ି ନମ୍ବର ଅନ୍ତତଃ ତୁମେ ଜାଣିବା ଉଚିତ-

 

ଜାଣେ ଆଜ୍ଞା ତାଙ୍କ ନମ୍ବର ହେଲା ଜି. ଏଲ୍‌. ୨୨୨୩୩ ନା’ ନା’ ଡି. ଏଲ୍‌. ୩୩୩୨୨ ତାହା ଗ୍ରେ ରଙ୍ଗର । ହୁଡ଼୍‌ର ବାମ ପାଖରେ ଫ୍ଲାଗ୍‌ ଷ୍ଟାଣ୍ଡ । କିନ୍ତୁ ଏଥିରେ ତ ଫ୍ଲାଗ୍‌ ଷ୍ଟାଣ୍ଡ୍‌ ନ ଥିଲା ।

 

‘ସେ କଥା ତ କହିଲ ନାହିଁ ।’

 

‘ମୁଁ ଭାବିଲି ଆପଣ ତାକୁ ଭଲକରି ଜାଣନ୍ତି । ମୁଁ କହିବା ପୂର୍ବରୁ ଆପଣ ତାଙ୍କୁ ଯିବାଲାଗି କହିଲେ । ମୁଁ ତେଣୁ ନୀରବ ରହିଲି । ତା’ ବ୍ୟତୀତ ମନ୍ତ୍ରୀଙ୍କ ଚପରାସି ଲାଲା କହୁଥିଲା ମନ୍ତ୍ରୀ ତାଙ୍କ ପୂରୁଣା ଗାଡ଼ି ବିକି ନୂଆ ଗାଡ଼ି କିଣିଛନ୍ତି । ଆସି ତିନି ଚାରି ମାସ ହୋଇଯିବ ।

 

‘ତେବେ ଏ ମନ୍ତ୍ରୀ ଛୋଟ ଲାଟଙ୍କ ଭିଣୋଇ ନୁହେଁ । ଠକି ଦେଇ ଏମିତି ଚାଲିଗଲା ? ନଜର ରଖିଥା ତ ବାବୁ, କେଉଁଠାରେ ପାଇଲେ ଧରି ଏଠିକୁ ନେଇ ଆସିବୁ ।’

 

ନବୀନ ମନେ ମନେ କହୁଥାଏ, ରକ୍ଷା ହୋଇଛି.....ଆପଣ ନିଜେ ଛାଡ଼ି ଦେଇଛନ୍ତି । ନଚେତ୍‌......

 

ଆଉ ସେ ଗାଡ଼ି ବିକିଥିବା କଥା ତୁମେ ଠିକ୍‌ ଭାବେ ଜାଣ ତ ।

 

ମୁଁ ଯାଇ ବୁଝେ, ତାଙ୍କ ଚପରାସିକୁ ମୁଁ ଜାଣେ । ସେ ତ ଅନ୍ତତଃ ଠିକ୍ ସମ୍ବାଦଟା ଦେଇପାରିବ, ଗାଡ଼ିଟା ବିକ୍ରୀ ହୋଇ ଯାଇଛି କି ନାହିଁ ।

 

ତୁମେ ଯାଇ ଟିକିଏ ବୁଝ ସତରେ । ସାମାନ୍ୟ ଗମ୍ଭୀର ହୋଇ ମନୋଜବାବୁ କହିଲେ ।

 

ନବୀନ କିଛି ସମୟ ପରେ ଫେରି ଆସି କହିଲା-ଲାଲା କହିଲା, ବାବୁଙ୍କର ଗାଡ଼ି ଆକ୍‌ସିଡେଣ୍ଟ ପରେ ଆଉ ପଦାକୁ ଆସି ନାହିଁ । ତାହା ସେହିପରି ପଞ୍ଚୁ ଗ୍ୟାରେଜ୍‌ରେ ଅଛି । ସେ ଗାଡ଼ି ନମ୍ବର ଡି. ଏଲ୍‌. ୨୨୨୩୩ । ସେ ଗାଡ଼ିକୁ ଆଉ ରଙ୍ଗ କରାଯାଇ ନାହିଁ । ତାହା ହେଉଛି କମ୍ପାନୀ କଲର । ଲାଲା ବି କହୁଥିଲା ଅବିକଳ ମନ୍ତ୍ରୀଙ୍କର ଗାଡ଼ିପରି ଲାଲ ରଙ୍ଗର ଗୋଟାଏ ଗାଡ଼ି ଧରି ଜଣେ ବୁଲି ବୁଲି ଚାନ୍ଦା ଅସୁଲ କରୁଛି । ବାବୁଙ୍କ ନାଁ କହି ତା’ କାମ କରାଉଛି । ଫଲ୍‌ସ ନମ୍ବର ପ୍ଲେଟ ମଧ୍ୟ ବ୍ୟବହାର କରୁଛି । ମନୋଜବାବୁ ସାମାନ୍ୟ ଗମ୍ଭୀର ହୋଇ କହିଲେ ଆଚ୍ଛା ହେଉ ତୁମେ ଟିକେ ପତ୍ତାଲଗା....ସେ ପିଲାଟିକୁ ତ ନିଶ୍ଚୟ ଚିହ୍ନି ପାରିବ ।

 

କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ନବୀନ ନମ୍ରଭାବେ ସେଠାରେ ଚୁପ୍‌ଚାପ୍‌ ଠିଆା ହୋଇ ରହିଥିଲା । ଥାନା ଘଣ୍ଟାରେ ଠନ୍‌ ଠନ୍‌ ହୋଇ ବାଜି ଉଠିଥିଲା....ଏକ, ଦୁଇ, ତିନି, ଚାରି, ପାଞ୍ଚ, ଛଅ, ସାତ ।

 

ସନ୍ଧ୍ୟାରେ ଆସିଥିବା ୱାରଲେସଗୁଡ଼ିକ ଉପରେ ମନୋଜବାବୁ ଆଖି ବୁଲାଇ ଆଣୁଥିଲେ । ନିଅନ୍‌ ଆଲୋକରେ ବାରଣ୍ଡାରେ ଝୁଲୁଥିବା ପ୍ରାଚୀରପତ୍ର ସ୍ପଷ୍ଟ ପଢ଼ି ହେଉଥିଲା । ‘ଆପଣଙ୍କ ସେବାରେ ପୋଲିସ’ । ‘ପୋଲିସ ଆପଣଙ୍କର ବନ୍ଧୁ’ ।

񤦬񤦬񤦬

 

ଯନ୍ତ୍ରଣାର ସ୍ୱର

 

ତାଙ୍କର ବିଳମ୍ବିତ ଆଗମନ କିଛି ନୂଆ ନୁହେଁ । ସେ ଯେତେବେଳେ ଆସନ୍ତି ଏମିତି ରାତିରେ ଆସନ୍ତି । ତାଙ୍କ ଗାଡ଼ିର ହର୍ଣ୍ଣ ବାଜିଉଠିଲା । ସେ ହର୍ଣ୍ଣ୍‌ ଆୱାଜ ସହିତ ମୁଁ ବେଶ୍ ପରିଚିତ-। ମୁଁ ଶୋଇବାକୁ ଯାଉଥିଲି । ବିଛଣାରୁ ଉଠି ଉପର ମହଲାରେ ମୁଁ ତାଙ୍କ ଆଗମନକୁ ଅପେକ୍ଷା କରି ରହିଲି ।

 

ଶୁଭଙ୍କର କୁଆଡ଼େ ଯାଇଥିଲ ? ଅନେକ ଦିନ ହେଲା ଦେଖା ନାହିଁ । କ’ଣ ହୋଇଛି ତୁମର ? ଆମର ଏଠାକୁ ଆସିବାକୁ ତୁମକୁ କେହି ବାରଣ କରିଛି କି ? ଶୁଭଙ୍କରଙ୍କ ପ୍ରତି ମୋର ଏ ଧରଣର ପ୍ରଶ୍ନ କିଛି ନୂଆ ନୁହେଁ ବା ସେ ମୋ ଘରେ କିଛି ନୂଆ ନୁହଁନ୍ତି । ବହୁ ପରିଚିତ, ବହୁ ଅନ୍ତରଙ୍ଗ ସେ ଆମର । ପରିବାରର ଡାକ୍ତର ନ କହି ଅନ୍ୟତମ ସଭ୍ୟ କହିଲେ ବରଂ ଅଧିକ ଠିକ୍‌ ହେବ ।

 

ମାତ୍ର ସେଦିନ ସେ ଅସମ୍ଭବଭାବେ ଗମ୍ଭୀର ଥିବାର ମୋର ମନେ ହେଲା । ମୁଁ ତା’ର କୌଣସି କାରଣ ଖୋଜି ପାଇଲି ନାହିଁ । ପଚାରିଲି ଆଜି ତୁମର କୌଣସି ପେସେଣ୍ଟ୍‌ର ଡେଥ୍‌ ହୋଇଯାଇଛି କି ? ଆଜି ତୁମର ଅପରେସନ୍‌ ଡେ ନାଁ ?

 

ନାଁ ଚୁମ୍ବକରେ ଉତ୍ତର ଦେଇ ସେ ମୋତେ ନେଉଟ ପ୍ରଶ୍ନ କଲେ, ମନୀଷା ଦେବୀ କୁଆଡ଼େ ଯାଇଛନ୍ତି ?

 

‘‘ବାଥ୍‌ରୁମକୁ ।’’

 

‘‘କେତେବେଳୁ ?’’

 

‘‘ଏଇମାତ୍ର ଯାଇଛନ୍ତି । ବସ, ସେ ଆସିବେ ।’’

 

‘‘ତାଙ୍କୁ ମୋର କେତେକ କଥା କହିବାର ଥିଲା ।’’

 

‘‘ମୋତେ କହିଲେ ଯଦି ଚଳିବ କହୁନାହାଁନ୍ତି ।’’

 

ହଁ, ଆପଣଙ୍କୁ ବି କହିବି କହି ସେ ମୋତେ ବାଲ୍‌କନି ଆଡ଼କୁ ଟାଣି ନେଲେ । ବାଲ୍‌କନି ଲାଇଟ୍‌ଟା ଧପ୍‌ ଧପ୍‌ ହେଉଥିଲା । ତେଣୁ ସେଇ ଆଲୁଅମିଶା ଅନ୍ଧାରରେ ବ୍ୟଗ୍ରତାର ସହିତ ଚାହିଁ ରହିଲି ଶୁଣିବାକୁ ଶୁଭଙ୍କର କ’ଣ କହୁଛନ୍ତି ।

 

ସାମାନ୍ୟ କେଇଟି ମୁହୂର୍ତ୍ତ ଅପେକ୍ଷା କରି (ସତେ ଯେପରି କିଛି କହିବାକୁ ସେ ଶକ୍ତି ସଞ୍ଚୟ କରୁଛନ୍ତି । କହିବେ କି ନାଁ ଠିକ୍‌କରି ପାରୁନାହାନ୍ତି) କହିଲେ, ହଁ, ଗୋଟିଏ କଥା କହିବାକୁ ଆସିଥିଲି । ବନ୍ଧୁ ହିସାବରେ, ମୁଁ ମୋର କର୍ତ୍ତବ୍ୟ କରୁଛି ବୋଲି ଭାବୁଛି । ଆଉ ଅଧିକ କିଛି ନୁହେଁ-। ସବୁ ତୁମରି ମଙ୍ଗଳପାଇଁ । ତାହା ହେଉଛି ତୁମେ ପ୍ରସ୍ତୁତ ହୋଇଯାଅ । ବିବ୍ରତ ହେବାର କୌଣସି କାରଣ ନାହଁ । ସହଜ ଭାବରେ ଗ୍ରହଣ କରିନିଅ । ସମସ୍ତଙ୍କ ଜୀବନରେ ଏହା ଘଟିଥାଏ-। ତୁମ ଜୀବନରେ ଏହା ଘଟିବାକୁ ଯାଉଛି । ଆଗାମୀ ଜାନୁୟାରୀ ୨୬ ତାରିଖରେ ତୁମର ମୃତ୍ୟୁ ହୋଇଯିବ । ଅନେକ ଡେରି ଅଛି । ତୁମେ ପ୍ରସ୍ତୁତ ହୋଇଯାଅ । ସ୍ଥାବର ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଗଚ୍ଛିତ ଧନ ନେଇ ତୁମର ଯଦି କିଛି କରିବାର ଥାଏ ତାହାହେଲେ ପ୍ରୟୋଜନୀୟ ବ୍ୟବସ୍ଥା କରି ନିଅ ।

 

ଏ କଥା ଶୁଣି ମୋର ବାକ୍‌ରୁଦ୍ଧ ହୋଇଗଲା । ମୁଁ କିଛିକ୍ଷଣ ପାଇଁ ନୀରବ ହୋଇ ରହିଲି-। ଆଉ କିଛି ପଚାରିବା ପୂର୍ବରୁ ମନୀଷା ଦେବୀଙ୍କ ଡାକ ଶୁଣି ସେ ମୋ ବେଡ୍‍ରୁମ୍‌କୁ ଡାକିନେଲେ-

 

ମୁଁ ଆତଙ୍କିତ ହୋଇ ଉଠିଲି । ଯାହା ତ ହେବ, ହେବ ମନୀଷାକୁ ଏ ସବୁ ଆଗରୁ ଶୁଣାଇ ଲାଭ କ’ଣ ? ଏଇ କେଇଟି ଦିନ ମରୁଯାତ୍ରୀ ପରି ମର୍ମାନ୍ତିକ ଯନ୍ତ୍ରଣାରେ ଡହଳବିକଳ ନ ହୋଇ ଟିକିଏ ଶାନ୍ତିରେ ବଞ୍ଚିବାକୁ ଦେଇଥିଲେ କ୍ଷତି କ’ଣ ହୋଇଥାଆନ୍ତା ।

 

ମୁଁ ବେଡ୍‍ରୁମ୍‌ରେ ଚୂପ୍‌ଚାପ୍‌ ବସି ଅନେକ କିଛି ଭାବୁଥାଏ । ମନର ସୀମାନ୍ତରେ ବହୁ ପ୍ରଶ୍ନ ଧକ୍‌କା ଖାଇ ହଜି ଯାଉଥାଆନ୍ତି । ମାତ୍ର ମୁଁ ଶୁଭଙ୍କରଙ୍କୁ ଅବିଶ୍ୱାସ କରିପାରୁ ନ ଥାଏ । କାରଣ ଏହାପୂର୍ବରୁ ସେ ଥରେ କହିଥିଲେ, ଯେଉଁ ପୃଥୁଳକାୟ ବୃଦ୍ଧ ବ୍ୟବସୟୀଟି ଆଳୁ ନେଇ ଦୂର ମଫସଲରୁ ସହରକୁ ବିକିବାକୁ ଆସୁଛି ତାକୁ ନିଶ୍ଚୟ ପନ୍ଦର ଦିନ ମଧ୍ୟରେ ଷଣ୍ଢ ମାରିଦେବ ଏବଂ ତାହା ହିଁ ହେଲା । ଏସ.ଡି.ଓ.ଙ୍କ ସ୍ତ୍ରୀ ତାକୁ ଡାଇଭୋର୍ସ କରି ଚାଲିଯିବେ । ସେ ଗଲେ । ଏକଥା ମଧ୍ୟ କହିଥିଲେ ସୁନ୍ଦରୀର ପୁତ୍ର ସନ୍ତାନ ହେବେ ନାହିଁ । ତାହା ହିଁ ହେଲା । ପୁଅ ହେବା ଆଶାରେ ଆଠଟି ସନ୍ତାନ ହେଲେ ମାତ୍ର ପୁଅ ହେଲା ନାହିଁ । ତେଣୁ ମୋର ତାଙ୍କୁ ବିଶ୍ୱାସ । ଅବିଶ୍ୱାସ କରିବାର ଆଉ କିଛି ନ ଥିଲା । ଆପଣାକୁ ମୁଁ କେତେ ଅସହାୟ ମନେ କରୁଥିଲି ତାହା ମୁଁ ବୁଝାଇପାରିବି ନାହିଁ । ମୋର ମନେ ହେଉଥିଲା ସତେ ଯେପରି ମୁଁ କ୍ଷତବିକ୍ଷତ ହୋଇ ଶୂନ୍ୟରେ ଝୁଲୁଛି ।

 

ମନୀଷାଙ୍କୁ ଶୁଭଙ୍କର କ’ଣ କହିଲେ କେଜାଣି କିଛି ସମୟ ପରେ କିନ୍ତୁ ସେ ଦୁହେଁ ଆସି ମୋ ପାଖରେ ପଡ଼ିଥିବା ଦୁଇଟି ଚୌକିରେ ବସିଲେ । ଶୁଭଙ୍କରଙ୍କୁ ମନୀଷା କଫି କରି ଆଣିବ କି ବୋଲି ପଚାରିବାରୁ ସେ ପ୍ରୟୋଜନ ନାହିଁ, ଜରୁରୀ କାମ ଅଛି କହି ସଙ୍ଗେ ସଙ୍ଗେ ଚାଲିଗଲେ । କୌଣସି ଆତ୍ମୀୟଙ୍କୁ ସଦ୍ୟ ସତ୍କାର କରି ଫେରିଆସିଲାବେଳେ ମୁହଁ ଉପରେ ଯନ୍ତ୍ରଣାର ଯେପରି ଛାପ ପ୍ରତିଫଳିତ ହୋଇଥାଏ ମୋର ଓ ମନିଷାଙ୍କର ମୁହଁ ଉପରେ ସେହିପରି ଯନ୍ତ୍ରଣାର ଛାପ ଝଲସି ଉଠୁଥାଏ । ଆମେ କେହି କାହାକୁ କିଛି କହିପାରୁ ନ ଥିଲୁ ।

 

ମୁଁ ମନେ ମନେ ଭାବୁଥିଲି ଶୁଭଙ୍କର ନିର୍ମମଭାବେ କେତେ ଭୟଙ୍କର ? ମାଛପରି ମର୍ମାନ୍ତିକ ଯନ୍ତ୍ରଣାରେ ଆମ ଦୁହିଁଙ୍କୁ ସନ୍ତୁଳିବାରେ ତାଙ୍କର କେତେ ଆନନ୍ଦ ।

 

(ଦୁଇ)

 

ମୁଁ କହିଲି, ଅନେକ ଡେରି ହେଲାଣି । ଲାଇଟ୍‌ ଅଫ୍‌ କର । ଚାଲ ଶୋଇବା । ମୋତେ ପାଣି ଗ୍ଲାସେ ଦିଅ ।

 

ମୁଁ ପାଣି ପିଇସାରିବା ପରେ ମନୀଷା ଲାଇଟ୍ ଅଫ୍‌ କଲେ । ତା’ପରେ ଆମେ ଦୁହେଁ ଚୁପ୍‌ଚାପ୍‌ ଶୋଇଗଲୁ । ଶୋଇଗଲୁ କହିବାଟା ଠିକ୍‌ ହେବ ନାହିଁ ବରଂ କହେ ଶୋଇବାର ପ୍ରତାରଣା କଲୁ । ମାତ୍ର ଆତ୍ମସଚେତନ ବ୍ୟକ୍ତି, ପ୍ରତାରଣାର ସ୍ରୋତରେ କେତେଦୂର ଆଗକୁ ପହଁରି ଯାଇପାରେ ? ପୁଣି ମୃତ୍ୟୁ, ନିର୍ମ୍ମମ ମୃତ୍ୟୁ ଯେତେବେଳେ ତା’ର ଜାଲ ବଛାଇ ବସିଛି ।

 

କିଛି ସମୟ ଚୁପ୍‌ଚାପ୍‌ ରହିବା ପରେ ମୁଁ ପଚାରିଲି ମନୀଷା, କ’ଣ ଶୋଇ ପଡ଼ିଲଣି ? ମୋତେ ନିଦ ଲାଗୁନାହିଁ । ‘ମୋତେ ବି ନିଦ ହୋଇନାହିଁ । କ’ଣ କହୁଛ ?’

 

‘ନାଁ, କିଛି ନାହିଁ ।’ ଅଶୋକ ଏ ସପ୍ତାହରେ ତ ଚିଠି ଦେଇ ନାହିଁ । ତୁମେ ତାକୁ ଖଣ୍ଡେ ଚିଠି ଦେଲ ନାହିଁ ।

 

‘ମୁଁ ଚିଠି ଦେଇଛି ।’

 

‘କ’ଣ ଲେଖିଲ ?’

 

‘ଲେଖିଛି ତାକୁ ଯଦି ସୀମାନ୍ତରେ ଭଲ ନ ଲାଗୁଛି ତେବେ କିଛିଦିନ ଛୁଟି ନେଇ ଆସିବାପାଇଁ ।’

 

‘ହଁ ମୁଁ ସେହି କଥା ଅଶୋକକୁ ଲେଖିଦିଅ ବୋଲି ତୁମକୁ କହିବାକୁ ଭାବୁଥିଲି । ତୁମେ ଲେଖି ଦେଇଛ । ଭଲ କଥା ।’

 

ତା’ପରେ ମୁଁ ପଚାରିଲି, ‘ମନୀଷା, ଦୋକାନରେ ଆମର ଯାହା ହାତଉଧାରି ଲୋନ୍‌ ହଜାର ଟଙ୍କା ଥିବ । ଆଉ ତ ଆମର କୌଣସି ଲୋନ୍‌ ନାହିଁ । ଖଜଣା ଦିଆ ସରିଛି । ବହି ସବୁ ଇନ୍‌ଷ୍ଟଲ୍‌ମେଣ୍ଟରେ ଆସୁଥିଲା । ସେ ସବୁ ତ କ୍ଲିୟର ହୋଇଯାଇଛି । ହଁ, ଏଲ୍‌. ଆଇ. ସି. ଲାଷ୍ଟ ପ୍ରିମିୟମ୍‌ଟା ଦେଇ ଦେଇଛ ତ ।

 

ମନୀଷା ଚୁମ୍ବକରେ ହଁ ଟିଏ କରି ପଚାରିଲେ, କ’ଣ ଏସବୁ ପଚାରୁଛ ?

 

ମୁଁ କହିଲି, ‘ନା, ସେମିତି କିଛି ନୁହେଁ । କେତେବେଳେ କ’ଣ ହେଇଯିବ, ଅଶୋକ କଥା ତ ପୁଣି ଆମର ଚିନ୍ତାକରି ଦେଖିବା ଉଚିତ । ଖୁବ୍‌ ଛୋଟ ଦିନୁ ତ ଅତି ଅଲିଅଳିରେ ବଢ଼ିଲା । ଆମକୁ କାହାକୁ ହରାଇବାର କଷ୍ଟ ସାଙ୍ଗକୁ ଦୈନନ୍ଦିନ ଜୀବନରେ ସେ ଅଭାବ ଅନାଟନର ଶିକାର ହେଉ–ମୁଁ ଏକଥା କେବେ ଚାହେ ନାହିଁ । ସେଥିପାଇଁ.... ।

 

ମୋ ଅପେକ୍ଷା ଅଶୋକ ତା’ର ମା ସହିତ ମୋର୍‌ ଆଟାଚ୍‌ଡ଼ (More Attached)-। ମନୀଷା ଆଉ ସମ୍ଭାଳି ପାରିଲା ନାହିଁ । ସେ ଆଖିପୋଛି ମୋ ଉପରେ ହାତ ରଖି କହିଲା, ‘ତମେ ଏତେ ନିର୍ମମ ହୋଇପାର ବୋଲି ମୁଁ କେବେ ଭାବି ନ ଥିଲି । ମୁଁ ଯେ ମରିଯିବି । ଦେଖୁଛି ତୁମେ ଜାଣି ଜାଣି ଏତେ ଟିକିଏ ବି ଦୁଃଖିତ ନୁହଁ । ସବୁ ଅତି ସହଜରେ ଗ୍ରହଣ କରି ନେଇଛ । ତୁମେ ମୋତେ ଆଉ କିଛି ନ କହି ତୁମ କୋଠାବାଡ଼ି, ଦେଣନେଣ, ଏଲ. ଆଇ. ସି. ପ୍ରିମିୟମ୍‌ ଏଇକଥା ସବୁ ପଚାରୁଛ । ଶୁଭଙ୍କର ତ ତୁମକୁ ସବୁ କହିଥବେ । ମୋ ଅପେକ୍ଷା ତୁମେ ତୁମ ଧନ ସମ୍ପତ୍ତି ସବୁକୁ କେତେ ଅଧିକ ଆଦର କର ଜାଣିଲି, ଜୀବନସାରା ତୁମକୁ ଭଲ ପାଇଥିଲି-। ତା’ର ପ୍ରତିଦାନରେ କ’ଣ ମୋର ଏଇୟା ପ୍ରାପ୍ୟ ? ତୁମେ ମୋତେ ହରାଇବାର ବ୍ୟଥାରେ ସାମାନ୍ୟ ଦୁଃଖିତ ହୁଅନ୍ତ ନାହିଁ ? ମୋତେ ଟିକେ ଆଦର କରନ୍ତ ନାହିଁ ? ମୋର ମନେ ହେଉଛି ସତେ ଯେମିତି ରାତି ପାହିଲେ ଡିସେମ୍ବର ପହିଲାର ସକାଳ ହୋଇଯିବ ।

 

ମୁଁ ପଚାରିଲି ‘ଡିସେମ୍ବର ପହିଲାର ସକାଳ କ’ଣ ?’

 

‘ଶୁଭଙ୍କର ତୁମକୁ କହିଛନ୍ତି ନିଶ୍ଚୟ ।’

 

ମୁଁ ମନେ ମନେ କ୍ଷୁବ୍‌ଧ ହେଲି । ଶୁଭଙ୍କର ମୋର ମୃତ୍ୟୁ ସମ୍ବାଦ ମନୀଷାକୁ ଜଣାଇଲେ କାହିଁକି ? ତାଙ୍କୁ ବାରଣ କରିଥିଲି କହିବା ଲାଗି । ମନୀଷା ସାମାନ୍ୟ ଆଘାତ ପାଉ, ଏହା ମୁଁ ଦେଖିବାକୁ ଚାହୁଁ ନ ଥିଲି । ଦୀର୍ଘ ୨୦ ବର୍ଷ ସାଙ୍ଗ ହୋଇ ରହିବା ପରେ ଏମିତି ଅସମୟରେ ସ୍ୱାମୀକୁ ହରାଇବା ଯେ କୌଣସ ସ୍ତ୍ରୀ ବିଶେଷତଃ ମନୀଷାଙ୍କ ପରି ସ୍ତ୍ରୀଙ୍କୁ ଯେ ଅନେକ ବାଧିବ ଏଥିରେ ମୋର ସାମାନ୍ୟ ସନ୍ଦେହ ନ ଥିଲା । ସେଥିପାଇଁ ମୁଁ ମନୀଷାଙ୍କୁ କିଛି କହୁ ନ ଥିଲି । ମାତ୍ର ଶୁଭଙ୍କର.... ।

 

ମନୀଷା କହିଲେ ‘ଆଉ ଭାବୁଛ କ’ଣ ? ତାଙ୍କ ଗଣନା କେବେ ଭୁଲ ହୁଏ ନାହିଁ । ମୁଁ ଜାଣେ ସେ ସଂପୂର୍ଣ୍ଣ ନିର୍ଭୁଲ । ନାମକରା ଡାକ୍ତର ପରି ସେ ଜଣେ ଭଲ ଗଣକ । ସେ ଆଦର୍ଶ ଶିକାରୀ ମହାରାଜା ଚନ୍ଦ୍ରଭାନୁଙ୍କ ମୃତ୍ୟୁ ଗୋଟାଏ ମାଙ୍କଡ଼ ହେତୁ ହେବ ବୋଲି କହିଥିଲେ । ହେଲା-। ନିବେଦିତାଙ୍କ କଥା ତ ଜାଣ । ତାଙ୍କ ଉପରେ ତାଙ୍କ ନଡ଼ିଆ ଗଛରୁ ଦିନେ ନଡ଼ିଆ ପଡ଼ିବ ଓ ସେ ଜଖମ ହେବେ ଏବଂ ଜୀବନସାରା ଆଉ ଭଲ ହୋଇପାରିବେ ନାହିଁ କହିଥଲେ । ତାହା ହେଲା । ଅନ୍ୟ କଥା ତ ତୁମେ ଜାଣ ।

 

ତେଣୁ ଡିସେମ୍ବର ପହିଲା କଥା ଅନ୍ୟଥା ହେବ କାହିଁକି ?

 

‘‘କ’ଣ ଡିସେମ୍ବର ପହିଲା ?’’

 

‘‘ହଁ, ହଁ ଡିସେମ୍ବର ପହିଲା ?’’

 

‘‘ତୁମେ ଭୁଲ ଶୁଣି ନାହଁ ତ ? ଠିକ୍‌ ମନେ ରଖିଛ ତ ? ଜାନୁୟାରୀ ଛବିଶ ନୁହେଁ ଟି ?’’

 

ଶୁଭଙ୍କର ତେବେ ଦୁଇଟି ଡେଟ୍‌ କ’ଣ କହିଲେ ? ମୁଁ ପଚାରିଲି, ମନୀଷା ତୁମକୁ ଶୁଭଙ୍କର କ’ଣ କହିଛନ୍ତି ?

 

‘ତୁମେ ପ୍ରଥମେ କୁହ । ତୁମକୁ କ’ଣ କହିଛନ୍ତି ।’

 

‘‘ମୋତେ କହିଲେ ତୁମର ସମାଜରେ ପ୍ରତିଷ୍ଠା ଅଛି । ତୁମକୁ ଅନେକ ଲୋକ ଜାଣନ୍ତି । ଅଶୋକ ପାଇଁ ତୁମର ଯାହା ସବୁ କରିବା କଥା କରିନିଅ । ତୁମ ପରେ ତାକୁ ସମସ୍ତେ ଦୟା କରନ୍ତୁ, ତୁମେ କେବେ ଚାହିବ ନାହିଁ । ତୁମେ ପ୍ରସ୍ତୁତ ହୋଇ ଯାଅ । ଜାନୁୟାରୀ ୨୬ ରେ ତୁମର ମୃତ୍ୟୁ ହୋଇଯିବ ।’’

 

ମନୀଷା କ’ଣ ପଚାରି ଆସୁଥିଲେ । ହଠାତ୍‌ ଥମିଗଲେ । ମୁଁ କହିଲି, କୁହ କୁହ, ତୁମକୁ କ’ଣ କହିଛନ୍ତି ଶୁଭଙ୍କର ।

 

ତୁମକୁ ଯାହା ସବୁ କହିଛନ୍ତି ମୋତେ ଠିକ୍‌ ସେହିକଥା କହିଛନ୍ତି । ମାତ୍ର ମୋତେ ଡିସେମ୍ବର ପହିଲା । ଆଉ କହିଛନ୍ତି ଅଶୋକକୁ ସଙ୍ଗେ ସଙ୍ଗେ ନ ଡକାଇବାକୁ । କାରଣ ମାସକ ମଧ୍ୟରେ ଅଶୋକ ଆସିପାରିବ ନାହିଁ ।

 

ସେ କିପରି ଜାଣିଲେ ଟେଲିଗ୍ରାମ ପାଇ ସେ ଆସିପାରିବ ନାହିଁ । କାଲି ଗୋଟାଏ ଟେଲିଗ୍ରାମ କର । ଦେଖିବା କ’ଣ ଉତ୍ତର ଆସୁଛି ।

 

ମନୀଷା ଦୀର୍ଘ ନିଶ୍ୱାସ ପକାଇ କହିଲେ, ଆଗପଛ ହୋଇ ଚାଲିଯିବା । ମୋ ଅଶୋକ.....ସେ ଆଖି ପୋଛିଲେ । ଶୁଭଙ୍କର ସିନା ଏକମାତ୍ର ସହାୟ ।

 

ମୁଁ ମନୀଷାଙ୍କ ଆଖି ପୋଛିଦେଇ କହିଲି ତୁନି ହୁଅ । ଲୁହରେ ଏ ସମସ୍ୟାର ସମାଧାନ ହୁଏ ନାହିଁ । ମୋ ପାଖକୁ ଟିକେ ଲାଗି ଆସି ମନୀଷା କହିଲେ ମୋ ଉପରେ ତୁମେ ହାତ ରଖ । ମୋତେ ଭାରୀ ଭୟ ଲାଗୁଛି । ଏ ବାଧାବନ୍ଧନ, ବାରିବଗିଚା, ଘରସଂସାର, ମାୟାମମତା, ଏ ମାଟି, ଏ ଆକାଶ ଛାଡ଼ି ଚାଲିଯିବାକୁ ବାଧୁଛି । କେତେ ସୁନ୍ଦର ଏ ମାଟି, ଏ ମଣିଷ, ବନ ପାହାଡ଼, ଏ ମୃତ୍ୟୁ, ନାଁ ନାଁ ଅପମୃତ୍ୟୁ-ଏଡ଼ିଦେଇ ହୁଅନ୍ତା ନାହିଁ ?

 

ମୋର କିଛି କହିବାର ନ ଥିଲା । ମୁଁ କେବଳ ନୀରବରେ ଅନୁଭବ କରୁଥିଲି ମନୀଷାଙ୍କ ହୃଦୟର ସ୍ପନ୍ଦନ ମୋର ହୃଦୟରେ କିପରି ସ୍ପନ୍ଦିତ ହେଉଥିଲା । ଏହି ସ୍ପନ୍ଦନ ଯେଉଁଠାରେ ଶାନ୍ତ ହେବ ସେହିଠାରେ ଶେଷ ହେବ ଜୀବନର ସୀମା । ଆରମ୍ଭ ହେବ ମୃତ୍ୟର ସାମ୍ରାଜ୍ୟ । ସେ ସୀମାନ୍ତରେ ମଣିଷ କେତେ ଅସହାୟ । ମୁଁ ମନୀଷାଙ୍କୁ କିଛି ବୁଝାଇବାକୁ ଚେଷ୍ଟା କରୁ ନ ଥିଲି ।

 

ଆମେ ପରସ୍ପରର ଯନ୍ତ୍ରଣା ଜର୍ଜରିତ ମମତା ଅନୁଭବ କରୁଥିଲୁ । ଜୀବନ ଯେ ଏତେ ସୁନ୍ଦର, ଲୋଭନୀୟ, ବରଣୀୟ ହୋଇପାରେ ଏହା ପୂର୍ବରୁ କେବେ ଅନୁଭବ କରି ନ ଥିଲୁ । ଫାଶୀ ଅପେକ୍ଷାରେ ଥିବା ଆସାମୀର ଯନ୍ତ୍ରଣା ଆମେ ବେଶ୍‌ ଅନୁଭବ କରୁଥିଲୁ ।

 

(ତିନି)

 

ମନୀଷା ଚମକି ଉଠିଲା । ଫୋନ୍‌ ବାଜି ଚାଲିଥିଏ । ରାତିରେ ତିନିଟା ପରେ ଏମିତି ଯେତେବାର ଫୋନ୍‌ ଆସିଛି ମୃତ୍ୟୁ ସମ୍ବାଦ ବ୍ୟତୀତ ଆମ ପାଇଁ କୌଣସି ଭଲ ସମ୍ବାଦ ଆଉ ନ ଥିଲା । ଆଜି କି ସମ୍ବାଦ ଆସିଛି..... । ମୁଁ ଆତଙ୍କିତ ହୋଇ ଉଠିଲି । କହିଲି ଫୋନ୍‌ ଧର । ଅତି ସନ୍ତର୍ପଣରେ ଫୋନ ଧରିଲେ ମନୀଷା ।

 

ଫୋନ୍‌ ରଖିଦେଇ ମନୀଷା କହିଲେ, ଟେଲିଗ୍ରାମ ଆସିଛି । ଅଫିସରୁ ସେମାନେ ମେସେଜ୍‌ଟା ଦେଲେ । ଛୁଟି ନାହିଁ । ଦୁଇ ମାସ ମଧ୍ୟରେ ଅଶୋକ ଆସିପାରିବ ନାହିଁ ।

 

ମୁଁ ଦୀର୍ଘ ନିଶ୍ୱାସ ଛାଡ଼ିଲି, ଆଉ ଉପାୟ ନାହିଁ । ଶୁଭଙ୍କରଙ୍କ କଥା ତାହାହେଲେ ସତ ହେବ । ମନୀଷା ମୋତେ କ’ଣ କହିବାକୁ ଚାହୁଁଥିଲେ ମୁଁ ଶୁଣି ପାରୁ ନଥିଲି । ମୋର ମନେ ହୋଉଥିଲା ମୁଣ୍ଡ ଉପରର ଫ୍ୟାନଟା ସତେ ଅବା ଛିଡ଼ିପଡ଼ିବ ଏବଂ ଫ୍ୟାନ ଧକ୍‌କାରେ ମନୀଷା କ୍ଷତବିକ୍ଷତ ହେବେ । ପଶ୍ଚିମପଟ ବାରଣ୍ଡାର ପିଲରଟା ଭାଙ୍ଗିପଡ଼ିବ ଓ ତାହା ମୋ ମୁଣ୍ଡ ଉପରେ ପଡ଼ିବ ।

 

(ଚାରି)

 

ଅଶୋକ ଡ୍ରେସ ବଦଳାଉଛି । ଅନେକ ଦିନ ପରେ ପୁଅ ଫେରିଛି ଘରକୁ । ମନୀଷା ଯାଇଛନ୍ତି କିଚେନ୍‌କୁ ପୁଅ ପାଇଁ ଜଳଖିଆ ଆଣିବାକୁ ।

 

ଶୁଭଙ୍କର ପଶି ଆସିଲେ ଘର ମଧ୍ୟକୁ ଅଚାନକ । ତାଙ୍କ ପାଟି ଶୁଣି ମୁଁ ମନେ ମନେ କ୍ଷୁବ୍‌ଧ ହୋଇ ଉଠିଲି । କହିଲି, ସବୁ ଅଶୁଭର ମେସେଞ୍ଜର । ବାର୍ତ୍ତାବାହ ପୁଣି କେଉଁ ଅଶୁଭ ବାର୍ତ୍ତାନେଇ ଆସିଛି ସେ ଜାଣେ । ରାସ୍‌କେଲ୍‌, ଯେତେ କମ୍‌ ସମୟ ହେଉପଛେ ସେତିକି ଅନ୍ତତଃ ଶାନ୍ତିରେ ଏ ବଞ୍ଚିବାକୁ ଦେବ ନାହିଁ ।

 

ମୁଁ ତାଙ୍କ କିଛି ପଚାରିବାରୁ ସେ ମୋ ହାତକୁ ‘ଓଲଡ଼୍‌ ମଙ୍କ’ଟି ବଢ଼ାଇ ଦେଇ କହିଲେ ନିଅ । ଆଉ ମନା କରିବି କାହିଁକି ? ତୁମ ମନଇଚ୍ଛା ପିଅ । ସିରୋସିସ୍‌ ପେସେଣ୍ଟ ତମେ । ତମକୁ ପିଇବାକୁ ମନା କରୁଥିଲି ମାତ୍ର ଆଉ ମନା କରିବି ନାହିଁ । ଓଲଡ଼୍‌ମଙ୍କ ଦେଖି ମୁଁ ଯେତିକି ଖୁସି ହେବା କଥା ସେତିକି ଖୁସି ହୋଇପାରିଲି ନାହିଁ । ଶୁଭଙ୍କର କ’ଣ ତେବେ ନିଶ୍ଚିତ, ମୁଁ ଆଉ ବଞ୍ଚିପାରିବି ନାହିଁ । ସେ ସିର୍ବିକାର ଭାବେ ମୋ ହାତକୁ ମଦ ବୋତଲଟି ବଢ଼ାଇ ଦେଉଛି । ସେ କ’ଣ ଆମମାନଙ୍କର ବଞ୍ଚିବା ନେଇ ସବୁ ସମ୍ଭାବନା ହରାଇ ସାରିଲେଣି ।

 

ମୁଁ ସାମାନ୍ୟ ଅନ୍ୟମନସ୍କ ହୋଇ ପଡ଼ିଥିଲି । ସେ ଅଶୋକ ଆଡ଼କୁ ଯାଉଥିବାର ମୋର ମନେ ହେଲା । ମୁଁ ଆତଙ୍କିତ ହୋଇ ଉଠିଲି । ଅଶୋକକୁ ଏ ସବୁ କହି ଲାଭ କ’ଣ ?

 

ମୋ’ ହାତରୁ ବୋତଲଟି ପଡ଼ି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା । କାଚ ଭାଙ୍ଗିବାର ଶବ୍ଦ ଶୁଣି ଶୁଭଙ୍କର ଠିଆ ହୋଇ ଚାହିଁଲା ।

 

ମୁଁ ଶୁଭଙ୍କର ଟାଇ ଟାଣିଧରି କହିଲି, ଶୁଭଙ୍କର, ସବୁର ଗୋଟିଏ ସୀମା ଅଛି । ତୁମର ଅନ୍ତତଃ ଟିକିଏ ଚିନ୍ତା କରିବା ଉଚିତ । ଦୁଇ ଦୁଇଟା ମୃତ୍ୟୁର ଆଘାତ ସେ ସହିପାରିବ ତ ? ଆସନ୍ତା କାଲି କଥା ଆଜିଠୁ ଜାଣି ଲାଭ କ’ଣ ?

 

ଶୁଭଙ୍କର ଅଭିମାନ କରି କହିଲା, ତୁମେ ଭାବ ନାହିଁ ମୁଁ ଅଶୋକର ଶତ୍ରୁ । ଅନାଗତ ବିପଦର ଅଚାନକ ସମ୍ମୁଖିନ ହେବା ଅପେକ୍ଷା ସେନେଇ ପୂର୍ବରୁ ସଙ୍କେତ ପାଇଲେ ମଣିଷ ସହଜରେ ତାହା ଗ୍ରହଣ କରିପାରିବ । ତୁମେମାନେ ମୋର ଆତ୍ମୀୟ ଲୋକ । ସେଥିପାଇଁ ତୁମକୁ ଆଗରୁ ସାବଧାନ କରାଇ ଦେଇଥିଲି । କେବେ ଶୁଣିଛ, ମୁଁ ମୋର କୌଣସି ରୋଗୀକୁ ତା’ର ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛି ? କହିବାର ପ୍ରୟୋଜନ ଅନୁଭବ କରିନାହିଁ ।

 

କେବଳ ତୁମକୁ କହିଯାଉଛି । ଜାନୁୟାରୀ ୨୫ ସନ୍ଧ୍ୟାରେ ମୋର ସବୁ ଶେଷ ହୋଇଯିବ । ତା’ପର ଦିନ ତୁମ ପାଳି । ତୁମେ ବିଚାର ଦେଖ-ଏ ନେଇ ଅଶୋକ ଆଗରୁ ଜାଣିବା ଉଚିତ କି ନୁହେଁ ?

 

ଅଶୋକକୁ ଏଇଖଣ୍ଡ ଦେବା ପାଇଁ ମୁଁ ଆସିଥିଲି କହି ସେ ବଢ଼ାଇ ଦେଲେ ଖଣ୍ଡିଏ ଉଇଲ୍‌ । ଉଇଲ୍‌ର ସାରମର୍ମ ହେଲା, ତାଙ୍କ ପରେ ତାଙ୍କର ସମସ୍ତ ସମ୍ପତ୍ତିର ଅଧିକାରୀ ହେବ ଅଶୋକ । ଏହା ମଧ୍ୟ ଥିଲା ତାଙ୍କର ସ୍ୱର୍ଗତ ପତ୍ନୀଙ୍କର ଅନ୍ତିମ ଇଚ୍ଛା ।

 

ମୁଁ ଚାଲିଲି, କହି ଶୁଭଙ୍କର ମ୍ରିୟମାଣ ମନ, ଭାରାକ୍ରାନ୍ତ ହୃଦୟ ନେଇ ଷ୍ଟେୟାର ପରେ ଷ୍ଟେୟାର ଅତିକ୍ରମ କରି ତଳକୁ ଓହ୍ଲାଇବାର ବୁଟ୍‌ ଶବ୍ଦ ପ୍ରତିଧ୍ୱନିତ ହୋଇ ଉଠୁଥିଲା କେବଳ ଷ୍ଟେୟାର ଉପରେ ।

 

ଅଶୋକ ସେଠାରେ ପହଞ୍ଚି ଜାଣିବାକୁ ଚାହୁଥିଲା, ଶୁଭଙ୍କର ମଉସା ଏତେ ଶୀଘ୍ର ଚାଲିଗଲେ କାହିଁକି ?

 

ସେ ତାଙ୍କୁ ଶୁଣାଇବାକୁ ଚାହୁଥିଲା, କିପରି ତାଙ୍କର ଭବିଷ୍ୟତ ବାଣୀ ଭୁଲ ହୋଇ ଯାଇଛି । ବାଧାରେ ସେମାନେ ପାକିସ୍ଥାନ ସୀମାନ୍ତରେ କିପରି ବମିଂ କରି ଫେରି ଆସିଲେ । ପ୍ରଥମ ଜେଟ୍‌ଟି ନିଖୁଣ ଅବସ୍ଥାରେ ଫେରି ଆସିଲା । ସେ ସେଥିରେ ଥିଲା । ଜାଣି ଜାଣି ସେ ଯାଇଥିଲା ଏହି ଜେଟ୍‌ରେ । ପ୍ରଥମ ବ୍ୟାଚରେ ଶହୀଦ ହେବାର ଗୌରବ ଲାଭ କରିବାକୁ । ମାତ୍ର ହେଲା ନାହିଁ । ମଉସା ମନା କରିଥିଲେ ଏହି ଜେଟ୍‌ରେ ଯିବାକୁ । ମୋ’ ଫ୍ରେଣ୍ଡ କାଶ୍ମୀର ଲଟେରୀ ନିଶ୍ଚୟ ପାଇବ ବୋଲି ମଉସା କହିଥିଲେ, ହେଲା ନାହିଁ । ଜାନୁଆରୀ ପୂର୍ବରୁ ମୋତେ କୌଶସି ଇନ୍‌କ୍ରିମେଣ୍ଟ କିମ୍ବା ପ୍ରୋମସନ ମିଳିବ ନାହିଁ ବୋଲି ମଉସା ବି କହିଥିଲେ । ମାତ୍ର ମୋର ଦୁଇଟା ଇନ୍‌କ୍ରିମେଣ୍ଟ ମିଳି ସାରିଲାଣି ଏ ମଧ୍ୟରେ । ମୁଁ ଆସିବି ବୋଲି ଏ ନେଇ ମଉସାଙ୍କୁ ଆଉ ଲେଖି ନଥିଲି । ଏସବୁ ଭବିଷ୍ୟତବାଣୀରେ ମୋର ମୋଟେ ବିଶ୍ୱାସ ନାହିଁ । ଦିଜ୍‌ ଆର୍ ଅଲ୍‌ ସିଲି ଥିଙ୍ଗସ୍‌-। ମଉସା ଚାଲିଗଲେ ନଚେତ୍‌ ମୁଁ ତାଙ୍କୁ ଆଷ୍ଟ୍ରୋଲୋଜି ନେଇ କେତେଗୁଡ଼ିଏ ଜୋକ୍‌ କହିଥାଆନ୍ତି ।

 

ମନୀଷା ଅଶୋକ ମୁହଁରୁ ଆଉଥରେ ଶୁଣିବାକୁ ଚାହୁଁଥିଲେ ଶୁଭଙ୍କରଙ୍କର ଭବିଷ୍ୟତବାଣୀ କିପରି ସତରେ ଫଳି ନାହିଁ । ଚକ୍ଷୁ ଦୁଇଟି ତାଙ୍କର ଉଜ୍ଜ୍ୱଳ ହୋଇ ଉଠୁଥିଲା । ମୁହଁ ଉପରେ ଆତ୍ମବିଶ୍ୱାସର ଭାବ ପ୍ରତିଫଳିତ ହୋଇ ଉଠୁଥିଲା । ସେ ଭାବୁଥିଲେ ଶୁଭଙ୍କରଙ୍କ କଥା ହୁଏତ ମୋଟେ ସତ ହୋଇ ନ ପାରେ, ଏତେଦୂର ଆତଙ୍କିତ ହେବାର କୌଣସି କାରଣ ନାହିଁ ।

 

ମୁଁ ବିସ୍ମିତ ହୋଇ ସମସ୍ତଙ୍କୁ କେବଳ ଚାହୁଁଥିଲି । ଅଶୋକ ଏଣୁ ତେଣୁ ସବୁ ଗପୁଥିଲା, ଝଡ଼ରେ ଦୋହଲି ଚାଲିଥିବା ବାଲକନି ରାଧା-ତମାଳ ଧୀରେ ଧୀରେ ଶାନ୍ତ ହୋଇ ଆସୁଥିଲା ।

Image